Unknown

 

 

 

 

 

 

 

 

 

୧୩୩ତମ ସଂଖ୍ୟା କୋଣାର୍କ ୨୦୦୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦନା :

ଶ୍ରୀ ଦୀପକ ମିଶ୍ର

 

ପରିଚାଳନା ସମ୍ପାଦକ :

ଶ୍ରୀ ରାଜକିଶୋର ମିଶ୍ର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର- ୭୫୧୦୧୪

ଫୋନ୍ / ଫ୍ୟାକ୍ସ : ୨୪୩୧୮୪୦

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ମତ ।

 

 

ବିଷୟ ସୂଚୀ

 

ସଂପାଦକୀୟ

ପ୍ରୀତି ଓ ବିଦ୍ରୋହର କଥାକାର ଅଚ୍ୟୁତାନନ୍ଦ ପତି

 

ରମାକାନ୍ତ ରଥ

ସମନ୍ୱୟ ଓ ସହାବସ୍ଥାନର ପ୍ରତୀକ କମଗେଇଁ

ଦେବୀଙ୍କ ବଏଲ ଯାତରା

 

ଡକ୍ଟର ଚିତ୍ରସେନ ପଶାୟତ

ସାରଳା ଦାସଙ୍କ ମହାଭାରତରେ ନବଗୁଞ୍ଜର

ପରିକଳ୍ପନା : ଏକ ପ୍ରତ୍ନତାତ୍ତ୍ୱିକ ଉତ୍ସ ଅନୁସନ୍ଧାନ

 

ଡକ୍ଟର ବାବା ମିଶ୍ର

ଡକ୍ଟର ଦାଶରଥି ଆଚାର୍ଯ୍ୟ

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ

ପଶୁପକ୍ଷୀ ପ୍ରସଙ୍ଗ

 

ଗଣେଶ ପ୍ରସାଦ ସାହୁ

ସଂସ୍କୃତିର ଚାରୋଟି ଅଧ୍ୟାୟ : ପ୍ରକରଣ-୨ ରଚନା

 

ସ୍ଵର୍ଗତ ରାମଧାରୀ ସିଂହ ଦିନକର

ରୂପାନ୍ତରଣ- ଡକ୍ଟର ଶ୍ରୀନିବାସ ଉଦ୍‌ଗାତା ମହାରାସଲୀଳା

 

ଡକ୍ଟର ମଧୁସୂଦନ ପତି

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ଭାଷାଶୈଳୀ

 

ଡକ୍ଟର ସବିତା ପ୍ରଧାନ

ଅମୃତ-ଅନ୍ୱେଷାରେ ସୁରେନ୍ଦ୍ର ମହାନ୍ତି

 

ଡକ୍ଟର ସୁଲୋଚନା ଦାସ

ଗଙ୍ଗାଧରଙ୍କ କାବ୍ୟକୃତିରେ ସଂଯୋଜକ ଚରିତ୍ର

 

ଡକ୍ଟର ଅଶୋକ କୁମାର ତ୍ରିପାଠୀ

ଏକାଡେମୀ ସମାଚାର

 

 

 

***

 

ସଂପାଦକୀୟ...

ବର୍ଷ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ରେଖାଗଣତି କେତୋଟି ସାହିତ୍ୟଭିତ୍ତିକ ପତ୍ରିକାକୁ ମିଶେଇ ଶାରଦୀୟ ସଂଖ୍ୟା ଆକାରରେ ପ୍ରାୟ ଷାଠିଏରୁ ଊର୍ଦ୍ଧ୍ୱ ପତ୍ରିକା ବର୍ଷ ବର୍ଷେ ପ୍ରକାଶ ପାଇଥାଏ । ଯେତେବେଳେ ନିୟମିତ ପ୍ରକାଶିତ ପତ୍ରିକା କେତୋଟିର ସ୍ଵାସ୍ଥ୍ୟବସ୍ଥା ଏତେ ମୁମୂର୍ଷୁ ସେତେବେଳେ ଗୋଟେ ଅଧେ ସଂଖ୍ୟାରେ ସୀମିତ ପତ୍ରିକାମାନଙ୍କର ହାଲ୍‌ହକିକତ୍ କ’ଣ ହେଉଥିବ; ସେତକ ଅନୁମାନ କରିବା ସାହିତ୍ୟ ସଂପର୍କିତ ପାଠକ ତଥା ଗ୍ରାହକମାନଙ୍କ ପକ୍ଷରେ ଆଦୌ ଅସୁବିଧାଜନକ ନୁହେଁ । ଉଚ୍ଚାଙ୍ଗ ସାହିତ୍ୟଭିତ୍ତିକ ରୁଚିସଂପନ୍ନ ପତ୍ରିକାଟିଏ ଶିକ୍ଷିତ ଏବଂ ଅର୍ଦ୍ଧଶିକ୍ଷିତ ଓଡ଼ିଆର ଦୈନନ୍ଦିନ ଜୀବନଚର୍ଯ୍ୟାର ଅବିଚ୍ଛେଦ୍ୟ ଅଂଶ ଭାବରେ ପରିଗଣିତ ହେବାର ମର୍ମବୋଧ ସେଇ ବ୍ୟକ୍ତିର ଚିନ୍ତାଚେତନାରେ ସ୍ଥିର ଆସନ ସୃଷ୍ଟି କରିପାରିଲେ; ଏପରି ଦୁଃଖଦ ପରିସ୍ଥିତିରୁ ମୁକୁଳିବା ବୋଧହୁଏ ସଂଭବ । ଅଧିକାଂଶ ତଥାକଥିତ ଶିକ୍ଷିତ ଓଡ଼ିଆଙ୍କ ଚିନ୍ତାଶୂନ୍ୟ ଅଧ୍ୟୟନରହିତ ମନ୍ତବ୍ୟ: ଓଡ଼ିଆ ସାହିତ୍ୟରେ ଏପରି କିଛି ଲେଖା ସେମାନଙ୍କ ଦୃଷ୍ଟିକୁ ଆସି ନାଇଁ ଯାହା ପଠନଯୋଗ୍ୟ, ତେଣୁ ପଠନଅଯୋଗ୍ୟ ରଚନାମାନଙ୍କ ଦ୍ଵାରା ପୃଷ୍ଠାପୂରଣ କରୁଥିବା ଓଡ଼ିଆ ପତ୍ରିକାକୁ କିଏ ବା କାହିଁକି କିଣି ସୁସଜ୍ଜିତ ବୈଠକଖାନାର ସୌନ୍ଦର୍ଯ୍ୟକୁ କ୍ଷୁଣ୍ଣ କରିବାକୁ ଚାହିଁବ ! ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାସ୍ଥିତ ଆନଂଦବଜାର । ଖବରକାଗଜ ସଂସ୍ଥା ପକ୍ଷରୁ ‘ଦେଶ୍’ ନାମକ ମୁଖ୍ୟତଃ ସାହିତ୍ୟଭିତ୍ତିକ ପତ୍ରିକାଟିଏ ସାପ୍ତାହିକ ଚେହେରାରେ ପ୍ରାୟ ଷାଠିଏ ବର୍ଷରୁ ଊର୍ଦ୍ଧ୍ୱକାଳ ପ୍ରକାଶ ପାଇବା ପରେ ଏବେ ପାକ୍ଷିକ ଭାବରେ ପ୍ରକାଶିତ ହେଉଛି । ପଶ୍ଚିମବଙ୍ଗ, ଭାରତବର୍ଷର ଭୌଗୋଳିକ ସୀମା ସରହଦ ପାରି ହୋଇ ପୃଥିବୀର ଯେଉଁ ଯେଉଁ ସ୍ଥାନରେ ସାହିତ୍ୟାନୁରାଗୀ ବଙ୍ଗଭାଷୀ ବସବାସ କରୁଛନ୍ତି, ସେମାନଙ୍କ ଘରେ ‘ଦେଶ୍’ ଏକ ଅବଶ୍ୟପାଠ୍ୟ ପତ୍ରିକା । ଫଳରେ ଏହାର ସମ୍ପ୍ରସାରଣ ସଂଖ୍ୟା ପ୍ରାୟ ଅଶୀହଜାର ଛୁଇଁସାରିଲାଣି । ମାନୁଛି, ହରେକ୍ କିସମ୍‌ର ଦାମିକା ବିଜ୍ଞାପନ ଜରିଆରେ ଏଇ ପତ୍ରିକା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି ପ୍ରତି ସଂଖ୍ୟାରେ; କିନ୍ତୁ ଏଇ ବିଜ୍ଞାପନଗୁଡ଼ିକ ରୀତିମତ ଆସିବାର କାରଣ ହେଉଛି ଉକ୍ତ ପତ୍ରିକାଟିର ସୁବିସ୍ତୃତ କାୟାବିସ୍ତାର; ତାହା ପୁଣି ନିୟମମାଫିକ୍ । ଏତଦ୍‌ବ୍ୟତୀତ ପାଠକ ଏବଂ ଗ୍ରାହକମାନଙ୍କର ପଠନ ଅଭ୍ୟାସର ଆନ୍ତରିକତା ମଧ୍ୟ ଏହାର ବହୁଳ ପ୍ରସାର ପାଇଁ ସାହାଯ୍ୟ କରିଛି; ଏହା ନିଃସନ୍ଦେହ । ଆମର ଏଠି ସେହିପରି ପାଠକୀୟ ସମ୍ପ୍ରତିର ଷଠୀଘର ତିଆରି କରିବା ନିମନ୍ତେ ଗୋଟେ ଅଧେ ଉଚ୍ଚାଙ୍ଗ ପତ୍ରିକାକୁ ବାଦ୍ ଦେଲେ ଅନ୍ୟ କେହି କୌଣସି ଉଦ୍ୟମ କରି ନାହାନ୍ତି; ମନେହୁଏ; ଉଭୟ ପାଠକୀୟ ଅନାଗ୍ରହ ଏବଂ ପ୍ରକାଶକୀୟ ଅନାତ୍ମୀୟତା ଉଣେଇଶ/ବିଶ୍ ଢଙ୍ଗରେ ଦାୟୀ । ପରିବାର ନିମନ୍ତେ ମାସିକ ଖର୍ଚ୍ଚ ତଥା ଅନ୍ୟାନ୍ୟ ବନ୍ଦୋବସ୍ତର ତାଲିକା କଲାବେଳେ ପରିବାର ମୁଖ୍ୟ ଜଣକ ଯଦି ଗୋଟିଏ ଭଲ ଓଡ଼ିଆ ସାହିତ୍ୟ ପତ୍ରିକା ନିୟମିତ କିଣିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇ ପାରନ୍ତେ ଏବଂ ତଦନୁଯାୟୀ କିଣନ୍ତେ; ତେବେ ଓଡ଼ିଆ ସାହିତ୍ୟ ପତ୍ରିକାର ଆର୍ଥିକ ସ୍ୱାସ୍ଥ୍ୟବସ୍ଥା ଅନେକାଂଶରେ ସୁଧୁରି ଯାଆନ୍ତା । ଏତକ ଏମିତି କିଛି କଠିନ କାର୍ଯ୍ୟ ନୁହେଁ ବିତ୍ତଶାଳୀ, ଉଚ୍ଚମଧ୍ୟବିତ୍ତ, ମଧ୍ୟବିତ୍ତ, ଏପରିକି ନିମ୍ନମଧ୍ୟବିତ୍ତ ପରିବାରମାନଙ୍କ ପାଇଁ, ଏଥିନିମନ୍ତେ କେବଳ ବିଶୁଦ୍ଧ ସାହିତ୍ୟାନୁରାଗ ବିଜଡ଼ିତ ଉଦାର ହୃଦୟଟିଏ ଲୋଡ଼ା; ଆଉ ଲୋଡ଼ା ନିରବଚ୍ଛିନ୍ନ ପଠନାଭ୍ୟାସ । ଏହା କୌଣସି ହିତୋପଦେଶ ବା ପ୍ରବଚନ ନୁହେଁ; ଏହା ଏକ ନିଖୁଣ ବାସ୍ତବ ଏବଂ ଏଇ ପ୍ରଶ୍ନହୀନ ବାସ୍ତବତା ଉପରେ ହିଁ ଠିଆ ହୋଇଛନ୍ତି ‘ଦେଶ୍’ ଏବଂ ‘ମନୋରମା’ ପରି ପତ୍ରିକାମାନେ; ଆମ ସାହିତ୍ୟରେ ଏପରି ଉଜ୍ଜ୍ୱଳ ଉଦାହରଣ ଆଉ କେତେକାଳ ସ୍ଵପ୍ନାତୀତ ହୋଇ ରହିଥିବ ?

 

***

 

ପ୍ରୀତି ଓ ବିଦ୍ରୋହର କଥାକାର ଅଚ୍ୟୁତାନନ୍ଦ ପତି

ରମାକାନ୍ତ ରଥ

 

ଓଡ଼ିଆ ଗଳ୍ପ-ସାହିତ୍ୟକୁ ଅତୁଳନୀୟ ସମ୍ବେଦନଶୀଳତାରେ ଓ ଭାଷାର ପାରଙ୍ଗମ ପ୍ରୟୋଗରେ ସମୃଦ୍ଧ କରିଥିବା ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ସମ୍ମାନ’ରେ ବିଭୂଷିତ କରିଥିବା ଯୋଗୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ଅଭିନନ୍ଦନୀୟ ।

 

ଅନ୍ୟ କେତେକ ଲେଖକଙ୍କ ପରି ଅଚ୍ୟୁତାନନ୍ଦ ନିଜକୁ ସାମାଜିକ କ୍ରାନ୍ତିର ଅଗ୍ରଦୂତ ବୋଲି ଘୋଷଣା କରିନାହାନ୍ତି, କେବେ ବି ନିଜ ସୃଷ୍ଟିର ଉତ୍କର୍ଷ ବିଷୟରେ ଆସ୍ଫାଳନ କରିନାହାନ୍ତି, କରିଥାନ୍ତେ କାହିଁକି ? ସେ କଣ ବଚନ-ସର୍ବସ୍ୱ ବିପ୍ଳବର ପ୍ରବକ୍ତା ? ସେ କଣ ନିଜର କପୋଳକଳ୍ପିତ ଅସାଧାରଣତାରେ ନିଜେ କେବେ ମୁଗ୍ଧ ହୋଇଛନ୍ତି ? ସେ ତ ତାଙ୍କର ଗଳ୍ପର ଚରିତ୍ରମାନଙ୍କ ସହିତ ଏକାତ୍ମ ହୋଇଯାଇଛନ୍ତି, ସେମାନଙ୍କର ଅକିଞ୍ଚନତାକୁ, ଦୁର୍ଦ୍ଦଶାକୁ ଆଦରି ନେଇଛନ୍ତି ।

 

ତାଙ୍କର ଚରିତ୍ରମାନେ କିଏ ସେ ? ସେମାନଙ୍କର କାହାଣୀ ନିରନ୍ତର ସୁଖୀ ଜୀବନରେ ସାମୟିକ ଦୁଃଖର କାହାଣୀ ନୁହେଁ, ସେମାନଙ୍କର କାହାଣୀ ନିରନ୍ତର ଦୁଃଖୀ ଲୋକଙ୍କର ନିରନ୍ତର ଦୁଃଖର କାହାଣୀ । ଆଜିର ସମାଜରେ କରିତ୍‌କର୍ମା ହେବାର ସାମର୍ଥ୍ୟ ସେମାନଙ୍କର ନାହିଁ, ସେମାନେ କେବଳ ନିଜର ସଚ୍ଚୋଟପଣ ଯୋଗୁଁ ଦଣ୍ଡିତ ହୋଇ ଚାଲିଥିବେ । ସେପରି ଦଣ୍ଡିତ ହୋଇଛନ୍ତି ‘ସରୀସୃପ’ର ଦୁଃସ୍ଥ ଶିକ୍ଷକ ନଟରାଜ, ଯେ ନିଜର ମୂଲ୍ୟବୋଧକୁ ଜଳାଂଜଳି ଦେଇପାରୁନଥିବାରୁ ଦାରିଦ୍ର୍ୟ ଭୋଗି ଚାଲିଛନ୍ତି, କିନ୍ତୁ ଯେ ଅର୍ଥ ବା ସମ୍ପତ୍ତି ପାଇଁ ପ୍ରାର୍ଥନା ନକରି ପ୍ରାର୍ଥନା କରୁଛନ୍ତି-“ଯେତେ ଦୁଃଖ ଦେବ ଦେଇଯାଅ ପ୍ରଭୁ, ଆପତ୍ତି ନାହିଁ, ଦୁଃଖକୁ ସହିବା ପାଇଁ ସାମର୍ଥ ଦିଅ ।”

 

ଅଭାବୀ କର୍ମଚାରୀ ଯଜ୍ଞଦତ୍ତ ଚୌଧୁରୀ ଯାହାଙ୍କ ଲୁହ ପୋଛିବାକୁ ପରିବାରର କାହାରି ହାତ ଉଠେ ନାହିଁ ।

 

‘ଦେବକୀର ଗର୍ଭବେଦନା’ ଗଳ୍ପର ବିରୁପାକ୍ଷ ବାବୁ ଯେ ଦାରିଦ୍ର୍ୟ, କଳାବଜାର ଓ ନିଜ ପରିବାରର ସଦସ୍ୟମାନଙ୍କର ସ୍ୱାର୍ଥପରତା ଦ୍ଵାରା ନିର୍ଯାତିତ ଓ ଆହୁରି ଅନେକ ଚରିତ୍ର ଏମାନଙ୍କୁ କାଳ୍ପନିକ ଚରିତ୍ର କୁହାଯାଇପାରେ, କିନ୍ତୁ କହିଲା ବେଳେ ଆମେ ଜାଣୁ ଯେ ଆମ ସମାଜରେ ଏପରି ଦୁର୍ଭାଗ୍ୟ ଭୋଗୁଥିବା ଅନେକ ଲୋକ ଅଛନ୍ତି, ଯେପରି ଅଛନ୍ତି ସାଧୁତା ଓ ମଣିଷପଣିଆ ବିନିମୟରେ ସମୃଦ୍ଧି ଓ ପ୍ରତିଷ୍ଠା ଅର୍ଜନ କରୁଥିବା ଲୋକେ । କାହାଣୀଗୁଡ଼ିକ ଅଚ୍ୟୁତାନନ୍ଦଙ୍କର ପ୍ରତିବାଦ - ଦୁର୍ଗନ୍ଧଯୁକ୍ତ, କୁତ୍ସିତ ରାଜନୈତିକ ଓ ସାମାଜିକ ପ୍ରକ୍ରିୟା ବିରୁଦ୍ଧରେ । ତାଙ୍କର କେତେକ ଗଳ୍ପରେ ରାଜାମାନଙ୍କ କଥା ଓ ରାଜୁଡ଼ାଶାସନ କଥା କୁହାଯାଇଛି, କିନ୍ତୁ ଆମେ ତତ୍‌କ୍ଷଣାତ୍ ବୁଝିଯାଉଁ ଯେ ଏ ରୂପକ ଜରିଆରେ ଅଚ୍ୟୁତାନନ୍ଦ କହୁଛନ୍ତି ଯେ ରାଜୁଡ଼ାଶାସନ ପରି ଆମ ଗଣତନ୍ତ୍ରରେ ଆଇନ୍ ଅଳ୍ପକେତେଜଣଙ୍କ ସ୍ୱାର୍ଥ ଓ ପ୍ରତିପତ୍ତିର ବିସ୍ତାର ଏବଂ ସୁରକ୍ଷା ପାଇଁ ବ୍ୟବହୃତ ହୁଏ, ସେମାନଙ୍କ ହିତ ପାଇଁ ଜନସାଧାରଣଙ୍କ ହିତକୁ ନିର୍ବିଚାରରେ ଜଳାଞ୍ଜଳି ଦିଆଯାଏ । ଦୁର୍ବଳଙ୍କ ଉପରେ ସବଳଙ୍କ ଅତ୍ୟାଚାର ଅବ୍ୟାହତ ରହେ, ବାହୁବଳରେ ଓ ଅର୍ଥବଳରେ ଆଦର୍ଶ ପ୍ରତି ଅନୁଗତ ଲୋକଙ୍କୁ ଆବର୍ଜନାଗଦାକୁ ଫିଙ୍ଗିଦିଆଯାଏ, କେଉଁ ରାଜନୈତିକ ଦଳ ଆଜି କଣ ଖରାତରାରେ ବୁଲି ଦୁଃଖୀଲୋକଙ୍କ ସହାୟ ହେଉଥିବା ଜନସେବକଙ୍କୁ ଲୋଡ଼ୁଛନ୍ତି ? ସେମାନେ ଲୋଡ଼ନ୍ତି ଚଳଚ୍ଚିତ୍ର ତାରକାଙ୍କୁ, କାରଣ ନିଜେ ଅନୁଭବ ନକରୁଥିବା ଦୁଃଖରେ ଦୁଃଖୀ ବୋଲି ଅଭିନୟ କରିବା ସାମ୍ପ୍ରତିକ ରାଜନୀତିରେ ଅଗ୍ରାଧିକାର ଲାଭ କରିସାରିଲାଣି ।

 

ଅଚ୍ୟୁତାନନ୍ଦ ପତିଙ୍କ ପ୍ରତିବାଦର ପରିସର ଏତିକିରେ ସୀମିତ ନୁହେଁ, ସେ ପରିସରରେ ସ୍ୱୟଂ ଈଶ୍ଵର, ଈଶ୍ୱର-ଭିତ୍ତିକ ଧର୍ମବ୍ୟବସ୍ଥା, ପୁରୁଷ-ପ୍ରଧାନ ଆଚରଣସଂହିତା ଅନ୍ତର୍ଭୁକ୍ତ । କାହାର ଅବିବେକୀପଣ ଯୋଗୁଁ ଜଣେ ବାମନ ହୁଏ, ସର୍କସ୍‌ରେ ବଫୁନ୍ ହୋଇ ସମସ୍ତଙ୍କୁ ହସାଇ ନିଜେ କାନ୍ଦୁଥାଏ ? ଈଶ୍ୱରଙ୍କର । ‘ଦେହ ଓ ଦେହୀ’ର ନାୟିକାକୁ ଟିକିଏ ବି ରୂପ ମିଳିଲା ନାହିଁ କାହାର ବିଧାନରେ ? ଈଶ୍ଵରଙ୍କର । ପୁଅଟିର ଜନ୍ମଦିନ ପାଳିବ ବୋଲି ନିଜର ସାଧ୍ୟମତେ ଆୟୋଜନ କରିଥିବା ଗରୀବ ମାଆଟି ପୁଅ ସହିତ ବଢ଼ିପାଣିରେ ଭାସିଗଲା କାହାର ଇଙ୍ଗିତରେ ? ଈଶ୍ଵରଙ୍କର-। ଲୋକମାନଙ୍କୁ ବିକଳାଙ୍ଗ କରନ୍ତି କିଏ, ଅକାଳରେ ପିଲାମାନଙ୍କୁ ନେଇଯାଆନ୍ତି କିଏ-? ଈଶ୍ଵର । ନିରୀହ ଲୋକଙ୍କୁ କିଏ କେତେ ଦଣ୍ଡିପାରିବ, ସେଥିପାଇଁ ପାରିବାର ମଣିଷ ଓ ଈଶ୍ଵରଙ୍କ ଭିତରେ ଚାଲିଥିବା ପ୍ରତିଯୋଗିତାରେ ଯେଉଁ ଜୀବନଗୁଡ଼ିକ ବଳିପଡ଼ନ୍ତି ସେମାନଙ୍କ ପାଇଁ ଅଚ୍ୟୁତାନନ୍ଦଙ୍କର ବ୍ୟଥାର ଅନ୍ତ ନାହିଁ । ସେ ଈଶ୍ୱରଙ୍କୁ ଅଭିଯୁକ୍ତ କରନ୍ତି, କିନ୍ତୁ ଅନ୍ୟମାନଙ୍କ ଜୀବନକୁ ବିଭୀଷିକାମୟ କରୁଥିବା ମଣିଷ-ସଇତାନ୍‌ଙ୍କ ବିରୁଦ୍ଧରେ ତାଙ୍କର ଅଭିଯୋଗ ତୀବ୍ରତର । ତାଙ୍କ ନିଜ ଭାଷାରେ, ଏହି ‘‘କରିତ୍‌କର୍ମା କୌଶଳକାର”ମାନେ ‘‘ମଣିଷହାତରେ ଭଗବାନ୍, ସତ୍ୟ, ଧର୍ମ, ନୀତି, ବିଚାର, ବିବେଚନା, ପୁଣ୍ୟ, ପବିତ୍ରତା ଇତ୍ୟାଦି ମଧୁ ମାରଣାସ୍ତ୍ରମାନ ଧରାଇଦେଇ ତାଙ୍କରି ଜାତି ମଣିଷକୁ ତାଙ୍କରି ହାତରେ ଶିକାର ବନାଇ, ନିଜ ଗାଦିରେ ନିଜକୁ ମଜବୁତ୍ କରି ଚଉକଷକରି ଆସିଛନ୍ତି, ବେଦମ୍ ଶୋଷି ଆସିଛନ୍ତି ।”

 

ଏ ଦୁର୍ଭାଗାମାନଙ୍କ ପାଇଁ ନିସ୍ତାରର ବାଟ ବନ୍ଦ, ନିଜର ଭାଗ୍ୟ ବଦଳାଇବାର ଚେଷ୍ଟା ନିରର୍ଥକ ଓ ବିପଦସଙ୍କୁଳ, ତଥାପି ସେମାନେ ବେଳେବେଳେ ସେପରି ଚେଷ୍ଟା କରନ୍ତି ଏବଂ ସେଥପାଇଁ ପ୍ରାଣ ଦେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ସେମାନଙ୍କୁ ଦିଶୁଥିବା ଭିନ୍ନ ଓ ସୁନ୍ଦର ଜଗତରେ ବସବାସ କରିବାର ସୌଭାଗ୍ୟ ସିନା ସେମାନଙ୍କର ନାହିଁ, କିନ୍ତୁ ସେ ଜଗତ ପ୍ରତି ଆସ୍ପୃହାରୁ ତାଙ୍କୁ ବଞ୍ଚିତ କରିବାର ଶକ୍ତି କାହାର ଅଛି ? ଅଶୁଭପୁତ୍ର ପେଚାଛୁଆ ସୂର୍ଯ୍ୟାଲୋକ ପାଇଁ ଆସ୍ପୃହା ତୁଳନାରେ ନିଜର ଜୀବନକୁ ତୁଚ୍ଛ ମଣିଛି (ଅଶୁଭପୁତ୍ରର କାହାଣୀ) । ନଗରନଟୀ ଶ୍ରୀଲେଖା ପାଇଁ ସୁଖସମ୍ଭୋଗପୂର୍ଣ୍ଣ ଜୀବନ ଅପେକ୍ଷା ସେ ଜୀବନକୁ ତ୍ୟାଗ କରିବାର ଆକର୍ଷଣ ପ୍ରବଳତର (ଶୁଭଙ୍କର) । ରାଜଜେମା ମୌନାବତୀ ତାର ବିଳାସରେ ପରିପୂର୍ଣ୍ଣ, କିନ୍ତୁ ଆବଦ୍ଧ ଜୀବନର ବାହାରକୁ ଗୋଡ଼ କାଢ଼ି ପରିପୂର୍ଣ୍ଣ ହୋଇଛି (ମୌନାବତୀର ମାନ), ମନର ମଣିଷକୁ ପାଇବାକୁ ମଖି ସାମାଜିକ କଟକଣାକୁ ଦୃପ୍ତ ଭାବେ ପ୍ରତ୍ୟାଖ୍ୟାନ କରିଛି (ଯୋଗୀଥାଳ) । ଏମାନେ ସଂସାର ଦୃଷ୍ଟିରେ ପରାଜିତ, କିନ୍ତୁ ଗ୍ରୀକ୍ ଦୁଃଖାନ୍ତନାଟକର ନାୟକମାନେ ବି ପରାଜିତ, ଆକ୍ଷରିକ ଅର୍ଥରେ ସେମାନେ ପରାଜିତ, କିନ୍ତୁ ଜିତିଥିବା ଲୋକଙ୍କ ବିଜୟ ତୁଳନାରେ ସେମାନଙ୍କର ପରାଜୟ ବହୁଗୁଣରେ ମହିମାନ୍ୱିତ, ସେମାନେ ଦେବତାମାନଙ୍କ ସମୀପବର୍ତ୍ତୀ ।

 

ଅଚ୍ୟୁତାନନ୍ଦଙ୍କର ଅନେକ ଚରିତ୍ର ସ୍ନେହ ନେଇ ପରିପୂର୍ଣ୍ଣ ହୁଅନ୍ତି । ଦୁର୍ଦ୍ଦାନ୍ତ ଅପରାଧୀ ୟାକୁବ୍ ନିଜର ଚକ୍ଷୁଦାନ କରିବାକୁ ନିଷ୍ପତ୍ତି ନେବା ପରେ ପରେ ଦେଖିଲା ଯେ ତାର ଅପରାଧର ଇତିବୃତ୍ତ ନିଶ୍ଚିହ୍ନ ହୋଇଯାଇଛି, ସେ ଆଉ ନରହନ୍ତା କି ଡକାୟତ ନ ହୋଇ ତାର ଚକ୍ଷୁଗ୍ରହୀତାଙ୍କର ଓ ସେମାନଙ୍କ ଆତ୍ମୀୟମାନଙ୍କର ଆନନ୍ଦ ପ୍ରତ୍ୟେକ ସ୍ନାୟୁରେ ଅନୁଭବ କରୁଛି (ୟାକୁବ୍‌ର ଆଖି); ମାଙ୍କଡ଼ନଚାଳି ବଦରନାଥ ମାଙ୍କଡ଼ ରାମଦାସକୁ ଯେତେ ସ୍ନେହ ଦେଇଛି ସେତେ ସ୍ନେହର ଲାଏକ୍ ମଣିଷଟିଏ ଜୀବନସାରା ଖୋଜିଖୋଜି ପାଇନଥିଲା (ରାମଦାସ); ବୁଢ଼ୀଟିଏ ଗୋଟିଏ ଗାଈକୁ ଝିଅ କରି ନିଜର ଅଚରିତାର୍ଥ ମାତୃତ୍ୱକୁ ଚରିତାର୍ଥ କରିବାକୁ ଚେଷ୍ଟା କରିଛି (କଇଁ) । ତାଙ୍କର ଘରଚଟିଆ, ଭାଲୁ, ବିଲେଇ ମଣିଷଙ୍କ ପରି, କେତେବେଳେ ମଣିଷଙ୍କଠୁଁ ସୁନ୍ଦର ଦିଶନ୍ତି । ମଣିଷମାନେ ଯଦି ତାର ସ୍ନେହ ନନେଲେ, ବିଚରା ସ୍ନେହୀ ଲୋକଟି କରେ କଣ ? ସ୍ନେହ ନଦେଇ ମରିଗଲେ ତାର ଜୀଇଁବା ବ୍ୟର୍ଥ ହୋଇଯିବ, ତେଣୁ ସେ ଖୋଜିଲୋଡ଼ି ସ୍ନେହଗ୍ରହୀତାଙ୍କ ପାଖକୁ ଯାଏ, ସେମାନେ ମଣିଷ ହୁଅନ୍ତୁ କି ପଶୁପକ୍ଷୀ ହୁଅନ୍ତୁ ।

 

ତାଙ୍କର ଚରିତ୍ରମାନଙ୍କ ଉପରେ ଅଚ୍ୟୁତାନନ୍ଦ ବହୁତ ସ୍ନେହ ଅଜାଡ଼ି ଦେଇଛନ୍ତି– ସବୁ ଚରିତ୍ରଙ୍କ ଉପରେ ନୁହେଁ, ଆଧୁନିକ ଜୀବନଚର୍ଯ୍ୟାରେ ପଛକୁ ପଡ଼ିଯାଇଥିବା, ମଣିଷପଣିଆକୁ ଜାବୁଡ଼ି ଧରିବାର ପରିଣାମ ଭୋଗୁଥିବା, ସ୍ନେହ ବାଣ୍ଟୁଥିବା, ରାଜତନ୍ତ୍ରଠାରୁ ଅଭିନ୍ନ ଆମର ଗଣତନ୍ତ୍ରରେ ଅବହେଳିତ ଓ ଅପମାନିତ ହୋଇଚାଲିଥିବା ଚରିତ୍ରମାନଙ୍କ ଉପରେ । ସେମାନଙ୍କ କଥା କହିଲାବେଳେ ବିଦ୍ରୋହର ଯେଉଁ ସ୍ୱର ଶୁଭେ, ତାହା ନିଜର ପ୍ରତିଷ୍ଠା ପାଇଁ ଉପଯୋଗ କରାଯାଉଥିବା ବିଦ୍ରୋହର ସ୍ୱର ନୁହେଁ, ତାହା ଆନ୍ତରିକ ପୀଡ଼ାର ଅକୃତ୍ରିମ ସ୍ୱର । ଯେଉଁମାନେ ପୀଡ଼ା ଭୋଗନ୍ତି ନାହିଁ, ବା ଟିକିଏ ଭୋଗିବା ପରେ ପୀଡ଼ାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ଅଚ୍ୟୁତାନନ୍ଦ ସେମାନଙ୍କଠାରୁ ଅଲଗା । ପୀଡ଼ାକୁ ସେ ଭୁଲିବାକୁ ଚାହାନ୍ତି ନାହିଁ, କାରଣ ଭୁଲିଗଲେ ସେ ଭଲପାଉଥିବା ଦୁଃଖୀ, ଅସହାୟ ମଣିଷଙ୍କଠାରୁ ଦୂରେଇଯିବେ, କରିତ୍‌କର୍ମା ଅମଣିଷମାନଙ୍କ ଗହଣରେ ରହିଯିବେ ।

 

ଏପରି ଜଣେ ସ୍ରଷ୍ଟାଙ୍କୁ ସମ୍ମାନ ଜ୍ଞାପନ କରିବାର ସୁଯୋଗ ପାଇଥିବାରୁ ମୁଁ କୃତାର୍ଥ । ମୋ ନିଜ ତରଫରୁ, ଆପଣମାନଙ୍କ ତରଫରୁ ମୁଁ ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କର ଦୀର୍ଘାୟୁ କାମନା କରୁଛି । ତାଙ୍କଠାରୁ ଆହୁରି ଅନେକ ଗଳ୍ପ ଆଶା କରୁଛି । ଶେଷରେ ତାଙ୍କ ସୃଷ୍ଟିର ଅସମର୍ଥ ଆକଳନ ପାଇଁ ଆପଣମାନଙ୍କଠାରେ ମୁଁ କ୍ଷମାପ୍ରାର୍ଥୀ, ତେବେ ମୁଁ ତ ତାଙ୍କର ସୃଷ୍ଟିର ମୂଲ୍ୟାୟନ କରିବାକୁ ଆସିନଥିଲି, (ସେ କାର୍ଯ୍ୟ ମୋର ସାଧ୍ୟାତୀତ) ଆସିଥିଲି ତାଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାକୁ, ସେତକ କରିପାରିଛି ଯେତେବେଳେ, ଏଠାରୁ ଫେରିଲାବେଳେ ସନ୍ତୁଷ୍ଟମନରେ ଫେରିବି ।

 

(୧୪ ମାର୍ଚ୍ଚ ୨୦୦୪ରେ ଯାଜପୁରରେ ଅନୁଷ୍ଠିତ ଅତିବଡ଼ୀ ସମ୍ମାନ ପ୍ରଦାନ ଉତ୍ସବରେ ପ୍ରଦତ୍ତ ଭାଷଣର ସଂପାଦିତ ରୂପ ।)

 

ଏ-୫୦, ଖାରବେଳନଗର, ଭୁବନେଶ୍ୱର

***

 

ସମନ୍ୱୟ ଓ ସହାବସ୍ଥାନର ପ୍ରତୀକ କମଗେଇଁ ଦେବୀଙ୍କ ବଏଲ ଯାତରା

ଡକ୍ଟର ଚିତ୍ରସେନ ପଶାୟତ

 

ଆଦିବାସୀ ଓ ଅବ୍ରାହ୍ମଣବହୁଳ ବରଗଡ଼ ଅଞ୍ଚଳରେ ଆବାହମାନ କାଳରୁ ଅଗଣିତ ଆଦିବାସୀ ଓ ଲୋକ ଦେବଦେବୀ ଲୋକରୀତି ଓ ପରମ୍ପରା ଅନୁଯାୟୀ ପୂଜା ପାଇଆସୁଛନ୍ତି । ତନ୍ମଧ୍ୟରୁ ଅଧିକାଂଶ ଆଦିବାସୀ ଓ ଲୋକପୀଠରେ ମୂର୍ତ୍ତିହୀନ ଦେବୀପୂଜା ପ୍ରାଧାନ୍ୟ ଲାଭ କରିଛି । କେଉଁଠି ପଥରକୁ ତ କେଉଁଠି ଡାଳଖଣ୍ଡିକୁ, କେଉଁଠି ବୃକ୍ଷମୂଳେ ତ କେଉଁଠି ପଥର ଗାତ୍ରରେ ସିନ୍ଦୂର ବୋଳି, ଫୁଲ, ଚାଉଳ ଅର୍ପଣ କରି ଆକୃତିଶୂନ୍ୟ ଦେବୀପୂଜା ପ୍ରଚଳିତ ଏବଂ ଏଠାରେ ଆଦିବାସୀ ଓ ଅବ୍ରାହ୍ମଣ ପୂଜକମାନେ ନିୟୋଜିତ ହୋଇ ଦେହୁରୀ, ଦିସାରୀ ନାମରେ ନାମିତ । ବଳିଦେବା ବା ଆମିଷ ଭୋଗ ଲାଗିବା, ମଦ ଅର୍ପଣ କରିବା ଓ କାଳିଶି ଲାଗିବା ଇତ୍ୟାଦି ଆଦିବାସୀ ଓ ଲୋକପୀଠରେ ଅଙ୍ଗୀକୃତ । କିନ୍ତୁ ଆଦିବାସୀ ଓ ଲୋକପୀଠର ଦେବତା କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଜାତି ମଧ୍ୟରେ ଆବଦ୍ଧ ହୋଇ ରହିନାହାନ୍ତି । ସାମ୍ପ୍ରଦାୟିକ ହିଂସାକାଣ୍ଡ ବା ରକ୍ତପାତର କାରଣ ହୋଇନାହାନ୍ତି । ଅମୁଦା ଓ ଅନାବୃତ ଦେବୀର ଆସ୍ଥାନ କାହା ପ୍ରତି ବାଛବିଚାର କରିନାହିଁ । ସବୁ ଜାତି ଓ ଉପଜାତିର ଲୋକଙ୍କୁ ଅନୁପ୍ରାଣୀତ କରିଛି । ସମସ୍ତଙ୍କ ପାଇଁ ସର୍ବଦା ତାର ଦ୍ଵାର ଖୋଲା । ମଣିଷର ଅଧିକାରକୁ ସଙ୍କୁଚିତ କଲା ଭଳି କୌଣସି କାର୍ଯ୍ୟ ସେ ଅବିଚାରିତ ଭାବେ କରି ନାହିଁ । ଅମ୍ଳାନ ହୃଦୟରେ ସେ ସବୁ ଜାତି ଓ ଉପଜାତିର ଲୋକଙ୍କୁ ଆବୋରି ନେଇ ସମନ୍ୱୟର ସେତୁ ପ୍ରତିଷ୍ଠା କରିଛି ଏବଂ ସହାବସ୍ଥାନର ପୃଷ୍ଠଭୂମିକୁ ସୁଦୃଢ଼ କରିଛି । ସମୟାନୁକ୍ରମେ ବ୍ରାହ୍ମଣମାନଙ୍କ ସଂସ୍ପର୍ଶରେ ଆସି କେତେକ ପୀଠରେ ଶାସ୍ତ୍ରାନୁମୋଦିତ ପୂଜା ପରମ୍ପରାର ପ୍ରଭାବ ଅନୁଭୂତ ହେବା ବିଷୟକୁ ଅସ୍ୱୀକାର କରିହେବ ନାହିଁ । ଏହି କ୍ରମରେ ସମନ୍ୱୟ ଓ ସହାବସ୍ଥାନର ପ୍ରତୀକ କମଗାଁର ଅଧିଷ୍ଠାତ୍ରୀ ଦେବୀ କମଗେଇଁ ହେଲେ ଅନ୍ୟତମ ।

 

ଯେକୌଣସି ସମାଜରେ ସ୍ୱାଭାବିକ ଭାବେ ବହୁ ଧର୍ମ, ବିଶ୍ୱାସ ଓ ସଂସ୍କୃତିର ଲୋକମାନେ ବାସ କରିବେ । ଆଦିବାସୀବହୁଳ ହେଲେ ବି ବରଗଡ଼ ଅଞ୍ଚଳରେ ବିଭିନ୍ନ ଜାତି ଓ ଉପଜାତି ସଦ୍‌ଭାବ ଓ ସଂପ୍ରୀତିର ସହିତ ଶତାବ୍ଦୀ ଶତାବ୍ଦୀ ଧରି ଏକତ୍ର ବସବାସ କରିଆସୁଛନ୍ତି । ଏହି ସଂପ୍ରୀତିକୁ କ୍ଷତି ପହଂଚାଇ ସାଧାରଣ ଲୋକଙ୍କୁ ବିଦ୍ୱେଷ ଓ ଅବିଶ୍ଵାସର ଘୂର୍ଣ୍ଣିରେ ପକାଇ ଅହରହ ଶଙ୍କାଗ୍ରସ୍ତ କରି ରଖିବା ଆଦିବାସୀ ଓ ଲୋକପରମ୍ପରାର ମୂଳ ଲକ୍ଷ୍ୟ କେବେ ବି ହୋଇ ନ ପାରେ । ଏକଦା ସମାଜରେ କୌଣସି ଲିଖିତ ଆଇନ ବା ସମ୍ବିଧାନ ନଥିଲା । ପ୍ରଥା ଓ ପରମ୍ପରା ନାମରେ ଅଗଣିତ ଅଲିଖିତ ଚଳଣି ଓ ଅଭ୍ୟାସ ସମାଜକୁ ନିୟନ୍ତ୍ରଣ କରୁଥିଲା । ସ୍ଵାଧୀନୋତ୍ତର କାଳରେ ଏହିପରି ଲୋକପରମ୍ପରା ପ୍ରତି ଆଇନର ଏହିସବୁ ପ୍ରଥା ଓ ପରମ୍ପରା ସେମାନଙ୍କ ଧର୍ମାନୁମୋଦିତ ବୋଲି ଦାବି କରିବାରୁ ସେମାନଙ୍କ ବିଶ୍ୱାସରେ ବାଧା ସୃଷ୍ଟି କରା ନ ଯାଇ ତାହା ଅଦ୍ୟାବଧି ଚଳିଆସୁଛି । ନବଗଠିତ ବରଗଡ଼ ଜିଲ୍ଲାର ଭଟଲି ଥାନା ଅନ୍ତର୍ଗତ କମଗାଁରେ ପାଳିତ ହେଉଥିବା ସେଠାରେ ଅଧିଷ୍ଠାତ୍ରୀ ଦେବୀ କମଗେଇଁଙ୍କ ବଏଲ ଯାତରା ସେହିପରି ଏକ ଲୋକପରମ୍ପରା ଯାହାକି ସାଂସ୍କୃତିକ ସମନ୍ୱୟ ଓ ସାମାଜିକ ସହାବସ୍ଥାନର ଏକ ଜ୍ୱଳନ୍ତ ପ୍ରତୀକ । ଦେବୀଙ୍କ ବଏଲ ଯାତରା ପ୍ରତିବର୍ଷ ଆଶ୍ୱିନ ଓ ଚୈତ୍ର ମାସରେ ଦୁଇଥର ଅନୁଷ୍ଠିତ ହୋଇଥାଏ । ଏହି ଲୋକପରମ୍ପରାର ଆରମ୍ଭ ସମୟ ସ୍ଥିର କରିବା ସହଜସାଧ୍ୟ ନୁହେଁ, କିନ୍ତୁ ଯେକୌଣସି କାଳରେ ଏହାର ସାମାଜିକ ପ୍ରାସଙ୍ଗିକତାକୁ ଉପଲବ୍ଧି କରିବା ନିଶ୍ଚିତ ଭାବେ ସବୁଠୁ ବେଶି ତାତ୍ପର୍ଯ୍ୟପୂର୍ଣ୍ଣ । କେବଳ କମଗାଁ ନୁହେଁ, ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ବିଭିନ୍ନ ଜାତି ଓ ଉପଜାତିର ଲୋକେ କମଗେଇଁଙ୍କ ବଏଲଯାତରା ମାଧ୍ୟମରେ ପରସ୍ପରର ନିକଟତର ହୋଇଥିବାର ସ୍ପଷ୍ଟ ସୂଚନା ମିଳେ । ବଏଲ ଯାତରାରେ ଏଠାରେ ବିଭିନ୍ନ ଜାତି ଓ ଉପଜାତିର ଲୋକେ ଆନ୍ତରିକ ସହଯୋଗ କରୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ । ସ୍ଥାନୀୟ ଆଦିବାସୀ ଓ ଅଣଆଦିବାସୀଙ୍କ ମନରେ ଆସ୍ଥା ଭରିଦେଇ ସାଂସ୍କୃତିକ ସମନ୍ୱୟର ସେତୁ ରୂପେ ପ୍ରତିଷ୍ଠିତ କମଗେଇଁ ଯାତରା ସାମାଜିକ ସହାବସ୍ଥାନ ପରି ଏକ ମହାନ୍ ଆଦର୍ଶକୁ ପ୍ରତିପାଦନ କରିଥାଏ ।

 

ଆଦିବାସୀମାନଙ୍କର ମୌଳିକ ଧର୍ମ ପରମ୍ପରାରେ ମୂର୍ତ୍ତିପୂଜା, ମନ୍ଦିର ଭିତରେ ଦେବତାଙ୍କ ଆସ୍ଥାନ, ପ୍ରତିଦିନ ପୂଜାବିଧାନରେ ନିୟମିତତା ରକ୍ଷା କରିବା ଇତ୍ୟାଦି ଅକଳ୍ପନୀୟ । ଜନଶ୍ରୁତିରୁ ଯାହା ଜଣାଯାଏ କମଗେଇଁ ଦେବୀ ସର୍ବପ୍ରଥମେ କମଗାଁ ନିକଟସ୍ଥ ବାରପାହାଡ଼ ଜଙ୍ଗଲର ପାଦଦେଶରେ ଏକ ବୃକ୍ଷ ମୂଳେ ପଥର ରୂପରେ ଆଦିବାସୀମାନଙ୍କ ଆରାଧନୀୟା ଥିଲେ । ସେତେବେଳେ କମଗାଁ ବୋଲି କୌଣସି ଜନବସତି ମଧ୍ୟ ନଥିଲା; କେବଳ ଛୋଟିଆ ଆଦିବାସୀ ବସ୍ତିଟିଏ ଥିଲା । ସ୍ଥାନୀୟ ଆଦିବାସୀଙ୍କ ଦ୍ଵାରା ଉପାସିତ ଦେବୀଙ୍କ ଆସ୍ଥାନ ନିକଟ ଦେଇ ପ୍ରତିଦିନ ବଡ଼ି ଭୋରରୁ ଆଖପାଖ ଗ୍ରାମର ଲୋକେ ଜଙ୍ଗଲକୁ କାଠ ହାଣିବା ପାଇଁ ଯାଉଥିଲେ । ଏକଦା ଦେବୀ ଗୋଟିଏ ବୁଢ଼ୀବେଶ ଧାରଣ କରି ନିଜ ଆସ୍ଥାନ ନିକଟରେ ବସିରହିଲେ । ସନ୍ଧ୍ୟା ସମୟକୁ ଜଣେ ଶଗଡ଼ିଆ ଫେରିବା ବେଳକୁ ଘୋର ବନାନୀ ମଧ୍ୟରେ ନିଛାଟିଆ ରାସ୍ତାକଡ଼ରେ ଏକାକୀ ବୁଢ଼ୀମଣିଷକୁ ବସି ରହିଥିବାର ଦେଖି “କେନଗାଁକେ ଯିବୁଲୋ ଆଈ” ବୋଲି ପଚାରିଲା । “କେନଗାଁକେ ଯିମିରେ ପୁତା, ଚାଲ ଯେଥେଧୂର ପାରୁଛୁ ନେଇଚାଲ” ଏହା କହି ଦେବୀ ଶଗଡ଼ରେ ଯାଇ ବସିପଡ଼ିଲେ । ଅନ୍ଧାରରେ ଯାଉ ଯାଉ ଅନତି ଦୂରରେ ଏକ ଜନବସତି ଦେଖାଦେଲା । ଶଗଡ଼ିଆ ମନେ ମନେ ବିଚାରିଲା କେନଗାଁକେ (କେଉଁ ଗାଁ)କୁ ଯିବୁ ବୋଲି ପଚାରିବାରୁ ବୁଢ଼ୀ ତ କିଛି ସଠିକ୍ ଉତ୍ତର ଦେଲା ନାହିଁ, ତାକୁ ଏତେ ରାତିରେ ନେଇ କେଉଁଠି ଛାଡ଼ିବି ? ଏମିତି ବିଚାରି ପଛକୁ ଅନେଇଲା ବେଳକୁ ବୁଢ଼ୀ ଆଉ ନାହିଁ । ଶଗଡ଼ିଆ ଟିକିଏ ଆଶ୍ଚର୍ଯ୍ୟ ହେଲା । ପୁଣି ଭାବିଲା, ବୁଢ଼ୀର ଘର ପାଖେଇ ଆସିଥିବାରୁ ହୁଏତ ସେ ଓହ୍ଲେଇ ଯାଇଛି । ତାପରେ ଶଗଡ଼ିଆ ନିଜ ଘରକୁ ଆସିଲା । ସେଦିନ ରାତିରେ ଦେବୀ ଶଗଡ଼ିଆକୁ ସ୍ୱପ୍ନରେ ଆସି କହିଲେ, ମୁଁ ତୋ ଶଗଡ଼ରେ ଆସି ତୋ ଗାଁମୁଣ୍ଡରେ ରହିଛି । ଏଣିକି ମୋତେ ପ୍ରତିଦିନ ନିୟମିତ ଉପାସନା କରିବୁ । ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖନୀୟ ଯେ, ଶାକ୍ତ ପରମ୍ପରାର ଅନ୍ୟତମ ପୀଠ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କୋଶଳା ଗ୍ରାମର ଖମ୍ବେଶ୍ଵରୀ ବା ମା’ ରାମଚଣ୍ଡୀଙ୍କ ପୀଠ ଓ ସତ୍ୟବାଦୀ ଅଞ୍ଚଳର ଅଳଗୁମ ଗ୍ରାମର ଜାଗୁଳେଈ ଦେବୀଙ୍କ ସହିତ ଉପରୋକ୍ତ କିମ୍ୱଦନ୍ତୀର ସାମାନ୍ୟ ପରିବର୍ତ୍ତିତ ରୂପ ଜଡ଼ିତ ।

 

ସମ୍ଭବତଃ ପରବର୍ତ୍ତୀ କାଳରେ କେନଗାଁରୁ ଏହି ଜନବସିତର ନାମକରଣ କମଗାଁକୁ ରୂପାନ୍ତରିତ ହୋଇଛି ଏବଂ ଦେବୀ ମଧ୍ୟ ସମୟାନୁକ୍ରମେ କମଗାଁର ଆଈବୁଢ଼ୀ କମଗାଇଁ ବା କମଗେଇଁ ବୁଢ଼ୀ ନାମରେ ପରିଚିତା ହୋଇଛନ୍ତି । କମଗାଁରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ବର୍ତ୍ତମାନର ଝାରଗୁଡ଼ି ନିକଟରେ ଦେବୀ ଓହ୍ଲେଇଥିଲେ ଓ ସେଠି ଦେବୀଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରାଯାଇ ତାଙ୍କୁ ସେଠାରେ ନିୟମିତ ପୂଜା କରାଯାଇ ଆସୁଛି ବୋଲି ଲୋକମୁଖରୁ ଶୁଣାଯାଏ । ମୂର୍ତ୍ତିପୂଜା ଆଦିବାସୀମାନଙ୍କର ମୌଳିକ ଧର୍ମ ପରମ୍ପରା ନୁହେଁ କି ମନ୍ଦିର ଗଢ଼ିବା ମଧ୍ୟ ସେମାନଙ୍କ ଧର୍ମାଚରଣ ଭିତରେ ଗଣ୍ୟ ନୁହେଁ । ତଥାପି ଅଣଆଦିବାସୀ ପରମ୍ପରାର ସଂସ୍ପର୍ଶରେ ଆସି କମଗେଇଁ ଦେବୀଙ୍କ ପାଇଁ ମନ୍ଦିରଟିଏ ଗଢ଼ିବା ଦ୍ଵାରା ଅନ୍ୟ କାହାର ଅସୁବିଧା ହୋଇନାହିଁ କି ଅପରାଧ ବୋଲି ଗଣାଯାଇ ନାହିଁ । ପ୍ରକାଶ ଥାଉକି କମଗେଇଁଙ୍କ ପୂଜକ ଆଦିବାସୀ ‘ଭଏନା’ ସମ୍ପ୍ରଦାୟର । ଯଦିଓ ଭଏନାମାନଙ୍କୁ ଆଦିବାସୀ ବୋଲି ସରକାରୀ ସ୍ତରରେ ଓଡ଼ିଶା ମାନ୍ୟତା ପ୍ରଦାନ କରିନାହିଁ, ତଥାପି ପଡ଼ୋଶୀ ରାଜ୍ୟ ଛତ୍ତିଶଗଡ଼ରେ ସରକାର ସେମାନଙ୍କୁ ଆଦିବାସୀର ଦର୍ଜା ଦେଇଛନ୍ତି । ସମୟାନୁକ୍ରମେ କମଗାଁକୁ ମୁଖ୍ୟତଃ କୁଇଲତା ଜାତିର ଅଣଆଦିବାସୀ ଲୋକେ ଆସି ବସବାସ କଲେ ଏବଂ କମଗେଇଁ ଦେବୀଙ୍କ ପୂଜାର୍ଚ୍ଚନା ମଧ୍ୟ କଲେ-। ସମ୍ଭବତଃ କମଗାଁରେ କୁଲିତା ଜାତିର ଲୋକମାନେ ଆସି ବସବାସ କରିବାର ବହୁ ପୂର୍ବରୁ ସ୍ଥାନୀୟ ମୂଳ ଅଧିବାସୀ ଆଦିବାସୀମାନଙ୍କ ଦ୍ଵାରା କମଗେଇଁ ଦେବୀଙ୍କ ପୂଜା ଓ ଯାତରା ପାଳନ କରାଯାଉଥିଲା । ଏହି ଦୃଷ୍ଟିରୁ କମଗେଇଁ ଯାତରା ଏକ ମିଶ୍ରିତ ପରମ୍ପରା ବା ଆଦିବାସୀ ଓ ଅଣଆଦିବାସୀ ପରମ୍ପରାର ଏକ ସମନ୍ୱୟାତ୍ମକ ରୂପ ଅଟେ ଏବଂ ଏହି ଧର୍ମୀୟ ସମନ୍ୱୟ ପରବର୍ତ୍ତୀ ସଂଯୋଗ ବୋଲି କୁହାଯାଇପାରେ ।

 

ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖନୀୟ ଯେ, ରାମଚଣ୍ଡୀ ହେଉଛନ୍ତି କୁଲିତା ଜାତିର ଇଷ୍ଟଦେବୀ । ବିଭିନ୍ନ ପୁରାଣରେ ମଧ୍ୟ ରାମଚଣ୍ଡୀ ଦେବୀଙ୍କ ବିଷୟ ଉଲ୍ଲେଖ ଥିବାର ଜଣାଯାଏ । କମଗାଁରେ ଯେଉଁ ରାମଚଣ୍ଡୀ ମନ୍ଦିର ପରିଦୃଷ୍ଟ ହୁଏ ତାହା ସମ୍ଭବତଃ କମଗେଇଁ ଦେବୀଙ୍କ ଆଗମନର ପରବର୍ତ୍ତୀ ଅଧ୍ୟାୟ । ନିୟମିତ ଭାବେ ନିର୍ଦ୍ଦିଷ୍ଟ ରୀତି ନୀତି ଅନୁଯାୟୀ କମଗେଇଁ ଓ ରାମଚଣ୍ଡୀଙ୍କ ପୂଜା ଆରାଧନା ସ୍ଵତନ୍ତ୍ର ଭାବେ ସେମାନଙ୍କ ନିଜ ନିଜ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଆଶ୍ଵିନ ମାସରେ କମଗେଇଁ ଦେବୀଙ୍କ ଯାତ୍ରା ସମୟରେ ଉଭୟ ଦେବୀଙ୍କ ପାଖେ ହେଉଥିବା ପୂଜାର୍ଚ୍ଚନାରୁ ମନେହୁଏ ଯେମିତି ଉଭୟଙ୍କ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଛି । ଆଶ୍ୱିନ ଅମାବାସ୍ୟା ବା ମହାଳୟା ଦିନ ସମସ୍ତ ଗ୍ରାମବାସୀ ତଥା ଆଖପାଖର ଲୋକେ ମିଶି ପ୍ରଥମେ ‘ମଙ୍ଗଲଖାନି’ ନାମରେ ବନଦୁର୍ଗା ପୋଖରୀ ଘାଟରୁ କଳସ ମାଧ୍ୟମରେ ଜଳ ଦୁର୍ଗା ଏବଂ ମହାଲକ୍ଷ୍ମୀଙ୍କ ପ୍ରତୀକ ଅଷ୍ଟରତ୍ନ ଭାବେ ବାଲି ପ୍ରଭୃତି ଆଣି ଅଷ୍ଟଦୁର୍ଗାଙ୍କୁ ଆମନ୍ତ୍ରଣ କରିଥାଆନ୍ତି । ଏଥିରୁ ମଙ୍ଗଲଖାନି ହେଉଛି ବିଶେଷ ଆକର୍ଷଣୀୟ ତଥା କୌତୂହଳପ୍ରଦ ।

 

ମଙ୍ଗଲିଖାନିରେ ସାଧାରଣତଃ ବିଭିନ୍ନ ପ୍ରକାର ବୃକ୍ଷର ଡାଲ, ଗୁଲ୍ମ ଲତା ଆଦିର ଏକ ମନୋରମ ସମାବେଶ ଦେଖିବାକୁ ମିଳେ । ମଙ୍ଗଲଖାନିରେ ଭାଗ ନେବାପାଇଁ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସୁକତା ପରିଲକ୍ଷିତ ହୋଇଥାଏ । ସମସ୍ତଙ୍କର ଇଚ୍ଛା ଯେ, ସେମାନେ ଆଣିଥିବା ବୃକ୍ଷଡାଳ ବା ଲତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁ ତଥା ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇ ରହୁ । କେବଳ ସେତିକି ନୁହେଁ, ମାଙ୍କଡ଼, ବିଲୁଆ, ବିଭିନ୍ନ ପ୍ରକାର ପକ୍ଷୀଗୁଡ଼ିକର ପିତୁଳାମାନ ମଧ୍ୟ ମଝିରେ ମଝିରେ ଖଞ୍ଜି ଏକ କୃତ୍ରିମ ଜଙ୍ଗଲର ଧାରଣା ସୃଷ୍ଟି କରାଯାଇଥାଏ । ମନେହୁଏ ମୂଳତଃ ଜଙ୍ଗଲରେ ବାସ କରୁଥିବା ତଥା ଜଙ୍ଗଲ ଉପରେ ନିର୍ଭର କରି ଆସିଥିବା ଏଠାରେ ଆଦିବାସୀ ଓ ଦେବତା ଉଭୟଙ୍କ ପାଇଁ ଏହି ଅବସରରେ ଜଙ୍ଗଲ ସୃଷ୍ଟିର ପରମ୍ପରା ରକ୍ଷା କରାଯାଇଥାଏ । ଅନ୍ୟ ଅର୍ଥରେ ସମାଜ ପାଇଁ ଜଙ୍ଗଲର ଉପାଦେୟତା ତଥା ଗୁରୁତ୍ୱକୁ ସେମାନେ ବେଶ୍ ଉପଲବ୍ଧି କରିପାରିଥିଲେ ବୋଲି ଜଣାଯାଏ । ଏହି ଅଞ୍ଚଳରେ ପ୍ରଚଳିତ ଭାଇଜିତିଆଁ, ଡାଲଖାଇ, କରମା ପ୍ରଭୃତି ପର୍ବପର୍ବାଣିରେ ମଧ୍ୟ ମଣିଷ ସମାଜ ପାଇଁ ଜଂଗଲ କେତେ ଆବଶ୍ୟକ ଓ ଅପରିହାର୍ଯ୍ୟ, ତାର ପରିଚୟ ମିଳିଥାଏ ।

 

ରାମଚଣ୍ଡୀଙ୍କ ମନ୍ଦିରରେ ପ୍ରତିଦିନ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ଜନୈକ ନୈଷ୍ଠିକ ବ୍ରାହ୍ମଣ ଦ୍ଵାରା ଚଣ୍ଡୀପାଠ କରାଯାଇ ହୋମ ହୋଇଥାଏ । ଅଷ୍ଟମୀ ଦିନ ରାତିରେ ମଧ୍ୟ ମନ୍ଦିର ଭିତରେ ହୋମ ଚାଲିଥାଏ । ଏହି ସମୟରେ ଅନ୍ୟପଟେ କାମଗେଇଁ ଦେବୀଙ୍କ ବରୁଆ ଗାଁ ମଝିରେ ଥିବା ଛତର ଗୁଡ଼ି (ମନ୍ଦିର/ଦେଉଳ)ରୁ ଖଣ୍ଡାଧରି ବାହାରେ ଓ ଛତର ତାକୁ ଅନୁସରଣ କରି ରାମଚଣ୍ଡୀ ଗୁଡ଼ି ସମ୍ମୁଖକୁ ଆସିଥାଏ । ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖନୀୟ ଯେ, ଛତର ହେଉଛନ୍ତି ବାଉତୀ ଦେବୀଙ୍କ ପ୍ରତୀକ । ଛତର ମାତ୍ରକେ ନିର୍ଦ୍ଦିଷ୍ଟ ଦେବୀଙ୍କ ଦେହରକ୍ଷୀ ବା ପାର୍ଶ୍ୱଚର କାର୍ଯ୍ୟ ନିର୍ବାହ କରିଥାଏ । ଲୋକବିଶ୍ୱାସ ଅନୁଯାୟୀ ଛତର ବା ବାଉତୀ ଦେବୀ ଭାରି ପ୍ରତ୍ୟକ୍ଷ ଓ କ୍ଷଣକୋପା । ତେଣୁ ତାଙ୍କ ପ୍ରତି ଲୋକଙ୍କର ବିଶେଷ ଭୟ ଓ ଭକ୍ତି ରହିଥାଏ । ପକ୍ଷାନ୍ତରରେ ବାଉତୀଙ୍କ ଛତ୍ରଛାୟା ତଳେ ରହି ମୁଖ୍ୟ ଦେବୀ ଯାତ୍ରା ସମୟରେ ଗ୍ରାମ ଭ୍ରମଣ ତଥା ପରିଭ୍ରମଣ କରିଥାଆନ୍ତି-। ନିଶାର୍ଦ୍ଧରେ ମନ୍ଦିର ସମ୍ମୁଖରେ ବଳି ପଡ଼େ ଏବଂ ବୋଦାର ମୁଣ୍ଡକୁ ଆଣି ମନ୍ଦିର ଭିତରେ ଚାଲିଥିବା ହୋମକୁଣ୍ଡରେ ନିକ୍ଷେପ କରାଯାଇ ପୂର୍ଣ୍ଣାହୁତି ଦିଆଯାଏ । ତାପରେ କମଗେଇଁ ଦେବୀଙ୍କ ବରୁଆ ଝାରିଗୁଡ଼ିକୁ ଯାଏ ଓ ସେଠାରେ ବରୁଆ ମାଡ଼େ । ଏହି ଦୃଶ୍ୟ ଦେଖିବା ପାଇଁ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥାଏ ।

 

ପୂର୍ଣ୍ଣମୀ ଦିନ ହେଉଥିବା ସରସତିଆ ଭୋଗ କମଗେଇଁ ଯାତ୍ରା ପରିସମାପ୍ତିର ସୂଚନା ଦିଏ । ସରସତିଆ ହେଉଛି ଏକପ୍ରକାର ପିଠା (ritual cake) । ଗଞ୍ଜେର ଡାଲର ଲାଳ ଓ ଅରୁଆ ଚାଉଳ ଚୁନାରେ ନିର୍ମିତ ଏହି ପିଠା ରାମଚଣ୍ଡିଙ୍କ ମୁଖ୍ୟ ପୂଜକ ଭୁଏ ପଧାନ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏଠାରେ ସୂଚନାଯୋଗ୍ୟ ଯେ, କୁଲିତା ଜାତିର ମୁଖ୍ୟକୁ ଭୁଏ ପଧାନ କୁହାଯାଏ । ଏତଦ୍‌ବ୍ୟତୀତ ଆଖପାଖ ଗ୍ରାମର କୁଲିତା ଲୋକେ ମଧ୍ୟ ସରସତିଆ ପ୍ରସ୍ତୁତ କରି ଦେବୀଙ୍କ ପାଖେ ଅର୍ପଣ କରିଥାନ୍ତି । ନିୟମାନୁଯାୟୀ ସରସତିଆ ଆଣିଥିବା ପ୍ରତ୍ୟେକ କୁଲିତା ସରସତିଆ ଭୋଗ ପାଇଥାନ୍ତି । ଏହି ଭୋଗ ପରେ ଭୁଏ ପ୍ରଧାନଙ୍କ ତରଫରୁ ଗୋଟିଏ ବୋଦା ବଳି ପଡ଼େ । ପ୍ରକାଶଥାଉ କି, ଚୈତ୍ର ମାସରେ ହେଉଥିବା କମଗେଇଁ ଦେବୀଙ୍କ ବଏଲ ଯାତରାରେ ମଧ୍ୟ ଏହି ନିୟମ ସବୁ ଅନୁସରଣ ହୋଇଥାଏ । କିନ୍ତୁ ସେହି ସମୟରେ ସରସତିଆ ବଦଳରେ ଆମ୍ୱ, ଚାର, ମହୁଲ ଇତ୍ୟାଦି ଭୋଗ ଦେବୀଙ୍କୁ ଅର୍ପଣ କରାଯାଇଥାଏ । ପୁନଶ୍ଚ ଆଶ୍ୱିନମାସ ପୂର୍ଣ୍ଣିମା ଓ ଚୈତ୍ରମାସ ପୂର୍ଣ୍ଣିମା ଦିନ ଭୁଏ ପଧାନଙ୍କ ଦ୍ଵାରା ଆରିଷା, କାକରା, ଜାଉ, ତିଖରି, ନଡ଼ିଆ, ଲିଆଯୁଗାଡ଼, ପଞ୍ଚାମୃତ ଏବଂ ବୋଦା ଏହିପରି ଆଠ କିସମର ଭୋଗ ଦେବୀଙ୍କୁ ଅର୍ପଣ କରାଯାଇଥାଏ ।

 

କମଗେଇଁ ଓ ରାମଚଣ୍ଡୀଙ୍କ ଷୋଳପୂଜାର ପରିସମାପ୍ତି ଘଟେ ବଏଲ ଯାତରାରେ । ପୂର୍ଣ୍ଣମୀ ସନ୍ଧ୍ୟାରୁ ଝାରଗୁଡ଼ିରେ ଜନସମାଗମ ଆରମ୍ଭ ହୋଇଯାଏ । ସନ୍ଧ୍ୟା ସମୟ ଅତିକ୍ରାନ୍ତ ହୋଇଯିବା ପରେ ଗାଁ ମଝିରେ ଥିବା ଛତରଗୁଡ଼ିରୁ ଛତର ସହିତ କମଗେଇଁଙ୍କ ବରୁଆ ଖଣ୍ଡାଟିଏ ଧରି ଜନସମାବେଶରେ ଝାରଗୁଡ଼ି ଅଭିମୁଖେ ଯାତ୍ରା କରେ । ଛତର ଯିବା ସମୟର ପ୍ରମୁଖ ଆକର୍ଷଣ ହେଲା ଏକ ବିରାଟ ଲିଆ ଯୁଗାଡ଼ । ପୂର୍ବେ ଏହି ଲିଆ ଯୁଗାଡ଼ଟି ଏତେ ବଡ଼ ହେଉଥିଲା ଯେ, ପ୍ରାୟ ସାତ, ଆଠଜଣ ଲୋକ ବାଉଁଶର ଏକ ବଡ଼ ତଲେଇରେ ଏହାକୁ ବୋହି ନେଉଥିଲେ ବୋଲି ଶୁଣାଯାଏ । ସମୟାନୁକ୍ରମେ ମଣିଷର ସଂକ୍ଷିପ୍ତ ମନୋଭାବ ଯୋଗୁଁ ଲିଆ ଯୁଗାଡ଼ର ଆକାର ମଧ୍ୟ କ୍ଷୁଦ୍ର ହୋଇଯାଇଥିବା ପରି ମନେହୁଏ । ସେ ଯାହାହେଉ, କମଗେଇଁଙ୍କ ବରୁଆ ଛତର ଦହିତ ଝାରଗୁଡ଼ିକୁ ନିଶାର୍ଦ୍ଧରେ ପହଂଚିଲା ବେଳକୁ ସ୍ଥାନଟି ଲୋକାରଣ୍ୟ ହୋଇଯାଇଥାଏ ।

 

ବରୁଆ ଓ ଛତର ଗୁଡ଼ି ଭିତରକୁ ପ୍ରବେଶ କରିବା ପରେ ବରୁଆ କମଗେଇଁଙ୍କ ଆସ୍ଥାନ ସମ୍ମୁଖରେ ଯୋଡ଼ହସ୍ତ ହୋଇ ଦେବୀଙ୍କୁ ତାଙ୍କ ଶରୀର ମଧ୍ୟକୁ ପ୍ରବେଶ କରିବା ପାଇଁ ପ୍ରାର୍ଥନା କରେ । ଏଥିପାଇଁ କିଛି ସମୟ ଲାଗେ ଏବଂ ଏହି ସମୟରେ ଢୋଲ, ନିଶାନ, ମହୁରୀ ପ୍ରଭୃତି ବାଦ୍ୟରେ ଅବିଶ୍ରାନ୍ତ ଭାବେ ‘ଭରନିପାର’ ବାଜୁଥାଏ । ଅତି ସାଧାରଣ ଭାଷାରେ ଭରନିପାର ହେଉଛି ଉକ୍ତ ବାଦ୍ୟଯନ୍ତ୍ର ଗୁଡ଼ିକର ଏକ ସମ୍ମିଳିତ ଘୋଷ ଯାହା ବରୁଆ ଭରିବା ପାଇଁ ଅର୍ଥାତ୍ ଦେବୀ ବରୁଆ ଦେହରେ ଅବତରିବା ପାଇଁ ଉନ୍ମାଦନା ସୃଷ୍ଟି କରିଥାଏ । ଦେବଦେବୀ ନୃତ୍ୟ ବା ଶାକ୍ତ ନୃତ୍ୟରେ ଯେଉଁ ଷୋହଳଖାଡ଼ି ଶାକ୍ତବାଦ୍ୟ ଅନୁସୃତ ହୋଇଥାଏ, ତାର ପ୍ରଥମ ପର୍ଯ୍ୟାୟ ବା ପାର ହେଲା ‘ଭରନିପାର’ । ପ୍ରସଙ୍ଗ କ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ସ୍ଥାନୀୟ ଭାଷାରେ ଭରନି, ରାସନୀ, ମଞ୍ଚମରା, ଭେଲକି, ଆବାହନ, ବେଜିଭରା, ଅଙ୍ଗଖେଳା, ଉର୍ଦ୍ଦଣ୍ଡ, ଶିଖାବନ୍ଧା, ଅଭିଷେକ, ରସାବେଶ, ଦେବତାଚଢ଼ା, ଉଭା, ଚକରମରା/କେରକେଲି, ଭରଘେନ ଓ ଛଡ଼େନ ନାମରେ ପରିଚିତ ଏହି ଷୋହଳ ପ୍ରକାର ବାଦ୍ୟର ଅନୁକୂଳ ଭରନିଠାରୁ ହେଉଥିବାରୁ ସମସ୍ତ ବାଦ୍ୟ ବ୍ୟବସ୍ଥାକୁ ‘ଷୁଲହପାର ଭରନି’ ବୋଲି ମଧ୍ୟ କୁହାଯାଇଥାଏ ।

 

ଏହି ବାଦ୍ୟର ପ୍ରଭାବରେ ବରୁଆର (ଏଠାରେ ସୁବିଧା ଦୃଷ୍ଟିରୁ ଦେହେରୀ, ଦେହୁରୀ, ଦିଆରୀ, ଦେହେଲିଆ, ଭରୁଆ, ବଳି, କଳାସୀ ଇତ୍ୟାଦି) ଚେତନା ଅନ୍ତର୍ମୁଖୀ ହେବା ସଙ୍ଗେ ସଙ୍ଗେ ସର୍ବାଙ୍ଗର ଶିରାପ୍ରଶିରା ସତେଜ ହୋଇଉଠେ । କେଶରାଶି ମଧ୍ୟ ହଲିବା ଆରମ୍ଭ କରେ । କ୍ରମଶଃ ବରୁଆ ବାହ୍ୟ ଜଗତର ସମସ୍ତ ଚିନ୍ତାରୁ ବିସ୍ମୃତ ହୋଇଯାଏ । ବରୁଆ ଦେହରେ ଦେବୀ ପ୍ରବେଶ କଲା ପରେ ବରୁଆ ଉନ୍ମତ୍ତ ହୋଇ ନାଚିବାର ଦେଖାଯାଏ । ସେତେବେଳେ ବରୁଆକୁ ଆୟତ୍ତ କରି ରଖିବା ପାଇଁ ଦୁଇ, ତିନିଜଣ ବଳିଷ୍ଠ ଲୋକଙ୍କର ସହାୟତା ନେବାକୁ ପଡ଼ିଥାଏ ଏବଂ କାଳବିଳମ୍ୱ ନ କରି ମନ୍ଦିର ଭିତରୁ ବରୁଆକୁ ବାହାରକୁ ଅଣାଯାଏ । ମନ୍ଦିର ବାହାରେ ମାନସିକ କରିଥିବା ଶତାଧିକ ଭକ୍ତ ଆପଣା ଆପଣାର ବଳିବଧ୍ୟ ପଶୁ (ଛେଳି, ମେଣ୍ଢା ଇତ୍ୟାଦି) ଆଣି ଅପେକ୍ଷା କରି ରହିଥାନ୍ତି । ଚାହୁଁ ଚାହୁଁ ଅସଂଖ୍ୟ ପଶୁଙ୍କ ମୁଣ୍ଡକାଟ ହୋଇ ବରୁଆର ମୁହଁ ପାଖେ ଟେକି ଦିଆଯାଏ ଏବଂ ବରୁଆ ଦ୍ୱାରା ସଦ୍ୟ ରକ୍ତ ପିଇଯାଉଥିବାର ବିଭତ୍ସ ଦୃଶ୍ୟ କେତେଜଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥିବା ବେଳେ ଆଉ କେତେଜଣଙ୍କୁ ମର୍ମାହତ ମଧ୍ୟ କରିଥାଏ । ବଳି ଦେବା ପ୍ରକ୍ରିୟା ପରେ ଅନେକ ଆଶା ବାନ୍ଧି ଅପେକ୍ଷାରତ ରୋଗୀ, ଦୁଃଖୀ ଓ ବନ୍ଧ୍ୟା ସ୍ତ୍ରୀଲୋକମାନଙ୍କୁ ଦେବୀ ଯାହା ଉପଦେଶ ତଥା ଉପଚାର କହିବା କଥା କୁହନ୍ତି ଓ ଦ୍ରୁତ ଗତିରେ ଗାଁ ଅଭିମୁଖେ ପ୍ରସ୍ଥାନ କରନ୍ତି । ସହସ୍ରାଧିକ ସଂଖ୍ୟାରେ ଆବାଳ ବୃଦ୍ଧବନିତା ଏହି ଯାତ୍ରାରେ ସାମିଲ ହୋଇ ବୁଢ଼ୀ କମଗେଇଁକି ଜୟ ଧ୍ୱନିରେ ଦେବୀ (ବରୁଆ)ଙ୍କୁ ଅନୁସରଣ କରିବାର ଦେଖାଯାଏ ।

 

ରାମଚଣ୍ଡୀଗୁଡ଼ି ପାଖରେ ଭୁଏ ପଧାନ ପ୍ରଥମେ ଦେବୀ (ବରୁଆ)ଙ୍କୁ ସାକ୍ଷାତ କରନ୍ତି । ତାପରେ ଦେବୀ (ବରୁଆ) ରାମଚଣ୍ଡୀଙ୍କୁ ସାକ୍ଷାତ କରିବା ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାଆନ୍ତି । କମଗେଇଁ ଦେବୀ (ବରୁଆ) ଓ ରାମଚଣ୍ଡୀଙ୍କ ମଧ୍ୟରେ ହେଉଥିବା ଏହି ସାକ୍ଷାତ ଅତି ଗୋପନୀୟ; କାରଣ ରାମଚଣ୍ଡୀଙ୍କ ମନ୍ଦିର ଭିତରକୁ (ଦେବୀ (ବରୁଆ)ଙ୍କ ବ୍ୟତୀତ ଆଉ କେହି ପ୍ରବେଶ କରନ୍ତି ନାହିଁ । ବରୁଆ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ, ବାହାର ପଟୁ ଦ୍ଵାର ବନ୍ଦ କରିଦିଆଯାଏ । ଏହି ରୀତିକୁ “ମଏତର ଭେଟ” ବୋଲି କୁହାଯାଏ । କମଗେଇଁ ଦେବୀ (ବରୁଆ) ରାମଚଣ୍ଡୀଙ୍କ ସହିତ ସାକ୍ଷାତ କରିବା ପରେ ଭୁଏ ପଧାନଙ୍କ ଘରକୁ ଯାଇ ସେଠାରେ ପୂଜା ଆରାଧନା ଓ ବଳି ପାଇବା ପରେ ସେମାନଙ୍କ ହାରୀ ଗୁହାରି ଶୁଣି ଗାଁର ଗଉଁତିଆଙ୍କ ଘରକୁ ଯାଆନ୍ତି । ତାପରେ ଗ୍ରାମ ପରିକ୍ରମା କରି ଝାରଗୁଡ଼ି ନିକଟସ୍ଥ ଖଣ୍ଡାଧୁଆ ବନ୍ଧକୁ ଆସିଥାଆନ୍ତି । ସେଠାରେ କମଗେଇଁ ଦେବୀ ବରୁଆ ଦେହକୁ ତ୍ୟାଗ କରି ଅନ୍ତର୍ଦ୍ଧାନ ହେବା ପରେ ବରୁଆ ଅଚେତ ହୋଇ ପଡ଼ିଯାଏ । କିଛି ସମୟ ପରେ ବରୁଆ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବାର ଦେଖାଯାଏ ।

 

‘ମଏତର ଭେଟ’ ଦୁଇଟି ଭିନ୍ନ ସଂସ୍କୃତି ମଧ୍ୟରେ ସମନ୍ୱୟ ଘଟିବାର ଜ୍ଵଳନ୍ତ ଉଦାହରଣ ବୋଲି କୁହାଯାଇପାରେ । ପ୍ରକାଶଥାଉ କି ମାନବଗୋଷ୍ଠୀର ଶାନ୍ତିପୂର୍ଣ୍ଣ ସମ୍ପର୍କ ଓ ସହଯୋଗ ବା ସହାବସ୍ଥାନ ହେଉଛି ସମାଜ । କମଗାଁର ମୂଳ ଅଧିବାସୀ ହେଲେ ଆଦିବାସୀ । ସେମାନଙ୍କ ସହିତ ବହିରାଗତ ଅଣଆଦିବାସୀ କୁଲିତାମାନଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମିତ୍ତ ସାଂସ୍କୃତିକ ସମନ୍ୱୟର ଭୂମିକା ଅତି ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ସାଂସ୍କୃତିକ ସ୍ତରରେ ସମ୍ପର୍କ ତଥା ଦେବତାଙ୍କ ସ୍ତରରେ ‘ମଏତର ଭେଟ’ ତତ୍‌କାଳୀନ ସମାଜରେ ମାନବ ସ୍ତରରେ ଗୋଷ୍ଠୀ ବିବାଦକୁ ପ୍ରଶମିତ କରିବା ନିମନ୍ତେ ଏକ ସୁଚିନ୍ତିତ ମାଧ୍ୟମ ଥିଲା । କୁଲିତାମାନେ ଏକ କୃଷକ ଗୋଷ୍ଠୀ । ସମ୍ଭବତଃ ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମକୁ ଆସିବା ପରେ କୁଲିତାମାନେ ନିଜର ଉନ୍ନତ କୃଷିକଳା ଯୋଗୁଁ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ଜଙ୍ଗଲ ତଥା ପ୍ରକୃତି ଉପରେ ନିର୍ଭରଶୀଳ ଆଦିବାସୀ ନିଜ ଭିଟାମାଟିରେ ବହିରାଗତ ଅଣଆଦିବାସୀର ଉପସ୍ଥିତି ଓ ପ୍ରତିଷ୍ଠାକୁ ଦେଖି ଚିନ୍ତିତ ହୋଇଥାଇପାରନ୍ତି; ଗୋଷ୍ଠୀ ବିବାଦ ମଧ୍ୟ ହୋଇଥାଇପାରେ । ସେମାନଙ୍କ ସମକକ୍ଷ ହେବା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ପରବର୍ତ୍ତୀ ପର୍ଯ୍ୟାୟରେ କୃଷିକର୍ମକୁ ଆଦରି ନେଇଥାଇପାରେ; ପ୍ରଗତି ପାଇଁ ନିଷ୍ଠା ଓ ଆନ୍ତରିକତା ଥିଲେ ବି ବୋଧହୁଏ ପ୍ରତିଷ୍ଠିତ ହୋଇପାରି ନାହିଁ । ସମୟ ଚକ୍ରରେ ପେଷି ହୋଇ ଏ କ୍ଷେତ୍ରରେ ଦୁର୍ବଳ ମାନସିକତା ଓ ଦୁର୍ବଳ ନେତୃତ୍ୱ ଯୋଗୁଁ ସେମାନେ ପଛୁଆ ହୋଇ ରହିଯାଇଛନ୍ତି ଏବଂ କୁଳିତାମାନଙ୍କ ବଶତା ସ୍ୱୀକାର କରି କୃଷିକର୍ମରେ ସହାୟକସିଦ୍ଧ ହୋଇଛନ୍ତି । ପୁନଶ୍ଚ ଆଦିବାସୀଙ୍କ subordinate status ମଏତର ଭେଟ ପରମ୍ପରାରୁ ମଧ୍ୟ ସ୍ପଷ୍ଟ ଜଣାଯାଏ । କମଗେଇଁ ଦେବୀ (ଆଦିବାସୀଙ୍କ ଦେବୀ) ଲୋକଙ୍କ ଗୁହାରି ଶୁଣିବା ପରେ ରାମଚଣ୍ଡୀ ଦେବୀ (କୁଲିତା ଜାତିର ଦେବୀ)ଙ୍କ ସହିତ ଗୁପ୍ତ ମନ୍ତ୍ରଣା ପାଇଁ ଆସିବା ତଥା ରାସ୍ତାରେ ଭୁଏ ପ୍ରଧାନ (କୁଲିତା ଜାତିର ମୁଖିଆ)ଙ୍କ ସହିତ ଭେଟ ହେବା ଇତ୍ୟାଦି ଆଦିବାସୀଙ୍କ sub-ordinate statusର ପରିଚୟ ଦେଇଥାଏ । କମଗାଁର ମୁଖିଆ ଜଣେ କୁଲିତା ଜାତିର । ଆଦିବାସୀବହୁଳ କମଗାଁରେ କୁଲିତା ଜାତିର ମୁଖିଆ ହେବା ପରେ ଅନୁମିତ ହୁଏ ଯେ, ଏହି ଅଞ୍ଚଳର ଆଦିବାସୀ ଲୋକଙ୍କୁ ଅନୁଗତ କରାଇବା ନିମନ୍ତେ ସେମାନଙ୍କ ଦେବଦେବୀ ଓ ଯାନିଯାତ୍ରା ଗୁଡ଼ିକୁ ଆତ୍ମୀକରଣ କରିନେଇଛନ୍ତି ଏବଂ କାଳକ୍ରମେ ଏହା ଉଭୟ ଆଦିବାସୀ ଓ ଅଣଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ସାମାଜିକ ପର୍ବରେ ପରିଣତ ହୋଇଯାଇଛି ।

 

ଠାକୁରପୂଜା ଓ ବ୍ରାହ୍ମଣର ଅଧିକାର ସମ୍ପର୍କରେ କିଛିଦିନ ତଳେ ସୁପ୍ରିମକୋର୍ଟ ଦେଇଥିବା ରାୟ ସହସ୍ରାଧିକ କାଳ ଧରି ନିରବଚ୍ଛିନ୍ନ ଭାବେ ଚଳି ଆସିଥିବା ସାମାଜିକ ବିଧି ବ୍ୟବସ୍ଥାର ମଞ୍ଜିଟିକୁ ଦୋହଲାଇ ଦେଇଛି ବୋଲି ମତପ୍ରକାଶ ପାଉଥିବାର ଶୁଣାଯାଏ । ପ୍ରକାଶ ଥାଉ କି କାଳ କାଳ ଧରି ଅବାରିତ ଭାବେ ଚଳି ଆସିଥିବା ଅଗଣିତ ଆଦିବାସୀ ଓ ଲୋକ ଦେବାଦେବୀଙ୍କ ପୂଜା ପରମ୍ପରାରେ ବ୍ରାହ୍ମଣ ପୂଜକର ଆବଶ୍ୟକତା ଓ ଉପସ୍ଥିତିକୁ କେବେହେଲେ ଉପଲବ୍‌ଧି କରାଯାଇ ନାହିଁ । ଯେକୌଣସି ଲୋକର ମନରେ ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସ ଥିଲେ ସେ ଏହି ପୀଠରେ ପୂଜା କରିବାର ଦୃଷ୍ଟିଗୋଚର ହୋଇଥାଏ । ମନ୍ତ୍ର ଜାଣିଥିଲେ ପୂଜା କରିପାରିବ; ମନ୍ତ୍ର ନ ଜାଣି ମଧ୍ୟ ଠାକୁରଙ୍କ ନିକଟରେ ଗୁହାରି କରିବ । ଆଦିବାସୀ ଓ ଲୋକପୀଠରେ କ୍ଷୀର ମୁନ୍ଦେ, ଚାଉଳ ମୁଠେ, ସିନ୍ଦୂର ଟିକେ, ଫୁଲ ଥୋଡ଼େ କିମ୍ୱା ଡାଳ ଖଣ୍ଡିଏ ଦେବା ପାଇଁ ବୈଦିକ ମନ୍ତ୍ର ଅଥବା ପଇତା ଧାରଣ କରିଥିବା ବ୍ରାହ୍ମଣର ଏକାନ୍ତ ଆବଶ୍ୟକ ବୋଲି କେହି କେବେ ଜାଣି ନାହାନ୍ତି । ଏଠାରେ ଯେକୌଣସି ଲୋକ ସେ କାମ କରିପାରିବ । ଲୋକଦେବତା କୌଣସି ଏକ ନିର୍ଦ୍ଦିଷ୍ଟ ଜାତି ବା ଗୋଷ୍ଠୀର ଏକଚାଟିଆ ଅଧିକାର ଭିତରେ ଆବଦ୍ଧ ହୋଇ ରହିନାହାନ୍ତି । ବରଂ ସବୁ କାଳରେ ସେ ସମସ୍ତଙ୍କୁ ଆବୋରି ନେଇ ସମନ୍ୱୟର ସେତୁ ପ୍ରତିଷ୍ଠା କରିଛନ୍ତି ଏବଂ ସହାବସ୍ଥାନର ପୃଷ୍ଠଭୂମିକୁ ଦୃଢ଼ କରିଛନ୍ତି ଯାହାକି ଏକାନ୍ତ ଭାବେ ବେଦ, ମନ୍ତ୍ର, ବ୍ରାହ୍ମଣ ସମର୍ଥିତ ଓ ଆଶ୍ରିତ ଦେବଦେବୀଙ୍କ ଦ୍ୱାରା ସମ୍ଭବ ହୋଇପାରି ନାହିଁ ।

 

ସହାୟକ ଲେଖା :

୧.

ନିମାଇଁ ଚରଣ ପଣ୍ଡା, ‘ସାଂସ୍କୃତିକ ସମନ୍ୱୟର ଯାତ୍ରା- କମଗେଇଁ ଯାତ୍ରା ଏକ ସର୍ବେକ୍ଷଣ', ଓଡ଼ିଶା ଲୋକନୃତ୍ୟ ଓ ସଂଗୀତ ମହୋତ୍ସବ ୯୮ ସମ୍ୱଲପୁର ସ୍ମରଣିକା, ୧୯୯୮ ।

୨.

ଚିତ୍ରସେନ ପଶାୟତ, ‘ଓଡ଼ିଶାରେ ହିନ୍ଦୁ-ଆଦିବାସୀ ସାଂସ୍କୃତିକ ସମନ୍ୱୟ ପରିପ୍ରେକ୍ଷୀରେ କରମା’, କୋଣାର୍କ, ୧୦୪ତମ ସଂଖ୍ୟା, ଏପ୍ରିଲ ୧୯୯୮, ପୃ ୧୩-୨୬ ।

୩.

ଚିତ୍ରସେନ ପଶାୟତ ଓ ଶର୍ମିଷ୍ଠା ବାରିକ, ‘ଓଡ଼ିଶାର ଲୋକପର୍ବ ଡାଲଖାଇ’, କୋଣାର୍କ, ଫେବୃୟାରୀ-ଅପ୍ରେଲ ୧୯୯୯, ପୃ ୬୩-୮୧ ।

୪.

ଚିତ୍ରସେନ ପଶାୟତ, ‘ଓଡ଼ିଶାର ଆଦିବସୀ ସମାଜରେ ଦେବୀପୂଜା’, କୋଣାର୍କ, ମଇ-ଜୁଲାଇ ୨୦୦୧, ପୃ ୨୩-୩୮ ।

୫.

Chitrasen Pasayat, Tribe, Caste and Folkculture, Rawat Publications, Jaipur, 1998.

୬.

Chitrasen Pasayat, Glimpses of Tribal and Folkculture, Anmol Publications, New Delhi, 2003.

 

ଅତିରିକ୍ତ ମନ୍ଦିର ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

***

 

ସାରଳା ଦାସଙ୍କ ମହାଭାରତରେ ନବଗୁଞ୍ଜର ପରିକଳ୍ପନା :

ଏକ ପ୍ରତ୍ନତାତ୍ତ୍ୱିକ ଉତ୍ସ ଅନୁସନ୍ଧାନ

ଡକ୍ଟର ବାବା ମିଶ୍ର • ଡକ୍ଟର ଦାଶରଥି ଆଚାର୍ଯ୍ୟ

 

ସାରଳା ଦାସଙ୍କ ‘ମହାଭାରତ’ ବ୍ୟାସଦେବଙ୍କର ସଂସ୍କୃତ ମହାଭାରତର ଓଡ଼ିଆ ଅନୁବାଦ ନୁହେଁ । ମୂଳ କାହାଣୀର ଅବଲମ୍ୱନରେ ଏହା ତାଙ୍କର ଏକ ମୌଳିକ ସୃଷ୍ଟି । ଏଥିରେ ସେ ମୂଳଗ୍ରନ୍ଥରେ କଥିତ ହୋଇନଥିବା ରାଶି ରାଶି ପ୍ରସଙ୍ଗକୁ ସ୍ଵକୀୟ କଳ୍ପନାର ଆଧାରରେ ପ୍ରକ୍ଷିପ୍ତ କରିଛନ୍ତି । ଏଗୁଡ଼ିକ ସାରଳା ସାହିତ୍ୟ ଆଲୋଚନା କ୍ଷେତ୍ରରେ ଅନୁକ୍ତ ପ୍ରକ୍ଷପ ଭାବରେ ପରିଚିତ । ୧ ସାରଳା ଦାସଙ୍କ ଅସଲ ମୌଳିକ ପ୍ରତିଭାର ବିଳାସ ଏହି ନୂତନ ଉପାଖ୍ୟାନ ସମୂହରେ ହିଁ ପ୍ରତିପାଦିତ ହୋଇଛି । କବି କେଉଁ ପୃଷ୍ଠଭୂମିର ଆଧାରରେ ଏଭଳି ବିଷୟମାନ ମହାଭାରତ କାହାଣୀ ମାଧ୍ୟମରେ ସଂଯୋଜିତ କରିଛନ୍ତି, ତାହା ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ । ଓଡ଼ିଆ ସମାଲୋଚନା ସାହିତ୍ୟରେ ସାରଳା ସାହିତ୍ୟର ଆଲୋଚକଗଣ ଏହି ରହସ୍ୟର ସମ୍ପୂର୍ଣ୍ଣ ଅନୁସନ୍ଧାନମୂଳକ ଉଦ୍‌ଘାଟନ ଏ ପର୍ଯ୍ୟନ୍ତ କରିପାରି ନାହାନ୍ତି । କବିଙ୍କ ସୃଷ୍ଟିକ୍ରିୟା ମୂଳରେ ବିରାଜିତ ମାନସିକ ଭିତ୍ତିଭୂମିର ଏହି ପ୍ରେରଣା ଉତ୍ସର ବିଶ୍ଳେଷଣ କଲେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବହୁ ନୂତନ ଦିଗନ୍ତର ଉନ୍‌ମୋଚନ ହୋଇପାରିବ । ଏ ଦୃଷ୍ଟିରୁ କବିଙ୍କ ମାନସିକ ଆଧାର ଭୂମି ରୂପେ ତତ୍କାଳୀନ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ଧର୍ମୀୟ, ଐତିହାସିକ, ନୃତାତ୍ତ୍ୱିକ ତଥା ଲୋକପରମ୍ପରା ଓ ପରିସ୍ଥିତିର ମନନଶୀଳ ଅଧ୍ୟୟନ ଏକାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଏଠାରେ କବିଙ୍କ ପରିକଳ୍ପିତ ‘ନବଗୁଞ୍ଜର’ ପ୍ରସଙ୍ଗର ଉତ୍ସ ଅନୁସନ୍ଧାନ କ୍ରମରେ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଉପାଦାନର ପ୍ରଭାବ ଓ ପ୍ରେରଣାକୁ ଅନୁଶୀଳନ କରାଯାଇପାରେ ।

 

ସାରଳା ମହାଭାରତରେ ବର୍ଣ୍ଣିତ ନବଗୁଞ୍ଜର ଉପାଖ୍ୟାନଟି ଏହିଭଳି । ପାଣ୍ଡବ ଭ୍ରାତାମାନେ ସେମାନଙ୍କ ମଧ୍ୟରୁ କେହି ଦ୍ରୌପଦୀଙ୍କ ସହିତ ଏକାନ୍ତ ବାସରେ ଥିବା ବେଳେ, ଅନ୍ୟ ଜଣେ ତନ୍ମଧ୍ୟକୁ ପ୍ରବେଶ କରି ଶୃଙ୍ଗାର ଦର୍ଶନ କଲେ, ଦ୍ୱାଦଶ ବର୍ଷ ଏକାକୀ ବନବାସ କରିବା ଭଳି ଏକ କଠୋର ପ୍ରତିଜ୍ଞାରେ ସତ୍ୟବଦ୍ଧ ହୋଇଥିଲେ । ଏହି କାରଣରୁ ଯୁଧିଷ୍ଠିର ଓ ଦ୍ରୌପଦୀଙ୍କ ଶୃଙ୍ଗାର ଦର୍ଶନ କରିଥିବାରୁ ପୂର୍ବସତ୍ୟ ଅନୁସାରେ ମଧ୍ୟମ ପାଣ୍ଡବ ଅର୍ଜୁନ ଦ୍ୱାଦଶ ବର୍ଷ ବନବାସ ପାଳନ କରୁଥାନ୍ତି । ସେତେବେଳେ ବନବାସର ପଞ୍ଚମ ବର୍ଷରେ । ୨ ସେ ମଣିଭଦ୍ରା ପର୍ବତରେ ଅବସ୍ଥାନ କରୁଥିବା ବେଳେ ଦ୍ଵାରକାଧିପତି ଶ୍ରୀକୃଷ୍ଣ ତାଙ୍କୁ ସାକ୍ଷାତ କରିବାକୁ ଯାଇ କଷଣ (ବନ୍ଧୁତ୍ଵର ନିବିଡ଼ତା ପରୀକ୍ଷା) କରିବା ପାଇଁ । ୩ ମନେ ମନେ ଚିନ୍ତା କଲେ ଏବଂ ନଅଗୋଟି ରୂପର ସମାବେଶରେ ନବଗୁଞ୍ଜର ରୂପରେ ଆବିର୍ଭୂତ ହୋଇ ଅର୍ଜୁନଙ୍କୁ ଆକର୍ଷଣ କରିବା ପାଇଁ ନୃତ୍ୟରତ ହେଲେ । କବିଙ୍କ ବର୍ଣ୍ଣନା ଅନୁସାରେ-

 

“କୁକୁଡ଼ାର ମୁଣ୍ଡଗୋଟି ଅତୀବ ସୁନ୍ଦର ଦିଶଇ

ବୃଷଭର ଚୂଳ ଯେ ମଜୁରର କଣ୍ଠ ବିରାଜଇ । ୭୭ ।

ଅହିବର ପୁଚ୍ଛା ମଝା ସିଂହ କଟ ପ୍ରାୟେ

ବ୍ୟାଘ୍ରର ଚରଣ ଗୋଟି ଅତୀବ ଶୋଭା ପାଏ । ୭୮ ।

ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର

ଆବର ପାଦ ଗୋଟି ଅଟଇ କରିବର । ୭୯ ।

ଆଗପାଦ ଗୋଟିକି ମନୁଷ୍ୟର କର ଯେ ଅଟଇ

ସେ କରେ ପଦ୍ମପୁଷ୍ୟ ଗୋଟିୟେକ ଘେନିଲେ ଭାବଗ୍ରାହୀ ।”୮୦।୪

(ମହାଭାରତ : ମଧ୍ୟପର୍ବ (୧)/ ସାରଳା ଦାସ/ ୫ମ ଅଧ୍ୟାୟ)

 

ଅର୍ଥାତ୍, ଶ୍ରୀକୃଷ୍ଣ ଏଥିରେ କୁକୁଡ଼ାର ମୁଣ୍ଡ, ବୃଷଭର ଚୂଳ, ମୟୂରର କଣ୍ଠ, ସର୍ପର ଲାଞ୍ଜ, ସିଂହର କଟିଦେଶ, ବ୍ୟାଘ୍ରର ଚରଣ, ଅଶ୍ଵର ଚରଣ, ହସ୍ତୀର ଚରଣ ଏବଂ ମନୁଷ୍ୟର ଆଗପାଦ (ହସ୍ତ) ଓ ସେଥିରେ ଗୋଟିଏ ପଦ୍ମପୁଷ୍ପ ଧାରଣ କରିଥିଲେ । ବ୍ରହ୍ମଜ୍ଞାନୀ ବ୍ରହ୍ମରେ ଲୟ ରଖିବା ଭଳି, ବୀର ଅର୍ଜୁନ ଧନୁଗୁଣକୁ ମାଜିବା କାର୍ଯ୍ୟରେ ନିମଗ୍ନ ରହିଥିବାରୁ ପ୍ରଥମେ ଏଥିପ୍ରତି ଆକୃଷ୍ଟ ହୋଇପାରି ନଥିଲେ । ପରେ ଏ ବିଚିତ୍ର ମାୟାଜୀବ ଅଧିକ ନୃତ୍ୟରତ ହେବାରୁ ପାର୍ଥଙ୍କର ଦୃଷ୍ଟିପଥାରୂଢ଼ ହେଲା । ସେ ଏହି ଅଦ୍ଭୁତ କ୍ରିୟାର ଅଧିକାରୀ ଶ୍ରୀକୃଷ୍ଣ ବୋଲି ଜାଣିପାରି, ତାଙ୍କର ସ୍ତବପାଠ କରିବାରୁ ଶ୍ରୀକୃଷ୍ଣ ମାୟା ସଂହାର କରି ସ୍ୱରୂପ ଧାରଣ କଲେ ।୫

 

ଏଥିରେ ପ୍ରଧାନତଃ ନିମ୍ନୋକ୍ତ ପ୍ରସଙ୍ଗମାନ ରହିଛି । ଯଥା-

(କଖ)

ନବଗୁଞ୍ଜର ଭଳି ଏକ ଅଦ୍ଭୁତ ଜୀବର ଆକୃତି ବା ରୂପ ପରିକଳ୍ପନା ।

(ଖ)

ମାୟାଶକ୍ତି ବଳରେ ଶ୍ରୀକୃଷ୍ଣଙ୍କ ମନୁଷ୍ୟ ରୂପରୁ ଏହି ବିଚିତ୍ର ଜୀବରେ ରୂପାନ୍ତରଣ ।

(ଗ)

ଶ୍ରୀକୃଷ୍ଣଙ୍କ ସହିତ; ଅର୍ଥାତ୍ ପରୋକ୍ଷରେ ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କିତ କରି ଓଡ଼ିଶାର ଧର୍ମଧାରଣାରେ ସଂପୃକ୍ତ କରିବା ।

(ଘ)

ମାୟା ସଂହାର କରି ଶ୍ରୀକୃଷ୍ଣ ନବଗୁଞ୍ଜରରୁ ସ୍ୱଶରୀରରେ ପରିବର୍ତ୍ତିତ ହେବା ।

(ଙ)

ଅର୍ଜୁନଙ୍କୁ ପରୀକ୍ଷା କରିବା ଭଳି ଉପାଖ୍ୟାନ ସୃଷ୍ଟି କୌଶଳ ମାଧ୍ୟମରେ ମହାଭାରତରେ ଏହାର ମନୋଜ୍ଞ ସଂଯୋଜନା ।

 

ବ୍ୟାସଦେବଙ୍କ ସଂସ୍କୃତ ମହାଭାରତରେ ଏହା ଉକ୍ତ ହୋଇ ନାହିଁ । ଏଭଳି ଏକ ବିଷୟର ପରିକଳ୍ପନା ପ୍ରଥମେ ସାରଳା ଦାସଙ୍କ କୃତିରେ ହିଁ ଦେଖିବାକୁ ମିଳେ । ତେଣୁ ଏହାକୁ ଏକ କାବ୍ୟିକ ଚିତ୍ରକଳ୍ପ ଭାବରେ ହିଁ ସ୍ୱୀକୃତି ମିଳିଛି । ପରବର୍ତ୍ତୀ କାଳରେ ଏହାର ପ୍ରଭାବରେ ଓଡ଼ିଶାର ସାହିତ୍ୟ, କଳା, ସ୍ଥାପତ୍ୟ ପ୍ରଭୃତି ଏପରିକି, ଧର୍ମଧାରା ପର୍ଯ୍ୟନ୍ତ ବହୁ ଭାବରେ ପ୍ରଭାବିତ ହୋଇଛି ଏବଂ ଏହା ଓଡ଼ିଆ ଲୋକଜୀବନର ଏକ ସ୍ଵତନ୍ତ୍ର ସାଂସ୍କୃତିକ ମୌଳିକତା ଭାବରେ ମଧ୍ୟ ସମ୍ମାନିତ ହୋଇଛି ।

 

ଏହାର ସାହିତ୍ୟିକ ବା ଦାର୍ଶନିକ ତାତ୍ପର୍ଯ୍ୟ ଯାହା ହେଉନା କାହିଁକି, ଏହାର ପରିକଳ୍ପନା ମୂଳରେ ଯେ, ସାରଳା ଦାସଙ୍କ କବିତ୍ୱସୁଲଭ ନିଚ୍ଛକ କଳ୍ପନା ନାହିଁ, ଏହା ନିକଟ ଅତୀତରେ ଆବିଷ୍କୃତ ହୋଇଥିବା ମୁଦ୍ରାତତ୍ତ୍ୱ ସମ୍ବନ୍ଧୀୟ ଗୋଟିଏ ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ସ୍ପଷ୍ଟ ହେଉଛି । ଏଥିରୁ ଏହା ହିଁ ଅବଧାରିତ ହେଉଛି ଯେ, ତତ୍କାଳୀନ ଓଡ଼ିଶାରେ ପୂର୍ବରୁ ପ୍ରଚଳିତ ହୋଇଆସିଥିବା ଏବଂ କବିଙ୍କ ପୂର୍ବରୁ ରାଜସ୍ୱୀକୃତି ଲାଭ କରିଥିବା ଏକ ବିଶେଷ ସାମାଜିକ ତଥା ସାଂସ୍କୃତିକ ଧାରା ଓ ବିଶ୍ଵାସବୋଧ ହିଁ କବି ସାରଳା ଦାସଙ୍କୁ ଏଭଳି ଚିତ୍ର ପରିବେଷଣ ନିମନ୍ତେ ପ୍ରେରଣା ଯୋଗାଇଛି ।

 

ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ ଉପାଦାନଟି ହେଉଛି ଗୋଟିଏ ସ୍ଵର୍ଣ୍ଣମୁଦ୍ରା । ଏହାକୁ ଓଡ଼ିଶାର ପଶ୍ଚିମାଂଚଳରେ ଅବସ୍ଥିତ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଦାଦପୁର ଗ୍ରାମର ଜନୈକ ଅଧିବାସୀ ଶ୍ରୀ ବୃନ୍ଦାବନ ବିଶ୍ୱାଳଙ୍କ ନିକଟରୁ ଐତିହାସିକ ଡଃ ବାବା ମିଶ୍ର ଓ ଡଃ ପ୍ରଦୀପ କୁମାର ମହାନ୍ତିଙ୍କ ଦ୍ୱାରା ୧୯୯୯ ମସିହାରେ ଆବିଷ୍କାର କରାଯାଇଛି । ପ୍ରାୟତଃ ବର୍ତ୍ତୁଳାକାର ଏହି ସ୍ୱର୍ଣ୍ଣମୁଦ୍ରାର ବ୍ୟାସ ୧ ସେ.ମି. ଓ ଓଜନରେ ଏହା ଗୋଟ ୧ ରତି । ଏହି ମୁଦ୍ରାର ଗୋଟିଏ ପାର୍ଶ୍ୱରେ ନବଙ୍ଗୁଜର ଚିତ୍ର ରହିଥିବା ବେଳେ ଅପର ପାର୍ଶ୍ଵଟି ଶୂନ୍ୟ ରହିଛି । ଏଥିରେ ନବଙ୍ଗୁଜର ମୂର୍ତ୍ତିଟି ରାଜକୀୟ ଆଡ଼ମ୍ବରଶୀଳ ଭଂଗୀ (majestic pose)ରେ ଖୋଦିତ ହୋଇଛି । ମୂର୍ତ୍ତିଟିର ଉପର ଭାଗରେ ଏକ ସାଂକେତିକ ଚିହ୍ନ ରହିଛି ।

 

ମୁଦ୍ରା ଚିତ୍ରରେ ପ୍ରାୟତଃ, କବିଙ୍କ ବର୍ଣ୍ଣନା ଅନୁରୂପ ଅଙ୍ଗ ସଂସ୍ଥାନ ରହିଛି । କେବଳ ବୃଷଭର ଚୂଳଟି ଜୀବର ଠିକ୍ ସ୍କନ୍ଧ ଦେଶରେ ନ ରହି ଖୋଦନଶିଳ୍ପ ଜନିତ କୌଣସି କାରଣରୁ ସାମାନ୍ୟ ପଶ୍ଚାତ୍ ଭାଗରେ ଏକ ତ୍ରିଭୁଜାକୃତି ସଂକେତ ଆକାରରେ ରହିଛି । ସେହିଭଳି ଆଗପାଦ (ମନୁଷ୍ୟର ହସ୍ତ)ରେ ସେ ଧାରଣ କରିଥିବା ପଦ୍ମପୁଷ୍ପ ମଧ୍ୟ ସ୍ପଷ୍ଟ ଭାବରେ ଜଣାପଡ଼ୁ ନାହିଁ । ମୁଦ୍ରାରେ ହୁଏତ ଏହା ଏହି ଅଦ୍ଭୁତ ଜୀବର ଉପର ଭାଗରେ; ଅର୍ଥାତ୍, ମସ୍ତକର ସମ୍ମୁଖରେ ତଥା ଥଣ୍ଟର ଉପରେ ଏକ ନାଡ଼ଯୁକ୍ତ ବିନ୍ଦୁର ସଂକେତ ରୂପରେ ହିଁ ରହିଛି ।

 

ମଧ୍ୟକାଳୀନ ଓଡ଼ିଶା ଇତିହାସରେ ନଳ, ଶରଭପୁରୀୟ, ଚିଦକନାଗ, ଗଙ୍ଗ ଓ ସୂର୍ଯ୍ୟବଂଶୀ ପ୍ରଶାସକମାନେ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରାଇଥିବାର ଜଣାଯାଏ ।୬ ଏଥିମଧ୍ୟରୁ ‘ଗଙ୍ଗପଶ’ ନାମକ ସ୍ୱର୍ଣ୍ଣମୁଦ୍ରା ଓଡ଼ିଶାରେ ୧୧ଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ୧୫ଶ ଶତାବ୍ଦୀର ପୂର୍ବାର୍ଦ୍ଧ ପର୍ଯ୍ୟନ୍ତ ରାଜତ୍ୱ କରିଥିବା ଗଙ୍ଗ ସମ୍ରାଟମାନଙ୍କ ସମୟରେ ପ୍ରଚଳିତ ଥିଲା ।୭ ଆବିଷ୍କୃତ ସ୍ୱର୍ଣ୍ଣ ମୁଦ୍ରାଟି ମଧ୍ୟ ଗଠନ, ଆକୃତି, ଓଜନ ଓ ସଂକେତ ଦୃଷ୍ଟିରୁ ଗଙ୍ଗପଣ ହୋଇଥିବାରୁ ।୮ ଏହାକୁ ଗଙ୍ଗବଂଶୀ ଶାସନ କାଳୀନ ବୋଲି ଗ୍ରହଣ କରାଯାଇଛି ।୯

 

କବି ସାରଳା ଦାସ ଓଡ଼ିଶାରେ ସୂର୍ଯ୍ୟବଂଶୀୟ ରାଜତ୍ଵର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କ (ଖ୍ରୀ:ପ: ୧୪୩୫-୧୪୬୫ ଖ୍ରୀ:ପ:) ସମକାଳୀନ ହୋଇଥିଲେ । ପୁଣି, ନବଗୁଞ୍ଜର ଚିତ୍ରଟି ମୁଦ୍ରାଙ୍କିତ ହୋଇଥିବାରୁ ଏଥିରେ ରାଜସମର୍ଥନ ଓ ପୃଷ୍ଠପୋଷକତା ରହିଥିଲା ଏବଂ ଓଡ଼ିଶାର ସାଂସ୍କୃତିକ ଚେତନାରେ ଏକ ପ୍ରମୁଖ ଗୁରୁତ୍ଵପୂର୍ଣ୍ଣ ବସ୍ତୁ ଭାବରେ ସମ୍ମାନିତ ହୋଇଥିଲା । କବି ସାରଳା ଦାସଙ୍କ ନବନବୋନ୍ମେଷଶାଳିନୀ ପ୍ରଜ୍ଞା ତାହାକୁ ଗଭୀର ଭାବରେ ଅନୁଭବ କରିଥିଲା-। ତେଣୁ କବି ଅନ୍ୟାନ୍ୟ ଅନେକ ପ୍ରସଙ୍ଗ ଭଳି, ଚତୁରତାର ସହିତ ଏହାକୁ ସ୍ୱକୃତ ମହାଭାରତ ମଧ୍ୟରେ ସଂଯୋଜିତ କରି ସାହିତ୍ୟିକ ରୂପ ଦାନ କରିଥିଲେ । ସୁତରାଂ, ନବଗୁଞ୍ଜର ଭଳି ବିଚିତ୍ର ଜୀବନର ଆକୃତି ପରିକଳ୍ପନା ଯେ, ସାରଳା ଦାସଙ୍କ ନିଜସ୍ୱ ନୁହେଁ, ଏ କଥା ସ୍ପଷ୍ଟ ପ୍ରମାଣିତ ହୁଏ ।

 

ଏଠାରେ ସ୍ୱଭାବତଃ ପ୍ରଶ୍ନ ଉଠେ ଯେ, ନବଗୁଞ୍ଜର ରୂପଚିତ୍ରଟିକୁ ଗଙ୍ଗ ପ୍ରଶାସକମାନେ ସ୍ଵର୍ଣ୍ଣ ମୁଦ୍ରାରେ ସ୍ଥାନିତ କଲେ କାହିଁକି ? ଏହିପରି ଏକ ଦୃଶ୍ୟ ଓ ଉପାଖ୍ୟାନ ସୃଷ୍ଟି ମୂଳରେ କେଉଁ ତତ୍ତ୍ୱ, ଦର୍ଶନ ଅଥବା ବିଶ୍ୱାସବୋଧ ରହିଛି ? ଏବଂ କବି ସାରଳା ଦାସ ମହାଭାରତ ଗ୍ରନ୍ଥରେ ଏହାକୁ ରୂପାୟିତ କରିବା ଅନ୍ତରାଳରେ କେଉଁ କାରଣ ନିହିତ ?

 

ଓଡ଼ିଶାରେ ସୋମକୁଳୀ କେଶରୀମାନଙ୍କ (୮ମ ଶତାବ୍ଦୀରୁ ୧୧ଶ ଶତାବ୍ଦୀ) ପରେ ଗଙ୍ଗମାନେ ରାଜପଣ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ପ୍ରତିଷ୍ଠାତା ମହାରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ଖ୍ରୀ:ପ: ୧୦୭୭ରେ ଓଡ଼ିଶା ଅଧିକାର କରିଥିଲେ । ୧୦ ଧର୍ମ ଦୃଷ୍ଟିରୁ କେଶରୀମାନେ ‘ପରମ ମାହେଶ୍ୱର’ ଭାବରେ ଶୈବ ଧର୍ମର ପୃଷ୍ଠପୋଷକତା କରିଆସିଥିଲେ ହେଁ, ସେମାନେ ଶ୍ରୀଜଗନ୍ନାଥଙ୍କର ମଧ୍ୟ ପରମ ଭକ୍ତ ଥିଲେ । ସେମାନଙ୍କର ରାଜତ୍ଵ କାଳରେ ଖ୍ରୀ:ପ: ୯ମ ଶତାବ୍ଦୀରେ ଦାର୍ଶନିକ ଶଙ୍କରଙ୍କ ଶ୍ରୀକ୍ଷେତ୍ର ଆଗମନ ଫଳରେ ଶ୍ରୀଜଗନ୍ନାଥ ତଥା ଶ୍ରୀକ୍ଷେତ୍ରରେ ମହତ୍ତ୍ୱ ଅଧିକ ପ୍ରଚାରିତ ହୋଇଥିଲା । ଆଚାର୍ଯ୍ୟ ଶଙ୍କର ସେତେବେଳକୁ ଶ୍ରୀଜଗନ୍ନାଥଙ୍କଠାରେ ଶ୍ରୀକୃଷ୍ଣତ୍ୱ ଆରୋପ କରିସାରିଥିଲେ ଓ ଶ୍ରୀଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପରବର୍ତ୍ତୀ ଅବତାର ବା ରୂପ, ଏ ଧାରଣା ପ୍ରତିଷ୍ଠିତ ହୋଇସାରିଥିଲା । ୧୧ ପୁଣି, ସଂସ୍କୃତରେ ଜଗନ୍ନାଥ ତତ୍ତ୍ଵ ପ୍ରତିପାଦକ ସ୍କନ୍ଦପୁରାଣ (ଉତ୍କଳଖଣ୍ଡ) ଭଳି ଗ୍ରନ୍ଥ ସେତେବେଳକୁ ରଚିତ ହୋଇସାରିଥିବାରୁ ୧୨ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କର ସର୍ବମାନ୍ୟ ପ୍ରତିଷ୍ଠା ହୋଇସାରିଥିଲା । ଏଥି ସହିତ ଶ୍ରୀଜଗନ୍ନାଥ ମୂଳତଃ ଆଦିବାସୀ ଦେବତା ହୋଇଥିବାରୁ ଏବଂ ପରେ ଆର୍ଯ୍ୟମାନଙ୍କ ଦ୍ଵାରା ଉପାସିତ ହେବାରୁ ଏହି ସଂସ୍କୃତିରେ ଅନାର୍ଯ୍ୟ ଆଦିବାସୀଙ୍କ ସହିତ ଆର୍ଯ୍ୟ ସଂସ୍କୃତିର ମୈତ୍ରୀ ସମନ୍ୱୟ ସାଧିତ ହୋଇଥିଲା । ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି କେତେକ ଆଦିବାସୀ ଲୋକସଂସ୍କୃତିର ବ୍ୟବହାର ଓ ଲୋକବିଶ୍ୱାସ ସେତେବେଳେ ଲୋକସମାଜରେ ଓଡ଼ିଶାର ପ୍ରମୁଖ ସଂସ୍କୃତି ଭାବରେ ବଳବତ୍ତର ରହିଥିଲା ।

 

ଏ ଦୃଷ୍ଟିରୁ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କିତ ନବଗୁଞ୍ଜର ଭାବଧାରା ମଧ୍ୟ ତତ୍କାଳୀନ ଓଡ଼ିଶାର ଲୋକସମାଜରେ ଏକ ଦୃଢ଼ ଆଧ୍ୟାତ୍ମିକ ଚେତନା ସମନ୍ୱିତ ଲୋକବିଶ୍ୱାସ ଭାବରେ ହିଁ ରହିଆସିଥିବାର ମନେହୁଏ । କାରଣ ଏକ ପକ୍ଷରେ ଶ୍ରୀକୃଷ୍ଣ ପୂର୍ବ ଅବତାର ରାମଚନ୍ଦ୍ରଙ୍କ ସହିତ ଗୁହକ ଶବର, ଶ୍ରୀକୃଷ୍ଣଙ୍କ ସହିତ ଜାରାଶବର ଓ ଶ୍ରୀକୃଷ୍ଣଙ୍କ ପରବର୍ତ୍ତୀ ଅବତାର ରୂପେ କଳ୍ପିତ ଶ୍ରୀଜଗନ୍ନାଥଙ୍କ ସହିତ ବିଶ୍ୱାବସୁ ଶବର ପ୍ରସଂଗକୁ ସଂଶ୍ଳିଷ୍ଟ କରାଯାଇ ଆଦିବାସୀ ସଂସ୍କୃତିକୁ ହିଁ ପ୍ରତିଷ୍ଠା ପ୍ରଦାନ କରାଯାଇଛି । ତେଣୁ ଆଦିବାସୀ ଲୋକବିଶ୍ୱାସ ଓ ଲୋକସଂସ୍କୃତି ଶ୍ରୀଜଗନ୍ନାଥଙ୍କଠାରେ କେନ୍ଦ୍ରୀଭୂତ ହୋଇଥିବା ଧାରଣା ଆଦୌ ଅମୂଳକ ହୋଇ ନପାରେ ।

 

ଅପର ପକ୍ଷରେ ମନୁଷ୍ୟ ରୂପରୁ କୌଣସି ଏକ ମାନବେତର ପ୍ରାଣୀ ଭାବରେ ରୂପାନ୍ତରିତ ହେବା କୌଶଳଟି ମଧ୍ୟ ଆଦିବାସୀ ଲୋକସମାଜର କଥା । ବାଲ୍ମିକୀ କୃତ ‘ରାମାୟଣ’ରେ ମାରିଚର କନକ ମୃଗ ରୂପେ ରୂପାନ୍ତରିତ ହୋଇ ରାମଙ୍କ ଦ୍ଵାରା ଶରବିଦ୍ଧ ହେବା ପରେ ପୁଣି ସ୍ୱଶରୀରକୁ ଫେରିଆସି ମୃତ୍ୟୁବରଣ କରିବା ଘଟଣା ବେଶ୍ ଜଣାଶୁଣା । ୧୩ ମାରିଚ ଅରଣ୍ୟବାସୀ ହୋଇଥିବାରୁ ତଥା ରାକ୍ଷସ ସମ୍ପ୍ରଦାୟଭୁକ୍ତ ହୋଇଥିବାରୁ ତାକୁ ତତ୍କାଳୀନ ଜନୈକ ଆଦିବାସୀ ଭାବରେ ହିଁ ଗ୍ରହଣ କରାଯାଇପାରେ । ପୁଣି, ସାମ୍ପ୍ରତିକ କାଳରେ ମଧ୍ୟ ତନ୍ତ୍ରବିଦ୍ୟା ଓ କୁହୁକ ବିଦ୍ୟା ଦ୍ୱାରା ମଣିଷ ବାଘରେ ରୂପାନ୍ତିତ ହୋଇ (ପାଲଟାବାଘ) ପୁଣି ସ୍ୱଶରୀରକୁ ଫେରିଆସିବା ବ୍ୟବସ୍ଥା କେତେକ ଆଦିବାସୀ ସମ୍ପ୍ରଦାୟରେ ଓ ପଶ୍ଚିମ ଓଡ଼ିଶାରେ ରହିଛି । ୧୪ ସେହିପରି ବହୁରୂପୀ କଳା ମାଧ୍ୟମରେ ଜଣେ ଅନେକ ରୂପ ଧାରଣ କରି ଚମତ୍କାରିତା ପ୍ରଦର୍ଶନ କରିବା ପରମ୍ପରା ଆମ ସମାଜରେ ରହିଆସିଛି । ଶ୍ରୀକୃଷ୍ଣଙ୍କୁ ଏହି ବହୁରୂପୀ ବିଦ୍ୟାର ଅଧ୍ୟେତା ତଥା ପ୍ରକାଶକ ଭାବରେ ମଧ୍ୟ ଚିତ୍ରଣ କରାଯାଇ ତାଙ୍କୁ ବିଭିନ୍ନ ରୂପରେ ବର୍ଣ୍ଣନା କରାଯାଇଛି । ୧୫ ଆଦିବାସୀ ସମାଜରେ ଗୁଣୀ, ଗାରୁଡ଼ି, ତନ୍ତ୍ର, ଯାଦୁବିଦ୍ୟା ପ୍ରଭୃତିର ମଧ୍ୟ ବିଶେଷ ପ୍ରାଧାନ୍ୟ ରହିଆସିଛି । ୧୬ ବସ୍ତୁତଃ, ଏସବୁ ବିଦ୍ୟା ଯେ, ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଲୋକସମାଜରେ ପ୍ରଚଳିତ, ଏହା କହିବା ନିଷ୍ପ୍ରୟୋଜନ ମାତ୍ର । ପୁନଶ୍ଚ, କୌଣସି ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ ପ୍ରଦର୍ଶନ ବା କ୍ରିୟା ସାଧନ ସାଧାରଣ ମଣିଷ ଦ୍ଵାରା ସମ୍ଭବ ନୁହେଁ । ଏଥିପାଇଁ ଅସାଧାରଣ ଚମତ୍କାରିତା ସମ୍ପନ୍ନ ବ୍ୟକ୍ତିବିଶେଷର ଆବଶ୍ୟକତା ହୋଇଥାଏ । ସଂସାରରେ ଏଭଳି ଅଦ୍ଭୁତ ରୂପ ବା କାର୍ଯ୍ୟ ପ୍ରଦର୍ଶନ କରି ଲୋକସମାଜକୁ ଚମତ୍କୃତ କରିଆସୁଥିବା ବ୍ୟକ୍ତି କେବଳ ଭଗବାନ ହିଁ ହୋଇପାରନ୍ତି । କାରଣ ସେ ସର୍ବବ୍ୟାପୀ ଓ ସର୍ବଶକ୍ତିମାନ । ସମଗ୍ର ଦୃଶ୍ୟମାନ ବ୍ରହ୍ମାଣ୍ଡ ମଧ୍ୟ ତାଙ୍କର ସ୍ୱରୂପ । ଏ ଧାରଣା ମୂଳ ମଧ୍ୟ ଲୋକ ସମାଜରେ ରହିଥିବାରୁ ୧୭ ଶ୍ରୀକୃଷ୍ଣଙ୍କ ନବଗୁଞ୍ଜର ରୂପ ପ୍ରଦର୍ଶନ ପ୍ରସଙ୍ଗ ଯେ, ସମ୍ପୂର୍ଣ୍ଣ ଲୋକସମାଜ ବିଶେଷତଃ, ଆଦିବାସୀ ସମାଜର କଥା, ଏହା ନିଶ୍ଚିତ ମନେହୁଏ ।

 

ଆଦିବାସୀ ଲୋକକାହାଣୀଗୁଡ଼ିକରେ ମହାବଳ ବାଘକୁ ‘ନବଗୁଞ୍ଜର ବାଘ' ବୋଲି କହିବା ପଶ୍ଚିମ ଓଡ଼ିଶାର ଲୋକଗଳ୍ପ ସମୂହରେ ଦେଖାଯାଏ । ୧୮ ସେହିପରି କର୍କଟ ସଂକ୍ରାନ୍ତି ଦିନ ଓଡ଼ିଆ ପରିବାରମାନଙ୍କରେ ଭିତ୍ତିଚିତ୍ର ଅଂକନ କରି ପୂଜାଉତ୍ସବ ପାଳନ ଭଳି କୃଷିଭିତ୍ତିକ ପର୍ବରେ ନବଗୁଞ୍ଜର ଚିତ୍ର ଅଙ୍କନ ଓ ତା’ର ପୂଜନ ପରମ୍ପରା ଓଡ଼ିଶାରେ ରହିଆସିଛି । ଅବଶ୍ୟ, ଏ ପରମ୍ପରା ସାରଳା ଦାସଙ୍କ ପୂର୍ବରୁ ରହିଆସିଛି କିମ୍ୱା ସାରଳା ଦାସଙ୍କ ମହାଭାରତର ପ୍ରଭାବସୃଷ୍ଟ– ତାହା ଅଧିକ ଗବେଷଣା ସାପେକ୍ଷ । ତଥାପି, ବ୍ୟାପକ ଲୋକସଂସ୍କୃତିଭିତ୍ତିକ ନବଗୁଞ୍ଜର ପ୍ରସଙ୍ଗ ଶ୍ରୀକୃଷ୍ଣଙ୍କ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ସହ ଅନ୍ୱିତ ହୋଇ ତତ୍କାଳୀନ ରାଜସ୍ୱୀକୃତି ଓ ପୃଷ୍ଠପୋଷକତା ପ୍ରାପ୍ତ ହୋଇଥିବାରୁ ଏହି ପରମ୍ପରା ୧୫ଶ ଶତାବ୍ଦୀର ପୂର୍ବରୁ ହିଁ ପ୍ରଚଳିତ ହୋଇଆସିଥିବା ଅଧିକ ବିଶ୍ୱସନୀୟ ମନେହୁଏ ।

 

ଓଡ଼ିଶାରେ ଶ୍ରୀଜଗନ୍ନାଥ କୈନ୍ଦ୍ରିକ ଏଭଳି ଏକ ସାଂସ୍କୃତିକ ପରିସ୍ଥିତିରେ ଗଙ୍ଗମାନେ ଏଠାରେ ରାଜପଣ ଆରମ୍ଭ କରିଥିଲେ । ତେଣୁ ରାଜତ୍ଵର ନିରଂକୁଶତା ତଥା ସେମାନଙ୍କୁ ପ୍ରଜାକୁଳର ସହଜ ଗ୍ରାହ୍ୟତା ନିମନ୍ତେ ସେମାନେ ହୁଏତ ପ୍ରଜାବର୍ଗଙ୍କ ଧର୍ମ, ସଂସ୍କୃତି ଓ ବିଶ୍ୱାସବୋଧକୁ ଆପଣେଇ ନେଇଥିଲେ । ଏହି ରାଜବଂଶର ପ୍ରତିଷ୍ଠାତା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ଥିଲେ ପରମ ଶିବୋପାସକ । ତାଙ୍କ ସମୟରେ ଦାକ୍ଷିଣାତ୍ୟର ଶ୍ରୀସମ୍ପ୍ରଦାୟର ପ୍ରଚାରକ ରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ପଦାର୍ପଣ କରିଥିଲେ । ୧୯ ତାଙ୍କର ପ୍ରରୋଚନାରେ ଚୋଡ଼ଗଙ୍ଗଦେବ ନିଜକୁ ‘ପରମ ବୈଷ୍ଣବ’ ଭାବରେ ଦୀକ୍ଷିତ କରି ଶ୍ରୀଜଗନ୍ନାଥଙ୍କୁ ନିଜର ପ୍ରଧାନ ଉପାସ୍ୟ ଭାବରେ ଗ୍ରହଣ କରିନେଇଥିଲେ । ଏବଂ ସମ୍ପ୍ରତି ବିଦ୍ୟମାନ ଥିବା ଶ୍ରୀମନ୍ଦିର ବା ବିଖ୍ୟାତ ପୁରୁଷୋତ୍ତମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ନିଜର ଅଚଳା ଭକ୍ତି, ପରମ ଶ୍ରଦ୍ଧା ଓ ସମର୍ପଣ ଭାବ ପ୍ରକଟ କରିଥିଲେ ।

 

ପରବର୍ତ୍ତୀକାଳୀନ ଗଙ୍ଗ ସମ୍ରାଟମାନେ ମଧ୍ୟ ଏହି ଧାରାର ବାହକ ଥିବାରୁ ଶ୍ରୀଜଗନ୍ନାଥ ଚେତନା ରାଷ୍ଟ୍ରୀୟ ମର୍ଯ୍ୟାଦା ଲାଭ କରିବାର ସୁଯୋଗ ପାଇଥିଲା । ଏହାର ଫଳସ୍ୱରୂପ, ଶ୍ରୀଜଗନ୍ନାଥ (ଶ୍ରୀକୃଷ୍ଣ)ଙ୍କ ପ୍ରତୀକ ନବଗୁଞ୍ଜରକୁ ଗଙ୍ଗପଣ ସ୍ୱର୍ଣ୍ଣମୁଦ୍ରାରେ ସ୍ଥାନିତ କରି ଏହି ଚେତନା ତଥା ସଂସ୍କୃତିକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ବ୍ୟାପକ ଲୋକାଭିମୁଖୀ କରାଯାଇଥିଲା । ଗଙ୍ଗମାନଙ୍କ ପରେ ୧୫ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସକ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟ ବେଳକୁ ଶ୍ରୀଜଗନ୍ନାଥ ଓଡ଼ିଶାର ସାର୍ବଭୌମ ଦେବତା ଭାବରେ ପ୍ରତିଷ୍ଠିତ ହୋଇ ରାଷ୍ଟ୍ରୀୟ ଐକ୍ୟର ପ୍ରତୀକ ଭାବରେ ସମ୍ମାନିତ ହୋଇସାରିଥିଲେ ।

 

କବି ସାରଳା ଦାସ ପଞ୍ଚଦଶ ଶତାବ୍ଦୀରେ ଓଡ଼ିଶାର ଏହିଭଳି ଏକ ସ୍ଵତନ୍ତ୍ର ରାଜନୈତିକ ପରିବେଶ ତଥା ଲୋକସଂସ୍କୃତି ପ୍ରଭାବିତ ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଜନ୍ମଗ୍ରହଣ କରି ଦେଶୀ ଭାଷାରେ ଗ୍ରନ୍ଥ ରଚନା କରିଥିଲେ । ତେଣୁ ସେ ମୂଳ ଗ୍ରନ୍ଥର ମୂଳ କଥାବସ୍ତୁକୁ ଅନୁସରଣ କରିଥିଲେ ମଧ୍ୟ ତାହା ସମସାମୟିକ ମୌଳିକତାସମ୍ପନ୍ନ ସାମାଜିକ ପରିବେଶଗତ ପ୍ରଭାବଜନିତ କାରଣରୁ ଅନୁବାଦଗ୍ରନ୍ଥ ନ ହୋଇ ଏକ ଏକ ମୌଳିକ ସୃଷ୍ଟି ରୂପରେ ପ୍ରକାଶିତ ହେଲା । ସେଥିପାଇଁ ସେ ବ୍ୟାସଦେବଙ୍କ ମହାଭାରତର ମୂଳ ବସ୍ତୁକୁ ଆଧାର କରି ‘ମହାଭାରତ’ ନାମକ ଯେଉଁ ଗ୍ରନ୍ଥ ରଚନା କଲେ, ତାହା ଯଥାର୍ଥରେ ଏକ ‘ମହାଉତ୍କଳ’ ଭାବରେ ହିଁ ଆତ୍ମପ୍ରକାଶ କଲା । ଅର୍ଥାତ୍ କବି ମହାଭାରତର ମୂଳ କାହାଣୀକୁ ମାଧ୍ୟମ ରୂପେ ବ୍ୟବହାର କରି ଓଡ଼ିଶାର ସାମଗ୍ରିକ ଲୋକଜୀବନକୁ ହିଁ ସେଥିରେ ଚିତ୍ରଣ କରିଗଲେ । ଏହି କ୍ରମରେ ଓଡ଼ିଶାର ପାରଂପରିକ ଲୋକସଂସ୍କୃତି ଓ ଶ୍ରୀଜଗନ୍ନାଥ କୈନ୍ଦ୍ରିକ ଧର୍ମୀୟ ଚେତନା ମଧ୍ୟ ସେଥିରେ ପ୍ରତିଫଳିତ ହେଲା । ଆଲୋଚ୍ୟ ନବଗୁଞ୍ଜର ପ୍ରସଙ୍ଗ ଏ ଦୃଷ୍ଟିରୁ ମୂଳଗ୍ରନ୍ଥର ଅନୁକ୍ତ ବସ୍ତୁ ହୋଇଥିଲେ ମଧ୍ୟ ସାରଳାଙ୍କ ଲେଖନୀରେ ଖୁବ୍ ସ୍ୱାଭାବିକ ଭାବରେ ମହାଭାରତର ଅଙ୍ଗୀଭୂତ ହୋଇପଡ଼ିଲା । ତେଣୁ ପାରଂପରିକ ଲୋକସଂସ୍କୃତିର ଏହି ଉପାଦାନ (ଚେତନା)ଟି ଶ୍ରୀଜଗନ୍ନାଥଙ୍କ ମାଧ୍ୟମରେ ବିକଶିତ ହୋଇ ମୁଦ୍ରା ସଂକେତ ରୂପେ ବ୍ୟବହୃତ ହେବା ପରେ ସାରଳା ଦାସ ଏହାର କାବ୍ୟିକ ରୂପାୟନ ହିଁ କରିଯାଇଛନ୍ତି ।

 

ପାଦଟୀକା :

୧.

ନନ୍ଦଶର୍ମା, ପଣ୍ଡିତ ଗୋପୀନାଥ- ଶ୍ରୀଭାରତ ଦର୍ପଣ । ( ୧୯୬୪) ପୃ ୧୦-୧୩୩ ।

୨.

“ଚାରି ବର୍ଷ ଛଡ଼ମାସ ହୋଇଲା ତେର ଦିନ ।

 

ଆଜକୁ ବନବାସ କଲେକ ଅର୍ଜୁନ ।” ୫/୪୭ । ଦାସ, ସାରଳା-ମହାଭାରତ, ମଧ୍ୟପର୍ବ : ୧ମ ଭାଗ । ସଂ. ଡଃ ଆତ୍ତବଲ୍ଲଭ ମହାନ୍ତି, (୧୯୬୫) ପୃ.୪୦

୩.

“ମନେକର ବିଚାରକରନ୍ତି ପଦ୍ମନେତ୍ର କଷଣ କରିବା ଆଜ ବୀରବର ପାର୍ଥ । ୫/୭୩ ତତ୍ରୈବ, ପୃ୪୨ ।

୪.

ତତ୍ରୈବ, ପୃ ୪୩ ।

୫.

ତତ୍ରୈବ, ପୃ ୪୩-୪୬ ।

୬.

Mishra, Dr. Baba & Mohanty, Dr. Pradeep- The Study of the Gold coins of Imperial Ganga dynasty from Dadpur, Dist. Kalahandi- Orissa. Page 1 (2000) selected for publication-Journal of Numismatifc society of India Vol. IX, part-2 Varanasi.

୭.

Tripaty.S.- Early and Medieval coins and currency system of Orissa (1986) page 70-183.

୮.

Mishra, Dr. Baba & Mohanty, Dr. Pradeep- op.cit. page 4-6

୯.

Ibid, page 4-13.

୧୦.

Sahu, Dr. N.K., Mishra, Dr. P. K. & Sahu, Dr. J.K.- History of Orissa (1985), page,200.

୧୧.

“କଦାଚିତ୍ କାଳିନ୍ଦୀ-ତଟ-ବିପିନ ସଂଗୀତ କବରୋ

ମୁଦାଭୀରୀନାରୀ-ବଦନ-କମଳା ସ୍ଵାଦମଧୁପଃ ।

ରମା-ଶମ୍ଭୁ-ବ୍ରହ୍ମାମରପତି-ଗଣୋଶାର୍ଚ୍ଚିତ-ପଦୋ

ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁମେ ।” ୧ ।

ଶ୍ରୀ ଶଙ୍କରାଚାର୍ଯ୍ୟ- ଜଗନ୍ନାଥାଷ୍ଟକମ୍ ।

ମହାପାତ୍ର, ଜ୍ୟୋତିଷ ବିଶାରଦ ବାଇକୋଳି- ନିତ୍ୟକର୍ମ ଦର୍ପଣ (୨ୟ ଭାଗ), ପୃ-୧୦୯ ।

୧୨.

ମହାପାତ୍ର, ଡଃ ଗୋପୀନାଥ- ସଂସ୍କୃତ ସାହିତ୍ୟର ଇତିହାସ । (୧୯୮୮), ପୃ-୧୦୫, ୧୨୩-୧୨୫ ।

୧୩.

ବାଲ୍ମୀକି- ଶ୍ରୀମଦ୍ ବାଲ୍ମୀକୀୟ ରାମାୟଣମ୍ (ଅରଣ୍ୟ କାଣ୍ଡମ୍) । ୪୨, ୪୩ ଓ ୪୪ ସର୍ଗଃ, ପୃ ୫୮୪-୫୯୦ । ୪ର୍ଥ ସଂସ୍କରଣ, ଗୀତାପ୍ରେସ୍ ।

୧୪.

 

୧୪.

ଝଙ୍କାର, ୪୭ଶ ବର୍ଷ : ୩ୟ ସଂଖ୍ୟା, ଜୁନ୍ ୧୯୯୫ । ନବଗୁଞ୍ଜର (୧)- ଡଃ. ସ୍ମିତା ମହାନ୍ତି । ପୃ.- ୨୯୫ ।

୧୫.

ଝଙ୍କାର, ୪୭ଶ ବର୍ଷ : ୫ମ ସଂଖ୍ୟା, ଅଗଷ୍ଟ-୧୯୯୫ । ନବଗୁଞ୍ଜର (୨)- ଡଃ ସ୍ମିତା ମହାନ୍ତି- ପୃ-୫୨୩ ।

୧୬.

ଝଙ୍କାର, ୪୭ଶ ବର୍ଷ : ୩ୟ ସଂଖ୍ୟା- ତତ୍ରୈବ, ପୃ ୨୯୫ ।

୧୭.

ଝଙ୍କାର, ୪୭ଶ ବର୍ଷ : ୫ମ ସଂଖ୍ୟା- ତତ୍ରୈବ, ପୃ ୫୨୨-୫୨୩ ।

୧୮.

ଆଚାର୍ଯ୍ୟ, ଡଃ. ଦାଶରଥି- କଳାହାଣ୍ଡିର ଲୋକକଥା । (୨୦୦୦), ପୃ ୩୦-୩୪ ।

୧୯.

ମହତାବ, ଶ୍ରୀ ହରେକୃଷ୍ଣ – ଓଡ଼ିଶା ଇତିହାସ । (୧୯୪୮) ପୃ ୧୧୬ ।

 

 

*ବରିଷ୍ଠ ଅଧ୍ୟାପକ,

ସ୍ନାତକୋତ୍ତର ଇତିହାସ ବିଭାଗ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଭବାନୀପାଟଣା, କଳାହାଣ୍ଡି-୭୬୬୦୦୧

* ବରିଷ୍ଠ ଅଧ୍ୟାପକ,

ଓଡ଼ିଆ ବିଭାଗ ଜେ.କେ.ମହାବିଦ୍ୟାଳୟ, ରିଷିଡ଼ା

କଳାହାଣ୍ଡି-୭୬୬୦୩୧

 

 

***

 

Unknown

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ପଶୁପକ୍ଷୀ ପ୍ରସଙ୍ଗ

ଗଣେଶ ପ୍ରସାଦ ସାହୁ

 

ମନୁଷ୍ୟ ଓ ପଶୁପକ୍ଷୀଙ୍କ ସମ୍ପର୍କ ବହୁ ପ୍ରାଚୀନ । ପ୍ରାଣୀ ଜଗତର ଉଦ୍‌ବର୍ତ୍ତକ ମଧ୍ୟରେ ମନୁଷ୍ୟର ବିକାଶ ପଶୁପକ୍ଷୀଙ୍କ ତୁଳନାରେ ଅଧିକତର । ବାକ୍‌କ୍ଷମ ପରି ଗୁଣଟିଏ ପାଇ ମନୁଷ୍ୟ ଏକ ସ୍ୱତନ୍ତ୍ର ପର୍ଯ୍ୟାୟକୁ ଚାଲିଆସିଛି । କିନ୍ତୁ ସାହିତ୍ୟ ଅନୁଧ୍ୟାନରୁ ଜଣାଯାଏ ଅଦ୍ୟାବଧି ଉକ୍ତ ଦୁଇଗୋଷ୍ଠୀର ସମ୍ପର୍କ ନିବିଡ଼ତର । ଯଦିଓ ଏକ ଆରେକ ନିକଟରେ କିଛି ପରିମାଣରେ ଅବ୍ୟକ୍ତ ଓ ଅପ୍ରକାଶକ୍ଷମ । ତେବେ ପଶୁପକ୍ଷୀଙ୍କ ଯେଉଁ ସମ୍ପର୍କ ମାନବ ସହ, ତାହା ସ୍ୱାର୍ଥକୈନ୍ଦ୍ରିକ ଥିଲା । ଦୈନନ୍ଦିନ କର୍ମ ନିର୍ବାହର ପଶୁପକ୍ଷୀ ଥିଲେ ଗୋଟିଏ ଗୋଟିଏ ଆବଶ୍ୟକ ଅସ୍ତିତ୍ୱ । ଅନେକ କ୍ଷେତ୍ରରେ ବିଶେଷ କରି ଲୋକ ସାହିତ୍ୟରେ ପଶୁପକ୍ଷୀ ମନୁଷ୍ୟ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ-। ତା ବିନା ମନୁଷ୍ୟ ଆଶାହୀନ, ଗତିହୀନ ।

 

ମନୁଷ୍ୟର ଚିତ୍ତବୃତ୍ତିକୁ ବିଶ୍ଳେଷଣ କରିବାକୁ ଯାଇ ବିଶ୍ଵସାହିତ୍ୟରେ ଚେକଭ, ମୋପାଁସାଁ, ଅସ୍କାର ୱାଇଲଡ୍ ଓ ହେନେରୀ, ଡି.ଏଚ୍. ଲରେନ୍ସ ପ୍ରମୁଖ ଶିଳ୍ପୀ ବହୁ ଉଚ୍ଚକୋଟୀର ପଶୁପକ୍ଷୀ ସମ୍ୱନ୍ଧୀୟ ସାହିତ୍ୟ ସୃଷ୍ଟି କରିଛନ୍ତି । ଏ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟରେ ପଶୁପକ୍ଷୀର ଗୁରୁତ୍ୱ ରହିଛି । ସମଗ୍ର ବିଶ୍ୱ ସାହିତ୍ୟରେ ପଶୁପକ୍ଷୀକୁ ନେଇ ସାହିତ୍ୟ ସୃଷ୍ଟି ହୋଇଛି । ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟରେ ତାର ଆବେଦନ ଥିଲା ଭିନ୍ନ । ସାମୟିକ ଆନନ୍ଦ ଓ ସେମାନଙ୍କ ଜୀବନକୁ ନିରୀକ୍ଷଣ କରିବା ଅବସରରେ କିଛି ନୀତିକଥା କହିବା ସାହିତ୍ୟିକ ଉଦ୍ଦେଶ୍ୟ ଥିଲା । କିନ୍ତୁ ଆଧୁନିକ ଯୁଗରେ ଏହି ମାନବେତର ଚରିତ୍ରମାନଙ୍କ ମଧ୍ୟ ଦେଇ ସାହିତ୍ୟିକ ସମଗ୍ର ବିଶ୍ୱମାନସର ସ୍ୱରୂପକୁ ଉଦ୍‌ଘାଟନ କରିବାକୁ ଚେଷ୍ଟା କରିଛି । ଏହାଦ୍ଵାରା ଦରଦୀ ହୃଦୟର ପ୍ରାଣୀ ପ୍ରତି ଥିବା ସମବେଦନା ପ୍ରକାଶ ପାଇଛି ଓ ସେହି ସୂକ୍ଷ୍ମଚେତନାକୁ ପ୍ରାଣୀଜଗତ ମଧ୍ୟଦେଇ ମାନବିକ ସତ୍ୟକୁ ଆବିଷ୍କାର କରିଛି । ପଶୁପକ୍ଷୀ ସହ ମଣିଷର ସମ୍ପର୍କ ଯୁଗ ଯୁଗର ସମ୍ପର୍କ । ପ୍ରାଚୀନ ଜାତକଗଳ୍ପ, ପଞ୍ଚତନ୍ତ୍ର, ହିତୋପଦେଶ, ବୃହତକଥା ପ୍ରଭୃତିରେ ପଶୁପକ୍ଷୀର ବର୍ଣ୍ଣନା ରହିଛି । ପ୍ରତିବେଶୀ ବଙ୍ଗଳା କବିତାରେ ରବୀନ୍ଦ୍ରନାଥ ଠାକୁରଙ୍କ ବାଘ, ପେଁଚା, ଦୁଇପାକ୍ଷୀ, ଜୀବନାନନ୍ଦ ଦାସଙ୍କ ହାୟ ଚିଲ, ବୁଦ୍ଧଦେବ ବସୁଙ୍କ ଦୁଇ କୁକୁର, ଇଲିସି, ଅମିୟ ଚକ୍ରବର୍ତ୍ତୀଙ୍କ ପିମ୍ପଡ଼େ, ସୁଭାଷ ମୁଖୋପାଧ୍ୟାୟଙ୍କ ଏକ ମାଙ୍କଡ଼ସା ଠାରୁ ମୋଁଷା, ଛାଗଲ ଭେଡ଼ା, ପ୍ରେମେନ୍ଦ୍ର ମିତ୍ରଙ୍କ ପାଖୀ, ହରିଣ, ଏକଟି ମାଙ୍କଡ଼ସା, ହରିଣ ଚିତା ଚିଲ (କ.ସଂ.), ସୁଧୀନ୍ଦ୍ରନାଥ ଦତ୍ତଙ୍କ ଭଟପାଖୀ, କୁକ୍କୁଟ, ଶକ୍ତି ଚଟ୍ଟୋପାଧ୍ୟାୟଙ୍କ ହଲୁଦ ସିଂହ, ଡାଇନୋସରେର ଫସିଲ, ଜୟ ଗୋସ୍ୱାମୀଙ୍କ ଜନ୍ତୁ, ପାଖୀ ଆମାକେ ଡାକେ, ଆଜ ଏକଟା ଅଜଗର ଇତ୍ୟାଦି କବିତା ବଙ୍ଗଳା କବିତାରେ ପଶୁପକ୍ଷୀର ଗୁରୁତ୍ୱକୁ ଜାହିର କରିଛନ୍ତି । କବିତା ଗୁଡ଼ିକରେ ସାମୂହିକ ଭାବେ ରୋମାଣ୍ଟିକ ମନନ, ବାସ୍ତବବାଦୀ ଦୃଷ୍ଟି ସହ ମାନବବାଦୀ କଥା ପ୍ରକାଶ ପାଇଛି ।

 

ଗଳ୍ପ, ଉପନ୍ୟାସ, ନାଟକ, କବିତା, ଭ୍ରମଣ କାହାଣୀ, ଆତ୍ମଜୀବନୀ ଆଦିରେ ପଶୁପକ୍ଷୀ ଚାରିତ୍ରିକ ଉପାଦାନ ହୋଇଛନ୍ତି । ଆଲୋଚନାର ବିଶେଷତା ଦୃଷ୍ଟିରୁ ଏଠାରେ କେବଳ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ପଶୁପକ୍ଷୀଙ୍କ ପ୍ରସଂଗକୁ ଆଲୋଚନା କରାଯାଇପାରେ । ସାହିତ୍ୟର ଅନ୍ୟ ବିଭାଗ ତୁଳନାରେ କବିତାରେ ପଶୁପକ୍ଷୀଙ୍କ ଭାବବିସ୍ତାର ନିମନ୍ତେ ସୁଯୋଗ ନଥିଲେ ମଧ୍ୟ ଗୁରୁତ୍ୱ ରହିଛି । କେବଳ କେତେକ ଜୀବନ ପଦ୍ଧତି ଓ ନାମ ଉତ୍‌ଥାପନ ମଧ୍ୟରେ ସେମାନଙ୍କ ଗୁରୁତ୍ୱ ପ୍ରକାଶ ପାଇଛି । କବି ପକ୍ଷରେ ପ୍ରତୀକ, ଚିତ୍ରକଳ୍ପ, ବ୍ୟଙ୍ଗ, ଅନ୍ତର୍ନିହିତ ଭାବାବେଗ ପ୍ରକାଶ ବ୍ୟତୀତ ଅନ୍ୟ ସୁଯୋଗ ଏଥିରେ ନାହିଁ କହିଲେ ଚଳେ । ମାନବଠାରୁ ପଶୁପକ୍ଷୀ ମାନବୀୟ ବିଚାରଧାରା, ନିଃସ୍ୱାର୍ଥପରତା, ଯନ୍ତ୍ରଣାକାତରତା ଓ ଆତ୍ମୀୟତାର ସ୍ଥାନ ବହୁ ଉଚ୍ଚରେ । ପ୍ରସଂଗ କ୍ରମେ କବିତାରେ ଏହି ମାନବେତରମାନେ ପ୍ରତୀକ ଭାବରେ ଗୃହୀତ ହେବା ସହ ମୁଖ୍ୟ ଓ ଗୌଣ ଚରିତ୍ର ଭାବେ ଚିତ୍ରିତ ହୋଇଛନ୍ତି । ଏହି ଚାରିତ୍ରିକ ମହନୀୟତାର ପରିପ୍ରକାଶ ତଥା ପରିପ୍ରଚାର ପାଇଁ ଶିଳ୍ପୀ ପ୍ରାଣୀଜଗତକୁ ଆଧାର କରିଛି ।

 

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ଭାବସ୍ପଷ୍ଟ ନିମନ୍ତେ କବି ଏହି ପଶୁପକ୍ଷୀଙ୍କ ଆଶ୍ରୟ ଲୋଡ଼ିଛନ୍ତି । ଆଧୁନିକ ଭାବରେ ଏହି ପଶୁପକ୍ଷୀ ଏକ ଏକ ସମଷ୍ଟିଗତ ଭାବନାର ବାହକ । ତାରି ମଧ୍ୟରେ ମନୁଷ୍ୟର କର୍ମଦ୍ୟୋତନା ପ୍ରକାଶ ପାଏ ଏବଂ ତାହା ଭଲ ବା ମନ୍ଦ ହୋଇପାରେ । ଅନୁଧ୍ୟାନରୁ ଦେଖାଯାଏ କବିଙ୍କ ପକ୍ଷରେ ଏମାନେ ଏତେ ଅନ୍ତରଙ୍ଗ ମାଧ୍ୟମ ହୋଇଯାଇଛନ୍ତି ଯେ କବିତାର ଭାବ, ଶିରୋନାମା, କବିତା ସଂକଳନର ନାମ ଓ ପ୍ରଚ୍ଛଦରେ ଏମାନଙ୍କୁ ସ୍ଥାନ ଦେବାକୁ କବି ମନସ୍ଥ କରିଛି । ୧୯୫୦ ପରବର୍ତ୍ତୀ ଓଡ଼ିଆ କବିତା ଆଲୋଚନା କରିବା ପୂର୍ବରୁ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଓଡ଼ିଆ କବିତାକୁ ସାମାନ୍ୟ ଦୃଷ୍ଟିପାତ କରାଯାଇପାରେ ।

 

ମନୁଷ୍ୟର ଗୁରୁତ୍ୱ ଓ ଚରିତ୍ରର ପରିପୁଷ୍ଟି ନିମନ୍ତେ ପଶୁପକ୍ଷୀଙ୍କୁ କବିତାରେ ବ୍ୟବହାର କରି ଆଧୁନିକ କବି ମାନସିକ କଳ୍ପନାର ଜୟଧ୍ୱନି ଉଡ଼ାଇଛି । ପଶୁପକ୍ଷୀଙ୍କୁ ନେଇ ପୃଥିବୀରେ ଅନେକ ସାହିତ୍ୟ ସୃଷ୍ଟି ହୋଇଛି । ତାକୁ ଆଶ୍ରୟ କରି ଉକ୍ତ ସାହିତ୍ୟ ସୃଷ୍ଟିର ପରମ୍ପରା ଯଥେଷ୍ଟ ପ୍ରାଚୀନ । ପଶୁପକ୍ଷୀଙ୍କ ଚରିତ୍ର ମଧ୍ୟରେ ମାନବିକ ଚରିତ୍ରର ବୈଶିଷ୍ଟ୍ୟ ଓ ବିକାଶ ପ୍ରଦର୍ଶନ କରିବା ଏ କ୍ଷେତ୍ରରେ ସ୍ରଷ୍ଟାମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିବେଚିତ । କାବ୍ୟଜଗତରେ ମଧ୍ୟ ସାମୟିକ ଭାବରେ ଭାରତୀୟ ତଥା ବିଦେଶୀ ସାହିତ୍ୟରେ ପଶୁପକ୍ଷୀଙ୍କୁ ଆଧାର କରି ସେମାନଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ଓ ବିଭବର ଚିତ୍ର ପ୍ରଦାନ କରାଯାଇଛି । ଓଡ଼ିଆ ସାହିତ୍ୟରେ ଜନପ୍ରିୟ ଗାଥା ‘ବଉଳା ଗାଈ’, ବ୍ୟାସକବି ଫକୀରମୋହନଙ୍କ ‘ବିରହୀ ହଳଦୀ ବସନ୍ତ’ ଓ ନନ୍ଦକିଶୋର ବଳଙ୍କ ‘କାକବାରତା’ ପଶୁପକ୍ଷୀଙ୍କୁ କେନ୍ଦ୍ର କରି ରଚିତ । ରାଧାମୋହନ ଗଡ଼ନାୟକଙ୍କ ‘ପଶୁପକ୍ଷୀର କାବ୍ୟ’ କବିତା ସଂକଳନର ଅନେକ କବିତା ଏହି ଜାତୀୟ । ରଘୁନାଥ ଦାସଙ୍କ ମାର୍କସୀୟ ଚିନ୍ତାକୁ ପ୍ରକାଶ କରିବା ନିମନ୍ତେ ଜଟାୟୁ, ଗାଈ ଆଦିର ପ୍ରତୀକ ବ୍ୟବହାର କରିଛନ୍ତି । ସିଂହ, ବାଘ, ଅଶ୍ୱ, ହାତୀ, ଗାଈ, ସାପ, କପୋତ, ବେଙ୍ଗ, ହଂସ ପ୍ରଭୃତି ପଶୁପକ୍ଷୀଙ୍କୁ ଅବଲମ୍ବନ କରି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରେ ଅନେକ କବିତା ରଚନା କରାଯାଇଛି ।

 

ପୂର୍ବରୁ କୁହାଯାଇଛି ଭାବଧାରା ବ୍ୟତୀତ ଅନ୍ୟ ତିନୋଟି ଧାରାରେ ପଶୁପକ୍ଷୀ ଆଧୁନିକ କବିତା ମଧ୍ୟକୁ ଆସିଛନ୍ତି । ସେ ତିନୋଟି ଧାରାର କବିତା ମଧ୍ୟରୁ କବିତା ଶିରୋନାମା ଓ ଭାବଧାରାକୁ ଗୋଟିଏ ପର୍ଯ୍ୟାୟରେ ଆଲୋଚନା କରାଯିବ ଏବଂ ସଂକଳନର ନାଁ ଓ ପ୍ରଚ୍ଛଦର ଆଲୋଚନା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ହେବ ।

 

କବି ସଚ୍ଚିଦାନନ୍ଦ ରାଉତରାୟଙ୍କ କାବ୍ୟ ଜୀବନ ସହ ‘ବାଘ’ର ସମ୍ପର୍କ ନିବିଡ଼ତର । ତାଙ୍କ ବାଲ୍ୟଜୀବନ ସହ ବାଘ ଯୋଡ଼ିତ । ବାଘର ମଖମଲ ଦେହ ଦେଖି କବିଙ୍କ ମନେ ପଡ଼ିଛି ପିତୃ ପୁରୁଷଙ୍କ ବାଘ ଶିକାର କାହାଣୀ ଓ ମନ୍ତ୍ରବଳରେ ସେମାନେ କିପରି ଜମି ବାଘଦ୍ୱାରା ଚାଷ କରୁଥିଲେ । ବାଘକୁ ପରାନ୍ନଭୋଜୀ ଅପେକ୍ଷା ଗହନ ବନରେ ଦେଖିବାକୁ କବି ଇଚ୍ଛା କରନ୍ତି । ସେ ପଶୁରାଜ ଅରଣ୍ୟରେ ରାଜତ୍ଵ କରି କେଉଁ ନଟି ମଧ୍ୟରେ ମୃତ୍ୟୁବରଣ କରେ । ବାଘ ଅଧା ପଶୁ ଓ ଅଧା ମଣିଷ । ତାକୁ ଧର୍ମ ଅଧର୍ମ ଜଣା । ସେ ହିଁ ଖମ୍ୱରୁ ବାହାରି ଦୈତ୍ୟର ଅନ୍ତନାଡ଼ିକୁ ବିଦାରଣ କରିଥିଲେ । ସେହିପରି କବିଙ୍କର ‘ମହୁମାଛି’ ସହ ଭାବ ଖୁବ୍ ଅନ୍ତରଙ୍ଗ । ଜୀବନର ପୂର୍ଣ୍ଣ ରୂପକୁ କବିତା ମଧ୍ୟରେ ଲକ୍ଷ୍ୟ କରିଛନ୍ତି । ଜୀବନର ଉତ୍ଥାନ, ପତନ, ଷଡ଼ଋତୁର ଅନୁଭବ, ନୃତ୍ୟ, ଗୀତ ଓ ମୃତ୍ୟୁକୁ ଧାରଣ କରିଥିବା ମହୁମାଛି ତାଙ୍କ ଝରକା ପାଖକୁ ଯାଇ ଜୀବନ ସମ୍ପର୍କରେ କବିଙ୍କୁ ସଚେତନ କରିଛି ।

 

ସୀତାକାନ୍ତ ମହାପାତ୍ରଙ୍କ ‘ଚିତ୍ରନଦୀ’ ସଂକଳନର ଚଢ଼େଇ ଓ ପ୍ରଜାପତିର ମୃତ୍ୟୁ କବିତା ଦୁଇଟି ମୃତ୍ୟୁ ସଂପର୍କିତ କବିତା । ଏଥିରେ କବି ରୂପକ ମାଧ୍ୟମରେ ଲୋକବିଶ୍ୱାସକୁ କବିତା ମଧ୍ୟରେ କହିଛନ୍ତି । ଚଢ଼େଇ ହେଉଛି ମଣିଷର ଆତ୍ମା । ପଞ୍ଚସଖା ଯୁଗରେ ଶୂନ୍ୟବାଦୀମାନେ ମଣିଷର ଜନ୍ମମୃତ୍ୟୁକୁ ନାନା ଭାବେ ନିଜ ନିଜ ଦୃଷ୍ଟି ଦେଇଛନ୍ତି । ଆତ୍ମା ଅମର ଓ ଶରୀର କ୍ଷୟଶୀଳ-। ତେଣୁ ସେହି ଆତ୍ମାର ସତ୍ ଉପଯୋଗ ନିମନ୍ତେ ନାନା ତତ୍ତ୍ୱକଥା କବି କହିଛନ୍ତି । ପରମ ଆତ୍ମାର ଅଂଶରୁ ମଣିଷ ମଧ୍ୟରେ ସ୍ଥାନ ପାଇଥିବା ଆତ୍ମାକୁ ଜୀବନକାଳ ମଧ୍ୟରେ ଯେ ଚିହ୍ନି ନ ପାରିଲା ତାର ଜୀବନର ସାର୍ଥକତା ନାହିଁ ବୋଲି କବି ସୀତାକାନ୍ତ ମନେକରନ୍ତି । ସଂସାରର ନାନା ମିଥ୍ୟାଚାର ଓ ମାୟା ମଧ୍ୟରେ ଘାଣ୍ଟି ହୋଇ ନିଜ ମନ ଶରୀରକୁ ମଣିଷ କଳୁଷ କରିଥାଏ । ମଣିଷ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଅନ୍ୟ ପ୍ରାଣୀ ମଧ୍ୟରେ ଥିବା ଆତ୍ମାକୁ ଚିହ୍ନିବାକୁ ହେବ ଓ ତାର ସ୍ଥିତି ବୁଝିବାକୁ ହେବ ବୋଲି କବି ମନେକରନ୍ତି । କବିଙ୍କ ଭାଷାରେ- “ଏମିତି ଚଢ଼େଇ ଦେଖି କଣ ବା ଜାଣିଲୁ / ଆକାଶରେ ଦେଖି ତାକୁ ଯଦି ନ ବୁଝିଲୁ / କୁଆଡ଼େ ସେ ଯାଉଅଛି କା ଘରକୁ / କେତେଦୂର କେଉଁ ପଞ୍ଜୁରୀକୁ ।” ୧ ପ୍ରଜାପତିର ମୃତ୍ୟୁରେ ସଂସାର ଜନ କେବଳ ମାୟାସର୍ବସ୍ୱ ହୋଇ କାଳ ବୋବାଳି କରନ୍ତି । ପେଟ ଚାଖଣ୍ଡକ ପାଇଁ ନାନା କୁକାର୍ଯ୍ୟ କରିବା ପରେ ଶରୀର ମଧ୍ୟରେ ଥିବା ଆତ୍ମା ପୁଣି ଆସିଥିବା ଈଶ୍ଵର ସତ୍ତା ମଧ୍ୟକୁ ଫେରିଯାଏ । ‘ସମୁଦ୍ର’ କବିତା ସଂକଳନର ‘କଇଁଛର ଗୀତ’ କବିତାରେ ସୀତାକାନ୍ତ ପରମାତ୍ମାଙ୍କ ଅବସ୍ଥିତିକୁ ନିଜର କାଳ୍ପନିକ ଦୃଷ୍ଟିରେ ରୂପ ଦେଇଛନ୍ତି । ସେ ଈଶ୍ୱର ସତ୍ତା କବି ଦୃଷ୍ଟିରେ ରାଜଧାନୀ । ତା ଚାରିପାଖରେ ଗଡ଼ଖାଇ । ସେହି ଗଡ଼ଖାଇ ପାଣି ଘେରରେ ଜ୍ୟୋତିବ୍ରହ୍ମ ସିଂହାସନର ଅବସ୍ଥିତି । ସେ ହିଁ ପରମ ସର୍ବୋତ୍ତମ ଆତ୍ମସତ୍ତା ଅଜର, ଅମର, ଅକ୍ଷୟ ଓ ସ୍ଥିର । ଜୀବନରେ ବାକି ସବୁ ଅଜଣା, ଅଚିହ୍ନା । ତେଣୁ ମଣିଷ କଇଁଛ ହୋଇ ଈଶ୍ଵରଙ୍କୁ ପ୍ରାର୍ଥନା କରିଛି ମିଛମାୟା ସଂସାରୁ ଉଦ୍ଧାର କରିବା ପାଇଁ ।

 

୧.

ମହାପାତ୍ର ସୀତାକାନ୍ତ, ଚିତ୍ରନଦୀ, କଟକ ଷ୍ଟୁଡେଣ୍ଟ୍ ଷ୍ଟୋର, ୧୯୭୯, ପୃ-୧୩

 

କବି ରମାକାନ୍ତ ରଥ ଜୀବନର ପ୍ରବାହ ମଧ୍ୟରେ ନିଜକୁ ଲାଲ୍ ମାଛ ମନେକରିଛନ୍ତି । ତାଙ୍କର କର୍ମକ୍ଷେତ୍ର ବସ୍‌ଷ୍ଟାଣ୍ଡରୁ ଆତ୍ମୀୟ ସ୍ଵଜନ ପର୍ଯ୍ୟନ୍ତ ଲମ୍ବିଛି । ତାରି ମଧ୍ୟରେ କବି ନାନା ବିପତ୍ତି ଓ ସମସ୍ୟାକୁ ସମ୍ମୁଖୀନ ହୋଇଛନ୍ତି । ସମାଜପତିମାନେ ନିରୀହ ମଣିଷକୁ ଗ୍ରାସ କରିଯାଆନ୍ତି । ପୁଣି ଅତୀତ ବର୍ତ୍ତମାନ ମଧ୍ୟକୁ ପଶିଆସିଛି । ତେଣୁ ଆତ୍ମମୁଖୀ କବି ଲାଲ୍ ମାଛ ସାଜିଛନ୍ତି ଓ ଇଚ୍ଛା ପ୍ରକାଶ କରିଛନ୍ତି ଅତୀତ ଓ ବର୍ତ୍ତମାନର ରୂପକୁ ଏକାସାଂଗରେ ଦେଖିବାକୁ । ବଡ଼ମାଛ, ଲାଲ୍ ମାଛ ଏଠାରେ ମଣିଷର ପ୍ରତୀକ ହୋଇଆସିଛନ୍ତି । କବି ରଥଙ୍କ ଅନ୍ୟ ଏକ ସଫଳ କବିତା ‘ବାଘଶିକାର’-। ବାଘ ଏଠାରେ ମଣିଷର ଆତ୍ମସତ୍ତା । ସଚେତନତା, ବିଶୃଙ୍ଖଳା ଆଦି ନାନା ସତ୍ତାର ପ୍ରତୀକ ହୋଇଛି । ଏହି ବାଘ ସତ୍ତାର ଅଧିକାରୀ ହୋଇ ମଣିଷ ଯେକୌଣସି କାର୍ଯ୍ୟକୁ ନିର୍ବାହ କରିପାରେ-। ଅନ୍ୟାୟ ଅତ୍ୟାଚାର କରିପାରେ, ଭାଗବତୀୟ ଚିନ୍ତା ପ୍ରତି ଆକୃଷ୍ଟ ହୋଇ ଆତ୍ମାର ସତ୍ ଉପଯୋଗ କରିପାରେ, ହସଖୁସିରେ ଜୀବନ ଅତିବାହିତ ମଧ୍ୟ କରିପାରେ । ତେଣୁ ଜୀବନର ନାନା ଦିଗକୁ ବାଘସତ୍ତାଟି ନିୟନ୍ତ୍ରଣ କରିଥାଏ । ଏଠାରେ କେଉଁଟି ଭଲ ବା ମନ୍ଦ ତାହା କବି କହୁ ନାହାନ୍ତି । ନିଜ ଇଚ୍ଛାମତେ ଏହି ବାଘକୁ ମଣିଷ ଶିକାର କରି ଉପଯୋଗ କରିଥାଏ । କିନ୍ତୁ ମଣିଷ ସର୍ବଶେଷରେ ସଚେତନ ନ ହେଲେ ମଧ୍ୟ ନିଜେ ବାଘ ତାକୁ ଶିକାର କରିନିଏ । ନାନା ଉପଭୋଗ, ଅନ୍ୟାୟ ଅତ୍ୟାଚାର ପରେ ଉପଯୋଗୀ ଓ ଅତ୍ୟାଚାରୀ ସଭିଏଁ ସେ ବାଘର ଶିକାର ଅଧୀନସ୍ଥ । ତାର ସ୍ଥିତି ସମ୍ପର୍କରେ ରମାକାନ୍ତ କହନ୍ତି-

“ଦେହସାରା ଛକ ଛକ ଗାଢ଼ ଲାଲ୍ ପଟାମାନଙ୍କର

ପାଲିସ କାଠର ପିଣ୍ଡା ଉପରୁ ସେ ଚାହେଁ ଯେ ଦୂରରେ

ଲୋକଙ୍କ ଗହଳି କେଉଁ ପାହାଡ଼ର ମାଣ୍ଡିଆ-କ୍ଷେତରେ ।”୨

 

‘ଶାଗୁଣା’ ରମାକାନ୍ତଙ୍କ ଦୃଷ୍ଟିରେ ମୃତ୍ୟୁ । ଗାଁର ନିମଗଛରେ ବସି ସମସ୍ତଙ୍କୁ ପରଖୁ ଥାଏ-। ତା’ର ଭୋଗର ବଳୟ ମଧ୍ୟରେ ପ୍ରତିଟି ମାନବ ଦିନେ ନା ଦିନେ ଆଧାର ହେବେ । ତାଙ୍କ ଭାଷାରେ–

 

“ଶାଗୁଣାର ଅପ୍ରମିତ ଭୋକ

ନିଶ୍ଚୟ ଦିନେ ନା ଦିନେ

ପାଇବ ତା ମାଂସର ସୁରାକ

ତାପରେ ସେ ମୂକ ହେବ, ଅଥଚ ବାତୁଳ

ଚମଡ଼ାରେ ଲାଗିଥିବ ମୃତ୍ୟୁର ମୋହର ।”୩

 

କବି ଭାନୁଜୀ ରାଓଙ୍କ କବିତାରେ ଏହି ମାନବେତର ପ୍ରାଣୀଙ୍କ ସମାବେଶ ଘଟିଛି । ମାଛ, ଚଢ଼େଇ, ହସ୍ତୀଦର୍ଶନ, ବିଲେଇ, ସାପ, ମଶା, ବାଘ ଇତ୍ୟାଦି ଶିରୋନାମାରେ କବି କବିତା ଲେଖିଛନ୍ତି । କବିଙ୍କ ସହ ଏମାନଙ୍କ ସମ୍ପର୍କର ପୃଷ୍ଠଭୂମିରେ ଏହି ଚରିତ୍ର ସବୁ ଅନେକାଂଶରେ ଦାର୍ଶନିକ ଜିଜ୍ଞାସାକୁ ପ୍ରତିଫଳିତ କରିଛନ୍ତି । ଏମାନଙ୍କ ମଧ୍ୟରେ ଭାନୁଜୀ ଅନ୍ୱେଷଣ କରିଛନ୍ତି ଜୀବନର ଅର୍ଥ । ବିଲେଇ କବିଙ୍କ ଅନ୍ତରଙ୍ଗ ବନ୍ଧୁଟିଏ ଯେ କବିଙ୍କୁ ଅଭିବାଦନ ଜଣାଇ ଲାଙ୍ଗୁଡ଼ିଟିକୁ

 

୨.

ରଥ ରମାକାନ୍ତ, ଅନେକ କୋଠରି, ଅଗ୍ରଦୂତ, ୧୯୯୭, ପୃ-୧୩

୩.

ରଥ ରମାକାନ୍ତ, ସପ୍ତମ ଋତୁ, ଅଗ୍ରଦୂତ ୧୯୮୭(୭୭), ପୃ-୮୨

 

ପ୍ରଶ୍ନଚିହ୍ନ କରିଦିଏ । ‘ହାୟ ଚିଲ’ କବିତାରେ କବି ଚିଲ ପରି ଦୁଃଖୀ ମଣିଷଟିଏ । କବିଙ୍କ ଭାଷାରେ- “ମୁଁ ମଧ୍ୟ ଏ: ଚିଲ ପରି / ଏକାନ୍ତ ଏକାକୀ / ମୁଁ ବି ଖୋଜୁଛି ମୋ / ହୃଦୟର ଦୋସରକୁ / ଯାହାକୁ ମୁଁ ଆଜିଯାଏଁ / ପାଇ ନାହିଁ ଖୋଜି ।” ୪

 

କବି ଗୋପାଳଚନ୍ଦ୍ର ମିଶ୍ରଙ୍କ ‘କପୋତ ଡେଣାର ଛାଇ’ ସଂକଳନରେ ‘ବ୍ୟାଘ୍ର’ ଓ ‘କପୋତ ଡେଣାର ଛାଇ’ ଶିରୋନାମାରେ ଦୁଇଟି କବିତା ରହିଛି । କବି ସଂକଳନର ମୁଖବଂଧରେ କହିଛନ୍ତି- “କପୋତ ପକ୍ଷୀ ତାର ଡେଣାର ଛାଇରେ ଯୁଦ୍ଧଖୋର ଧ୍ଵସ୍ତବିଧ୍ଵସ୍ତ ପୃଥିବୀକୁ ଆଶ୍ରୟ ଦେବା ପାଇଁ ଆଜି ଭାସିଚାଲିଛି ।” ଏକ ନୂତନ ଅଭିଜ୍ଞତା, ନୂତନ ପ୍ରତୀକ, ନୂତନ ଚିତ୍ରକଳ୍ପ ତଥା ମାନସିକ ଭଂଗୀ ଏକକ କବିତାରେ ସ୍ପଷ୍ଟ । ମଣିଷ ତାର ଶାନ୍ତି ପାଇଁ ବ୍ୟାକୁଳ । ଯୁଦ୍ଧ ବିରୋଧରେ ଚିତ୍କାର ମଣିଷକୁ ସହାନୁଭୂତି ଦେଖାଇ ମଣିଷ ରୂପରେ ଚିହ୍ନାଇ ଦେବାର ଆନ୍ତରିକତାରେ ଆଜି ରାଷ୍ଟ୍ର ତଥା ମଣିଷ ଆଶ୍ଚର୍ଯ୍ୟ । କପୋତ ଡେଣାର ଛାଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସଭ୍ୟତାର ବିପର୍ଯ୍ୟୟକୁ ଦୂର କରିବାରେ ଚେଷ୍ଟା କରିଛି । ଯୁଦ୍ଧର ସବୁ କରୁଣ ସ୍ମୃତିରେ କପୋତ ନିଜର ଡେଣାକୁ ଶକ୍ତିଶାଳୀ କରିଛି । କପୋତକୁ ଶାନ୍ତି, ସୌହାର୍ଦ୍ଦ୍ୟର ପ୍ରତୀକ କରିବାରେ କବି କହନ୍ତି-

 

“ନିଦାଘର ତୃଷ୍ଣା ତୁଲେ ଧରିତ୍ରୀର କଣ୍ଠ ଶୁଖିଗଲେ

ସେ କପୋତ ପଦ୍ମପୁଷ୍କରିଣୀ ଖୋଜି ଆଣିଦିଏ ପ୍ରାଣ ସଂଜୀବନୀ

+      +      +

କପୋତର ଡେଣା ତଳେ ନୂଆପର କଅଁଳି ଉଠଇ

ଅଗ୍ନେୟଗିରି ଦଗ୍ଧ ମୃତ୍ତିକାକୁ ଦେବା ପାଇଁ ସାନ୍ତ୍ୱନାର ଛାଇ ।” ୫

 

‘ବ୍ୟାଘ୍ର’ କବିତାରେ ମଣିଷକୁ ବ୍ୟାଘ୍ରଠାରୁ ହିଂସ୍ର ବୋଲି କବି ମନେକରିଛନ୍ତି । ହିଂସ୍ର ଓ ନୃଶଂସ କେବଳ ସଭ୍ୟ ମଣିଷ ହିଁ ହୋଇପାରନ୍ତି । ‘ମୃଗୁଣୀ’ କବିତାଟି କବି ହୃଷୀକେଶ ମଲ୍ଲିକ ପ୍ରକୃତିର ସୁନ୍ଦର ପରିବେଶ ଭିତରେ ମୃଗୁଣୀର ଏକାକୀତ୍ୱ ପ୍ରକାଶ କରିଛନ୍ତି । କାରଣ ମୃଗୁଣୀ ଚିର ଦୁଃଖୀ । ସଭିଏଁ ସୁଖରେ ଥିଲେ ମଧ୍ୟ ତାର ସୁଖ ନାହିଁ । ସେ ନିଜ କସ୍ତୁରୀ ଗଂଧରେ ସାରା ଅରଣ୍ୟ ଘୂରି ବୁଲୁଥାଏ –

 

“ବାଟେଘାଟେ ବିଲେ ବନସ୍ତରେ କ୍ଷୀର ଝରୁଥିଲେ

ବୃକ୍ଷଙ୍କ ପହ୍ନାରୁ; ବର୍ଷାଙ୍କ ସ୍ନେହରେ ଓଦା ହୋଇଥିଲେ

ରାଜବଣି, ପାରା ଏବଂ କାଠହଣା ଚଢ଼େଇଙ୍କ ଥଣ୍ଟେ

ସୂର୍ଯ୍ୟ ମାଗୁଥଲେ ଖରା ଦିନେ ସମୁଦ୍ରକୁ ପଉଟିଏ ଭାତ

 

ସୁଜନେ ଜାଣିବେ କେଉଁଠିନା କେଉଁଠି ମୃଗୁଣୀ ଆଖିରୁ ଝରୁଅଛି ସହସ୍ର ସଂଗୀତ ।୬

 

୪.

ରାଓ ଭାନୁଜୀ, ଦର୍ପଣ ଆଗରେ, କାହାଣୀ, ୧୯୯୫, ପୃ ୪୯

୫.

ମିଶ୍ର ଗୋପାଳଚନ୍ଦ୍ର, କପୋତ ଡେଣାର ଛାଇ, ଫ୍ରେଣ୍ଡସ୍, ୧୯୯୭, ପୃ-୭୯

୬.

ମଲ୍ଲିକ ହୃଷୀକେଶ, ଉଜୁଡ଼ା ଖେତର ଗୀତ, ଓଡ଼ିଆ ବୁକ୍ ଷ୍ଟୋର, ୧୯୯୧, ପୃ-୧୯

 

‘ସାଁବାଳୁଆ’ କବିତାରେ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଭାବନା ଦାର୍ଶନିକ ସୁଲଭ । ଭୟ ଓ ଅସୁନ୍ଦରତା ପାଇଁ ମଣିଷ ତାକୁ ଘୃଣା କରେ । କିନ୍ତୁ ତାରି ସେହି ଲୋମ ଦେହଟା ସୁନ୍ଦର ହରରଂଗୀ ପ୍ରଜାପତିରେ ପରିଣତ ହୁଏ । କବିଙ୍କ ଦୃଷ୍ଟିରେ ସେ ଗୌତମ ବୁଦ୍ଧ ଓ କୌଣସି ତତ୍ତ୍ଵସନ୍ଧାନୀ ଚରୈବତି... ଚରୈବେତି । ‘ଗ୍ରସ୍ତ ସମୟ’ କବିତା ସଂକଳନରେ ‘ପକ୍ଷୀ’ ଓ ‘ପ୍ରଜାପତି' ଦୁଇଟି କବିତା ରହିଛି । କବି ପ୍ରତିଭା ଶତପଥୀ ଗୋଟିକରେ ନିଜର ରୋମାଣ୍ଟିକ୍ ଭାବନାକୁ ପ୍ରକାଶ କରିଥିବା ବେଳେ ଅନ୍ୟଟିରେ ଜୀବନର ବାସ୍ତବତାକୁ ପ୍ରକାଶ କରିଛନ୍ତି । ‘ପ୍ରଜାପତି’ର ଆଗମନରେ ପ୍ରଜାପତିର ଚିତ୍ର ଭାବନାଟି ରୂପଧାରଣ କରିଛି କବିଙ୍କ ମନରେ । “ତା ଦେହଟା ଚର୍ବି ପରି ମୋଲାୟମ / ତା ଡେଣାରେ ବଣର ହଳଦୀ / ଓ ନୀଳର ଛୋଟ ଫୁଲ, ଚିକ୍ ଚିକ୍ ସୁନାଗୋଡ଼ ମୁଦି ।” ୭ ‘ପକ୍ଷୀ’ କବିତାରେ କୃଷକର ଏକାକୀତ୍ୱ ଓ କଷ୍ଟଶ୍ରମ ମଧ୍ୟରେ ଜୀବନର ବୈଚିତ୍ର୍ୟକୁ କବି ପ୍ରତିଭା ଦେଖାଇଛନ୍ତି । ପକ୍ଷୀ ତୁଳନାରେ ପ୍ରଜାପତି ହିଁ ବେଶୀ ସୁଖୀ । କାରଣ ସେ ପତ୍ର ଭଳି ଡେଣାରେ ଉଡ଼ି ଫୁଲ, ଧାନକ୍ଷେତ ଓ ଜହ୍ନ ସହ ଖେଳିପାରନ୍ତା । କିନ୍ତୁ ସହରରେ ପକ୍ଷୀ ନିମନ୍ତେ ଈପ୍‌ସିତ ପଦାର୍ଥ ନାହିଁ । କବି ତା ପାଇଁ ଦୁଃଖିତ । ଶ୍ରୀନିବାସ ଉଦ୍‌ଗାତାଙ୍କ ‘ପକ୍ଷୀରେ...’ ଶିରୋନାମା କବିତାଟି ଗୋଟିଏ ଶୋକ କବିତା । ଐତିହାସିକ ନବୀନ କୁମାର ସାହୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିବାରୁ କବି ତାକୁ ପକ୍ଷୀରେ... କହି ନିଜ ଭାବନାକୁ ରୂପ ଦେଇଛନ୍ତି । ପାରଂପରିକ ବିଶ୍ୱାସରେ ଆତ୍ମା ଏଠାରେ ପକ୍ଷୀର ନାଁ ଧାରଣ କରିଛି । ସେହିପରି ‘ପକ୍ଷୀଟିଏ’ କବିତାରେ ପକ୍ଷୀ ହେଉଛି ମନ । ସେ ଅସ୍ଥିର ଓ ଅସ୍ୱଚ୍ଛ ।

 

କବି ସୌରୀନ୍ଦ୍ର ବାରିକ ପଶୁପକ୍ଷୀଙ୍କୁ ଆଧାର କରି ଅନେକ କବିତା ଲେଖିଛନ୍ତି । ସାପ, ମୁଁ ଓ ପାରାଛୁଆ, ଆହତ କଚ୍ଛପ, ହଂସ, ପ୍ରଜାପତି, କୁକୁର, ମାର୍ଜାର, ବାଦୁଡ଼ି, କୁକ୍‌କୁଟ, ମାଛ, ଚଢ଼େଇ ଇତ୍ୟାଦି ତାଙ୍କର କବିତା । ‘ସାପ, ମୁଁ ଓ ପାରାଛୁଆ’ କବିତାରେ କବି ଖାଦ୍ୟ ଓ ଖାଦକର ସମ୍ପର୍କକୁ ଗୋଟିଏ ଚିତ୍ରକଳ୍ପ ମାଧ୍ୟମରେ ପ୍ରକାଶ କରିଛନ୍ତି ।

 

“ସୁନ୍ଦର କିନ୍ତୁ ଭୟଙ୍କର / ଚିକ୍ ଚିକ୍ କଳା ସାପଟିଏ /

ଇଟାଗଦା କଡ଼ ଦେଇ ଯାଉଥିଲା / ମୋ ପ୍ରିୟ ପାରାଛୁଆ ଆଡ଼କୁ

ଦିଗ୍‌ବଳୟରେ ଟ୍ରେନ୍ ପରି / ଧୀରେ ଖୁବ୍ ଧୀରେ ।” ୮

 

‘ମାଛ’ କବିତାରେ ଆପ୍ୟାୟନ ସ୍ମୃତି ମାଛ ତରକାରୀର ପ୍ରସଙ୍ଗ ଆସିଛି । ‘କୁକୁଡ଼ା’ କବିତାରେ କବିଙ୍କ ଦୃଷ୍ଟି କୁକୁଡ଼ାର ମସ୍ତକରେ ସୁନାର ପାନ ଓ ବାଦ୍‌ଶାହୀ ଚାଲିକୁ ଦର୍ଶନ କରିଛି । କିନ୍ତୁ ତା ଜୀବନର ପରିଣତି ଅତି କରୁଣ । କାରଣ ତାର ମୃତ୍ୟ ବୀଭତ୍ସ ପୂର୍ଣ୍ଣ । ପ୍ରତିପକ୍ଷ ସହ କାତିବାନ୍ଧି ଲଢ଼େଇ କରୁ କରୁ ତାର ମୃତ୍ୟୁ ହୁଏ । ‘ରାତିର ବୁଢ଼ିଆଣୀ’ କବିତାରେ ସୌରୀନ୍ଦ୍ର ନିଜକୁ ବୁଢ଼ିଆଣୀ ମନେକରିଛନ୍ତି । ବୁଢ଼ିଆଣୀ ଯେପରି ଜାଲବୁଣି ତାରାଙ୍କୁ ଦେଖି ନ ପାରି ଡହଳ ବିକଳ ହୁଏ ଠିକ୍ କବି ମଧ୍ୟ ନିଜ ଜୀବନ ଜାଲରେ ଡହଳ ବିକଳ ହୋଇଛନ୍ତି । ସେହିପରି ‘ହଳଦୀ ବସନ୍ତ-୧' ଓ ‘ହଳଦୀବସନ୍ତ-୨’ କବିତାରେ କବି ହଳଦୀ ବସନ୍ତର ସୌନ୍ଦର୍ଯ୍ୟରେ ମୋହିତ ହୋଇଯାଇଛନ୍ତି । ତାର ସ୍ଵର ଓ ସୌନ୍ଦର୍ଯ୍ୟରେ ସେପରି ପକ୍ଷୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କ ଭାଷାରେ- “ତୋତେ ଦେଖିଲେ ଲାଗେ / ହଳଦୀ ଗୁରୁଗୁରୁ ଗାଁ ବୋହୂଟିଏ / ଅବା ହଳଦୀ ମାଖି, କଜ୍ଜଳ ନାଇ / କଅଁଳ ଖରାରେ ଖେଳୁଥିବା କଅଁଳ ଛୁଆ ।” ୯ କବି ନିଶ୍ଚିତ ହୋଇଛନ୍ତି ଯେ, ଏ ଜନ୍ମରେ ନ ହେଲା ନାହିଁ ଆର ଜନ୍ମରେ ନିଶ୍ଚିତ ହଳଦୀବସନ୍ତ ହେବେ । କବି ବିନୋଦ ଚନ୍ଦ୍ର ନାୟକ ତାଙ୍କର ‘ସାତତାରାର ଦ୍ୱୀପ’ ସଂକଳନର କଜଳପାତି କି ଡାକେ, ନୀଳପକ୍ଷୀ, ବେଳାଭୂମିର ପକ୍ଷୀ, ‘ନନ୍ଦାଦେବୀ’ ସଂକଳନର ଦୁଇ ନୀଳ କସ୍ତୁରୀର ତାରା ଆଦି କବିତାରେ ମାନବେତର ଚରିତ୍ରକୁ ନେଇ କବିତା ଲେଖିଛନ୍ତି । ‘ଦୁଇଟି ନୀଳକସ୍ତୁରୀ ତାରା’ କବିଙ୍କ ପ୍ରୀତିଲଗ୍ନାର ଚକ୍ଷୁ ଅଭିପ୍ରେତ । ତାରି ପାଇଁ କବିଙ୍କର ଜୀବନ ସଂଗ୍ରାମ, ଯୁଦ୍ଧ ଓ କଷ୍ଟ ସମ୍ୱରଣ । ‘କଜଳପାତି କି ଡାକେ’ କବିତାରେ ପକ୍ଷୀଟି ଆଶାସନ୍ଧାନୀ । ଜୀବନର ପ୍ରଭାତ ପାଇଁ ସେ ରାତ୍ରି ସହ ସଂଗ୍ରାମ କରିଚାଲେ । ନୀଳ ଆକାଶ କବି କଳ୍ପନାରେ ନୀଳପକ୍ଷୀ । ସେ ସାରା ଆକାଶ, ବନ, ଗିରି ଉଡ଼ିବୁଲେ । ସେ କେଉଁ କିଂଶୁକ ରାତ୍ରିରେ କବିଙ୍କୁ ଛାଡ଼ି ଗଗନରେ ଭାସିବୁଲୁଛି ।

 

୭.

ଶତପଥୀ ପ୍ରତିଭା, ଗ୍ରସ୍ତ ସମୟ, ଦେ ମହାପାତ୍ର ଏଣ୍ଡ କୋ, ୧୯୭୫, ପୃ-୨୧

୮.

ବାରିକ ସୌରୀନ୍ଦ୍ର, ସାମାନ୍ୟ କଥନ, ଅଗ୍ରଦୂତ, ୧୯୭୫, ପୃ-୫

୯.

ବାରିକ ସୌରୀନ୍ଦ୍ର, ଲୁହଠୁ ବି ଅନ୍ତରଙ୍ଗ, ଓଡ଼ିଆ ବୁକ୍‌ଷ୍ଟୋର, ୧୯୮୯, ପୃ-୧୦୩

 

କବି ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ଜଟାୟୁ, ମେଣ୍ଢାଛୁଆ, ଶଙ୍ଖଚିଲ, ପେଚା ଆଦି କବିତା ଖୁବ୍ କ୍ଷୁଦ୍ର । ଜଟାୟୁ ମଧ୍ୟରେ ଜୀବନର ପୀଡ଼ନ ପ୍ରକାଶ ପାଇଛି ଓ ଛେଳିଛୁଆ କବିତାରେ ତାର ହର୍ଷ ଉଲ୍ଲାସ ଜୀବନକୁ କବି ପ୍ରକାଶ କରିଛନ୍ତି । ସକାଳର ଖରାରେ ସେ କିପରି ସାଥୀ ସହ କୁଦାମାରି ଖେଳେ । ‘ସୁନାହରିଣ’ କବିତାଟି ତାଙ୍କର ସମ୍ପୂର୍ଣ୍ଣ ରୂପକ ସର୍ବସ୍ୱ ଏକ କବିତା । ସୁନାହରିଣ ମାୟା ପଛରେ ଧାଇଁବା ପରି ମଣିଷ କିପରି ମିଥ୍ୟା ପ୍ରତିଶ୍ରୁତି ଓ ଚାକଚକ୍ୟ ପଛରେ ଧାଇଁ ଚାଲିଛି କବି ସତ୍ୟନାରାୟଣ ତାକୁ ରୂପ ଦେଇଛନ୍ତି । ସ୍ନେହ, ପ୍ରେମ, ସତ୍ୟ ଓ ସୁନ୍ଦର ଯେପରି କାବ୍ୟପୁରୁଷଙ୍କ ଦୃଷ୍ଟିରେ ସଂକ୍ରମିତ । ସ୍ଵାର୍ଥୀ ମଣିଷର ପ୍ରତାରଣା ଓ ପ୍ରବଞ୍ଚନାକୁ ପ୍ରକାଶ କରିବାକୁ ଯାଇ କବି କହିଛନ୍ତି-

 

“ସବୁ ମାୟାରେ ବାୟା

କଥାରେ କଥାରେ ଖାଲି ଫୁଲ ଫୁଟାଇବା

କଥାରେ କଥାରେ ଖାଲି ନଈ ବୁହାଇବା

କଥାରେ କଥାରେ ଖାଲି ବନ୍ଧୁ ଶଙ୍ଖୁଳିବା

ଅନ୍ୟ କାନ୍ଧେ ଗୋଡ଼ ଦେଇ

ଉପରକୁ ଉଠି ନିଜକୁ ସେବକ ବୋଲିବା ।” ୧୦

 

ଖାଲି ସେତିକି ନୁହଁ, ସବୁଠି କବି ବାଘମାନଙ୍କର ଛଦ୍ମରୂପୀ ମଣିଷକୁ ଭେଟିଛନ୍ତି । କୋଠାରେ, ଅଫିସରେ, କାରଖାନାରେ ସବୁଠାରେ ବଡ଼ ବଡ଼ ବଣୁଆ ବାଘ ବସିଛନ୍ତି । ଅସହାୟ ମଣିଷ, ନିରୀହ ଝିଅବୋହୂଙ୍କୁ ସୁଯୋଗ ଉଣ୍ଡି ଶିକାର କରୁଛନ୍ତି । ଏପରି ଏକ ଜୀବନ୍ତ ବର୍ଣ୍ଣନା କବିଙ୍କ ଲେଖନୀରେ ଫୁଟିଉଠିଛି-

 

“ବାଘମାନେ ଜାତୀୟ ସଂପଦ / ତେଣୁ ତାଙ୍କ ନିରାପତ୍ତା ଲାଗି

ସାବଧାନ ବନରକ୍ଷୀ, ଆରକ୍ଷୀବାହିନୀ

ବାଘମାନଙ୍କୁ ତେଣୁ ସାତଖୁଣ ମାଫ୍

ସେମାନେ ମଣିଷ ଖାଇବେ / ଯାହା ଇଚ୍ଛା ତା କରିଯିବେ

ବାଘ ଆମ ଜାତୀୟ ସଂପଦ ।” ୧୧

 

୧୦.

ନନ୍ଦ ପ୍ରହରାଜ ସତ୍ୟନାରାୟଣ, ଜିଅନ୍ତା ଶାଳଗ୍ରାମ, ଦେ. ମହାପାତ୍ର ଏଣ୍ଡ କୋ, ୧୯୭୭, ପୃ-୪୩

୧୧.

ତତ୍ରୈବ- ପୃ-୬୩

 

କବିତାଟିରେ କବି ନନ୍ଦ ବ୍ୟଙ୍ଗୋକ୍ତି ପ୍ରକାଶ କରିଛନ୍ତି । ଆଜିର ଛଦ୍ମବେଶୀ ପ୍ରବଞ୍ଚକମାନଙ୍କ ସମ୍ପର୍କରେ ଏହା ହିଁ କବିଙ୍କର ସ୍ପଷ୍ଟ ଉକ୍ତି । ଏପରି ଏକ ଭାବନାକୁ କବି ‘ବାଘ’ ପରି ଜନ୍ତୁର ଶିରୋନାମାରେ ପ୍ରକାଶ କରିବାକୁ ଯାଥର୍ଥ ମଣିଛନ୍ତି ।

 

ମାର୍କସବାଦୀ କବି ରବୀନ୍ଦ୍ରନାଥ ସିଂହଙ୍କ ‘ଭୋଅଟଭାଲୁ’ ଏକ ବ୍ୟଙ୍ଗଧର୍ମୀ କବିତା । ନାନା କୁକର୍ମ ମଧ୍ୟରେ ଭୋଟ ସଂଗ୍ରହ କରୁଥିବା ରାଜନେତାମାନଙ୍କୁ ଏଠାରେ ବ୍ୟଙ୍ଗ କରାଯାଇଛି । ଭାଲୁ ଏଠାରେ କୌଶଳର ପ୍ରତୀକ । କବି କିନ୍ତୁ ଆହ୍ୱାନ କରିଛନ୍ତି ଜନତାକୁ ଏ ଭୋଟଭାଲୁକୁ ହତ୍ୟା କରିବା ନିମନ୍ତେ । ତାକୁ ହତ୍ୟା କରି ଦେଶକୁ ମୁକ୍ତ କରିବାକୁ ହେବ । କବି ସିଂଙ୍କ ‘ଷଣ୍ଢ’ କବିତାରେ ଷଣ୍ଢ ସାମ୍ୟବାଦର ପ୍ରତୀକ । କାରଣ ସେ ସ୍ଵାଧୀନ ଓ ସବୁଥିରେ ନିଜର ଅଧିକାର ସାବ୍ୟସ୍ତ କରିପାରେ । ସେ ପୁଲିସର ନିୟମ ଓ ମନ୍ତ୍ରୀଙ୍କ ଗାଡ଼ିକୁ ମଧ୍ୟ ଅବମାନନା କରିପାରେ । କବି କହନ୍ତି- “ପୃଥିବୀରେ ତୁମେ ପ୍ରଥମ କମ୍ୟୁନିଷ୍ଟ / ଯଦିଓ ପଢ଼ିନ ଦାସ କ୍ୟାପିଟଲ ତୁମେ ଦ୍ୱନ୍ଦ୍ୱମୂଳକ ବସ୍ତୁବାଦର ଜିଷ୍ଟ / ତୁମେ ହିଁ କେବଳ ଜାଣିଛ ଏ ଧରାଭୂମେ ।” ୧୨ ‘ସର୍ବହରା’ କବିତା ସଂକଳନରେ ‘ଆମେ ତ ସବୁ ଛେଳି’, ଚତୁର ଠେକୁଆର ଶାସ୍ତି, ଛେଳି ଆଦି କବିତା ସର୍ବହରା ମନୁଷ୍ୟଙ୍କ ନିମନ୍ତେ ଅଭିପ୍ରେତ । ଛେଳି ନିରୀହ ମଣିଷର ପ୍ରତିନିଧି । ଅନ୍ୟାୟ ଅତ୍ୟାଚାରରେ ସ୍ୱର ଉତ୍ତୋଳନ ପାଇଁ କବି ସିଂ ଏ କବିତା ରଚନା କରିଛନ୍ତି । ଅନ୍ୟ କେତୋଟି ପଶୁପକ୍ଷୀ ସମ୍ବନ୍ଧୀୟ କବିତାର ସାରମର୍ମ ଶିକ୍ଷାମୂଳକ । ଠକିବାର ପରିଣତି ଖୁବ୍ ଭୟଙ୍କର । ହାତୀକୁ ଠକିଚାଲିଥିବା ଠେକୁଆ ଶେଷରେ ଶିକାରୀର ଶରରେ ମୃତ୍ୟୁବରଣ କରିଛି । କବିତାଟିରେ ହାତୀ, ସିଂହ, ମୂଷା, ଠେକୁଆ ଆଦି କବିତାର ପ୍ରସଙ୍ଗ ହୋଇଆସିଛନ୍ତି ।

 

କବି ଫନୀ ମହାନ୍ତିଙ୍କ ‘ବାଘ’ ଓ ‘ସାପ’ କବିତା ଦୁଇଟିରେ ବାଘ ସାପ ଯୌବନ ଓ ଯୌନତାର ପ୍ରତୀକ । ବାହ୍ୟାଚାରରେ ଭଦ୍ରତା ଦେଖାଇଥିବା ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ଏ ଦୁଇଟି ଜନ୍ତୁ କିପରି ରୂପ ଧାରଣ କରି ରହିଥାନ୍ତି ତାହାରି କଥା କବି କହିଛନ୍ତି । ପ୍ରତିଟି ମୁହୂର୍ତ୍ତରେ ସୁଯୋଗ ପାଇଲେ ମଣିଷ ଉପରେ ସାପ ଆଉ ବାଘ ସବାର ହୋଇଉଠନ୍ତି । ପୂର୍ବର ସମସ୍ତ ସଂଯମ ଓ ସଂସ୍କାର କ୍ଷଣକରେ ଭସ୍ମ ହୋଇଯାଏ । ଏହି ବାଘର ଉପଦ୍ରବରେ ମଣିଷ ସନ୍ତ୍ରସ୍ତ । ଏପରି ଭାବନାକୁ ପ୍ରକାଶ କରିବାକୁ ଯାଇ କବି ଏକ ରୂପକ ସର୍ବସ୍ୱ ଚିତ୍ରକଳ୍ପ ନିର୍ମାଣ କରିଛନ୍ତି-

 

“ବାଘର କୁହାଟ ଶୁଭେ

ଅନ୍ଧାରିଆ ବୁଦା ଉହାଡ଼ରୁ

ଯେସନେ ଗର୍ଭିଣୀ ସ୍ତ୍ରୀ ଦୁଃଖ ଭୋଗେ

ପ୍ରସୂତିଶାଳାରେ । ଯେସନେ ଅବୋଧ୍ୟ ଶିଶୁ

ଛକରାସ୍ତା ପାର ହେଉ ହେଉ ଟ୍ରକ୍ ଚକା ତଳେ

ଚାପି ହୋଇ ସମୟର ଜାହାଜରେ ବୁଲିଯାଏ ।”୧୩

 

‘ପକ୍ଷୀ’ କବିତାରେ କବି ଫନୀ ମହାନ୍ତି ଶୋକ ଅନୁତପ୍ତ । ପ୍ରିୟ ପୋଷା ପକ୍ଷୀର ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବା ହିଁ କବିଙ୍କୁ ଏପରି ଦୁଃଖବୋଧ ମଧ୍ୟକୁ ଟାଣିନେଇଛି ।

 

୧୨.

ସିଂହ ରବୀନ୍ଦ୍ରନାଥ, ଅଗ୍ନିବେଦ, ଗ୍ରନ୍ଥମନ୍ଦିର, ୧୯୮୧, ପୃ-୨୫

୧୩.

ମହାନ୍ତି ଫନୀ, ମାନଚିତ୍ର, ସାଥୀମହଲ, ୧୯୭୩, ପୃ-୭୬

 

କବି ନୃସିଂହ ଷଡ଼ଙ୍ଗୀ ‘ବିଦଗ୍ଧ ହସ୍ତିନା’ ସଂକଳନର ‘ଅରଣା ମାଇଁଷି’ କବିତାଟି ବ୍ୟକ୍ତିର ଅସ୍ତିର ସତ୍ତାକୁ ଜାହିର କରିଛି । ଏ ସମ୍ପର୍କରେ ପରିଚିତ କଥାଟି ହେଲା ‘ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖ ନଯାଆ ଦନାଇ’ । ଏ ମଇଁଷି ମଣିଷର ପ୍ରବୃତ୍ତି, ସମସ୍ତ ନୀତିନିୟମ ଓ ତାଗିଦ୍‌କୁ ଲଙ୍ଘନ କରିଯିବାର ପ୍ରବଣତା ହୋଇପାରେ । ଗୁରୁଜନଙ୍କ ନିର୍ଦ୍ଦେଶରେ ଏକ ଆବଦ୍ଧ ଜୀବନରୁ ମୁକ୍ତି ପାଇବା ପାଇଁ ଚାହୁଁଥିବା କବିସତ୍ତା ପ୍ରକାଶ କରିଛି- “ଅରଣା ମଇଷିର ଦୁଷ୍ଟ ସାଙ୍ଗ ସନାତନ / ଚାହିଁଥାଏ ମୋ ଆଡ଼କୁ / ବାପାଙ୍କର ତନ୍ଦ୍ରାଘେରା / ମହୁଲି ଆଖିକୁ / ସତେ ମତେ ଭୟ ଲାଗେ / ଭାରି ଭୟ ଲାଗେ - ଅରଣା ମଇଁଷି ଛବି / ଦନାଇକୁ ତାଗିଦ୍ ଭଙ୍ଗୀକୁ ।” ୧୪ ‘ଶାମୁକା’ ଓ ‘ଧୀବର’ କବିତା ଦୁଇଟି କବିଙ୍କ ମୌଳଭାବନାକୁ ନେଇ ସମୃଦ୍ଧ । ଶାମୁକାର ସଙ୍ଗମରେ ଧୀବର ନିଜକୁ ଭସାଇ ନେବାକୁ ଚାହେଁ । ଲିବିଡ଼ର ତୃପ୍ତି ପରେ ସେହି ଜଡ଼ ଅବସ୍ଥାକୁ କବି ନାଗଫେଣୀ କଣ୍ଟା, ଅସହାୟ କାଠିଖଣ୍ଡେ ମଧ୍ୟରେ ପ୍ରକାଶ କରିଛନ୍ତି । ଏଠାରେ ଶାମୁକା ପ୍ରକୃତି ଓ ଧୀବର ପୁରୁଷର ଯୌନସତ୍ତା ଭାବେ ପରିକଳ୍ପିତ । ମିଳନକୁ ଚରିତାର୍ଥ କରିବା ଅବସରରେ କବିଙ୍କ ଚିତ୍ରକଳ୍ପଟି ଗୋଟିଏ ପରିଚିତ ଘଟଣାକୁ ପ୍ରକାଶ କରିଛି । ଏଠାରେ କବି ଶାମୁକାକୁ ଦାନ୍ତରେ ଖୋଲିବାକୁ ଆଗ୍ରହୀ । ଏ ଖୋଲିବା ଘଟଣାଟି ତାଙ୍କ ଦୃଷ୍ଟିରେ ତୃତୀୟ ଶ୍ରେଣୀର ଚପଳବାଳକ ଦାନ୍ତରେ କାଳିଦୁଆତ ଖୋଲିବା ପରି ବାଲ୍ୟମୁଖୀ ହୋଇଉଠିଛି । କବି ନିତ୍ୟାନନ୍ଦ ପତିଙ୍କ ‘ମୃଗୟା ଇଲାକା’ କବିତାଟି ପ୍ରତୀକଧର୍ମୀ । ମୃଗୟା ଅର୍ଥ ଏଠାରେ ମଣିଷର ଯୌନତୃପ୍ତିର ମାଧ୍ୟମ ଖୋଜିବାକୁ ପ୍ରକାଶ କରିଛି । କବି ଯେତେ ମୁକ୍ତି ଚାହିଁଲେ ବି ମନ ଭିତରେ ଯୌନତାର ମୃଗୟା ଘଟିଚାଲିଥାଏ । ଅସହାୟ, ଦୁଃଖ, କଷ୍ଟ, ଅଭାବ ମଧ୍ୟରେ ଏହା ମଣିଷକୁ ମୁକ୍ତି ଦିଏନା । କବିଙ୍କ ଦୃଷ୍ଟିରେ ଜୀବନର ଗାଡ଼ି ପଛରେ ଖାଲି ବାଘଙ୍କ ହେଣ୍ଟାଳ ଶୁଭେ ।

 

କବି ମମତା ଦାସଙ୍କ ‘କୁହୁପକ୍ଷୀ’ କବିତାରେ ପକ୍ଷୀ ହେଉଛି ମଣିଷର ଇଚ୍ଛା । ତାକୁ ଆକଟ କରିବାର ଅଭିପ୍ରାୟରେ ‘ମନପକ୍ଷୀ’ର ଇଚ୍ଛାକୁ ପୂରଣ କରିବାକୁ କବି ଚାହିଁଛନ୍ତି । ତେଣୁ ସେ ମନେକରନ୍ତି-

 

“ତୋର ସ୍ୱର ଶୁଭିବା ମାତ୍ରେ ଯିବି

ସନ୍ତର୍ପଣରେ ତୋତେ ବନ୍ଦୀ କରିଆଣିବି

ମୋ ରକ୍ତର ପଞ୍ଜୁରୀରେ

ଧରି ରଖିବି ତୋତେ

ଚିହ୍ନାଇ ଦେବି, ତୋତେ ବୁଝାଇ ଦେବି

ପବନକୁ ଜୀବନକୁ

ମୋ ଭାଗ୍ୟକୁ ତୋତେ ଚିହିଥିବା

ମୋ ଭାଗ୍ୟର ବିଡ଼ମ୍ୱନାକୁ ।” ୧୫

 

୧୪.

ଷଡ଼ଙ୍ଗୀ ନୃସିଂହ, ବିଦଗ୍ଧ ହସ୍ତିନା, ନାଳନ୍ଦା, ୧୯୯୦, ପୃ-୩୪

୧୫.

ଦାସ ମମତା, ଅବାକୁ ସ୍ଵର୍ଗ, କଟକ ଷ୍ଟୁଡେଣ୍ଟ୍‌ସ୍ ଷ୍ଟୋର, ୧୯୮୯, ପୃ-୭୯

 

କବି ପ୍ରସନ୍ନ ମିଶ୍ରଙ୍କ ସନାତନ ଚରିତ୍ରକୁ କେନ୍ଦ୍ର କରି ସାପ, କୋଇଲି ଆଦି ପ୍ରାଣୀ ଆସିଛନ୍ତି । କଠଉଅଙ୍କା ସାପ, ସାପଫଣା ତଳେ କବିତା ଦୁଇଟିରେ ଓଡ଼ିଶାର କିମ୍ୱଦନ୍ତୀ ରାଜା କପିଳେନ୍ଦ୍ର ଓ ଗାଈଚରା ଟୋକା ପ୍ରସଙ୍ଗ ସମ୍ମୁଖକୁ ଆସେ । ଏଠାରେ କବି ବ୍ୟଙ୍ଗ କରି ସନାତନକୁ ଭାଗ୍ୟ ଅପେକ୍ଷା କର୍ମ ଉପରେ ଆସ୍ଥା ରଖିବାକୁ କହିଛନ୍ତି । ତାରି ଦୁଃଖକୁ ଲାଘବ କରିବା ଅଭିପ୍ରାୟରେ ‘କୋଇଲିଠାରେ ପ୍ରାଣବିକା’ କବିତାଟି ଲିଖିତ । କାରଣ ସନାତନ ଆଜିର ପୁରୁଷ ସମଷ୍ଟିର ସମ୍ମିଳିତ ଆକାଂକ୍ଷା । ତାରି ରକ୍ତରେ ଗାଧୋଇଲା ଚଣ୍ଡାଲୋକ । ପୁରୁଷୋତ୍ତମ ପଦ୍ମାବତୀକୁ ଭୋଗ କଲେ । ଅଥଚ ଆଜି ଯେତେବେଳେ ସନାତନ ବିପତ୍ତିରେ ପଡ଼ିଛି, ସେତେବେଳେ ସେମାନଙ୍କ ଫାଟକ ଆଉ ଭଣ୍ଡାର ଘର ସନାତନ ନିମନ୍ତେ ବନ୍ଦ ହୋଇଛି । ଭାଗ୍ୟ ଉପରେ ଆସ୍ଥା ରଖି ରାଜା ହେବାର ପରିକଳ୍ପନା ନକରି କର୍ମବଳରେ ନିଜର ତଥା ମଣିଷର ଭାଗ୍ୟକୁ ପରିବର୍ତ୍ତନ କରିବାକୁ ହେବ ବୋଲି କବି ମିଶ୍ର ମନେକରନ୍ତି । କବି ଜେନାମଣି ଲକ୍ଷ୍ମୀକାନ୍ତ ‘ବାଘବିଳାପ’ କବିତା ରଚନା କରିଛନ୍ତି । ଏଠାରେ ବାଘ ମଣିଷର ହିଂସା, ଧର୍ଷଣ ଆଦି ଅନ୍ୟାୟ ଅତ୍ୟାଚାର ଦିଗଟିକୁ ସୂଚାଇଛି । ମଣିଷ ଭିତରେ ଥିବା ଏହି ବାଘପଣିଆଁକୁ କବି ନାନା ଦୃଷ୍ଟିରୁ ବିଚାର କରିଛନ୍ତି ।

 

ଏ ବାଘ ଜଙ୍ଗଲରୁ ସର୍କସ କ୍ରମେ ପ୍ରତିଟି ସ୍ଥାନ ଓ ବ୍ୟକ୍ତି ମଧ୍ୟକୁ ଲଂଫ ଦେଇଛି । ସମାନ ଭାବେ ହରିହର ମିଶ୍ରଙ୍କ ‘ଗଜକୁମ୍ଭୀର’ କବିତାରେ ଯୌନଭାବନା ପ୍ରକାଶ ପାଇଛି । ନିଷ୍ମାମ ଭିତରେ ମଣିଷ Libidoରୁ ମୁକ୍ତି ପାଇପାରି ନାହିଁ । ଅପରନ୍ତୁ ପ୍ରଜାପତି ଓ ଝିଟିପିଟିର ଲାଳରେ ଲାଖି ରହିଥିବା ଯୌନତାର ଅସମ୍ଭବ ଆକର୍ଷଣ ମଧ୍ୟକୁ ମଣିଷ ଟାଣି ହୋଇଯାଇଛି । ଯୌନତା ଏଠାରେ ଖାଦକ ଓ ମଣିଷ ଖାଦ୍ୟର ପ୍ରତୀକ ହୋଇଛନ୍ତି । କବି ଜେନାମଣିଙ୍କ ଅନ୍ୟ ଏକ କବିତା ‘କାଠହଣା ଚଢ଼େଇ ସେ’ ଶ୍ରମିକ ଦିବସ ଉପଲକ୍ଷେ ରଚିତ । ଏଠାରେ କାଠହଣା ଚଢ଼େଇ ଶ୍ରମିକର ପ୍ରତିନିଧି ହୋଇ ବିଶ୍ଵନାଗରିକ ସାଜିଛି । ଟସରପୋକ ପରି ନିଜର କର୍ମରେ ନିଜକୁ ପ୍ରତିପାଳନ କରିଚାଲେ-। କବିଙ୍କ ଭାଷାରେ- ‘ତା ବିଶାଳ ଥଣ୍ଟମୁନେ ଯେମିତି/ ବିତ୍ତ ତାର ରହିଛି ଭରଣା/ ମେହନତି ଛଡ଼ା/ ଯେମିତି ଆଉ କିଛି ନାହିଁ ତାକୁ ଜଣା ।” ୧୬ ଜଣେ ସାର୍ଥକ କବି ଏହି ଦ୍ୱିବିଧ ଭାବଧାରାର ଭିତ୍ତିରେ ଅନ୍ତଃଦୃଷ୍ଟି ବଳରେ କବିତା ସୃଜନ କରେ । ତାର ବ୍ୟକ୍ତି ବିଶ୍ୱସହ ବିଶ୍ୱ ବ୍ୟକ୍ତିକୁ ସାମୂହିକ ବାସ୍ତବତା ସହିତ ବ୍ୟକ୍ତିଗତ ବାସ୍ତବତାକୁ । ସ୍ଵପ୍ନାବସ୍ଥା ସହ ଜାଗ୍ରତ ଅବସ୍ଥାକୁ । ହୃଦୟ ସହ ପ୍ରଜ୍ଞାକୁ ସମନ୍ୱିତ କରେ । ମୁଁ ତ୍ୱ ଭାବନା ପଶୁପକ୍ଷୀର ମାଧ୍ୟମ ଲୋଡ଼ି ସାମୂହିକ ଭାବନାରେ ରୂପାନ୍ତର ହୁଏ-

 

କବି ଆଶୁତୋଷ ପରିଡ଼ାଙ୍କ ‘ଅମାନିଆ ପକ୍ଷୀ’ ସୁଖ ସନ୍ଧାନୁଥିବା ଅମାନିଆ ମଣିଷର ମନଟି ପରି । ଉଷର ଭୂଇଁରେ ବଞ୍ଚିବାକୁ ଶିଖି ନଥିବା ବିଳାସୀ ମଣିଷର ବିଡ଼ମ୍ବନା ଆଉ ଦୁଃଖରେ କବି ନାନା ପ୍ରସଂଗକୁ ଆଣିଛନ୍ତି । ଭୋଗ କରିବା ପାଇଁ ପୃଥିବୀକୁ ସଭିଏଁ ଆସିଥାନ୍ତି । ମଣିଷର ଏହି ସଳଖ ଭାବନାଟି କବି ଦୃଷ୍ଟିରେ କୌଣସି ଅମାନିଆ ପକ୍ଷୀ ତୁଳନାରେ କମ୍ ନୁହେଁ- “ମୁଁ ଏକ ଅମାନିଆଁ ପକ୍ଷୀ/ ବାହାରି ଆସେ / ପୃଥିବୀର କେଉଁ ଅଜ୍ଞାନ ଇଲାକାର/ ଫୁଟିଥିବା ଡିମ୍ବ ଭିତରୁ/ ଧୂଳିର ଝଡ଼ରୁ ଆସେ ଡେଣାର ଧୂସରତା/ ମୁଁ ଉଡ଼ି ଆସେ ଅରଣ୍ୟର ଗଳ୍ପଠାରୁ/ ଆକାଶର ଅସହାୟତାଠାରୁ/ କେଉଁ ସ୍ୱପ୍ନରେ/ କେଉଁ ଆକ୍ରୋଶରେ ଉଡ଼ି ଆସେ/ ଏଇ ପାହାଡ଼ ପାଖକୁ/ ସ୍ତୂପୀଭୂତ ଘୃଣାର କଠିନ ଚନ୍ଦା ମୁଣ୍ଡକୁ ।’’୧୭ ନିତ୍ୟାନନ୍ଦ ନାୟକଙ୍କ ଏହି ପ୍ରାଣୀ ଭାବନା ମଧ୍ୟରେ

 

୧୬.

ନରେନ୍ଦ୍ର କୁମାର ଜେନାମଣି, ପ୍ରତିଚ୍ଛାୟା ପ୍ରତିଧ୍ୱନି, ବିଦ୍ୟାପୁରୀ, ୧୯୭୩, ପୃ-୫

୧୭.

ପରିଡ଼ା ଆଶୁତୋଷ, ଚଣ୍ଡାଳ, ଓଡ଼ିଶା ବୁକ୍‌ଷ୍ଟୋର, ୧୯୯୧, ପୃ-୫୦

 

 

ସ୍ଵୟଂ ବାୟାଚଢ଼େଇ । ସମୟର କଠୋରତା ଓ ବିପର୍ଯ୍ୟୟ ମଧ୍ୟରେ କବି ପରିବର୍ତ୍ତନ ପାଇଁ ଅଭିଳାଷୀ ହୋଇଛନ୍ତି । ବାୟା ଚଢ଼େଇ ପରି ନିଜର ଇଚ୍ଛାକୁ ସାରା ଦୁନିଆରେ ଖୋଜି ଚାଲିଛନ୍ତି । ଏହି ସନ୍ଧାନୀ ବାୟା ଚଢ଼େଇର କ୍ଷେତ୍ର ଓ ଜିଜ୍ଞାସା କଣ ? କବିଙ୍କ ଭାଷାରେ –

 

‘‘ମୃଗନାଭିରେ କସ୍ତୁରୀ । ଶାମୁକାରେ ମୁକ୍ତା

ଦୃଶ୍ୟରେ ସ୍ଵପ୍ନ, ଶବ୍ଦରେ କବିତା

କଣ ହଜି ଯାଇଛି ? ସବୁ ସୁରକ୍ଷିତ ଯେ

ଯାବତ୍ ସୂର୍ଯ୍ୟ କିରଣରେ ନିର୍ମିତ ପୃଥ୍ୱୀକୁ

ଭିଜାଇ ରଖିବି ଦରୋଟି ଓଠର ହସ

ଏବଂ

ସ୍ନିଗ୍ଧ ଚନ୍ଦ୍ରାଲୋକ ।” ୧୮

 

ପାଦତଳେ ନର୍କର ପୃଥିବୀ ଓ ଊର୍ଦ୍ଧ୍ୱରେ ସ୍ୱର୍ଗକୁ ନନ୍ଦନକାନନ ମଣୁଥିବା କବି ଯଦୁନାଥ ଦାଶ ମହାପାତ୍ର ପ୍ରତିଟି ମୁହୂର୍ତ୍ତରେ ଶବ ହୋଇଯିବାର ଆଶଂକା କରନ୍ତି । ‘ଜଟାୟୁରୁ କପୋତ ପର୍ଯ୍ୟନ୍ତ’ କବିତାରେ ଜଟାୟୁ କପୋତ ଆଦି କବିଙ୍କ ଶିକ୍ଷକ । ତାଙ୍କୁଇ ଲକ୍ଷ୍ୟ କରି କବି ବଞ୍ଚିବା ପାଇଁ ଅନେକ କିଛି ଶିଖନ୍ତି । ପକ୍ଷୀଙ୍କୁ ନିଜ ଗୁରୁ ବୋଲି କବି ସ୍ୱୀକାର କରିଛନ୍ତି- “ତୁମେ ଜଟାୟୁ ହୁଅ / କି କପୋତ ହୁଅ / ତୁମେ ସଭିଏଁ ମୋର ଗୁରୁ / ଚେତନାର ସମୁଦ୍ରରେ ତମେ ହିଁ ଆଲୋକ ସ୍ତମ୍ଭ / ସୃଷ୍ଟି ଆରମ୍ଭରୁ ।” ୧୯ ସମାନଭାବେ ଗୁରୁ ପ୍ରସାଦ ମହାନ୍ତିଙ୍କ ନିକଟରେ ବିଷଣ୍ଣ ମନ କପୋତରେ ରୂପାନ୍ତରିତ ହୋଇଛି । ବିରାମହୀନ ଜୀବନ ଓ ସଭ୍ୟତା ଗ୍ରାମରେ ଗୁରୁ ପ୍ରସାଦଙ୍କ ଶାଶ୍ଵତ ଆତ୍ମା ପିତୃପୁରୁଷଙ୍କ ସମୟକୁ ମନେ ପକାଇ ସ୍ଵର୍ଗମୁଖୀ ହୋଇଛି । କବି ନିରାଶ ହୋଇ କହନ୍ତି –

 

“ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ

ବାଧା ପାଇ ପ୍ରତିଦିନ ଫେରି ଆସେ ଏହି ପୃଥିବୀକୁ

ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା

ଜରାମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ ।” ୨୦

 

ସଭ୍ୟତାର ସ୍ପର୍ଶକାତର ପରିଣତି କେବଳ ମଣିଷକୁ ଜଡ଼ କରିନାହିଁ, ପଶୁପକ୍ଷୀଙ୍କର ମଧ୍ୟ ସ୍ୱାଭାବିକ କ୍ରିୟା ଓ ସୌନ୍ଦର୍ଯ୍ୟକୁ ନଷ୍ଟ କରିଛି । ଜଗନ୍ନାଥ ପ୍ରସାଦ ଦାସ ‘ଚିଡ଼ିଆଖାନାରୁ ସୁନାସିଂହ’ କବିତାରେ ଏହି ଭାବରାଜିକୁ ତୋଳି ଧରିଛନ୍ତି । ସିଂହର ମୁକ୍ତିରେ ମଣିଷ ଉତ୍‌କ୍ଷିପ୍ତ ନୁହେଁ କାରଣ ଖାଦ୍ୟ ଭାବ ଓ ବନ୍ଦୀତ୍ୱ ତାର ପରାକ୍ରମରେ ଗତିରୋଧ ଆଣିଛି ।

 

ସିଂହର ଅନ୍ୟ ଆବାସୀଙ୍କ ଅବସ୍ଥାକୁ କବି ପ୍ରକାଶ କରିଛନ୍ତି-“ହରିଣର ଶିଂଘ ଚୋରିଗଲା / ବାଘ ଦେହରୁ ପଟା ପଟା ଦାଗ ଉଭାନ୍ / ଜହ୍ନ ଜଳି ପୋଡ଼ି ପାଉଁଶ ସକାଳର ଖରାରେ / କେବଳ କାଉମାନେ / ସେମାନଙ୍କର ଶୋକ ପୋଷାକରେ ।” ୨୧ ‘ଗଭୀର ଗଣ୍ଡର ମାଛ’ କବିତାରେ ମାଛ

 

୧୮.

ନାୟକ ନିତ୍ୟାନନ୍ଦ, ଭୋର ଆକାଶ, ସାଥୀମହଲ, ୧୯୮୯, ପୃ-୭୨

୧୯.

ଦାଶ ମହାପାତ୍ର ଯଦୁନାଥ, ଏବଂ ସମୁଦ୍ର, ଗ୍ରନ୍ଥ ମନ୍ଦିର, ୧୯୮୮, ପୃ-୪

୨୦.

ମହାନ୍ତି ଗୁରୁ ପ୍ରସାଦ, କବିତା ସମଗ୍ର, ଚତୁରଙ୍ଗ, ୧୯୯୫, ପୃ-୨୩

୨୧.

ଦାସ ଜଗନ୍ନାଥ ପ୍ରସାଦ, ଯେ ଯାହାର ନିର୍ଜନତା, ବିଦ୍ୟାପୁରୀ, ୧୯୮୩ (୭୯), ପୃ-୧୮୦-

 

ସହ କବିର ଏକ ଭିନ୍ନ ସମ୍ପର୍କ । ତାର ସ୍ୱାଭାବିକତାରେ କବି ଭୟଭୀତ । ସାନ ପ୍ରାଣୀଟେ ହେଲେ ମଧ୍ୟ ପାଣିରେ ତା’ଠାରୁ ଶକ୍ତିବାନ କେହି ହୋଇ ନପାରେ । ତାରି ଉପସ୍ଥିତିରେ କଇଁଫୁଲର ସୌନ୍ଦର୍ଯ୍ୟ ବର୍ଦ୍ଧିତ ହୋଇଛି । ଶେଷକୁ କବି କିନ୍ତୁ ସନ୍ଦିହାନ ଯେ କଇଁନାଡ଼ର ଦଳନରେ ମାଛ ଚଞ୍ଚଳ ନା ମାଛର ଚଞ୍ଚଳତାରେ କଇଁ ନାଡ଼ର ଦଳନ । କବି ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କ କେତୋଟି ପଶୁପକ୍ଷୀ ଆଶ୍ରୟୀ କବିତା ହେଲା ବାଘ, ପଶୁରାଜ । ହଂସ ଅପେକ୍ଷା କରେ, ପକ୍ଷୀମାନେ କାନ୍ଦୁଥିବେ ଇତ୍ୟାଦି । ‘ବାଘ’ କବିତାରେ କବି ସମ୍ଭାବନା ପ୍ରକାଶ କରିଛନ୍ତି ଯେ ବାଘର ଯଦି ବ୍ୟାଘ୍ରତ୍ୱ ପ୍ରକାଶ ନ ପାଏ ତେବେ ସେ ଠେକୁଆ, ପାରା, ବାଛୁରୀ ଅଥବା ଗୁଣ୍ଡୁଚିରେ ରୂପାନ୍ତରିତ ହୋଇଯିବ । ‘ପଶୁରାଜ’ କବିତାରେ କବି ରୂପକ ଛଳରେ ବ୍ୟକ୍ତିର ଶାରୀରିକ ଶକ୍ତିର ଅପପ୍ରୟୋଗକୁ ଦେଖାଇଛନ୍ତି । ହରିଣ ଶାବକ ସେଠାରେ ନିରୀହ ମଣିଷ । ପଶୁରାଜର ଆଦେଶରେ ଯେ କେହି ତାର ତଣ୍ଟି କଣା କରିପାରେ । ଦେବଦାସ ଛୋଟରାୟଙ୍କ ‘ମହୁମାଛି’ କବିତାରେ ମହୁମାଛି ଯୌବନ ଓ ଲମ୍ପଟ ପୁରୁଷର ପ୍ରତୀକ ହୋଇଛି । କାରଣ ସଦ୍ୟ ଯୌବନରେ ପାଦ ଦେଇଥିବା ଦେବୀର ଜୀବନରେ ନାନା ପରିବର୍ତ୍ତନ ହୋଇଛି । ତା ଫ୍ରକ୍‌ରେ ମହୁମାଛିଙ୍କ ଭିଡ଼ ପ୍ରସଙ୍ଗଟି ଏକାଧିକ ପୁରୁଷଙ୍କ କାମୁକ ଦୃଷ୍ଟିଭଙ୍ଗୀକୁ ପ୍ରକାଶ କରୁଛି । କବି ଗିରିବାଳା ମହାନ୍ତିଙ୍କ ‘ଖୁସିର ଚଢ଼େଇ ତାର’ କବିତାର ଭାବନାଟି ସଂସାରୀବଦ୍ଧ । ସବୁଜ ଆକାଶର ମାୟା କାଟି ଆସନ୍ନ ଭବିଷ୍ୟ ଓ ମିତଣୀ ପକ୍ଷିଣୀ ପାଇଁ ପକ୍ଷୀ ଫେରି ଆସିବ ବୋଲି ସେ ଭାବିଛି । ଘର ବାନ୍ଧିବା ଆୟୋଜନରେ ଛାତିରେ ଛାତିଏ ପ୍ରୀତି ଆଉ ଚଞ୍ଚୁରେ ବସା ନିର୍ମାଣର ସରଞ୍ଜାମ କାଠିକୁଟା ଥିବ । ଏପରି ଭାବନା କିନ୍ତୁ ମାଈ ପକ୍ଷୀ ଜୀବନରେ ସମ୍ଭବ ହୋଇନାହିଁ । କାରଣ ତାର ପୁରୁଷ ସାଥୀଟି ତା ପାଖକୁ ଫେରିନାହିଁ ଓ ତା ପାଇଁ ପରବର୍ତ୍ତୀ ରାତିଗୁଡ଼ିକ କାକବଂଧ୍ୟା ହୋଇଯାଇଛି । ମୋଟ ଉପରେ ଗିରିବାଳାଙ୍କ ଚଢ଼େଇଟି ସଂସାର ମୋହାବିଷ୍ଟ ହେବାର ଭାବନାକୁ ପ୍ରକାଶ କରିଛି । ସମ୍ପ୍ରତି ଏହି ପଶୁପକ୍ଷୀଙ୍କୁ ଆଧାର କରି ଲେଖାଯାଇଥିବା ଅନ୍ୟ କେତୋଟି କବିତା ହେଲା, ଅଶ୍ୱିନୀ ମିଶ୍ରଙ୍କ ପେଚା, ହୃଷୀକେଶ ମଲ୍ଲିକଙ୍କ ନଈବଢ଼ି ଓ ବାଲିଝିଣ୍ଟିକା, ନମିତା ପଟ୍ଟନାୟକଙ୍କ ପକ୍ଷୀରେ, ଚିଲ, ବିହଙ୍ଗବଳୟ, ବିପିନ ନାୟକଙ୍କ ଅନ୍ଧ ମହୁମାଛି ଓ ସତ୍ୟବତୀ କଥା, ଶତ୍ରୁଘ୍ନ ପାଣ୍ଡବଙ୍କ କସ୍ତୁରୀ ମୃଗ କଥା, ବ୍ରହ୍ମାନନ୍ଦ ଦାସଙ୍କ ପକ୍ଷୀ, ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସମୁଦ୍ର କୂଳରେ ପକ୍ଷୀଘର, ମନୋଜ କୁମାର ମେହେରଙ୍କ ପକ୍ଷୀଗୀତ ଇତ୍ୟାଦି । ଉକ୍ତ କବିତା ଗୁଡ଼ିକରେ ଏହି ସାମ୍ପ୍ରତିକ କବିଗୋଷ୍ଠୀ ସାମଗ୍ରିକ ଭାବେ କିଛି ନୂଆକଥା କହିପାରିନାହାନ୍ତି । ପାରଂପରିକ ମଣିଷର ଅନ୍ତର୍ଭାବନା ଓ ପ୍ରାଣୀପ୍ରତି ସମ୍ୱେଦନା ହିଁ ପ୍ରକାଶ କରିଛନ୍ତି ।

 

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ କଥାବସ୍ତୁର ଉତ୍ତରଣ ମଧ୍ୟ ଦେଇ ପଶୁପକ୍ଷୀଙ୍କ ପ୍ରସଂଗର ଆଲୋଚନା ପରେ କବିତା ସଂକଳନର ନାଁ ଓ ତାର ପ୍ରଚ୍ଛଦ ଚିତ୍ରପଟଟିକୁ ବିଚାର କରାଯାଇପାରେ । ସମଗ୍ର କାବ୍ୟ ସଂକଳନଟିର ଭାବନାକୁ ଅଧିକ ଆବେଦନକ୍ଷମ କରିବା ନିମନ୍ତେ କବି ସଂକଳନଟିର ନାମକୁ ପଶୁପକ୍ଷୀଙ୍କ ନାମ ଦେଇଥାନ୍ତି ଓ ଚିତ୍ରଟି ସଂକଳନଟିରେ କବିମାନସିକତାର ପ୍ରତିନିଧି ହୋଇ ଆସିଥାଏ । ଏ ଦୃଷ୍ଟିରୁ ସ୍ୱାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିତାରେ ଏପରି ନାମକରଣ କରାଯାଇଛି । ତେବେ ଏପରି ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ ସଂକଳନର ନାମକରଣ ଓ ସାମଗ୍ରିକ କାବ୍ୟଦୃଷ୍ଟି ସହ ପ୍ରଚ୍ଛଦ ଓ ସଂକଳନ ନାମର କୌଣସି ସମ୍ପର୍କ ନାହିଁ । ନିମ୍ନରେ ପଶୁପକ୍ଷୀ ଶିରୋନାମା ବିଶିଷ୍ଟ କେତୋଟି କବିତା ସଂକଳନର ନାମ ଦିଆଗଲା ।

 

ଚଢ଼େଇରେ ତୁ କି ଜାଣୁ- ସୀତାକାନ୍ତ ମହାପାତ୍ର

ଅନ୍ଧ ମହୁମାଛି- ସୌଭାଗ୍ୟକୁମାର ମିଶ୍ର

ଗୀତ ଗା’ନାରେ ପକ୍ଷୀ- କମଳାକାନ୍ତ ଲେଙ୍କା

ଶିଥିଳ ବଲ୍‌ଗା- ରବୀନ୍ଦ୍ରନାଥ ସିଂହ

ଆ’ ପକ୍ଷୀ ଫେରିଆ- ପ୍ରସନ୍ନ କୁମାର ମିଶ୍ର

ନଈ ଆଉ ମାଛ ହଂସ ଓ ସାରସ- ଶରତ ଚନ୍ଦ୍ର ପ୍ରଧାନ

ପୀଡ଼ିତ ପ୍ରଜାପତି- ଧୁନ୍ ଖୁଣ୍ଟିଆ

ସାପ ଗାତରେ ସକାଳ- ପ୍ରସନ୍ନ କୁମାର ପାଟ୍ଟଶାଣୀ

ପକ୍ଷହୀନ କପୋତ- ସୁଧାଂଶୁ ମୋହନ ରାଉତ୍‌ରାୟ

ତୁ ଫାଲଗୁନର କୁହୁକ ପକ୍ଷୀ- ରତ୍ନାକର ପଣ୍ଡା

ମରାଳର କାବ୍ୟ– ପ୍ରବୋଧ କୁମାର ମିଶ୍ର

ପକ୍ଷୀଟିଏ ବସିଛି ଡାଳରେ ଛାଇ ତାର ପୋଖରୀଜଳରେ- ଦିଲ୍ଲୀପ ଦାସ

କପୋତ ଡେଣାର ଛାଇ- ଗୋପାଳ ଚନ୍ଦ୍ର ମିଶ୍ର

ହଳଦୀ ବସନ୍ତ- ସୌରୀନ୍ଦ୍ର ବାରିକ

ଅବୁଦ୍ଧ ଗରୁଡ଼- ଅମରେଶ ପଟ୍ଟନାୟକ

ପକ୍ଷୀ ପରକୀୟା- ଦିଲ୍ଲୀପ କୁମାର ସ୍ୱାଇଁ

ପକ୍ଷୀ- ମନୋଜ କୁମାର ମେହେର

 

୧୯୫୦ ମସିହା ପରବର୍ତ୍ତୀ ସମୟରେ ପ୍ରକାଶିତ ଓଡ଼ିଆ କବିତା ସଂକଳନର ପ୍ରଚ୍ଛଦ ଚିତ୍ରର ପଶୁପକ୍ଷୀଙ୍କ ଗୁରୁତ୍ୱକୁ ଏଠାରେ ସମୀକ୍ଷା କରାଯାଇପାରେ କବିତା ଅନ୍ତରର ଭାବବସ୍ତୁ । କବିତା ଶିରୋନାମା, ସଂକଳନର ଶିରୋନାମା ସହ ଉକ୍ତ ପଶୁପକ୍ଷୀର ପ୍ରଚ୍ଛଦପଟଟି କିପରି ଗୁରୁତ୍ୱ ନିର୍ବାହ କରିଛି, ତାହାହିଁ ପ୍ରମାଣ କରିବାର ଉଦ୍ୟମ କରାଯାଇଛି ଉକ୍ତ ପ୍ରଭାବଟିରେ ।

 

ହରିହର ମିଶ୍ରଙ୍କ ‘ସ୍ଵପ୍ନ ବିନିମୟ’ ସଂକଳନର ପ୍ରଚ୍ଛଦରେ ଦୁଇଟି ସାପ ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ଗ୍ରାସ କରିଛନ୍ତି । ଗ୍ରାସ ସମୟରେ ଉକ୍ତ ପୁଅଝିଅ ଆଲିଙ୍ଗନବଦ୍ଧ । ଏଠାରେ ସର୍ପ ଯୌନତାର ପ୍ରତୀକ ହୋଇଛି । ଜେନାମଣି ଲକ୍ଷ୍ମୀକାନ୍ତଙ୍କ ‘ପ୍ରତିଚ୍ଛାୟା ପ୍ରତିଧ୍ୱନି’ରେ ଗୋଟିଏ ଜଳାଶୟ ପାଖ ଗଛରେ କାଠହଣା ଚଢ଼େଇ କାଠ ହାଣିବାରେ ରତ । ପାଣିରେ ତାର ପ୍ରତିଚ୍ଛାୟା ପ୍ରତିଫଳିତ । ଏଥିରେ କବି ଶ୍ରମିକର ପ୍ରତିନିଧି ବିଶ୍ଵଶ୍ରମିକଙ୍କ କର୍ମ ଆଗ୍ରହକୁ ପ୍ରକାଶ କରିଛନ୍ତି । ‘ହିରଣ୍ୟୟେନ ସବିତା ରଥେନା’ କବିତା ସଂକଳନଟିରେ ପାଞ୍ଚଟି ଘୋଡ଼ାର ଚିତ୍ର ରହିଛି । ଏଥିରେ ସତ୍ୟ ନାରାୟଣ ନନ୍ଦ ଉପନିଷଦୀୟ ଚିନ୍ତାଧାରାକୁ ପ୍ରକାଶ କରିଛନ୍ତି । ଶରତଚନ୍ଦ୍ର ପ୍ରଧାନଙ୍କ ‘ଯଯାତି’ରେ ନାରୀ ପୁରୁଷର ମିଳନ ଉପରେ ମୃଗ ଓ ସାପ ରୂପ ଲାଭ କରିଛନ୍ତି । ଶାନ୍ତମୃଗ ପରି ମଣିଷମନ ସର୍ପ ପରି ଉଗ୍ର ସାଜିବାର ରୂପ ପ୍ରକାଶିତ । ସଂକଳନଟି ମଧ୍ୟରେ ରାଜା ଯଯାତି ମଣିଷ ଭିତରର ଯୌନ ସଭାକୁ ପ୍ରକାଶ କରିଛନ୍ତି । ଉକ୍ତ କବିଙ୍କର ‘ନଈ ଆଉ ମାଛ ହଂସ ଓ ସାରସ’ ସଂକଳନର ନାମ ଅନୁଯାୟୀ ସବୁ ପ୍ରାଣୀ ପ୍ରଚ୍ଛଦରେ ରହିଛନ୍ତି । ପାଣିର ପ୍ରବାହ ଭିତରେ ଦୁଇଟି ମାଛ ଓ ପାଣି ଉପରେ ସନ୍ତରଣରତ ହଂସ ଓ ଉଡ଼ିବା ମୁଦ୍ରାରେ ସାରସ ରହିଛନ୍ତି । ସଂକଳନ ସହ ପ୍ରଚ୍ଛଦର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ବିପିନ ବିହାରୀ ଖମାରୀଙ୍କ ‘ନୀଳପତ୍ର’ ସଂକଳନଟି ନାମକରଣ ବା କବିତା ଗୁଡ଼ିକରୁ ପ୍ରଚ୍ଛଦର ସମ୍ପର୍କ ନିର୍ଦ୍ଧାରଣ ହୋଇନାହିଁ । ପ୍ରଚ୍ଛଦରେ ଗୋଟିଏ ବୁଢ଼ିଆଣୀ ଜାଲ ନିର୍ମାଣରେ ରତ ଥିବାର ଚିତ୍ରଟି ରହିଛି । କବି ବନଜା ଦେବୀଙ୍କ ‘ବର୍ଷାର ବଳାକା’ର ପ୍ରଚ୍ଛଦ ସହ କବିମାନସିକତାର କ୍ଷୀଣ ସମ୍ପର୍କ ଅନୁଭୂତ ହୁଏ । ସଂକଳନ ମଧ୍ୟରେ ବର୍ଷା ସଂପର୍କୀୟ ଅନେକ କବିତା ରହିଛି । ଆସନ୍ନ ବର୍ଷାର ଅବସ୍ଥାକୁ ଧାରଣ କରିଛି ପ୍ରଚ୍ଛଦ । ତାରି ଭିତରେ ତିନୋଟି ବଗପକ୍ଷୀ ଉଡ଼ିବୁଲୁଛନ୍ତି । ଧୁନ୍ ଖୁଣ୍ଟିଆଙ୍କ ‘ପୀଡ଼ିତ ପ୍ରଜାପତି' ସଂକଳନରେ ପ୍ରଜାପତି ନାଁରେ କବିତା ନ ଥିଲେ ମଧ୍ୟ ନାରୀର ପ୍ରେମକୁ ନେଇ କେତୋଟି କବିତା ରହିଛି । ସେଠାରେ ସେ ବିରହୀ, ବିଫଳ ପ୍ରେମିକ । କାବ୍ୟ ନାୟିକାର ଜୀବନର କ୍ଲାନ୍ତଭାବ ସହ ପ୍ରଚ୍ଛଦର ସମ୍ପର୍କ ରହିଛି । ‘ନୀଳହଂସ' ସଂକଳନର କବି ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ କାବ୍ୟସତ୍ତା ନୀଳହଂସ । ପ୍ରେମର ଅପୂର୍ଣ୍ଣତାରେ ନୀଳପକ୍ଷୀର ରେଖାଚିତ୍ରଟି ଗୋଟିଏ କଣ୍ଟାଗଛ ରୂପରେ ଉଦ୍‌ଭାସିତ । ‘ପକ୍ଷୀଟିଏ ବସିଛି ଡାଳରେ ଛାଇ ତାର ପୋଖରୀ ଜଳରେ’ ସଂକଳନର କବି ଦିଲୀପ ଦାସ । ଏଥିରେ ସମୟ ଏକ ପ୍ରବାହ । ପ୍ରବାହରେ ମଣିଷ ପକ୍ଷୀ ସାଜି ନିଜର ଛାପ ଖୋଜିବାର ପ୍ରବଳ ଆଗ୍ରହକୁ ପ୍ରଚ୍ଛଦ ଧାରଣ କରିଛି । ପ୍ରଚ୍ଛଦରେ ପାଣିର ଛାଇରେ ଅସ୍ପଷ୍ଟ ପକ୍ଷୀ ପରି ମଣିଷର ଅବସ୍ଥା ଅସ୍ପଷ୍ଟ । କବି ସୌଭାଗ୍ୟ କୁମାର ମିଶ୍ରଙ୍କ ‘ନଈ ପହଁରା' ସଂକଳନଟିର ନାଁ ସଂକଳନସ୍ଥ ଗୋଟିଏ କବିତା ଅନୁଯାୟୀ କରାଯାଇଛି । ପ୍ରଚ୍ଛଦର ଚିତ୍ର କବିଙ୍କ ମାନସିକ ଚିନ୍ତନ ସହ ସଂପର୍କାନ୍ୱିତ । ଆବଦ୍ଧ ସୀମା ମଧ୍ୟରେ ବଞ୍ଚିଥିବା ଆଧୁନିକ ମଣିଷ କବି ଦୃଷ୍ଟିରେ ମୃତ ମଣିଷ ସଦୃଶ । ଆବଦ୍ଧ ପଞ୍ଜୁରୀ ଭିତରେ ଗୋଟିଏ ପକ୍ଷୀର ମୃତଦେହ ସଂକଳନର ପ୍ରଚ୍ଛଦ । କବି ଅନ୍ତତଃ ମୁକ୍ତ ଜୀବନର ପକ୍ଷପାତୀ-। ଆତ୍ମପ୍ରତୀତିରେ ମାତିଥିବା ଆଜିର ମଣିଷର ପ୍ରକୃତିକୁ ପ୍ରକାଶ କରିଛି କମଳାକାନ୍ତ ଲେଙ୍କାଙ୍କ ‘ପ୍ରୀତି ଓ ପ୍ରତୀତି’ର ପ୍ରଚ୍ଛଦ । ଭ୍ରମ ମଧ୍ୟରେ ଗୋଟିଏ ପକ୍ଷୀ ପାଣି ଭିତରର ନିଜ ପ୍ରତିଚ୍ଛାୟା ସହ ଥଣ୍ଟ ଲଗାଇବାକୁ ଚେଷ୍ଟା କରିଛି । ‘ଏକତ୍ର ଚନ୍ଦ୍ରସୂର୍ଯ୍ୟ’ ସଂକଳନଟିର ପ୍ରଚ୍ଛଦଟି ଏକ ଶାଶ୍ୱତ ଓ ଚିରନ୍ତନ ଭାବନାକୁ ପ୍ରକାଶ କରିଛି । ଜହ୍ନ ସୂର୍ଯ୍ୟ ସମୁଦ୍ରରେ ଅନ୍ତ ଯିବା ସମୟରେ ସେଥିରେ ସଫେଦ ହଂସଟିଏ ଡେଣା ମେଲି ବାହାରିଛି, ଯାହା ଆଶା, ସମ୍ଭାବନା, ପ୍ରଗତି ଓ ଶାଶ୍ଵତ ସମ୍ପର୍କକୁ ପ୍ରକାଶ କରୁଛି । କବି ରଘୁନାଥ ଦାସଙ୍କ ‘ଅଗଷ୍ଟ ପନ୍ଦର ଓ ଅନ୍ୟାନ୍ୟ କବିତା’ ସଂକଳନଟିର ପ୍ରଚ୍ଛଦ ସାମ୍ୟବାଦୀ କାବ୍ୟିକ ଆବେଗକୁ ଧରିରଖିଛି । ପକ୍ଷୀ ଶାବକଟି ଚେନ୍‌ରେ ବନ୍ଦୀ । ତାର ମୁକ୍ତି ନିମନ୍ତେ ତାର ଆତ୍ମସତ୍ତା ବାହାରୁ ଆହ୍ୱାନ କରୁଛି । ତେଣୁ ସେ ବାହାର ସତ୍ତାକୁ ଆହ୍ୱାନ କରି ମଣିଷର ମୁକ୍ତି କାମନା କରିଛନ୍ତି । ‘ବିଷବାଣୀ’ ସମାନ ଭାବେ ରବୀନ୍ଦ୍ର ନାଥ ସିଂହଙ୍କ ମାର୍କସୀୟ ଭାବନାରେ ଉଦ୍ଦୀପ୍ତ । ରବି ସିଂ ସର୍ବଦା ବିଦ୍ରୋହ, ଆନ୍ଦୋଳନର ପ୍ରସଙ୍ଗ କବିତାରେ କହିଥାନ୍ତି । ସେ ଦୃଷ୍ଟିରୁ ବିଷବାଣୀ ସଂକଳନର ପ୍ରଚ୍ଛଦରେ ଗୋଟିଏ ସାପମୁହଁରୁ ବିଷବାଣୀ ଉଦ୍‌ଗୀଣର ଦୃଶ୍ୟ ସଂଯୋଜନା କରାଯାଇଛି । ସଂକଳନଟିରେ ତେଣୁ କବି ପ୍ରକାଶ କରିଛନ୍ତି – “ନିଖିଳ ଜନ୍ମ ଲଭେ ମୋ ଭିତରେ / ମହାବିଦ୍ରୋହ ନେଇ / ନିଖିଳର ବାଣୀ, ନିଖିଳର ଲୁହ / ଏ ମୋର କଲମ ଦେଇ-।” (ନିଖିଳର କବି- ପୃ-୧୫) ‘ଅର୍ଦ୍ଧନାରୀଶ୍ୱର’ କବିତା ସଂକଳନଟିରେ ମହାଦେବ ଗୋଟିଏ ଡମ୍ୱରୁ ଧରିଥିବାର ଚିତ୍ର ସହ ଡମ୍ୱରୁ ମଧ୍ୟରେ ଥିବା ନାରୀ ମୂର୍ତ୍ତିର ପାଦରୁ ନାଭି ପର୍ଯ୍ୟନ୍ତ ଗୋଟିଏ ସର୍ପ ଲମ୍ୱିବାର ଚିତ୍ର ରହିଛି । ନାରୀ ଭିତରେ ଥିବା ପରମ ପ୍ରବୃତ୍ତିକୁ ଜାଗରୂକ କରିବା ପାଇଁ ଏଠାରେ ଡମ୍ୱରୁ ଅଭିପ୍ରେତ । କବି ମନୋରମା ମହାପାତ୍ରଙ୍କ ଦୃଷ୍ଟିରେ ରମଣୀ ରଥାଙ୍ଗମିଥୁନର ଦୁଃଖରେ ଦ୍ରବୀଭୂତ । ସେ ଅର୍ଦ୍ଧନାରୀଶ୍ୱର । ସେ ମଧ୍ୟ ରୋଦନରେ ରୁଦ୍ର ଓ ରମଣରେ ରମଣୀୟ ତଥା ରସାସ୍ୱାଦନରେ ରହସ୍ୟମୟୀ (ରସୋବୈସଃ... ରସୋବୈସଃ) । ସମାନ ଭାବରେ ପ୍ରତିଟି ପୁରୁଷ ଅର୍ଦ୍ଧନାରୀଶ୍ୱର ଓ ପ୍ରତିଟି ନାରୀ ଅର୍ଦ୍ଧନରଈଶ୍ୱର । ସେହି ପ୍ରବୃତ୍ତିର ଡମ୍ୱରୁ ଦ୍ଵାରା ପରସ୍ପରର ନିକଟବର୍ତ୍ତୀ ହୁଅନ୍ତି । ରବି ସିଂଙ୍କ ‘ଶିଥିଳ ବଲ୍‌ଗା’ ସଂକଳନ ସାମ୍ୟବାଦୀ ଭାବନାରେ ଉଦ୍ଦୀପିତ । ସମସ୍ତ କବିତାର ପ୍ରତିନିଧିତ୍ୱ କରିବାର ଯୋଗ୍ୟତା ଲାଭ କରିଛି ପ୍ରଚ୍ଛଦର ସଜ୍ଜିତ ଘୋଡ଼ାଟି । ଗୋଟିଏ ଶିଥିତ ଘୋଡ଼ା ସୁସଜ୍ଜିତ ଗତିର ମୁଦ୍ରା ସଂକଳନଟିକୁ ଅଧିକ ଭାବକ୍ଷମ କରିପାରିଛି ।

 

ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ ଏତିକି କୁହାଯାଇପାରେ ଯେ, ପଶୁପକ୍ଷୀର ପ୍ରସଂଗ କବିତା ମଧ୍ୟରେ ସମ୍ୱେଦନା, ମାନବୀୟ ଅନୁଚିନ୍ତନ, ଓ ମନୁଷ୍ୟର ବହୁମୁଖୀ ଦିଗକୁ ପ୍ରକାଶ କରିଛି-। ତା ସହିତ କବିତାର ରୋମାଣ୍ଟିକ୍ ସ୍ଵର ଅନୁରଣିତ ହୋଇଛି । ଅନେକ କବିତାରେ ପଶୁପକ୍ଷୀ ସାର୍ଥକ ଭାବେ ପ୍ରୟୋଗ ହୋଇଛନ୍ତି । ଏତଦ୍‌ବ୍ୟତୀତ କାବ୍ୟଜଗତର ଅତିକଳ୍ପନା, ଅସମ୍ଭବ ଚିନ୍ତା ମଧ୍ୟ ପ୍ରକାଶ ପାଇଛି । ପ୍ରେମର ପରିଣତି ପରିଣୟ ହେଲେ ଜୀବନରେ ପୂର୍ଣ୍ଣତା ଆସେ, କିନ୍ତୁ ପ୍ରେମରେ ପ୍ରତାରଣା ପ୍ରେମିକ ଜୀବନରେ ଜାଳିଦିଏ ହତାଶାର ବହ୍ନି । ତେଣୁ ସେପରି କ୍ଷେତ୍ରରେ ଅନେକତ୍ରଃ ପ୍ରେମର ଉତ୍‌ଥାନ ନିମନ୍ତେ ପକ୍ଷୀ ହୋଇଛି ମୁଖ୍ୟ ମାଧ୍ୟମ । ସେହିପରି ଯୌନ ବିଶୃଙ୍ଖଳାର ଭାବନାକୁ ପ୍ରକାଶ କରିଛନ୍ତି ମାଛ, ଛେଳି, ବାଘ, ସାପ ଇତ୍ୟାଦି ପ୍ରାଣୀ । ସନ୍ତୁଳିତ ଆତ୍ମାର ପ୍ରତିନିଧି ଚିଲ । ସେ ଏକାଦିକ୍ରମେ ବିରହୀ, ବୁଭୁକ୍ଷୁ, ନିଃସଙ୍ଗ ଓ ଅସହାୟ । ମନୁଷ୍ୟ ପଶୁପକ୍ଷୀଙ୍କୁ ସ୍ନେହ କରେ । ନିଜ ଗୃହରେ ପରିପାଳନ କରେ । ବାତ୍ସଲ୍ୟ ପାଇ ପଶୁପକ୍ଷୀ ମାନବ ଅନୁରୂପ କ୍ରିୟା ପ୍ରତିକ୍ରିୟା ପ୍ରକାଶ କରେ । ବିଲେଇ, ଠେକୁଆ, ପାରା, କୁକୁର ଇତ୍ୟାଦି ପ୍ରାଣୀ କବିର ଏକାକୀ ଜୀବନର ସାଥୀ । ବିଶ୍ୱ ସାହିତ୍ୟରେ ମଧ୍ୟ ନାଇଟିଙ୍ଗଲ, ଚିଲ, ବାଘ, କୁକୁର, ଛେଳି, ଡ୍ରାଗନ, ପେଙ୍ଗୁଇନ୍, ଡାଇନୋସର, ମାଛ, ପେଚା, ଘୋଡ଼ା ରୂପ ପାଇଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ପଶୁପକ୍ଷୀର ପ୍ରସଂଗ ମଣିଷ ଜୀବନର ବହୁ ଦିଗକୁ ଉଦ୍‌ଘାଟନ କରିପାରିଛି । ପ୍ରତ୍ୟେକଟି ପଶୁପକ୍ଷୀ ମାନବିକ ଅନୁଭୂତିର ବିଭବରେ ଋଦ୍ଧିମନ୍ତ ହୋଇ ଉଜ୍ଜ୍ୱଳ ଚରିତ୍ର ରୂପରେ ଆତ୍ମପ୍ରକାଶ କରିଛନ୍ତି । ଯେକୌଣସି ଭାବାବେଗ ପ୍ରକାଶ ନିମନ୍ତେ ଉକ୍ତ ଚରିତ୍ରମାନେ ହୋଇଯାଇଛନ୍ତି କବିର ଗୋଟିଏ ଗୋଟିଏ ଅନ୍ତରଙ୍ଗ ମାଧ୍ୟମ ।

 

 

ରିସର୍ଚ୍ଚ ଫେଲୋ

 

ଓଡ଼ିଆ ବିଭାଗ, ଶାନ୍ତିନିକେତନ

 

ପିନ୍-୭୩୧୨୩୫, (ପ.ବଂ)

***

 

ସଂସ୍କୃତିର ଚାରୋଟି ଅଧ୍ୟାୟ

ରଚନା- ସ୍ଵର୍ଗତ ରାମଧାରୀ ସିଂହ ଦିନକର

ରୂପାନ୍ତରଣ- ଡକ୍ଟର ଶ୍ରୀନିବାସ ଉଦ୍‌ଗାତା

 

ପ୍ରକରଣ-୨

 

ଆର୍ଯ୍ୟ-ଦ୍ରାବିଡ଼ ସମସ୍ୟା ସମୂହ :

ଦ୍ରାବିଡ଼ କେଉଁମାନେ ?

ଊନବିଂଶ ଶତାବ୍ଦୀରେ ପ୍ରଜାତି-ସିଦ୍ଧାନ୍ତ (Race Theory) ଭାରତରେ ଲାଗୁ ହୋଇ ବସିଲା । କୁହାଗଲା, ଆର୍ଯ୍ୟ ଓ ଦ୍ରାବିଡ଼ ଭିନ୍ନ-ଭିନ୍ନ ପ୍ରଜାତିର । ସେତେବେଳେ ଇତିହାସର ରଚନାକାରମାନଙ୍କର ଏଭଳି ପ୍ରୟାସ ଦ୍ଵାରା ରାଷ୍ଟ୍ରୀୟ ଭାରତ ଆହତ ହୋଇଥିଲା । ଭାରତବାସୀଙ୍କ କାନରେ ପ୍ରଥମ କରି ଏ କଥା ପଡ଼ିଥିଲା । ଅତଏବ; ସେମାନେ ଚକିତ ହେଲେ । ଦୁଃଖ ମଧ୍ୟ କରିଥିଲେ । ଏହି ବିସ୍ମୟର ନିଶ୍ଚଳତମ ଅଭିବ୍ୟକ୍ତି ଦେଇଥିଲେ ସ୍ଵାମୀ ବିବେକାନନ୍ଦ । “ଏବେ ମନୁଷ୍ୟମାନଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଜାତି ଅଛି ବୋଲି ଗୋଟିଏ ସିଦ୍ଧାନ୍ତ ବାହାରିଛି । ଯାହାର ନାମ ଦ୍ରାବିଡ଼ ଥିଲା ଓ ସେ ଦକ୍ଷିଣ ଭାରତରେ ରହୁଥିଲା ତଥା ସେ ଉତ୍ତର ଭାରତରେ ରହୁଥିବା ପ୍ରଜାତିଠାରୁ ସର୍ବଥା ଭିନ୍ନ ଥିଲା । ଏହା ମଧ୍ୟ କୁହାଯାଏ ଯେ, ଦକ୍ଷିଣ ଭାରତରେ ଯେଉଁ ବ୍ରାହ୍ମଣ ଅଛନ୍ତି ସେମାନେ ହିଁ କେତେଜଣ ଆର୍ଯ୍ୟ, ଯେଉଁମାନେ ଉତ୍ତରରୁ ଦକ୍ଷିଣକୁ ଆସିଥିଲେ । ଦକ୍ଷିଣ ଭାରତରେ ବାକି ଯେତେ ଲୋକ ଅଛନ୍ତି, ସେମାନଙ୍କର ଜାତି ଓ ପ୍ରଜାତି ବ୍ରାହ୍ମଣମାନଙ୍କର ଜାତି ଓ ପ୍ରଜାତିଠାରୁ ଭିନ୍ନ । ଶ୍ରୀମାନ୍ ଭାଷାଶାସ୍ତ୍ରୀ ମହୋଦୟ, କ୍ଷମା କରିବେ, ଏ ସବୁ କଥା ନିରାଧାର ।” (୧) ଏ ଭ୍ରାନ୍ତି ଯେଉଁଠାରୁ ଜାତ ହେଲା ସ୍ୱାମୀଜୀ ଠିକ୍ ସେହିଠାରେ ହିଁ ଆଙ୍ଗୁଠି ରଖିଛନ୍ତି । ଆର୍ଯ୍ୟ ଏବଂ ଦ୍ରାବିଡ଼ମାନଙ୍କୁ ଭିନ୍ନ ବୋଲି କହିବାର ଏକ ମାତ୍ର କାରଣ ହେଲା; ଆର୍ଯ୍ୟ ଏବଂ ଦ୍ରାବିଡ଼ମାନଙ୍କର ଭାଷା ଦୁଇ ଭିନ୍ନ ପରିବାରର ଭାଷା ବୋଲି ଧରା ଯାଇଛନ୍ତି । କିନ୍ତୁ ଭାଷା ଭିନ୍ନ ହେବା ମାତ୍ରକେ ମନୁଷ୍ୟ ମଧ୍ୟ ଭିନ୍ନ ଜାତିର ହୋଇଯାଏ, ସେପରି ଅନୁମାନ ଅସତ୍ୟ । ସ୍ଵୟଂ ଭାଷାଶାସ୍ତ୍ରୀମାନେ ମଧ୍ୟ ଏହାକୁ ଏବେ ସନ୍ଦିଗ୍ଧ ବୋଲି କହିଲେଣି । ଇଂରାଜୀ ଏବଂ ଫ୍ରେଞ୍ଚ ଏଇନେ ଆଫ୍ରିକାରେ ବି କୁହାଯାଏ । ମାତ୍ର ଆଫ୍ରିକୀୟମାନେ ସେହି ନୃବଂଶର ନୁହନ୍ତି, ଯହିଁରୁ ଇଂରେଜ ଓ ଫ୍ରେଞ୍ଚମାନେ ଜାତ ହୋଇଛନ୍ତି । ଉତ୍ତର ଓ ଦକ୍ଷିଣ ଭାରତର ଘନିଷ୍ଠତା ଏତେ ପ୍ରଗାଢ଼ ଯେ ଯଦି ଉଭୟ ଭାଷା ଗୋଟିଏ ପରିବାରର ହୋଇଥାନ୍ତା ତେବେ ଭିନ୍ନ ହୋଇଥିବାର ଭାବ ମଧ୍ୟ କାହା ମନକୁ ଆସି ନଥାନ୍ତା ।

 

ପ୍ରସ୍ତରଯୁଗ ଭାରତ ବାହାରେ ନୁହେ, ଭାରତରେ ମଧ୍ୟ ବିତିଛି । ପ୍ରାଚୀନ ପ୍ରସ୍ତର ଯୁଗର ଚିହ୍ନ ମଧ୍ୟ ଭାରତର ଅତି କମ୍‌ରେ ଦଶଗୋଟି ସ୍ଥାନ, ଯଥା ମାନ୍ଦ୍ରାଜ, ମୁମ୍ୱାଇ, ଓଡ଼ିଶା, ପଞ୍ଜାବ, ଗୁଜୁରାଟ ଆଦିରେ ରହିଛି । ଏ ଦେଶରେ ବହୁ ପ୍ରାଚୀନ କାଳରୁ ମନୁଷ୍ୟ ବସବାସ କରୁଥିବାର ଏହା ଏକ ପ୍ରକୃଷ୍ଟ ଓ ବଳିଷ୍ଠ ପ୍ରମାଣ । ଯଦି ପୌରାଣିକ ପରମ୍ପରାକୁ ନେବା ତେବେ ଏ ଦେଶର ମାନ୍ୟତା ରହିଛି ଯେ, ଏହି ଦେଶରେ ହିଁ ମନୁଷ୍ୟ ପ୍ରଥମେ ଜନ୍ମଗ୍ରହଣ କରିଥିଲା ଏବଂ ଏହି ଦେଶରୁ ହିଁ ସଭ୍ୟତାର ଆରମ୍ଭ ହୋଇଥିଲା । ପଠାଣଙ୍କର ସମୟଯାଏଁ ଭାରତୀୟମାନଙ୍କ ଭିତରେ ଏହି ବଦ୍ଧମୂଳ ବିଶ୍ୱାସ ଥିଲା ଯେ, ଯେତେବେଳେ ଆଦମ ଓ ଇଭ୍ ସ୍ଵର୍ଗଲୋକରୁ ତଡ଼ା ଖାଇଲେ ସେମାନେ ଆକାଶରୁ ସିଧା ଏହି ଭାରତଭୂମିରେ ଓହ୍ଲାଇଥିଲେ । ଅମୀର ଖୁସ୍ରୋ ମୁସଲମାନ ହୋଇ ମଧ୍ୟ ଅତ୍ୟନ୍ତ ଦୃଢ଼ତା ସହକାରେ ଏ କଥା ଲେଖିଥିଲେ, ମାତ୍ର ଆଧୁନିକ ଇତିହାସକାରଙ୍କର ଚକ୍ର ଏତେ ତୀବ୍ର ଗତିରେ ଚାଲିଲା ଯେ, ଏବେ ଭାରତୀୟ ବିଦ୍ଵାନମାନେ ମଧ୍ୟ ନୀଗ୍ରୋ, ଅଷ୍ଟିକ, ଦ୍ରାବିଡ଼ ଓ ଆର୍ଯ୍ୟ ସମସ୍ତେ ଭାରତ ବାହାରୁ ହିଁ ଆସିଥିବା କଥା କହୁଛନ୍ତି; ତଥା ଏ ଦେଶର ଧରଣୀ ଲକ୍ଷ ଲକ୍ଷ ବର୍ଷ ଧରି ଜନବାସ ନ ହୋଇ ଖାଲି ପଡ଼ିରହିଥିଲା । ବନ୍ଧ୍ୟା ହୋଇ ରହିଥିଲା । ୟୁରୋପୀୟ ତର୍କ ଆଧୁନିକ ବୁଦ୍ଧିର ସମ୍ମୋହନାସ୍ତ୍ର । ତାର ବ୍ୟବହାର ସେଇମାନେ କରନ୍ତି ଯେଉଁମାନେ ତର୍କଖଣ୍ଡନର ଉଦ୍ଦେଶ୍ୟ ରଖିଥାନ୍ତି ଓ ଯାହା ଖଣ୍ଡିତ ହୋଇଥାଏ ତାହା ମଧ୍ୟ ସେମାନଙ୍କୁ ପସନ୍ଦ ଲାଗିଥାଏ ।

 

ହମ ହୁଏ, ତୁମ ହୁଏ କି ‘ମୀର’ ହୁଏ, ଏକ ହୀ ଜୁଲ୍ କେ ଅସୀର ହୁଏ ।

 

ଏହା ଯଦି ପ୍ରମାଣିତ କରିଦିଆଯାଏ ଯେ, ମଣିଷ ଭାରତବର୍ଷରେ ଜନ୍ମ ବି ହୋଇନଥିଲା, ତେବେ ଆମେ ସେହି ସିଦ୍ଧାନ୍ତକୁ ମାନିନେବା ଯେ, ଦ୍ରାବିଡ଼ମାନେ ଏହି ଦେଶକୁ ବାହାରୁ ହିଁ ଆସିଥିବେ । ତଥାପି ମଧ୍ୟ ଏ କଥା ବୁଦ୍ଧି ଗ୍ରହଣ କରିପାରୁ ନାହିଁ ଯେ, ଦ୍ରାବିଡ଼ମାନେ ଗୋଟିଏ ସମୟରେ ସମଗ୍ର ଉତ୍ତର ଭାରତରେ ବିସ୍ତାରିତ ହୋଇ ରହିଥିଲେ ଏବଂ ଆର୍ଯ୍ୟମାନେ ସେମାନଙ୍କୁ ଏକପ୍ରକାର ଘଉଡ଼େଇ ଦକ୍ଷିଣକୁ ପହଞ୍ଚାଇ ଦେଇଥିଲେ ଓ ଉତ୍ତର ଭାରତରେ ସେମାନଙ୍କର ଚିହ୍ନ-ବର୍ଣ୍ଣ ସୁଦ୍ଧା ରହିଲା ନାହିଁ । ସେହି ଯୁଦ୍ଧମାନଙ୍କରେ ହୁଏତ ଉତ୍ସାହ, ଆହତ ଓ ପ୍ରତିରୋଧର ମାତ୍ରା ଅଧିକ ହେଉ ନଥିବ । ସେତେବେଳେ ଲୋକେ ରହିବା ଲାଗି ମାତ୍ର ସ୍ଥାନଟିଏ ଚିହ୍ନୁଥିଲେ ଓ ତାହା ମିଳିଗଲା ପରେ ସାମାନ୍ୟ ଠେଲାପେଲା ତ ଅବଶ୍ୟ ହେବ, କିନ୍ତୁ ଶତ୍ରୁତା ଭୟଙ୍କର ରୂପ ନେଉ ନଥିବ । ଯଦି ଏହା ମାନିନେବା ଯେ, ଆର୍ଯ୍ୟମାନେ ପ୍ରତିଶୋଧପୂର୍ବକ ଦ୍ରାବିଡ଼ମାନଙ୍କୁ ଘଉଡ଼େଇ ବିନ୍ଧ୍ୟ ଅପରପଟକୁ ପହଞ୍ଚାଇ ଥିଲେ ତାହା ହେଲେ ଆର୍ଯ୍ୟମାନଙ୍କର ଆରମ୍ଭିକ ସାହିତ୍ୟରେ ଦକ୍ଷିଣ ଦେଶର ଉଲ୍ଲେଖ ପର୍ଯ୍ୟନ୍ତ କାହିଁକି ନାହିଁ ? ବେଦ ଓ ବ୍ରାହ୍ମଣ ସପ୍ତସୈନ୍ଧବର ନାମ ନେଇ ରହିଯାଆନ୍ତି । ତା’ପର ସାହିତ୍ୟରେ ବ୍ରହ୍ମାବର୍ତ୍ତ ପର୍ଯ୍ୟନ୍ତ ଭୂଗୋଳ ବୁଝିହୁଏ । ମଧ୍ୟ ଦେଶର ଭୂଗୋଳ ଆଉ କିଛି ପରେ ହିଁ ବର୍ଣ୍ଣିତ ହୋଇଛି । ସ୍ୱୟଂ ପାଣିନି (ଖ୍ରୀ.ପୂ. ୭ମ ଶତାବ୍ଦୀ)ଙ୍କୁ ଦକ୍ଷିଣ ଦେଶ ବିଷୟରେ ଜଣାଥିଲା କି ନାହିଁ କେଜାଣି । ଏପରି ସ୍ଥିତିରେ, ଯଦି ଦ୍ରାବିଡ଼ ବାହାରୁ ଆସିଥିବେ, ତାହାହେଲେ ଜଳପଥରେ ଆସିଥିବେ ଓ ଉତ୍ତର ଭାରତରେ ଅତି କମ୍ ରହିଥିବେ । ଅନ୍ୟଥା ସେମାନେ କେବଳ ଦକ୍ଷିଣ ଭାରତରେ ପ୍ରାରମ୍ଭରୁ ରହିଆସିଥିବେ ଏବଂ ଆର୍ଯ୍ୟମାନଙ୍କ ସହିତ ସେମାନଙ୍କ ସମ୍ବନ୍ଧ ଆକ୍ରମଣ କ୍ରମରେ ନୁହେଁ, ଆର୍ଯ୍ୟମାନେ ଭାରତରେ ବସବାସ କରିବା ପରେ ଧୀରେ ଧୀରେ ବଢ଼ିଥିବ ।

 

ଏହି ପ୍ରସଂଗରେ ଦକ୍ଷିଣ ଭାରତର ମୁଖ୍ୟତଃ ଦୁଇ ଜଣ ବିଦ୍ୱାନଙ୍କର ମତ ଉଲ୍ଲେଖନୀୟ । ଶ୍ରୀ ପି.ଟି. ଶ୍ରୀନିବାସ ଆୟଙ୍ଗାର ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘ହିଷ୍ଟ୍ରି ଅଫ୍ ତାମିଲ୍ସ’ରେ ଏହି ମତ ବ୍ୟକ୍ତ କରିଛନ୍ତି ଯେ, ପ୍ରାଚୀନ ଭାରତରେ ଉତ୍ତର ଭାରତକୁ ଦକ୍ଷିଣ ଭାରତର ଜ୍ଞାନ ନଥିଲା, ଏ ବିଶ୍ୱାସ ସମ୍ପୂର୍ଣ୍ଣ ନିରାଧାର । ଆୟଙ୍ଗାର ବୈଦିକ ରଚନାମାନଙ୍କରେ ମୋତି ଶବ୍ଦର ଉଲ୍ଲେଖ ଥିବା କଥା ସ୍ୱୀକାର କରନ୍ତି । ଆଉ ଏ ମୋତି ଅବଶ୍ୟମେବ ଦକ୍ଷିଣ ଭାରତରୁ ଯାଇ ଉତ୍ତରରେ ମିଳୁଥିବ । ସଂସ୍କୃତରେ ମୋତିର ନାମ ମୁକ୍ତ । ଆୟଙ୍ଗାର ମହୋଦୟଙ୍କର ମତ ଯେ, ମୁକ୍ତା ଶବ୍ଦ କଦାଚିତ୍ ତାମିଲ ଶବ୍ଦ ‘ମୁତ୍ତମ୍’ର ସଂସ୍କୃତ ରୂପ ଅଟେ, ଯାହାର ଅର୍ଥ ମୋତି ।

 

ଡକ୍ଟର ଭଣ୍ଡାରକର ମଧ୍ୟ ‘ସୁତ୍ତନିପାତ’ର ଉଦାହରଣ ଦେଇ ପ୍ରତିପାଦିତ କରିଛନ୍ତି ଯେ, ଉତ୍ତର ଓ ଦକ୍ଷିଣ ଭାରତର ସମ୍ବନ୍ଧ ବୁଦ୍ଧଙ୍କର ଜୀବନ-କାଳରେ ମଧ୍ୟ ଥିଲା । ଗୋଦାବରୀ ନଦୀ ତଟରେ ବାବରୀ ନାମକ ଜଣେ ବ୍ରାହ୍ମଣ ନିବାସ କରୁଥିଲେ । ସେ ବୁଦ୍ଧଙ୍କର ଅଭ୍ୟର୍ଥନା ନିମନ୍ତେ ଷୋହଳ ଜଣ ଶିଷ୍ୟଙ୍କୁ ଉତ୍ତରକୁ ପଠାଇଥିଲେ । ଭଣ୍ଡାରକରଙ୍କ ମତାନୁସାରେ ଦକ୍ଷିଣାପଥ ସହିତ ସମ୍ପର୍କ ପାଇଁ ସେ ସମୟରେ ମାତ୍ର ଦୁଇଗୋଟି ମାର୍ଗ ଥିଲା । ଗୋଟିଏ ସିନ୍ଧୁ ମୁହାଣ ନିକଟରୁ ସମୁଦ୍ର ପଥରେ ଏବଂ ଦ୍ୱିତୀୟଟି ଅବନ୍ତିର ମହିଷ୍ମତୀ ନଗରୀ ଦେଇ, ଯାହା ନର୍ମଦା ନଦୀ ତଟରେ ଥିଲା ।

 

ଶ୍ରୀରାମଚନ୍ଦ୍ର ଦୀକ୍ଷିତର ଏହି ପ୍ରଶ୍ନ ଉପରେ ସମ୍ପୂର୍ଣ୍ଣ ନୂତନ ରୀତିରେ ବିଚାର କରିଛନ୍ତି । ପ୍ରଥମେ ସେ ଏହି ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯଦି ଭୂଗର୍ଭ-ଶାସ୍ତ୍ରୀୟ ଯୁଗରେ ମାନବ ପ୍ରାଣୀ ଦକ୍ଷିଣ ଭାରତରେ ଥିଲେ, ତେବେ ଦ୍ରାବିଡ଼ ସେହି ଭଣ୍ଡାରରୁ ବିକଶିତ ହୋଇଛନ୍ତି ବୋଲି କାହିଁକି କରାଯିବ ନାହିଁ ? ପ୍ରାଚୀନ-ପ୍ରସ୍ତର ଯୁଗରୁ ଯେତେବେଳେ ମାନବ ପ୍ରାଣୀ ନୂତନ ପ୍ରସ୍ତର ଯୁଗରେ ପହଞ୍ଚଲା, ସେତେବେଳେ ସେ ଜୀବନ-ନିର୍ବାହ ପାଇଁ ଭିନ୍ନ ଭିନ୍ନ ପନ୍ଥା ଗ୍ରହଣ କଲା । କେତେକ କୃଷି ଓ ପଶୁପାଳନରେ ଲାଗିଲେ । କେତେକ ମାଛ ମାରି ପେଟ ପୋଷିଲେ, କେତେକ ଅରଣ୍ୟରେ ବାସ କରି ଆଗଭଳି ଶିକାରୀ ଜୀବନ ବିତେଇବା ପସନ୍ଦ କଲେ । ତାମିଲନାଡୁରେ ଆଦିମ ଜାତି ଲାଗି ‘ବିଲୁବର’ ଆଉ ‘ମୀନବର’ ଦୁଇଟି ବିଶେଷଣର ପ୍ରୟୋଗ କରାଯାଏ । ବିଲୁବର ସେଇମାନେ, ଯେଉଁମାନେ ଧନୁଶର ନେଇ ଶିକାର କରୁଥିଲେ ଏବଂ ସେମାନେ ମୀନବର ଯେଉଁମାନେ ଜୀବିକା ଭାବରେ ମାଛ ମାରୁଥିଲେ । ‘ବିଲୁବର’ଙ୍କ ସାଙ୍ଗରେ ଉତ୍ତର ଭାରତର ଭୀଲମାନଙ୍କର ସମ୍ବନ୍ଧ ସ୍ଥାପିତ କରାଯାଇପାରିବ । ସେ ସମସ୍ତ ଲୋକେ ଯେଉଁମାନେ ଅରଣ୍ୟ ପର୍ବତରେ ରହି କିଛି ଚାଷ ଓ କିଛି ପରିମାଣରେ ଶିକାର କରି ଜୀବନଯାପନ କରୁଥିଲେ, ସେମାନଙ୍କର ସଂସ୍କୃତି ଓ ବିଲୁବରଙ୍କର ସଂସ୍କୃତି ପ୍ରାୟ ସମାନ ।

 

ଯେଉଁମାନେ ମାଛ ଧରିବା ଓ ଚାଷ କରିବା ପସନ୍ଦ କଲେ, ସେମାନେ ନଦୀ-ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅଥବା ସମତଳ କ୍ଷେତ୍ରରେ ରହିଲେ । କେବଳ ଶିକାରୀ ସମ୍ପ୍ରଦାୟ ଭାରତର ବିଭିନ୍ନ ଅରଣ୍ୟ କ୍ଷେତ୍ରରେ ବାଣ୍ଟି ହୋଇ ରହିଲେ । ସମୁଦ୍ର ତଟରେ ରହିବା ଫଳରେ ସେମାନେ ନୌକାଚାଳନାର ଦକ୍ଷତା ହାସଲ କଲେ ଏବଂ କାଳକ୍ରମେ ଦୂର ଦେଶର ସମୁଦ୍ରଯାତ୍ରା ମଧ୍ୟ କରିବାକୁ ଲାଗିଲେ । ଏମାନଙ୍କ ମଧ୍ୟରେ ଭାରତ-ଏସିଆ ପଟକୁ ଯାଉଥିବା ଦକ୍ଷିଣ ଭାରତ ତଥା କଳିଙ୍ଗ ନାବିକ ପ୍ରଧାନ । ପ୍ରାଗୈତିହାସିକ କାଳରେ ଭାରତର ପାଶ୍ଚାତ୍ୟ ଦେଶମାନଙ୍କ ସହିତ ଯେଉଁ ବ୍ୟବସାୟିକ ସମ୍ବନ୍ଧ ଥିଲା, ସେଥିରେ ଦକ୍ଷିଣ ଭାରତୀୟ ହିଁ ଭାରତର ପ୍ରତିନିଧିତ୍ୱ କରୁଥିଲେ-। ଏହା ସତ୍ୟ ଯେ, ନୌବିଦ୍ୟା ଓ ଜଳପୋତୀୟ ଅନୁଭବ ଭାରତବର୍ଷରେ ସବୁଠାରୁ ଅଧିକ ଦକ୍ଷିଣ ଭାରତୀୟମାନଙ୍କର ଥିଲା । କାରଣ ସମୁଦ୍ରତଟବାସୀ ହୋଇଥିବା ହେତୁ ସେମାନେ ଏ ବିଦ୍ୟା ତୁଳନାତ୍ମକ ଭାବରେ ଅଧିକ ବିକଶିତ କରିଥିଲେ । ପାଶ୍ଚାତ୍ୟ ବିଦ୍ଵାନମାନେ ଏ କଥାର ସୂଚନା ଦେବାର ଏକାନ୍ତ ପ୍ରୟାସ କରିଛନ୍ତି ଯେ, ମେସୋପୋଟାମିୟା ଓ ମିଶର ଦେଶରେ ତଥା ଭୂମଧ୍ୟସାଗର ତଟରେ ଯେଉଁ ସଭ୍ୟତା ପ୍ରଚଳିତ ଥିଲା, ତାହା ସହିତ ଦ୍ରାବିଡ଼ ସଭ୍ୟତାର ଯତ୍‌କିଞ୍ଚିତ ସମାନତା ଦେଖାଯାଏ । ଏହି ସମାନତାର କାରଣ ସ୍ଵରୂପ ଦୀକ୍ଷିତର ମହାଶୟ କହନ୍ତି, ଦ୍ରାବିଡ଼ ହିଁ ସେଠାକୁ ଜଳ ଓ ସ୍ଥଳ ମାର୍ଗରେ ଯାଇଥିବେ । ଏଥିରେ ବିସ୍ମିତ ହେବାର କିଛି ନାହିଁ । ଏହି କ୍ରମରେ ସେମାନେ ସେମାନଙ୍କ ସହିତ ସମ୍ପର୍କ ସାଧିତ କରିଥିବେ, ଯେଉଁମାନଙ୍କର ଚିହ୍ନ ମହେଞ୍ଜୋଦାରୋରୁ ମିଳିଛି ।

 

ଦ୍ରାବିଡ଼ କିଏ, ଏହି ପ୍ରଶ୍ନ ଉପରେ ବିଚାର କରିବା ଲାଗି ଯେତେ ବି ସିଦ୍ଧାନ୍ତ ନିଆଯାଇଛି, ସେମାନଙ୍କର ଆଧାର କେବଳ ଅନୁମାନ । ତାହା ବାହାରେ ସେମାନଙ୍କ ମଧ୍ୟରେ ଏପରି ବି କେତେକ ଅଛନ୍ତି, ଯେଉଁମାନେ ପରସ୍ପରର ମତ ଖଣ୍ଡନ କରିଥାନ୍ତି । ଇଲିୟଟ୍ ସ୍ମିଥ୍ ଏବଂ ପେରୀଙ୍କର କଥନ ହେଲା, ସମସ୍ତ ସଭ୍ୟତା ମିଶରରୁ ହିଁ ବିସ୍ତୃତିଲାଭ କରିଛି । ଅତଏବ ଦ୍ରାବିଡ଼ମାନେ ମିଶର ଦେଶରୁ ହିଁ ଭାରତକୁ ଆସିଥିବେ । କର୍ନଲ ହୋଲ୍ଟିଚ୍‌ଙ୍କର ଧାରଣା ଯେ, ଦ୍ରାବିଡ଼ମାନେ ମେସୋପୋଟାମିୟା ପାଖରେ ରହୁଥିଲେ ଓ ସେଠାରୁ ସେମାନେ ଭାରତକୁ ଆସିଲେ । ହୋଲ୍ଟିଚ୍ ଏହା ମଧ୍ୟ କହନ୍ତି ଯେ, ବୁହୁଇ ଲୋକେ ମଙ୍ଗୋଲ ଜାତିର । ସେମାନେ ଦ୍ରାବିଡ଼ମାନଙ୍କୁ ପରାଜିତ କରିଥିଲେ ଏବଂ ପରେ ସେମାନେ ଦ୍ରାବିଡ଼ମାନଙ୍କର ଭାଷା ଗ୍ରହଣ କରିନେଲେ । ଦ୍ରାବିଡ଼ମାନେ ସାମୀ ଜାତିର ବୋଲି ଆଉ ଏକ ସିଦ୍ଧାନ୍ତ ମଧ୍ୟ ରହିଛି । ଆଉ ଏକ ସିଦ୍ଧାନ୍ତ ଅନୁସାରେ ସେମାନେ ତୁରାନୀ ଭଣ୍ଡାରରୁ ବାହାରିଛନ୍ତି । ଏହା ମଧ୍ୟ କୁହାଯାଏ ଯେ, ବୁହୁଇ ଜାତି ଦ୍ରାବିଡ଼ମାନଙ୍କର ଏକ ଶାଖା ଥିଲା ଯାହା ବାହାରୁ ଭାରତକୁ ଆସିଥିଲା ।

 

ଏହି ସମସ୍ତ ଅନୁମାନ ବିରୋଧରେ ଯେଉଁ ନୂଆ ସିଦ୍ଧାନ୍ତ ଆସିଲା ଯେ, ଦ୍ରାବିଡ଼ମାନେ ଦକ୍ଷିଣ ଭାରତର ହିଁ ମୂଳ ନିବାସୀ ତାହାର ଆଧାର ବି ବିଶେଷ ଦୃଢ଼ ନୁହେଁ । ମାତ୍ର ଏହି ସିଦ୍ଧାନ୍ତ ଭାରତୀୟ ପରମ୍ପରାକୁ ଓଲଟ-ପାଲଟ ହେବାରୁ ରକ୍ଷା କରିଥାଏ । ଏହା ତା’ର ବହୁତ ବଡ଼ ବିଶେଷତ୍ୱ । ଏହି ସିଦ୍ଧାନ୍ତକୁ ସ୍ୱୀକାର କରିବା ସକାଶେ ଚାରିଗୋଟି ମୁଖ୍ୟ ଅନ୍ତରାୟ ରହିଛି –

 

୧.

ଯଦି ଦ୍ରାବିଡ଼ମାନେ ଦକ୍ଷିଣ ଭାରତରେ ହିଁ ଉତ୍ପନ୍ନ ହୋଇଥିଲେ ଓ ସେଠାରେ ହିଁ ସେମାନଙ୍କର ସଭ୍ୟତାର ବିକାଶ କଲେ ତେବେ ଭୂମଧ୍ୟସାଗର ତଟରେ ଦ୍ରାବିଡ଼ ସଭ୍ୟତାର ପ୍ରଭାବ କାହିକି ରହିଛି ?

୨.

ବୁହୁଇ ଜାତିର ଭାଷାର ଦାବ୍ରିଡ଼ ଭାଷା ସହିତ ମେଳ କାହିଁକି ଅଛି ?

୩.

ଛୋଟନାଗପୁର ଓ ମଧ୍ୟଭାରତର ମୁଣ୍ଡା ଲୋକଙ୍କର ଭାଷାର ଦ୍ରାବିଡ଼ ଭାଷା ସହିତ ମେଳ କାହିଁକି ଅଛି ?

୪.

ସିନ୍ଧୁ ଉପତ୍ୟକାର ସଭ୍ୟତା କେଉଁ ଜାତିର ସଭ୍ୟତା ଥିଲା ?

 

ପାଶ୍ଚାତ୍ୟ ପଣ୍ଡିତମାନେ ଭାବି ବିଚାରି ଏଇ ନିଷ୍କର୍ଷରେ ପହଁଚିଛନ୍ତି ଯେ, ପ୍ରାଚୀନ ୟୁରୋପରେ ଯେଉଁମାନେ ରହିଗଲେ ସେମାନଙ୍କର ତିନୋଟି ଶାଖା ଥିଲା; ଅଲପାଇନ, ନାର୍ଡି ଓ ଭୂମଧ୍ୟସାଗରୀୟ । ଭାରତୀୟ ଜନତା ସହିତ ସେମାନଙ୍କର ସମାନତା ତାଙ୍କୁ ପ୍ରଥମେ ଭାଷାକୁ ନେଇ ଦେଖାଗଲା । ପରେ ତାଙ୍କର ମତ ହେଲା ଭାରତବାସୀଙ୍କର ପୂର୍ବଜ ଏହି ତିନୋଟି ଶାଖାର ଲୋକ ଥିଲେ । ଏଫ୍.କେ.ରିଚାର୍ଡସ ଲେଖିଛନ୍ତି, “ଭାରତୀୟ ଏବଂ ଭୂମଧ୍ୟ ସାଗରୀୟମାନଙ୍କ ମଧ୍ୟରେ ସମାନତାର ଏତେ ଅଧିକ କଥା ଅଛି ଯେ, ତା’ର ଉପେକ୍ଷା କରାଯାଇପାରିବ ନାହିଁ ।” ଇଲିୟଟ୍ ସ୍ମିଥ୍ ଓ ଡାକ୍ତର ସ୍ଲେଟର ମଧ୍ୟ ଏହି ମତପୋଷଣ କରିଥାନ୍ତି । (୧) । ଶ୍ରୀ ରାମଚନ୍ଦ୍ର ଦୀକ୍ଷିତର ଦୃଢ଼ତା ସହକାରେ ସ୍ୱୀକାର କରନ୍ତି ଯେ, ଅତି ପ୍ରାଚୀନ କାଳରେ ଭୂମଧ୍ୟସାଗରୀୟ ଲୋକମାନେ ଭାରତ ଆସିଲେ ଏବଂ (ସମଗ୍ର ଉତ୍ତର ଭାରତୀୟ ପ୍ରଦେଶ ଛାଡ଼ିଦେଇ) ଦକ୍ଷିଣ ଭାରତରେ ବସବାସ କଲେ । ସମାନତାର କାରଣ ଏହା ନୁହେଁ । ବରଂ ଏହି କଥାର ଅଧିକ ସମ୍ଭାବନା ଅଛି ଯେ, ଦକ୍ଷିଣରେ ଲୋକେ ହିଁ ସମୁଦ୍ର ଅଥବା ସ୍ଥଳମାର୍ଗରେ କ୍ରେଟାନ୍ ଓ ଏସିୟନ୍ ପର୍ଯ୍ୟନ୍ତ ପହଂଚିଲେ । ସେମାନଙ୍କ ମଧ୍ୟରୁ କେତେକ ବେଲୁଚିସ୍ଥାନ ପଟକୁ ମଧ୍ୟ ଆସିଥିବେ ଓ ଯାଇଥିବେ ବି । ଯାହାର ପ୍ରଭାବ ମହେଞ୍ଜୋଦାରୋରେ ଦେଖାଯାଏ । ଏହି ଅନୁମାନ କେବଳ ଦୀକ୍ଷିତରଙ୍କର ନୁହେଁ, ପ୍ରଚ୍ୟୁତ, ଅନେକ ବର୍ଷ ତଳେ ହର୍ବର୍ଟ ରିକଲେ ମଧ୍ୟ ଏହି କଥା କହିଥିଲେ । ଦ୍ରାବିଡ଼ ସଭ୍ୟତାର, ଭାଷାଶାସ୍ତ୍ର ଓ ନୃବଂଶ- ଶାସ୍ତ୍ର ଅନୁସାରେ ଅଧ୍ୟୟନ କରିବା ପରେ ସର୍ବପ୍ରଥମେ ରିଜଲେ ହିଁ ଏହି ମତ ଉପସ୍ଥାପନ କରିଥିଲେ ଯେ ଦ୍ରାବିଡ଼ମାନେ ଭାରତକୁ ବାହାରୁ ଆସି ନଥିଲେ, ସେମାନେ ଦକ୍ଷିଣ ଭାରତର ମୂଳ ନିବାସୀମାନଙ୍କର ସନ୍ତାନ ଅଟନ୍ତି (୨) ।

 

ବ୍ରହୁଇ ଭାଷାର ଗଠନ ଏବଂ ରୂପ ତାଙ୍କର ଆପଣାର । ମାତ୍ର ତହିଁରେ ଆର୍ଯ୍ୟ, ଇରାନୀ, ଦ୍ରାବିଡ଼ ଭାଷାର ଶବ୍ଦ ଦେଖିବାକୁ ମିଳେ । ଦ୍ରାବିଡ଼ ଭାଷାର ଶବ୍ଦ, ଭାବିଲେ କମ, ମାତ୍ର ଯାହା ଅଛି ତାହା ପ୍ରାୟ ପ୍ରଧାନ-ପ୍ରଧାନ ଶବ୍ଦ । ମୁହଁ, କାନ, ଆଖି, ମସ୍ତିଷ୍କ ଆଦିର ଅର୍ଥବୋଧକ ଶବ୍ଦଗୁଡ଼ିକ ବ୍ରହୁଇକୁ ଦ୍ରାବିଡ଼ ଭଣ୍ଡାରରୁ ଆସିଛି । ମାତ୍ର, ଏହା ଫଳରେ କେବଳ ଏତିକି ଅନୁମାନ ହେଉଛି ଯେ, ହୋଇପାରେ କେବେ କିଛି କାଳପାଇଁ ଦ୍ରାବିଡ଼ ଓ ବ୍ରହୁଲମାନେ ଏକା ସାଂଗରେ ରହିଥିବେ । ସେମାନେ ଗୋଟିଏ ବଂଶର ସନ୍ତାନ ନୁହନ୍ତି । ବାଂଶିକ ଦୃଷ୍ଟିରୁ ବ୍ରହୁଇମାନେ ଇରାନୀ ଜଣା ପଡ଼ନ୍ତି-। ଅତଏବ ଏହା ଏକ ଭ୍ରମ ଧାରଣା ଯେ ସେମାନେ ଦ୍ରାବିଡ଼ମାନଙ୍କର ବଂଶଜ ।

 

ଦ୍ରାବିଡ଼ ଓ ମୁଣ୍ଡାରୀ ଭାଷା ମଧ୍ୟରେ ସାମ୍ୟ ଉଲ୍ଲେଖ କରି ଏହା କୁହାଯାଇ ଆସୁଥିଲା ଯେ ମୁଣ୍ଡା ଓ ଦ୍ରାବିଡ଼ ଗୋଟାଏ ବଂଶର । କିନ୍ତୁ, ଡାକ୍ଟର ଗ୍ରିୟର୍ସନଙ୍କର ନିର୍ଦ୍ଦିଷ୍ଟ ମତ ହେଲା, ଦ୍ରାବିଡ଼ ଓ ମୁଣ୍ଡାରୀ ଭାଷା ମଧ୍ୟରେ କୌଣସି ସାମ୍ୟ ନାହିଁ । ତଥା କାର୍ଡବେଲଙ୍କର ମଧ୍ୟ ଏହି ମତ । ସମ୍ଭବତଃ ବହୁ ପ୍ରାଚୀନ କାଳରେ ଦ୍ରାବିଡ଼ ଭାଷାର ସାମାନ୍ୟ ଟିକିଏ ଛୁଙ୍କ ମୁଣ୍ଡାରୀ ଭାଷା ଉପରେ ବି ପଡ଼ିଥିବ, ଯେମିତି ସ୍କାବ ଭାଷା ଉପରେ ସଂସ୍କୃତର ରହିଛି । ମାତ୍ର ଏତିକିରେ କୌଣସି ଦୁଇଟି ଭାଷାକୁ ଗୋଟିଏ ପରିବାରର ବୋଲି କହି ହେବ ନାହିଁ । ମୁଣ୍ଡାରୀ ଭାଷାର ସାମ୍ୟ ଯଦି ଅନ୍ୟ କୌଣସି ଭାଷାରେ ଦେଖାଯାଇପାରେ ତେବେ ତାହା ତିବ୍ଦତୀ-ବର୍ମୀ ଅଥବା ମୌନ-ଖମେର ଭାଷା ହିଁ ହେବ । ଏହା ମଧ୍ୟ ଅନୁଶୀଳନୀୟ ଯେ କୋହ୍ଲମାନଙ୍କ ସମ୍ୱନ୍ଧରେ ଏକ ଅନୁମାନ ରହିଛି, ଯେ ସେମାନେ ଭାରତକୁ ଈଶାଣ କୋଣରୁ ଆସିଥିଲେ, ମାତ୍ର ଦ୍ରାବିଡ଼ମାନେ ବାୟବ୍ୟ କୋଣରୁ ଭାରତକୁ ଆସିଥିଲେ ବୋଲି ମତ ଅଛି । ଏହି କେତେକ କଥା ଦେଖି ଷ୍ଟେନ୍ କୋନୋ ଦ୍ରାବିଡ଼ ଭାଷାମାନେ ଅନ୍ୟ ଏକ ଭିନ୍ନ ପରିବାରର ବୋଲି ମତପୋଷଣ କରିଛନ୍ତି । ସେମାନଙ୍କର ମୁଣ୍ଡାରୀ କିମ୍ୱା ମୌନ- ଖମେର ଭାଷା ସହିତ କୌଣସି ମେଳ ନାହିଁ (୩) । ନୀଗ୍ରୋ ଓ ମୁଣ୍ଡାମାନେ କେବେ ବିନ୍ଧ୍ୟର ଦକ୍ଷିଣ ଭାଗରେ ଥିଲେ ବା ନାହିଁ ତାହା ନିଶ୍ଚିତ ଭାବରେ କୁହାଯାଇ ପାରିବ ନାହିଁ । ଅତଏବ, ଦ୍ରାବିଡ଼ ଓ ମୁଣ୍ଡା ଭାଷାର ସାମ୍ୟ ଅଧିକ ସନ୍ଦିଗ୍ଧ ହୋଇଯାଏ ।

 

ସିନ୍ଧୁ-ସଭ୍ୟତାର ରଚୟିତା କିଏ ? ଏ ବିଷୟରେ ମଧ୍ୟ ତିନୋଟି ପ୍ରଚଳିତ ମତ ଅଛି । ସାର୍ ଜନ୍ ମାର୍ଶଲଙ୍କର ଅନୁମାନ ଥିଲା ଯେ ସଭ୍ୟତାର ଚିହ୍ନ ଦ୍ରାବିଡ଼ ସଭ୍ୟତାର ଚିହ୍ନ ମନେ ହୋଇଥାନ୍ତି । ହେଉ ନ ହେଉ ସିନ୍ଧୁ ସଭ୍ୟତାର ନିର୍ମାତା ଆର୍ଯ୍ୟ ବୋଲି ଅନ୍ୟ କେତେକଙ୍କର ଅନୁମାନ । ଏ ସଭ୍ୟତା ନା ଦ୍ରାବିଡ଼ଙ୍କର ନା ଆର୍ଯ୍ୟମାନଙ୍କର ବୋଲି ଏକ ତୃତୀୟ ମତ ମଧ୍ୟ ରହିଛି-। ତା’ର କର୍ତ୍ତା ଅନ୍ୟ କେହି, ଯାହା ଠିକଣା କରିବା ସେଯାଏଁ କଠିଣ ହୋଇ ରହିଥିଲା, ଯେ ପର୍ଯ୍ୟନ୍ତ ମହେଞ୍ଜୋଦାରୋ ଓ ହରପ୍ପାରୁ ମିଳିଥିବା ଅଭିଲେଖମାନ ସଠିକ ପଢ଼ାଯାଇନାହିଁ । ଏହି ଦୃଷ୍ଟିରୁ ଏହାକୁ ବେଦର ପୂର୍ବକାଳୀନ ଅଥବା ପରବର୍ତ୍ତୀ ତାହା ନିଶ୍ଚିତଭାବରେ କୁହାଯାଇ ପାରିବ ନାହିଁ ।

 

ଏ ବିଷୟରେ ଏକ ସାଧାରଣ ଅନୁମାନ ହେଉଛି, ଅନେକ ପ୍ରାଚୀନ କାଳରେ ପଞ୍ଜାବଠାରୁ ଇରାନ ସାଗର ପର୍ଯ୍ୟନ୍ତ କୌଣସି ଗୋଟିଏ ମାତ୍ର ସଭ୍ୟତା ପ୍ରଚଳିତ ଥିଲା । ଏହାର ପ୍ରସାର ପଶ୍ଚିମରେ ସୁମେର, ବେବିଲୋନ ଓ ମିଶର ପର୍ଯ୍ୟନ୍ତ ହୋଇଥିଲା । ଯଦି ଦୀକ୍ଷିତର ମହୋଦୟଙ୍କର (୪) ଦ୍ରାବିଡ଼ମାନେ ଦକ୍ଷିଣ ଭାରତରେ ଥିଲେ, ଏହି ମତକୁ ସ୍ୱୀକାର କରି ନିଆ ଯାଏ, ତେବେ ସେମାନେ ସାହସିକ ଥିଲେ ଓ ସେହି କାରଣରୁ ସେମାନେ ହିଁ ସିନ୍ଧୁ ଉପତ୍ୟକା ତଥା ବେବିଲୋନକୁ ଯାଇ ସେଠାରେ ବସବାସ କରୁଥିବା ଲୋକଙ୍କୁ ଆପଣାର ସଭ୍ୟତା ଦ୍ଵାରା ପ୍ରଭାବିତ କରି ପାରିଥିଲେ, ତାହା ହେଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ । ଛିଣ୍ଡା ସୂତ୍ରସବୁ ଯୋଡ଼ି ଏବଂ ସବୁ ଶୂନ୍ୟସ୍ଥାନ ପୂରଣ କରି ଯେଉଁ ଚିତ୍ର ଆଗକୁ ଆସିବ, ତାହା ହେବ, ସିନ୍ଧୁ-ସଭ୍ୟତା ବେଦର ପୂର୍ବକାଳୀନ ସଭ୍ୟତା ତହିଁରେ ବେଦ-ପୂର୍ବ ସଂସ୍କୃତିର ବହୁ ଉପକରଣ ସମାହିତ ହୋଇ ରହିଥିଲା । ଆର୍ଯ୍ୟମାନଙ୍କର ସଂଘର୍ଷ ଏହି ସଭ୍ୟତାର ଲୋକଙ୍କ ସହିତ ହୋଇଥିଲା । ଆର୍ଯ୍ୟମାନେ ଯେତେବେଳେ କାଶ୍ମୀରରୁ ତଳକୁ ଆସି ସାରା ଭାରତରେ ବିସ୍ତାରିତ ହେଲେ, ପୂର୍ବ ସଭ୍ୟତାକୁ ଭାରତୀୟ ସଭ୍ୟତାର ଆଧାର ଭାବରେ ଗ୍ରହଣ କଲେ ।

 

ଆର୍ଯ୍ୟ ଏବଂ ଦ୍ରାବିଡ଼ଙ୍କର ସଂଜ୍ଞା

ପାଶ୍ଚାତ୍ୟ ବିଦ୍ଵାନମାନଙ୍କ ମତରେ ଆଲପାଇନ୍, ନାର୍ଡିକ ଓ ଭୂମଧ୍ୟସାଗରୀୟ ଲୋକେ ଗୋଟିଏ ପରିବାରର ଥିଲେ । ଅତଏବ, ଆର୍ଯ୍ୟ ଓ ଦ୍ରାବିଡ଼ମାନଙ୍କୁ, ଦୂର ହେଉ ମାତ୍ର, ସେ ଗୋଟିଏ ପରିବାରର ବୋଲି ବିବେଚନା କରନ୍ତି । ଶ୍ରୀ ବି.ଏସ.ଗୁହାଙ୍କର କ୍ଷୁଦ୍ର ପୁସ୍ତିକା ‘‘ରେସ୍ ଏଫିନିଟୀଜ୍ ଅଫ୍ ଦି ପିପୁଲ୍ସ ଅଫ୍ ଇଣ୍ଡିୟା”ର ସମୀକ୍ଷା କରି ସର୍ ଆର୍ଥର କୀଥ୍ ଖ୍ରୀ: ୧୯୩୬ରେ ଲେଖିଛନ୍ତି, ସୀମାପ୍ରାନ୍ତର ପଠାଣ ଏବଂ ତିରୁବନନ୍ତପୁରମ୍ ଆରଣ୍ୟକ ଜାତିର ଲୋକଙ୍କୁ ମିଶେଇବାର ସେତୁ ଏ ପର୍ଯ୍ୟନ୍ତ ବିଦ୍ୟମାନ ହୋଇ ରହିଛି । ମାତ୍ର ସବୁ ବିଦ୍ୱାନ କହୁଛନ୍ତି ଯେ ଭାରତରେ ପ୍ରଜାତିଗତ ଯେଉଁ ଭିନ୍ନତା ସବୁ ରହିଛି ତା'ର କାରଣ ହେଉଛି, ସମସ୍ତଙ୍କର ବାହାରୁ ଆସିବା । ଏହା ବିଚାର କରିବାର ପ୍ରୟାସ କେହି ହେଲେ କରି ନାହାନ୍ତି ଯେ କେଉଁମାନେ ସେହି ଭାରତୀୟ ଜାତି, ଯେଉଁମାନଙ୍କର ଉଦ୍ଭବ ଓ ବିକାଶ ଭାରତବର୍ଷରେ ହିଁ ହୋଇଛି । (୫)

 

ଯେତେବେଳେ ୟୁରୋପକୁ ପ୍ରଜାତିବାଦ ହେତୁ ଜାତ କାଳକୂଟର ମୁକାବିଲା କରିବାକୁ ହେଲା ସେତେବେଳେ ଖ୍ରୀ ୧୯୩୯ରେ ଜୁଲିୟନ୍ ହକ୍ଟଲେ (୬) କହିଲେ, “ପ୍ରଜାତିବାଦର ସିଦ୍ଧାନ୍ତ ଯେଉଁ ପରିମାଣରେ ମିଥ୍ୟା, ସେହି ପରିମାଣରେ ମାରାତ୍ମକ ମଧ୍ୟ ।” ଇଂରାଜୀରେ ପ୍ରଥମେ ଖ୍ରୀ. ୧୮୫୩ରେ ମେକ୍ସମୂଲର କରିଛନ୍ତି । ତାପରେ ୧୯୩୯ ସାଲରେ ହିଟଲର ପ୍ରମାଣିତ କରି ଦେଲେ, ଆର୍ଯ୍ୟମାନଙ୍କୁ ପ୍ରଜାତି ବୋଲି କହିବାର ସିଦ୍ଧାନ୍ତ ବାସ୍ତବିକ ଭୟାନକ । ମେକ୍ସମୂଲରଙ୍କୁ ଯେତେବେଳେ ତାଙ୍କର ତୃଟି ଜଣାପଡ଼ିଲା ସେତେବେଳେ ସେ ସ୍ଵୟଂ ଘୋଷଣା କରି କହିଲେ, “ଯେତେବେଳେ ମୁଁ ‘ଏରିୟନ୍’ ଶବ୍ଦ କହୁଛି ସେତେବେଳେ ରକ୍ତ, ଅସ୍ଥି, ଖପୁରୀ ଆଦିରେ ମୋର ଉଦ୍ଦେଶ୍ୟ ସୀମିତ ନୁହେଁ, ମୋର କଥନର ତାତ୍ପର୍ଯ୍ୟ ହେଉଛି, ସେହି ଲୋକେ, ଯେଉଁମାନେ ଆର୍ଯ୍ୟ ଭାଷା କହନ୍ତି ।”, ବାସ, ଏତିକି ମାତ୍ର ଅର୍ଥ ଭାରତ ଲାଗି ଠିକ୍ ଅଛି ।

 

ସେହିଭଳି ଦ୍ରାବିଡ଼ ଶବ୍ଦ ମଧ୍ୟ ଭାରତରେ ପ୍ରଜାତିବାଚକ ନୁହେ, ସ୍ଥାନବାଚକ । ଯଦି ପ୍ରଜାତିର ୟୁରୋପୀୟ ପରିଭାଷା ଦୃଷ୍ଟିରୁ ଦେଖାଯିବ ତେବେ ଗୁଜୁରାଟ ଓ ମହାରାଷ୍ଟ୍ରରେ ଆର୍ଯ୍ୟ ବଂଶର ପ୍ରଧାନତା ହେବା ଉଚିତ । ମାତ୍ର ପ୍ରାଚୀନ ଭାରତବାସୀ ଏହା ମାନୁ ନଥିଲେ । ଦ୍ରାବିଡ଼ ସ୍ଥାନର ବିଶେଷଣ ଏବଂ “ପଞ୍ଚଦ୍ରାବିଡ଼ା”ରେ ପୁରାଣକାର ଦ୍ରାବିଡ଼, ଆନ୍ଧ୍ର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟ-ଏହି ପାଞ୍ଚଗୋଟି ରାଜ୍ୟର ଗଣନା କରୁଥିଲେ । ଭାଷାମାନଙ୍କୁ ନେଇ ମଧ୍ୟ ଆର୍ଯ୍ୟ ଓ ଦ୍ରାବିଡ଼ମାନଙ୍କ ମଧ୍ୟରେ କୌଣସି ମତଭେଦ ନଥିଲା । ଦ୍ରାବିଡ଼ମାନେ ଋଷିଯଜ୍ଞର ପୁରୋହିତ ହେଉଥିଲେ । ସେମାନେ ଶାସ୍ତ୍ରାଦି ରଚନା ମଧ୍ୟ କରିଛନ୍ତି । ଏପରି ଭାବରେ ତାମିଳର ସଙ୍ଗମ-ସାହିତ୍ୟର ରଚନାରେ ଅନେକ ବ୍ରାହ୍ମଣ ରଚନାକାରଙ୍କର ମଧ୍ୟ ସହଯୋଗ ଥିଲା ।

 

ଦ୍ରାବିଡ଼ ଶବ୍ଦ ସଂସ୍କୃତ ଶବ୍ଦ । ମନୁ ଦ୍ରାବିଡ଼ ଶବ୍ଦର ପ୍ରୟୋଗ ସେମାନଙ୍କ ନିମନ୍ତେ କରିଛନ୍ତି, ଯେଉଁମାନେ ଦ୍ରାବିଡ଼ ଦେଶରେ ବସବାସ କରୁଥିଲେ । କୁମାରିକ ଭଟ୍ଟ ଏହାର ପ୍ରୟୋଗ ଭାଷାର ସୂଚନା ଦେବାଲାଗି କରିଛନ୍ତି, ଯଥା; ଆନ୍ଧ୍ର-ଦ୍ରାବିଡ଼ ଭାଷା । ଆମର ପୂର୍ବଜମାନେ ଦ୍ରାବିଡ଼ ଶବ୍ଦର ଅର୍ଥ ପ୍ରଜାତି ଭାବରେ ରଖିନଥିଲେ । ୟୁରୋପରୁ ଆସିଥିବା ପ୍ରଜାତିବାଦର ବିଷାକ୍ତ ଅର୍ଥ ଆମର ଶବ୍ଦମାନଙ୍କ ଲାଗି ଗ୍ରହଣ ନକରିବା ହିଁ ଆମମାନଙ୍କପାଇଁ ମଧ୍ୟ ଉଚିତ ହେବ ।

 

ଭାଷା-ଭିନ୍ନତା ସକାଶେ ତ୍ରସ୍ତ ହୋଇ ଭିନ୍ନ ପ୍ରଜାତିର କଳ୍ପନାକୁ ସତ ମଣିବା ମଧ୍ୟ ଅଯୋଗ୍ୟ କଥା । ସଂସ୍କୃତର ଯେତେ ସମାନତା ୟୁରୋପୀୟ ଭାଷାମାନଙ୍କରେ ଅଛି ତାଠାରୁ ଅଧିକ ସମାନତା ଉତ୍ତର ଓ ଦକ୍ଷିଣର ଭାଷାମାନଙ୍କରେ ରହିଛି । ଶବ୍ଦର ସ୍ଥାନରେ ଶବ୍ଦ ପରିବର୍ତ୍ତିତ କରି ଆମେ ଗୋଟାଏ ଭାରତୀୟ ଭାଷାର ସାହିତ୍ୟକୁ ଭାରତର ଅନ୍ୟ କୌଣସି ଭାଷାକୁ ନେଇଯାଇପାରିବା । ମାତ୍ର ୟୁରୋପର ଯେଉଁ ଭାଷାମାନଙ୍କୁ ସଂସ୍କୃତର ଭଗିନୀ ଭାଷା ବୋଲି କୁହାଯାଏ ସେମାନଙ୍କର ସାହିତ୍ୟକୁ ସେହି ସରଳତାରେ ଭାରତୀୟ କୌଣସି ଭାଷାକୁ ଆଣିହେବନାହିଁ ।

 

ଆର୍ଯ୍ୟମାନଙ୍କର ମୂଳ ସ୍ଥାନ

ଆର୍ଯ୍ୟମାନେ ଭାରତକୁ ବାହାରୁ ଆସି ନଥିଲେ, ଏଭଳି ମାନିନେବାର ମୁଖ୍ୟ ଆଧାର ହେଉଛି ଆର୍ଯ୍ୟମାନଙ୍କର ପ୍ରାଚୀନତମ ଗ୍ରନ୍ଥ, ବେଦ । ଏହା ପ୍ରତ୍ୟେକ ମାନବ ଲାଗି ପ୍ରାଚୀନତମ ଗ୍ରନ୍ଥ ଯାହା ଭାରତରେ ହିଁ ମିଳିଥାଏ । ଅନ୍ୟ କାରଣ ହେଲା, ଯଦି ଆର୍ଯ୍ୟମାନେ ଭାରତକୁ ଅନ୍ୟ କେଉଁ ଦେଶରୁ ଆସିଥିଲେ ତେବେ ବେଦରେ ସେହି ସ୍ଥାନମାନଙ୍କର କାହିଁକି ନାମୋଲ୍ଲେଖ ହୋଇନାହିଁ । ଅଥବା ଆର୍ଯ୍ୟମାନେ ସେହି ଦେଶର ସ୍ମରଣ ପର୍ଯ୍ୟନ୍ତ କିପରି କରନ୍ତି ନାହିଁ, ଯେଉଁଠାରୁ ସେମାନେ ଆସିଥିଲେ ? ଆଉ ମଧ୍ୟ ଏକ ତୃତୀୟ କାରଣ ଅଛି ଯାହାର ପ୍ରଥମ ସହିତ ସମ୍ୱନ୍ଧ ରହିଛି । କେତେକ ପାଶ୍ଚାତ୍ତ୍ୟ ବିଦ୍ୱାନଙ୍କ ମତରେ ଆର୍ଯ୍ୟମାନେ ପ୍ରଥମେ ମଧ୍ୟଏସିୟା କିମ୍ୱା ରୁଷିୟାର ଦକ୍ଷିଣ ଭାଗରେ ରହୁଥିଲେ ଏବଂ ସେଠାରୁ ସେମାନେ ଭାରତ ଓ ୟୁରୋପକୁ ଆସିଲେ-। ଯଦି ଏହାକୁ ସତ୍ୟ ବୋଲି ସ୍ୱୀକାର କରାଯାଏ ତାହାହେଲେ ବେଦସଦୃଶ କୌଣସି ପ୍ରାମାଣିକ ସାହିତ୍ୟ ଆପଣାର ମୂଳ ନିବାସସ୍ଥାନ ଛାଡ଼ିଲେ ନାହିଁ କାହିଁକି ? ଆଉ ମଧ୍ୟ ଯଦି ଆର୍ଯ୍ୟମାନଙ୍କର ମୂଳ ନିବାସ ଭାରତ ବାହାରେ ଥିଲା ତେବେ ପ୍ରତ୍ୟେକ ଭାରତୀୟ ଭାଷାରେ ଯେପରି ସଂସ୍କୃତ ଶବ୍ଦମାନଙ୍କର ବହୁଳତା ଦୃଷ୍ଟିଗୋଚର ହୋଇଥାଏ, ସେପରି ୟୁରୋପୀୟ ଭାଷାମାନଙ୍କରେ ନହୋଇ ତାହା ଅତ୍ୟନ୍ତ ନ୍ୟୂନ କେମିତି ହେଲା ? ଚତୁର୍ଥ ପ୍ରମାଣ ଭାବରେ ଏ କଥା ମଧ୍ୟ ଦୃଢ଼ତା ସହକାରେ କୁହାଯାଇଥାଏ ଯେ-ଭାରତୀୟ ଆର୍ଯ୍ୟମାନଙ୍କର ଅନୁଶ୍ରୁତି ଅର୍ଥାତ୍ ପରମ୍ପରାଗତ ଆଖ୍ୟାନମାନଙ୍କରେ ସେମାନଙ୍କର ଉତ୍ତର-ପଶ୍ଚିମରୁ ଆସିଥିବା କଥାର ସୂଚନା ମଧ୍ୟ କୌଣସି ସୂତ୍ରରୁ ମିଳେ ନାହିଁ । ଓଲଟି, ସେମାନେ ସରସ୍ୱତୀ ନଦୀ ତଟରୁ ଭାରତର ଅନ୍ୟାନ୍ୟ ଅଞ୍ଚଳ ଭଳି ଉତ୍ତର-ପଶ୍ଚିମକୁ ବି ଖେଳେଇ ହୋଇଗଲେ (୯) । ବେଦ ଅନୁସାରେ ସୋମଲତା ମୁଞ୍ଜବନ୍ତ ପର୍ବତରେ ମିଳେ ବୋଲି କୁହାଯାଇଛି । ଏହି ପର୍ବତ ପଞ୍ଜାବର ଉତ୍ତରରେ ଅବସ୍ଥିତ । ଅତଏବ, ଆର୍ଯ୍ୟମାନଙ୍କର ମୂଳ କ୍ଷେତ୍ର ପଞ୍ଜାବ ହିଁ ହୋଇଥିବ । ସଂହିତାମାନଙ୍କରେ ଯେଉଁ ସପ୍ତ-ସୈନ୍ଧବ ଦେଶର ଉଲ୍ଲେଖ ମିଳେ ତାହା ଏହି ପଞ୍ଜାବରେ ଥିଲା ।

 

ଏହା ଠିକ ଯେ ଆର୍ଯ୍ୟମାନେ ଯେଉଁଠାରେ ରହୁଥିଲେ ତାହାକୁ ସପ୍ତ-ସୈନ୍ଧବ କହୁଥିଲେ ବୋଲି ବୈଦିକ ସଂହିତାମାନଙ୍କରୁ ବିଦିତ ହୋଇଥାଏ (୧୦) । ପରେ ସେମାନେ ତାଙ୍କର ଦେଶକୁ ବ୍ରହ୍ମାବର୍ତ୍ତ ବୋଲି କହିଲେ । ତା’ପରେ ତାହା ମଧ୍ୟ ଦେଶ ହେଲା । ଏହି ତିନୋଟି ନାମର ସଂକେତ ହେଲା- ଆର୍ଯ୍ୟମାନେ ପ୍ରଥମେ ସିନ୍ଧୁ ନଦୀ ଓ ତାର ଶାଖା ନଦୀମାନଙ୍କ ପାଖରେ ଥିଲେ, ତା’ପରେ ସେମାନେ ଦକ୍ଷିଣ-ପୂର୍ବ ପଟକୁ ଆସିଲେ ଓ ଆପଣାଭୂମିକୁ ବ୍ରହ୍ମାବର୍ତ୍ତ ବୋଲି କହିବାକୁ ଲାଗିଲେ । ତା’ପରେ ଆଉ କିଛି ଆଗକୁ ବଢ଼ିବା ହେତୁ ସେ କ୍ଷେତ୍ର ମଧ୍ୟ ଦେଶ ବୋଲି ପରିଚିତ ହେଲା । ଆର୍ଯ୍ୟମାନଙ୍କର ପ୍ରସାରର ଦିଗ ପ୍ରୟାଗରୁ ପଞ୍ଜାବ ଦିଗକୁ ନଥିଲା, ସେମାନେ ପଞ୍ଜାବରୁ ହିଁ ବ୍ୟାପି ଭାରତର ଅନ୍ୟାନ୍ୟ କ୍ଷେତ୍ରକୁ ଆସିଥିଲେ । ଏହା ମଧ୍ୟ ଧ୍ୟାନ ଦେବା ଭଳି କଥାଟିଏ ଯେ ଯଦି ଆର୍ଯ୍ୟମାନେ ପ୍ରାରମ୍ଭରୁ ସପ୍ତ-ସୈନ୍ଧବ କ୍ଷେତ୍ରରେ ରହି ଆସିଥିଲେ ତେବେ ସେମାନଙ୍କର ସାହିତ୍ୟରେ ସପ୍ତସିନ୍ଧୁ ତଟରେ ସେମାନଙ୍କୁ ଶତ୍ରୁମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିଥିଲା, ଦସ୍ୟୁ ଓ ନିଷାଦମାନଙ୍କ ସହିତ ଯୁଦ୍ଧ କରିବାକୁ ହୋଇଥିଲା, ଭାରତରେ ଆଗକୁ ବଢ଼ିବା ସକାଶେ ଅନେକ ଅସୁବିଧା ହୋଇଥିଲା, କିପରି ଜଣାପଡ଼େ ?

 

ଦ୍ରାବିଡ଼ ଓ ଆର୍ଯ୍ୟମାନଙ୍କର ମୂଳସ୍ଥାନ ସମ୍ୱନ୍ଧରେ ଯେଉଁସବୁ ସିଦ୍ଧାନ୍ତ ପ୍ରଚଳିତ ହୋଇ ରହିଛି, ସେମାନଙ୍କର ଆଧାର କେବଳମାତ୍ର ଅଟକଳ ଓ ଅନୁମାନ । ତେବେବି, ଆର୍ଯ୍ୟଙ୍କର ଅଭିଜାତର ସମସ୍ୟା ଦ୍ରାବିଡ଼-ସମସ୍ୟା ଭଳି ସେତେ ରହସ୍ୟ-ପ୍ରହେଳିକାପୂର୍ଣ୍ଣ ନୁହେଁ । ଉଦାହରଣସ୍ୱରୂପ, ଆର୍ଯ୍ୟମାନେ ସେ ଦେଶର ସ୍ମରଣ କାହିଁକି କରନ୍ତି ନାଇଁ, ଯେଉଁ ଦେଶରୁ ସେମାନେ ଭାରତକୁ ଆସିଥିଲେ; ଏହି ପ୍ରଶ୍ନର ସମାଧାନ ଏହି ଅନୁମାନ ଦ୍ଵାରା ସହଜରେ ହୋଇଯାଏ ଯେ ସେତେବେଳେ ଭାରତ ଓ ଇରାନ ମଝିରେ ସୀମା ନାମକ କିଛି ନଥିଲା । ଏବେ ଏହି ମତ ପ୍ରାୟତଃ ବହୁଗ୍ରାହ୍ୟ ହୋଇଗଲାଣି, ଯେ ଆର୍ଯ୍ୟ-ମୂଳ-ଅଭିଜନ ରୁଷିୟାର ଦକ୍ଷିଣରେ ଥିଲା ଏବଂ ସେଠାରୁ କିଛି ଶାଖା ପଶ୍ଚିମ ପଟକୁ ଯାଇ ୟୁରୋପ ପହଞ୍ଚିଲେ ଓ କିଛି ଇରାନ୍ । ସେତେବେଳେ ନା ଦେଶମାନଙ୍କର ପ୍ରତିଷ୍ଠା ହୋଇଥିଲା ନା ମାନବ-ଦଳ ଗୋଟିଏ ଗୋଷ୍ଠରୁ ଦଉଡ଼ି ଆଉ ଗୋଟାଏଯାଏଁ ପହଞ୍ଚି ଯାଉଥିଲା । ଲୋକେ ଧୀରେ ଧୀରେ ଖେଳାଇଯାଇ ଆଗକୁ ଆଗକୁ ବଢ଼ିଯାଉଥିଲେ । ଯେଉଁଠାରେ ଜୀବନ-ଯାପନର ସୁବିଧା ଉପଲବ୍ଧ ହେଉଥିଲା ସେଠାରେ ଶହ ଶହ ବର୍ଷ ରହି ଯାଉଥିଲେ । ଅତଏବ, ଯଦି ଆର୍ଯ୍ୟମାନେ ଭାରତକୁ ଆପଣା ଦେଶ ବୋଲି ସର୍ବଥା ମନେ କଲେ ନାହିଁ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଇତି ମଧ୍ୟରେ ଆର୍ଯ୍ୟମାନଙ୍କର ମୂଳଭାଷା କେଉଁଠାରୁ ଉତ୍ପନ୍ନ ହୋଇଥିଲା ଓ ତାର ମୂଳ-ରୂପ କଣ ଥିଲା, ସେ ସବୁ ଜାଣିବା ଲାଗି ଆମ ପାଖରେ କୌଣସି ଆଧାର ନାହିଁ । ଏପରି ପରିସ୍ଥିତିରେ ଏତିକି ମାତ୍ର ଅନୁମାନକୁ ଯଥେଷ୍ଟ ବୋଲି ମାନିବା ଉଚିତ ଯେ ଆର୍ଯ୍ୟମାନେ ମଧ୍ୟ ଏସିୟାରୁ ୟୁରୋପକୁ ଏହି କ୍ରମରେ ଦକ୍ଷିଣ ରୁଷିୟାରୁ ଇରାନ ପର୍ଯ୍ୟନ୍ତ ଯିବାରେ ସେମାନଙ୍କୁ କେଜାଣି କେତେ ଶହ ବର୍ଷ ଲାଗିଥିବ । ଆଉ ଇରାନରୁ ଭାରତକୁ ଆସିବାକୁ ମଧ୍ୟ କେତେ ଶତାବ୍ଦୀ ବିତି ଯାଇଥିବ । ଆସିଲେ, ସେମାନଙ୍କ ସାଙ୍ଗରେ ମୂଳ ଭାଷାର ସେହି ରୂପ ଗଲା ଯାହା ନେଇ ଇରାନକୁ ଯାଉଥିବା ଆର୍ଯ୍ୟ ଇରାନ ପହଞ୍ଚିଲେ । ପରେ ଏହି ଦୁଇ ଶାଖାର ଆର୍ଯ୍ୟମାନେ କେବେହେଲେ ପରସ୍ପର ସହିତ ଭେଟାଭେଟି ହେଲେ ନାହିଁ । ଅତଏବ ସେମାନଙ୍କର ଭାଷା ସ୍ଥାନୀୟ ପ୍ରଭାବରେ ଆର୍ଦ୍ର ହୋଇ ପରିଶେଷରେ ବହୁତ ଭିନ୍ନ ହୋଇଗଲା ।

 

ଯେତେବେଳେ ଆର୍ଯ୍ୟମାନେ ଇରାନରେ ଥିଲେ, ସେତେବେଳେ ସଂସ୍କୃତ ଓ ଇରାନୀ ଭାଷା ସ୍ୱତନ୍ତ୍ର ନୁହେଁ, ଅଭିନ୍ନ ଥିଲା । ଜେନ୍ଦାବେସ୍ତାର ଶ୍ଲୋକଗୁଡ଼ିକ ସହଜରେ ସଂସ୍କୃତରେ ପରିବର୍ତ୍ତିତ କରାଯାଇ ପାରେ । ମାତ୍ର ଏହି ସମାନତା ଫାରସୀ ଓ ହିନ୍ଦୀରେ ଦେଖାଯାଏ ନାହିଁ, ଯଦିଓ ହିନ୍ଦୀ ଓ ଫାରସୀ ଗୋଟିଏ ପରିବାରର । ଏ ପ୍ରକାର ଭେଦ ଏହି କାରଣରୁ ହେଲା ବିଶେଷ ପ୍ରକାର ଐତିହାସିକ ଓ ଭୌଗୋଳିକ ପରିସ୍ଥିତି ହେତୁ ଇରାନରେ ପ୍ରଚଳିତ ସଂସ୍କୃତ ବଦଳି ବଦଳି ଫାରସୀ ହେଲା ଏବଂ ଭାରତରେ ସଂସ୍କୃତରୁ ଉତ୍ପନ୍ନ ନୂଆ ନୂଆ ଭାଷାମାନେ ଫାରସୀଠାରୁ ଅନେକ ଭିନ୍ନ ହୋଇଗଲେ । ତେବେବି ସବୁଠାରୁ ଲକ୍ଷଣୀୟ କଥା ହେଲା, ଆର୍ଯ୍ୟମାନଙ୍କର ମୂଳ ଭାଷାର ରକ୍ଷା କେବଳ ମାତ୍ର ଭାରତବର୍ଷରେ ହିଁ ହେଲା । ଅନ୍ୟଦେଶମାନଙ୍କରେ ସଂସ୍କୃତର ଅତି କମ୍ ଶବ୍ଦ ବଞ୍ଚି ରହିଛନ୍ତି, ଯାହା ଅତି କଷ୍ଟରେ ଚିହ୍ନି ହୁଏ । ଭାରତରେ ସେହି ଶବ୍ଦଗୁଡ଼ିକ ଆପଣାର ମୂଳ ରୂପରେ ବିଦ୍ୟମାନ ହୋଇ ରହିଛନ୍ତି (୧୦) । ଆଉ ଦେଶମାନଙ୍କରେ ମୂଳ ଭାଷା ରୂପାନ୍ତରିତ ହୋଇ ନୂଆ ନୂଆ ଭାଷାରେ ପରିଣତ ହୋଇଗଲା । କେବଳ ଭାରତରେ ସଂସ୍କୃତ ଅନ୍ୟାନ୍ୟ ଭାଷାମାନଙ୍କୁ ଜାତ କରି ମଧ୍ୟ ଆପଣାର ଅସ୍ତିତ୍ତ୍ୱ ବଳବତ୍ତର କରି ରଖିଛି । ସେହି ଭାଷାରେ ଆଜି ବି ପତ୍ରିକା ପ୍ରକାଶିତ ହେଉଛି, ନୂତନ ସାହିତ୍ୟର ରଚନା ହେଉଛି, ବୌଦ୍ଧିକ ବିଷୟ ଉପରେ ଶାସ୍ତ୍ରାର୍ଥ ମଧ୍ୟ ହେଉଛି ।

 

ଆର୍ଯ୍ୟମାନଙ୍କର ଶାଖାମାନେ ଯେତେବେଳେ ୟୁରୋପ ଓ ଇରାନ ପଟକୁ ଗଲେ, ସେତେବେଳେ ଆର୍ଯ୍ୟମାନଙ୍କର ଲିଖନ-ଜ୍ଞାନ ଥିଲା କି ନାହିଁ, ତାହା ଅଗୋଚର ଅଟେ । ମାତ୍ର ଏହା ନ ମାନିଲେ ଚଳିବ ନାହିଁ ଯେ ଆର୍ଯ୍ୟମାନେ ଇରାନରୁ ପଞ୍ଜାବକୁ ଯୀଶୁଖ୍ରୀଷ୍ଟଙ୍କର ତିନି ହଜାର ବର୍ଷ ପୂର୍ବରୁ ପହଞ୍ଚି ସାରିଥିଲେ । ଅଥବା ସେମାନେ ଇରାନରୁ ପଞ୍ଜାବ ପର୍ଯ୍ୟନ୍ତ ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଥିଲେ । ସେମାନେ ବେଦର ରଚନାରମ୍ଭ, କଦାଚିତ, ପଞ୍ଜାବକୁ ଆସିବା ପରେ କରିଛନ୍ତି, କିନ୍ତୁ ତତ୍‌ପୂର୍ବରୁ ସେମାନେ ସେମାନଙ୍କର ସଭ୍ୟତାର ବିକାଶ କରି ଆସିଛନ୍ତି । ବେଦର ରଚୟିତାମାନଙ୍କ ରଚନା କୌଣସି ଅସଭ୍ୟ ବା ଅର୍ଦ୍ଧ-ସଭ୍ୟ ଜାତିର ରଚନା ହୋଇ ପାରିବ ନାହିଁ । ସେମାନଙ୍କ ଦ୍ୱାରା ସଙ୍କେତିତ ସଭ୍ୟତା ଅତ୍ୟନ୍ତ ପୁଷ୍ଟ ଓ ପରିମାର୍ଜିତ । ବେଦର ସାରସ୍ୱତ ରଚନାଶୈଳୀକୁ ସୁବିକଶିତ ଶୈଳୀ ଭାବରେ ଗ୍ରହଣ କରାଯାଏ । ଭାବିବା କଥା ଯେ ବେଦର ସୂକ୍ତମାନେ ସମାଚାର-ପତ୍ରର ସ୍ତମ୍ଭ ନୁହନ୍ତି, ଯହିଁରେ ସନ୍ଧ୍ୟାର ଘଟଣା ସକାଳକୁ ଛାପା ହୋଇଯାଏ, ସେମାନେ ଦୈନନ୍ଦିନୀର ପୃଷ୍ଠା ନୁହନ୍ତି ଯହିଁରେ ଋଷି ପ୍ରତ୍ୟହ ଘଟିତ ଘଟଣା ଲିପିବଦ୍ଧ କରୁଥିଲେ । ବେଦ ସାହିତ୍ୟ ଓ ସାହିତ୍ୟରେ ମୁଖ୍ୟତଃ ସେଭଳି ଘଟଣାଗୁଡ଼ିକ ହିଁ ପ୍ରବେଶ କରନ୍ତି, ଯେଉଁମାନେ ପରମ୍ପରାରେ ସମାହିତ ହୋଇ ସାରିଥାନ୍ତି । ସେହି ଦୃଷ୍ଟିରୁ ଯଦି ବେଦକୁ ଖ୍ରୀ.ପୂ.୧୫୦୦ର ରଚନା ଭାବରେ ଗ୍ରହଣ କରିବା, ତେବେ ମଧ୍ୟ ବୁଝିବା ଉଚିତ ଯେ ତହିଁରେ ଉଲ୍ଲିଖିତ ଘଟଣା ତାହାର ହଜାରେ-ପାଞ୍ଚଶହ ବର୍ଷ ପୂର୍ବର ଅବଶ୍ୟ ହୋଇଥିବ ।

 

ଯେଉଁମାନେ ଆର୍ଯ୍ୟ ବ୍ରହ୍ମାବର୍ତ୍ତ ଦେଶର ଅଧିବାସୀ ବୋଲି ଗ୍ରହଣ କରିଛନ୍ତି ଆଉ ସେଠାରୁ ସେମାନେ ଇରାନ ଓ ୟୁରୋପକୁ ଆସିଲେ, ବିରୋଧରେ ଦୁଇଟି ପ୍ରବଳ ଯୁକ୍ତି ରହିଛି । ପ୍ରଥମ କଥା ହେଲା ଭାରତଭୂମି ଏତେ ସୁଖଦାୟିନୀ ଯେ ଯେଉଁ ଜାତି ଏଠାରେ ଥରେ ରହିଗଲା, ସେ ଆଉ ଯିବାର ନାମ ପର୍ଯ୍ୟନ୍ତ ଉଚ୍ଚାରଣ କରି ନାହିଁ । ୟୁତୀ, ଶକ, ହୂଣ, ତୁର୍କ ଓ ମୋଗଲ ଭାରତକୁ ଆସି ଆଉ ଭାରତରୁ ଫେରିଲେ ନାହିଁ । ସେମାନେ ମଧ୍ୟ ଏସିୟାରୁ ଆସିଥିଲେ । ସେଠାକାର ଜମି ପଥୁରିଆ ଓ ଅନୁର୍ବର ଥିଲା । ତେଣୁ ସେମାନେ ଏ ସ୍ଵର୍ଗ ଛାଡ଼ି କୁଆଡ଼େ ଓ କାହିଁକି ଯାଇଥାନ୍ତେ ? ଏପରି ସ୍ଥିତିରେ ଆର୍ଯ୍ୟ ଭାରତ ଛାଡ଼ି ଦେଇ ଚାଲିଯାଇଥିବେ, ଏହା ମାନିବା କଥା ନୁହେଁ । ଯଦି ଏହା କହିବା ଯେ ସେମାନେ ଆପଣାର ସଂସ୍କୃତିର ପ୍ରଚାର ନିମନ୍ତେ ବାହାରକୁ ଗଲେ, ତେବେ ବି ଏ ଯୁକ୍ତି ଯଥାର୍ଥ ମନେ ହୁଏ ନାହିଁ । କାରଣ ସେତେବେଳେ ସମଗ୍ର ଭାରତବର୍ଷ ଆର୍ଯ୍ୟ ସଂସ୍କୃତି ସ୍ୱୀକାର କରି ନଥିଲା ଏବଂ ସଂସ୍କୃତି ପ୍ରଚାରକମାନଙ୍କ ସକାଶେ ଏ ଦେଶରେ ଅତି ବୃହତ କର୍ମ-କ୍ଷେତ୍ର ଖୋଲା ରହିଥିଲା ।

 

ଋଗ୍‌ବେଦ ଅନୁସାରେ ଆର୍ଯ୍ୟମାନଙ୍କର ଦେଶ ସପ୍ତ-ସୈନ୍ଧବ ଥିଲା । ଏହା ସେହି ଭୂ-ଭାଗ, ଯେଉଁଠାରେ ମହେଞ୍ଜୋଦାରୋ ସଭ୍ୟତାର ପ୍ରମାଣ ପ୍ରାପ୍ତ ହୋଇଅଛି । ଆର୍ଯ୍ୟ ଜାତି ସହିତ ସମ୍ୱନ୍ଧ ଯେତେ ସବୁ ଜାତିର ଏ ଯାଏଁ ପ୍ରାଚୀନ ଚିହ୍ନ ମିଳିଛି, ସେମାନଙ୍କ ମଧ୍ୟରେ କେହି ହେଲେ ଏତେ ପ୍ରାଚୀନ ନୁହନ୍ତି ଯେତେ ମହେଞ୍ଜୋଦାରୋ ଓ ହରପ୍ପାର ପ୍ରମାଣ ସମୂହ । ହରପ୍ପାର ସଭ୍ୟତା ଆର୍ଯ୍ୟ ସଭ୍ୟତା ଥିଲା ବୋଲି ଯଦି କୌଣସି ମତେ ପ୍ରମାଣିତ କରାଯାଇ ପାରିବ, ତେବେ ଏହା କହିବାର ଏକ ସୁଦୃଢ଼ ଆଧାର ମିଳିପାରିବ ଯେ ଆର୍ଯ୍ୟମାନଙ୍କ ମୂଳ ମଧ୍ୟଏସିୟା ନୁହେଁ, ଭାରତବର୍ଷ-। ମାତ୍ର- ଯେ ପର୍ଯ୍ୟନ୍ତ ତାହା ହୋଇନାହିଁ ଆମେ ଏହି ନିଷ୍କର୍ଷରୁ ଓହରି ଯାଇ ପାରିବା ନାହିଁ ଯେ ଭାରତ ଆର୍ଯ୍ୟ-ଭିନ୍ନ ସଭ୍ୟତା ଥିଲା । ତା’ର ସବୁଠାରୁ ବଡ଼ ପ୍ରମାଣ ହେଉଛି, ମହେଞ୍ଜୋଦାରୋ ସଭ୍ୟତାରେ ଶିବପୂଜା ପ୍ରଚଳିତ ଥିଲା । ଏହି ପୂଜା ଆର୍ଯ୍ୟମାନଙ୍କ ଦ୍ୱାରା ବିଳମ୍ୱରେ ଗୃହୀତ ହୋଇଛି ଆଉ ତାହା ମଧ୍ୟ ଋଷିମାନଙ୍କର ଇଚ୍ଛା ବିରୁଦ୍ଧରେ ।

 

ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ କେହିବି ଅନୁମାନ କରି ନଥିଲେ ଯେ ଆର୍ଯ୍ୟ ଏ ଦେଶର ମୂଳ ନିବାସୀ ନୁହନ୍ତି ଅଥବା ଏହା ଯେ ଉଭୟ ଆର୍ଯ୍ୟ ଓ ଦ୍ରାବିଡ଼ଙ୍କ ପୂର୍ବଜମାନେ ଏ ଦେଶକୁ ବାହାରୁ ଆସିଥିଲେ । ସ୍ନ. ୧୭୮୬ରେ ସାର୍ ଉଇଲିୟମ୍ ଜୋନ୍ସ ଏହା ଉପସ୍ଥାପିତ କଲେ ଯେ ୟୁନାନୀ, ଲାଟିନୀ ଗୋଥିକ, କୋଲ୍ଟିନ, ଫାରସୀ ଓ ସଂସ୍କୃତ; ଏହି ସବୁ ଭାଷା କୌଣସି ଗୋଟିଏ ଭାଷାରୁ ବିକଶିତ ହୋଇଛନ୍ତି । ଏହା ଉପରେ ତୁଳନାତ୍ମକ ଭାଷା-ବିଜ୍ଞାନର ଆରମ୍ଭ ହେଲା, ଅନୁସନ୍ଧାନ ହେଲା । ବିଦ୍ୱନ୍ମଣ୍ଡଳୀ ଫଳତଃ ସାନନ୍ଦ-ଚକିତ ହେଲା । ଉତ୍ତର ଭାରତର ସବୁ ଭାଷା, ପଶ୍ଚିମ ଏସିୟାର ଜେନ୍ଦ, ପାରସୀ, ପଶ୍‌ତୋ, ବଲୁବୀ, ନୁର୍ଦ, ଆରମିନୀୟନ୍, ୟୁରୋପର ଇଟାଲିୟନ୍, ଫ୍ରେଞ୍ଚ, ସ୍ପେନିସ୍‌, ୟୁନାନୀ, ନୋଲ୍ଟିନ୍, ଜର୍ମାନ, ଇଂରେଜୀ, ଟ୍ୟୁଟାନିକ୍, ସ୍ଲାବୋନିକ୍, ଲିଥୁଏନିୟନ୍, ଲାଟିନୀ, ଅଲବେନିୟନ ଆଦି ଭାଷା କୌଣସି ଗୋଟିଏ ସ୍ରୋତରୁ ହିଁ ଜାତ ଓ ପ୍ରବାହିତ ହୋଇଛନ୍ତି-। ଏହି ସବୁ ଭାଷାଭାଷୀ ଲୋକଙ୍କୁ ପଣ୍ଡିତମାନେ ଇଣ୍ଡୋ-ୟୁରୋପୀୟନ୍, ଇଣ୍ଡୋ-ଇରାନୀୟନ ବା ମାତ୍ର ଆର୍ଯ୍ୟ ବୋଲି ଅଭିହିତ କଲା । ଆର୍ଯ୍ୟମାନଙ୍କର ମୂଳସ୍ଥାନର ଅନ୍ୱେଷଣରେ ସେମାନେ ତାପରେ ଲାଗି ଗଲେ । ଯେହେତୁ ଅନ୍ୟ ଭାଷାମାନଙ୍କର ତୁଳନାରେ ଫାରସୀ ଓ ସଂସ୍କୃତ ଭିତରେ ସାମୀପ୍ୟ ଅଧିକ ଥିଲା, ଅନୁମାନ ହେଲା, ଆର୍ଯ୍ୟମାନେ ଯେତେବେଳେ ଆପଣାର ମୂଳସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ଲାଗିଲେ ସେତେବେଳେ ସେହି ଶାଖାର ଲୋକେ ଯେଉଁମାନେ ଭାରତ ଓ ଇରାନ ପଟକୁ ଆସିଥିଲେ; ପରସ୍ପର ଏକା ସାଂଗରେ ଅନେକ ଦିନ ରହିଥିଲେ । ଆର୍ଯ୍ୟମାନଙ୍କର ଇଣ୍ଡୋ-ଇରାନିୟନ୍ ନାମର କାରଣ ହେଉଛି, ଶାଖାର ଏହି ପ୍ରମୁଖତା-। ଏବଂ ଏହାହିଁ କାରଣ ଯାହା ଫଳରେ ସଂସ୍କୃତ ଓ ଫାରସୀର ଏତେ ନିକଟ ସମ୍ୱନ୍ଧ ରହିଛି ।

 

ଯେତେବେଳେ ଏହି ବିଚାର-ଧାରାର ଅନୁଶୀଳନାରମ୍ଭ ହେଲା, ସମଗ୍ର ବିଶ୍ଵର ପୁରାତତ୍ତ୍ୱବିଦ୍, ନୃବଂଶ-ଶାସ୍ତ୍ରୀ, ଭାଷା-ତତ୍ତ୍ୱଜ୍ଞମାନଙ୍କ ମଧ୍ୟରେ ସତେ ଯେମିତି କୋଳାହଳ ଆରମ୍ଭ ହୋଇଗଲା । ଅନେକ ପ୍ରକାରର ଅନୁମାନ ମାଧ୍ୟମରେ ଆର୍ଯ୍ୟମାନଙ୍କର ମୂଳ ବଂଶ କେଉଁଠାରେ ଥିଲା ସିଦ୍ଧ-ପ୍ରମାଣିତ କରିବାର ପ୍ରୟାସ ହେଲା । ଋଗ୍‌ବେଦର ଉଷା ସୂକ୍ତରେ ଋଷିମାନେ ଉଷା ଲାଗି ଯେଉଁ ଭକ୍ତି ପ୍ରଦର୍ଶନ କରିଛନ୍ତି; ତହିଁରୁ ହିଁ ଏପରି ଏକ ଅନୁମାନ ହେଲା ଯେ, ଏହି ଭକ୍ତି ସେ ଉଷା ଲାଗି, ଯାହା ଉତ୍ତର ଧ୍ରୁବରେ ଉଦିତ ହୋଇ ମାସ-ମାସ ରହିଥାଏ, । ଭାରତରେ ଉଷାର ସୌନ୍ଦର୍ଯ୍ୟ କ୍ଷଣସ୍ଥାୟୀ । ତେଣୁ, ତାହା ଦେଖି ଏପରି ଭକ୍ତିପୂର୍ଣ୍ଣ ଉଦ୍‌ଗାର ହୁଏତ ପ୍ରକଟିତ ହୋଇପାରିବ ନାହିଁ । ଏଣୁ ନିଶ୍ଚିତ ଯେ ଆର୍ଯ୍ୟମାନଙ୍କର ମୂଳସ୍ଥାନ ଉତ୍ତର ଧ୍ରୁବ ନିକଟରେ ଥିଲା । ଋଗବେଦରେ ଏକ ମନ୍ତ୍ର ଅଛି ‘‘ତରେମ ତରସା ଶତଂ ହିମା’’ । ଅର୍ଥ ହେଲା- ଆମେ ଶତ-ହିମ ଅର୍ଥାତ୍ ଶତବର୍ଷ, ଜୀବିତ ରହିବା । ଏଥିରୁ ଏହି ମତର ଉଦ୍ଭବ ହେଲା-; ଆର୍ଯ୍ୟମାନେ ଶୀତ-ପ୍ରଧାନ ଦେଶରେ ରହୁଥିଲେ । ସୁମେରୁ ପର୍ବତରେ ଗୋଟିଏ ଦିନ ଓ ରାତିର ଅବଧି ଗୋଟାଏ ବର୍ଷର ହୋଇଥାଏ ବୋଲି ମହାଭାରତରେ ବର୍ଣ୍ଣନା ଅଛି । ଏହା ଦ୍ଵାରା ଆର୍ଯ୍ୟମାନେ ଉତ୍ତର-ଧ୍ରୁବରେ ହିଁ ରହୁଥିଲେ ବୋଲି ମତର ପୁଷ୍ଟି-ସାଧନ ହୋଇଛି । ତାଙ୍କର ‘ଓରାୟନ୍’ ନାମକ ଇଂରେଜୀ ପୁସ୍ତକରେ ଲୋକମାନ୍ୟ ବାଳଗଙ୍ଗାଧର ତିଳକ ମଧ୍ୟ ଜ୍ୟୋତିଷର ଆଧାରରେ ଏହା ପ୍ରମାଣିତ କରିବାର ପ୍ରୟାସ କରିଛନ୍ତି । କହିଛନ୍ତି, ଉତ୍ତର-ଧ୍ରୁବ ହିଁ ଆର୍ଯ୍ୟମାନଙ୍କର ମୂଳ କ୍ଷେତ୍ର ।

 

ମିଶରର ଅଲ-ଅମର୍ନା (ଡଷ-ଢଳମଦୂମ୍) ନାମକ ସ୍ଥାନର ଉତ୍‌ଖନନରୁ ଜଣା ପଡ଼ିଲା-ଖ୍ରୀ.ପୂ. ୧୫୦୦ ପୂର୍ବରୁ ସେଠାରେ ଯେଉଁ ରାଜାମାନେ ରାଜୁତି କରୁଥିଲେ ସେମାନଙ୍କର ନାମର ସଂସ୍କୃତ ନାମ ସହିତ ଅନେକ ସାମ୍ୟ ରହିଛି । ଯଥା- ଆର୍ତ୍ତମନ୍ୟ, ଯଶଦତ୍ତ, ସୁତ୍ତର୍ଣ ଇତ୍ୟାଦି । ତାହା ଛଡ଼ା ଏକ ରୋଚକ କଥା ହେଲା, ଗୋଟାଏ ସନ୍ଧି-ପତ୍ର । ଏହି ସନ୍ଧି-ପତ୍ରରୁ ହିତ୍ତୀ ଓ ମିତନ୍ନୀ ରାଜ୍ୟ ମଧ୍ୟରେ ହୋଇଥିବା ସନ୍ଧିର ସୂଚନା ମିଳେ । ଏହି ସନ୍ଧିର ସମୟ ଖ୍ରୀ.ପୂ. ୧୪୦୦ ବୋଲି ଧରା ଯାଇଛି । ସେହି ସନ୍ଧି-ପତ୍ରରେ ଇନ୍ଦ୍ର, ବରୁଣ ଓ ନାସତ୍ୟୋ (ଅଶ୍ୱିନୀକୁମାର) ଏହି ତିନି ବୈଦିକ ଦେବତାଙ୍କର ନାମୋଲ୍ଲେଖ ହୋଇଛି । ଖ୍ରୀ.ପୂ. ୧୪୦୦ ବେଳକୁ ଆର୍ଯ୍ୟମାନେ ଭାରତକୁ ଆସି ନଥିଲେ ବୋଲି ଏଥିରୁ ପ୍ରମାଣିତ ତ ହେଉନାହିଁ ମାତ୍ର ନିଶ୍ଚିତ ପ୍ରମାଣିତ ହୋଇଯାଉଛି ଯେ ସେ ସମୟରେ ମିଶର, ମେସୋପୋଟାମିୟା, ସିରିୟା ଆଦିରେ ଆର୍ଯ୍ୟ-ଭାଷା ଓ ଆର୍ଯ୍ୟ-ସଭ୍ୟତା ବିଦ୍ୟମାନ ଥିଲା; ସେଠାକାର ଲୋକେ ଆର୍ଯ୍ୟ ବଂଶୋଦ୍ଭବ ହୋଇ ନଥାନ୍ତୁ ପଛକେ । ସେ ଅଞ୍ଚଳ ସେମାନଙ୍କର, ଯାହାକୁ ଆମେ ବର୍ତ୍ତମାନ ସାମୀ କହୁଁ ।

 

ଏହିପରି ଭାବରେ ଖ୍ରୀ.ପୂ. ୧୫୦୦ ପାଖାପାଖି ଆର୍ଯ୍ୟ ଭାଷା ରୁଷିୟାରୁ ଦକ୍ଷିଣ-ପୂର୍ବ ପଟରେ ଥିବା ସୀମା ଅଞ୍ଚଳ, ଇରାନ ଏବଂ ଭାରତବର୍ଷ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା ଓ ଉତ୍ତରରେ କଦାଚିତ ତାହା ଲିଥୁଏନିୟା ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା । ଲିଥିଏନିୟନ୍ ଭାଷାର ପ୍ରକୃତି ବିଚିତ୍ର-। ଏହାର ପ୍ରାଚୀନତମ ରୂପ ଖ୍ରୀ.ପୂ. ୧୫୦୦ ପୂର୍ବରୁ ମିଳେ ନାହିଁ । ମାତ୍ର ଯେଉଁ ରୂପ ମିଳେ ତାହା ସଂସ୍କୃତର ଅତ୍ୟନ୍ତ ନିକଟବର୍ତ୍ତୀ । ବରଂ, ତାହା ଆର୍ଯ୍ୟ ଭାଷାର ସେହି ରୂପ ହୋଇଥିବ ଯାହା ହୁଏତ ବୈଦିକ ସଂସ୍କୃତର ପୂର୍ବବର୍ତ୍ତୀ । କିଛି କାରଣ ହୋଇଥିବ ଯାହା ଫଳରେ ଆର୍ଯ୍ୟମାନେ ଲିଥୁଏନିୟାକୁ ପହଞ୍ଚିବା ପରେ ସେମାନଙ୍କର ପ୍ରାରମ୍ଭିକ ଭାଷା ଅବିକଳ ତା’ର ପ୍ରାଚୀନତମ ରୂପରେ ରହି ଯାଇଥିବ ।

 

ଆର୍ଯ୍ୟ-ଭାଷାର ଭୌଗୋଳିକ ବିସ୍ତାରର କାରଣ କଣ ଥିଲା ? କିପରି ସେ ଭାଷା ଗୋଟାଏ ପଟେ ଲିଥିଏନିୟାରେ ଦେଖିବାକୁ ମିଳିଥାଏ ଓ ଅପର ପଟେ ସାମୀ ଅଞ୍ଚଳରେ ମଧ୍ୟ ତାର ପ୍ରଚଳନ ରହିଛି ? ଆର୍ଯ୍ୟମାନଙ୍କର ମୂଳସ୍ଥାନ ଅବଶ୍ୟ ରୁଷିୟାର ଦକ୍ଷିଣକୁ କିମ୍ୱା ଦକ୍ଷିଣ ରୁଷିୟାରେ ଅବଶ୍ୟ ଥିଲା । ଯେଉଁଠାରୁ ସେମାନଙ୍କର ଭାଷା ଗୋଟାଏ ପଟେ ଲିଥୁଏନିୟା ପ୍ରବେଶ କଲା ଏବଂ ଅନ୍ୟ ପଟେ ତାହା ମିଶର, ଈରାନ ଓ ମେସୋପେଟୋମିୟା ଯାଏଁ ବ୍ୟାପିଗଲା ।

 

ଅନୁମାନ ଯେ ଆର୍ଯ୍ୟ-ଭାଷାର ଏତେ ପ୍ରଚାର-ପ୍ରସାର ହେବା ପରେ ହିଁ ସେମାନେ ଭାରତକୁ ଆସିଲେ । ସଂସ୍କୃତ ଭାଷା ସେମାନଙ୍କ ସହିତ ହିଁ ଭାରତକୁ ଆସିଲା । ଏବଂ ଯେଉଁ ଉକୃଷ୍ଟ ସଂସ୍କୃତି, ସାହିତ୍ୟ ଓ ସଭ୍ୟତାର କାରଣରୁ ଆର୍ଯ୍ୟ ସମସ୍ତ ବିଶ୍ଵର ଇତିହାସରେ ବିଖ୍ୟାତ, ତାର ରଚନା ସେମାନେ ଏଇ ଭାରତରେ କରିଥିଲେ । ଅତଏବ ମୂଳ ଉତ୍ସ ସେମାନଙ୍କର ଯେଉଁଠାରେ ବି ରହିଥାଉ ନା କାହିଁକି, ଭାରତ ହିଁ ସେମାନଙ୍କର ଦେଶ ହେଲା । ଆର୍ଯ୍ୟ ଶବ୍ଦର ବ୍ୟୁତ୍ପତ୍ତି ‘ଋ’ ଧାତୁରୁ ହୋଇଛି, ଯାହାର ଅର୍ଥ ହେଉଛି ‘ଗତି’ । ଆର୍ଯ୍ୟମାନେ କଦାଚିତ୍‌ ଗତ୍ୱର (ଗତିଶୀଳ ଅର୍ଥାତ୍ ଗୋଟାଏ ସ୍ଥାନରେ ସ୍ଥାୟୀଭାବରେ ରହୁ ନଥିବା) ଥିଲେ । ଏସିୟାର ସବୁ ଅଞ୍ଚଳରୁ ବାହାରି ସେମାନେ ଯେତେବେଳେ ଭାରତରେ ପହଞ୍ଚିଲେ, ଏଠାକାର ଉର୍ବର ଭୂମି ସେମାନଙ୍କର ସେହି ଯାଯାବର ସ୍ଵଭାବକୁ ବଦଳେଇ ଦେଲା । ସେମାନେ ଏଠାରେ ସ୍ଥାୟୀଭାବରେ ରହି ଆପଣାର ବିଚାରକୁ ବାସ୍ତବିକତାର ପରିଧାନ ପିନ୍ଧେଇଲେ, ଯେଉଁ ଇଚ୍ଛା ସେମାନଙ୍କ ଭିତରେ ହଜାର ହଜାର ବର୍ଷ ଧରି ରହିଥିଲା । ଭାରତରେ କାଶ୍ମୀର, ପଶ୍ଚିମୋତ୍ତର ଭାରତ ଓ ପଞ୍ଜାବ, ଏହା ସେମାନଙ୍କର ଆରମ୍ଭିକ ବାସଭୂମି ତଥା ତାଙ୍କର ପୌରୁଷର ଆଦ୍ୟ କ୍ରୀଡ଼ାକ୍ଷେତ୍ର । ସେହି ଅଞ୍ଚଳରେ ରହି ସେମାନେ ଯେଉଁ ସଂସ୍କୃତିର ନିର୍ମାଣ କଲେ, କାଳକ୍ରମରେ ତାହା ଭାରତବର୍ଷର ସଂସ୍କୃତି ହେଲା ।

 

ଦେବାସୁର ସଂଗ୍ରାମରେ ଭୂଗୋଳ

ବେଦରେ ଭାରତ ବାହାରର କୌଣସି ସ୍ଥାନରେ ଉଲ୍ଲେଖ ନଥିବା ହେତୁ, ଆର୍ଯ୍ୟମାନେ ଭାରତରେ ରହିବା ପରେ ହିଁ ସାହିତ୍ୟ-ରଚନାର କାର୍ଯ୍ୟାରମ୍ଭ କଲେ, ଏହି ନିଷ୍କର୍ଷ ଠିକ ବୋଲି ଜଣାପଡ଼ୁଛି । ମାତ୍ର ଆର୍ଯ୍ୟ ଜନତା ଭିତରେ ଯେଉଁ କଥା-କାହାଣୀ ସେତେବେଳେ ପ୍ରଚଳିତ ହୋଇ ରହିଥିବ, ଯେଉଁ ଭାବ ରହିଥିବ, ସବୁ କିଛି କଣ ସେମାନେ ଭାରତ ଆସିବା ପରେ ହିଁ ଜାତ ହୋଇଛି ? ଦକ୍ଷିଣ ରୁଷିୟାଠାରୁ ଈରାନ ଓ ଆଫଗାନିସ୍ଥାନ ପର୍ଯ୍ୟନ୍ତ ଆର୍ଯ୍ୟମାନେ ଯେଉଁ ସଂଘର୍ଷ କରିଥିଲେ, ସେହି ସଂଘର୍ଷର କାହାଣୀ ସେମାନେ ଭୁଲିଯାଉଥିବେ, କିନ୍ତୁ ତାହାର କିଛି ନା କିଛି ଅଲିଭା ସଂସ୍କାର ସେମାନଙ୍କ ଭିତରେ ଅବଶ୍ୟ ବାକି ରହିଥିବ ଏବଂ ତହିଁରୁ ଅନେକ କିଛି ଆର୍ଯ୍ୟ ସାହିତ୍ୟରେ ଲେଖା ମଧ୍ୟ ହୋଇଥିବ ତାହାକୁ ଭାରତ ବାହାରର ଘଟଣାବଳୀର ଛାୟା ବୋଲି କହିବାର ବର୍ତ୍ତମାନ କୌଣସି ମାର୍ଗ ନାହିଁ । ଉଦାହରଣ ସ୍ଵରୂପ, ମହାପ୍ଲାବନର ଯେଉଁ କଥା ଆମର ପୁରାଣମାନଙ୍କରେ ମିଳେ, ସେହି କଥା ଭାରତ ବାହାରେ ସାମୀ ଲୋକଙ୍କ ମଧ୍ୟରେ ଅଛି । ଭାରତରେ ଏହି ପ୍ଲାବନର ନାୟକ ମନୁ । ସାମୀ ଦେଶରେ ନାୟକ ହେଉଛନ୍ତି ହଜରତ୍ ନୂହ । ଏପରି ନୁହେ ତ ଯେ ଯେଉଁ ସମୟରେ ସେ ପ୍ଲାବନ ହୋଇଥିଲା, ସେତେବେଳେ ସାମୀମାନଙ୍କର ପୂର୍ବଜ ଓ ଆର୍ଯ୍ୟମାନେ ଗୋଟାଏ ସ୍ଥାନରେ ରହୁଥିଲେ !

 

ସେଭଳି ଦେବାସୁର ସଂଗ୍ରାମର ଯେଉଁ କଥା ଆମେ ଆମର ପୁରାଣମାନଙ୍କରେ ପଢ଼ିଛୁଁ, ତାହା ପଛରେ ବାସ୍ତବିକତା କଣ ଅଛି ? କେଉଁମାନେ ସେ ଅସୁର, କେଉଁମାନଙ୍କ ସହିତ ଦେବତାଙ୍କର ସଂଗ୍ରାମ ହୋଇଥିଲା ? ମନେ ହେଉଛି, ଏ ଘଟଣା ମଧ୍ୟ ସେତେବେଳେ ଘଟିଥିଲା, ଯେତେବେଳେ ଆର୍ଯ୍ୟମାନେ ଭାରତକୁ ଆସି ନଥିଲେ ଓ ସେତେବେଳେ ସେମାନେ ଭାରତ ବାହାରେ ଇରାନ୍ ଅଥବା ତା’ର ପୂର୍ବ ସୀମା ପାଖରେ ରହିଥିଲେ । ପ୍ରାଚୀନ ଆର୍ଯ୍ୟ ସାହିତ୍ୟରେ ଉଲ୍ଲିଖିତ ଏପରି ନୁହନ୍ତି ଯେ ସେମାନେ ଭାରତରେ ହିଁ ଘଟିଛନ୍ତି ସେ ସମୟରେ ଭାରତ ଓ ଈରାନ୍ ଦୁଇଟି ଦେଶ ନଥିଲେ । ବାସ୍ତବରେ, ପଶ୍ଚିମୋତ୍ତର ଭାରତଠାରୁ ଈରାନ୍ ପର୍ଯ୍ୟନ୍ତର ଭୂ-ଭାଗ ସେ ସମୟରେ ଗୋଟାଏ ଦେଶର ଭଳି ମନେ ହେଉଥିବ । ଆମର ଅନୁମାନ ଯେ ପୁରାଣ-ବର୍ଣ୍ଣିତ କିଛି ଘଟଣାର ଲୀଳାକ୍ଷେତ୍ର ଈରାନ୍‌ଠାରୁ ଉତ୍ତର ପଶ୍ଚିମ ଭୂ-ଭାଗ ପର୍ଯ୍ୟନ୍ତ ଏହି ଭୂ-ଭାଗ ଥିଲା ।

 

ଆର୍ଯ୍ୟମାନଙ୍କର ଭାରତ-ଇରାନୀ ଶାଖା ଦକ୍ଷିଣ ରୁଷିୟାରୁ ବାହାରି ଯେତେବେଳେ ଈରାନ୍ ପଟକୁ ବଢ଼ିବାକୁ ଲାଗିଲା, ସେତେବେଳେ ତାହାର ମଧ୍ୟ ଦୁଇଟି ଶାଖା ହୋଇଗଲା । ସେମାନଙ୍କ ମଧ୍ୟରୁ ଗୋଟିଏ ଶାଖା ଭାରତ ଆସି ବେଦର ରଚନା କଲା ତଥା ଅନ୍ୟ ଶାଖା ଈରାନ‌୍‌ରେ ରହି ଜେନ୍ଦାବେସ୍ତାର ପ୍ରଣୟନ କଲା । ଜେନ୍ଦାବସ୍ତାର ଭାଷା ଓ ଋଗବେଦର ଭାଷା ଆପାତତଃ ସମାନ । ଏହି କେବଳ ତତ୍ସମ ଶବ୍ଦକୁ ନେଇ ନୁହେ, ପ୍ରତ୍ୟୁତ ଉଭୟ ଭାଷାର ବ୍ୟାକରଣ ମଧ୍ୟ ଅନେକାଂଶରେ ସମାନ । ଏକ ବିଚିତ୍ର କଥା ହେଲା ପ୍ରାଚୀନ ଜେନ୍ଦ ଭାଷାରେ ଅସୁର ଅର୍ଥ ଦେବ ଓ ଦେବତା ଅଟେ । ବିସ୍ମିତ ହେବାର କିଛି ନାହିଁ ଯେ ଯେଉଁ ଦେବାସୁର ସଂଗ୍ରାମ-ଗାଥା ପୁରାଣରେ ବିକଶିତ ହେଲା, ତାହା ଆର୍ଯ୍ୟମାନଙ୍କର ଏହି ଦୁଇଶାଖା ମଧ୍ୟରେ ସଂଘଟିତ ହୋଇଥିବ । ଜେନ୍ଦାଭାଷୀଙ୍କର ପ୍ରଧାନ ଦେବତା ହେଲେ ‘ଅହୁର ମଜ୍ଜ’ ଯାହା ‘ଅସୁର ମହତ୍’ର ରୂପାନ୍ତରଣ ବୋଲି ମନେ ହୁଏ । ଅସୁରମାନଙ୍କ ସମ୍ୱନ୍ଧରେ ସେମାନଙ୍କର କଳ୍ପନା ଭିନ୍ନ-ଭିନ୍ନ ହେବା ବୋଧହୁଏ ଜେନ୍ଦାଭାଷୀ ଓ ସଂସ୍କୃତଭାଷୀ ଆର୍ଯ୍ୟମାନଙ୍କର ମତଭେଦର ପ୍ରଧାନ କାରଣ । ଜେନ୍ଦାବେସ୍ତାରେ ମିତ୍ର, ବରୁଣ, ଅଗ୍ନି ଆଦି ବୈଦିକ ଦେବତାମାନଙ୍କର ସତ୍ତା ଅଛି, ମାତ୍ର ଇନ୍ଦ୍ରଙ୍କୁ କେଉଁଠାରେ ହେଲେ ଉପାସ୍ୟ ବୋଲି ମନେ କରାଯାଇନାହିଁ ।... ଜେନ୍ଦାବେସ୍ତାରେ ଇନ୍ଦ୍ରଙ୍କର ସମାବେଶ ସେହିମାନଙ୍କ ସାଙ୍ଗରେ ହୋଇଛି ଯେଉଁମାନେ ଅସୁର ନୁହନ୍ତି । ସେ ଅସୁର ବିରୋଧୀ ତେଣୁ ଘୃଣାର ପାତ୍ର (୧୨) ।’’ ଏହି ସଂଗ୍ରାମରେ ଆର୍ଯ୍ୟଙ୍କ ବିରୁଦ୍ଧରେ କେବଳ ଆର୍ଯ୍ୟ ଥିଲେ ବା ଆଉ ମଧ୍ୟ କେହି ଥିଲେ, ଏହା କହିବା କଠିଣ । ଯଦି ମହେଞ୍ଜୋଦାରୋ ସଭ୍ୟତାର ଲୋକେ ସେଠାରେ ଥିଲେ, ତାହା ହେଲେ ଆଶ୍ଚର୍ଯ୍ୟ ନୁହେ ଯେ ସେମାନଙ୍କର ସଂଘର୍ଷ ମଧ୍ୟ ଆର୍ଯ୍ୟମାନଙ୍କ ସହିତ ହୋଇଥିବ । ଯେଉଁମାନଙ୍କୁ ଆର୍ଯ୍ୟମାନେ ଦାସ, ଦସ୍ୟୁ, ନିଷ୍କାଦ, ଅନାସ ଓ ଶିଶ୍ନେଦେବା କହିଛନ୍ତି, ସେମାନଙ୍କ ସହିତ ଆର୍ଯ୍ୟମାନଙ୍କର ସଂଘର୍ଷ ଭାରତକୁ ଆସିବା ପରେ ହିଁ ହେଲା, ଏପରି କହିବା ସମୀଚୀନ ମନେ ହୁଏନାହିଁ । ବେଦ ଓ ପୁରାଣ ଦୈନନ୍ଦିନୀ ନୁହନ୍ତି । ଯାହା ଫଳରେ ଆମେ ଘଟଣା ଗୁଡ଼ିକୁ ସେହି କାଳର, ଅର୍ଥାତ୍ ବୈଦିକ କାଳର ଘଟିତ ଘଟଣା ବୋଲି କହି ପାରିବା, କାରଣ ସେତେବେଳେ ବୈଦିକ ସାହିତ୍ୟର ରଚନା ଚାଲିଥିଲା । ସାହିତ୍ୟର ନିୟମ ଅନୁସାରେ ଘଟଣାସବୁ ରଚନା କାଳ ପୂର୍ବର ହେବା କଥା । ତଥା ପୌରାଣିକ ରୂପ-ଧାରଣ କରିବା ପାଇଁ ତ ଶତାବ୍ଦୀ-ଶତାବ୍ଦୀ ମଧ୍ୟ ଲାଗିଥାଏ ।

 

ଦେବାସୁର ସଂଗ୍ରାମର ଯେଉଁ କଳ୍ପନା ପରେ ବିକଶିତ ହେଲା, ସେଥିରେ ବିଷ୍ଣୁ ସବୁବେଳେ ଦେବତାମାନଙ୍କ ପକ୍ଷରେ ଓ ଶିବ ସଦୈବ ଅସୁରମାନଙ୍କ ପକ୍ଷରେ ଥିଲେ । ଏହାର କାରଣ କ’ଣ ହୋଇପାରେ ? ଶିବଙ୍କର ଉପାସନାର ଚିହ୍ନ ମହେଞ୍ଜୋଦାରୋରୁ ମିଳିଥାଏ । ସେହି ସଭ୍ୟତାର ନିର୍ମାତା, ଯଦି ଦ୍ରାବିଡ଼ ଥିଲେ ତେବେ ବି ଓ ଯଦି ନଥିଲେ ତଥାପି ମଧ୍ୟ, ପଞ୍ଜାବଠାରୁ ମେସୋପୋଟାମିୟା ପର୍ଯ୍ୟନ୍ତ ବ୍ୟାପି ରହିଥିଲେ । ଏହି ଅଞ୍ଚଳରେ ଅନ୍ୟ ଅନେକ ପ୍ରକାର ଲୋକେ ମଧ୍ୟ ରହୁଥିବେ । ସେମାନଙ୍କର ଇତିହାସ ବର୍ତ୍ତମାନ ଅଜ୍ଞାତ । ଆର୍ଯ୍ୟମାନଙ୍କର ସଂଘର୍ଷ ଏହିସବୁ ଲୋକଙ୍କ ସହିତ ହୋଇଥିଲା । ଯାହାର ପ୍ରତିଧ୍ୱନି ବୈଦିକ ସାହିତ୍ୟରେ ଅତ୍ୟନ୍ତ ପରିବର୍ତ୍ତିତ ରୂପରେ ଶୁଣାଯାଏ ।

 

ଋଗବେଦର ରଚନା-କାଳ

ଋଗବେଦ କେବଳ ମାତ୍ର ଆର୍ଯ୍ୟମାନଙ୍କର ନୁହେଁ, ସମଗ୍ର ବିଶ୍ୱର ପ୍ରାଚୀନତମ ଗ୍ରନ୍ଥ । ଏହାର ରଚନା-କାଳ ନିର୍ଣୟ ମଧ୍ୟ ଅତ୍ୟନ୍ତ ବିଲକ୍ଷଣ । କେହି କେହି ଏହାକୁ ପଞ୍ଚସ୍ତରୀ ହଜାର ବର୍ଷ ପୁରୁଣା ବୋଲି କହିଲା ବେଳକୁ କେହି କେହି ଯୀଶୁଖ୍ରୀଷ୍ଟଙ୍କ ଠାରୁ ମାତ୍ର ଦୁଇ ଶହ ବର୍ଷ ପୂର୍ବର ବୋଲି କହିଥାନ୍ତି । ସୁପ୍ରସିଦ୍ଧ ଜର୍ମାନ ବିଦ୍ଵାନ ଜାକୋବୀ ଋଗବେଦ ପରବର୍ତ୍ତୀ କଳ୍ପସୂତ୍ରର ରଚନାକାଳକୁ ଖ୍ରୀ.ପୂ. ୪୭୦୦ ଏବଂ ଋଗବେଦର ରଚନା-କାଳ ପ୍ରାୟ ୬୫୦୦ ବୋଲି ସ୍ଥିର କରିଥିଲେ । ଲୋକମାନ୍ୟ ବାଳଗଙ୍ଗାଧର ତିଳକ ବ୍ରାହ୍ମଣ-ଗ୍ରନ୍ଥମାନଙ୍କର ରଚନା-କାଳ ଖ୍ରୀଷ୍ଟପୂର୍ବ ୪୫୦୦ ବୋଲି ନିର୍ଣ୍ଣୟ କରିଛନ୍ତି । ତାଙ୍କ ମତରେ ଏକା ସାଙ୍ଗରେ ‘ସମସ୍ତ ମନ୍ତ୍ରର ରଚନା ହୋଇନାହିଁ । ଋଷି ଓ ସେମାନଙ୍କର ବଂଶଧରମାନେ, ସାମୟିକଭାବରେ ହଜାର ହଜାର ବର୍ଷରେ ଏହି ସବୁ ମନ୍ତ୍ରର ରଚନା କରିଥିବେ । ଏପରି ଭାବରେ କେତେକ ଋକ୍ ଦଶ ହଜାର ବର୍ଷ ତଳର, କେତେକ ସାଢ଼େଆଠ ହଜାର ବର୍ଷର ହେଲେ ଆଉ କେତେକ ସାତ ସାଢ଼େସାତ ହଜାର ବର୍ଷ ତଳର ହେବେ ।’ (ହିନ୍ଦୀ ଋଗବେଦ) । ଏହି ସମ୍ୱନ୍ଧରେ ସବୁଠାରୁ ଉତ୍ସାହଜନକ ଦୃଷ୍ଟିକୋଣ ହେଉଛି, ଡ. ଅବିନାଶଚନ୍ଦ୍ର ଦତ୍ତଙ୍କର । ସେ ଋଗବେଦକୁ ପଚାଶରୁ ପଞ୍ଚସ୍ତରୀ ହଜାର ବର୍ଷ ପୁରୁଣା ବୋଲି ମାନିଛନ୍ତି । ପଣ୍ଡିତ ରାମଗୋବିନ୍ଦ ଦ୍ୱିବେଦୀଙ୍କର ମତ ହେଲା ‘ଋଗବେଦରେ ଏପରି କେତେକ ମନ୍ତ୍ର ଅଛି, ଯହିଁରୁ ସିଦ୍ଧ ହୋଇଥାଏ ଯେ ଋଗବେଦର ରଚନାକାଳ ୧୮ହଜାର ବର୍ଷରୁ ଆରମ୍ଭ କରି ୫୦ ହଜାର ବର୍ଷ ଭିତରେ ହେବ ।’ ମେକ୍ସମୂଲରଙ୍କ ମତାନୁସାରେ ଋଗବେଦ ଖ୍ରୀ.ପୂ. ୧୨୦୦ ରୁ ୧୦୦୦ ମଧ୍ୟରେ ରଚିତ । ତାହାର ବିପରୀତ ୱିଷ୍ଟରନିଜଙ୍କ ମତ । ଏହାର ରଚନା ତାହା ପୂର୍ବରୁ ହୋଇଥିବା କଥା ସେ କହିଛନ୍ତି ।

 

ଶ୍ରୀ ଜୟଚନ୍ଦ୍ର ବିଦ୍ୟାଳଙ୍କାର ଆପାତତଃ ୱିଟରନୀଜଙ୍କର ମତକୁ ସ୍ୱୀକାର କରିଛନ୍ତି । ବେଦର ଆଉ ଏକନାମ ଶ୍ରୁତି ମଧ୍ୟ । ଏଥିରୁ ଅନୁମିତ ହୁଏ ଯେ ଏହାର ମୌଖିକ ରଚନା ହେଉଥିଲା ଏବଂ ଲୋକେ ତାକୁ ମୁଖସ୍ଥ କରି ରଖୁଥିଲେ । ଯେତେବେଳେ ମନ୍ତ୍ର-ସଂଖ୍ୟା ଅଧିକ ହେଲା ସେତେବେଳେ ତାକୁ ସଂହିତାମାନଙ୍କରେ ବିଭାଜିତ କରିବା ଆବଶ୍ୟକ ମନେ ହେଲା । ଭାରତରେ ଲେଖନର ପ୍ରଚାର ଖ୍ରୀ.ପୂ. ୩୦୦୦ରେ ମଧ୍ୟ ଥିଲା । ତାହା ଏକ ପ୍ରମାଣିକ ତଥ୍ୟ । ମନ୍ତ୍ର ଲେଖାଯାଉଥିଲା ବା କେବଳ କଣ୍ଠସ୍ଥ କରାଯାଉଥିଲା, ତା’ର ଅନୁମାନ ଆମେ ଯାହା ମନ ତାହା କରିପାରିବା । ଶ୍ରୀ କୃଷ୍ଣ ଦ୍ୱୈପାୟନ କହି ଲେଖାଉଥିଲେ । ମହା ଏକ ସନ୍ଦିଗ୍ଧ କଥା ନୁହେଁ (୧୩) । ଯେଉଁ ସଂହିତାମାନଙ୍କରୁ ଆମକୁ ବେଦ ମିଳେ, ତାହାର ସଂପାଦନା କାର୍ଯ୍ୟ କୃଷ୍ଣ ଦ୍ୱୈପାୟନ ବ୍ୟାସଦେବ କରିଥିଲେ, ଯେ ମହାଭାରତ କାଳରେ ଜୀବିତ ଥିଲେ । ମହାଭାରତ ଯୁଦ୍ଧ ଖ୍ରୀ.ପୂ. ୧୪୦୦ରେ ହୋଇଥିଲା । ଏହି ମତର ମଧ୍ୟ ଭାରତୀୟ ପରମ୍ପରାରେ ମେଳ ନାହିଁ । ଭାରତୀୟ ପରମ୍ପରାରେ କଳିଯୁଗର ଆଗମନ ରାଜା ପରୀକ୍ଷିତଙ୍କ ଶାସନ କାଳରେ ହୋଇଥିଲା । ପରୀକ୍ଷିତଙ୍କର ପିତା ଅଭିମନ୍ୟୁ ମହାଭାରତ ଯୁଦ୍ଧରେ ନିହତ ହୋଇଥିଲେ । ଅତଏବ ମହାଭାରତ ଯୁଦ୍ଧ ପ୍ରାୟ ଖ୍ରୀ.ପୂ ୩୦୦୦ରେ ହୋଇଥିବ । ଏବଂ ତା’ର ଚାରିଶହ ବର୍ଷ ପୂର୍ବରୁ ସଂହିତାମାନଙ୍କର ରଚନା ହୋଇଥିବ ବା ତାହାର ମଧ୍ୟ ସାତଶହ ବର୍ଷ ପୂର୍ବରୁ ବେଦର ରଚନା ହୋଇ ଆସୁଥିଲା । ଏପରି ଭାବରେ ଆମେ କହି ପାରିବା ଯେ ରଚନାଗୁଡ଼ିକ ଖ୍ରୀ.ପୂ. ୨୫୦୦ରୁ ରଚିତ ହେବାକୁ ଲାଗିଲେ ଓ ୧୮୦୦ ପର୍ଯ୍ୟନ୍ତ ଅର୍ଥାତ୍ ସାତ ଶହ ବର୍ଷଯାଏଁ ଏହି ରଚନା ପ୍ରକ୍ରିୟା ଚାଲିଥିଲା । ଖ୍ରୀ.ପୂ. ୧୮୦୦ ପାଖାପାଖି ବେଦ ସଂହିତାରେ ଲେଖାହେବା ଆରମ୍ଭ ହେଲା । ବ୍ୟାସକୃତ ସଂହିତାମାନଙ୍କର ରଚନା ଖ୍ରୀ.ପୂ. ୧୪୦୦ରେ ସମ୍ପୂର୍ଣ୍ଣ ହୋଇଗଲା ।

 

ଲେଖନ କଳା ଓ ଲିପି

ସିନ୍ଧୁ-ସଭ୍ୟତାରେ ଲିପିର ଯେଉଁ ନମୁନା ମିଳିଛି, ସେଥିରୁ ଏହା ପ୍ରମାଣିତ ହୋଇଯାଏ ଯେ ଭାରତରେ ଖ୍ରୀ.ପୂ.୩୦୦୦ରେ ଲେଖନ କଳାର ପ୍ରଚଳନ ଥିଲା । ଏହା ମାନିବାର କୌଣସି ଆଧାର ହେବନାହିଁ ଯେ ଯେତେବେଳେ ଆର୍ଯ୍ୟମାନେ ଆସିଲେ, ସେମାନେ ଏହି ଲିଖନ-ପ୍ରଣାଳୀକୁ ଛାଡ଼ି ଦେଲେ ଏବଂ ଭାରତରୁ ଶତାବ୍ଦୀ-ଶତାବ୍ଦୀ ଧରି ଲେଖନ-କଳାର ପ୍ରଚାର ପୂର୍ଣତଃ ଉଠିଗଲା । ମାନ୍ୟ ଏହାହିଁ ହୋଇପାରିବ ଯେ ଲେଖନର ପ୍ରଚାର ସିନ୍ଧୁ-ସଭ୍ୟତା କାଳରେ ବି ଥିଲା ଏବଂ ତାହା ପରବର୍ତ୍ତୀ ସଭ୍ୟତା ସମୟରେ ମଧ୍ୟ ବଳବତ୍ତର ରହିଥିଲା । ତେବେ ମଧ୍ୟ ସିନ୍ଧୁ-ସଭ୍ୟତା କାଳୀନ ଲିଖନ-ଶୈଳୀ, ଯାହା ଏପର୍ଯ୍ୟନ୍ତ ସଠିକ ପଢ଼ାଯାଇ ପାରିନାହିଁ, ତା’ର ପରବର୍ତ୍ତୀ ଦ୍ୱିତୀୟ ପ୍ରମାଣଭାବରେ ଭାରତରେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ସମ୍ରାଟ୍ ଅଶୋକଙ୍କ ଅଭିଲେଖ ମାଧ୍ୟମରେ ପାଉଁ । ଏହି ଅଭିଲେଖମାନଙ୍କର ଲିପି ବ୍ରାହ୍ମୀ । ଏହି ବ୍ରାହ୍ମୀ ଲିପିରୁ ଭାରତର ସମସ୍ତ ଭାଷାର ଲିପିମାନଙ୍କର ଉଦ୍ଭବ ହୋଇଛି । ଅପବାଦ କେବଳମାତ୍ର ଉର୍ଦ୍ଦୂ, ଯାହା ଆଜି ମଧ୍ୟ ଫରାସୀ ଲିପିରେ ଲେଖାଯାଏ । ମୌର୍ଯ୍ୟଯୁଗ ଓ ତା’ପରେ ଆଉ ଗୋଟାଏ ଦୁଇଟି ଶତାବ୍ଦୀ ପର୍ଯ୍ୟନ୍ତ ବ୍ରାହ୍ମୀ ସହିତ ଖରୋସ୍ତୀ ନାମକ ଲିପି ମଧ୍ୟ ପ୍ରଚଳିତ ଥିଲା । ଏହାର ବ୍ୟବହାର ଭାରତର ପଶ୍ଚିମୋତ୍ତର ପ୍ରଦେଶର ଲୋକେ କରୁଥିଲେ । ଏହି ଲିପି ମଧ୍ୟ ଫାରସୀ ଆରବୀ ଲିପିଭଳି ବାଆଁ ପଟରୁ ଲେଖା ହେଉଥିଲା । ମାତ୍ର ଏହି ଲିପି ଭାରତରେ ପ୍ରଚଳିତ ହେବାକୁ ସମର୍ଥ ହେଲାନାହିଁ, ଏବଂ ଏହାର ପ୍ରଚଳନ ଖ୍ରୀଷ୍ଟଙ୍କ ପୂର୍ବରୁ ହିଁ ଅବରୁଦ୍ଧ ହୋଇଗଲା ।

 

କିରାତ ଜାତି

ସଂସ୍କୃତ-ଭାଷୀ ଆର୍ଯ୍ୟମାନେ ଆଉ ଏକ ଜାତିର ନାମୋଲ୍ଲେଖ କରିଛନ୍ତି । ସେମାନଙ୍କର ରଙ୍ଗ ହଳଦିଆ ଓ ଆକୃତି ଚୀନା ଲୋକଙ୍କ ପରି । ଏହି ବର୍ଗର ଲୋକଙ୍କୁ ଆର୍ଯ୍ୟମାନେ କିରାତ ବୋଲି କହୁଥିଲେ । ମହାଭାରତର ବିଖ୍ୟାତ ଯୋଦ୍ଧା ଭଗଦତ୍ତ ପୂର୍ବ ଭାରତର ଥିଲେ । ତାଙ୍କର ସେନାରେ ମ୍ଳେଚ୍ଛ ଏବଂ କିରାତ ଥିଲେ । ଅର୍ଜୁନଙ୍କ ସହିତ ଯେତେବେଳେ ଶିବଙ୍କର ଯୁଦ୍ଧ ହେଲା, ସେତେବେଳେ ଶିବ କିରାତ ବେଶରେ ଥିଲେ । ଚିତ୍ରାଙ୍ଗଦା କଦାଚିତ୍ କିରାତ-ବଂଶଜା ରାଜକୁମାରୀ-। କିରାତଙ୍କର ମୂଳ ପୂର୍ବ ଚୀନରେ ଥିଲା । ସେଠାରୁ ସେମାନେ ତିବ୍ଦତ, ନେପାଳ, ବର୍ମା, ଆସାମ, ଉତ୍ତର ବଙ୍ଗ ଦେଶ ତଥା ଉତ୍ତର ବିହାରକୁ ଆସିଲେ । ଭାରତକୁ କିରାତମାନଙ୍କର ଆଗମନ କେବେ ହେଲା, ତାହା ନିଶ୍ଚିତଭାବରେ କୁହାଯାଇ ପାରିବ ନାହିଁ । ଯଜୁର୍ବେଦ ଓ ଅଥର୍ବବେଦରେ କିରାତମାନଙ୍କର ଉଲ୍ଲେଖ ଅଛି । ସେ ସମୟର ଅନ୍ୟାନ୍ୟ ପ୍ରମାଣମାନଙ୍କରୁ ମଧ୍ୟ ଅନୁମାନ କରାଯାଏ ଯେ କିରାତମାନେ ଖ୍ରୀଷ୍ଟଙ୍କର ଏକ ହଜାର ବର୍ଷ ପୂର୍ବରୁ ଭାରତକୁ ଆସି ସାରିଥିଲେ ଓ ହିମାଳୟର ଦକ୍ଷିଣ ତରାଇ ଓ ପୂର୍ବ ଭାରତରେ ବସବାସ କରୁଥିଲେ । ନେପାଳର ନେବାର ଓ କିରନ୍ତିମାନେ, କାଶ୍ମୀରର ଲଦ୍ଦାଖୀ, ଦାର୍ଜିଲିଙ୍ଗର ଲେପଚା, ତ୍ରିପୁରା ଓ ମଣିପୁରର କ୍ଷତ୍ରିୟ, ଉତ୍ତର ଆସାମର ଅକ୍କା, ମୀରୀ, ଅବୋର ଆଉ ମିଶ୍ରୀ ଲୋକେ କିରାତ-ବଂଶର । ଏହା ମଧ୍ୟ କୁହାଯାଏ ଯେ ଲିଚ୍ଛବୀ ଓ ଶାକ୍ୟବଂଶ ମଧ୍ୟ କିରାତ ବଂଶୋଦ୍ଭବ । ଉତ୍ତର ବିହାର, ବିଶେଷତଃ, ତିରହୁତ ଅଞ୍ଚଳରେ ଯେଉଁ ଗୌର ବର୍ଣ୍ଣର ଲୋକ ଅଛନ୍ତି, କେଉଁକେଉଁଠି, ସେମାନଙ୍କର ସମ୍ବନ୍ଧ ମଧ୍ୟ କିରାତ ବଂଶ ସହିତ ରହିଥିବ । ସେହିଭଳି ନେପାଳର ଗୋରଖା ଲୋକଙ୍କ ମଧ୍ୟରେ ବି କିରାତ-ରକ୍ତର କିଛି ନା କିଛି ଅଂଶ ଅବଶ୍ୟ ଅଛି ।

 

ଖ୍ରୀଷ୍ଟପୂର୍ବ ଏକ ହଜାର ବର୍ଷ ପରେ ବି କିରାତ ଲୋକେ ହିନ୍ଦୁ-ବୃତ୍ତରେ ଆସି ମିଳିତ ହେଉଥିବାର କ୍ରମ ଚାଲୁଥିଲା । ବଙ୍ଗଳା ଓ ଆସାମର ବୋଡୋ ଲୋକେ ତ ଆପଣାର ଭାଷା ପର୍ଯ୍ୟନ୍ତ ଭୁଲିଗଲେ । ନେବାରମାନେ ଭାରତୀୟ ଲିପିରେ ଆପଣା ଭାଷାର ବିକାଶ-ସାଧନ କଲେ-

 

ପଞ୍ଚଦଶ ଶତାବ୍ଦୀରେ ଯାଇଁ କିରାତଜାତି ହିନ୍ଦୁ ରାଷ୍ଟ୍ରୀୟତା ସହିତ ଓତ-ପ୍ରୋତ ଭାବରେ ମିଶିଗଲା ଏବଂ ଶେଷପର୍ଯ୍ୟନ୍ତ ମୁସଲମାନ ବିଜେତାଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲା । ତ୍ରିପୁରା ଓ ମଣିପୁରର କ୍ଷତ୍ରିୟମାନେ ବଙ୍ଗଳାର ମୁସଲମାନ ଶାସକମାନଙ୍କ ସହିତ ଅନେକ ଯୁଦ୍ଧ କରିଛନ୍ତି ।

 

କିରାତ ଜାତି ହିନ୍ଦୁ ସଂସ୍କୃତିକୁ ସ୍ୱୀକାର କରି ତା’ର ଅନେକ ସେବା କରିଛି । ପାଳଯୁଗୀନ ଭାରତୀୟ କଳାର ତିବ୍ଦତରେ ଏବଂ ନେବାରମାନେ ତିବ୍ଦତ ବାହାରେ ପ୍ରଚାର କରିଥିଲେ । ଏପରି ଭାବରେ, ବୈଦିକ ଓ ବୌଦ୍ଧ ସଂସ୍କୃତିର ଅନେକ କଥାର ବର୍ମା ଏବଂ ଇଣ୍ଡୋଚୀନ ପଟକୁ ପ୍ରଚାର ବଙ୍ଗଳା, ଆସାମ, କିଭଲ୍ଲା, ତଟଗାଁ ଓ ଆରାକାନ୍ତର କିରାତବଂଶୀ ହିନ୍ଦୁମାନଙ୍କ ଦ୍ଵାରା ହୋଇଥିଲା ।

 

ମାତ୍ର, କିରାତମାନଙ୍କର ଉଲ୍ଲେଖନୀୟ ଅବଦାନ ଶାକ୍ତମତର ବିକାଶରେ ରହିଛି । ଯୋଗିନୀ-ତନ୍ତ୍ରର ଦାବୀ ହେଲା, ତାହା ଆସାମରେ କିରାତମାନଙ୍କର ସାଧନା ଫଳରେ ହୋଇଥିଲା-। ବାମମାର୍ଗୀ ଶାକ୍ତ ଧର୍ମର ମୁଖ୍ୟପୀଠ କାମାକ୍ଷା ମନ୍ଦିର ବୋଲି ସ୍ଵୀକୃତ । ଏହି ମନ୍ଦିର ସ୍ଥାପନା ସନ ୧୫୬୪ରେ ହୋଇଥିଲା । କିରାତ ସମ୍ପ୍ରଦାୟରେ ନାରୀ କେବେହେଲେ ଏତେ ପରାଧୀନ ନଥିଲା, ଯେତେ ପରିମାଣରେ ଆର୍ଯ୍ୟମାନଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥାଏ । ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ, କଦାଚିତ ଏହା ମଧ୍ୟ ଏକ କାରଣ, ବାଣାଚାରର ବ୍ୟାପକ ପ୍ରଚାର ପ୍ରଥମେ ଆସାମରେ ହୋଇ ସେହିଠାରୁ ସେହି ସାଧନାବଙ୍ଗ ଦେଶରେ ପ୍ରଚଳିତ ହେଲା । ମାତ୍ର ଷୋଡ଼ଶ ଶତାବ୍ଦୀରେ ମଣିପୁର ରାଜବଂଶ ବୈଷ୍ଣବ ହେଲେ, ସେହିଦିନରୁ, ବୈଷ୍ଣବ ଧର୍ମର କୃଷ୍ଣଚୈତନ୍ୟାଶ୍ରୟୀ ଶାଖାର ପ୍ରଚାର କିରାତ-କ୍ଷେତ୍ରରେ ମଧ୍ୟ ପ୍ରବଳ ହେଲା । ନାଗା ଓ ବୁକୀ ଲୋକଙ୍କ ଭିତରେ ହିନ୍ଦୁ-ସଂସ୍କୃତିର ଯେଉଁ ପ୍ରଚଳନ ଅଛି ତା’ର ମାଧ୍ୟମ ମଧ୍ୟ କିରାତ-ବଂଶୀ ହିନ୍ଦୁ ଥିଲେ ।

 

କିରାତ-ବଂଶୀ ହିନ୍ଦୁମାନେ ଏବେ ମଧ୍ୟ ନୃତ୍ୟ, ଗାନ ଓ ଅନ୍ୟାନ୍ୟ କଳା-ବିଶେଷର ରସିକ-। ତାଙ୍କର ସଂସ୍କୃତି ଆଜି ମଧ୍ୟ କୃତ୍ରିମ ତଥା ଅତି କମ ମାତ୍ରାରେ ତର୍କ-ପୀଡ଼ିତ ।

 

ପାରସୀ ଜାତି

ଭାରତରେ ଆଉ ଏକ ଜାତିର ଲୋକ ଅଛନ୍ତି, ଯେଉଁମାନେ ବମ୍ୱେଇ ଓ ଗୁଜରାଟରେ ରହିଛନ୍ତି । ସେମାନଙ୍କର ନାମ ପାରସୀ । ସେମାନଙ୍କର ସଂଖ୍ୟା ବୋଧହୁଏ ଏବେ ମଧ୍ୟ ଲକ୍ଷେ ଦୁଇ ଲକ୍ଷରୁ ଅଧିକ ହେବନାହିଁ, ମାତ୍ର ଶିକ୍ଷା-ସଂସ୍କୃତି, ବୈଭବ ଓ ସାମାଜିକ ଉତ୍କର୍ଷରେ ସେମାନେ ଆଉମାନଙ୍କଠାରୁ ଅନେକ ଆଗରେ ରହିଛନ୍ତି । ସେମାନେ ଭାରତକୁ ଦଶମ ଶତାବ୍ଦୀର ଆରମ୍ଭରେ ଆସିଥିଲେ । ମାତ୍ର ସେମାନଙ୍କର ଆଖ୍ୟାନ ଏଠାରେ ହିଁ ଲିପିବଦ୍ଧ ହେବା ଉଚିତ, କାରଣ ଦିନେ ଆର୍ଯ୍ୟ ଓ ପାରସୀମାନଙ୍କର ମୂଳଧର୍ମ ଏକ ଥିଲା । ଆର୍ଯ୍ୟମାନଙ୍କର ଆଉ ଏକ ପ୍ରସିଦ୍ଧ ନାମ ଇଣ୍ଡାଇରାନୀ ମଧ୍ୟ ଅଛି । ଆର୍ଯ୍ୟମାନେ ତାଙ୍କର ଏକ ଶାଖାକୁ ଇରାନରେ ଛାଡ଼ିଦେଇ ଆସିଥିଲେ । ପ୍ରାୟ ତିନି ହଜାର ବର୍ଷ ପରେ ସେହି ଶାଖାର ଲୋକେ ଆଶ୍ରୟ ଅନ୍ୱେଷଣରେ ଭାରତକୁ ଆସି ପହଞ୍ଚିଲେ । ଏହା ବିଚ୍ଛିନ୍ନ ହୋଇଥିବା ଲୋକଙ୍କର ପୁନର୍ମିଳନର ଏକ ଦୃଷ୍ଟାନ୍ତ ।

 

ଆର୍ଯ୍ୟମାନଙ୍କର ଯେଉଁ ଶାଖା ଇରାନରେ ରହିଗଲା, ସେମାନେ ମଧ୍ୟ ଭାରତୀୟ ଆର୍ଯ୍ୟମାନଙ୍କ ପରି ପ୍ରକୃତିର ଦିବ୍ୟ ତତ୍ତ୍ୱ-ସମୂହ ସୂର୍ଯ୍ୟ, ଅଗ୍ନି, ଚନ୍ଦ୍ରମା, ବାୟୁ, ଜଳ ଆଦିର ପୂଜା କରୁଥିଲେ । କିନ୍ତୁ, ସେମାନଙ୍କୁ ଜଣାଥିଲା, ଏହି ସମସ୍ତ ଦୃଶ୍ୟ ତତ୍ତ୍ୱର ବାହାରେ ଆଉ ଏକ ସୂକ୍ଷ୍ମ ଓ ସର୍ବୋଚ୍ଚ ଅଦୃଶ୍ୟ ତତ୍ତ୍ୱ (ଈଶ୍ୱର) ଅଛି, ଯାହାକୁ ସେମାନେ ‘ଆହୁର’ (ଅସୁର) କହୁଥିଲେ । ଅବେସ୍ତା ଏହି ଜାତିର ପ୍ରାଚୀନତମ ଗ୍ରନ୍ଥ । ଏହାର ଋଗବେଦ ସହିତ ଭାଷାସାମ୍ୟ ମଧ୍ୟ ରହିଛି । ଋଗବେଦରେ ଯେଉଁ ଉଚ୍ଚ ଗୁଣମାନଙ୍କର ନାମ ‘ଋତ’, ସେମାନଙ୍କ ପାଇଁ ଅବେସ୍ତାରେ ‘ଅଶା’ ଶବ୍ଦର ପ୍ରୟୋଗ କରାଯାଇଛି । ଋତ ସଂପନ୍ନ ବ୍ୟକ୍ତି ହିଁ ଭାରତରେ ଋଷି ପଦବାଚ୍ୟ । ଅବେସ୍ତାରେ ଅଶା ଗୁଣ-ସମନ୍ୱିତ ବ୍ୟକ୍ତିଙ୍କୁ ‘ଋତୁ’ କୁହାଯାଏ ।

 

ଯାହା ଅବଶ୍ୟ ଋଷି ଶବ୍ଦର ପର୍ଯ୍ୟାୟବାଚୀ ।

 

ଏହି ଜାତିରେ ମଧ୍ୟ ଭାରତୀୟ ଆର୍ଯ୍ୟ ଜାତି ଭଳି ଚାରି ଜାତିର ବର୍ଗ-ବିଧାନ ଥିଲା । ଆବେସ୍ତାରେ ସେମାନଙ୍କର ନାମ ହେଲା: ୧. ଆଥ୍ରବନ (ବ୍ରାହ୍ମଣ), ୨. ରଥୈସ୍ତାର (କ୍ଷତ୍ରିୟ) ୩. ବାସ୍ତ୍ର୍ୟୋସ (ବୈଶ୍ୟ) ଏବଂ ୪. ହୁତୋକ୍ଷ (ଶୂଦ୍ର, ଦାସ) । ଯେଉଁପରି ଭାରତୀୟ ଆର୍ଯ୍ୟମାନଙ୍କ ମଧ୍ୟରେ ଦ୍ୱିଜମାନଙ୍କ ମଧ୍ୟରେ ଉପନୟନ ସଂସ୍କାର ପ୍ରଚଳିତ, ସେହିପରି ପାରସୀମାନଙ୍କ ମଧ୍ୟରେ ବି ନବଜୋତ (ନବଜାତ) ସଂସ୍କାର ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ରହିଛି । ଫରକ ଏତିକି ଯେ ଏଠାରେ ଦ୍ୱିଜମାନେ ଉପବୀତ ଧାରଣ କରିଥାନ୍ତି ମାତ୍ର ସେମାନେ ‘କୁସ୍ଟୀ’ (ମେଖଳା), ପବିତ୍ର କୁର୍ତ୍ତା ଓ ଟୋପି ପରିଧାନ କରନ୍ତି ।

 

କାଳକ୍ରମରେ ଉଭୟ ଜାତି ଅଥବା ଶାଖାର ଭାଷାରେ ପ୍ରଭେଦ ଆସିବାକୁ ଲାଗିଲା । ଆହୁର (ଅସୁର) ପାରସୀମାନଙ୍କ ପାଇଁ ଈଶ୍ଵରବାଚକ ହୋଇ ରହିଲା, ମାତ୍ର ଭାରତୀୟମାନେ ତା’ର ଅର୍ଥ ଦାନବ କରିବାକୁ ଲାଗିଲେ । ବଦଳରେ ପାରସୀମାନେ ମଧ୍ୟ ଦେବ ଶବ୍ଦକୁ ତାଙ୍କ ଭାଷାରେ ଦାନବା କରି ଦେଲେ । ପୁରୁଣା ସଂସ୍କାର ଧୂମିଳ ହେବାକୁ ଲାଗିଲା । ତଥା ନୂତନ ପରିସ୍ଥିତିରେ ଦେବତାମାନଙ୍କର ରୂପ ମଧ୍ୟ ବଦଳିବାକୁ ଲାଗିଲା । ଅବେସ୍ତାରୁ ଜଣାପଡ଼େ ଯେ ପାରସୀମାନେ ମଧ୍ୟ ଇନ୍ଦ୍ର, ନାସତ୍ୟ, ବିଧାତୁ ଆଜି ଦେବତାମାନଙ୍କୁ ଜାଣିଥିଲେ । ମାତ୍ର ସେଠାରେ ଏହି ନାମଗୁଡ଼ିକ ଦେବତାଙ୍କର ନୁହେଁ, ଦାନବଙ୍କର ହେଲା । ତେବେ ବି, ଉଭୟ ଶାଖାରେ ମାଓଧାଁ (ମାହସ, ଚାନ୍ଦ୍ରମାସ) ମିଥ୍ର (ମିତ୍ର,) ଯିମ (ଯମ) ଆଦି ସମାନ ଅର୍ଥରେ ପୂଜିତ ହୋଇଥାନ୍ତି ।

 

ତା’ପରେ ଏପରି ହେଲା ଯେ, ଇରାନୀମାନଙ୍କ ଶାଖାରେ ଧୀରେ-ଧୀରେ କୁରୀତି ସବୁ ପ୍ରବେଶ କରିବାକୁ ଲାଗିଲା ଏବଂ ଧର୍ମର ରୂପ କଳୁଷିତ ହୋଇଗଲା । ସେତେବେଳେ ପୃଥ୍ୱୀ ଗୋ ରୂପ-ଧାରଣ କରି (ଆର୍ଯ୍ୟମାନଙ୍କର ପୌରାଣିକ କଥା ପରି) ଅତ୍ୟାଚାରରୁ ପରିତ୍ରାଣ ନିମନ୍ତେ ଆହୁର ମଜ୍ଜଙ୍କ ନିକଟରେ ପ୍ରାର୍ଥନା କଲା । ଆହୁର ମଜ୍ଜ ମାନବର ଉଦ୍ଧାର ନିମନ୍ତେ ଜରଥୁସ୍ତ୍ରଙ୍କୁ (ଅର୍ଥ, କନକାଭ) ପୃଥିବୀକୁ ପ୍ରେରଣ କଲେ । ଜରଥୁସ୍ତ୍ରଙ୍କ ବାଣୀ ହିଁ ‘ଗାଥା’ ବୋଲାଏ । ଏହା ଏକ ଶୁଦ୍ଧ ସଂସ୍କୃତ ଶବ୍ଦ । ଗାଥା ପାଞ୍ଚଗୋଟି । ଏହି ଗାଥାମାନଙ୍କ ଉପରେ ଜରଥୁସ୍ଥ ଧର୍ମ ଆଧାରିତ । ଭାବ ଓ ଭାଷା ଉଭୟ ଦୃଷ୍ଟିରୁ ଗାଥା ଏବଂ ଋଗବେଦର ଆରମ୍ଭିକ ମନ୍ତ୍ର ସମାନ । ଏବଂ ଦୁଇଥିରେ ସମାନ ଛନ୍ଦର ପ୍ରୟୋଗ ହୋଇଛି । କେବଳ ତାହା ନୁହେଁ, ଗାଥାର ମନ୍ତ୍ରମାନଙ୍କୁ ସହଜରେ ଋଗବେଦୀୟ ଭାଷାରେ ପରିବର୍ତ୍ତିତ କରାଯାଇପାରେ । ଯେପରି ପ୍ରାକୃତକୁ ଲୌକିକ ସଂସ୍କୃତ କରିବା କଠିଣ ନୁହେ । ଗାଥା ଏବଂ ଋଗବେଦର ପାରିଭାଷିକ ଶବ୍ଦମାନଙ୍କର ମଧ୍ୟ ସମାନତା ରହିଛି । ଋଗବେଦରେ ଯାହା ସୋମ ତାହା ଭାଥାରେ ହୋମ । ବେଦରେ ଯାହା ସର୍ବତତ୍ ତାହା ଭାଥାରେ ହୌର୍ବତତ୍ ହୋଇଛି । ଉଭୟର ଅର୍ଥ ସମ୍ପୂର୍ଣତଃ ଏକ । ଶକ୍ତି ଅର୍ଥରେ କ୍ଷାତ୍ର ଶବ୍ଦର ପ୍ରୟୋଗ ଗାଥା ଓ ବୈଦିକ ସଂସ୍କୃତ ଉଭୟରେ ଦେଖାଯାଇ ପାରିବ ।

 

ଜରଥୁସ୍ତ୍ର ସାରା ଜୀବନ ଓ ଜଗତକୁ ପୁଣ୍ୟ ଓ ପାପର ମଝିରେ ଥିବା ଭୀଷଣ ଦ୍ୱନ୍ଦ୍ୱର ରୂପକୁ ଦେଖିଛନ୍ତି ଏବଂ ସେହି କୈନ୍ଦ୍ରିକ ବିଚାରରେ ସେ ଆପଣା ସିଦ୍ଧାନ୍ତ ନେଇଛନ୍ତି । ଭାରତ ବାହାରେ ସେ ସମୟରେ ଯେତେ ବି ଆର୍ଯ୍ୟ ରହିଥିଲେ ସେମାନେ ସମସ୍ତେ ଜରଥୁସ୍ତ୍ର ଧର୍ମ ଗ୍ରହଣ କରିଥିଲେ । କୁହାଯାଏ ଖ୍ରୀଷ୍ଟଧର୍ମ ଓ ଇସ୍କାମରେ ଯେଉଁ ଭଗବାନ ଓ ଶୈତାନର କଳ୍ପନା ହୋଇଛି, ତାହା ଜରଥୁସ୍ତ୍ର ଧର୍ମର ଅବଦାନ । ଜରଥୁସ୍ତ୍ରର ଅହୁର ମଜ୍ଜ ହିଁ ଭଗବାନ ଏବଂ ଅହିର୍ମନ ହେଉଛି ଶୈତାନ ।

 

ଜରଥୁସ୍ତ୍ର-ଧର୍ମ-ଦୀକ୍ଷିତ ଈରାନୀମାନେ ହିଁ ଈରାନରେ ସେହି ଉନ୍ନତିଶୀଳ ସାମ୍ରାଜ୍ୟର ସ୍ଥାପନା କରିଥିଲେ ଯାହାକୁ ରୋମ ସାମ୍ରାଜ୍ୟର ପ୍ରତିଉତ୍ତର ଭାବରେ ପରିଗଣିତ ହୋଇଥାଏ । ଖ୍ରୀ.ପୂ. ୩୩୧ ରେ ସିକନ୍ଦର ଈରାନୀ ରାଜ୍ୟ ଉପରେ ଆକ୍ରମଣ କରିଥିଲେ ଓ ସନ୍ ୬୫୯ରେ ନୂତନ ମୁସଲମାନମାନେ । ପରବର୍ତ୍ତୀ ଆକ୍ରମଣ ସମୟରେ ଈରାନୀ ସାମ୍ରାଜ୍ୟ ବିଳାସରେ ବୁଡ଼ି ରହିଥିଲା । ତେଣୁ ତାହା ଆରବର ମୁସଲମାନମାନଙ୍କର ଆକ୍ରମଣର ସମ୍ମୁଖୀନ ହୋଇପାରିଲା ନାହିଁ । ଇରାନୀମାନେ ପରାଜିତ ହେଲେ ଏବଂ ପ୍ରାୟ ଦୁଇ-ତିନି ଶହ ବର୍ଷ ମଧ୍ୟରେ ସମସ୍ତେ ମୁସଲମାନ ହୋଇଗଲେ । ତା’ପରେ ଇସ୍‌ଲାମକୁ ଲୋକେ ଇରାନୀ ସଂସ୍କୃତିର ପର୍ଯ୍ୟାୟ ବୋଲି ବିବେଚନା କରିବାକୁ ଲାଗିଲେ ।

 

ଏହି ମୁସଲମାନୀ ଆକ୍ରମଣ ହେତୁ ଭୟଭୀତ ହୋଇ ଆପଣା ଧର୍ମରକ୍ଷା କରିଥିବା କେତେକ ପବିତ୍ର ପାରସୀ ଲୋକେ ସନ୍ ୯୩୬ରେ ଈରାନରୁ ପଳାୟନ କରି ଭାରତବର୍ଷକୁ ଆସି ଆନନ୍ଦରେ ବସବାସ କରିବାକୁ ଲାଗିଲେ । ପାରସୀମାନେ ଅଗ୍ନିପୂଜକ, ଯେପରି ଆରମ୍ଭରେ ସମସ୍ତ ଆର୍ଯ୍ୟମାନେ ଅଗ୍ନିପୂଜା କରୁଥିଲେ । ଭଗବାନ ଜରଥୁସ୍ତ୍ରଙ୍କୁ ପରମାତ୍ମା ହିଁ ଅଗ୍ନି ପ୍ରଦାନ କରିଥିଲେ । ଯାହା ସେ ସମୟରୁ ସେମାନଙ୍କର ଈରାନ ଛାଡ଼ିବାଯାଏଁ ପ୍ରଜ୍ୱଳିତ ହୋଇ ରହିଥିଲା । ସେହି ଅଗ୍ନି ମଧ୍ୟ ପାରସୀମାନେ ଆପଣା ସହିତ ଭାରତକୁ ଆଣିଥିଲେ ଓ ତାକୁ ବମ୍ବେଇର ଉତ୍ତରସ୍ଥ ଉଦବାଦ ନାମକ ସ୍ଥାନରେ ମନ୍ଦିର ନିର୍ମାଣ କରି ସ୍ଥାପିତ କଲେ । ଏହି ଅଗ୍ନି ଆଜି ପର୍ଯ୍ୟନ୍ତ ଜଳୁଅଛି ।

 

ଇତିହାସରେ ମଧ୍ୟ କେତେ ଅଦଳ-ବଦଳ ହୋଇଥାଏ । ଇସ୍କାମର ଆଗମନ ପରେ ଏପରି ଅନେକ କଥା ଓ ନାମ ଭାରତକୁ ଆସିଲା ଯାହାକୁ ଲୋକେ ଭ୍ରମବଶତଃ ଇସ୍କାମ ସହିତ ସମ୍ବନ୍ଧିତ ବୋଲି ମନେ କରିଥାନ୍ତି । ବସ୍ତୁତଃ ସେ ସବୁ ଇରାନୀ ନାମ, ଯାହା ଜରଥୁସ୍ତ୍ରବାଦୀ ଓ ମୁସଲମାନୀ ନୁହେ । ଶାପୂର ଓ ନ୍ୟାୟୀ ନୌଶେରବାଁ ଈରାନର ବାଦଶାହ ଥିଲେ । ମାତ୍ର ସେ ମୁସଲମାନ ନଥିଲେ । ଶୀରାଁ ଓ ଫରହାଦ୍, ସେମାନେ ମଧ୍ୟ ଜରଥୁସ୍ତ୍ର୍ୟ-ଧର୍ମୀ ପ୍ରେମୀଯୁଗଳ । ଶୀରାଁ ଇରାନର ବାଦଶାହ ଖୁସରୂଙ୍କର ପତ୍ନୀ ଥଲା ଫରହାଦ୍ ସେହି ଦେଶର ମୂର୍ତ୍ତିକାର । ଯେତେବେଳେ ପାରସୀମାନେ ଭାରତକୁ ଆସିଲେ, ସେତେବେଳେ ସେମାନଙ୍କୁ ଗୁଜରାଟର ରାଜା ଯାଦବ ରାଣା ସ୍ୱାଗତ କରିଥିଲେ । ଏବଂ ସେହି ଦିନରୁ ଏହି ଧର୍ମପ୍ରାଣ ଲୋକେ ନିଷ୍ଠାପର ଭାବରେ ଭାରତୀୟମାନଙ୍କ ସହିତ ରହି ଆସୁଛନ୍ତି ।

 

ଆଗମନ କାଳ ଗଣନା କଲେ ମୁସଲମାନମାନେ ଭାରତକୁ ଅଷ୍ଟମ ଶତାବ୍ଦୀରେ ଆସିଲେ ଓ ପାରସୀମାନେ ସେମାନଙ୍କର ପରେ । ମାତ୍ର ଭାରତ ଓ ଇରାନର ସମ୍ବନ୍ଧ ତାହାଠାରୁ ଅନେକ ପୁରୁଣା । ଯେତେବେଳେ ଆର୍ଯ୍ୟମାନେ ଏ ଦେଶକୁ ନୂଆ ନୂଆ ଆସିଲେ, ସେତେବେଳେ ଭାରତ ଓ ଇରାନର ସୀମା ଗୋଟିଏ ଥିଲା । ଧର୍ମ ଓ ରୀତି-ନୀତିରେ ମଧ୍ୟ ଉଭୟ ଦେଶର ଲୋକେ ପ୍ରାୟ ଏକ ଥିଲେ । ସେତେବେଳେ ଧର୍ମରେ ଭିନ୍ନତା ଆସିଲା ଯେତେବେଳେ ଜରଥୁସ୍ତ୍ର ଆପଣାର ନୂଆ ଧର୍ମ ପ୍ରଚଳନ କଲେ । ମୌର୍ଯ୍ୟମାନଙ୍କ ପୂର୍ବରୁ ଗାନ୍ଧାର ଏବଂ ଭାରତର କିଛି ଅନ୍ୟ ପଶ୍ଚିମୋତ୍ତର ଭାଗ ଇରାନୀ ସାମ୍ରାଜ୍ୟର ଅଙ୍ଗ ଥିଲା । ମୌର୍ଯ୍ୟକାଳରେ ହିଁ କିଛି ଭାରତ ସହିତ ମିଳିତ ହେଲା । ତକ୍ଷଶିଳାକୁ ଈରାନର ବିଦ୍ୟାର୍ଥୀ ଆସୁ ନଥିବେ, ଏହା ମାନିନେବା ଭଳି କଥା ନୁହେଁ । ମୌର୍ଯ୍ୟମାନଙ୍କ ପରେ ଶକମାନଙ୍କର ଶାସନକାଳରେ ମଧ୍ୟ ଈରାନ ଏବଂ ଭାରତର କିଛି ଭୂଭାଗ ଗୋଟିଏ ରାଜ୍ୟର ଅନ୍ତର୍ଗତ ଥିଲା । ଭବିଷ୍ୟ ପୁରାଣରେ କୁହାଯାଇଛି, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ୱ ଯେତେବେଳେ କୁଷ୍ଠ - ବ୍ୟାଧିଗ୍ରସ୍ତ ହେଲା ସେତେବେଳେ ସେ ଚନ୍ଦ୍ରଭାଗା ନଦୀ ତଟରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଇଲେ, ଯା’ ଲାଗି ତାଙ୍କୁ ସେଠାରେ କେହି ପୁରୋହିତ ମିଳିଲେ ନାହିଁ । ଉଚିତ ପୌରୋହିତ୍ୟ ନିମନ୍ତେ ତାଙ୍କୁ ଶାକଦ୍ୱୀପରୁ ମଗ-ଜାତିର ବ୍ରାହ୍ମଣ ଡକାଇବାକୁ ହେଲା, ଯେଉଁମାନେ ଜରଶବ୍ଦ ବା ଜରଶସ୍ତ୍ରଙ୍କ ଅନୁଯାୟୀ ଥିଲେ । ସାର୍ ଚାର୍ଲସ୍ ଇଲିୟଟ (୧୪)ଙ୍କର ଅନୁମାନ ଯେ ଏହି ବ୍ରାହ୍ମଣମାନେ ଇରାନର ମାଗୀ (Magis) ହୋଇଥାଇ ପାରନ୍ତି ତଥା ଜରଶବ୍ଦ ବା ଜରଶସ୍ତ ନାମ ଜରଥୁସ୍ତ୍ର ।

 

ପାଦଟୀକା

୧.

The future of India- Swami Vevekanand.

୨.

Dravidian Elements In Indian Culture - by Gilbert Slater.

୩.

People of India- By Herbert Risley.

୪.

Encyclopaedia Britanica, 14th Edition-Vol 15

୫.

See (1) Origin and spread of the Tamils and (2) Pre-historic South India-by Ramachandra Dixitar.

୬.

Man (London, 1936-Vol.29)

୭.

Race in Europe-Oxford Pamphlet No.5. 8. It is surmised, not incorrectly, that all the languages of India could be traced to one original family of languages and this family cannot be aindo-Germanic as is assumed, but native to the soil, having its birth in neolithic times, If not earlier. This is certainly true if we made a comparative study of the North-Indian and South-Indian vernacular dialects, for, in both we see the same fundamenl.

୮.

Gramatical Structure. By substituting one word for another it is easy to translate these languages from one to another. (V.R. Ramachandra Dikshitar in Pre-historic South India)

୯.

ଇତିହାସ ପ୍ରବେଶ

୧୦.

ସରସ୍ୱତୀ, ଶତଦ୍ରୁ, ବିପାଶା, ପୁରୁଷ୍ଣୀ, ଅସିକ୍ନୀ, ବିତସ୍ତା ଓ ସିନ୍ଧୁ; ଏହି ସାତଗୋଟି ନଦୀ-ରେବିତ ଭୂଭାଗ ।

୧୧.

ଶବ୍ଦ-ସାମ୍ୟର ଅନୁସନ୍ଧାନ ଏକ ଅଦ୍ଭୁତ ଓ ମନୋରଞ୍ଜକ ପ୍ରକ୍ରିୟା । ପେଟର, ଫାଦର ଓ ପିତୃ; ପ୍ରଦର, ବିରାଦର, ଭ୍ରାତୃରେ ଯେଉଁ ସାମ୍ୟ ଅଛି, ତାହା ଅତି ସ୍ପଷ୍ଟ । ମାତ୍ର ସାମ୍ୟ କିଛି ଏପରି ଶବ୍ଦରେ ମଧ୍ୟ ଖୋଜାଯାଇ ପାରିବ, ଯେଉଁଠାରେ ତା’ର କୌଣସି ଆଶା ଦେଖାଯାଏ ନାହିଁ । ଉଦାହରଣସ୍ୱରୂପ, ଭାଷା ଶାସ୍ତ୍ରୀମାନଙ୍କ ଅନୁସାରେ ଇଂରାଜୀର tooth ଶବ୍ଦ ସଂସ୍କୃତର ଦନ୍ତରୁ ନିଷ୍ପନ୍ନ ଓ hand ଶବ୍ଦ ହନ୍ ଧାତୁରୁ । noseର ଉତ୍ପତ୍ତି-ସ୍ଥାନ ନସ୍ ଅଟେ ଓ cupର ଉଦ୍‌ଗମ କୁପ୍ୟ । ସେହିପରି station ଶବ୍ଦ ସ୍ଥା ରୁ, କେଉଁଠି ନା କେଉଁଠି ଯୋଡ଼ି ହୋଇ ରହିଛି ଓ sound ସ୍ୱପ୍ନର ବଂଶଜ । ମନରୁ mind ଭଣ୍‌ରୁ phone ଧ୍ୱନିରୁ tonee ଜନ୍ମ ହୋଇଥାଇପାରେ, ଏହା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । ସଂସ୍କୃତର ସୂନୁଃ ଶବ୍ଦର ଅର୍ଥ ପୁତ୍ର, ସୂର୍ଯ୍ୟ ଓ ଅନୂଜ ଅର୍ଥଦ୍ୟୋତକ । ୟୁରୋପରେ ଅନୁଜ ଶବ୍ଦ ତ ଲୁପ୍ତ ମାତ୍ର son ଓ sun ବିଦ୍ୟମାନ, ଯାହାର ଅର୍ଥ କ୍ରମାନୁସାରେ ପୁତ୍ର ଓ ସୂର୍ଯ୍ୟ । donation ଶବ୍ଦର ଇଂରାଜୀରେ କୌଣସି ଧାତୁ ନାହିଁ । ଲାଟିନ୍ ଭାଷାରେ ଡୋୟରେ ଧାତୁ ଅଛି । ଏ ସବୁରୁ ମୋର ଜଣେ ମିତ୍ର ପଣ୍ଡିତ ଭବାନୀଶଙ୍କର ତ୍ରିବେଦୀ ଅନୁମାନ କରିଛନ୍ତି; ଡୋୟରେ ଶବ୍ଦ ସଂସ୍କୃତର ଦା ଧାତୁରୁ ଆସିଥିବ । ତ୍ରିବେଦୀ ମହାଶୟ ଏହାବି କହିଛନ୍ତି ଯେ ଇଂରାଜୀରେ ଇମଦମିମ ଶବ୍ଦ ସଂସ୍କୃତର ଗୁହାସରୁ ଆସିଛି । ଏହାର ଅର୍ଥ କେତେବେଳେ ଗୃହ-ସମୂହ ଓ କେତେବେଳେ ବଡ଼ ଘର ହେଉଥିଲା ।

୧୨.

ସତ୍ୟକେତୁ ବିଦ୍ୟାଳଙ୍କାର କୃତ ‘ଭାରତ କା ପ୍ରାଚୀନ ଇତିହାସ’

୧୩.

ମହର୍ଷି ବ୍ୟାସଦେବଙ୍କର ଲିପିକାର ଥିଲେ ଗଣେଶ ।

୧୪.

Hinduism and Buddhism. Vol 3.

 

(‘କୋଣାର୍କ’ ରାତ୍ରିକାର ୧୩୨ତମ ସଂଖ୍ୟାର ପ୍ରକାଶିତ ପ୍ରବଂଧର ଅବଶିଷ୍ଟାଶ)

କବି କୁଟୀର, ବଲାଙ୍ଗୀର ।

 

Unknown

ମହାରାସଲୀଳା

ଡକ୍ଟର ମଧୁସୂଦନ ପତି

 

ମହାରାସର ପ୍ରସ୍ତୁତି ପର୍ବ ଆମେ ସ୍ମରଣ କରିବା । ଅନେକ ଲୀଳାକ୍ରମେ ବ୍ରଜମଣ୍ଡଳର ସମସ୍ତେ ସଚେତନ ହୋଇଛନ୍ତି ଯେ ଦଶବର୍ଷର ସେହି ବାଳକ ସ୍ୱୟଂ ନାରାୟଣ । ତାଙ୍କ ଶିଶୁବୟସରୁ ଗୋପୀମଣ୍ଡଳୀ ତାଙ୍କ ପ୍ରତି ବିଭିନ୍ନ ଭାବରେ ଆକୃଷ୍ଟ ହୋଇଛନ୍ତି । ପ୍ରଚ୍ଛନ୍ନ ଭାବେ ସେମାନଙ୍କର ସଖ୍ୟ, ଦାସ୍ୟ ଓ ବାତ୍ସଲ୍ୟ ଅନୁରାଗର ପୂର୍ତ୍ତି ଆସିଛି । କିନ୍ତୁ ସେଇ ଅନୁଭୂତି ତାଙ୍କୁ ପର୍ଯ୍ୟାପ୍ତ ମନେ ହୋଇନାହିଁ । ସେହି ଅତିପୁରୁଷଙ୍କ ପ୍ରତି କ୍ରମେ ସେମାନଙ୍କ ପ୍ରଣୟଭାବ ଜାଗ୍ରତ ହୋଇଛି । ତାଙ୍କୁ ପାଇବା ପାଇଁ ସେମାନେ ବ୍ରତ ଅନୁଷ୍ଠାନ କରିଛନ୍ତି । ବିଭିନ୍ନ ଅବସ୍ଥା ଓ ପରୀକ୍ଷା ମଧ୍ୟଦେଇ ନିଜର ଚରମ ସମର୍ପଣ ପ୍ରକାଶ କରିଛନ୍ତି ଏବଂ ଧୈର୍ଯ୍ୟର ସହିତ ଦୀର୍ଘକାଳ ଧରି ଅପେକ୍ଷା କରିଛନ୍ତି ତାଙ୍କ ନିର୍ଦ୍ଦେଶ ପାଇଁ; ଅନ୍ତରରେ ବିରହିଣୀ ଜୀବନ ଯାପନ କରି କୃଷ୍ଣପ୍ରେମରେ ଉଚ୍ଚାଟ ରହି ନିଜ ନିଜର ଦାୟିତ୍ୱ ଓ ମର୍ଯ୍ୟାଦା ନିର୍ବାହ କରି ଚାଲିଛନ୍ତି । ହୃଦୟ ଆବେଗମଥିତ, କିନ୍ତୁ ଶରୀର ଓ ମନ ଆଜ୍ଞାଧୀନ । ସ୍ଵୟଂ ଶ୍ରୀକୃଷ୍ଣ ନ ଡାକିବା ଯାଏ ସେମାନେ ତାଙ୍କ ପାଖକୁ ଯାଇ ନାହାନ୍ତି । ପ୍ରତୀକ୍ଷା କରି ରହିଛନ୍ତି । ତାପରେ ଯାହା ଘଟିବ ଆମେ ଭାଗବତର ଭାଷାରେ ତାକୁ ପଢ଼ିଯିବା ଓ ବୁଝିବାକୁ ଚେଷ୍ଟା କରିବା ।

 

ଶୁକଦେବ କହନ୍ତି, ‘ଅନୁକୂଳ କାଳ ଆସିଲା । ଶରତ୍‌ପ୍ରଫୁଲ୍ଲ, ମଲ୍ଲିକାବିକଶିତ, ଜ୍ୟୋସ୍ନା ମଣ୍ଡିତ ପୂର୍ଣ୍ଣିମା ରାତ୍ରି । ଶ୍ରୀକୃଷ୍ଣ ଦେଖିଲେ, ମାହେନ୍ଦ୍ର ମୁହୂର୍ତ୍ତ ଆସିଯାଇଛି । ନିଜେ ସଙ୍କଳ୍ପ କଲେ । ଯୋଗମାୟାଙ୍କ ଶକ୍ତିର ସାହାଯ୍ୟ ନେଇ ନିଜର ଓ ଗୋପୀମାନଙ୍କ ମନକୁ ପ୍ରସ୍ତୁତ କଲେ । ଅନେକ କାଳ ପରେ ପ୍ରିୟ ଆସି ପହୁଞ୍ଚିଲେ ପ୍ରିୟାର ଗୌର ମୁଖରେ ଲାଲିମା ଛୁଟିବା ପରେ ପୂର୍ବ ଦିଗନ୍ତ ଦିଶିଲା ଏବଂ କୃଷ୍ଣଙ୍କ ଦୃଷ୍ଟିରେ ଚନ୍ଦ୍ରମଣ୍ଡଳ ଲକ୍ଷ୍ମୀଙ୍କ ମୁହଁ ପରି ଦିଶିଲା । (ଯୋଗବଳରେ ଏ ଭଳି ପ୍ରେମସଜଳ ମନକୁ ସ୍ୱୀକୃତି ଦେଇ) ଶ୍ରୀକୃଷ୍ଣ ବାମାଗଣଙ୍କ ମନକୁ ହରଣ କରୁଥିବା ବଂଶୀର ମୂର୍ଚ୍ଛନା ତୋଳିଲେ । ସେହି ସଙ୍ଗୀତ କାମୋଦ୍ଦୀପକ ଥିଲା । ଗୋପୀମାନଙ୍କ ଚିତ୍ତ ତ ଅନେକ ପୂର୍ବରୁ କୃଷ୍ଣଙ୍କ ପ୍ରତି ସମର୍ପିତ ରହିଥିଲା; ଏବେ ସେମାନେ ଉଚ୍ଚାଟ ଭାବରେ ତାଙ୍କ ନିକଟକୁ ଦୌଡ଼ିଲେ । ଏହି ବର୍ଣ୍ଣନାର କେତେକ ନିର୍ଦ୍ଦିଷ୍ଟ ସୂଚନା ଗୁରୁତ୍ଵପୂର୍ଣ୍ଣ । ଏହି ଶୁଭମୁହୂର୍ତ୍ତ ଅନେକ କାଳରୁ ଅପେକ୍ଷିତ ଥିଲା । ଏହା ଏକ ଦିବ୍ୟ ମୁହୂର୍ତ୍ତ, ଯହିରେ ଉଭୟ ମଙ୍ଗଳ ବୋଧ ଓ ଉଲ୍ଲାସବୋଧ ସଂଯୁକ୍ତ । ଯୋଗମାୟାଙ୍କ ଆଶ୍ରୟରେ ପ୍ରସ୍ତୁତ ହୋଇଥିବା ଏହି ଆବେଗପୂର୍ଣ୍ଣ ଅନୁଷ୍ଠାନ ଏକ ବିଶେଷ ଧରଣର ଲୀଳା- କୃଷ୍ଣସଂକଳ୍ପର ଏକ ମହିମାନ୍ୱିତ, ଅନୁରାଗଦୀପ୍ତ ରୂପାୟନ । ସ୍ରଷ୍ଟା ଓ ସୃଷ୍ଟିର ପାରସ୍ପରିକ ଆନନ୍ଦମୟତାର ଏକ ଅପୂର୍ବ ନାଟକ । ଗୋପୀକୃଷ୍ଣ ଉଭୟ ସେଇ ଗୋଟିଏ ପ୍ରେରଣାର ଦୁଇଟି ଅଂଶ । ମହାନାଟ୍ୟକାରଙ୍କର ଏହା ଏକ ମହାଲୀଳା ।

 

ଆମେ ମନେ ପକାଉ ଯେ ପୂର୍ବେ ବ୍ରତ ଅନୁଷ୍ଠାନ କାଳରେ ଏବଂ ଅନ୍ୟ ସମୟରେ ଗୋପୀମାନେ ପରସ୍ପର ସହିତ ଡକାଡକି ହୋଇ ସମବେତ ଭାବରେ କୃଷ୍ଣଙ୍କ ପାଖକୁ ଯାଉଥିଲେ । ଏଠି ଶୁଣୁଁ, ଆଜି କେହି କାହାରିକୁ ସୂଚନା ଦେବା ବା ଅପେକ୍ଷା କରିବାର ଧୈର୍ଯ୍ୟ ବା ଇଚ୍ଛା ନାହିଁ । ପ୍ରତ୍ୟେକଙ୍କ ଚେତନା କୃଷ୍ଣପ୍ରାପ୍ତି ନିମନ୍ତେ ଅଧୀର । ସେଥିରେ ଆଉ କାହାର ସ୍ଥାନ ନାହିଁ । ସେବାଶୁଶ୍ରୂଷା, ଗୋଦାନ, ପ୍ରସାଧନ ଇତ୍ୟାଦି ସନ୍ଧ୍ୟାକାଳର ଯେ ଯେଉଁ ବିଭିନ୍ନ କର୍ମରେ ଲିପ୍ତ ଥିଲେ ହଠାତ୍ ସେସବୁ ଛାଡ଼ିଦେଇ ସେମାନେ ପଳାଇଲେ । ପିତା, ପତି, ଭାଇ, ବନ୍ଧୁ କାହାରି ବାରଣ ମାନିଲେ ନାହିଁ । ଏଠି ଆମେ ବୁଝିବା ଯେ ସନ୍ଧ୍ୟାସମୟ, ଅସମ୍ପୂର୍ଣ୍ଣ କାର୍ଯ୍ୟ ଏବଂ ଭାବବିହ୍ୱଳ ଅବସ୍ଥା, ଏସବୁ କାରଣରୁ ସେହି ବାରଣ । ରାସଲୀଳାର ଉଦ୍ୟମ ସମ୍ପର୍କରେ ତ ସେମାନେ ଅଜ୍ଞ । ଏଣୁ ଏହି ‘ଅପହୃତ ଆତ୍ମା’ ‘ମୋହିତ’ ଗୋପୀଙ୍କ ଅବସ୍ଥା ଓ ଉଦ୍ଦେଶ୍ୟ ସେମାନେ ଜାଣିନାହାନ୍ତି । ବାସ୍ତବରେ କଣ ଘଟିବାକୁ ଯାଉଛି, ତାହା ଗୋପୀମାନେ ମଧ୍ୟ ଜାଣିନାହାନ୍ତି । ସେମାନେ ଖାଲି ଅନୁଭବ କରୁଛନ୍ତି ଏକ ଅସହନୀୟ ଉଚ୍ଚାଟ ଅବସ୍ଥା, ଏକ ଅଦମନୀୟ ଆକର୍ଷଣ । କୌଣସି ଚିନ୍ତା ନ କରି, କିଛି ବି ବିଚାର ପାଇଁ ମାନସିକ ଅବସର ନ ପାଇଁ ଅଣାୟତ୍ତ ଅବସ୍ଥାରେ ସେମାନେ ଯମୁନାକୂଳକୁ ଦୌଡ଼ିଲେ । ଯେଉଁ କେତେକ ମୁଷ୍ଟିମେୟ ଗୋପୀ ଘର ଭିତରୁ ବାହାରି ଯାଇ ପାରିଲେ ନାହିଁ ସେମାନେ ସେଇ ଘର ଭିତରେ ରହି କୃଷ୍ଣପ୍ରାଣା ଅବସ୍ଥାରେ ଆଖିବୁଜି ତନ୍ମୟ ହୋଇଗଲେ । ଶୁକଦେବ କହନ୍ତି, ଅସହ୍ୟ ବିରହଜ୍ୱାଳା ସେମାନଙ୍କ ଚିତ୍ତର ସମସ୍ତ ଅଶୁଭ ବିକାରକୁ ଧ୍ୱଂସ କରିଦେଲା । ସେମାନେ ଧ୍ୟାନସ୍ଥ ହୋଇପଡ଼ିଲେ ଏବଂ ହୃଦୟ ମଧ୍ୟରେ କୃଷ୍ଣଙ୍କୁ ଆଲିଙ୍ଗନ କରୁଥିବାର ପରମଶାନ୍ତି (‘ନିବୃତ୍ୟା’) ପ୍ରାପ୍ତ ହେଲେ ।

 

ଏହି ପ୍ରସଙ୍ଗରେ ବିଶେଷ ସୂଚନା ଆସେ ଯେ ପୂର୍ବରୁ ସେହି ଧ୍ୟାନମଗ୍ନ ଗୋପୀଙ୍କ ମନରେ କୃଷ୍ଣଙ୍କ ସମ୍ପର୍କରେ ‘ପରମାତ୍ମା’ ଭାବ ରହିଥିଲେ ହେଁ ଅଙ୍ଗସଙ୍ଗ ଧାରଣା କ୍ରମେ ‘ଜାରବୁଦ୍ଧି’ ମଧ୍ୟ ସଂଶ୍ଳିଷ୍ଟ ଥିଲା । କିନ୍ତୁ ସେହି ଆଲିଙ୍ଗନବୋଧ ଏବେ ସମସ୍ତ ବନ୍ଧନରୁ ମୁକ୍ତ ହୋଇଯାଇଥିବା ସେମାନଙ୍କ ଚେଷ୍ଟାରେ ‘ଗୁଣମୟ ଦେହ’ ପରିତ୍ୟାଗ କରିଥିବାର ଅନୁଭୂତି ବଳବତ୍ତର କଲା । ଏହି ଏକାଦଶ ଶ୍ଳୋକଟି ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଯେଉଁ ଗୋପୀମାନେ ଯମୁନାତଟକୁ ଧାଉଁଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଏହା ସମଭାବରେ ପ୍ରଯୁଜ୍ୟ । କୃଷ୍ଣଙ୍କ ଅଙ୍ଗସଙ୍ଗ ଲାଭ ପାଇଁ ଅଗ୍ରସର ହେଉଥିବା ଏବଂ ସେହି ଅଙ୍ଗସଙ୍ଗର ଅନୁଭୂତି ଆସିବା ସମୟ ମଧ୍ୟରେ ସେମାନଙ୍କ ଚେତନାର ଯେଉଁ ଉତ୍ତରଣ ଘଟେ ତାହା ଏଠି ସୂଚିତ । ଗୋପୀ-କୃଷ୍ଣ ମିଳନ ଗୋଟିଏ ବିଚିତ୍ର, ଅସାଧାରଣ ବିଷୟ । ଗୋପୀଭକ୍ତି ଅତ୍ୟନ୍ତ ବିଲକ୍ଷଣ- କାରଣ ସେମାନେ ଶରୀର ଧରି ଅଶରୀରୀ ସ୍ତରକୁ ଯିବାକୁ ଆଗ୍ରହୀ, ମର୍ତ୍ତ୍ୟକୁ ଅମୃତାୟିତ କରିବା ପାଇଁ, ବ୍ରଜରେ ବୈକୁଣ୍ଠ ତିଆରିବା ପାଇଁ ଆଗ୍ରହୀ । ସେହି ଭକ୍ତ ପାଇଁ ତାଙ୍କ ଅନେକ ପୂର୍ବଜନ୍ମର ଏବଂ ଏହି ଜନ୍ମରେ ଅନେକ ବର୍ଷର ସାଧନା । ବରଦପ୍ରଭୁ ଭକ୍ତିର ବାଞ୍ଛାପୂରଣ ପାଇଁ ନିଜ ଅପ୍ରାକୃତ ଚେତନାକୁ ଆପଣାର ଯୋଗମାୟା ଶକ୍ତି ଦ୍ଵାରା ପ୍ରାକୃତ ସମ୍ବଳ କରିଛନ୍ତି ଏବଂ ଗୋପୀମନକୁ ଆହୁରି ଆବେଗପୂର୍ଣ୍ଣ କରିଛନ୍ତି । ଗୋପୀଗଣଙ୍କ ସମସ୍ତ ପ୍ରବୃତ୍ତିର ଶେଷ ଲକ୍ଷ୍ୟ ଥିଲା ‘ପରମାତ୍ମା’ ତାଙ୍କୁ ଏକାଥରେ ଶରୀର, ମନ ଓ ଆତ୍ମା ସ୍ତରରେ ନିଜର କରିନେବେ । କିନ୍ତୁ ପରମପୁରୁଷଙ୍କ ସହ ମିଳିତ ହେବାର ପୂର୍ବ ଅବସ୍ଥାରେ ତାଙ୍କ ପ୍ରତି ‘ପରପୁରୁଷ’ ଭାବଟି ନିଶ୍ଚିହ୍ନ ହୋଇନଥାଏ । ପ୍ରଣୟ ଭାବଟି ଏକ ନୈର୍ବ୍ୟକ୍ତିକ ମଧୁର ରସରେ ପରିଣତ ହୋଇନଥାଏ । ତେଣୁ ସମାଜ ଦୃଷ୍ଟିରୁ ‘ଜାରବୁଦ୍ଧି’ର ସଚେତନତା ମନରେ ସଂଚରିତ ହୁଏ । ପୁଣି ତାଙ୍କ ନିଜ ଦୃଷ୍ଟିରୁ ମଧ୍ୟ ପ୍ରଣୟାବେଗ ଚରିତାର୍ଥତା ପାଇଁ ସମ୍ଭୋଗ ଶୃଙ୍ଗାରର ଚିରାଚରିତ ଭାବନା ମନରୁ ପୁରାପୁରି ବିରେଚିତ ହୋଇ ନଥାଏ । ସେମାନଙ୍କ ନିଜ ଚେଷ୍ଟାରେ, ନିଜ ସାଧନା ବଳରେ ସେହି ‘ମନୁଷ୍ୟ’ ଭାବକୁ ସମ୍ପୂର୍ଣ୍ଣ ବଦଳେଇଦେବା ସମ୍ଭବ ନୁହେଁ । ସେମାନେ ସମସ୍ତେ ‘ବ୍ରଜଯୋଗିତାଃ’ - ବିବାହିତା ବ୍ରଜନାରୀ । କୃଷ୍ଣଙ୍କୁ ପରମାତ୍ମା ବୋଲି ଜାଣିସୁଦ୍ଧା, ନିଜେ ଶୁଦ୍ଧ ଓ ସମର୍ପିତ ହୋଇ ସୁଦ୍ଧା ତାଙ୍କ ‘ବୁଦ୍ଧି’ର ସୀମା କରଣରୁ ସେମାନେ ବାଧ୍ୟ ହେଉଛନ୍ତି କିଛି ସାଧାରଣ ସାମାଜିକ ଓ ବ୍ୟକ୍ତିଗତ ସଂସ୍କାରର ଚାପ ଅନୁଭବ କରିବା ପାଇଁ । ଏତେ ପ୍ରସ୍ତୁତି ପରେ ସୁଦ୍ଧା ଅଶରୀରୀ-ଶରୀର ବୋଧ ଆସିବା ସହଜ ନୁହେଁ । କିନ୍ତୁ ଯମୁନାତଟରେ କୃଷ୍ଣଙ୍କ ଅନୁଗ୍ରହ ହେଲାକ୍ଷଣି, ସେହି ସଙ୍ଗବୋଧର ବାସ୍ତବ ଅନୁଭୂତି ଆସିବା କ୍ଷଣି ‘ଗୁଣମୟଦେହ’ର ଗୁଣସବୁର ଊର୍ଦ୍ଧ୍ୱକୁ ଚାଲିଯାଇ ଗୋପୌଚେତନା ସମସ୍ତ ସାଧାରଣ ଭାବ ଓ ବନ୍ଧନରୁ ମୁକ୍ତ ହୋଇଯିବ । ଶ୍ରୀକୃଷ୍ଣଙ୍କ ଅପ୍ରାକୃତ ଶରୀର ସହିତ ଗୋପୀଙ୍କ ଊର୍ଦ୍ଧ୍ୱାୟିତ, ଗୁଣାତୀତ ଶରୀରର ମିଳନ ହେବ । ରାସକ୍ରୀଡ଼ା ପୂର୍ବରୁ ଏହା ସ୍ପଷ୍ଟ ହେବା ଆବଶ୍ୟକ । ଏଣୁ ପରେ ପରେ ଆସେ ପରୀକ୍ଷିତଙ୍କ ପ୍ରଶ୍ନ ।

 

ପରୀକ୍ଷିତ ପଚାରନ୍ତି- ଗୋପୀମାନଙ୍କ ଦୃଷ୍ଟିରେ ତ ଶ୍ରୀକୃଷ୍ଣ ପରମ ପ୍ରିୟତମ ଥିଲେ; ତାଙ୍କୁ ତ ସେମାନେ ବ୍ରହ୍ମ ବା ବିଶ୍ୱବ୍ୟାପକ ଯଜ୍ଞପୁରୁଷ ଭାବେ ଦେଖୁନଥିବେ; ସେମାନଙ୍କର ତ ‘ଗୁଣପ୍ରବାହ’ ରହିଥିଲା; ସେଭଳି ଅବସ୍ଥାରେ ସେମାନେ ଗୁଣାତୀତ ହେବା କିଭଳି ସମ୍ଭବ, ତାଙ୍କ ପ୍ରାକୃତଭାବ ସମ୍ପୂର୍ଣ୍ଣ ଉଭେଇଯିବା କିପରି ସମ୍ଭବ ? ସମ୍ରାଟ ପରୀକ୍ଷିତ ଯେଉଁ ସମାଜର ପ୍ରତିନିଧି, ସେହି ସମାଜର ହିଁ ଏହି ପ୍ରଶ୍ନ । ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ ମଧ୍ୟ, କାରଣ ପୂର୍ବରୁ କୌଣସି ଯୁଗରେ, କୌଣସି କାଳରେ ଗୋଟିଏ ନାରୀ ସମାଜ ନାରାୟଣଙ୍କୁ ପ୍ରେମିକ ଭାବେ ଆତ୍ମ-ନିବେଦନ କରିବାର, ଭକ୍ତି ପାଇଁ, ଶରୀର ଜରିଆରେ ମହାରାସବୋଧର ଅସମ୍ଭବ ମନେ ହେଉଥିବା ‘ମଧୁର’ ପରିଣତି ପାଇଁ ସାଧନା କରିବାର ଉଦାହରଣ ନ ଥିଲା । ଗୋପୀମାନେ ଅପାଠୁଆ । ଖୁବ୍ ସରଳମନା । ପୁରାପୁରି ଅକୃତ୍ରିମ ତାଙ୍କର ସ୍ନେହ । ଶ୍ରୀକୃଷ୍ଣ ସେଭଳି ହୃଦୟକୁ ନିଜର ଦିବ୍ୟ ସଂସର୍ଗ ଜରିଆରେ ମଣିଷ ଚେତନାର ଚୂଡ଼ାନ୍ତ ସ୍ତରର ପରମାନନ୍ଦ ଦିଅନ୍ତି । ସେମାନେ ବୁଝୁଥିବା ପ୍ରେମ ଆଚରଣ ଜରିଆରେ ସବୁଠାରୁ ଶକ୍ତିଶାଳୀ ମାନବୀୟ ଆବେଗର ଏକ ଚରମ ରୂପାନ୍ତରିତ ମହାହ୍ଲାଦ ଦିଅନ୍ତି ଏବଂ ନିଜ ସହିତ ତାଦାତ୍ମ୍ୟ ଅନୁଗ୍ରହ କରନ୍ତି । ଏହା ବୁଝିବା ସହଜ ନୁହେଁ । ଏଣୁ ଗୋପୀମାନେ ଯମୁନାକୂଳକୁ ଯାଇ କୃଷ୍ଣଙ୍କ ସହିତ ମିଳିତ ହେବା ପୂର୍ବରୁ ପରୀକ୍ଷିତ ପଚାରିଥିବା ପ୍ରଶ୍ନର ସମାଧାନ ନିହାତି ଆବଶ୍ୟକ । ତାହା ନ ହେଲେ ‘ଜାରବୁଦ୍ଧି’ ନେଇ ସେହି ଅପୂର୍ବ ମିଳନର କଦର୍ଥ କରିବା ପାଇଁ ସାଧାରଣ ବ୍ୟକ୍ତି ମନରେ ଗୋଟିଏ ପାରଂପରିକ ପ୍ରତିକ୍ରିୟା ସୃଷ୍ଟି ହେବା ଅବଶ୍ୟ ସ୍ଵାଭାବିକ ।

 

ପରୀକ୍ଷିତଙ୍କ ପରି ଜଣେ ପରମ ଭାଗବତ ଏହି ବିଷୟରେ ସନ୍ଦେହ ପୋଷଣ କରିବା ବା ବିସ୍ମିତ ହେବା ଅନୁଚିତ ବୋଲି ଶୁକଦେବ ମତ ଦିଅନ୍ତି ଏବଂ କହନ୍ତି- କୃଷ୍ଣ ‘ଯୋଗେଶ୍ଵରେଶ୍ୱର’, ‘ପରମଯୋଗୀ’, ଜଗତର ମୁକ୍ତିଦାତା । ନିର୍ଗୁଣ, ଅବ୍ୟୟ, ଅପ୍ରମେୟ ହୋଇସୁଦ୍ଧା ଲୋକଙ୍କ ପରମ କଲ୍ୟାଣ ପାଇଁ ସେ ଶରୀର ଧରିଛନ୍ତି । କାମ, କ୍ରୋଧ, ଭୟ, ସ୍ନେହ, ବନ୍ଧୁଭାବ, ସାଂଖ୍ୟ ପ୍ରଭୃତି ଯେ କୌଣସି ଭାବ ନେଇ ସୁଦ୍ଧା ତାଙ୍କଠି ‘ତନ୍ମୟ’ ହୋଇଗଲେ ସେହି ସବୁ ଭାବ ଓ ବୃତ୍ତି ଭଗବତ୍ ପ୍ରାପ୍ତିର ମାଧ୍ୟମ ହୋଇଯାନ୍ତି । ଏହି ପ୍ରସଙ୍ଗରେ ସେ ପରୀକ୍ଷିତଙ୍କୁ ସ୍ମରଣ କରାନ୍ତି କିଭଳି ବୈରଭାବ ପୋଷଣ କରି ସୁଦ୍ଧା ଶିଶୁପାଳ ସିଦ୍ଧିପ୍ରାପ୍ତ (କୃଷ୍ଣଙ୍କ ହୃଦୟରେ ଲୀନ) ହୋଇଥିଲା । ତେଣୁ କୃଷ୍ଣଙ୍କ ପରି ପରମପୁରୁଷଙ୍କୁ ପ୍ରେମ କରୁଥିବା ଗୋପୀମାନଙ୍କ ଆଧ୍ୟାତ୍ମିକ ସଫଳତା ସମ୍ପର୍କରେ ପ୍ରଶ୍ନ ଉଠାଇବା ଅଯୌକ୍ତିକ ଏବଂ ଅନୁଚିତ ବୋଲି ଶୁକଦେବ ତାଙ୍କ ସିଦ୍ଧାନ୍ତ ଶୁଣାନ୍ତି । ଏହି ଧରଣର ତାତ୍ତ୍ୱିକ ବିଶ୍ଳେଷଣ ପରେ ଯାଇ ଯମୁନାତଟରେ ଗୋପୀକୃଷ୍ଣ ସାକ୍ଷାତ୍‌କାର ବର୍ଣ୍ଣିତ ହୁଏ । ଏହି ଭାବରେ ଠିକ୍ ପ୍ରାରମ୍ଭରୁ ହିଁ ସେହି ଲୀଳା ସମ୍ପର୍କରେ ଯଥୋଚିତ ଏବଂ ଦାୟିତ୍ଵପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଓ ବିଚାରବୋଧକୁ ନିର୍ଣ୍ଣାୟକ ରୂପେ ସ୍ଥାପିତ କରାଯାଏ । ଏବଂ ତାପରେ ବର୍ଣ୍ଣନା ଆସେ କିଭଳି ସେହି ଉଚ୍ଚାଟ ଅବସ୍ଥାରେ ‘ଅନ୍ତିକମାୟାତା’ (ପାଖକୁ ପହୁଞ୍ଚିସାରିଥିବା) ‘ବ୍ରଜଯୋଷିତା’ଙ୍କୁ ନିଜ ବାକ୍‌ଚାତୁରୀରେ ମୁଗ୍ଧ, ମୋହିତ କରି ‘ବକ୍ତାଶ୍ରେଷ୍ଠ’ କୃଷ୍ଣ ସେମାନଙ୍କୁ ସମ୍ଭାଷଣ କଲେ । ଅନେକ ବ୍ରତ, ତପସ୍ୟା, ଓ ଜ୍ଞାନାନୁଭୂତି ପରେ ଯାଇ ତାଙ୍କ ପାଖକୁ ପହୁଞ୍ଚିବା ସମ୍ଭବ ହୁଏ । କିନ୍ତୁ, ଗୋପୀ ପ୍ରେମ ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ । ବ୍ରଜନାରୀଙ୍କ ନିଷ୍ଠା ସବୁଠୁ ଚରମ ସ୍ତରର ହେବା ଆବଶ୍ୟକ । ଏଣୁ ସେମାନେ ଆଉ ବିମୋହିତ ବା ଲକ୍ଷ୍ୟଭ୍ରଷ୍ଟ ହେବାର ଆଶଙ୍କା ରହିଛି ନା ନାହିଁ ତାହାର ପରୀକ୍ଷା ହେବ ।

 

ଚୀରହରଣ କାଳର ଏବଂ ଉପସ୍ଥିତ କାଳର ବାକ୍ୟାଳାପ ମଧ୍ୟରେ ପ୍ରଭେଦ ରହିଛି । ପୂର୍ବ ପ୍ରସଙ୍ଗରେ ବାହ୍ୟତଃ ବିନୋଦଭାବ ମୁଖ୍ୟ ଥିଲା । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆପାତତଃ ଅତ୍ୟନ୍ତ ଲଘୁ ଭାବରେ ପ୍ରକାଶ କରି ଗୋପୀମାନଙ୍କ ମାନସିକ ସଙ୍କୋଚର ପରୀକ୍ଷା ନିଆଯାଇଥିଲା-। ଏଠି କୃଷ୍ଣଙ୍କ ଅନ୍ତରରେ କିଛି ବିନୋଦଭାବ ଅବଶ୍ୟ ରହିଛି; କିନ୍ତୁ ଭାଷା ଓ ସ୍ୱରରେ ରହିଛି ଗୁରୁସୁଲଭ ଗାମ୍ଭୀର୍ଯ୍ୟ । ଧ୍ୱନି ଓ ସୂଚନାଭରା ଏହି ବକ୍ତବ୍ୟ ମହାରାସପୂର୍ବ ଅନ୍ତିମ ଚରଣର ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ । କୃଷ୍ଣ ଗୋପୀମାନଙ୍କୁ ପ୍ରଥମେ ‘ମହାଭାଗାଃ’ (ପରମ ଭାଗ୍ୟବତୀ) ବୋଲି ସମ୍ୱୋଧନ କରନ୍ତି ଓ ସ୍ୱାଗତ ଜଣାନ୍ତି । ସେମାନଙ୍କୁ ସେ ଏଭଳି ‘ସମ୍ମାନିତ କରନ୍ତି’, କାରଣ ସେମାନେ ‘ସମ୍ମାନର ଯୋଗ୍ୟା’ । (ଆମେ ଏଠି ମନେରଖିବା ଯେ ବାସ୍ତବରେ ‘ସମ୍ମାନଯୋଗ୍ୟ’ ନ ହେବା ଯାଏ ବଂଶୀଡାକ ଆସେ ନାହିଁ ।) ତାପରେ କିଛି ନ ଜାଣିଲା ଭଳି ନିରୀହ ସ୍ୱରରେ ପଚାରନ୍ତି- ‘ବ୍ରଜରେ ସବୁକିଛି ମଙ୍ଗଳ ତ ? ଏଠି ଆସିବାର କଣ ପ୍ରୟୋଜନ ପଡ଼ିଲା ?’ ଅର୍ଥାତ୍, ତାଙ୍କ ସହିତ ଗୋପୀଗଣଙ୍କ ସମ୍ପର୍କ କେବଳ ଗୋବର୍ଦ୍ଧନଲୀଳାର ରକ୍ଷକ-ରକ୍ଷିତ ସମ୍ପର୍କ ବୋଲି ଭାବ-ଅଭିନୟ କରନ୍ତି । ପୁଣି କହନ୍ତି, ତାହା ‘ଘୋରରୂପା’, ‘ଘୋର ସତ୍ତ୍ୱ ନିଷେବିତା’ (ଭୟଙ୍କର ସତ୍ତ୍ଵସବୁ, ଯଥା ରାକ୍ଷସ, ପିଶାଚ, ଡାକିନୀ ପ୍ରଭୃତିଙ୍କ ଅଧ୍ୟୁଷିତ) ରାତ୍ରିକାଳ- ବିଚରଣ ନାରୀମାନଙ୍କ ବିଚରଣ-ଉପଯୁକ୍ତ କାଳ ନୁହେଁ । ତେଣୁ ସେମାନେ ଘରକୁ ଫେରିଯାଆନ୍ତୁ । ଗମ୍ଭୀର ସ୍ଵରରେ କହି ଉପଦେଶ ଦେବାକ୍ରମରେ କୃଷ୍ଣ ସେମାନଙ୍କୁ ‘ସୁମଧ୍ୟମା’ ବୋଲି ସମ୍ୱୋଧନ କରନ୍ତି । (ତାଙ୍କ ପ୍ରତି ରହିଥିବା ମଧୁରଭାବ କିଭଳି ପ୍ରଚ୍ଛନ୍ନରେ କାବ୍ୟିକ ଛଟାରେ ସ୍ୱତଃ ପ୍ରକଟିତ ହୁଏ ତାହା ଲକ୍ଷ୍ୟଣୀୟ)-। ତାପରେ ସେମାନେ ସେଇ ମୁହୂର୍ତ୍ତରେ ଭୁଲିଯାଇଥିବା ତାଙ୍କ ପାରିବାରିକ, ସାମାଜିକ ବାସ୍ତବତା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇ କୃଷ୍ଣ କହନ୍ତି ଯେ ସେମାନଙ୍କ ‘ମା, ବାପା, ପତି, ପୁତ୍ର, ଭାଇ, ବନ୍ଧୁ, ସ୍ୱଜନ’ ସମସ୍ତେ ତାଙ୍କ ଅନୁପସ୍ଥିତି କାରଣରୁ ଚିନ୍ତିତ ହୋଇ ପଡ଼ିଥିବେ । ଉଦ୍ଦେଶ୍ୟ ସ୍ପଷ୍ଟ-। ଗୋପୀମାନେ ନିଜ ନିଜର ବ୍ୟକ୍ତିଗତ ସୁରକ୍ଷା, ପାରିବାରିକ ସ୍ନେହ ଓ ସାମାଜିକ ସ୍ଥିତି ପ୍ରତି ଏହି ଅବସ୍ଥାରେ କେତେ ଗୁରୁତ୍ୱ ଦେବେ, ସେମାନଙ୍କ ପ୍ରେମାବେଗର ଗଭୀରତା ଓ ଏକନିଷ୍ଠତାର ଏହା ଏକ ପରୀକ୍ଷା ।

 

ଶ୍ରୀକୃଷ୍ଣଙ୍କ ଉପଦେଶ ଆଗେଇଚାଲେ- ‘ତୁମେମାନେ ଏହି କୁସୁମିତ, ଜ୍ୟୋତ୍ସାଧୌତ, ଯମୁନା ସ୍ରୋତ ପଟୁ ବହୁଥିବା ଶୀତଳ ପବନ ଦ୍ଵାରା ମନ୍ଦମନ୍ଦ ଆନ୍ଦୋଳିତ ତରୁଲତାର ଶୋଭାଦର୍ଶନ କଲ । ଏବେ ଆଉ ବିଳମ୍ୱ କର ନାହିଁ । ତୁମେ ସମସ୍ତେ ସମ୍ମାନନୀୟା, ସତୀ ସ୍ତ୍ରୀ । ଘରକୁ ଯାଇ ପତିମାନଙ୍କ ସେବା କର । ତୁମ ଗୃହମାନଙ୍କରେ ଶିଶୁ ଓ ବତ୍ସାଗୁଡ଼ିକ କ୍ରନ୍ଦନରତ । କ୍ଷୀରପାନ କରାଅ । ଗାଈମାନଙ୍କୁ ଦୁହଁ ।’ ଲକ୍ଷ୍ୟ କରିବା କଥା, କୃଷ୍ଣ ଏବେ ‘ଘୋରରୂପା’ ନିଶା ବଦଳରେ ଉନ୍ମାଦକର ରଜନୀର ବର୍ଣ୍ଣନା କରୁଛନ୍ତି । ତାହା ଉଦ୍ଦୀପନ ଭାବପ୍ରଧାନ । ଗୋପୀମାନଙ୍କୁ ତାହା ଜରିଆରେ ସେ ଆବେଗିତ କରୁଛନ୍ତି । ଅଥଚ କହୁଛନ୍ତି, ରାତ୍ରି ଭ୍ରମଣ ସରିଲା । ଏବେ ସେମାନେ ଘରକୁ ଫେରିଯାଆନ୍ତୁ (ତେବେ କେହି ଭୁଲ ବୁଝିବେ ନାହିଁ) । ପୁଣି ଯମୁନାତଟର ଆକର୍ଷଣ ବିରୁଦ୍ଧରେ ଅନ୍ୟ ଦିଗରେ ଆବେଗାନ୍ୱିତ କରିବା ପାଇଁ ରୋଦନ କରୁଥିବା ଶିଶୁ ଓ ବତ୍ସାମାନଙ୍କର ଉଲ୍ଲେଖ କରୁଛନ୍ତି । ଏହି ଭାବରେ ଉଭୟଦିଗରୁ ସେମାନଙ୍କ ମନକୁ ଆନ୍ଦୋଳିତ କରି ତାଙ୍କ ସମର୍ପଣର ପରୀକ୍ଷା ନେଉଛନ୍ତି । ସେ ପୁଣି କହନ୍ତି, ସେମାନେ ଯଦି ତାଙ୍କ ପ୍ରତି ‘ସ୍ନେହର ପ୍ରଭାବରେ ବିବଶ ହୋଇ ଆସିଛନ୍ତି’ ତେବେ ତାହା ସ୍ୱାଭାବିକ, କାରଣ ତାଙ୍କୁ ସମସ୍ତ ପ୍ରାଣୀ ପ୍ରେମ କରନ୍ତି- ‘ପ୍ରିୟନ୍ତେ' । ଏହା ମଧ୍ୟରେ ଦୁଇଟି ସୂଚନା ରହିଛି: ପ୍ରଥମ ହେଲା, ସେମାନେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇ ସନ୍ଧ୍ୟାକାଳରେ ଏଭଳି ଚାଲିଆସିଥିବା କାରଣରୁ ନିଜକୁ ଅପରାଧିନୀ ମନେ କରିବା ଅନାବଶ୍ୟକ । ଦ୍ଵିତୀୟ ସୂଚନା କୃଷ୍ଣ ଚରିତ୍ରର ବାସ୍ତବତା ସଂପର୍କିତ- ସେ ଜଣେ ବ୍ୟକ୍ତି ନୁହନ୍ତି; କେବଳ କୌଣସି ବ୍ୟକ୍ତି ବିଶେଷର ପ୍ରେମିକ ନୁହନ୍ତି । ସେ ସଭିଙ୍କର । ଏଭଳି ସାଧାରଣ ନୈତିକତା ଦୃଷ୍ଟିରୁ ଗୋପୀମାନଙ୍କୁ ଆଶ୍ୱସ୍ତ କରିବା ପରେ ହଠାତ୍ ପୁଣି କୃଷ୍ଣଙ୍କ ସ୍ୱରରେ ପରିବର୍ତ୍ତନ ଆସେ । ସେମାନଙ୍କୁ ‘କଲ୍ୟାଣୀ’ ବୋଲି ସମ୍ୱୋଧନ କରି ସେମାନଙ୍କର ‘ପରମଧର୍ମ’ ସ୍ମରଣ କରାଇ ସେ କହନ୍ତି, ସ୍ୱାମୀ ଯଦି ପାତକୀ ନୁହେଁ, ସେ ଯେତେ ନିର୍ଦ୍ଧନ, କୁରୂପ, ରୁଗ୍‌ଣ, ବୃଦ୍ଧ, ମୂର୍ଖ ବା ଅଭଦ୍ର ହେଉନାଁ କାହିଁକି ‘ଉତ୍ତମ ଲୋକ’ ଆକାଙ୍କ୍ଷା କରୁଥିବା ସ୍ତ୍ରୀ ପକ୍ଷରେ ତାଙ୍କ ସେବା କରିବା କର୍ତ୍ତବ୍ୟ ଅଟେ । ଏଠି ନାରୀର ପ୍ରେମ ଓ ଭକ୍ତିଭାବ କେଉଁଭଳି ସ୍ୱର୍ଗପ୍ରାପ୍ତିର ସହାୟକ ହୁଏ ତାହା କରିବା ସହିତ ସେଥିପାଇଁ କୃଷ୍ଣଙ୍କ ପରି ମୋହନ ରୂପ ପାଇଁ ଅପେକ୍ଷା କରିବା ଅନାବଶ୍ୟକ ବୋଲି ସୂଚନା ଦିଆଯାଇଛି । ଖୁବ୍ ଜୋର‌୍‌ଦେଇ କୃଷ୍ଣ କହନ୍ତି, କୁଳସ୍ତ୍ରୀମାନଙ୍କ ପାଇଁ ପରପୁରୁଷ ସଙ୍ଗ ଅସ୍ପର୍ଶ୍ୟକର, ଅଯଶସ୍କର, (ଆତ୍ମା ଦୃଷ୍ଟିରୁ) ପରମଭୟର କାରୁଣ ଏବଂ (ଇହଲୋକ- ପରଲୋକ) ସବୁଦୃଷ୍ଟିରୁ ନିନ୍ଦନୀୟ । ପୁଣି ସେହି ସୁଖ ମଧ୍ୟ ଅତ୍ୟନ୍ତ ତୁଚ୍ଛ ଓ କ୍ଷଣିକ ।

 

ଆମେ ବର୍ତ୍ତମାନ ଯାଇ ଏ ସମଗ୍ର ବକ୍ତବ୍ୟର ବାସ୍ତବ ଉଦ୍ଦେଶ୍ୟ ବୁଝୁଁ । କୃଷ୍ଣ ପ୍ରେମରେ ଶରୀରଭାବର ସ୍ଥାନ ନାହିଁ । ଶରୀର ଭାବ ଥିବା ପର୍ଯ୍ୟନ୍ତ ସମସ୍ତ ସାମାଜିକ ନୀତି ଓ ଧର୍ମ ପ୍ରତି ନିଷ୍ଠା ରଖିବା ଏକାନ୍ତ ଆବଶ୍ୟକ । କିନ୍ତୁ ଯେ ପରମପୁରୁଷ, ପରମାତ୍ମାଙ୍କ ପ୍ରତି ଆତ୍ମାସ୍ତରରେ ଆକୃଷ୍ଟ ହେବ ତା କଥା ଅଲଗା । ଏଣୁ କୃଷ୍ଣଙ୍କ ଉପଦେଶ ମଧ୍ୟରେ ଗୋପୀମାନଙ୍କୁ କେବଳ ପରୀକ୍ଷା କରିବାର ଉଦ୍ଦେଶ୍ୟ ନାହିଁ । ସେମାନଙ୍କ ମନରୁ ‘ଜାରାବୁଦ୍ଧି’ ନିଶ୍ଚିହ୍ନ କରିବା ଓ କୃଷ୍ଣପ୍ରାପ୍ତି ପାଇଁ ଆବଶ୍ୟକ ହେଉଥିବା ସମୁନ୍ନତ ଦୃଷ୍ଟିଭଙ୍ଗୀ ଉଜ୍ଜୀବିତ କରିବା ଉଦ୍ଦେଶ୍ୟ ମଧ୍ୟ ରହିଛି । ଏହି ପ୍ରସଙ୍ଗରେ ବ୍ୟକ୍ତିଗତ, ସାମାଜିକ, ପାରିବାରିକ ଓ ଆଧ୍ୟାତ୍ମିକ ସ୍ତରର ଏକ ସାମଗ୍ରିକ ବାସ୍ତବତାର ଉପଯୁକ୍ତ ଆକଳନ ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଇଛି । ତାପରେ ଶେଷକୁ କୃଷ୍ଣ ସେମାନଙ୍କୁ ଉଭୟ ସାବଧାନ କରିବା ଏବଂ ନିର୍ଭର ସ୍ୱରରେ କହନ୍ତି ‘ମୋର ଶ୍ରବଣ, ଦର୍ଶନ, କୀର୍ତ୍ତନ, ଓ ଧ୍ୟାନ ଜରିଆରେ ଯେଭଳି ମୋର ‘ଭାବ’ ପ୍ରାପ୍ତ ହୁଏ, ତାହା ମୋ ନିକଟରେ ଥିଲେ ହୁଏ ନାହିଁ । ଏଣୁ ତୁମେ ସମସ୍ତେ ଫେରିଯାଅ ।’ ଯେଉଁ ଗୋପୀ ସେଠାକୁ ଆସି ପାରି ନଥିଲେ ଅଥଚ ଆବେଗପୂର୍ଣ୍ଣ ହୋଇ ଉଠି ତନ୍ମୟଭାବ ଲଭିଥିଲେ ସେମାନଙ୍କର କୃଷ୍ଣପ୍ରାପ୍ତି ହୋଇଯାଇଛି । ଏବେ ଯେଉଁମାନେ ତାଙ୍କ ପାଖକୁ ଚାଲିଆସିଛନ୍ତି ସେମାନଙ୍କୁ କୃଷ୍ଣ ସତର୍କ କରି ବୁଝାଉଛନ୍ତି ଯେ ଶରୀର ଜ୍ଞାନନେଇ ନିଜ ଶରୀରକୁ ତାଙ୍କ ଶରୀର ପାଖକୁ ନେଇ ପ୍ରଣୟସିଦ୍ଧା ହେବାର ବାସନା ଯଦି କେହି କରିବେ ସେମାନେ ନିରାଶ ହେବେ । ନିକଟରେ ରହିଲେ ଶରୀରବୋଧ ଚାଲିଆସିବାର ଭୟ ଅଛି । ଏବଂ ଶରୀରବୋଧ ଚାଲିଆସିଲେ ସମସ୍ତ ସାଧନା ନିଷ୍ଫଳ ହୋଇଯିବ । ରାସଲୀଳା ପାଇଁ ଏହି ଅବବୋଧ ଏକାନ୍ତ ଆବଶ୍ୟକ । ଯେଉଁମାନେ ଭାବନ୍ତି ଯେ ଶ୍ରୀକୃଷ୍ଣ ଏଠି ଟିକିଏ ବିନୋଦ କରୁଛନ୍ତି, ଗୋପୀମାନଙ୍କୁ ଟିକିଏ ବ୍ୟତିବ୍ୟସ୍ତ କରୁଛନ୍ତି ବା କେବଳ ତାଙ୍କ ପରୀକ୍ଷା ନେଉଛନ୍ତି । ସେମାନେ ଏହି ପ୍ରସଙ୍ଗର ଗୁରୁତ୍ୱ ବୁଝନ୍ତି ନାହିଁ । ଶ୍ରୀକୃଷ୍ଣ ଏଠି ମୋଟେ ପରିହାସ କରୁନାହାନ୍ତି ବା (ଅର୍ଜୁନଙ୍କ ଭାଷାରେ) ତାଙ୍କ ବାକ୍‌ଚାତୁରୀରେ ଗୋପୀମାନଙ୍କୁ ବୁଦ୍ଧିମୋହିତ କରୁନାହାନ୍ତି । ବରଂ ଶ୍ରଦ୍ଧାପୂର୍ଣ୍ଣ ଅନ୍ତରରେ ସେମାନଙ୍କୁ ସଚେତନ କରୁଛନ୍ତି । ସେମାନଙ୍କ ଚେତନାକୁ ପ୍ରସ୍ତୁତ କରୁଛନ୍ତି ମହାରାସ ପାଇଁ । ତେଣୁ ଗୋପୀମାନଙ୍କ ଅବସ୍ଥା ସ୍ମରଣ କରି ଏହି ପ୍ରସଙ୍ଗରେ କୃଷ୍ଣବାଣୀର ସ୍ଵର, ଯୁକ୍ତି ଓ ସୂଚନା ସବୁର ମୁଗ୍ଧକର ବୈଚିତ୍ର୍ୟ ଓ ଔଚିତ୍ୟ ହୃଦୟଙ୍ଗମ କରିବାକୁ ଚେଷ୍ଟା କଲେଯାଇ ମହାରାସ ବୁଝିବା ପାଇଁ ଆମେ ନିଜକୁ ପ୍ରସ୍ତୁତ କରିପାରିବା ।

 

ଉତ୍ତରରେ ଗୋପୀମାନେ କୃଷ୍ଣଙ୍କୁ କଣ କହିଲେ ତାହା ଜଣାଇବା ପୂର୍ବରୁ ଶୁକଦେବ ସେମାନଙ୍କ ଭାବାତୁର ଅବସ୍ଥାର ଚିତ୍ର ଦିଅନ୍ତି । କୃଷ୍ଣଙ୍କ କଥା ଶୁଣି ସେମାନେ ପ୍ରଥମେ କେତେ ଆହତ, ବିବ୍ରତ ଓ ନିରାଶ ହେଲେ ତାହାର ଏକ ମାର୍ମିକ ବର୍ଣ୍ଣନା ଆମେ ପାଉ । ଯେହେତୁ ତାହା ମାନସିକ ପ୍ରତିକ୍ରିୟା ଓ ଶାରୀରିକ ବିକାର ଚିତ୍ର ତେଣୁ ଶୁକଦେବଙ୍କ ସ୍ଵରରେ ଆମେ ଶୁଣୁଁ କିଭଳି କୃଷ୍ଣଙ୍କ ସାଧୁ ଉପଦେଶ ଗୋପୀଙ୍କୁ ‘ଅପ୍ରିୟ’ ମନେହେଲା- ‘ଭଗ୍ନସଙ୍କଳ୍ପା’, ‘ବିଷଣ୍ଣା’ ସେମାନେ ଭୟଙ୍କର ଚିନ୍ତାସ୍ରୋତରେ ବୁଡ଼ିଗଲେ । ଉତ୍ତପ୍ତ ଶ୍ୱାସରେ ସେମାନଙ୍କ ବିମ୍ମୋଷ୍ଠଗୁଡ଼ିକ ଶୁଷ୍କ ହୋଇପଡ଼ିଲା । (ଅସହାୟ, କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ) ସେମାନେ ପାଦନଖରେ ମାଟି ଖୋଳି ମୁହଁ ତଳକୁ ପୋତି ରହିଲେ । ଆଖିର ଅଶ୍ରୁରେ କଜ୍ଜ୍ୱଳ ଧୋଇଗଲା ଓ ବକ୍ଷସ୍ଥଳର କେଶର ମଧ୍ୟ ଧୋଇଗଲା । ଦୁଃଖଭରା ହୃଦୟ ଧରି ସେମାନେ ନିର୍ବାକ୍ ରହିଲେ । ନିଜ ପ୍ରିୟତମଙ୍କ ପାଇଁ ସେମାନେ ସବୁକିଛି ତ୍ୟାଗ କରିଥିଲେ । ଏବେ ତାଙ୍କ ନିଷ୍ଠୁର କଥା ଶୁଣି ତାଙ୍କ ଆଖି ଭରି ଉଠିଲା । ତାପରେ ସାମାନ୍ୟ ଧୈର୍ଯ୍ୟ ବାନ୍ଧି, ଗଦ୍‌ଗଦ୍ ସ୍ୱରରେ ସେହି (ପ୍ରଣୟ) ଅନୁରକ୍ତା ଗୋପୀମାନେ କହିବାକୁ ଆରମ୍ଭ କଲେ । ଏହି ସଂକ୍ଷିପ୍ତ ବର୍ଣ୍ଣନାର ନାଟକୀୟତା ଉଲ୍ଲେଖନୀୟ । ଏଥିରେ ପ୍ରଥମେ ରହିଛି ବିହ୍ୱଳ, ଶୋକାର୍ତ୍ତ ଅବସ୍ଥାରେ କେବଳ ଶାରୀରିକ ପ୍ରତିକ୍ରିୟା ମଧ୍ୟ ଦେଇ ପ୍ରକାଶିତ ହେଉଥିବା ସେମାନଙ୍କର ମୂକ ଗ୍ଲାନି ଓ ନୈରାଶ୍ୟର ଚିତ୍ର ଏବଂ ତାପରେ ଆସିଛି ସେଇ ବିମୂଢ଼ ଅବସ୍ଥାରୁ କ୍ରମେ ପ୍ରକୃତିସ୍ଥ ହୋଇ ଆତୁର ଉତ୍ତେଜନାଭରା ସ୍ୱରରେ ପ୍ରଣୟ ଅଭିଯୋଗର ପ୍ରାକ୍ ଅବସ୍ଥାର ଚିତ୍ର । ଏହି ଚିତ୍ର ମନେ ନ ରଖିଲେ ଯୋଗୀବାଣୀର ସ୍ଵର ଓ ବ୍ୟଞ୍ଜନା ଠିକ୍ ଧରି ହେବନାହିଁ ।

 

ଉଦାହରଣ ସ୍ୱରୂପ ସାଧାରଣ ଭାବରେ ପଢ଼ିଗଲେ ଗୋପୀ ଉତ୍ତରର ପ୍ରଥମ ଶ୍ଳୋକଟି ମନେହେବ ଏକ ଚମତ୍କାର ଅଧ୍ୟାତ୍ମ । ମନେହେବ ଅନ୍ତର୍ଦାହ ଅପେକ୍ଷା ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ତାହାର ମୁଖ୍ୟ ବିଷୟବସ୍ତୁ । ସେହି ଅନ୍ତର୍ଦୃଷ୍ଟି ଅବଶ୍ୟ ରହିଛି । କିନ୍ତୁ ଅନୁରାଗ, ବିକଳତା ଓ ପ୍ରେମନିବେଦନ ହିଁ ତାହାର ମୁଖ୍ୟ ଆଲମ୍ବନ । କେବଳ ଶ୍ଳୋକର ପ୍ରଥମ ଅଂଶ ଯେଉଁଠି ସେମାନେ ସମସ୍ପର୍ଶୀ ବାଣୀରେ କହନ୍ତି, ‘ତୁମେ ଏ ଭଳି ନୃଶଂସ ବାକ୍ୟ କହିବା ଅନୁଚିତ’, ଖାଲି ସେଥିରେ ପ୍ରଣୟକୋପ ବା ଅଭିଯୋଗପୂର୍ଣ୍ଣ କଟାକ୍ଷ ପଢ଼ି ପରଅଂଶରେ ସନ୍ତୁଳିତ ନିବେଦନ ପଢ଼ିଲେ ତାହା ଯଥାର୍ଥ ହେବ ନାହିଁ । ଶୁକଦେବ ବର୍ଣ୍ଣିତ ଗୋପୀଗଣଙ୍କ ବିହ୍ୱଳା, ଆପୁର, କରୁଣ ଅବସ୍ଥା ମନେଥିଲେ ଆମେ ଠିକ୍ ବୁଝିବା ଶ୍ଳୋକର ପରଅଂଶର ନିବେଦନ- ‘ହେ ବିଭୁ, ଆମେ ସମସ୍ତ ବିଷୟ ତ୍ୟାଗ କରି ଆପଣଙ୍କ ପାଦମୂଳକୁ ଆସିଛୁଁ । ଆମକୁ ପରିତ୍ୟାଗ କରନ୍ତୁ ନାହିଁ । ‘ଭକ୍ତାହ ଉଜସ୍ୱ’ (ଭକ୍ତମାନଙ୍କ ପ୍ରତି ଅନୁରକ୍ତ ହୁଅ), ଯେଭଳି ଆଦି ପୁରୁଷ ମୁମୁକ୍ଷୁମାନଙ୍କୁ ପ୍ରେମ କରନ୍ତି’ । ଏଥିରେ ଉଭୟ ଅନ୍ତରଙ୍ଗତା ଓ ସମ୍ଭ୍ରମର ସ୍ଵର ରହିଛି । ‘ବିଭୁ’, ‘ପାଦମୂଳ’, ‘ଆଦିପୁରୁଷ’ ଓ ‘ମୁମୁକ୍ଷୁ’ ଶବ୍ଦ ସବୁର ଶାସ୍ତ୍ରୀୟ ଅନୁରଣନ ‘ନୃଶଂସ’, ‘ଅନୁରକ୍ତ’, ‘ପ୍ରେମ’ ପ୍ରଭୃତି ଶବ୍ଦ ଜରିଆରେ ନିବିଡ଼ ବ୍ୟକ୍ତିଗତ ଭାବର ସାମଗ୍ରୀ ହୋଇଉଠିଛି । ସର୍ବବ୍ୟାପକ ଆଦି ପୁରୁଷଙ୍କ ସବୁଠାରୁ ଅଧିକ ସ୍ନେହ ଥାଏ ‘ମୁମୁକ୍ଷୁ’ମାନଙ୍କ ପାଇଁ ଗୋପୀଗଣ ମୁମୁକ୍ଷୁ ନୁହନ୍ତି । ସେମାନେ ‘ପାଦମୂଳ’ ଆଶ୍ରିତା । କିନ୍ତୁ ଆଦିପୁରୁଷ-ମୁମୁକ୍ଷୁ ସମ୍ପର୍କରେ ଉପଲବ୍ଧ ସର୍ବୋତ୍ତମ ଦିବ୍ୟପ୍ରେମ ତାଙ୍କ ନିଜର ଭିନ୍ନ ଆବେଗ ପ୍ରସଙ୍ଗରେ ମଧ୍ୟ ଉପଲବ୍ଧ ହେବ ବୋଲି ସେମାନେ ଆଶାୟିନୀ । ଗୋପୀଭାବଟି ମନେଥିଲେ ଏହାର ବ୍ୟଞ୍ଜନା ଦାର୍ଶନିକ ନ ହୋଇ ନିବିଡ଼ ଭାବରେ ମାନବୀୟ ହେବ । ପ୍ରେମ ଭକ୍ତି ପ୍ରସୂତ ଜ୍ଞାନ ଓ ବୈରାଗ୍ୟପ୍ରସୂତ ଜ୍ଞାନର ସାରକଥା ଏକ ହେଲେ ମଧ୍ୟ ଉଭୟର ଅବବୋଧଧାରା ଓ ଅନୁଭୂତି ଏକ ନୁହେଁ । ଗୋପୀଭାବ ପ୍ରସଙ୍ଗରେ ସେହି ବୈଷମ୍ୟ ଏକ ମୌଳିକ ବିଷୟ ।

 

ପରଶ୍ଳୋକ (୩୨)ରେ ଗୋପୀମାନେ କହନ୍ତି- ‘ପୁଶେ ଧର୍ମଜ୍ଞ । ପରିବାର ସେବା ରୂପକ ସ୍ତ୍ରୀ ଧର୍ମ ଯାହା ଆମକୁ ବୁଝାଇଲ ତାହା ଠିକ୍ । ସେହି ଉପଦେଶ ପାଳନ କଲେ ଆମେ ତୁମକୁ ହିଁ ସେବିବୁଁ, କାରଣ ତୁମେ ‘ଉପଦେଶପଦ’ ଓ ତୁମେ ‘ଈଶ’ (ଅର୍ଥାତ୍ ତୁମେ ସମସ୍ତଜ୍ଞାନ, ଧର୍ମ ଓ ନୀତିର ବିଧାତା ଏବଂ ପ୍ରଭୁ) । ତୁମେ ସମସ୍ତ ଦେହଧାରୀଙ୍କ ବନ୍ଧୁ ଓ ଆତ୍ମା ।’ ଏଠି ମନେହେବ ଗୋପୀମାନେ ଫେରିଯିବା ପାଇଁ ତାଙ୍କ ସମ୍ମତି ଦେଲେ । ଏହା ମଧ୍ୟ ମନେ ହୋଇପାରେ ଯେ ସେମାନେ କୃଷ୍ଣଙ୍କ ଆଦେଶଟିକୁ ନିଜର ଅନୁକୂଳ କରିବାକୁ ଶିଖିଲେଣି । ପରିବାର ସେବାକୁ କୃଷ୍ଣ ସେବାରେ ପରିଣତ କରିବାପାଇଁ ଆଗ୍ରହୀ ହେଲେଣି । କିନ୍ତୁ ଠିକ୍ ପରେ ସେମାନେ କହନ୍ତି । ‘କୁଶଳାଃ’ (ବୁଦ୍ଧିମାନ) ‘ରତି’ (ପ୍ରେମ) କରନ୍ତି କେବଳ ତୁମଠାରେ । କାରଣ ତୁମେ ସ୍ୱଆତ୍ମା ଏବଂ ନିତ୍ୟପ୍ରିୟ (ଅନ୍ୟ ସମସ୍ତେ ଅନିତ୍ୟପ୍ରିୟ; ଅନ୍ୟ ସମସ୍ତ ଭୋଗ କ୍ଷଣିକ) । ଅନିତ୍ୟ, ଦୁଃଖଦ ପତିସୁତଙ୍କଠି କଣ ମିଳିବ ? “ପ୍ରସାଦ ପରମେଶ୍ଵର” । ହେ ଅରବିନ୍ଦନେତ୍ର, ଚିରକାଳରୁ ବଢ଼ିଆସିଥିବା ଆମର ଆଶାଲତାକୁ ଛିଣ୍ଡେଇ ଦିଅନାହିଁ ।’ ଶ୍ଳୋକର ପ୍ରଥମ ଅଂଶରେ ସମ୍ଭାବିତ ଏକ ସନ୍ତୁଳିତ, ବିଚାରବନ୍ତ ସ୍ଵର ଅପର ଅଂଶର ଭାବାବେଗ ଦ୍ଵାରା କିଭଳି ପରିବର୍ତ୍ତିତ ହୋଇଯାଏ, ଯୁକ୍ତି କିଭଳି ପ୍ରେମଭକ୍ତି ପାଲଟିଯାଏ, ଜ୍ଞାନ କିଭଳି ପ୍ରେମର ଉପାଦାନ ହୋଇଉଠେ ଏହି ଦୁଇଟି ଶ୍ଳୋକ ତାହାର ଏକ ମନୋଜ୍ଞ ଦୃଷ୍ଟାନ୍ତ । ଗୋପୀମନର ଦୋଳନ ଓ ଉଦ୍‌ବେଳନ ସ୍ମରଣୀୟ । ସେମାନେ ‘ଈଶ’ଙ୍କ ଆଦେଶକୁ ସମ୍ମାନ ଜଣାଇବେ । ଅଥଚ ସେଇ ଆଦେଶ ବିରୁଦ୍ଧରେ ଯାଇ ନିଜେ ବାଛିଥିବା ‘ରତି’ ଭାବ ଜରିଆରେ ତାଙ୍କୁ ପ୍ରାପ୍ତ ହେବେ । ଏବଂ ଏ ଦୁଇଟିଯାକ ଆପାତ ବିପରୀତ ମାନସିକତାକୁ ଭକ୍ତି ଆବେଗରେ ଏକ କରି ବୁହାଇ ନେବେ ସେଇ ପଦ୍ମପାଦ ନିକଟକୁ । ସେମାନେ କହନ୍ତି କୃଷ୍ଣ ନିତ୍ୟପ୍ରିୟ । ସେମାନଙ୍କ ଆଶାଲତା ‘ଚିରକାଳରୁ’ ବର୍ଦ୍ଧନଶୀଳ । ଏଣୁ କୃଷ୍ଣ ତାକୁ ଛିଣ୍ଡେଇଦେବାର କ୍ରୂରତା ବା ଅନ୍ୟାୟ ମୋଟେ କରିବେ ନାହିଁ । ସେମାନଙ୍କର ଏ ବିଶ୍ୱାସ ଦୃଢ଼ ।

 

ଅଭିଯୋଗ ଓ ନିବେଦନ, ଯୁକ୍ତି ଓ ପ୍ରାର୍ଥନୀ ପୁନର୍ବାର ଚମତ୍କାର ଭାବେ ଏକତ୍ର କରି ଗୋପୀମାନେ କହନ୍ତି- ‘ଗୃହକର୍ମରେ ଆମ ହସ୍ତପଦାଦି ଓ ମନ ଲିପ୍ତ ରହିଥିଲା । ଖୁବ୍ “ସୁଖ”ରେ ତୁମଦ୍ୱାରା ସେହି ଚିତ୍ତ ଅପହୃତ ହୋଇଗଲା (ଅର୍ଥାତ୍ ବିନୋଦଯାକ ତୁମରି; ଦୁଃଖଯାକ ଆମରି) । ଏବେ ଆମ ପାଦ ମଧ୍ୟ ତୁମ ପଦ୍ମପାଦ ଛାଡ଼ି ଅନ୍ୟତ୍ର ଯିବାକୁ ଚଳୁନାହିଁ । (ଆମେ ଅସହାୟ; ଆଦେଶ ମାନିବାର ଶକ୍ତି ମଧ୍ୟ ଆମର ନାହିଁ । ଆମେ ବ୍ରଜକୁ କିଭଳି ଯିବୁଁ ଏବଂ ସେଠି କଣ ବା କରିବୁଁ ?’ ଅର୍ଥାତ୍ ପୂର୍ବରୁ ସେମାନେ ସନ୍ତୁଷ୍ଟ ଥିଲେ; ସର୍ଜନାତ୍ମକ ଭାବେ, ଧର୍ମନିରୂପିତ କାର୍ଯ୍ୟରେ ଇନ୍ଦ୍ରିୟ ଓ ମନକୁ ନିୟୋଜିତ କରି ସେମାନେ ସୁସ୍ଥ ଜୀବନଯାପନ କରୁଥିଲେ । ସେଇ ମନକୁ ସହଜରେ ବଡ଼ ଆନନ୍ଦରେ ଚୋରି କରି ତାଙ୍କୁ ଏକ ଅସହାୟ, ପଙ୍ଗୁ ଅବସ୍ଥାକୁ ନେଇ ଆସିଲେ ଶ୍ରୀକୃଷ୍ଣ । ଏବେ ତାଙ୍କ ଇନ୍ଦ୍ରିୟ ଓ ମନ ଏକାଭଳି କୃଷ୍ଣପ୍ରୀତି ଛଡ଼ା ଅନ୍ୟ କାର୍ଯ୍ୟ ପାଇଁ ଅକ୍ଷମ । ଏଣୁ ସେ ଫେରିଯିବା ପାଇଁ ଦେଇଥିବା ଉପଦେଶ ପାଳନ କରିବାର ସାମର୍ଥ୍ୟ ତାଙ୍କର ମୋଟେ ନାହିଁ । ତାଙ୍କୁ ଅମାନ୍ୟ କରିବାର ବା ନିଜ ଜିଦ୍‌ରେ ଅଟଳ ରହିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେମାନେ ସୂଚାଉଛନ୍ତି । ଇନ୍ଦ୍ରିୟ ଓ ମନ ଏବେ ଯାହାବି କରୁଛନ୍ତି ତାହା ତାଙ୍କରି ଇଙ୍ଗିତରେ ହିଁ ଚାଲିଛି । ସବୁ ଦାୟିତ୍ୱ ତାଙ୍କର ବୋଲି ପରୋକ୍ଷରେ ସେମାନେ ନିବେଦନ କରୁଛନ୍ତି ।

 

ଗୋପୀଭାବ ଏଯାବତ୍ ସମ୍ପୂର୍ଣ୍ଣ ଉନ୍ମୁକ୍ତ ହୋଇନାହିଁ । ଯେଉଁ ‘ଆଶାଲତା’ର ସେମାନେ ଉଲ୍ଲେଖ କରିଥିଲେ ଏବଂ ‘ରତି’ ଭଳି କେତେକ ଶବ୍ଦର ଯେଉଁ ସବୁ ସୂଚନା ଆସିଥିଲା ସେଥିରେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ପ୍ରଣୟଭାବର ମାନବୀୟ ଦିଗଟି ଚିହ୍ନିତ ହୋଇ ନ ଥିଲା । ବର୍ତ୍ତମାନ ସେହି ‘ପ୍ରଣୟବଦ୍ଧା’ ଚେତନାର ଅପ୍ରତିହତ ମଧୁର ଭାବକୁ ସିଧାସଳଖ ପ୍ରକାଶ କରନ୍ତି । ପରିବାର ମଧ୍ୟକୁ ଫେରି ଏହି ମଧୁର ଭକ୍ତି ନିବେଦନ ସମ୍ଭବ ହେବ ନାହିଁ । ଅଧୀର ସ୍ଵରରେ ସେମାନେ ଜଣାନ୍ତି-‘ତୁମର ହସ, ପ୍ରେମଚାହାଣି ଓ ସଙ୍ଗୀତ ଆମ ହୃଦୟରେ ଯେଉଁ ନିଆଁ ଜାଳିଛି ତା ଉପରେ ତୁମ ଅଧରାମୃତର ଧାରା ସିଂଚି ଦିଅ । ନ ହେଲେ, ହେ ସଖା, ତୁମ ବିରହବ୍ୟଥାର ଅଗ୍ନିରେ ଆମ ଶରୀର ଦଗ୍ଧକରି ଧ୍ୟାନସ୍ଥ ଅବସ୍ଥାରେ ତୁମ ଚରଣଲାଭ କରିବୁଁ ।’ ବାସ୍ତବ ଗୋପୀଭାବ ଏଠାରେ ହିଁ ପ୍ରତ୍ୟକ୍ଷ ଭାବେ ଉତ୍ତରିତ ହେଲା । ଏ ପ୍ରସଙ୍ଗରେ ‘ହେ ସଖା’ ସମ୍ବୋଧନରୁ ତାଙ୍କ ଭାବ ଓ ସ୍ଵରର ନିର୍ଦ୍ଦିଷ୍ଟତା ସ୍ପଷ୍ଟ । ଚମତ୍କାର ଏ ଭାବ-ବିନ୍ୟାସ । କୃଷ୍ଣଙ୍କୁ ସେମାନେ କହୁଛନ୍ତି, ସେହିଁ ସେହି ଭାବର ସ୍ରଷ୍ଟା ଏବଂ ସେହିଁ ସେହି ବ୍ୟଥାର ଉପଚାର । ପ୍ରଣୟାବେଗରେ ଉତ୍ତେଜିତ ଓ କ୍ଷୁବ୍ଧ ଗୋପୀ କୃଷ୍ଣ ଅଙ୍ଗସଙ୍ଗ ଲାଭ ପାଇଁ ଶରୀର ତ୍ୟାଗ କରିବାକୁ ପ୍ରସ୍ତୁତ- ସେହି ସଙ୍ଗ ଶରୀର ନ ଥାଇ ସୁଦ୍ଧା ଚେତନା ସ୍ତରରେ ଏକତ୍ର ଶରୀର ଓ ଆତ୍ମାର ମିଳନ ହେବ । ସ୍ଵର ଓ ଭାବର ଯୁଗ୍ମ ସମ୍ବଳ ବିଲକ୍ଷଣ-। ଅଭିଯୋଗ ସହିତ ସମର୍ପଣ, କୋଷ ସହିତ ଅନୁନୟ ଓ ଜ୍ଞାନ ସହିତ ମଧୁର ଭକ୍ତିର ସମନ୍ୱୟ ତାହାର ଗୋଟିଏ ଉପାଦାନ । ଅପରିଟି ହେଉଛି ଶରୀର ପ୍ରତି ଏକାସଙ୍ଗରେ ଗୁରୁତ୍ୱ ଆରୋପ ଏବଂ ହେୟଭାବ । କୃଷ୍ଣ ନ ମିଳିଲେ ଶରୀର ଛାଡ଼ିଦେବା ତାଙ୍କ ପାଇଁ ସହଜ । କିନ୍ତୁ କୃଷ୍ଣଙ୍କ ସହିତ ଏକହେବାପାଇଁ ଏ ଶରୀର ଏକ ମୂଲ୍ୟବାନ ସାମଗ୍ରୀ । ତେଣୁ ଏ ଶରୀର ରହୁ କେବଳ ସେହି ସଂଯୋଗ ପାଇଁ ଦ୍ୱୈତର ଅବଲମ୍ୱନ ଭାବେ ହିଁ ତାହା ପ୍ରତି ଗୋପୀ ଗୁରୁତ୍ୱ ଦିଅନ୍ତି ।

 

ସେମାନେ ପୁଣି କହନ୍ତି (୩୬)- ‘ହେ କମଳା ନୟନ ! ଆପଣ ନିଜ ପଦ୍ମ ପାଦ ସେବାର ଅବସର ସ୍ଵୟଂ ଲକ୍ଷ୍ମୀଙ୍କୁ ମଧ୍ୟ ମାତ୍ର କେବେ କେବେ ଦିଅନ୍ତି । (କିନ୍ତୁ) ଆପଣ ବନବାସୀଙ୍କୁ ଅତ୍ୟନ୍ତ ପ୍ରେମ କରନ୍ତି । ଯେଉଁଦିନଠାରୁ ଆମେ ସେହି ଚରଣସ୍ପର୍ଶ ପାଇଲୁଁ ସେଦିନରୁ ଆମେ ଅନ୍ୟ କାହାରି ସମକ୍ଷରେ ଗୋଟିଏ କ୍ଷଣ ପାଇଁ ମଧ୍ୟ ଛିଡ଼ା ରହିବାକୁ (‘ଅଙ୍ଗସ୍ଥାତୁଂ’) ଅକ୍ଷମ ହୋଇ ପଡ଼ିଛୁଁ ।’ ଏଠି ‘ସମକ୍ଷ’ ଓ ‘ଅଙ୍ଗ’ ଶବ୍ଦ ଜରିଆରେ ଶାରୀରିକ ଅବସ୍ଥିତି ଉପରେ ପ୍ରାଧାନ୍ୟ ଦିଆଯାଇଛି । ନିଜର ନିଷ୍କପଟ, ସରଳ ପ୍ରେମ ବଳରେ ବ୍ରଜରେ ଗୋପୀମାନେ ବୈକୁଣ୍ଠରେ । ଲକ୍ଷ୍ମୀଙ୍କଠାରୁ ମଧ୍ୟ ଗୋବିନ୍ଦ ପଦସେବାର ଅଧିକ ସୁଯୋଗ ପାଇଛନ୍ତି । ତାପରେ ଅନ୍ୟ ବ୍ୟକ୍ତିଙ୍କ ଶରୀର ଓ ଅବସ୍ଥିତି ତାଙ୍କ ପାଇଁ ଅସହ୍ୟ ହୋଇଉଠିଛି । ଅନ୍ୟ କୌଣସି ସମ୍ପର୍କ ପାଇଁ ତାଙ୍କର ଆଗ୍ରହ ଆଉ ନାହିଁ । ତେଣୁ ସେମାନେ ନିବେଦନ କରନ୍ତି- ‘ସମସ୍ତ ଦେବତା ଯେଉଁ ଲକ୍ଷ୍ମୀଙ୍କ କୃପାକଟାକ୍ଷ ପାଇଁ ପ୍ରଯତ୍ନଶୀଳ, ତୁମ ବକ୍ଷସ୍ଥଳର ଅପ୍ରତିଦ୍ୱନ୍ଦୀ ଅଧିକାରିଣୀ ସେହି ଲକ୍ଷ୍ମୀ ମଧ୍ୟ ଦେବୀ ତୁଳସୀଙ୍କ ସହିତ ଏକାଭଳି ବ୍ୟାକୁଳ ହୁଅନ୍ତି । ସେହିଭଳି (‘ତଦ୍‌ବତ୍') ଆମେ ମଧ୍ୟ ସେଥିନିମନ୍ତେ ଶରଣାଗତ (‘ପ୍ରପନ୍ନା’) । ସାଧାରଣ ଗୋପାଳୁଣୀ ହେଲେ ମଧ୍ୟ ସେମାନଙ୍କର ଆକାଙ୍କ୍ଷା ବୈକୁଣ୍ଠୀୟ । ଲକ୍ଷ୍ମୀ ଓ ତୁଳସୀଙ୍କ ସହିତ ତୁଳନୀୟ କୃପା ପାଇଁ ସେମାନେ ଆଗ୍ରହୀ (‘ତଦ୍‌ବତ୍’) । ସେହି କୃପାପ୍ରାର୍ଥନା ପ୍ରଣୟ ନିବେଦନରୁ ଉତ୍ତରିତ ହୋଇ ଏବେ ଦାସ୍ୟ ନିବେଦନ ଦିଗରେ ଗତି କରୁଛି । ଏଣୁ ଏଠାରେ ‘ଚରଣ’ ଶବ୍ଦଟି ବାରମ୍ୱାର ଉଚ୍ଚାରିତ ହୋଇଛି । ପରଶ୍ଳୋକ ଦୁଇଟିରେ ଏହି ଉଭୟ ଭାବ- ମଧୁର ଓ ଦାସ୍ୟ- ଏକୀଭୂତ ହୋଇଯାଏ । ଗୋପୀଆବେଗ ଅଧିକ ନିର୍ଦ୍ଦିଷ୍ଟ ଭାବେ ପ୍ରକାଶିତ ହୁଏ । ଉତ୍ତେଜନାର ଆବେଗ ବଢ଼େ ଏବଂ ସମର୍ପଣ ତୀବ୍ର ହୁଏ ।

 

‘ହେ ସମସ୍ତ ଚରଣଶରଣାଗତଙ୍କ ରକ୍ଷକ ! ପ୍ରସନ୍ନ ହୁଅ । ତୁମ ଉପାସନା କାମନାରେ ଆମେ ଗୃହସଂସାର ଛାଡ଼ି ଆସିଛୁ । ତୁମର ସୁନ୍ଦର ସ୍ମିତହାସ ଓ ମନୋହର ଚାହାଣିର ଦୃଶ୍ୟଜନିତ “ତୀବ୍ର କାମ” ଦ୍ଵାରା ତପ୍ତ ହୋଇ ଉଠିଥିବା ଆମକୁ, ହେ ପୁରୁଷଭୂଷଣ, ଦାସୀଭାବେ ସେବା କରିବାର ଅବସର ଦିଅ, ଦାସୀଭାବ ଦିଅ (‘‘କେହି ଦାସ୍ୟମ୍”) । ତୁମର ଅଳକାମଣ୍ଡିତ ମୁଖ, କୁଣ୍ଡଳଶ୍ରୀ ଗଣ୍ଡସ୍ଥଳ, ତୁମର ଅଧରାମୃତ, ତୁମର ହସ, ଅଭୟଦାନକାରୀ ଭୁଜଦ୍ୱୟ, ଲକ୍ଷ୍ମୀଙ୍କ ପ୍ରିୟ ତୁମ ବକ୍ଷଦେଶ, ଏ ସବୁ ଦେଖି ଆମେ ତୁମ ଦାସୀ ପାଲଟି ଯାଇଛୁଁ (“ଉବାମ ଦାସ୍ୟଃ’’) ।’ (୩୮-୩୯)

 

ଉପାସନା କାମନା ସ୍ଥାନରେ ଉତ୍ତପ୍ତ ତୀବ୍ରକାମର ବର୍ଣ୍ଣନା ଏବଂ ‘ଶରଣାଗତ ରକ୍ଷକ’ ବଦଳରେ ‘ପୁରୁଷଶ୍ରେଷ୍ଠ’ର ସମ୍ୱୋଧନ ତାତ୍ପର୍ଯ୍ୟପୂର୍ଣ୍ଣ । କୃଷ୍ଣଙ୍କ ମନୋହର ଶରୀରଶ୍ରୀ ଏବଂ ତାଙ୍କ ଶରଣାଗତ ଅଭୟଦାନକାରୀ ବ୍ୟକ୍ତିତ୍ୱ ଉଭୟ ଦ୍ୱାରା ଗୋପୀମନ ଆକର୍ଷିତ ଓ ଆବେଗିତ ହୋଇଛି-। ଯେଉଁ ଦାସ୍ୟ ନିବେଦନ ଏଠି ରହିଛି ତାହା ସ୍ପଷ୍ଟ ଭାବେ ପ୍ରେମଦାସ୍ୟ । ସେମାନେ ପ୍ରେମକିଙ୍କରୀ-। ପ୍ରଣୟଭାବର ଉତ୍ତେଜନାର କ୍ରମ ପରିଷ୍ଫୁଟନ ଏ ପ୍ରସଙ୍ଗରେ ବିଶେଷ ଲକ୍ଷ୍ୟଣୀୟ । ସେହି ଉତ୍ତେଜନା ଏବେ ଆହୁରି ଅଧିକ ପୁରୋବର୍ତ୍ତୀ ହୁଏ (୪୦)- ‘ଗାଈ, ପକ୍ଷୀ, ଗଛଲତା, ହରିଣ ପ୍ରଭୃତିଙ୍କୁ ପୁଲକିତ କରୁଥିବା ତୁମର ଏହି ବିବିଧମୂର୍ଚ୍ଛନାଯୁକ୍ତ ବଂଶୀଧ୍ୱନି ଶୁଣି ଏବଂ ତ୍ରିଲୋକକୁ ଉଦ୍ଭାସିତ କରୁଥିବା ତୁମର ଏହି ରୂପ ଦେଖିବ ତ୍ରିଲୋକରେ ଏଭଳି କେଉଁ ସ୍ତ୍ରୀ ଅଛି ଯେ ସମ୍ମୋହିତ ନ ହେବ ଏବଂ ନିଜ ‘‘ଆର୍ଯ୍ୟଚରିତ” (ମର୍ଯ୍ୟାଦା)ର ସୀମାକୁ ଉଲ୍ଲଂଘନ କରି ନ ଯିବ ?’ ସମଗ୍ର ବିଶ୍ଵକୁ ଯେ ଉନ୍ମାଦିତ କରି ଜୀବନର ସମସ୍ତ ସାଧାରଣ ସ୍ଥିତି ଓ ଆଚାରକୁ ବିସ୍ମୃତ କରିଦିଏ ତା ପ୍ରଭାବରେ ବିଶ୍ଵର କୌଣସି ସ୍ତ୍ରୀ ସାମାଜିକ ମର୍ଯ୍ୟାଦାର ବାଡ଼ ଭିତରେ ନିଜକୁ ସମ୍ଭାଳି ପାରିବ ନାହିଁ-। ‘ତ୍ରିଲୋକ’ ଶବ୍ଦଟିର ବାରମ୍ୱାର ବ୍ୟବହାର କ୍ରମେ ଗୋପୀମାନଙ୍କ କାମଭକ୍ତିର ଅଦମନୀୟତା ଓ ସେମାନଙ୍କ ‘ଆର୍ଯ୍ୟଚରିତ’ର ଅସହାୟତା ପ୍ରକାଶିତ ହୁଏ ।

 

ଏହି ପ୍ରାର୍ଥନାର ଶେଷ ଶ୍ଳୋକରେ ଏ ପର୍ଯ୍ୟନ୍ତ ଗଢ଼ି ଉଠିଥିବା ଭକ୍ତି ଓ ପ୍ରେମର ଯୁଗ୍ମଭାବ ଚୂଡ଼ାନ୍ତ ରୂପ ପାଏ । ଗୋପୀମାନେ ନିବେଦନ କରନ୍ତି- ‘ଆମେ ଜାଣୁଁ, ନାରାୟଣ ସୁରଲୋକର ରକ୍ଷା କଲାଭଳି ଏହି ବ୍ରଜମଣ୍ଡଳକୁ ଆତଙ୍କ ଓ ଆର୍ତ୍ତ ଅବସ୍ଥାରୁ ରକ୍ଷା କରିବା ନିମନ୍ତେ ଜନ୍ମ ନେଇଛନ୍ତି । ହେ ଆର୍ତ୍ତବନ୍ଧୁ । ଆପଣ ଆପଣଙ୍କ ପଦ୍ମହସ୍ତ ଆମ ଦାସୀଗଣଙ୍କ ଉତ୍ତପ୍ତ ସ୍ତନ ଉପରେ ଏବଂ ଶିରଦେଶରେ ସ୍ଥାପନ କରନ୍ତୁ ।’ ରକ୍ଷକଭାବେ ଶିରୋଦେଶରେ ଏବଂ ପ୍ରେମିକ ଭାବେ ବକ୍ଷଦେଶରେ କରସ୍ଥାପନର ଏହି ପ୍ରାର୍ଥନା ଗୋପୀମନର ଉତ୍ତରଣକୁ ସଂକ୍ଷେପରେ ମୂର୍ତ୍ତ କରିଦିଏ-। ଏ ଉଭୟ ଭାବ କୃଷ୍ଣଲୀଳାର ପ୍ରାରମ୍ଭରୁ ବିଭିନ୍ନ ରୂପରେ ସେମାନଙ୍କ ହୃଦୟରେ ବଳବତ୍ତର ରହିଆସିଛି । ଏଠି ତାହା ଆତୁର ଭାବେ ଉଚ୍ଚାରିତ । ପୁଣି ଲକ୍ଷ୍ୟ କରିବା କଥା, ସେମାନଙ୍କର ବିଶ୍ୱାସ ଯେ କୃଷ୍ଣଙ୍କ ଜନ୍ମ କେବଳ ତାଙ୍କରି ପାଇଁ- ସ୍ଵର୍ଗରକ୍ଷକ ନାରାୟଣ ବ୍ରଜମଣ୍ଡଳରେ ରକ୍ଷକ ଭାବେ ହିଁ କୃଷ୍ଣରୂପ ଗ୍ରହଣ କରିଛନ୍ତି । ତାଙ୍କ ପ୍ରଭୁ ଏବେ କେବଳ ତାଙ୍କର । ସେ ବିଶ୍ୱମୋହନ ନିଶ୍ଚୟ; କିନ୍ତୁ ଏବେ ନିର୍ଦ୍ଦିଷ୍ଟ ଭାବେ, ପ୍ରତ୍ୟକ୍ଷ ରୂପେ ସେ ବ୍ରଜମୋହନ । ଗୋପୀମାନଙ୍କ କାମାର୍ତ୍ତ ନିବେଦିତା ଭାବ ସେହି ସମଗ୍ର ବିଶ୍ଵର ଆର୍ତ୍ତବନ୍ଧୁଙ୍କ ପାଇଁ ଯେ ଏବେ ଗୋଟିଏ ନିର୍ଦ୍ଦିଷ୍ଟ ଶରୀର ଧରି ତାଙ୍କ ଆଗରେ ବିରାଜିତ । ଏହି କ୍ରମରେ ଶରୀର ଓ ଚେତନା ଉଭୟ ଗୋଟିଏ ଅସାମାନ୍ୟ ସ୍ତରରେ ସ୍ଥାନିତ । ଆତ୍ମନିବେଦନର ଏହି ନିଃସଙ୍କୋଚ ଆବେଗପୂର୍ଣ୍ଣ ପ୍ରକାଶ ପରେ ସେମାନେ ନୀରବ ହୋଇଯାନ୍ତି ।

 

ଗୋପୀଗଣ ଉତ୍ତୀର୍ଣ୍ଣ ହେଲେ । ଜ୍ଞାନ, ପ୍ରେମ ଓ ଭକ୍ତିର ସମ୍ମିଳିତ ନିବେଦନ ସରିଲା । ମଧୁରସ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଲା । ବାକ୍ୟାଳାପ ପାଇଁ ଏବେ ଆଉ ଅବସର ନାହିଁ । କେବଳ ଗୋଟିଏ ଶ୍ଳୋକରେ ଶ୍ରୀକୃଷ୍ଣଙ୍କ ବିଲକ୍ଷଣ ଭାବ ଓ କାର୍ଯ୍ୟକୁ ଘନବଦ୍ଧ ଭାବରେ ପ୍ରକାଶ କରି ଶୁକଦେବ କହନ୍ତି- ‘ଯୋଗେଶ୍ଵରେଶ୍ଵର ସେମାନଙ୍କ ଏହି ବ୍ୟାକୁଳ ଓ କାତରତାପୂର୍ଣ୍ଣ ବାଣୀ ଶୁଣି ନିଜେ ଆତ୍ମାରାମ ହୋଇସୁଦ୍ଧା ହସି ହସି ସଦୟ ଭାବରେ ଗୋପୀଙ୍କ ସହିତ ରମିଲେ ।’ ଯୋଗେଶ୍ୱରେଶ୍ଵର, ଆତ୍ମାରାମ ଶ୍ରୀକୃଷ୍ଣଙ୍କ ଅନ୍ତରର ସନ୍ତୁଳନ ଓ ସୌର୍ଯ୍ୟ ସୁରକ୍ଷିତ । ସେ କାମାର୍ତ୍ତ ନ ଥିଲେ, ଅଭିଳାଷପୂର୍ଣ୍ଣ ନ ଥିଲେ । ସେ ଥିଲେ ଆତ୍ମରତ, ଆତ୍ମସନ୍ତୁଷ୍ଟ । ପ୍ରଣୟ ବିନୋଦ ହେତୁ ନୁହେଁ, ଗୋପୀଙ୍କ ଭାବ ଦେଖି ସନ୍ତୋଷ ପ୍ରକାଶ କରି ଏବଂ ତାଙ୍କ ପ୍ରେମଭକ୍ତିର ଦୃଢ଼ତା ଦେଖି ପରିପୁଷ୍ଟ ମନରେ ସେ ହସିଲେ । ପ୍ରସାଦଭାବ ପ୍ରକଟିତ କଲେ । ‘ସଦୟ’ ହୋଇ ମଧୁରସ ସୃଷ୍ଟି କଲେ । ଆତ୍ମାରାମ ଅବସ୍ଥାରେ ରହି ସ୍ନେହଦାନ କରିବାକୁ ଆରମ୍ଭ କଲେ । ବିଚିତ୍ର ଏହି ପ୍ରେମ ଯେଉଁଠି ସ୍ୱାତନ୍ତ୍ର୍ୟ ଓ ପରାଗତ ଅବସ୍ଥା ଏକୀଭୂତ, ଯେଉଁଠି ପରମ ଆତ୍ମତୃପ୍ତି ସହିତ ଭାବବିନିମୟ ପାଇଁ ଆବଶ୍ୟକ ହେଉଥିବା ଅପର ପ୍ରତି ଆକର୍ଷଣ ଓ ପ୍ରତ୍ୟାଶାଭାବ ମଧ୍ୟ କ୍ରିୟାଶୀଳ । ପର ଶ୍ଳୋକର ବର୍ଣ୍ଣନାରୁ ମଧ୍ୟ ଏହା ସ୍ପଷ୍ଟ ହୁଏ ଯେ ସାଧାରଣ ସ୍ତରରେ ବୁଝାଯାଉଥିବା ‘ରମଣ’ ଠାରୁ ଅନେକ ଭିନ୍ନ ସେହି ବ୍ୟବହାର । କିନ୍ତୁ ସେହି ଶବ୍ଦର ସମସ୍ତ ଅସମର୍ଥତା ସତ୍ତ୍ୱେ ମଣିଷ ଜଗତରେ ଶରୀର ଓ ଭାବର ନିବିଡ଼ତା ବୁଝାଇବା ପାଇଁ ଏହି ଅଧ୍ୟାୟରେ ତାହା ବ୍ୟବହୃତ ହୋଇଛି । ସେହି ମିଳନ ଅବସ୍ଥା ବାସ୍ତବରେ ଅବର୍ଣ୍ଣନୀୟ ।

 

ଶୁକଦେବ କହନ୍ତି- ‘ପ୍ରିୟଙ୍କ ଦର୍ଶନରେ ଉତ୍‌ଫୁଲ୍ଲ ବନ୍ଦନା ଗୋପୀମାନଙ୍କ ସହ ‘ଉଦାର ଚେଷ୍ଟିତ’ (ଯାହା ନିଜକୁ ସବୁପ୍ରକାର ବନ୍ଧନମୁକ୍ତ କରି ଖୋଲାଖୋଲି ଭାବେ ପ୍ରଶସ୍ତ ପ୍ରେମଭାବ ପ୍ରକାଶ କରୁଥିବା ଅନ୍ତରଙ୍ଗ ବ୍ୟବହାରର ସୂଚକ) ‘ଅଚ୍ୟୁତ’ (ଯେ ସେହି ଅବସ୍ଥାରେ ମଧ୍ୟ ପୂର୍ଣ୍ଣ ଓ ସ୍ମଳନହୀନ) ଯାହାଙ୍କ ‘ଉଦାର ହାସ’ (ପ୍ରଶସ୍ତ, କରୁଣାପୂର୍ଣ୍ଣ, ଉନ୍ମୁକ୍ତ ହସ) ତାଙ୍କ ଉଜ୍ଜ୍ୱଳ କୁନ୍ଦଦନ୍ତପଂକ୍ତିକୁ ପ୍ରକାଶମାନ କରୁଥିଲା (ଯାହା ତାଙ୍କ ପ୍ରସନ୍ନ, ସନ୍ତୁଷ୍ଟ, ଆନନ୍ଦମୟ ‘ରମିବା’ ଅବସ୍ଥାର ସୂଚକ । ଗୋପାଙ୍କନାମାନଙ୍କ ଦ୍ୱାରା ବେଷ୍ଟିତ ହେଲେ ଯେପରି ତାରାଗଣ ମଧ୍ୟରେ ଚନ୍ଦ୍ରମା ।’ ଏହି ସଘନ ଚିତ୍ର ଏକସଙ୍ଗରେ ଉଭୟ କୃଷ୍ଣ ଓ ଗୋପୀମାନଙ୍କ ମଧୁରମୁଖିତା, ‘ମଧୁର’ ଦିଗକୁ ଢଳୁଥିବା ଅବସ୍ଥାକୁ ରୂପାୟିତ କରେ । ଏହି ପ୍ରସଙ୍ଗରେ ‘ଉଦାର’ ବିଶେଷଣ ପଦଟିର ଧ୍ୱନିଗର୍ଭିକତା ଲକ୍ଷ୍ୟଣୀୟ । ଶ୍ରୀକୃଷ୍ଣଙ୍କ ମଧୁରଭାବ ପ୍ରସାଦଯୁକ୍ତ । ତାହା ପ୍ରଶସ୍ତ ଏବଂ ଉଚ୍ଚାଂଗ । କାମୋତ୍ତେଜନାର ବ୍ୟସ୍ତତା ବା ସଂକୀର୍ଣ୍ଣତାର ସେଠି ଚିହ୍ନ ନାହିଁ । ସେହି ଅବସ୍ଥାରେ, ‘ସଙ୍ଗୀତମୁଖର ଶତଶତ ଗୋପୀଯୂଥର ପତି ସ୍ୱୟଂ ସଙ୍ଗୀତମୁଖର ହୋଇ ବୈଜୟନ୍ତୀ ମାଳାଧାରଣ କରି ବଣକୁ ଶୋରାନ୍ୱିତ କରି ବିଚରଣ କଲେ’ (୪୪) । ବିଜୟସୂଚକ ବୈଜୟନ୍ତୀ ମାଳା ତାଙ୍କ ମହାବିଭୂତିକୁ ପ୍ରତ୍ୟକ୍ଷ କରୁଥିଲା । ‘ଉଦ୍‌ଗୀୟମାନ’ ଓ ‘ଉଦ୍‌ଗାୟକ’ ଶବ୍ଦ ଦୁଇଟି ଏକ ସଙ୍ଗରେ କୃଷ୍ଣ ଓ ଗୋପୀଗଣ ପରସ୍ପରର ଆନନ୍ଦବର୍ଦ୍ଧନ କରୁଥିବା ଓ ସେମାନେ ସମଭାବାପନ୍ନ ହୋଇଉଠୁଥିବା ବିଷୟର ସଙ୍କେତ ଦିଅନ୍ତି । ଏଭଳି ଆହ୍ଲାଦିତ ଭାବରେ ସେମାନେ ବଣଭ୍ରମଣ କରି ପ୍ରେମାପ୍ଲୁତ ହୁଅନ୍ତି । ଏବଂ ତାପରେ ‘ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ତୁଷାର ବାଲୁକା ପରି ଉଜ୍ଜ୍ୱଳ ଯମୁନା ପୁଳିନକୁ ଅଧିକାର କରି (“ଆବିଶ୍ୟ”) ପୁଷ୍ପର ସୁଗନ୍ଧ ଓ ଯମୁନାର ଶୀତଳ ବାୟୁଭରା ସେହି ସ୍ଥାନରେ (‘‘ରେମେ”) ରମଣ କଲେ ।’

 

କେବଳ ଏତିକି କହି ଶୁକଦେବ ଏହି ପ୍ରସଙ୍ଗଟିକୁ ସାରିନାହାନ୍ତି । ଏହି ସମ୍ପର୍କ ଯେ ଶରୀର ସ୍ତରରେ ସଂପାଦିତ ହୋଇଥିଲା ତାହା ମଧ୍ୟ ସେ ବିଶଦ୍ ଭାବରେ ସ୍ପଷ୍ଟ କରିଦିଅନ୍ତି- ‘ହାତ ବଢ଼ାଇବା, ଆଲିଙ୍ଗନ କରିବା, ହାତ ଚିପିବା, କେଶ, ଜଘନ, ନୀବି, ସ୍ତନ ଆଦି ସ୍ପର୍ଶ କରିବା, ବିନୋଦ କରିବା, ନଖକ୍ଷତ କରିବା, ପ୍ରେମପୂର୍ଣ୍ଣ ଚକ୍ଷୁରେ ଦେଖିବା, ହସିବା ଇତ୍ୟାଦି କ୍ରିୟା ଦ୍ୱାରା ଗୋପୀଗଣଙ୍କୁ କାମୋତ୍ତେଜିତ କରି ‘ରତିପତି’ ତାଙ୍କୁ ରମିଲେ ଓ ଆନନ୍ଦିତ କଲେ ।’ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଆବେଗାନ୍ୱିତ, ହର୍ଷିତ କରିବା ଉଦ୍ଦେଶ୍ୟରେ ରତିସ୍ରଷ୍ଟା, ରତିପତି (ଯେ ତାହାର ପ୍ରଭୁ, ଦାସ ନୁହନ୍ତି) ବିଭିନ୍ନ ଶାରୀରିକ ଓ ମାନସିକ ପ୍ରକ୍ରିୟାର ସାହାଯ୍ୟ ନେଲେ । ଏଠି ସ୍ମରଣ ରଖିବା ଆବଶ୍ୟକ ଯେ, ସହସ୍ର ସହସ୍ର ଗୋପୀ ‘ଯୂଥ’ ସଙ୍ଗରେ ଦଶବର୍ଷର ବାଳକ ରୂପୀ ନାରାୟଣ କେବଳ ଗୋଟିଏ ଶରୀର ଧରି ନିଜର ଯୋଗମାୟା ପ୍ରଭାବରେ ସେ ସମସ୍ତଙ୍କୁ ଏକତ୍ର ମଧୁର ରସ ପାଇଁ ପ୍ରସ୍ତୁତ କରୁଥିଲେ । ଯେଉଁ ଶାରୀରିକ ନିବିଡ଼ତା ଓ ଉତ୍ତେଜନା ସେମାନେ କାମନା କରିଥିଲେ ତାହାକୁ ମାଧ୍ୟମ କରୁଥିଲେ ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ, ଗୋଟିଏ ନିର୍ଦ୍ଦିଷ୍ଟ ଅନୁଭୂତି ଆଣିବା ପାଇଁ । ସେହି ଉଦ୍ଦେଶ୍ୟ ଓ ଭାବର ପରିଚୟ ଠିକ୍ ପର ଶ୍ଳୋକରେ ନାଟକୀୟ ଭାବେ ମୂର୍ତ୍ତ ହୁଏ । ଗୋପୀମାନେ ଏଯାବତ୍ କାମଭାବରୁ ମଧୁର ଭାବକୁ ଉତ୍ତୀର୍ଣ୍ଣ ହୋଇନାହାନ୍ତି । ଫଳତଃ ସେମାନଙ୍କ ସଂକୀର୍ଣ୍ଣ ଆତ୍ମକୈନ୍ଦ୍ରିକତା ଓ ସହଜଗର୍ବ ହଠାତ୍ ଚାଲିଆସେ । ମଧୁର ଭାବର ସମସ୍ତ ପ୍ରସ୍ତୁତି ବିପର୍ଯ୍ୟସ୍ତ ହୋଇଯାଏ- 'ଏଭଳି “ମହାତ୍ମା” “ଭଗବାନ” କୃଷ୍ଣଙ୍କ ଦ୍ୱାରା ସମ୍ମାନିତ ହୋଇ ଗୋପୀଗଣ ନିଜକୁ ସଂସାରର ସମସ୍ତ ସ୍ତ୍ରୀଙ୍କ ମଧ୍ୟରେ ଶ୍ରେଷ୍ଠ ମଣିଲେ । କେଶବ ସେମାନଙ୍କ ସେହି ସୁଭଗମଦ (“ସୌଭାଗବଦଂ”) ଏବଂ ଗର୍ବ (“ମାନଂ”) ଦେଖି ନିଜ “ପ୍ରସାଦ”କୁ “ପ୍ରଶମିତ” କରି (“ପ୍ରଶମାୟା ପ୍ରସାଦାୟ”) ଅନ୍ତର୍ଦ୍ଧାନ ହୋଇଗଲେ (୪୮-୪୯)’ । ଅର୍ଥାତ୍ ଅଚ୍ୟୁତଙ୍କ ସ୍ୱାତନ୍ତ୍ର୍ୟ ସର୍ବଥା ସୁରକ୍ଷିତ ଥିଲା । ତାଙ୍କ ‘ରମଣ’ ଥିଲା ‘ପ୍ରସାଦ’ । ‘ସଦୟ’ ଭାବେ ସେ ତାହା ଦାନ କରୁଥିଲେ । ଗୋପାଙ୍ଗନାଗଣ ତାହା ପାଇ ‘ଅଚିନ୍ତ୍ୟ ଭେଦାଭେଦ’ ଆଡ଼କୁ ଅଗ୍ରସର ହେବା ପ୍ରତୀକ୍ଷିତ ଥିଲା । କିନ୍ତୁ ସେମାନେ ଫେରି ଆସିଲେ ତାଙ୍କ ସୀମିତ ସତ୍ତା ମଧ୍ୟକୁ । ଏଣୁ ପ୍ରସାଦ ପ୍ରଶମିତ ହେଲା । ଅସ୍ମିତାର ସମର୍ପଣ ପ୍ରସାଦକୁ ଉଦ୍ଦୀପିତ କରିଥିଲା । ମାନପୂର୍ଣ୍ଣ ଅସ୍ମିତା ଏବେ ବଢ଼ିଲା । ଏଣୁ ଯେଉଁ ଶରୀରକୁ ଧରି ସେମାନେ ପରିପୂର୍ଣ୍ଣତା ଅନୁଭବ କରୁଥିଲେ ସେହି ଶରୀର ଉଭେଇଗଲା । ଏଭଳି ପୂର୍ବର ଶାରୀରିକତା ଏବଂ ବର୍ତ୍ତମାନର ଅନ୍ତର୍ଦ୍ଧାନ ଉଭୟ ଗୂଢ଼ ତଥ୍ୟର ସୂଚକ ଅଟନ୍ତି ।

 

ରାସର ନାଟକୀୟ ଉତ୍ଥାନ-ପତନ ଏଠି ସରିଲା । ମହାରାସ ପାଇଁ ଆହୁରି ପ୍ରସ୍ତୁତି ବାକ୍ୟ ଅଛି । ‘ମହାତ୍ମା’ଙ୍କ ଦ୍ୱାରା ଯତ୍ନର ସହିତ ସେ ଦିଗରେ ଆବେଗାୟିତ କଲାବେଳେ ହଠାତ୍ ଇତର ଭାବ ଚାଲିଆସିଥିଲା । ସେହି ମାନ, ନିମ୍ନରୁଚିବୋଧ ଓ ଆତ୍ମକୈନ୍ଦ୍ରିକତାର ଅପନୋଦନ ଏବେ ଆବଶ୍ୟକ । ଆମେ ଏହି ପ୍ରସଙ୍ଗରେ ଏହା ବୁଝିବାକୁ ଚେଷ୍ଟା କରିବା ସେ ଯେ ସେମାନେ ମାନବତୀ ହେବା କାରଣରୁ ତାଙ୍କୁ ଗୋଟିଏ ଶାସ୍ତି ଦିଆଯାଇ ନାହିଁ । ଭଗବାନ ସେଠୁ ଉଭେଇଯିବା ଗୋପୀମାନଙ୍କୁ ଉପଯୁକ୍ତ ଭାବରେ ଶିକ୍ଷିକା କରିବା ପାଇଁ ଏକ କୌଶଳ, ସେମାନଙ୍କୁ ମହାରାସ ପାଇଁ ପ୍ରସ୍ତୁତ କରିବାର ଏକ ମାର୍ଗ । ତାହା ତାଙ୍କ କ୍ରୋଧର ପରିଚାୟକ ନୁହେଁ । ସେ ଗୋପୀମାନଙ୍କୁ ତିରସ୍କାର ମଧ୍ୟ କଲେ ନାହିଁ । କେବଳ ସେଠୁ ଉଭେଇଗଲେ । ଅବଶ୍ୟ ସେହି ରାସକାଳରେ କୃଷ୍ଣ ଏଭଳି ନିଜକୁ ଅପ୍ରତ୍ୟକ୍ଷ କରିଦେବାଠୁ ବଳି ଦଣ୍ଡ ଆଉ କିଛି ନାହିଁ । ଯେହେତୁ ଗୋପୀପ୍ରେମ ସୁଗଭୀର ଓ ଚରମ ଆବେଗପୂର୍ଣ୍ଣ ତେଣୁ ବିରହ-ଦଶାଠୁ ବଳି ତାଙ୍କ ପାଇଁ ଆଉ ଅଧିକ କଷ୍ଟ ନାହିଁ । ତାହା ମୃତ୍ୟୁକଷ୍ଟଠାରୁ ମଧ୍ୟ ଅଧିକ ଭୟଙ୍କର । କିନ୍ତୁ ସେମାନଙ୍କୁ କେବଳ ପୀଡ଼ା ଦେବା ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ ନୁହେଁ । ତାଙ୍କ ବାସ୍ତବ ଉଦ୍ଦେଶ୍ୟ ସେମାନଙ୍କୁ ଆହୁରି ନିକଟତର କରିବା । ନିଜକୁ ଲୁଚେଇଦେବା କ୍ରମରେ ସେ ଗୋପୀମାନଙ୍କୁ ସଚେତନ କରେଇବେ ଯେ ଯଦିଓ ଶରୀର ସ୍ତରରେ ଏ ଆତ୍ମୀୟତା ଲୀଳାୟିତ, ବାସ୍ତବରେ ଏହା ଏକ ଚେତନାର ସମ୍ୱଳ । ଆତ୍ମାର ଆବିଷ୍କାର ପାଇଁ ଶରୀର ଓ ମନକୁ ମାଧ୍ୟମ କରିବାର ଏକ ଅନନ୍ୟ ପ୍ରକ୍ରିୟା । ସାହିତ୍ୟିକ ସୃଷ୍ଟି କରୁଥିବା ଭାବାନୁଭୂତି ପାଇଁ ଶରୀର ଓ ବସ୍ତୁ ପ୍ରଭୃତି ଯେଭଳି ମାତ୍ର ଏକ ଭାବ-ମାଧ୍ୟମ ଓ ସେହି ଶରୀର ଓ ବସ୍ତୁସ୍ଥିତିରୁ ଉପରକୁ ନ ଉଠିଲେ ସେହି ରସବୋଧ ଯେପରି ସମ୍ଭବ ନୁହେଁ, ଏଠି ତାହାଠୁ ଆହୁରି ଅଧିକ ଗଭୀର ସ୍ତରରେ ଓ ଅଧିକ ସୂକ୍ଷ୍ମ ଭାବରେ ସଂପାଦିତ ଏହି ଶରୀରୋତ୍ତର ରସବୋଧ ପାଇଁ ଏକ ଉତ୍ତୀର୍ଣ୍ଣ ଚେତନା ଆବଶ୍ୟକ । ରାସକ୍ରୀଡ଼ା ସମସ୍ତ ଇନ୍ଦ୍ରିୟ, ହୃଦୟ ଓ ଚିତ୍ତକୁ ସ୍ପନ୍ଦିତ, ଆବେଗମଥିତ କରି ଆତ୍ମାନନ୍ଦ-ପରମାନନ୍ଦର ଏକ ଯୌଗିକ ଅନୁଭୂତି ଆଣିବାର କୌଶଳ-। ଗୋପୀ ମନରେ ଏହାର ଉପଯୁକ୍ତ ଅବବୋଧ ଆସେ ପର ଅଧ୍ୟାୟର ବିରହ ଦଶାରେ-

 

ତ୍ରିଂଶ ଅଧ୍ୟାୟରେ ବିରହ ରୂପାୟିତ । ଦୀର୍ଘକାଳ ଧରି ଗୋପୀମାନେ ଗୋଟିଏ ଧରଣର ବିରହବ୍ୟଥା ଅନୁଭବ କରିଥିଲେ । କିନ୍ତୁ ତାହା ମିଳନପୂର୍ବ ଉଚ୍ଚାଟନରେ ସୀମିତ ଥିଲା । ଏବେ ଯାଇ ସେମାନେ ବାସ୍ତବ ବିରହ କଷ୍ଟ ଭୋଗିଲେ । କାରଣ ଏହା ମିଳନ-ପର ବିୟୋଗ । କୃଷ୍ଣ ଅନ୍ତର୍ଦ୍ଧାନ ହେଲା କ୍ଷଣି ଗୋପାଙ୍ଗନାମାନଙ୍କର ହଠାତ୍ ଗୋଟିଏ ତୀବ୍ର ବେଦନାବୋଧ ସହିତ ଏକ ଉଚ୍ଚାଙ୍ଗ ଚେତନା ଜାଗ୍ରତ ହେଲା । ସେମାନଙ୍କ ମାନ, ଆତ୍ମପ୍ରସାଦ, ସଂକୀର୍ଣ୍ଣ ଅସ୍ମିତା ଉଭେଇଗଲା-। ସମଗ୍ର ବ୍ୟକ୍ତିକ୍ଷେତ୍ର ବିରହ ଜ୍ୱାଳାରେ ସନ୍ତପ୍ତ ହୋଇଉଠିଲା । ନିଜ ନିଜର ଶାରୀରିକ ଚେଷ୍ଟା ଓ ନିଜସ୍ୱ ଭାବ ଭୁଲିଗଲେ । ‘ଆକ୍ଷିପ୍ତଚିତ୍ତା’ ହୋଇ ସେମାନେ ଚେତନାରେ କୃଷ୍ଣମୟ ହୋଇଉଠିଲେ । କୃଷ୍ଣଙ୍କ ଲାଳୀ, ହାବଭାବ ଇତ୍ୟାଦି ଛଡ଼ା ତହିଁରେ ଆଉ କୌଣସି ଚିତ୍ର ବା ବିଚାର ପାଇଁ ସ୍ଥାନ ନଥିଲା । ସେମାନେ ସ୍ୱୟଂ କୃଷ୍ଣଙ୍କ ଲୀଳା ଅନୁକରଣ କଲେ । ଉନ୍ମାଦଗ୍ରସ୍ତ ଅବସ୍ଥାରେ କୃଷ୍ଣଚୈତନ୍ୟ ପାଲଟିଗଲେ । ମନେକଲେ ସେମାନେ ନିଜେ ଶ୍ରୀକୃଷ୍ଣ । ଏହି ଭାବ ତ ମହାରାସର ଶିଖର ଅବସ୍ଥା । ତାହାପରେ ଯେତେବେଳେ ଫେର୍ କିଛି ପରିମାଣରେ ଆତ୍ମସଚେତନ ହେଲେ ସେତେବେଳେ ମଧ୍ୟ ମନରେ ଥିଲା କେବଳ କୃଷ୍ଣ ଚିନ୍ତା । ବାତୁଳୀ ଭାବରେ ସେମାନେ ବଣସାରା କୃଷ୍ଣଙ୍କୁ ଖୋଜିବାକୁ ଲାଗିଲେ । ପରୋକ୍ଷରେ ଏହା ଏକ ତାଦାତ୍ମ୍ୟ ଅବସ୍ଥା । କେବଳ ସେହି ତାଦାତ୍ମ୍ୟ ସମ୍ପର୍କରେ ସେମାନେ ସଚେତନ ନ ଥିଲେ । ଏହି ଏକାତ୍ମକତା ହିଁ ବିରହ ସୃଷ୍ଟିର ଉଦ୍ଦେଶ୍ୟ । ଏହି ପ୍ରସଙ୍ଗରେ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଶୁକଦେବ ମୂଳରୁ କହିଦିଅନ୍ତି, ଶ୍ରୀକୃଷ୍ଣ ଉଭେଇଗଲେ ସୁଦ୍ଧା ସେଇଠି ଥିଲେ । ସେ ତ ସମସ୍ତ ଜଡ଼, ଚେତନ, ଆକାଶ, ସବୁଠି– ଗୋପୀଗଣଙ୍କ ଭିତରେ ଓ ବାହାରେ- ସର୍ବତ୍ର ପରିବ୍ୟାପ୍ତ ହୋଇ ରହିଥିଲେ । ଅଥଚ ତାଙ୍କୁ ଖୋଜିବାକୁ ଯାଇ ଉନ୍ମତ୍ତ, ବିକଳ ଗୋପାଙ୍ଗନା ତରୁଲତାଗୁଡ଼ିକୁ ତାଙ୍କ ବିଷୟରେ ପଚାରିଲେ । ଏହି ଅବସ୍ଥା କେବଳ ଗର୍ବ ଅପସାରଣରେ ସୀମିତ ନୁହେଁ । ଏହି ବାତୁଳୀ ଭାବ ମଧ୍ୟ ମଧୁର ।

 

ଏହି ସମଗ୍ର ପର୍ଯ୍ୟାୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କ ପରମ ଶିକ୍ଷକ, ଉପଦେଷ୍ଟା ଓ ଅନୁପ୍ରେରକ– ଖାଲି ପ୍ରେମିକ ନୁହନ୍ତି । ସେମାନଙ୍କ ସହିତ କୃଷ୍ଣଙ୍କ ସମ୍ପର୍କ ମୂଳରୁ ଶେଷ ପର୍ଯ୍ୟନ୍ତ ପ୍ରଚ୍ଛନ୍ନ ଅଥଚ ମୌଳିକ ଭାବେ ଶିଷ୍ୟା-ଗୁରୁ ସମ୍ପର୍କ । କୃଷ୍ଣ ହିଁ ତାଙ୍କ ଚେତନାକୁ ବିଭିନ୍ନ ଭାବେ ମାର୍ଜିତ, ଶାଣିତ ଓ ଉଦ୍ଦୀପ୍ତ କରିଛନ୍ତି । ସେହି ସମଗ୍ର ଗୋପଲୀଳାକୁ ଆମେ ଗୋଟିଏ ଅଧ୍ୟାତ୍ମ ଶିକ୍ଷାକ୍ରମ ଭାବେ ବୁଝିପାରିବା । ସେହି ଶିକ୍ଷାର ଚୂଡ଼ାନ୍ତ ଅବସ୍ଥାରେ ବିରହଦଶା ମାଧ୍ୟମରେ ଗୋପାଙ୍ଗନାଙ୍କର ଯେଉଁ ଚେତନା ସ୍ଫୁରଣ ହୁଏ ତାହାର ଉଦ୍ଦେଶ୍ୟ ହେଲା ମହାରାସର ପରମ ପବିତ୍ର ‘ମଧୁର’ ଅନୁଭବ ।

 

ବର୍ତ୍ତମାନ ଗୋପୀମାନେ ସେହି ବଣ ମଧ୍ୟରେ ଯେଉଁଠି କିଛି ସମୟ ପୂର୍ବରୁ ସେମାନେ ପରମ ଆହ୍ଲାଦରେ ‘ଯୂଥପତି’ଙ୍କ ସହିତ ଭ୍ରମଣ କରୁଥିଲେ ସେଠି ଅତ୍ୟନ୍ତ ବିକଳ, ବିହ୍ୱଳ ଭାବରେ ପରସ୍ପରକୁ ଏବଂ ବୃକ୍ଷ, ଧରିତ୍ରୀ, ହରିଣୀ, ଲତା ପ୍ରଭୃତିଙ୍କୁ ପଚାରି ବୁଲନ୍ତି ତାଙ୍କ ପ୍ରଭୁଙ୍କ ଠିକଣା । ସେମାନେ ସବୁଠାରେ କୃଷ୍ଣସ୍ପର୍ଶର ରୋମାଞ୍ଚ ଆବିଷ୍କାର କରନ୍ତି । କିନ୍ତୁ କୃଷ୍ଣଙ୍କୁ ଦେଖିପାରନ୍ତି ନାହିଁ । ବର୍ତ୍ତମାନ ତାଙ୍କ ଦୃଷ୍ଟି ପ୍ରଶସ୍ତ ହୁଏ । ଏବେ ସେମାନେ କୃଷ୍ଣଙ୍କୁ ଖାଲି ଗୋଟିଏ ସୁନ୍ଦର ବସ୍ତୁ ଓ ରୂପ ଭାବେ ଦେଖନ୍ତି ନାହିଁ । ସେ ତାଙ୍କ ପାଇଁ ଆଉ କେବଳ ବ୍ରଜସୁନ୍ଦର ନୁହନ୍ତି ଏବଂ ତାଙ୍କ ପ୍ରେମ-ଭକ୍ତି କେବଳ ଗୋଟିଏ ଶରୀରରେ ବାନ୍ଧିହୋଇ ରହେ ନାହିଁ । କୃଷ୍ଣଙ୍କୁ ଏବେ ସେମାନେ ଦେଖନ୍ତି, ଅବତାରୀ ଭାବେ- ବାମନ, ବରାହ ପ୍ରଭୃତି ବିଭିନ୍ନ ରୂପ ଓ ଚରିତ୍ର ଦେଇ ତାଙ୍କୁ ସ୍ମରଣ କରନ୍ତି । ଅଥଚ ଏ ସମସ୍ତ ବିବିଧତା ସ୍ମରଣ କଲାବେଳେ ତାଙ୍କ କୃଷ୍ଣପ୍ରାଣତା ଅକ୍ଷତ ରହେ । ଏହି କ୍ରମରେ ସେମାନଙ୍କ ଚେତନା ଅଧିକ ଋଦ୍ଧିମନ୍ତ ଓ ପ୍ରଶସ୍ତ ହୁଏ । ମାତ୍ର ବିରହ ବେଦନା ଉପଶମ ହୁଏ ନାହିଁ-। ତେଣୁ ଏକାତ୍ମକ ହେବା ନିମନ୍ତେ କୃଷ୍ଣଙ୍କ ବିଭିନ୍ନ ଲୀଳା ଅଭିନୟ କରନ୍ତି । କୃଷ୍ଣଚିତ୍ତ ହୋଇଯାଆନ୍ତି । ଚିନ୍ମୟ ହୋଇପଡ଼ନ୍ତି । କିନ୍ତୁ ଶରୀରଧାରୀ କୃଷ୍ଣ ପାଖରେ ନ ଥିବାରୁ ଫେର୍ ଅଭାବ ଅନୁଭବ କରନ୍ତି, ପ୍ରକୃତିସ୍ଥ ହୁଅନ୍ତି ଓ ତାଙ୍କୁ ପୁଣି ଖୋଜିବସନ୍ତି ।

 

ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନ ହେବାର ରହସ୍ୟ ସେମାନେ ବୁଝି ନଥିଲେ । ଏବେ ପୁଣି ସମ୍ପୂର୍ଣ୍ଣ ତଦ୍‌ଗତ ହେବା ପରେ ସେମାନେ ସେହି ଶିକ୍ଷାର ଅବସର ପାଆନ୍ତି । ଗୋଟିଏ ସ୍ଥାନରେ ସେମାନେ ବାଲି ଉପରେ କୃଷ୍ଣଙ୍କ ପାଦଚିହ୍ନ ଦେଖନ୍ତି । ସେହି ଚିହ୍ନ ଅନୁସରଣ କରି କିଛିବାଟ ଯିବା ପରେ ତା ସହିତ ଦେଖନ୍ତି କୌଣସି ଗୋଟିଏ ଗୋପୀର ପାଦଚିହ୍ନ । ସେମାନେ ନିଶ୍ଚିତ ଯେ କେହି ଜଣେ ‘ଆରାଧିକା’କୁ ସଂଗରେ ଧରି ଶ୍ରୀକୃଷ୍ଣ ବଣ ଭିତରକୁ ଯାଇଛନ୍ତି । ସେମାନେ ଈର୍ଷାନ୍ୱିତା ହୋଇପଡ଼ନ୍ତି ଏବଂ ଆହୁରି ଅଧୀର ଭାବେ ଆଗକୁ ଯାଆନ୍ତି । କିଛିସମୟ ପରେ ଦେଖନ୍ତି ଗୋପୀର ପାଦଚିହ୍ନ ଆଉ ନାହିଁ । ଅଥଚ କୃଷ୍ଣଙ୍କ ପାଦଚିହ୍ନ ଗଭୀର ହୋଇଯାଇଛି ଯେପରି ସେ କୌଣସି ଭାର ବୋହି ଚାଲିଛନ୍ତି । ପ୍ରଣୟମନା ନାରୀର କାମପ୍ରସଙ୍ଗରେ ଅନ୍ତର୍ଦୃଷ୍ଟି ଖୁବ୍ ତୀକ୍ଷ୍‌ଣ । ସେମାନେ ଠିକ୍ ଠଉରାନ୍ତି ଯେ, ଶ୍ରୀକୃଷ୍ଣ ସେଇ ଭାଗ୍ୟବତୀକୁ କାନ୍ଧରେ ଉଠାଇଛନ୍ତି । ଏହା ଅନୁମାନ କରି ପ୍ରଣୟବୋଧ ଓ ଈର୍ଷାନ୍ୱିତ ସ୍ଵରରେ ସେମାନେ କୃଷ୍ଣଙ୍କୁ ‘କାମୀ’ ବୋଲି କହନ୍ତି । ଆଗକୁ ଯାଇ ସେମାନେ ପୁଣି ଠଉରାନ୍ତି ଯେ, ଶ୍ରୀକୃଷ୍ଣ ପ୍ରେୟସୀକୁ କାନ୍ଧରୁ ଓହ୍ଲାଇ ଦେଇ ସେଠି ତା ପାଇଁ ପୁଷ୍ପଚୟନ କରିଥିଲେ ଏବଂ କହନ୍ତି, ଏଠି ‘କାମୀପୁରୁଷ ଭଳି’ ସେହି ଗୋପୀର କେଶ ସଜାଡ଼ିବା ପାଇଁ ସେ ତଳେ ବସିଥିଲେ । ଶୁଦ୍ଧ ପ୍ରେମର ପ୍ରତିବଦଳରେ ଶ୍ରୀକୃଷ୍ଣ ସ୍ୱୟଂ ସେବକ ପାଲଟିବାରେ କୁଣ୍ଠିତ ନୁହନ୍ତି । ଭକ୍ତ ପାଇଁ ବିଚିତ୍ର ଏ ଦାସ୍ୟଭାବ । କିନ୍ତୁ ଗୋପୀମାନେ ତାହା ନ ବୁଝି, ଈର୍ଷାପରାୟଣ ହୋଇ ତାଙ୍କୁ ‘କାମୀ’ ବୋଲି ଭାବନ୍ତି । ସେଇ ତ୍ରୁଟିପୂର୍ଣ୍ଣ ଅନ୍ୟାୟ ବିଚାର ବିରୁଦ୍ଧରେ ଶୁକଦେବଙ୍କ ଟିପ୍ପଣୀ ଶୁଭେ - ‘ସେ ଆତ୍ମରତ, ଆତ୍ମାରାମ ଏବଂ ଅଖଣ୍ଡ । କେବଳ କାମୀପୁରୁଷଙ୍କ ଦୈନ୍ୟ ଏବଂ ସ୍ତ୍ରୀମାନଙ୍କ “ଦୁରାତ୍ମତା” ଦେଖାଇବା ପାଇଁ ସେ ଏଭଳି ସେହି ଗୋପୀ ସହିତ ରମିଲେ (“ରେମେ” ଅର୍ଥାତ୍ ପ୍ରଣୟଲୀଳା ରଚିଲେ) ।’ ଏ ପ୍ରତିକ୍ରିୟା ‘କାମୀ’ ଶବ୍ଦ ବିରୁଦ୍ଧରେ-। ସେ ଆତ୍ମରତ ଓ ଆତ୍ମାରାମ ବା ଚେତନାରେ ଅପୂର୍ଣ୍ଣତା, ବା କାମନାର ସ୍ଥାନ ନାହିଁ । ଏଥିରୁ ସାଧାରଣ ଲୋକେ ଯାହା ଶିଖିବା କଥା ଶୁକଦେବ ତାହା ସୂଚାଇଛନ୍ତି । ଆମେ ମଧ୍ୟ ବୁଝୁଁ ଏହା ଲୀଳା ମାତ୍ର । ତେବେ “କାମୀ” ଲୀଳାର କ’ଣ ପ୍ରୟୋଜନ ଥିଲା ?

 

ଆମେ ବାରମ୍ୱାର ମନେ ପକାଉଛୁଁ ଯେ, ଏ ସମଗ୍ର ଲୀଳାର ଗୋଟିଏ ବିଶେଷ ଉଦ୍ଦେଶ୍ୟ ରହିଛି । ଗୋପୀମାନେ ତାଙ୍କୁ ଯେଉଁ ଭାବରେ ଭଜିବା ପାଇଁ କାମନା ଓ ସାଧନା କରିଥିଲେ ତାହା ପୂରଣ କରିବାକୁ ଯିବାବେଳେ ସେହି ବିଷୟ ପ୍ରତି ସେମାନଙ୍କର ଦୃଷ୍ଟିଭଂଗୀ ବଦଳେଇଦେବା, ମନୁଷ୍ୟର ଆବେଗ ଦିବ୍ୟ କରିବାର ବାଟ ଦେଖାଇବା ଓ ସେମାନଙ୍କୁ ମଧୁର ରସ ପାଇଁ ପ୍ରସ୍ତୁତ କରିବା ହେଉଛି ସେହି ଉଦ୍ଦେଶ୍ୟ । ବିହ୍ୱଳତା ଓ ଏକପ୍ରାଣତା ଉଭୟ ନଥିଲେ, ଚେତନା ଏକ ସଂଗରେ ମାର୍ଜିତ ଓ ପ୍ରଚଣ୍ଡ ଭାବେ ଆବେଗିତ, ଊର୍ଦ୍ଧ୍ୱଗ ନ ହେଲେ ମଧୁର-ପୁଷ୍ଟ ତାଦାତ୍ମ୍ୟ ସମ୍ଭବ ହେବ ନାହିଁ– ଗୋପୀକୃଷ୍ଣ ଏକ ହୋଇପାରିବେ ନାହିଁ । ସେହି ଭାବବିହ୍ୱଳତା କେବଳ କାମୋତ୍ତେଜନାର ବା ବ୍ୟକ୍ତିଗତ ସନ୍ତୋଷବୋଧ ଓ ପରିତୃପ୍ତିର ମାଧ୍ୟମ ହେବ ନାହିଁ । ପ୍ରଣୟ ଆବେଗକୁ ଚୂଡ଼ାନ୍ତ ସ୍ତରକୁ ଘେନି ନିଆଯିବ; ମାତ୍ର ତାହା କେବଳ ସମର୍ପଣର, ନିଜକୁ କୃଷ୍ଠାୟିତ କରି ଅହଂକୁ ନିଶ୍ଚିହ୍ନ କରିବାର ମାଧ୍ୟମ ହେବ– କ୍ଷଣିକ କାମତୃପ୍ତିର ଅସାରତାରେ ନଷ୍ଟ ହେବ ନାହିଁ-। ଗୋପୀମାନେ କୃଷ୍ଣଙ୍କୁ ‘କାମୀପୁରୁଷ’ ଭାବେ ଦେଖିଲେ କେବଳ ତାଙ୍କ ନିଜର ‘ଜାରବୁଦ୍ଧି’ ପ୍ରବଳ ହେବ । ରାସ ଅପବିତ୍ର ହେବ ଏବଂ ନିଷ୍ଫଳ ହେବ । ତାଙ୍କ ପାଦଚିହ୍ନ ଦେଖି ଗୋପୀମାନଙ୍କ ପ୍ରଥମ ପ୍ରତିକ୍ରିୟା କ’ଣ ହେବ କୃଷ୍ଣ ବେଶ୍ ଜାଣିଥିଲେ । କାରଣ ସେମାନଙ୍କର ମୁଁ ଭାବ ଯାଇ ନଥିଲା- ଯେଉଁ କାରଣରୁ ସେମାନଙ୍କ ପାଖରେ ସେ ନିଜକୁ ଅସ୍ପଶ୍ୟ କରିଦେଇଥିଲେ । ଏବେ ଯେଉଁ ନାଟକଟି ସେ ରଚିଛନ୍ତି ସେଥିରୁ ଗୋପୀମାନେ ଶିଖିବେ ଯେ, ଯାହାଙ୍କୁ ସେମାନେ ‘କାମ୍ୟ’ ବୋଲି ଭାବୁଛନ୍ତି ସେ କେତେ ନିର୍ଲିପ୍ତ, କେତେ ସ୍ୱୟଂଶାସିତ, କେତେ ଅଖଣ୍ଡ । ସେଇ ‘ଆରାଧିକା’କୁ ଯେତେବେଳେ ସେମାନେ ଭେଟନ୍ତି, ତାର ଶୋକାର୍ତ୍ତ ଅବସ୍ଥା ଓ ଅନ୍ତର୍ଦାହ ଦେଖନ୍ତି ଓ ତା’ଠାରୁ ଯେତେବେଳେ ଶୁଣନ୍ତି ଯେ, ପ୍ରେମକିଙ୍କର ହେବା ପାଇଁ ପ୍ରସ୍ତୁତ ଶ୍ରୀକୃଷ୍ଣ କିଭଳି ବାସ୍ତବରେ ନିଷ୍କାମ କିଭଳି ତାଙ୍କ ‘ପ୍ରାସାଦ’ ଲାଭ କରି ଅହଂପୁଷ୍ଟ ହୋଇ ତାଙ୍କଠି ଗର୍ବ ବା କୁଟିଳତା ପ୍ରକାଶ କଲେ ସେଇ ମୁହୂର୍ତ୍ତରେ ତାଙ୍କ କରୁଣାରୁ ବିଚ୍ୟୁତ ହେବାକୁ ପଡ଼େ, ସେତେବେଳେ ଯାଇ ସେମାନେ ‘ପରମବିସ୍ମୟ' ସହିତ ବୁଝିଲେ ତାଙ୍କ ବିରହ-ଦଶାର ପ୍ରକୃତ କାରଣ । ସେମାନେ ଜାଣିଲେ ଶରୀରଭାବ ରହିଥିଲେ କୃଷ୍ଣ ମିଳନ୍ତି ନାହିଁ । ରାସମିଳନ ପାଇଁ ଶରୀରବୋଧ, ଅହଂବୋଧ, ସ୍ଵାର୍ଥ ଓ ‘କାମୀ’ଭାବ ପରିତ୍ୟାଗ କରିବ ଏକାନ୍ତ ଆବଶ୍ୟକ ।

 

ଯେଉଁ ଶିକ୍ଷା ଉଦ୍ଦେଶ୍ୟରେ ଏ ନାଟକୀୟ ଲୀଳା ରହିଥିଲା ତାହା ଫଳପ୍ରସୂ ହେଲା । ଗୋପୀମାନେ ଏବେ କୃଷ୍ଣପ୍ରାପ୍ତିର ଧାରାଟି ଠିକ୍ ବୁଝିଲେ । ଏବଂ କୃଷ୍ଣଙ୍କୁ ଖୋଜିଚାଲିଲେ ସେଇ ଜ୍ୟୋସ୍ନା ଆଲୋକିତ କ୍ଷେତ୍ରସାରା । ଯେତେବେଳେ ତାଙ୍କୁ ପାଇଲେ ନାହିଁ, ସେମାନେ ନିଶ୍ଚିତ ହେଲେ ଯେ କୃଷ୍ଣ ବଣର ଗଭୀର ଅନ୍ଧକାର ମଧ୍ୟରେ କେଉଁଠି ଲୁଚିଛନ୍ତି । ସେମାନେ ଯମୁନା ପୁଳିନକୁ ଫେରିଆସିଲେ । ଏବଂ ଭାବବିଧୁର ଅବସ୍ଥାରେ ‘ନିଜକୁ ମଧ୍ୟ ଭୁଲିଗଲେ’ । ‘ତନ୍ମନସ୍କ’ ହୋଇଗଲେ । ତାଙ୍କ ବାଣୀ କୃଷ୍ଣମୟ ହେଲା । ଶରୀର ଓ ମନର ସମସ୍ତ ଚେଷ୍ଟା କୃଷ୍ଣାର୍ପିତ ହେଲା-। ସେମାନେ ଏଭଳି ଚିନ୍ମୟଚିତ୍ତ ଅବସ୍ଥାରେ କୃଷ୍ଣଙ୍କ ଲୀଳାମାନ କରିଚାଲିଲେ ଏବଂ ତାଦାତ୍ମ୍ୟ ଭାବରେ ସ୍ଥିତ ହେଲେ । ଗୋଟିଏ ମାତ୍ର ଶ୍ଳୋକ (୪୪)ରେ ଏଭଳି ଭାବେ ବର୍ଣ୍ଣିତ ଗୋପାଙ୍ଗନାଙ୍କର ପରିପୂର୍ଣ୍ଣ ନିବେଦନ ଓ କୃଷ୍ଣପ୍ରାଣତା ସେମାନଙ୍କ ଭାବପ୍ରଗତିର ସୂଚନାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ମୂର୍ତ୍ତି କରେ । ପରଶ୍ଳୋକ (ଯହିଁରେ ଏହି ଅଧ୍ୟାୟର ସମାପ୍ତି ଘଟେ)ରେ ଆମେ ଦେଖୁଁ ‘କୃଷ୍ଣଭାବନା’ରେ ନିମଜ୍ଜିତ ଯମୁନାକୂଳରେ ‘ସମବେଶ’ (ଅର୍ଥାତ୍ ବ୍ରଜକାଳର ନିଃସ୍ୱାର୍ଥ ମାନସିକତା ନେଇ, ଗୋଷ୍ଠୀ ଭାବେ) ଗୋପୀ କୃଷ୍ଣଙ୍କ ଗୁଣଗାନ କରି ତାଙ୍କୁ ପ୍ରତୀକ୍ଷା କରି ରହିଲେ-। ଏବେ ସେମାନଙ୍କ ଈର୍ଷା, କ୍ରୋଧ, ମାନ, ସବୁକିଛି ବିରଚିତ । ‘ନିଜ’ ଭାବରୁ ତାଙ୍କ ଚେତନା ଏବେ ଉତ୍ତୀର୍ଣ୍ଣ । ଏହି ସଂପନ୍ନ, ଶୁଦ୍ଧ, ନିବେଦିତ ଭାବର ପରିପକ୍ଵତା ଓ ପରିପୂର୍ଣ୍ଣତା ପାଇଁ ପର ଅଧ୍ୟାୟଟି ସଂଯୋଜିତ ହୋଇଛି । ଗୋଟିଏ ନୂଆଭାବ ଓ ଗୋପୀଚେତନାର ନୂତନ ପର୍ଯ୍ୟାୟଟିଏ ଉନ୍ମୁକ୍ତ କରିବାର ଉଦ୍ଦେଶ୍ୟ ନ ଥିଲେ ଗୋଟିଏ ସ୍ୱତନ୍ତ୍ର ଅଧ୍ୟାୟ ଯୋଗ କରିବା ଆବଶ୍ୟକ ହୋଇ ନଥାନ୍ତା । ଏହି (ଏକତ୍ରିଂଶ) ଅଧ୍ୟାୟରେ ଗୋପୀଭାବର ନୂଆ ସ୍ତରଟିଏ ଉନ୍ମୋଚିତ ହେବ ।

 

ଏହି ‘ଗୋପିକାଗୀତ’ ଆରମ୍ଭରେ ଗୋପୀମାନେ ଆତୁର ନିବେଦନ କରି କହନ୍ତି, ଯେଉଁ ବ୍ରଜବିହାରୀଙ୍କ ପାଇଁ ଲକ୍ଷ୍ମୀ ବୈକୁଣ୍ଠ ଛାଡ଼ି ଆସିଛନ୍ତି ତାଙ୍କ ଚରଣରେ ସମର୍ପିତ ସେମାନଙ୍କ ଉପସ୍ଥିତ ଦଶା ସେ ଦେଖନ୍ତୁ । ପ୍ରଣୟଭକ୍ତି ଓ ଚମତତ୍କାର କାବ୍ୟିକତାରେ ସମୃଦ୍ଧ ଗୋଟିଏ ପଦରେ ସେମାନେ କହନ୍ତି, ‘ଶରତକାଳୀନ ଜଳାଶୟର ମନୋହର ପଦ୍ମକର୍ଣ୍ଣିକା ଭଳି ସୁନ୍ଦର (ଅର୍ଥାତ୍, ବିଶୁଦ୍ଧ, ବିମଳ ସମ୍ମୋହକ) ଦାସୀଗଣଙ୍କୁ ଆହତ କରିଛି – ବିନା ଅସ୍ତ୍ରରେ ମଧ୍ୟ ବଧ କରାଯାଏ ନାହିଁ କି ?’ ଏହାପରେ ଶ୍ରୀକୃଷ୍ଣ ବ୍ରଜକୁ ରକ୍ଷା କରିଥିବା ବିଭିନ୍ନ ବିପତ୍ତିର ଉଲ୍ଲେଖ କରି ସେମାନେ ଜଣାନ୍ତି- ‘ଆପଣ ଯଶୋଦାସୁତ ନୁହନ୍ତି । ଆପଣ ସମସ୍ତ ଶରୀରଧାରୀଙ୍କ ସାକ୍ଷୀ ଅନ୍ତରାତ୍ମା । ହେ ସଖା ! ବିଶ୍ୱର ରକ୍ଷା ନିମନ୍ତେ ବ୍ରହ୍ମାଙ୍କ ନିବେଦନ କ୍ରମେ ଆପଣ ଯଦୁବଂଶରେ ଜନ୍ମଗ୍ରହଣ କରିଛନ୍ତି-।’ ଏଠି ସମ୍ମାନସୂଚକ ସମ୍ବୋଧନ ସହିତ ‘ସଖା’ ଶବ୍ଦର ସଂଯୋଗ ସେମାନଙ୍କ ମାନସିକତାକୁ ସ୍ପଷ୍ଟ କରେ । ପ୍ରଣୟାବେଗର ମୁହୂର୍ତ୍ତରେ ମଧ୍ୟ ସେମାନେ ଆଉ ଭୁଲିବେ ନାହିଁ ଯେ, ତାଙ୍କ ପ୍ରଣୟୀ ବନ୍ଧୁ ଶ୍ରୀକୃଷ୍ଣ ବାସ୍ତବରେ ସର୍ବାନ୍ତର ଅଧିବାସୀ । ଏହି ସୂତ୍ରରେ ହିଁ ତାଙ୍କ କାମଭାବ ମଧୁର ଭାବରେ ପରିଣତ ହେବ । ସେମାନେ ପୁଣି ପ୍ରାର୍ଥନା କରନ୍ତି ଯେ, ସଂସାର ଚକ୍ରରୁ ରକ୍ଷା ପାଇବା ପାଇଁ ଯାହାଙ୍କ ଚରଣକୁ ଆଶ୍ରା କରାଯାଏ, ସେ ହିଁ ସକଳ କାମନାର ପୂରକ । ସେ ତାଙ୍କ ବରଦହସ୍ତ ସୋମନଙ୍କ ଶିର ଉପରେ ସ୍ଥାପନ କରନ୍ତୁ । ସେମାନଙ୍କ ସୁସଂସ୍କୃତ, ପରିଣତ ଭାବର ପ୍ରମାଣ ପୁଣି ପର ଶ୍ଳୋକରେ ଆସେ (୬) । ଶ୍ରୀକୃଷ୍ଣଙ୍କୁ ‘ବ୍ରଜଜନକ୍ଳେଶହର', ‘ବୀର’ ଭାବେ ସମ୍ବୋଧନ କରି ସେମାନେ କହନ୍ତି- ‘ତୁମ ନିଜ ଜନଙ୍କ ଅହଂ ତୁମ ସ୍ମିତ ହସରେ ଧ୍ୱଂସ ପାଇଯାଏ । ଆମେ ତୁମର ଦାସୀ । ହେ ସଖା, ଆମକୁ ପ୍ରେମ କର (‘ଭଜ’) । ତୁମର ସୁନ୍ଦର ପଦ୍ମମୁଖ ଆମକୁ ଦେଖାଅ ।’

 

ସମସ୍ତ ମାନ, ଗର୍ବ, ତ୍ୟାଗ କରିବାର ଆବଶ୍ୟକତା ସେମାନେ ବୁଝିସାରିଛନ୍ତି । ଏବଂ ସେମାନେ ଏବେ ବୁଝିଛନ୍ତି କୃଷ୍ଣଙ୍କ ସ୍ମିତ ହସର ଅର୍ଥ । ସେ ହସ ପ୍ରଲୋଭନ, ଆକର୍ଷଣ ବା ଉତ୍ତେଜନାର ସାମଗ୍ରୀ ନୁହେଁ । ସେହି ହସର ମାଦକତା ତାଙ୍କ ନିଜଜନ (ଭକ୍ତ) ମାନଙ୍କୁ ସେମାନଙ୍କ ଅହଂରୁ ଦୂରେଇ ନିଏ, ସେମାନଙ୍କୁ ନିବେଦିତ କରେ । ଏବେ ସେମାନଙ୍କ ଅହଂ ଦୂରୀଭୂତ ହୋଇଯିବ; ସେମାନେ ନିରହଂକାର କୃଷ୍ଣପ୍ରେମ ପାଇଁ ପ୍ରାର୍ଥିନୀ । ଏହି ନିବେଦନରେ ବିବେକବୁଦ୍ଧି, ଅନ୍ତରଙ୍ଗତା ଓ ସମ୍ମାନବୋଧ ଏକୀଭୂତ । ପର ଶ୍ଳୋକରେ ସେହି ଗୁଣ ଆହୁରି ସ୍ପଷ୍ଟ । ପ୍ରେମରେ ଆତିଶଯ୍ୟ ରହିଛି । କାମବାସନାର ଉତ୍ତେଜନା ରହିଛି । ଏବଂ ତା ସହିତ ରହିଛି ମର୍ଯ୍ୟାଦାବୋଧ ଓ ବିନମ୍ରତା- ‘ପ୍ରଣତଧାରୀଙ୍କ ପାପବିନାଶକ । ଲକ୍ଷ୍ମୀବିନାସ, ବତ୍ସା-ଅନୁଗତ, ନାଗର ଫଣା ଉପରେ ସ୍ଥାପିତ ଆପଣଙ୍କ ପାଦପଦ୍ମ ଆମ ବକ୍ଷସ୍ଥଳରେ ସ୍ଥାପନ କରି ଆମ ହୃଦୟର ଜ୍ଵାଳା ଶାନ୍ତ କରନ୍ତୁ ।’ ଯେଉଁ ପାଦପଦ୍ମ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କୁ ଆକର୍ଷିତ କରିଛି, ତାହାର ବିଭିନ୍ନ ପରିସରରେ ବିଭିନ୍ନ ଭୂମିକା ଓ ମହିମା ସମ୍ପର୍କରେ ଏବେ ସେମାନେ ପ୍ରତି ମୁହୂର୍ତ୍ତରେ ସଚେତନ । ସେହି ପାଦପଦ୍ମ ପାଇଁ ଅନ୍ୟ ଅନୁଗତଙ୍କ ତୁଳନାରେ ସେମାନଙ୍କ ନିଜର ସ୍ଵତନ୍ତ୍ର ଧରଣର କାମନା ପ୍ରକାଶ କରି ସେଭଳି ବିଶେଷ କରୁଣା ପାଇଁ ଏଠି ସେମାନେ ନିବେଦନ ଜଣାନ୍ତି । ସନ୍ତୁଳିତ ଭାବ ଓ ସ୍ଵରରେ ସେମାନେ ପୁଣି କହନ୍ତି ଯେଉଁ ମଧୁର ବାଣୀ ଜ୍ଞାନୀଜନଙ୍କର ଏତେ ପ୍ରିୟ, ସେହି ବାଣୀରେ ସେମାନେ ମୋହିତା । ତାଙ୍କ ଅଧରସୁଧା ଦାନ କରି ସେମାନଙ୍କୁ ଜୀବନଦାନ କରିବା ପାଇଁ ସେମାନେ ବିନୟ କରି କହନ୍ତି ଏବଂ ପୁଣି ଜଣାନ୍ତି- ‘ଆପଣଙ୍କ ଲୀଳାକଥାମୃତ ସନ୍ତପ୍ତ ଜୀବନର ଜୀବନ, ପାପନାଶକ, ଶ୍ରବଣମଙ୍ଗଳକର, ପରମ ସୁନ୍ଦର ଓ ପ୍ରଶସ୍ତ । ଯେ ତାହା ଗାନ କରନ୍ତି ସେ ହିଁ ଏ ସଂସାରର ସବୁଠାରୁ ଶ୍ରେଷ୍ଠ ଦାତା ।’ ଚାଟୁବାଣୀ ବା ପ୍ରେମ ସମ୍ଭାଷଣ ସ୍ତରରେ ଏହି ଗୋପୀମନ ଆବଦ୍ଧ ନୁହେ । କୃଷ୍ଣପ୍ରେମରେ ଉଦ୍‌ବୁଦ୍ଧ ବାଣୀର ମହିମା ସେମାନେ ଠିକ୍ ଜାଣନ୍ତି । ତେଣୁ ସେମାନେ କୃଷ୍ଣଲୀଳା ଗାନ କରି ଚାଲନ୍ତି । ତାପରେ ଅତ୍ୟନ୍ତ ସ୍ନେହାର୍ଦ୍ର ସ୍ଵରରେ ସେମାନେ ଜଣାନ୍ତି- ‘ଦିନ ଥିଲା, ତୁମର ପ୍ରିୟ ହସ, ପ୍ରେମଚାହାଣି, ଏବଂ ବିବିଧ ବିହାର ଆମକୁ ମଙ୍ଗଳମୟ ଧ୍ୟାନରେ ନିମଗ୍ନ ରଖୁଥଲା । ତାପରେ ତୁମେ ପାଖକୁ ଆସିଲ । ମର୍ମସ୍ପର୍ଶୀ ବିନୋଦଭରା ବାକ୍ୟ କହିଲ । ହେ କୁହକ (ଯେ ରହସ୍ୟମୟ ଭାବ ତିଆରେ, ଏବଂ ଯେ ଠକେ), ସେହି ବିଷୟ ଏବେ ଆମ ମନକୁ କ୍ଷୁବ୍ଧ କରୁଛି ।’ ଏସବୁଯାକ ଶ୍ରୀକୃଷ୍ଣଙ୍କ କରାମତି । ପୂର୍ବରୁ ଗୋପୀ ମଧ୍ୟ ସନ୍ତୁଷ୍ଟ ଚିତ୍ତ ଥିଲେ, ଧ୍ୟାନରେ ତାଙ୍କ ସହିତ ଏକାତ୍ମ ହେଉଥିଲେ । କୃଷ୍ଣ ନିଜେ ସେମାନଙ୍କୁ ତାଙ୍କର ଅଧିକ ନିକଟକୁ ଆସିବା ପାଇଁ, ଅଧିକ ନିବିଡ଼ ସମ୍ପର୍କ ଓ ଭାବ ପାଇଁ ପ୍ରରୋଚିତ ଓ ଆବେଗାନ୍ୱିତ କରିଛନ୍ତି-। ଏଣୁ ତାଙ୍କ ଅଭିଯୋଗ, ତାଙ୍କର ଉପସ୍ଥିତ କ୍ଳେଶର କାରଣ ସ୍ୱୟଂ ଶ୍ରୀକୃଷ୍ଣ । ଅତଏବ ନିନାଦର ଦାୟିତ୍ୱ ତାଙ୍କରି ।

 

ଅଧ୍ୟାୟର ପର ଅଂଶରେ ମୁଖ୍ୟତଃ ଏହି ଭାବ ବସ୍ତୁର ପ୍ରଶସ୍ତ ଓ ମାର୍ମିକ ରୂପାୟନ ରହିଛି-। ସ୍ମୃତିଚାରଣ, ପ୍ରଣୟାବେଗର ଘନୀକରଣ, ଏବଂ କୃଷ୍ଣସଙ୍ଗ ପାଇଁ ବ୍ୟାକୁଳ ଭାବ ଅଧିକ ହୋଇଛି-। ପ୍ରଣୟ କୋପରେ ସେମାନେ କୃଷ୍ଣଙ୍କୁ ଶଠ (‘କିତବ’) ବୋଲି କହି ଅଭିଯୋଗ କରନ୍ତି ଯେ, ତାଙ୍କ ପରି ସ୍ତ୍ରୀମାନଙ୍କୁ ସେଭଳି ରାତିରେ ପାଖକୁ ନେଇଆସି ଅନ୍ୟ କେହି ହଠାତ୍ ତ୍ୟାଗ କରି ଚାଲିଯାଇ ନ ଥାନ୍ତା । (ପରୋକ୍ଷରେ କୃଷ୍ଣଙ୍କ ସଂଯମ ଓ ଦୃଢ଼ତା ଅଭିନନ୍ଦିତ) । ଶେଷ ଦୁଇଟି ଶ୍ଳୋକରେ ଭାବର ଏକ ଚମତ୍କାର ନୂଆ ପରିଣତି ଆସେ । ପ୍ରଥମେ ସେମାନେ କହନ୍ତି, କୃଷ୍ଣଙ୍କ ଏହି ଲୀଳା ବ୍ରଜବାସୀଙ୍କ ସମସ୍ତ ଦୁଃଖ-ତାପନାଶକ ଏବଂ ତାହା ମଧ୍ୟ ବିଶ୍ଵମଙ୍ଗଳକର ଓ ପ୍ରାର୍ଥନା କରନ୍ତି- - ‘ଆମେ ତୁମର ସ୍ୱଜନ । ତୁମ ପ୍ରତି ଆମ କାମନା ଏବେ ତୀବ୍ର । ଆମ ହୃଦୟ ରୋଗକୁ ନିର୍ମୂଳ କରିଦିଅ ।’ ଏଥିରେ ଚେତନାର ବିରେଚନ ମଧ୍ୟ ସାଂକେତିକ ଭାବେ ସୂଚିତ । ଆହୁରି ମଧ୍ୟ ନିଜ ଆତ୍ମାର ପରିତୃପ୍ତି କାମନା କଲାବେଳେ ଏ ଲୀଳାର ବିଶ୍ୱମଙ୍ଗଳକାରୀ ଓ ବ୍ରଜକଲ୍ୟାଣକାରୀ ଦିଗ ପ୍ରତି ମଧ୍ୟ ସେମାନେ ସଚେତନ । ଏବେ ସେମାନେ ବୁଝନ୍ତି ଏ ଲୀଳା କେବଳ ତାଙ୍କ ସନ୍ତୋଷ ପାଇଁ ହୋଇ ନାହିଁ । ସେମାନେ ନିମିତ୍ତ । ତାର ସୁଫଳ ସମଗ୍ର ବିଶ୍ଵର । ଶେଷ ଶ୍ଳୋକରେ ପୁଣି ସେମାନଙ୍କର ବିଳାପ ଗୋଟିଏ ପୁରାପୁରି ନୂଆ ଉପାଦାନ ନେଇ ଆସେ । ଏ ବିଳାପ ସେମାନଙ୍କ ନିଜ ପାଇଁ ନୁହେଁ, କୃଷ୍ଣଙ୍କ ପାଇଁ । ନିଜ ବିରହ ଦୁଃଖର ଦଂଶନ ଭୁଲିଯାଇ ବର୍ତ୍ତମାନ ସେମାନେ ତାଙ୍କ ସଖାଙ୍କ ଅବସ୍ଥା ଚିନ୍ତାକରି ଉଦ୍‌ବିଗ୍ନ ହୋଇପଡ଼ନ୍ତି । କୃଷ୍ଣଙ୍କ ପଦ୍ମଠାରୁ ଅଧିକ କୋମଳ ପାଦ ଯାହାକୁ କାଳେ କଷ୍ଟ ହେବ ଭାବି ସେମାନେ ନିଜ କଠିଣ ସ୍ତନ ଉପରେ ଖୁବ୍ ଧୀରେ ସ୍ଥାପନ କରୁଥିଲେ ତାହା ଏବେ ବଣର ପଥ ଓ କଣ୍ଟାରେ ଆଘାତ ପାଇଥିବ ବୋଲି ଚିନ୍ତା କରି ଅତ୍ୟ ଅସହାୟ ଅନୁଭବ କରି ସେମାନେ ଶୋକାର୍ତ୍ତ ହୋଇପଡ଼ନ୍ତି । ନିଜ ଉପରେ କର୍ତ୍ତୃତ୍ୱ ରହେ ନାହିଁ । ମୁଣ୍ଡ ଘୁରିଯାଏ । ସେମାନେ ପ୍ରାୟ ଅଚେତ ହେବା ଭଳି ଅବସ୍ଥାରେ ବିକଳ ସ୍ଵରରେ କେବଳ କହନ୍ତି- ‘ହେ କୃଷ୍ଣ, ଆମେ ତୁମରି’ । ଏବେ ଆଉ ନାରାୟଣ ଭାବରେ ବା ଶଠ ଭାବରେ ସେମାନେ ପ୍ରାର୍ଥନା ବା ଅଭିଯୋଗ କରିବା ଅବସ୍ଥାରେ ନାହାନ୍ତି । କେବଳ ପ୍ରେମର ଆତିଶଯ୍ୟ ଓ ଶୋକବିହ୍ୱଳତା ରହିଛି । ଏବଂ ସେହି ଅବସ୍ଥାରେ ସେମାନେ କେବଳ ନିଃସର୍ତ୍ତ, ସରଳ, ସମ୍ପୂର୍ଣ୍ଣ ଆତ୍ମସର୍ମପଣ କରନ୍ତି । ଏ ଆତ୍ମନିବେଦନ ପରେ ଆଉ କିଛି କହିବା ବା କରିବାର ଅବସର ନାହିଁ । ମହାରାସ ପାଖ ହେଲା ।

 

ଏହାପରେ ଶୋକାର୍ତ୍ତ ଗୋପୀଗଣ ଭିନ୍ନ ଭିନ୍ନ ଭାବରେ ‘ଗାନ କଲେ ଓ ପ୍ରଳାପ କଲେ’ ଏବଂ ଉଚ୍ଚ ସ୍ୱରରେ ବିଳାପ କଲେ । ସେମାନେ ଏଭଳି ନିଜ ଭାବରୁ ଊର୍ଦ୍ଧ୍ୱକୁ ଉଠି ତଦ୍‌ଗତ, ଅଭିଭୂତ, ସମର୍ପିତ ହେବା କ୍ଷଣି କୃଷ୍ଣଙ୍କୁ ତାଙ୍କ ଗହଣରେ ଆବିଷ୍କାର କଲେ । ଦେଖିଲେ, ସେ ଅପରୂପ ‘ସାକ୍ଷାତ୍ ମନ୍ମଥ ମନ୍ମଥଃ’ (ସ୍ଵୟଂ ମଦନକୁ ମଧ୍ୟ ମନ୍ଥିଦେବା ଭଳି) । ଯେଭଳି ହଠାତ୍ ତାଙ୍କର ଅନ୍ତର୍ଦ୍ଧାନ ହୋଇଥିଲା ସେଭଳି ତାଙ୍କ ଆବିର୍ଭାବ ମଧ୍ୟ ହଠାତ୍, ଅପ୍ରତ୍ୟାଶିତ ଭାବେ ସଂଘଟିତ ହେଲା । ବାସ୍ତବରେ ସେ ସବୁବେଳେ ରହିଥିଲେ । ତାଙ୍କୁ ଦେଖିବା ଓ ନ ଦେଖିପାରିବା କ୍ରିୟା ଦ୍ରଷ୍ଟା ଚେତନା ଉପରେ ନିର୍ଭରଶୀଳ । ଏବେ ତାଙ୍କୁ ଦେଖିଲା କ୍ଷଣି ଗୋପୀମାନେ ନିଜ ମଧ୍ୟରେ ‘ପ୍ରାଣସଂଚାର ହେଲା ଭଳି ଅନୁଭବ କଲେ’ ଏବଂ ହଠାତ୍ ସମସ୍ତେ ଛିଡ଼ା ହୋଇପଡ଼ିଲେ । ବିହ୍ୱଳ ଭାବରେ କୃଷ୍ଣଙ୍କ ଅଙ୍ଗ ସ୍ପର୍ଶ କଲେ, ନିଜକୁ ସ୍ପର୍ଶ କରାଇଲେ । କେହି କେହି କେବଳ ମନ ମଧ୍ୟରେ ତାଙ୍କୁ ନିବିଡ଼ ଆଲିଙ୍ଗନ କଲେ ଓ ସେହି ସମୟରେ ‘ଯୋଗୀଗଣ ପରି’ ପରମାନନ୍ଦ ଲାଭ କଲେ । ଏହି ଯୋଗୀ ହୃଦୟର ପରମ ଉଲ୍ଲାସର ସଙ୍କେତ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବର୍ତ୍ତମାନ ଗୋପୀପ୍ରେମ ଶରୀର ସଂପର୍କିତ ହୋଇ ସୁଦ୍ଧା କାମ ଭାବର କେତେ ଊର୍ଦ୍ଧ୍ୱରେ, ଏବଂ ବିରହଦଶା ପରେ ତାଙ୍କର ଅନୁଭୂତି କେତେ ଦିବ୍ୟ ଓ ମହିମ୍ନ ତାହାର ଅଧିକ ଆଲୋଚନା ନିଷ୍ପ୍ରୟୋଜନ । ଏ ସମୟରେ କୃଷ୍ଣଙ୍କ ସ୍ଥିତି ଓ ଭାବ କିଭଳି ହେଲା ? ଶୁକଦେବ କହନ୍ତି – ‘ବିରହବ୍ୟଥା ବିମୁକ୍ତ । ଗୋପୀଗଣଙ୍କ ମଧ୍ୟରେ “ପୁରୁଷ” ନିଜର “ବିଭିନ୍ନ ଶକ୍ତି” ସହିତ ସଂଯୁକ୍ତ ହେବା ପରି “ଅଚ୍ୟୁତ” ଶୋଭା ପାଇଲେ । ଗୋପୀକୃଷ୍ଣ ତତ୍ତ୍ୱ ଏଠି ସମ୍ପୂର୍ଣ୍ଣ ଉଦ୍‌ଘାଟିତ । ଶିବ-ଶିବାଙ୍କ ପରମ ଦ୍ୱୈତ ଅବସ୍ଥା ଭଳି ତାହା ପୁରୁଷ ଓ ଶକ୍ତିର ଅଭିନ୍ନ ଅବସ୍ଥା । ଏ କ୍ଷେତ୍ରରେ ବ୍ୟକ୍ତିତ୍ଵ ଓ ଚେତନା ଆଉ କୌଣସି ଶରୀର-ନିର୍ଦ୍ଦେଶିତ ନୁହେଁ । ସ୍ରଷ୍ଟା-ସୃଷ୍ଟି ମିଳନର ଏକ ଘନ ଅନୁଭୂତି ହିଁ ମହାରାସ । ଗୋପୀଙ୍କ ବ୍ରହ୍ମାନନ୍ଦ ଓ କୃଷ୍ଣଙ୍କ ପରମାନନ୍ଦ- ଅଦ୍ଭୁତ ଏ ମଧୁର ରସ ।

 

 

ବର୍ଣ୍ଣନାକ୍ରମ ଆଗେଇଚାଲେ । ସନ୍ତୁଷ୍ଟଚିତ୍ତ ଶ୍ରୀକୃଷ୍ଣ ସମର୍ପିତଚିତ୍ତା ଗୋପୀଗଣଙ୍କୁ ସଂଗରେ ନେଇ ଯମୁନାପୁଳିନ ମଧ୍ୟକୁ ପ୍ରବେଶ କରି ବିହାର କରିବାକୁ ଆରମ୍ଭ କଲେ । ଗୋପାଙ୍ଗନାଙ୍କ ହୃଦୟ ଉଲ୍ଲସିତ ହୋଇଉଠିଲା । କିଛି ମୁହୂର୍ତ୍ତ ପୂର୍ବରୁ ତନ୍ମୟାଭୂତ ଅବସ୍ଥାରୁ ଜାଗ୍ରତ ହେବା ପରେ ଏବେ ପୁନର୍ବାର ଚଳଚଞ୍ଚଳ, ଆବେଶପୂର୍ଣ୍ଣ ହୋଇ କୃଷ୍ଣ ସଂସର୍ଗର ପରମ ଆନନ୍ଦ ଉପଭୋଗ କରିବାକୁ ଲାଗିଲେ । ଶୁକଦେବ କହନ୍ତି, ବେଦର (କର୍ମକାଣ୍ଡରୁ ଜ୍ଞାନକାଣ୍ଡକୁ ଯାଇ ତା ଊର୍ଦ୍ଧ୍ୱକୁ ଉନ୍ନୀତ ଚେତନାରେ ପୂର୍ଣ୍ଣକାମ ଯୋଗୀ) ଶେଷ ଅବସ୍ଥାରେ ‘ମନୋରଥାନ୍ତଂ’ (କାମନାର ଚରମ ବିଲୀନ ଅବସ୍ଥା) ପ୍ରାପ୍ତ ହେବା ଭଳି ଗୋପୀଗଣ ପରିତୁଷ୍ଟ ଓ ଆହ୍ଲାଦିତ ହୋଇପଡ଼ିଲେ (୧୩) । ମହାଯୋଗୀମାନଙ୍କ ହୃଦୟ ଅଭ୍ୟନ୍ତରର ଆସନ ଯାହାଙ୍କ ପାଇଁ ଅପେକ୍ଷା କରି ରହେ, ସେ ଏବେ ଗୋପୀଙ୍କ ଦୁକୂଳ ଆସନରେ ବସିପଡ଼ିଲେ । ସେ ନିଜ ଅଲୌକିକ ମାଧୁରୀ ବଳରେ ଗୋପୀମନକୁ ଆହୁରି ଆବେଗାୟିତ କଲେ ଏବଂ ବିନୋଦ ଆରମ୍ଭ କଲେ । ସେତେବେଳେ ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନ କାରଣରୁ ଅସହ୍ୟ ବେଦନା ଭୋଗିଥିବା ଗୋପୀ ‘ଈଷତ୍ କୁପିତା’ ଭଳି ତାଙ୍କୁ ପ୍ରଶ୍ନ କଲେ– ‘କେହି କେହି ଯେ ପ୍ରେମ କରେ ତାକୁ ପ୍ରେମ କରନ୍ତି, କେହି ଯେ ପ୍ରେମ କରେ ନାହିଁ ତାକୁ ପ୍ରେମ କରନ୍ତି, ଆଉ କେହି କାହାରିକୁ ବି ପ୍ରେମ କରନ୍ତି ନାହିଁ । ଏମାନଙ୍କୁ ମଧ୍ୟରୁ ତୁମେ କାହାକୁ ପସନ୍ଦ କର ?’

 

କୃଷ୍ଣଙ୍କ ରହସ୍ୟମୟ ବ୍ୟବହାରରେ ବ୍ୟଥିତ ଗୋପୀ କିଂଚିତ୍ ପ୍ରଣୟକୋପ ଅଭିନୟ କରି ବିନୋଦ ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ପଚାରିଲେ । ଶ୍ରୀକୃଷ୍ଣ କିନ୍ତୁ ବିଚାରପୂର୍ଣ୍ଣ ଭାବେ ଗମ୍ଭୀର ସ୍ୱରରେ ଏହାର ଉତ୍ତର ଦିଅନ୍ତି । ଏହି ପ୍ରସଙ୍ଗ ପରେ ଆଉ କେହି ମନରେ ସାମାନ୍ୟତମ ସନ୍ଦେହ କରିବା ଉଚିତ ନୁହେ ଯେ, ମହାରାସ ଖାଲି ଗୋଟିଏ ବିଳାସପର୍ବ । ବାସ୍ତବରେ ସେହି ଲୀଳା ଏକ ଚମତ୍କାର ଉପଦେଶ, ଏକ ମହାନ ଆଧ୍ୟାତ୍ମିକ ଶିକ୍ଷା । ଭଗବାନଙ୍କୁ ଯେଉଁ ଭାବରେ ଏ ଶରୀର, ମନ ପ୍ରଭୃତିର ମାନବୀୟ ଉପାଦାନର ଅବଲମ୍ୱନରେ ଆତ୍ମାସ୍ତରରେ ପ୍ରେମଭକ୍ତି ନିବେଦନ ପାଇଁ ଗୋପୀଗଣ କାମନା କରନ୍ତି ତାହା ଅତ୍ୟନ୍ତ ବିଲକ୍ଷଣ । ଆମେ ଆଗରୁ ମଧ୍ୟ ଏ ବିଚାର କରିଛୁଁ ଯେ, ଏହି ଅସାଧାରଣ ଭକ୍ତିମାର୍ଗ ପାଇଁ ଆଗରୁ କୌଣସି ଶାସ୍ତ୍ର ପରମ୍ପରା ନ ଥିଲା । ସ୍ୱୟଂ ଶ୍ରୀକୃଷ୍ଣ ଏହାର ପ୍ରବର୍ତ୍ତକ । ଏଥି ନିମନ୍ତେ ସାଧିକା କେଉଁ ଭାବରେ ନିଜକୁ ପ୍ରସ୍ତୁତ କରିବ ସେହି ଶିକ୍ଷାକ୍ରମ ବ୍ରଜରେ ଦଶବର୍ଷ ଧରି ଚାଲିଛି । ବର୍ତ୍ତମାନ ତାହା ଶେଷ ଅବସ୍ଥା ଏବଂ ଏଠାରେ ହିଁ ନିର୍ଦ୍ଦିଷ୍ଟ ଭାବେ ଅତ୍ୟନ୍ତ ସଂକ୍ଷେପରେ ଓ ସରଳ ଭାଷାରେ ଶ୍ରୀକୃଷ୍ଣ ଗୋପାଙ୍ଗନାଙ୍କୁ ସିଧାସଳଖ ଶିକ୍ଷାଦେବା ସ୍ଵରରେ ସେହି ତତ୍ତ୍ୱର ସାରକଥା ବୁଝାନ୍ତି । ଏହି କ୍ରମରେ ସେମାନଙ୍କୁ ଦୀକ୍ଷିକା କରନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

କୃଷ୍ଣ କହନ୍ତି- ‘ଯେଉଁମାନେ ପ୍ରେମ ପାଇଲେ ପ୍ରେମ କରନ୍ତି ସେମାନେ ସ୍ୱାର୍ଥପର । ସେମାନଙ୍କ ଭାବରେ ପ୍ରୀତି ନାହିଁ, ଧର୍ମ ମଧ୍ୟ ନାହିଁ । ତାହା କେବଳ ସ୍ଵାର୍ଥସିଦ୍ଧି । କରୁଣାଶୀଳ ବ୍ୟକ୍ତି ଓ ନିଃସ୍ୱାର୍ଥ ପ୍ରତ୍ୟାଶାହୀନ ପିତାମାତାଙ୍କ ପ୍ରେମ ବିଶୁଦ୍ଧ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଧର୍ମ । ତା ବାହାରେ ଏଭଳି କେତେକ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଅନ୍ୟ କେହି ତାଙ୍କୁ ପ୍ରେମ କରୁ ବା ନ କରୁ ନିଜେ ଅନ୍ୟକୁ ପ୍ରେମ କରନ୍ତି ନାହିଁ । ସେମାନେ ଚାରି ପ୍ରକାରର ମଣିଷ-- ‘ଆତ୍ମାରାମ’, (ଯେଉଁମାନଙ୍କ ଦୃଷ୍ଟିରେ କେହି ବି ‘ଅପର’ ନୁହେଁ); ‘ଆପ୍ତକାମ’ (ଯେଉଁମାନଙ୍କ ସମସ୍ତ ବାସନା ପୂର୍ଣ୍ଣ ହୋଇସାରିଛି, ଯେଉଁମାନଙ୍କ ପାଇଁ ଆଉ କାହାରି ପ୍ରୟୋଜନ ନାହିଁ); ‘ଅକୃତଜ୍ଞା’, (ଯେଉଁମାନେ ଭୁଲିଯାଆନ୍ତି, ଜାଣିପାରନ୍ତି ନାହିଁ ବା ଅକୃତଜ୍ଞ ହୁଅନ୍ତି); ଏବଂ ‘ଗୁରୁର୍ଦ୍ରୁହଃ’, (ଯେଉଁମାନେ ସ୍ୱଭାବବଶତଃ ଗୁରୁଙ୍କ ପରି ହିତକାରୀଙ୍କ ମଧ୍ୟ ଶତ୍ରୁ ପାଲଟନ୍ତି) । ମୋତେ ଯେ ପ୍ରେମ କରେ ମୁଁ ତ ପ୍ରେମିକ ଭାବରେ ଚାହିଁବି ମୋଠାରେ ଆହୁରି ଲାଖିରହୁ । ନିର୍ଦ୍ଧନ ବ୍ୟକ୍ତିକୁ ଅନେକ ଧନ ଦେଇ ତାହା ଫେର୍ ଅପହରଣ କରିନେଲେ ତା ମନ ଯେଭଳି ସେଇ ହଜିଲା ଧନ ପାଇଁ ନିରନ୍ତର ଉଚ୍ଚାଟ ରହେ ମୁଁ ସେଭଳି (ବ୍ୟାକୁଳତା ସୃଷ୍ଟି କରିବା ପାଇଁ) କେବେ କେବେ ଧରାଦେଇ ଫେର୍ ଲୁଚିଯାଏ । ତୁମେମାନେ ମୋ ପାଇଁ ଲୋକମର୍ଯ୍ୟାଦା, ବେଦମାର୍ଗ, ବନ୍ଧୁବାନ୍ଧବ ସବୁକିଛି ତ୍ୟାଗ କଲ । ତେଣୁ ତୁମ ମନ ଯେପରି ଆଉ କୁଆଡ଼େ ଯିବ ନାହିଁ ସେହି ଉଦ୍ଦେଶ୍ୟରେ ମୁଁ ଲୁଚିଯାଇ ତୁମକୁ ବ୍ୟାକୁଳ କରିଥିଲି । ତୁମେ ଏଥିରେ ମୋର ଦୋଷ ଦେଖ ନାହିଁ । ମୁଁ ତୁମର ପ୍ରିୟ ଏବଂ ତୁମେ ମୋର ପ୍ରିୟା- ଚିରକାଳ ପାଇଁ । ବଡ଼ ବଡ଼ ଯୋଗୀ ଓ ଜ୍ଞାନୀ ଯାହା ପାରନ୍ତି ନାହିଁ ତୁମେ ତାହା କଲ- ମୋ ନିମନ୍ତେ ସବୁକିଛି ତ୍ୟାଗ କରି କେବଳ ମୋତେ ହିଁ ବାଞ୍ଛା କଲ । ତୁମର ଏହି ମିଳନ ନିର୍ଦ୍ଦୋଷ ଓ ନିର୍ମଳ ଅଟେ । ମୁଁ ଚିରକାଳ ପାଇଁ ତୁମର ଋଣୀ ରହିବି ।’

 

ମହାରାସ କ୍ରିୟାର ସମଗ୍ର ତଥ୍ୟ ଏଭଳି ଘନବଦ୍ଧ, ହୃଦୟସ୍ପର୍ଶୀ ଓ ସ୍ପଷ୍ଟ ଭାବେ ଶ୍ରୀକୃଷ୍ଣ ପ୍ରକାଶ କରନ୍ତି ଯେପରି ଗୋପାଙ୍ଗନା ତାହା ବୁଝିବେ ଏବଂ ଉପଯୁକ୍ତ ଭାବେ ତାହାର ସୁଫଳ ପାଇଁ ପ୍ରସ୍ତୁତ ହେବେ । ଏହି ବ୍ୟାଖ୍ୟା ମନେ ନ ରଖିଲେ ମହାରାସ ବୁଝିହେବ ନାହିଁ । ମହାରାସର ପରିପୂର୍ଣ୍ଣତା କେବଳ ଗୋପାଙ୍ଗନାଙ୍କୁ ଆନନ୍ଦ ଦିଏ ନାହିଁ ; ତାହା ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ମଧ୍ୟ ସନ୍ତୁଷ୍ଟ କରେ । ସୃଷ୍ଟିର ଆନନ୍ଦବୋଧର ଏହି ଅନ୍ୟତମ ଚରମ ସଂଘଟନରେ ତାଙ୍କରି ପ୍ରସାଦରେ ଯେଉଁମାନେ ନିମିତ୍ତ ହେଲେ ସେମାନଙ୍କଠାରେ ସ୍ରଷ୍ଟା ଚିରକାଳ ପାଇଁ ଋଣୀ ହେବା ଭଳି ଭାବ ପ୍ରକାଶ କରନ୍ତି କାରଣ ତାହା ଏ ସୃଷ୍ଟିର ଏକ ବିଶେଷ ଉଦ୍ଦେଶ୍ୟକୁ ଫଳବତୀ କରେ । ଶେଷ କଥା ହେଲା, ସବୁ ‘ରତି’ ତାଙ୍କ ପାଇଁ ଆତ୍ମରତି । କିନ୍ତୁ ପ୍ରକୃତିର ଏହି ମହିମ୍ନ ଲୀଳା ମଧ୍ୟରେ ସେହି ଆତ୍ମାନନ୍ଦ ପାଇଁ ଯାହାକୁ ସେ ମାଧ୍ୟମ କଲେ ସେ ମଧ୍ୟ ତାଙ୍କ ପାଇଁ ହେଲା ନିଜ-ଅପର । ସେହି ଭାବରେ ସେ ପାଇଲେ ପ୍ରେମିକା ଓ ଭକ୍ତ । ତେଣୁ ତା ପାଇଁ ତାଙ୍କ ମନରେ ବିପୁଳ ସ୍ନେହ ସହିତ ତା ପ୍ରତି କୃତଜ୍ଞତାର ଭାବ । ଦାତା-ଗ୍ରହୀତାର ସମ୍ୱନ୍ଧ ଯେପରି ବଦଳି ଯାଇଛି । ଏଣୁ ସେ ସ୍ୱୟଂ ଅନୁଗତ । ଏହା ହିଁ ମଧୁର ଦ୍ୱୈତ- ଯେଉଁଠି ଉଭୟେ ପରସ୍ପରମୁଖୀ, ଉଭୟେ ଦାନଶୀଳ ଓ ଉଭୟେ ଗ୍ରହୀତା । ବାସ୍ତବ ପ୍ରେମସମ୍ପର୍କର ଏହା ଚରମ ପରିଣତି । ଗୋପୀଭାବ ଏହି ଅବସ୍ଥାରେ ସତତ ନିର୍ଦ୍ଦୋଷ ଓ ନିର୍ମଳ ହେବା ସ୍ୱାଭାବିକ । ପ୍ରିୟ-ପ୍ରିୟାର ସମ୍ପର୍କ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ରାସ-ରାତ୍ରି ପାଇଁ ନୁହେଁ । ତାହା ଶାଶ୍ୱତ, ଚିରନ୍ତନ, ଅଖଣ୍ଡ । ଏହି ଅବବୋଧ ପରେ ଯାଇ ପର (ତ୍ରୟତ୍ରିଂଶ) ଅଧ୍ୟାୟରେ ମହାରାସ ଅନୁଷ୍ଠିତ ହୁଏ ।

 

ମହାରାସ ନୃତ୍ୟ, ସଂଗୀତ ଓ ପ୍ରଣୟଭାବ ପ୍ରକାଶର ଏକ ମହୋତ୍ସବ । ଏଥିରେ ଶରୀରର ବିଭିନ୍ନ ଅଙ୍ଗର ଚେଷ୍ଟା ଓ ଅନୁଭବର ବର୍ଣ୍ଣନା ଅବଶ୍ୟ ରହିଛି । ସତ୍ୟ ଇତିହାସ କହିବାକୁ ଯିବାବେଳେ ଶୁକଦେବ କୌଣସି ଇତର ସ୍ତରର ଶଙ୍କା ବା ସଙ୍କୋଚ ଭାବକୁ ପ୍ରଶ୍ରୟ ଦେଇନାହାନ୍ତି-। ଶ୍ରୀକୃଷ୍ଣଙ୍କ ପ୍ରଣୟଲୀଳାର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ସେଇ ବିବରଣୀ ବାହାରକୁ ଯାଇ ଆମେ ନିଜର କଳ୍ପନା-ବିକାରକୁ ସ୍ୱାଧୀନତା ଦେଲେ ଅନର୍ଥ ହେବ । ଏହି ବିବରଣୀର ଶେଷକୁ ଆସିଥିବା ଗୋଟିଏ ଶ୍ଳୋକ (୨୬) ଆମେ ଏଠି ସ୍ମରଣ କରିବା । ସେହି ଶ୍ଳୋକ ଭାଗବତ ପାଠକ ବା ଶ୍ରୋତାର ଅପରିଣତ ମାନସିକତା ଓ ଭାବକୁ ଯଥାର୍ଥ ଭାବେ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ସେଥିରେ ଦୁଇଟି ଅଂଶ ରହିଛି । ଗୋଟିଏ ଅଂଶରେ ରହିଛି ସେଇ ପୂର୍ଣ୍ଣିମା ରାତ୍ରିର ସୌନ୍ଦର୍ଯ୍ୟ ବର୍ଣ୍ଣନା । ଏବଂ ଦ୍ୱିତୀୟ ଅଂଶରେ ରହିଛି ଗୋପୀଗଣଙ୍କ ସହିତ ବିହାର କରିଥିବା ଶ୍ରୀକୃଷ୍ଣଙ୍କ ମନଃସ୍ଥିତିର ଚିତ୍ର । ତାହାର ଦୁଇଟି ଶବ୍ଦ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ– ‘ସତ୍ୟକାମୋଽନୁରତାବଳାଗଣଃ’ ଏବଂ ‘ଆତ୍ମନ୍ୟବରୁଦ୍ଧସୌରତଃ’ । ଶ୍ରୀକୃଷ୍ଣ ସତ୍ୟସଙ୍କଳ୍ପ । ଏହି ମହାରାସ ତାଙ୍କ ସତ୍ୟସଙ୍କଳ୍ପର ନାଟକୀୟ ପ୍ରକାଶ ମାତ୍ର । ସେଥିରେ କାମତୃପ୍ତିର ଆବେଗ ନଥିଲା-; ସେହି ଚେଷ୍ଟା ନଥିଲା । ଗୋପାଙ୍ଗନାଙ୍କୁ ଆବେଗିତ କରିବାର ପ୍ରକ୍ରିୟା ତାଙ୍କୁ ବିଚଳିତ କରି ନଥିଲା । ସେମାନଙ୍କ ସହିତ କ୍ରୀଡ଼ା କଲାବେଳେ ସେ ସମସ୍ତ କାମଭାବକୁ ନିଜ ମଧ୍ୟରେ ଅବରୁଦ୍ଧ କରି ରଖିଥିଲେ । ସତ୍ୟ ସମ୍ୱାଦ ଭାବେ ଏହା ସର୍ବଥା ସ୍ମରଣୀୟ । ଆହୁରି ମଧ୍ୟ ସ୍ମରଣୀୟ ସେହି ସମୟ-ଅନୁକୂଳ ଭାବ ଯାହାକୁ ମଧ୍ୟ ଶୁକଦେବ ନିର୍ଦ୍ଦିଷ୍ଟ କରିଛନ୍ତି । ସେଇ ଚନ୍ଦ୍ରଜ୍ୟୋସ୍ନା ଉଦ୍ଭାସିତ ରାତ୍ରି ‘ସର୍ବାଃ ଶରତ୍‌କାବ୍ୟକଥାରସାଶ୍ୟୟାଃ’ ଭାବେ ବର୍ଣ୍ଣିତ ହୋଇଛି । ଅର୍ଥାତ୍ କାବ୍ୟମାନଙ୍କରେ ଶରତ ରାତିର ଯେଉଁସବୁ ମନୋହାରୀ ଚିତ୍ର ରହିଛି ସେହି ସମସ୍ତ ଚିତ୍ରରୁ ନିଷ୍ପନ୍ନ ରସବୋଧରେ ତାହା ପରିପୂର୍ଣ୍ଣ ଥିଲା । ଏହା ସେଇ ରାତିର ସୌନ୍ଦର୍ଯ୍ୟ ବର୍ଣ୍ଣନା ମାତ୍ର ନୁହେଁ । ଏହା ଏକ ବିଶେଷ ସୂଚନା । ରାସଲୀଳାର ରସଜ୍ଞ ଅବବୋଧକୁ ଏହାଦ୍ୱାରା ନିର୍ଦ୍ଦେଶିତ କରାଯାଇଛି । ରାସଚିତ୍ତ ପ୍ରସ୍ତୁତି କ୍ରମରେ ପୂର୍ବରୁ ଯେଉଁ ସାହିତ୍ୟିକ ରସବୋଧକୁ ପ୍ରାଧାନ୍ୟ ଦିଆଯାଇଥିଲା ଏଠି ତାହାର ପରିପୂର୍ଣ୍ଣତାର ଅନୁଭୂତି ସୂଚିତ ହୋଇଛି । ଏଣୁ ଇତର ଶ୍ରେଣୀର କାମପ୍ରବୃତ୍ତି ନ ଦେଖି ପ୍ରଣୟର ମାର୍ଜିତ ରସାଶ୍ରୟୀ ଅନୁଭୂତିକୁ ଏହି ଲୀଳା କ୍ରମରେ ଦେଖିବା ଆବଶ୍ୟକ । ଶାରୀରିକ ଚେଷ୍ଟା ରହିଛି, ଇନ୍ଦ୍ରିୟ-ଉତ୍ତେଜକ କ୍ରିୟା ରହିଛି ; କିନ୍ତୁ ସେହି କ୍ରିୟାର ଉଦ୍ଦେଶ୍ୟ ବା ପରିଣତି କାମତୃପ୍ତି ଭାବେ ମୋଟେ ବର୍ଣ୍ଣିତ ହୋଇ ନାହିଁ । ଆଳଙ୍କାରିକ ଭାଷାରେ କହିବାକୁ ଗଲେ, ବିଭାବ ରସପରିଣତି ଲାଭ କରିଛି । ଏହା ବୁଝିବା ସହଜ ଯେ, ରସବୋଧରେ ସାଧାରଣ ସ୍ତରର ପ୍ରତିକ୍ରିୟା ନଥାଏ । ନ ହେଲେ, କରୁଣା, ଭୟାନକ, ବିଭତ୍ସ ପ୍ରଭୃତି ରସରୁ ଆନନ୍ଦ କିଭଳି ମିଳନ୍ତା ? ଯେ ସେତିକି ବୁଝି ନ ପାରିବ, ଅର୍ଥାତ୍ ଏହି ଶ୍ଳୋକରେ ଥିବା ନିୟନ୍ତ୍ରକ ସୂଚନା ଦୁଇଟିକୁ ବୁଝି ନ ପାରିବ, ସେ ମହାରାସର ରସ ଓ ଅଧ୍ୟାତ୍ମ ଉଭୟରୁ ବଂଚିତ ହେବ ।

 

ମହାରାସ ଆରମ୍ଭରେ ଗୋଟିଏ ବିସ୍ମୟକର ଲୀଳା ହୁଏ । ପୂର୍ବରୁ ଶ୍ରୀକୃଷ୍ଣ ଗୋଟିଏ ଶରୀର ଧରି ସମସ୍ତ ଗୋପୀଙ୍କ ସହିତ ବିହାର କରିବା କ୍ରମରେ ସେମାନଙ୍କ ଚେତନାର ଯେଉଁ ସଂସ୍କାର ଆସିଲା ଆମେ ତାହା ବୁଝିଛୁଁ । ବର୍ତ୍ତମାନ ଗୋପୀମାନେ ମଧୁର ରସ ପାଇଁ ଉପଯୁକ୍ତ ପାତ୍ରୀ ହୋଇସାରିଛନ୍ତି । ଏଣୁ କୃଷ୍ଣସଙ୍ଗ ଓ କୃଷ୍ଣଭକ୍ତି, ତାଙ୍କ କାମନାର ଏହି ଉଭୟ ଦିଗରେ ଏକାଥରେ ପରିପୂର୍ଣ୍ଣତା ଆସିବ । ସମସ୍ତ ଗୋପୀ ଏକତ୍ର ମହାରାସ ପାଳନ କରନ୍ତି; କିନ୍ତୁ ପ୍ରତ୍ୟେକେ ନିଜ ନିଜର ସ୍ଵତନ୍ତ୍ର ଭାବେ ପରିପୂର୍ଣ୍ଣ ବିଶ୍ଵ ରହିଥିବା ମଧ୍ୟ ଅନୁଭବ କରନ୍ତି । ତାହା ସମ୍ଭବ କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ନିଜକୁ ଅନେକ କରିଦିଅନ୍ତି- ସେ ‘ଆତ୍ମାରାମ’ ହେଲେ ସୁଦ୍ଧା ଗୋପୀଗଣଙ୍କ ପ୍ରୀତି ପାଇଁ ‘ଲୀଳୟା’ ନିଜକୁ ସହସ୍ରାଧିକ କରିଦେଲେ (୨୦) । ପ୍ରତି ଗୋପୀ ପାଇଁ ଗୋଟିଏ ଶ୍ରୀକୃଷ୍ଣ । ଅଥଚ ହାତ ଛନ୍ଦାଛନ୍ଦି ହୋଇ ଗୋଟିଏ ବିରାଟ ଶୃଙ୍ଖଳାରେ ପ୍ରତି ଗୋପୀର ଉଭୟ ପାର୍ଶ୍ଵରେ ଗୋଟିଏ ଲେଖାଏଁ ଶ୍ରୀକୃଷ୍ଣ । ଏହା ଏକାଥରେ ସମଷ୍ଟିଗତ ଓ ବ୍ୟକ୍ତିଗତ ପ୍ରାପ୍ତି, ଏକାଥରେ ସର୍ବର ଓ ନିଜର । ଉଭୟ ବ୍ରତ ଅନୁଷ୍ଠାନ କାଳର ସାମୂହିକତା ଓ ଯମୁନାତଟକୁ ଧାଇଁବା କାଳର ଐକାନ୍ତିକତାର ସୁସମନ୍ୱିତ ଭାବପରିଣତି । ଏହି ମହାଲୀଳା ଦେଖିବା ପାଇଁ ସ୍ଵର୍ଗର ଅଧିବାସୀ ଓ ତାରକାମଣ୍ଡଳୀ ଆସି ବ୍ରଜର ଆକାଶମଣ୍ଡଳକୁ ଛାଇ ନେଇଛନ୍ତି । ଏବେ ସ୍ୱର୍ଗାଙ୍ଗନାମାନେ ମଧ୍ୟ କୃଷ୍ଣକ୍ରୀଡ଼ା ପାଇଁ ଲାଳାୟିତ ହୋଇଉଠନ୍ତି । ଆମେ ସ୍ମରଣ କରିବା, ବୃନ୍ଦାବନରେ ପ୍ରତି ଗୃହରେ ଗୋପୀଙ୍କ ଉପସ୍ଥିତି ଅନୁଭୂତ, ଏବେ ଯମୁନା ପୁଳିନରେ ପ୍ରତିଟି ଗୋପୀର ଉଭୟ ପାର୍ଶ୍ୱରେ ଶ୍ରୀକୃଷ୍ଣ ଏବଂ ଉପରେ ଏହି ମହାନାଟକର ଦ୍ରଷ୍ଟାଙ୍କର ଭିଡ଼ । ଏହାର ଉପଯୁକ୍ତ ରସାନୁଭବ ପାଇଁ ସାଧାରଣ ଚେତନାକୁ ଯଥେଷ୍ଟ ଶିକ୍ଷିତ କରିବାକୁ ପଡ଼ିବ ।

 

ହୁଏତ ଏହା ବିଚିତ୍ର ମନେହେବ ଯେ, ଏହି ମହାରାସଦୃଶ୍ୟ ପରେ ରାଜା ପରୀକ୍ଷିତ ନୈତିକତାର ପ୍ରଶ୍ନ ଉଠାନ୍ତି । କିନ୍ତୁ ଏହି ପ୍ରଶ୍ନର ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ । ରାସଲୀଳାର ଉଭୟ ପାର୍ଶ୍ଵରେ ପରୀକ୍ଷିତଙ୍କ ପ୍ରଶ୍ନ; ପୂର୍ବରୁ ଏବଂ ପରେ ଗୋଟିଏ ବନ୍ଧନୀ ଭଳି ଢାଙ୍କି ରଖିଛି । ଏହାର କାରଣ ମହାରାସକୁ ଯିବା ପୂର୍ବରୁ ଏବଂ ତାହା ସମାପ୍ତ ହେବା ପରେ ଉଭୟ ଅବସ୍ଥାରେ ସତର୍କତା ଆବଶ୍ୟକ । ସେହି ଦୃଷ୍ଟିରୁ ପରୀକ୍ଷିତଙ୍କ ପ୍ରଶ୍ନ ଏବଂ ଶୁକଦେବଙ୍କ ଉତ୍ତର ସଂଯୋଜିତ । ପରୀକ୍ଷିତ ପ୍ରଶ୍ନ କରନ୍ତି ଯେ, ଧର୍ମ ସଂସ୍ଥାପନ ଓ ଅଧର୍ମ ନିରାକରଣ ପାଇଁ ଯେଉଁ ଭଗବାନ ଅବତାର ନେଲେ, ଯେ ଧର୍ମମର୍ଯ୍ୟାଦା ତିଆରିଲେ, ଯେ ତାର ରକ୍ଷକ ଓ ଉପଦେଷ୍ଟା, ସେ ‘ପରଦାରା’ ସ୍ପର୍ଶ କରିବା ଭଳି ଧର୍ମର ବିପରୀତ କାର୍ଯ୍ୟ କିଭଳି କଲେ ? ପ୍ରଶ୍ନଟି ସିଧାସଳଖ ଭାବେ ସାମାଜିକ ନୀତି ସଂପର୍କିତ– ନିଜର କୌଣସି କାମନା ନ ଥାଇ ‘ଆପ୍ତକାମ’ ଶ୍ରୀକୃଷ୍ଣ ପରସ୍ତ୍ରୀଙ୍କୁ ସ୍ପର୍ଶ କଲାଭଳି ଅନୀତି କେଉଁ କାରଣରୁ କଲେ ? ପରୀକ୍ଷିତଙ୍କ ପ୍ରଶ୍ନରେ ସମ୍ଭୋଗର ସୂଚନା ନାହିଁ । ନର ନାରୀ ଶରୀର ସ୍ପର୍ଶ କରିବା ବିଷୟ ନିର୍ଦ୍ଦିଷ୍ଟ ହୋଇଛି । ତାହାର ଉଦ୍ଦେଶ୍ୟ ଓ ନୈତିକତା ଉପରେ ପ୍ରଶ୍ନ କରାଯାଇଛି ।

 

ଶୁକଦେବଙ୍କ ପ୍ରଥମ ଉତ୍ତର ହେଉଛି, କେତେକ ଐଶ୍ଵରିକ କାର୍ଯ୍ୟ ଆମର ସାଧାରଣ ବୋଧ ଦୃଷ୍ଟିରୁ ଧର୍ମବିପରୀତ ମନେହେଲେ ସୁଦ୍ଧା ତାହା ‘ଅନୈତିକ’ ନୁହେଁ, କାରଣ ସେହି କାର୍ଯ୍ୟ ସାଧାରଣ ନୀତି-ଅନୀତିର ଅନେକ ଊର୍ଦ୍ଧ୍ୱରେ । ତାହା ଅଗ୍ନି ସର୍ବଭକ୍ଷୀ ହେବା ଭଳି କାର୍ଯ୍ୟ ଯେଉଁଠି ଆମ ସାଧାରଣ ଦୋଷ-ଗୁଣ ବିଚାର ଅପ୍ରାସଙ୍ଗିକ ହୋଇଯାଏ । ପରୀକ୍ଷିତଙ୍କ ମୂଳ ବିରୋଧ ହେଉଛି ଆଚରଣର ନିନ୍ଦନୀୟତା ଯାହା ପ୍ରତିଷ୍ଠିତ ନିୟମକୁ ଦୁର୍ବଳ କରିବାର ଆଶଙ୍କା ରହିଛି । ‘ମମବତ୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ’ ବୋଲି ସେହି ଶ୍ରୀକୃଷ୍ଣ ଗୀତାରେ କହିବେ । ସେହି ଦୃଷ୍ଟିରୁ ତାଙ୍କର ଏହି ଆଚରଣ ଅନ୍ୟମାନଙ୍କୁ ଅନୀତି ଦିଗରେ ଉତ୍ସାହିତ କରିବା ସମ୍ଭବ । ପ୍ରଶ୍ନର ଏହି ମୁଖ୍ୟ ତାତ୍ପର୍ଯ୍ୟ ବିରୁଦ୍ଧରେ ଶୁକଦେବ କହନ୍ତି ଯେ, ଈଶ୍ୱରଙ୍କ ସମସ୍ତ କାର୍ଯ୍ୟ ଅନୁକରଣୀୟ ନୁହେଁ, ଯଥା, ଶିବଙ୍କର ବିଷପାନ । ସାଧାରଣ ବ୍ୟକ୍ତି ସେଭଳି ବିଷୟକୁ ମନରେ ମଧ୍ୟ ସ୍ଥାନ ଦେବା ଅନୁଚିତ । ଈଶ୍ୱରଙ୍କ ଉପଦେଶ ପାଳନୀୟ, କିନ୍ତୁ ତାଙ୍କ ସମସ୍ତ କାର୍ଯ୍ୟ ମନୁଷ୍ୟର ଆଚରଣୀୟ ନୁହେଁ । କାରଣ ଈଶ୍ୱରଙ୍କ ପରି ସାମର୍ଥ୍ୟବାନ ନିରଂହକାରୀ ପରମପୁରୁଷଙ୍କ କୌଣସି କାର୍ଯ୍ୟ ସଂକୀର୍ଣ୍ଣ ସ୍ଵାର୍ଥ ବା ଅନର୍ଥ ସାଧନ କରେ ନାହିଁ । ସେ ସଦାମୁକ୍ତ ଓ ସ୍ଵଚ୍ଛନ୍ଦ । ତାଙ୍କର କୌଣସି କର୍ମବନ୍ଧନ ବା କାମନାର ବନ୍ଧନ ନାହିଁ । ଗୋପୀଗଣଙ୍କର, ତାଙ୍କ ସ୍ୱାମୀଙ୍କ, ସମସ୍ତଙ୍କ ହୃଦୟର ଅଧିପତି କେବଳ କ୍ରୀଡ଼ା କରନ୍ତି । ଅନ୍ୟକୁ ଅନୁଗ୍ରହ କରିବା ପାଇଁ ମନୁଷ୍ୟ ଶରୀର ଧରି ସେଭଳି କ୍ରୀଡ଼ା କରନ୍ତି । ସେହି ଲୀଲା ଶୁଣିଲେ ଅନ୍ୟମାନେ ମଧ୍ୟ ‘ତତ୍ପର’ (ଭଗବତ୍ ପରାୟଣ) ହେବେ । ବ୍ରଜବାସୀଙ୍କ ମନରେ କୌଣସି ଦୋଷବୁଦ୍ଧି ନଥିଲା । ଏଣୁ ସେମାନଙ୍କ ଦୁରାଚାରୀ ହେବାର ଆଶଙ୍କା ଅମୂଳକ । ଏବଂ ଯେଉଁମାନେ ଏହି ଲୀଳା ସମ୍ପର୍କରେ ଶୁଣିବେ ସେମାନେ ମଧ୍ୟ ଦୁରାଚାରୀ ହେବେ ନାହିଁ କାରଣ ଏହି ଲୀଳା କେବଳ ତନ୍ମୟତା, ତାଦାତ୍ମ୍ୟ ଓ ମହାରସ ଶିଖାଏ । ଇନ୍ଦ୍ରିୟ ସବୁକୁ ପ୍ରମତ୍ତ ଆକୁଳିତ କରି ଇନ୍ଦ୍ରିୟାତୀତ, ରସଘନ, ଲୋକୋତ୍ତର ମଧୁର ଭାବ ଆଡ଼କୁ ଚେତନାକୁ ପ୍ରଚୋଦିତ କରେ । ସେହି ଲୀଳାରେ ଇନ୍ଦ୍ରିୟଭୋଗ ବା ଇନ୍ଦ୍ରିୟ ତୃପ୍ତିର କୌଣସି ସୂଚନା ନାହିଁ । ପୁଣି ସେଥିରେ ଯାହାବି ଘଟିଛି ସେ ସମସ୍ତ କୃଷ୍ଣଚେଷ୍ଟା । ଗୋପୀଗଣ କେବଳ ନିବେଦିତା । ପ୍ରଭାତ ହେଲା କ୍ଷଣି କୃଷ୍ଣଙ୍କ ଆଜ୍ଞାରେ ସେମାନେ ଘରକୁ ଫେରିଗଲେ, କାରଣ ସେମାନେ କେବଳ କୃଷ୍ଣପ୍ରିୟ କାର୍ଯ୍ୟ କରୁଥିଲେ-। ଅର୍ଥାତ ସେମାନେ ମଧ୍ୟ କାମଭୋଗ କରି ନଥିଲେ । ଆତ୍ମାରାମଙ୍କ ରମଣ ବିଲକ୍ଷଣ ଯହିଁରେ ଇନ୍ଦ୍ରିୟ ସେବାର ଚେଷ୍ଟା ମଧ୍ୟ ନାହିଁ । ରହିଛି କେବଳ ସ୍ନେହ ଓ କରୁଣା (‘ସଦୟ’ ଭାବ) । ନିହାତି ନିର୍ଲିପ୍ତ ସେ ମନ ଯାହା ଭକ୍ତକୁ ଅନୁଗ୍ରହ କରିବା ପାଇଁ ଲିପ୍ତ ହେବାର ଲୀଳା ବା ଅଭିନୟ କରେ । ଏବଂ ତାଙ୍କ ଅନୁପ୍ରେରଣାରେ ଗୋପାଙ୍ଗନାଙ୍କ ଅନୁଭୂତି ରହେ କେବଳ ସମର୍ପିତା ହେବାର ଏବଂ କୃଷ୍ଣ ଚେତନାରେ ମଜ୍ଜିଯିବାର । ବାହ୍ୟ ପ୍ରକ୍ରିୟା ସହିତ ସେହି ଅନୁରାଗର ଆଉ କୌଣସି ସମ୍ପର୍କ ନାହିଁ, କାରଣ ସେଥିରେ ‘ମୁଁ’ ବୋଧ ନିଷ୍କ୍ରିୟ । ‘ମୁଁ’ ଭାବ ନଥିଲେ କାମଭାବ ବା ଅନୀତିର ଭାବ ଆଉ କେଉଁଠି ରହିବ ? ତେଣ ପରୀକ୍ଷିତଙ୍କ ଶଙ୍କା ସମାଧିତ ।

 

ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ତେଣୁ ଶେଷ ଶ୍ଳୋକରେ ଶୁକଦେବ କହନ୍ତି- ‘ଶ୍ରଦ୍ଧା ସହିତ ଯେ ଏହି ରାସକ୍ରୀଡ଼ାର ବର୍ଣ୍ଣନା କରନ୍ତି ବା ଶ୍ରବଣ କରନ୍ତି ସେ ଭକ୍ତିପ୍ରାପ୍ତ ହୁଅନ୍ତି ଏବଂ ନିଜ ହୃଦୟର ରୋଗ କାମବିକାରରୁ ଶୀଘ୍ର ମୁକ୍ତି ପାଇ ଧୀର ଅବସ୍ଥାରେ ସ୍ଥିତ ହୁଅନ୍ତି ।’ ଏହା ହିଁ ରାସକ୍ରୀଡ଼ାର ଉଦ୍ଦେଶ୍ୟ । ଶୂତ ଅବସ୍ଥାରେ ରହିଥିବା ବିକାର ବା ରୋଗକୁ ସୁନିୟନ୍ତ୍ରିତ ଭାବେ ପ୍ରକଟିତ କରି ବିରେଚିତ କରିଦେବା ଏବଂ ଏକ ଚମତ୍କାର ମନସ୍ତାତ୍ତି୍‌ବକ, ରସାତ୍ମକ ଓ ଆଧ୍ୟାତ୍ମିକ ପ୍ରକ୍ରିୟାରେ ଚେତନାକୁ ଭଗବନ୍ମୟ କରିଦେବା ଏହି ଲୀଳାର କାର୍ଯ୍ୟ । ମୁଖ୍ୟ କଥା ହେଲା, ଆମକୁ କୃଷ୍ଣ ଭଳି ହେବା ପାଇଁ ଶିକ୍ଷା ବା ସୂଚନା ଦେବା ଏ ଲୀଳାର ଉଦ୍ଦେଶ୍ୟ ନୁହେଁ । ତାହା ତ ସମ୍ପୂର୍ଣ୍ଣ ଅସମ୍ଭବ ଓ ଅବାସ୍ତବ । ଏହାର ଉଦ୍ଦେଶ୍ୟ ହେଉଛି ଆମକୁ ଗୋପୀଭାବ ବୁଝାଇବା ଏବଂ ନିଜ ନିଜ ଭାବରେ କୃଷ୍ଣପ୍ରାଣ ହେବାକୁ ଉଦ୍‌ବୁଦ୍ଧ କରିବା । ସମଗ୍ର ରାସଲୀଳା କୃଷ୍ଣ ନିର୍ଦ୍ଦେଶିତ । ଗୋପୀମାନେ କେବଳ ନଟୀ । କିନ୍ତୁ ସେଇ ଅଭିନୟ ହିଁ ତାଙ୍କର ଜୀବନ । ତାହାର ରସବୋଧ ଜରିଆରେ ସେମାନେ ନିଜ ସୀମିତ ବ୍ୟକ୍ତିତ୍ୱର ଊର୍ଦ୍ଧ୍ୱକୁ ଉଠି କୃଷ୍ଣସଖୀର ବ୍ୟକ୍ତିତ୍ୱ ଅନୁଭବ କରନ୍ତି । ସେଇ ଅନୁଭୂତି ସେମାନେ କାମନା କରିଥିଲେ ଭିନ୍ନ ଭାବରେ । ଭାବିଥିଲେ ସାଧାରଣ ଜୀବନରେ ସ୍ୱାମୀ ଭଳି କୃଷ୍ଣଙ୍କୁ ପତି ଭାବେ ପାଇବେ । ଯେହେତୁ ସେମାନେ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇ ନ ଥିଲେ ସେଇ ‘ପ୍ରଣୟବଦ୍ଧା’ ନାରୀମାନଙ୍କ ଚେତନାରେ ‘ଜାରବୁଦ୍ଧି’ର ସ୍ପର୍ଶ ରହିଥିଲା । ରାସଲୀଳାରେ ଜାରବୁଦ୍ଧି ହଜିଗଲା, ସ୍ୱାର୍ଥସନ୍ଧାନୀ ଅଭିସାରିକା ପାଲଟିଲା ଅହଂହୀନା ପରମନିବେଦିତା କୃଷ୍ଣପ୍ରାଣା ସଖୀ । ମନ ଓ ଇନ୍ଦ୍ରିୟକୁ ମାଧ୍ୟମ କରି ଇନ୍ଦ୍ରିୟାତୀତ, ମନୋନୀତ ବିମଳ ଆନନ୍ଦ ଓ ଆତ୍ମହରା, ପରମସମର୍ପିତ ତନ୍ମୟ ଉଲ୍ଲାସ ମଧ୍ୟରେ ରହିଥିଲା କେବଳ କୃଷ୍ଣବୋଧ । ରୂପ, ସ୍ଵର, ବର୍ଣ୍ଣ, ସ୍ପର୍ଶ ଏସବୁର ଆକର୍ଷଣ ମାର୍ଜିତ ହୋଇ ରବୋଧ ତିଆରେ । ଆକର୍ଷଣକୁ ରସଘନ କରି, ଅହଂଟିକୁ ଛାଡ଼ିଦେଇ ଯେତେବେଳେ ଆତ୍ମାର ସମ୍ପର୍କକୁ ମୁଖ୍ୟ କରାଯାଏ ଏବଂ ନାରୀ ନିଃସ୍ୱାର୍ଥ, ସମର୍ପିତ ପ୍ରେମରେ ତନ୍ମୟ ହୋଇଉଠେ ସେ ପାଲଟିଯାଏ ପ୍ରକୃତି, ତାର ବାସ୍ତବ ମୂଳଗୁଣର ପ୍ରତୀକ । ସେ ଆଉ ବ୍ୟକ୍ତି ହୋଇ ରହେ ନାହିଁ । ସେତେବେଳେ ଯାଇ ପରମପୁରୁଷଙ୍କ ସହିତ ମିଳନ ସମ୍ଭବ ହୁଏ-। ରାସଲୀଳା ସେଇ ପ୍ରକୃତି-ପୁରୁଷ ମିଳନର ଲୀଳା । ଶୁକଦେବ ତେଣୁ ଠିକ୍ କହିଲେ, ରାସଲୀଳାର ପ୍ରଭାବରେ କାମବିକାର ଧ୍ୱଂସ ହୁଏ, ତାହା ବଢ଼େ ନାହିଁ । ଯେ ଏହା ବୁଝିପାରି ନାହିଁ ସେ ବାରମ୍ୱାର ରାସଲୀଳା ପଢ଼ିବା ଓ ତାର ବିଭିନ୍ନ ସୂଚନାସବୁ ଆତ୍ମସ୍ଥ କରିବା ଆବଶ୍ୟକ । ଜଗଦ୍‌ଗୁରୁ ଶ୍ରୀକୃଷ୍ଣ କେବଳ କୁରୁକ୍ଷେତ୍ରରେ ବା ପ୍ରଭାସ କ୍ଷେତ୍ରରେ ନୁହେଁ, ବୃନ୍ଦାବନ କ୍ଷେତ୍ରରେ ମଧ୍ୟ ଆଚାର୍ଯ୍ୟ ରୂପରେ ଆମକୁ ଶିକ୍ଷା ଦେଇଛନ୍ତି । ସବୁ ଅବସ୍ଥାରେ ସେ ଶିକ୍ଷକ । ସଖା, ରିପୁ, ପ୍ରେମିକ- ସବୁ ଅବସ୍ଥାରେ ସେ ପରମ-ଶିକ୍ଷକ ।

 

ସେ ଶିକ୍ଷା ଆମ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରୁ ।

(କୋଣାର୍କ-ପତ୍ରିକାର ୧୩୨ ତମ ସଂଖ୍ୟାରେ ପ୍ରକାଶିତ ପ୍ରବଂଧର ଅବଶିଷ୍ଟାଶ)

ରୁଗୁଡ଼ିପଡ଼ା, ପୋ/ଜି-ବଲାଙ୍ଗୀର

 

Unknown

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ଭାଷାଶୈଳୀ

ଡକ୍ଟର ସବିତା ପ୍ରଧାନ

 

ଭାବ ଓ ଭାଷା ସାହିତ୍ୟରେ ଯେ କେବଳ ଅପରିହାର୍ଯ୍ୟ ତା’ ନୁହେଁ, ପରସ୍ପର ପରସ୍ପରର ପରିପୂରକ ମଧ୍ୟ । ଭାବର ପ୍ରସ୍ତର ଉପରେ ଭାଷାର କାରୁକାର୍ଯ୍ୟ ଯୋଗେ ସାହିତ୍ୟରୂପୀ କୋଣାର୍କ ନିର୍ମିତ ହୁଏ । ପ୍ରତ୍ୟେକଟି ସାହିତ୍ୟକୃତି ଭାଷାଶୈଳୀର ଯଥାର୍ଥ ପ୍ରୟୋଗ ବିନା ଅସଫଳ । ଭାଷାଶୈଳୀ ପ୍ରୟୋଗ ସର୍ବଦା ପ୍ରାସଙ୍ଗିକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ହେବା ଆବଶ୍ୟକ । ଭାଷା ବିବିଧ ବର୍ଗୀୟ ହୋଇପାରେ– ଗ୍ରାମ୍ୟ, କଥିତ, ପ୍ରଚଳିତ, ଅପ୍ରଚଳିତ, ସହରୀ, ସାହିତ୍ୟିକ, ମାର୍ଜିତ, ଆଞ୍ଚଳିକ ଆଦି । ସାହିତ୍ୟରେ ଏହି ଭାଷା ସ୍ଥାନ ପାଇବା ସମୟରେ ଏହା ସାଙ୍କେତିକ, ପ୍ରତୀକଧର୍ମୀ, ଭାବପୂର୍ଣ୍ଣ, ବ୍ୟଞ୍ଜନାମୟ, ବ୍ୟଙ୍ଗଧର୍ମୀ ବା କାବ୍ୟିକ ହୋଇପାରେ । ଅର୍ଥାତ୍ ନିତ୍ୟ ପ୍ରଚଳିତ, କଥିତ ସାଧାରଣ ଭାଷାରେ ଲେଖକ ଏପରି ଏକ ସାହିତ୍ୟିକ କୌଶଳ ପ୍ରୟୋଗ କରେ ଯେ ଏହା ଶୈଳୀରେ ପରିଣତ ହୁଏ । ଶୈଳୀ ଏକକ ଉପାଦନା ବିଶିଷ୍ଟ ନୁହେଁ । ଯୁଗୀୟ ରୁଚି, ସମସାମୟିକ ସାହିତ୍ୟିକ ଚଳଣି, ଲେଖକର ଶିକ୍ଷା, ସଂସ୍କୃତି, ସମୃଦ୍ଧ ଭାଷା, ଲେଖକର ଆଭିମୁଖ୍ୟ, ରୁଚି ସର୍ବୋପରି ଲେଖକୀୟ ବ୍ୟକ୍ତିତ୍ୱ ସୃଷ୍ଟି କରେ ଲେଖକର ଶୈଳୀ । ଭାବ, ଭାଷା ମାଧ୍ୟମରେ ପ୍ରକାଶିତ ଭାଷା ଅଭିବ୍ୟକ୍ତିର କୌଶଳ ଭିନ୍ନ ଭିନ୍ନ ହୋଇପାରେ । ଭାଷା ଶୈଳୀ ଅଧ୍ୟୟନ ଆଦୌ ବିଷୟ ନିରପେକ୍ଷ ନୁହେଁ ।

 

ଉପନ୍ୟାସ ଜନ୍ମର ଶୁଭଲଗ୍ନଠାରୁ ଏଯାବତ୍ ବିଷୟବସ୍ତୁଗତ ପରିବର୍ତ୍ତନ ପରିଲକ୍ଷିତ ହେବା ଯେତିକି ସ୍ୱାଭାବିକ ସେତିକି କାମ୍ୟ । ସ୍ଵାଧୀନତା ପରବର୍ତ୍ତୀ ଉପନ୍ୟାସର ବିଷୟବସ୍ତୁରେ ବିବିଧତା, ବୈଚିତ୍ର୍ୟ ଅନେକ ଦେଖାଦେଇଛି । ସାହିତ୍ୟର ଆଙ୍ଗିକ ଓ ଆତ୍ମିକ ପରିବର୍ତ୍ତନ, ଯୁଗୀୟ ରୁଚି, ବିକାଶଶୀଳ ଅନ୍ୟ ସାହିତ୍ୟର ପ୍ରଭାବ, ସମସାମୟିକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ (ଦ୍ୱିତୀୟ ବିଶ୍ୱଯୁଦ୍ଧ, ଶିଳ୍ପବିପ୍ଲବ, ଅବକ୍ଷୟିଷ୍ଣୁ ମୂଲ୍ୟବୋଧ, ଐଶ୍ଵରିକ ସତ୍ତାଠୁଁ ବିଶ୍ଵାସର ବିଲୟ) ସାପେକ୍ଷିକ । ଓଡ଼ିଆ ଉପନ୍ୟାସର ବିଷୟବସ୍ତୁଗତ ବିବିଧତା ବିଭିନ୍ନ ଦିଗକୁ ବ୍ୟାପ୍ତ । ସ୍ଵାଧୀନୋତ୍ତର କାଳୀନ ଉପନ୍ୟାସଗୁଡ଼ିକୁ ସମୟସୀମା ଦୃଷ୍ଟିରୁ ଦୁଇଭାଗ କଲେ ଗୁଣାତ୍ମକ ପାର୍ଥକ୍ୟ ମଧ୍ୟ ଦୃଷ୍ଟିଗୋଚର ହୁଏ-। ପ୍ରଥମାର୍ଦ୍ଧରେ ନୂତନ ଆବିଷ୍କାରର ଉପାଦେୟତା ଓ ଭୟାବହତା, ଧର୍ମବିଶ୍ଵାସ, ସାମ୍ପ୍ରଦାୟିକତା, ଜାତୀୟତା, ଜାତିଭେଦ, କୁସଂସ୍କାର, ଅଶିକ୍ଷା, ଦାସତ୍ୱ, ବେକାରୀ, ସନ୍ତ୍ରାସବାଦ, ନକ୍‌ସଲବାଦ, ବ୍ୟଭିଚାର, ନାରୀ ନିର୍ଯାତନା, କ୍ଷମତାର ଅସଦ୍ ବ୍ୟବହାର ସାମ୍ରାଜ୍ୟ ଲିପ୍‌ସା, ବୌଦ୍ଧିକ ବିକାଶଜନିତ ନୂତନ ଚିନ୍ତା ଆଦି ହୋଇଛି ଉପନ୍ୟାସର ବିଷୟବସ୍ତୁ । ମାତ୍ର ବିଗତ ଦୁଇଦଶନ୍ଧି କୌଣସି ଧରାବନ୍ଧା ପାରଂପରିକ କଥାବସ୍ତୁ ଗ୍ରହଣ କରି ନାହିଁ । ମନୁଷ୍ୟର ମନୋରାଜ୍ୟର ବିଶ୍ଳେଷଣ ଏଠି ମୁଖ୍ୟ । ମନୁଷ୍ୟର ଅସହାୟତା, ନିଃସଙ୍ଗତା, ଯୌନାବେଗ, ଅଥବା ଜୀବନର ଖଣ୍ଡିତାଂଶର ବେଦନା, ଯନ୍ତ୍ରଣା ଜର୍ଜରିତ ଜୀବନ, ନୀତିହୀନ ରାଜନୀତି, ଆଧୁନିକ ମନୁଷ୍ୟର ଛଦ୍ମତା ଗୁରୁତ୍ୱ ପାଉଛି । ସାହିତ୍ୟର ପ୍ରତ୍ୟେକ ବିଭାବ ପରି ଉପନ୍ୟାସ ମଧ୍ୟ ରଚୟିତାର ଆତ୍ମବିଶ୍ଵାସ, ରୁଚିବୋଧକୁ ପ୍ରତିବିମ୍ୱିତ କରେ । ଶିଳ୍ପୀ ମନର ସମସ୍ତ ଭାବାବେଗକୁ ପୁଙ୍ଖାନୁପୁଙ୍ଖ ଓ ନିଖୁଣ ଭାବେ ଆଂକିବାର ଯେଉଁ ବିସ୍ତୃତ କାନ୍‌ଭାସ ଉପନ୍ୟାସରେ ରହିଛି ତାହା ଅନ୍ୟଥିରେ ନାହିଁ । ତେଣୁ ଯୁଗୀୟ ରୁଚି ଓ ସାମାଜିକ ମୂଲ୍ୟବୋଧ ପରିବର୍ତ୍ତନରେ ଉପନ୍ୟାସ ସର୍ବାଧିକ ପ୍ରଭାବିତ । ଏ ସମୟର ପରୀକ୍ଷାମୂଳକ ଉପନ୍ୟାସ ବିଶେଷ ଭାବେ ପରିବର୍ତ୍ତିତ ଉପନ୍ୟାସ ଅଧିକ ଅନ୍ତର୍ମୁଖୀ । ଉପନ୍ୟାସ ଆଉ ଘଟଣା ବା ଗଳ୍ପପ୍ରଧାନ ହୋଇ ରହି ନାହିଁ । ରୋମାନ୍ସମୂଳକ, ସମସ୍ୟା ଓ ସଂସ୍କାରମୂଳକ ଉପନ୍ୟାସ ରଚିତ ହେଉ ନାହିଁ । ଭାବପ୍ରଧାନ ହେବା ଯୋଗୁ ଉପନ୍ୟାସର ଗତି ଶିଥିଳ ମନେହେଇପାରେ । ପରସ୍ପର ବିରୋଧୀ ଭାବ, ପ୍ରତିମୂଲ୍ୟବୋଧ (anti values)କୁ ଗୁରୁତ୍ୱ ଦେବା ସହିତ ଅନେକ ସ୍ଥଳରେ ବହିରଙ୍ଗ ବାସ୍ତବତା ପରିବର୍ତ୍ତେ ଅନ୍ତରଙ୍ଗ ବାସ୍ତବତା, ପ୍ରଚଳିତ ମୂଲ୍ୟବୋଧ ଅପେକ୍ଷା ଚିରନ୍ତନ ମୂଲ୍ୟବୋଧ, ପାରଂପରିକ ସତ୍ୟ ଅପେକ୍ଷା ମାର୍ମିକ ସତ୍ୟ, ଇନ୍ଦ୍ରିୟାତୀତ ସୂକ୍ଷ୍ମ ଉପଲବ୍ଧିର କଥା କୁହାଯାଉଛି । ବାସ୍ତବବାଦ, ସ୍ଥିତିବାଦ, ମାନବବାଦ, ଅଧ୍ୟାତ୍ମବାଦ ତଥା ଦାର୍ଶନିକତା ସ୍ଥାନ ପାଉଛି ଉପନ୍ୟାସରେ । ଫଳରେ ଏହାର ଭାବବଳୟ ହେଉଛି ଭିନ୍ନ । ସୁନ୍ଦର ଏକ କାହାଣୀ ଉପସ୍ଥାପନ କରି ପାଠକ ପ୍ରାଣକୁ ସ୍ପର୍ଶ କରିବା ଏହାର ଲକ୍ଷ୍ୟ ନୁହେଁ । ଲକ୍ଷ୍ୟ ହେଉଛି ତାର ଚେତନାକୁ ଆତ୍ମାକୁ ସ୍ପର୍ଶ କରିବା । ତାର ଅନ୍ତଃଚେତନାକୁ ଉଖାରିବା, ଉଦ୍‌ଭାସିତ କରିବା । ତେଣୁ ଉପନ୍ୟାସ ହୋଇଛି ଅଧିକ ମୁକ୍ତ, ଗତିଶୀଳ ଓ ପରୀକ୍ଷାମୂଳକ; ଯଦିଓ ପାରଂପରିକ ରୀତିରେ ସମାନ୍ତରାଳ ଭାବେ ଏବେ ମଧ୍ୟ ରଚିତ ହେଉଛି ବହୁ ଉପନ୍ୟାସ । ଉପନ୍ୟାସରେ ବହୁବାଦ ଯେପରି ସ୍ଥାନ ପାଉଛି ସେହିପରି ଆତ୍ମପ୍ରକାଶ କରୁଛି ବହୁ ନୂତନ ଧାରା । ଯେପରି ଚରିତ ଉପନ୍ୟାସ, ବୈଜ୍ଞାନିକ ଉପନ୍ୟାସ, ଆତ୍ମଜୀବନୀମୂଳକ ଉପନ୍ୟାସ, ଭ୍ରମଣ, ପୌରାଣିକ ଉପାଖ୍ୟାନର ପୁନର୍ନ୍ୟାସ ତଥା ନନ୍‌ଫିକ୍ସନାଲ ଉପନ୍ୟାସ ଆଦି । ବୌଦ୍ଧିକ ଓ ନୂତନ ବିଷୟର ପରିବେଷଣ ଶୈଳୀରେ ନୂତନତା ପ୍ରକାଶିତ ନ ହେଲେ ଔପନ୍ୟାସିକର ଭାବଜଗତର ଯଥାର୍ଥ ରୂପାୟନ ଓ ଉଦ୍ଦିଷ୍ଟ ଚିନ୍ତାଚେତନାର ସଠିକ୍ ପ୍ରକଟନ ଅସମ୍ଭବ । ପାଠକକୁ ତାହା ଉଦ୍ଦୀପ୍ତ ଓ ସ୍ପର୍ଶ କରିବ କି ନାହିଁ ସନ୍ଦେହ ଜନ୍ମେ । ସ୍ଵାଧୀନୋତ୍ତର କାଳରେ କାହ୍ନୁଚରଣ ମହାନ୍ତି, ହରେକୃଷ୍ଣ ମହତାବ, ରାଜକିଶୋର ପଟ୍ଟନାୟକ, ଗୋପୀନାଥ ମହାନ୍ତି, ବସନ୍ତ କୁମାରୀ ପଟ୍ଟନାୟକ, ଗୋବିନ୍ଦ ଦାସ, ମହାପାତ୍ର ନୀଳମଣି ସାହୁ, ଜ୍ଞାନୀନ୍ଦ୍ର ବର୍ମା, ସୁରେନ୍ଦ୍ର ମହାନ୍ତି, ବ୍ରଜମୋହନ ମହାନ୍ତି, କୃଷ୍ଣପ୍ରସାଦ ମିଶ୍ର, ଶାନ୍ତନୁ ଆଚାର୍ଯ୍ୟ, ଚନ୍ଦ୍ରଶେଖର ରଥ, ଦେବ୍ରାଜ ଲେଙ୍କା, ଗଣେଶ୍ୱର ମିଶ୍ର, ପ୍ରତିଭା ରାୟ, ମନୋଜ ଦାସ, ଅନାଦି ସାହୁ, ହୃଷୀକେଶ ପଣ୍ଡା, ପଦ୍ମଜ ପାଳ, ଜଗଦୀଶ ମହାନ୍ତି, ରାମଚନ୍ଦ୍ର ବେହେରା, ପରେଶ ପଟ୍ଟନାୟକ, ପ୍ରବୀଣା ମହାନ୍ତି, ଗୌରହରି ଦାସ ଆଦିଙ୍କ ଲେଖନୀରେ ଉପନ୍ୟାସ ସାମ୍ରାଜ୍ୟ ସମୃଦ୍ଧ । ଭାଷାଶୈଳୀ ଦୃଷ୍ଟିରୁ ଯେଉଁମାନଙ୍କ ରଚନା ପାଠକ ଓ ବୌଦ୍ଧିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି, ଯେଉଁମାନେ ଏକ ଏକ ବିଶେଷ ଧାରାରେ ରଚନା କରି ପ୍ରତିଷ୍ଠା ଲାଭ କରିଛନ୍ତି ସେମାନଙ୍କୁ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସର ଭିତ୍ତିଭୂମି ଉପରେ ଅବଲୋକନ କରାଯାଇ ପାରେ । ସେହି ପ୍ରମୁଖ ଧାରାର ଔପନ୍ୟାସିକ ଗଣ ହେଲେ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ ତଥା ରାମଚନ୍ଦ୍ର ବେହେରା ।

 

କାହ୍ନୁଚରଣ ମହାନ୍ତି ସ୍ଵାଧୀନତା ପରବର୍ତ୍ତୀ ବୟୋଜ୍ୟେଷ୍ଠ ଔପନ୍ୟାସିକ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାର ଉଦ୍ଦେଶ୍ୟ ନେଇ ଉପନ୍ୟାସ ରଚନା କରିଥିଲେ ସେ । ତାଙ୍କ ଉପନ୍ୟାସରେ ଭାଷାଶୈଳୀଗତ ବୈଶିଷ୍ଟ୍ୟ ଉଲ୍ଲେଖଯୋଗ୍ୟ ନ ହେଲେ ହେଁ ବିଷୟବସ୍ତୁଗତ ବୈଚିତ୍ର୍ୟ ଆଲୋଚନା କରାଯାଇପାରେ । ମାଟି ସଂପୃକ୍ତ ଉପନ୍ୟାସ ଫକୀରମୋହନ, କାଳିନ୍ଦୀଚରଣ ପାଣିଗ୍ରାହୀ ରଚନା କରିଛନ୍ତି; କିନ୍ତୁ କାହ୍ନୁଚରଣ ଉପନ୍ୟାସରେ ମାଟି ସହ ନଅଙ୍କ ଦୁର୍ଭିକ୍ଷର କରାଳ ଚିତ୍ର ତଥା ଓଡ଼ିଶା ଜନଜୀବନର ସାଂସ୍କୃତିକ, ସାମାଜିକ, ଆର୍ଥନୀତିକ, ମେରୁଦଣ୍ଡକୁ ଆଲୋଚିତ କରିଥିବା ରୂପ ଆଂକିଛନ୍ତି ‘ହା-ଅନ୍ନ’ ଓ ‘ଶାସ୍ତି’ରେ । ଦୁଇ ପ୍ରମୁଖ ପୂର୍ବସୁରୀ ସେ ବିଷୟରେ ନୀରବ । ଶରଣାର୍ଥୀଙ୍କ ସମସ୍ୟା କୈନ୍ଦ୍ରିକ ‘ତମସା ତୀରେ', ଆଦିବାସୀଙ୍କ ସାଂସ୍କୃତିକ ଜୀବନ, ରୀତିନୀତି ଆଦର୍ଶକୁ କେନ୍ଦ୍ର କରି ‘ବନଗହନର ତଳେ’, କୈବର୍ତ୍ତ ସମ୍ପ୍ରଦାୟର ଜୀବନଚର୍ଯ୍ୟାର ରୂପାୟନ ‘ପାବନୀ’ରେ ଘଟିଛି । ଏ ସମସ୍ତ ଉପନ୍ୟାସରେ ଅଞ୍ଚଳ ଓ ଆଞ୍ଚଳିକ ସଂସ୍କୃତି ଜୀବନ୍ତ ହୋଇଉଠିଛି । ଏଗୁଡ଼ିକରେ ବିଷୟବସ୍ତୁଗତ ବୈଚିତ୍ର୍ୟ ପରିଲକ୍ଷିତ । ଶାସ୍ତି, ଝଂଜା, ପରୀ, କା ଆଦି ଉପନ୍ୟାସରେ ଅନ୍ତର୍ଦ୍ୱନ୍ଦ୍ୱର ମର୍ମସ୍ପର୍ଶୀ ଚିତ୍ରଣ ଓଡ଼ିଆ ପାଠକ ପାଇଁ ଆଣିଛି ନୂତନତା । ତାଙ୍କର ପ୍ରାୟ ସମସ୍ତ ଉପନ୍ୟାସ ନାରୀଜାତି ପ୍ରତି ସହାନୁଭୂତିଶୀଳ । ତା’ର ଦୁଃଖକଷ୍ଟ, ନିର୍ଯାତିତ, ଅସହାୟ ଜୀବନର ଆର୍ତ୍ତିରେ ଉପନ୍ୟାସଗୁଡ଼ିକ ପ୍ରତିଧ୍ୱନିତ । ବାଲ୍ୟବିବାହ ଉଚ୍ଛେଦ, ବିଧବା ବିବାହ, ପୁନର୍ବିବାହ, ପରଦା ପ୍ରଥା ଉଚ୍ଛେଦ, ନାରୀଶିକ୍ଷା ପ୍ରସାର, ନାରୀ ସ୍ଵାଧୀନତା, ତା’ର ସମ୍ମାନ ସୁରକ୍ଷା, ନାରୀ ଜାଗରଣ କଥା ଯେମିତି ମୁକ୍ତ କଣ୍ଠରେ କହିଛନ୍ତି, ସେମିତି ମଙ୍ଗୁଳୀ କନ୍ୟା, ସନ୍ତାନହୀନା, ବିଧବା ନାରୀର ଦୁଃଖଯାତନାର କରୁଣା ଗାଥା ଗାଇଛନ୍ତି । ବହିର୍ବିଶ୍ଵର ଚିତ୍ର ଆଙ୍କିବାରେ ସେ ଯେତିକି ଧୂରୀଣ ସେତିକି ଅନ୍ତର୍ଜଗତର । ସାମାଜିକ ସମସ୍ୟା ସହ ତାଙ୍କୁ ବିଚଳିତ କରିଛି ବ୍ୟକ୍ତି ସମସ୍ୟା । ଏ ସମସ୍ତ ବିଷୟବସ୍ତୁ ପରିବେଷଣ ପାଇଁ ସେ କୌଣସି ନୂତନ ଭାଷା-ଶୈଳୀ ଗ୍ରହଣ କରିନାହାନ୍ତି । ବିଷୟବସ୍ତୁଗୁଡ଼ିକ ସୁଖପାଠ୍ୟ, ଏକମୁଖୀ । ଭାଷା ବର୍ଣ୍ଣନାଧର୍ମୀ, ସମ୍ୱେଦନଶୀଳ ଓ କାବ୍ୟିକ । ଗ୍ରାମର ଲୋକମୁଖର ଭାଷା ଏଥିରେ ବ୍ୟବହୃତ । ଏହି ଭାଷାଶୈଳୀ ଚରିତ୍ରଗୁଡ଼ିକୁ ଯେତିକି ଜୀବନ୍ତ ଓ ପାଠକର ଅନ୍ତରଙ୍ଗ କରେଇଛି, ସେତିକି ସ୍ୱତଃସ୍ଫୂର୍ତ୍ତ, ସ୍ଵଚ୍ଛନ୍ଦ ଓ ସାବଲୀଳ ମନେହୋଇଛି । କାହ୍ନୁଚରଣ ଉପନ୍ୟାସର ପୃଷ୍ଠଭୂମି ଓଡ଼ିଶାର ପୁରପଲ୍ଲୀ । ନିଜ ଅନୁଭୂତିର ଜଗତରୁ ସେ ଆଣିଛନ୍ତି ଅଜସ୍ର ଚରିତ୍ର ଓ ଗାଁର ଚିତ୍ର । ତେଣୁ ସନିଆ, ଧୋବୀ ପରି ପରିଚିତ ଜଗତର ଚରିତ୍ରମାନେ ପାଠକକୁ ଆକର୍ଷଣ କରନ୍ତି । ବିଶେଷ ଭାବେ ତାଙ୍କ ନାରୀ ଚରିତ୍ର ପ୍ରତି ଆନ୍ତରିକତା ତାଙ୍କୁ ପାଠକ-ପ୍ରିୟ କରିଛି । ପଲ୍ଲୀ ସକାଳ, ସଂଜ, ଗାଁଦାଣ୍ଡ, ଖୁଦୁରୁକୁଣୀ ଓଷା ଆଦି ବର୍ଣ୍ଣନାରେ ତାଙ୍କ ଲେଖନୀ ଅଦ୍ଭୁତ ଭାବରେ ସ୍ୱଚ୍ଛନ୍ଦ ଓ ସାବଲୀଳ । ଭାଷାରେ ଅଳଂକରଣ ପାଇଁ ପ୍ରୟାସ ନାହିଁ, ଅପେକ୍ଷା ନାହିଁ, ଅଛି ଲୋକମୁଖର ଭାଷାର ଆବେଗ, ସ୍ପନ୍ଦନ । କାହ୍ନୁ ମହାନ୍ତିଙ୍କର ଭାଷା, ଭାବଦ୍ୟୋତକ ନୁହେଁ, ଭାବକୁ ଉଦ୍ଦୀପିତ କରେନା, ଚିତ୍ର ସଦୃଶ ଆଂକିଯାଏ ବାସ୍ତବ, ନିଖୁଣ ଛବି । ଉଭୟ ଗୋପୀନାଥ ମହାନ୍ତି ଓ କାହ୍ନୁଚରଣ ମହାନ୍ତି ଗ୍ରାମୀଣ ଭାଷାକୁ ଗ୍ରହଣ କରିନେଇଥିଲେ ହେଁ ଗୋପୀନାଥ ମହାନ୍ତିଙ୍କ ଭାଷାର ପ୍ରତୀକାତ୍ମକତା, ରୂପକାତ୍ମକତା, ସୂକ୍ଷ୍ମ ବ୍ୟଞ୍ଜନା ଏଥିରେ ନାହିଁ । ଭାବର ପ୍ରବାହମାନତା ରହିଛି, ଆବେଗପ୍ରବଣତା ରହିଛି, ମାତ୍ର ତାହା ଗତାନୁଗତିକ, ଚିରାଚରିତ । ତାଙ୍କର ରଚନାଶୈଳୀ ବର୍ଣ୍ଣନାପ୍ରଧାନ ଓ ମାର୍ମିକ । ଶୈଳୀ ଅକୃତ୍ରିମ, ଶବ୍ଦପ୍ରୟୋଗ ସାଧାରଣ । ଯେଉଁଠି ଗୋପୀନାଥ ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ, ଚନ୍ଦ୍ରଶେଖର ରଥ, ହୃଷୀକେଶ ପଣ୍ଡା ଆଦି ସାଧାରଣ ପାଠକ ନିକଟରେ ପହଞ୍ଚିପାରନ୍ତିନି, ସେଠି କାହ୍ନୁଚରଣ ମହାନ୍ତି ଲୋକପ୍ରିୟ ତାଙ୍କର ସହଜ, ସରଳ ଭାଷାଶୈଳୀ ନିମନ୍ତେ ।

 

ଗୋପୀନାଥ ମହାନ୍ତି ଏ ଧାରାର ଔପନ୍ୟାସିକ ନୁହନ୍ତି । ଉପନ୍ୟାସର ଆତ୍ମିକ ପରିବର୍ତ୍ତନରେ ତାଙ୍କର ଅବଦାନ ଅନେକ । ତାଙ୍କ ଉପନ୍ୟାସର ପୃଥିବୀ ଆଦିବାସୀ ସଂସ୍କୃତିଠାରୁ ଆରମ୍ଭ କରି ସହର ଉପକଣ୍ଠରେ ବାସ କରୁଥିବା ହରିଜନ ଓ ସହରର ବିଶିଷ୍ଟ ନାଗରିକ ଜୀବନ ପର୍ଯ୍ୟନ୍ତ ବ୍ୟାପ୍ତ । ଦାଦିବୁଢ଼ା, ପରଜା, ଅମୃତର ସନ୍ତାନ, ଶିବଭାଇ, ଅପହଞ୍ଚ ଆଦି ନୃତତ୍ତ୍ୱମୂଳକ, ମନଗହୀରର ଚାଷ, ଲୟବିଲୟ, ରାହୁର ଛାୟା ଆଦି ଚେତନାପ୍ରବାହୀ ଉପନ୍ୟାସ ସହର ଜୀବନର ରୁଗ୍‌ଣ ମାନସିକତା, ଚାକିରୀଜୀବୀର ଉପରକୁ ଉଠିବାର ନିଶା ଓ ସହର ଜୀବନର ନାନାଦି ସମସ୍ୟା ଓ ଘଟଣାକୁ କେନ୍ଦ୍ର କରି ଶରତବାବୁଙ୍କ ଗଳି, ସପନ ମାଟି, ତନ୍ତ୍ରୀକାର, ଦାନାପାଣି, ପାହାନ୍ତା, ଆକାଶ ସୁନ୍ଦେରୀ, ଅନଳନଳ, ଗାନ୍ଧୀ ଆଦର୍ଶ ଭିତ୍ତିକ ସପନମାଟି ଆଦି ଉପନ୍ୟାସ ରଚିତ । ପ୍ରତ୍ୟେକ ଉପନ୍ୟାସର ପରିବେଶ ଭିନ୍ନ ଭିନ୍ନ । ମନୁଷ୍ୟ ଜୀବନ ଏଥିରେ ନାନା ଭାବରେ ଚିତ୍ରିତ । ତା’ର ଦୁଃଖ, ଯନ୍ତ୍ରଣା, ନିଃସଙ୍ଗତା, ଅସହାୟତା, ବିଷାଦବୋଧ, ପୁନଶ୍ଚ ସେଇ ବିଷଣ୍ଣତା, ବିବର୍ଣ୍ଣତା ମଧ୍ୟରେ ସେ ସ୍ଵପ୍ନ ଦେଖେ ଉଜ୍ଜ୍ୱଳ ଭବିଷ୍ୟତର, ଆଶାର ଆଲୋକରେ ଦୀପ୍ତ ହୋଇ ଅମୃତର ସନ୍ଧାନ କରେ ।

 

ସେ ବିଶେଷ ଭାବେ ବର୍ଣ୍ଣନାତ୍ମକ ଶୈଳୀରେ ରଚନା କରିଛନ୍ତି । ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ନଈପଠା, ବର୍ଷାଋତୁ, ପାହାଡ଼ିଆ ଶୀତ, ତଇଲା ଜମି, ଡଙ୍ଗର, ସମୁଦ୍ର, ସହରୀ ଓ ଗ୍ରାମ୍ୟ ଜୀବନ ସବୁକିଛିର ଏକ ଚିତ୍ରୋପମ ବର୍ଣ୍ଣନା ମିଳେ ତାଙ୍କ ଉପନ୍ୟାସରେ । ବର୍ଣ୍ଣିତ ଦୃଶ୍ୟ, ଚରିତ୍ର ଓ ଘଟଣା ପାଠକର ପ୍ରତ୍ୟକ୍ଷୀଭୂତ ହୁଏ । ଓଡ଼ିଆ ଭାଷାର ଯେଉଁ ରୂପକୁ ତାଙ୍କ ଉପନ୍ୟାସରେ ସେ ସ୍ଥାନ ଦେଇଛନ୍ତି ତା ପୂର୍ବସୁରୀ ଫକୀରମୋହନ, କାଳିନ୍ଦୀଚରଣ ଓ କାହ୍ନୁ ମହାନ୍ତିଙ୍କଠାରୁ ସେ ଗ୍ରହଣ କରିଛନ୍ତି । ଲୋକମୁଖର ଗ୍ରାମୀଣ ଭାଷାକୁ ସେ ପ୍ରତିଷ୍ଠିତ କରିଛନ୍ତି ସାହିତ୍ୟିକ ମର୍ଯ୍ୟାଦା ଦେଇ । ଫକୀରମୋହନଙ୍କ ଉପନ୍ୟାସର ଘଟଣା ଓ ଚରିତ୍ର ପ୍ରଧାନତା ତାଙ୍କ ଭାଷାକୁ ଗ୍ରାମୀଣ ହେଲେ ମଧ୍ୟ ଭିନ୍ନ ବର୍ଗର କରିଥିଲା । ସେଥିରେ ବ୍ୟଙ୍ଗ ଅଛି, ବ୍ୟଞ୍ଜନା ଅଛି । ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ମହାକାବ୍ୟିକ ବିସ୍ତୃତି ଯୋଗୁଁ ବର୍ଣ୍ଣନାର ପ୍ରାବଲ୍ୟ ରହିଛି ଏବଂ ତାହା ଗ୍ରାମୀଣ ହେଲେ ମଧ୍ୟ ସେଥିରେ ରହିଛି ସୂକ୍ଷ୍ମଭାବ ବ୍ୟଞ୍ଜନା । ସେ ଶବ୍ଦ ନିର୍ବାଚନ, ସଂଯୋଜନ ଓ ସଜ୍ଜୀକରଣରେ ଅତି ସତର୍କ । ଝରଣାର ଅବାରିତ ଜଳଧାରା ପରି କଳକଳ ନାଦରେ ମୁଖରିତ ତାଙ୍କର ଭାଷା । ପରିଚିତ ଜଗତର, ଅନୁଭୂତ ଘଟଣାର ଟିକିନିଖି ଫଟୋଗ୍ରାଫିକ୍ ବର୍ଣ୍ଣନା, ଆନ୍ତରିକତାରେ ସିକ୍ତ । ପାଠକର ଆଖି ଆଗରେ ଯେପରି ସେ ଦୃଶ୍ୟପଟକୁ ତୋଳି ଧରନ୍ତି ସେହିପରି ମନ ମଧ୍ୟରେ ତାର ଭାବକୁ ଅନୁରଣତି କରିପାରନ୍ତି । ଗ୍ରାମୀଣ ଭାଷା ସହିତ କାବ୍ୟିକତା ତାଙ୍କ ଉପନ୍ୟାସକୁ ଯଥାର୍ଥରେ ଗଦ୍ୟକାବ୍ୟର ଆଖ୍ୟା ଦେଇପାରିଛି । ତାଙ୍କର ଅତି ସାଧାରଣ ବର୍ଣ୍ଣନା ମଧ୍ୟ ପାଠକ ମନରେ ରେଖାପାତ କରେ, ଭାବକୁ ଆନ୍ଦୋଳିତ କରେ । ଯେଉଁ ଉପନ୍ୟାସଗୁଡ଼ିକରେ ତତ୍ତ୍ୱ ବା ଦର୍ଶନ ପ୍ରଖ୍ୟାପିତ ତାହା ବୌଦ୍ଧିକ ପାଠକ ସୃଷ୍ଟି କରିପାରିଛି । ସାଧାରଣ ପାଠକ ନିକଟରେ ତାଙ୍କର ଚେତନାଧର୍ମୀ ଉପନ୍ୟାସ ପ୍ରିୟ ହୋଇପାରିନି । ଧ୍ୱନ୍ୟାତ୍ମକ ଶବ୍ଦ, ଆଦିବାସୀ ଶବ୍ଦ, ନିପଟ ଗାଉଁଲୀ ଶବ୍ଦ ସହିତ ଉପମା, ରୂପକ, ଚିତ୍ରକଳ୍ପର ଅପୂର୍ବ ପ୍ରୟୋଗ ଭାଷାକୁ କରିଛି ଅଧିକ ଭାବ ପ୍ରକାଶକ୍ଷମ । ଦୃଷ୍ଟାନ୍ତ- ବୃଷାଳ ଦେହ, ସାପେଇ ସାପେଇ ରାସ୍ତା, କାନ୍ଦୁରା ଆଲୁଅ, ଖାଲ ଉପରେ ପର୍ବତର ଛାଇ ପରି ମୁହଁରେ ବିଷାଦ ଟାଙ୍ଗି ହୋଇ ରହେ, ନୈରାଶ୍ୟର ଶାନ୍ତି, ଆଖି ଶଗଡ଼ ଚକ ପରି ବୁଲେ, ‘ଅନ୍ଧାର ମୁଣ୍ଡେଇ ବାପ ପୁଅ ଯୋଡ଼ିକ ଢାଲୁଏ ଢାଲୁଏ ଉଠିଗଲେ, ‘କୁହୁଡ଼ିଆ ସକାଳ- ପୁଟିଂନେସା କାଚ ଝରକା ବାଟେ ଆଲୁଅ ପରି, ‘କେଡ଼େ ଗରମ- କେଡ଼େ ଭୟାନକ- କି ଗର୍ଜନ ତା’ର ପହିଲି ଆଷାଢ଼ର କଳା ଆକାଶରେ ବଜ୍ର ଘଡ଼ଘଡ଼ି ଯେପରି ଶବ୍ଦରେ ଶବ୍ଦରେ ଆଂକିଯାଉଛି ସେହି କଥା- ସେହି କଥା’, ‘ଗରୀବର ଘରକରଣା ସୁକୁସୁକୁ ହୋଇ ଚାଲିଥାଏ’, ‘ସାହୁକାରର ମହୁଫେଣା ପରି ଭଣ୍ଡାର’, କିଟିକିଟିଆ ଅନ୍ଧାର ଛିରିକିପଡ଼ୁଛି, ‘ମନ ନୂଆ ବନ୍ଧଡ଼ ପିନ୍ଧି ଶିଖୁଛି । ହେଉ ସେ ପଛେ ଅଳଂକାର, ବିବାହ, ତା’ର ମଧ୍ୟ ଓଜନ ଅଛି, ଭଲ ଦିଶେ, କିନ୍ତୁ ବେଳେ ବେଳେ ଅଳ୍ପ ବହୁତେ କାଟେ ।’ ‘ସୁକୃ ଥାପଡ଼ ଖାଇଲା ପରି ଥମ୍ କରି ନିଭିଗଲା ।’ ଶବ୍ଦ ପ୍ରୟୋଗରେ ବୈଚିତ୍ର୍ୟ– ନୂତନ ପ୍ରକାରର ବିଶେଷଣ, ଧ୍ୱନ୍ୟାତ୍ମକ ଶବ୍ଦ, ବିଶେଷ୍ୟ ତଥା କ୍ରିୟାପଦର ଅନନ୍ୟ ପ୍ରୟୋଗ ଆଭିଧାନିକ ଅର୍ଥ ଅତିରିକ୍ତ ଏକ ବୃହତ୍ତର ଅର୍ଥବଳୟ ସୃଷ୍ଟି କରେ । ଫକୀରମୋହନଙ୍କ ଗାଉଁଲୀ ଭାଷା ପରିପକ୍ୱତା ଲାଭ କରିଛି ଗୋପୀନାଥଙ୍କ ହାତରେ । ତେବେ ଉପନ୍ୟାସ ଭେଦରେ ତାଙ୍କର ଭାଷାଶୈଳୀ ମଧ୍ୟ ପୃଥକ୍ । ‘ଅମୃତ ସନ୍ତାନ’ରେ ବିବରଣାତ୍ମକ ଶୈଳୀ, ପରଜା, ମାଟିମଟାଳ ଆଦିରେ ବର୍ଣ୍ଣନାତ୍ମକ ଶୈଳୀ, ମନଗହୀରର ଚାଷ ପ୍ରଥମ ପୁରୁଷରେ ରଚିତ, ଆକାଶ ସୁନ୍ଦେରୀରେ ବିରାମହୀନ ବର୍ଣ୍ଣନାଶୈଳୀ ବିଷୟ ଭେଦରେ ଗୃହୀତ । ଆକାଶ ସୁନ୍ଦରୀ ଗତାନୁଗତିକ ଧାରାରେ ରଚିତ ନୁହେଁ । କଥାବସ୍ତୁର ଆରମ୍ଭ, ବିକାଶ ଓ ବିଲୟ ନାହିଁ । ଅନେକ ସମୟରେ ତାଙ୍କର ଦୀର୍ଘ ତନ୍ମୟମୂଳକ ବର୍ଣ୍ଣନାଶୈଳୀ, ଉପନ୍ୟାସର ସ୍ଥୁଳକାୟା ପାଠକକୁ ବିରକ୍ତିକର ବୋଧହୁଏ । ନାଟକୀୟତା, ଚମତ୍କାରିତାବିହୀନ ବର୍ଣ୍ଣନାଶୈଳୀରେ ପାଠକ କ୍ଲାନ୍ତ ହୋଇଉଠେ । ସାମ୍ପ୍ରତିକ ଉପନ୍ୟାସରେ ଭାଷା ସରଳ, କଥିତ ପର୍ଯ୍ୟାୟର କାରଣ ଲେଖକ ନିଜ ଅନୁଭୂତିର କଥା, ବ୍ୟକ୍ତିଚେତନାର କଥା ତା’ ପରିଚିତ ଭାଷା ମାଧ୍ୟମରେ କହିବା ସ୍ଵାଭାବିକ । ଯେତେବେଳେ ଲେଖକ ଅନ୍ୟ ଏକ ଜଗତ ଯେପରି ଐତିହାସିକ, ପୌରାଣିକ ବା ବୈଜ୍ଞାନିକ ବିଷୟକୁ ନିଜ ଉପନ୍ୟାସରେ ସ୍ଥାନ ଦିଏ ସେତେବେଳେ ଭାଷା ବଦଳିଯାଏ ସ୍ୱତଃସ୍ଫୂର୍ତ୍ତ ଭାବେ । ତେଣୁ ସୁରେନ୍ଦ୍ର ମହାନ୍ତିଙ୍କ ନେତିନେତି, ହଂସଗୀତି, କାଳାନ୍ତରର ଭାଷା ନୀଳଶୈଳ, ନୀଳଦ୍ରିବିଜୟ ଆଦିଠାରୁ ଭିନ୍ନ । ସମସ୍ତ ନୈରାଶ୍ୟ, ହତାଶା, ଯନ୍ତ୍ରଣା ମଧ୍ୟରେ ସେ ଜୀବନର ଜୟଗାନ କରିଛନ୍ତି । ଜୀବନର ଗଭୀର ଅବବୋଧରୁ ଲେଖକଙ୍କର ଏ ଉପନ୍ୟାସ ରଚନା । ସୁତରାଂ ଏକ ସାର୍ବଜନୀନ ଓ ସାର୍ବକାଳିକ ସତ୍ୟର ଉଦ୍‌ଘୋଷଣ କରିଛନ୍ତି । ଓଡ଼ିଆ ଉପନ୍ୟାସରେ ବିଭିନ୍ନ ଔପନ୍ୟାସିକଙ୍କ ରଚନାରେ ଭାଷା ବିବିଧ ରୂପ ଗ୍ରହଣ କରି ସମୃଦ୍ଧ ହୋଇଛି । ବହୁ ପ୍ରାଚୀନ, ଗାଉଁଲୀ, ଅପ୍ରଚଳିତ ଶବ୍ଦ, ବ୍ୟାବହାରିକ ମୂଲ୍ୟ ହରେଇ ବସୁଥିବା ଶବ୍ଦ ପୁନର୍ଜନ୍ମ ପାଇଛନ୍ତି ଗୋପୀନାଥଙ୍କ ରଚନାରେ । ମନେହୁଏ ସତେ ଯେପରି ଶବ୍ଦରେ ଅର୍ଥପ୍ରକାଶ କ୍ଷମତାଠାରୁ ଗୋପୀନାଥ ମହାନ୍ତିଙ୍କ ଶୈଳୀରେ ଅର୍ଥଦ୍ୟୋତିତ କରିବାର ଶକ୍ତି ଅଧିକ । ଶବ୍ଦର ଜୀବନୀଶକ୍ତି ଓ ବକ୍ତବ୍ୟରେ କାବ୍ୟିକତା ଗୋପୀନାଥଙ୍କ ଭାଷାଶୈଳୀକୁ କରିଛି ଅଧିକ ସ୍ପନ୍ଦିତ ଓ ଗତିଶୀଳ । “ଡେଙ୍ଗା, ନଡ଼ିଆ ଗଛଟା ବଙ୍କା ହୋଇ ଠିଆ ହୋଇଛି ଢିଅ ଆବୋରି । ତା’ର ବୟସ ହେଲାଣି । ଅବିକଳ ବୁଢ଼ାଲୋକ ପରି । ଦେହଯାକ କେତେ ଖରାପୋଡ଼ି ଆଉ ପାଣିଦାଗ, ଜୀବନଯାକର ଚିଆ– ତା’ର ଅବଦାନ ଖାଲି ପଥୁରିଆ ଗୋଟମା, ଅଧାରୁ ଶୁଖି ଝଡ଼ିପଡ଼େ, ଯଦିବା କେବେ ନଡ଼ିଆ ହୁଏ ସେ ଭୂତଖିଆ । ତଥାପି ତା’ର ଆପଣାଠି ପ୍ରୟୋଜନ ସରିନି, ସେ ବଂଚିଛି ।” (ମାଟି ମଟାଳ) ଗୋପୀ ମହାନ୍ତିଙ୍କ ରଚନାଶୈଳୀ ଓଡ଼ିଆ ଭାଷାର ସାଧାରଣ ଶବ୍ଦ, ସାଧାରଣ ପ୍ରୟୋଗକୁ ମଧ୍ୟ ମର୍ଯ୍ୟାଜୀବନ୍ତ କରିଛି ।

 

ସୁରେନ୍ଦ୍ର ମହାନ୍ତି, କାହ୍ନୁଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତିଙ୍କଠାରୁ ଭାଷା ଓ ବିଷୟ ଉଭୟ ଦୃଷ୍ଟିରୁ ପୃଥକ୍ । ତାଙ୍କ ଉପନ୍ୟାସରେ ପାଠକ ବିଷୟବସ୍ତୁଗତ ନୂତନତା ପାଏ । ସ୍ଵାଧୀନତାକାଳୀନ ସାମାଜିକ ତଥା ରାଜନୈତିକ ଅବକ୍ଷୟର ଚିତ୍ର ବହନ କରି ‘ଅନ୍ଧ ଦିଗନ୍ତ’ ଓଡ଼ିଆ ରାଜନୀତିକ ଉପନ୍ୟାସ କ୍ଷେତ୍ରରେ ସୃଷ୍ଟି କରିଛି ଏକ ଦିଗନ୍ତ । ଐତିହାସିକ ଉପନ୍ୟାସ ନୀଳଶୈଳ, ନୀଳାଦ୍ରିବିଜୟ, କୃଷ୍ଣାବେଣୀରେ ସନ୍ଧ୍ୟା, ଚରିତ ଉପନ୍ୟାସ, ଆତ୍ମଜୀବନୀମୂଳକ ସାମାଜିକ ସମସ୍ୟାମୂଳକ ଉପନ୍ୟାସ ଓଡ଼ିଆ ଉପନ୍ୟାସର ନୂତନ ଦିଗ୍‌ଦର୍ଶକ ହୋଇଛି ।

 

ଓଡ଼ିଆ ଉପନ୍ୟାସ ରଚନାଧାରାରେ ଭାଷା ଓ ଶୈଳୀଗତ ବୈଶିଷ୍ଟ୍ୟ ଯାହା ଫକୀରମୋହନଙ୍କ ହାତରେ ଭିତ୍ତିପ୍ରସ୍ତର ସ୍ୱରୂପ ସ୍ଥାପିତ ହୋଇଥିଲା ତାର କିଞ୍ଚିତ ପରିବର୍ତ୍ତନ କାହ୍ନୁଚରଣ ମହାନ୍ତିଙ୍କ ଗ୍ରାମ୍ୟ, ସହଜ, ସରଳ, କଥିତ ଓ ସ୍ୱତଃସ୍ଫୂର୍ତ୍ତ ଧାରାରେ ପରିଲକ୍ଷିତ ହୋଇଛି-। ତା’ର ଏକ ଭିନ୍ନ, ପରିବର୍ତ୍ତିତ ଓ ଦୃଢ଼ ରୂପ ଆତ୍ମପ୍ରକାଶ କରିଛି ‘ମାଟିର ମଣିଷ’ରେ । ଫକୀରମୋହନଙ୍କ ଭାଷା ଓ ଶୈଳୀରେ ଗ୍ରାମ୍ୟ ଭାଷାର କଥିତ ରୂପ ବ୍ୟବହୃତ ହୋଇଥିଲେ ମଧ୍ୟ ଏଥିରେ ବ୍ୟଙ୍ଗ-ବିଦ୍ରୂପର ଛଟା ଥିଲା ଭରପୂର । କାଳିନ୍ଦୀଙ୍କ ଭାଷାଶୈଳୀରେ ରହିଛି ଏକପ୍ରକାର ବିନମ୍ରତା ଯାହା ପରିଲକ୍ଷିତ ହୁଏ ପଲ୍ଲୀର ଶାନ୍ତ- କମନୀୟ ରୂପରେ । ପଲ୍ଲୀ ଜୀବନ ଚିତ୍ରଣ ସମୟରେ ଭାଷାଶୈଳୀ ମଧ୍ୟ ଆତ୍ମାରେ ପଲ୍ଲୀମୁଖୀ ହୋଇଉଠିଛି । ଏଥିରେ ଛଦ୍ମତା, କପଟତା, ବାହ୍ୟାଡମ୍ୱର ନାହିଁ । ଏକ ସହଜ, ସାବଲୀଳ ରୂପରେ ଗତି କରିଛି ଏ ଭାଷା । ସତେ ଯେପରି ପାହାଡ଼ି ଶଯ୍ୟାରେ ନଦୀ ନୁହେଁ ସମତଳ ଶଯ୍ୟାର ଶାନ୍ତ, ଧୀର, ସାବଲୀଳ ରୂପ । ଏକ ଅଖ୍ୟାତ ପଲ୍ଲୀର ସାଧାରଣ ଚାଷୀର ଭାଷାରେ ନା ଥାଏ କୃତ୍ରିମତା ନା ବକ୍ତ୍ରୋକ୍ତି । ଲେଖକର ଆବେଗ ଉଚ୍ଛ୍ୱାସରେ ଭାଷା ଉଷ୍ମ । ବିଷୟବସ୍ତୁ, ଚରିତ୍ର ସହିତ ଲେଖକ କେତେ ପରିମାଣରେ ଏକାତ୍ମ ତା’ର ପରିଚୟ ଦିଏ ତାଙ୍କ ଭାଷା ପ୍ରୟୋଗ । ଯଦି କୌଣସି ଭାଷାଶୈଳୀ ପାଠକକୁ ଚରିତ୍ର ପ୍ରତି ଆର୍ଦ୍ର କରାଏ, ବିଷୟ ସହ ଏକାତ୍ମ କରାଇପାରେ ତେବେ ତାହା ଲେଖକର ସଫଳତା । ଏହା ଫକୀରମୋହନ, କାହ୍ନୁଚରଣ ମହାନ୍ତି, କାଳିନ୍ଦୀଚରଣଙ୍କ ଉପନ୍ୟାସରେ ଉପଲବ୍ଧି କରାଯାଇଥାଏ । ଯୁକ୍ତିପ୍ରବଣତା, ଯୁକ୍ତି ନିୟୁତା ଅପେକ୍ଷା ଆବେଗସିକ୍ତ ଭାଷା କାହ୍ନୁ ମହାନ୍ତିଙ୍କର । ଶବ୍ଦ ସଂଯୋଜନାରେ ପାଣ୍ଡିତ୍ୟ ପ୍ରଦର୍ଶନର ଆକାଂକ୍ଷା ନାହିଁ, ହୃଦୟର ଆହ୍ୱାନରେ ଏହା ରଚିତ । କାହ୍ନୁଚରଣଙ୍କ ଭାଷାରେ ସେ ବଳିଷ୍ଠତା ବା ଦୃଢ଼ତା ନାହିଁ ଯାହା ‘ମାଟିର ମଣିଷ’ରେ ରହିଛି । ଏକ ମେରୁଦଣ୍ଡହୀନ ପ୍ରାଣୀ ସଦୃଶ ଦୃଢ଼ତାବିହୀନ । ଅନେକ ସମୟରେ ପୁନରାବୃତ୍ତି ଦୋଷଯୁକ୍ତ ।

 

ଭାଷାଶୈଳୀର ଏକ ପ୍ରଚଳିତ ଧାରା ସୁରେନ୍ଦ୍ର ମହାନ୍ତିଙ୍କ କ୍ଷେତ୍ରରେ ବ୍ୟାହତ ହେଲା । ସେ ପ୍ରବର୍ତ୍ତନ କଲେ ଏକ ନୂତନ ଶୁଦ୍ଧ ସାହିତ୍ୟିକ ଧାରା । ତାଙ୍କ ସଫଳତା ଓ ପାଠକୀୟ ଆକର୍ଷଣର କେନ୍ଦ୍ରବିନ୍ଦୁ ତାଙ୍କ ଭାଷା ଓ ରଚନା ଶୈଳୀ । ଏ ଦୃଷ୍ଟିରୁ ସେ ଜଣେ ବିସ୍ମୟକର ସ୍ରଷ୍ଟା । ସାହିତ୍ୟରେ ମୁଖ୍ୟତଃ ଦୁଇ ପ୍ରକାର ଭାଷାଶୈଳୀ ବ୍ୟବହୃତ ହୋଇଥାଏ । ଫକୀର ମୋହନ, କାଳିନ୍ଦୀଚରଣ ଓ କାହ୍ନୁଚରଣ ମହାନ୍ତିଙ୍କ ପ୍ରବର୍ତ୍ତିତ ଗ୍ରାମ୍ୟ ଓ ଲୋକ ମୁଖର ଭାଷା ଅନ୍ୟଟି ଶୁଦ୍ଧ, ସାହିତ୍ୟିକ, ସଂସ୍କୃତାୟିତ । ପ୍ରଥମଟି ପାଠକକୁ ଆକୃଷ୍ଟ କରେ କାରଣ ତାହା ତା’ର ପରିଚିତ ପରିମଣ୍ଡଳୀୟ ଭାଷା । ଉପନ୍ୟାସର ପ୍ରତ୍ୟେକ ଚରିତ୍ର ସହିତ ପାଠକ ସମ୍ପର୍କ ସ୍ଥାପିଦିଏ, ନିଜ ଚର୍ତୁଃପାର୍ଶ୍ୱରେ ଘଟୁଥିବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ପାଲଟିଯାଏ ଆଉ ଲେଖକ ତା’ର ଜଣେ ପରିଚିତ ବ୍ୟକ୍ତି । ଏ ଆପଣାର ଭାବ ଓ ଆପଣାର ଜଗତରୁ ସେ ବିଚ୍ଛିନ୍ନ ହୋଇଯାଏ । ଲେଖକର ସାହିତ୍ୟିକ ଶବ୍ଦଗୁଂଫନ ଓ ଶବ୍ଦାଡମ୍ବରରେ । ସାଧାରଣ ଲୋକମୁଖର ଭାଷା ପ୍ରୟୋଗରେ ଲେଖକ ଯେତେ ସାବାସି ପାଉନା କାହିଁକି ପାଠକୀୟ ସମ୍ବେଦନା ଓ ଅନ୍ତରଙ୍ଗତାର ଊଣା ରହିଯାଏ । ମାତ୍ର ସୁରେନ୍ଦ୍ର ମହାନ୍ତି ଏ ଦୃଷ୍ଟିରୁ ଏକ ବ୍ୟତିକ୍ରମ । ବିଷୟବସ୍ତୁଗତ ବୈଚିତ୍ୟକୁ ଖାପ୍‌ଖୁଆଇ ଭାଷା ଶୈଳୀର ବର୍ଣ୍ଣିଳା ସମ୍ଭାର ଲକ୍ଷ୍ୟକରାଯାଇପାରେ । ତାଙ୍କର ଶବ୍ଦବିନ୍ୟାସ, ଉପମା, ଚିତ୍ରକଳ୍ପ ପ୍ରୟୋଗ, ବିଶେଷଣ ବ୍ୟବହାର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସାହିତ୍ୟିକ ଭାଷା କୃତ୍ରିମ, କଥିତପରି ସ୍ୱାଭାବିକ, ଅକୃତ୍ରିମ ନୁହେଁ । କିନ୍ତୁ ଔପନ୍ୟାସିକଂକ ସାହିତ୍ୟିକ ଭାଷାରେ ଏ କୃତ୍ରିମତା ଅନୁଭବ କରିହୁଏ ନାହିଁ-। ଲେଖକ ଗଭୀର ଆବେଗ ଓ ହୃଦୟର ଉଷ୍ମତା ସହିତ ଏହା ରଚନା କରିଛନ୍ତି । ତେଣୁ ପ୍ରତ୍ୟେକଟି ଗୁରୁଗମ୍ଭୀର, ଓଜଗୁଣ ସଂପନ୍ନ ଶବ୍ଦ ଲେଖକଙ୍କର ଉଦ୍ଦେଶ୍ୟ ଅଭିପ୍ରେତ ପ୍ରୟୋଗ । ବିଶେଷ ଭାବରେ ଐତିହାସିକ ଉପନ୍ୟାସ, ବୌଦ୍ଧଯୁଗୀୟ ଓ ପୌରାଣିକ ଗଳ୍ପ ରଚନା ସମୟରେ ସତେ ଯେପରି ମହାନ୍ତିଙ୍କ ଶବ୍ଦ ରାଶି ଜୀବନ୍ୟାସ ପାଆନ୍ତି । ଶବ୍ଦ ତା’ର ସାଧାରଣ ଅଭିଧାନିକ ଅର୍ଥ ଅତିରିକ୍ତ ଏକ ବୃହତ୍ତର ଅର୍ଥ ଦ୍ୟୋତିତ କରେ । ଶବ୍ଦସମୂହ ସମ୍ମୋହିତ କରେ ପାଠକକୁ । ସାହିତ୍ୟିକ ଶବ୍ଦ ଓ ଶୈଳୀର ଯେ ଏକ ଯାଦୁ ଶକ୍ତି ଅଛି ତାହା ସୁରେନ୍ଦ୍ର ମହାନ୍ତିଙ୍କ ରଚନା ଶୈଳୀରେ ଅନୁଭବ୍ୟ । ଦୃଷ୍ଟାନ୍ତ- “ଚିଲିକା କୂଳର ଗୋଟିଏ ଅପନ୍ତରା ଗାଁରେ, ସେଦିନର ସେହି ନିଷ୍ଠୁର ନିଦାଘ ମଧ୍ୟାହ୍ନରେ ଜଳଦାତ୍ରୀ, ଆଶ୍ରୟଦାତ୍ରୀ ହତଭାଗିନୀ ସରଦେଈ ଆଉ ଝାଉଁଳିଲା ନୀଳକଇଁ ପାଖୁଡ଼ା ପରି ତାହାର ବେଦନାବିଦ୍ଧ ଆକ୍ଷି ଦୁଇଟିର ସ୍ମୃତି ! ସବୁ ସଂଘାତ, ସଂକଟ, ଛୁରିକାଘାତ, ବିଶ୍ୱାସଘାତକତା ଓ ବିପର୍ଯ୍ୟୟ ମଧ୍ୟରେ ସେହି ଆକ୍ଷି ଦୁଇଟି ଛାୟାଢଙ୍କା ନିଥର ପୁଷ୍କରିଣୀ ପରି, ତାଙ୍କର ସନ୍ତାପିତ ଆତ୍ମାକୁ ଯେପରି ବାରମ୍ବାର ସଙ୍କେତ ଦେଉଥିଲା, ଏଇଠାରେ ଏକା ସବୁ ସନ୍ତାପର ଶାନ୍ତି, ସବୁ ସଂକଟରୁ ମୁକ୍ତି, ସବୁ ଆଶଂକାରୁ ଅଭୟ ! ମାତ୍ର ଦୂରପଥ ଯାତ୍ରୀ ପାନ୍ଥ ଯେପରି, ଗନ୍ତବ୍ୟର ଅଙ୍କୁଶଘାତରେ, ପଥପାର୍ଶ୍ଵର ଛାୟାଢଙ୍କା ପୁଷ୍କରିଣୀ ପ୍ରତି ଥରେ କେବଳ ସତୃଷ୍ଣ ଦୃଷ୍ଟିପାତ କରି, ପୁଣି ସମ୍ମୁଖର ଧୂଳିଧୂସରିତ ଉତ୍ତପ୍ତ ବାଲୁକାପଥରେ ପାଦ ବଢ଼ାଏ, ରାମଚନ୍ଦ୍ର ଦେବ ସେହିପରି ସେହି ଆକ୍ଷି ଦୁଇଟିର ସୁଶୀତଳ ସ୍ମୃତି ବହନ କରି, କେବଳ କ୍ଳାନ୍ତ ଯାତ୍ରୀ ପରି ଆଗେଇ ଚାଲିଥିଲେ ।” (ନୀଳଶୈଳ-୯୦)

 

କାହ୍ନୁଚରଣ ବା ଗୋପୀନାଥ ମହାନ୍ତିଙ୍କ ପରି ସେ ଭାବ ପ୍ରକାଶ ନିମନ୍ତେ ପ୍ରଚୁର ଶବ୍ଦ ବ୍ୟୟ କରି ନାହାନ୍ତି । ତେବେ ସଂକ୍ଷିପ୍ତତା ଅପେକ୍ଷା ଅର୍ଥ ପ୍ରକାଶରେ ତୀକ୍ଷ୍‌ଣତା, ସ୍ଥୁଳ ଅର୍ଥ ପ୍ରକାଶ ଅପେକ୍ଷା ସୂକ୍ଷ୍ମ ବ୍ୟଞ୍ଜନାଧର୍ମୀ ତାଙ୍କ ଶୈଳୀ । ନାରୀର ରୂପ ବର୍ଣ୍ଣନା ହେଉ ବା ଜୀବନ ତୁଳନାରେ ନିର୍ବାଣର ଅସାରତା ହେଉ, ଓଡ଼ିଆ ଜାତିର ସାଂସ୍କୃତିକ ଚେତନା ହେଉ ବା ମନୁଷ୍ୟ ଜୀବନର ନିଃସଙ୍ଗତା ହେଉ, ସାଧାରଣ ଜନପଦ ମଧ୍ୟରେ ଏକ ରାସ୍ତା ହେଉ ବା ଚିଲିକାର ନୀଳ ଅଥଳ ଜଳରାଶି ହେଉ, ସବୁକିଛି ସୁରେନ୍ଦ୍ରଙ୍କ ଲେଖନୀରେ ଅସାଧାରଣ ହୋଇଉଠିଛି । ପାଠକର ଦୃଷ୍ଟି ସମ୍ମୁଖରେ ଚିତ୍ରତୁଲ୍ୟ ଦୃଶ୍ୟ ପରେ ଦୃଶ୍ୟ ଅଭିନୀତ ହୋଇ ଯାଉଥାଏ । ସେଠି ଚରିତ୍ରର ବାହ୍ୟ ସଂଘାତ ଯେତିକି ମାର୍ମିକ ତା’ର ଅନ୍ତର ଭିତରେ ସଂଘଟିତ ହେଉଥିବା ଅସଂଖ୍ୟ ଦ୍ୱନ୍ଦ୍ୱର ଚିତ୍ର ସୃଷ୍ଟି କରେ ସେତିକି ପାଠକୀୟ ସମ୍ବେଦନା । ତାଙ୍କ ଦୃଷ୍ଟିରେ ବିଶାଳ ପ୍ରେକ୍ଷାପଟ, କ୍ଷୁଦ୍ର ଘଟଣା, ନାୟକ ନାୟିକା ବା ଗୌଣଚରିତ୍ର କେହି ଉପେକ୍ଷିତ ନୁହେଁ । ସେ ଓଡ଼ିଆ ଭାଷାକୁ ଦେଇଛନ୍ତି ନବଜୀବନ । ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ଲେଖକ କେହି ଏ ବିଶେଷ ଧାରାରେ ରଚନା କରିନାହାନ୍ତି । ଭାଷା ସାହିତ୍ୟିକ ହେଲେ ମଧ୍ୟ ପାଠକ ଭାଷାରେ ଆକୃଷ୍ଟ ହୁଏ, ଭାବ ଆଡ଼କୁ ପ୍ରଧାବିତ ହୁଏ । ବୌଦ୍ଧଯୁଗୀୟ ଗଳ୍ପର ଭାବ ପାଠକ ମନରେ ଭାବାନ୍ତର ସୃଷ୍ଟି କରେ, ଏଥିପାଇଁ ଦାୟୀ ଭାଷା । ଭାଷା ବା ଶବ୍ଦ ପ୍ରୟୋଗ ଏତେ ଶକ୍ତିଶାଳୀ ଯେ ସେ ପାଠକକୁ ବାଧ୍ୟ କରେ ଭିତରର ଭାବ ଗ୍ରହଣ କରିବାକୁ । ପାଠକ ଲେଖକଙ୍କ ସହ ଏକମତ ନ ହେଇପାରେ । କିନ୍ତୁ ଭାଷା ଏତେ ପ୍ରଭାବଶାଳୀ, କାବ୍ୟିକ ଓ ଚୁମ୍ୱକୀୟ ଯେ ସେ ପାଠକର ମନ, ଚେତନା ଶକ୍ତିକୁ ପରିଚାଳିତ କରେ ସେହି ଅନୁସାରେ । ଏକ ବିସ୍ମୟକର ସାମର୍ଥ୍ୟ ରହିଛି ତାଙ୍କ ଲେଖନୀମୂନରେ । ଶବ୍ଦଚୟନ, ଶବ୍ଦ ନିର୍ମାଣ, ଶବ୍ଦ ବିନ୍ୟାସ ଓ ସଂଯୋଜନ ତଥା ବିଶେଷଣ ପ୍ରୟୋଗରେ ସେ ବିଶେଷଭାବେ ଲକ୍ଷ୍ୟଭେଦୀ ଓ କୁଶଳୀ । ଭଂଜୀୟ ଶବ୍ଦାଡମ୍ୱର, ଅଳଂକରଣ ଓଡ଼ିଆ ପାଠକକୁ ରଚନା ଶୈଳୀର ସଂସ୍କୃତାୟିତ ତଥା ସାହିତ୍ୟିକ ସ୍ତରର ଅସ୍ତିତ୍ୱ ସହ ପରିଚିତ କରାଇଥିଲା, କିନ୍ତୁ ଶ୍ରୀଯୁକ୍ତ ମହାନ୍ତି ସେଥିରେ ପ୍ରାଣଦାନ କରି ଚଳତ୍‌ଶକ୍ତି ଯୁକ୍ତ କଲେ । ତେଣୁ ଏ ସାହିତ୍ୟିକ ଶୈଳୀ ବା ଶବ୍ଦାଡମ୍ୱର ଆଦୌ କୃତ୍ରିମ ମନେହୁଏ ନାହିଁ । ମନେହୁଏ ସୁରେନ୍ଦ୍ର ମହାନ୍ତିଙ୍କ ପାଇଁ ଏ ଶୈଳୀ ଉଦ୍ଦିଷ୍ଟ । ଓଡ଼ିଆ ଭାଷାର ଅଭିଜାତ, ସମ୍ଭ୍ରାନ୍ତ ରୂପର ରୂପକାର ଏ ଔପନ୍ୟାସିକ । ଭଂଜୀୟ ଶୈଳୀ ପାଣ୍ଡିତ୍ୟ ପ୍ରଦର୍ଶନ, ସଂସ୍କୃତ ଭାଷା ସମକକ୍ଷ କରିବାର ତୀବ୍ର ଇଚ୍ଛାରୁ ସୃଷ୍ଟି ସତ ମାତ୍ର ଲେଖକର ଆନ୍ତରିକତା ଓ ଆସକ୍ତି ବିହୀନ, ବିଷୟ ନିରପେକ୍ଷ । ସୁରେନ୍ଦ୍ରଙ୍କ ଶୈଳୀ ମଧ୍ୟରେ ପାଠକ ଅନୁଭବ କରିପାରେ ଲେଖକ କେତେବେଶି ନିମଗ୍ନ ଏ ଭାବରେ, ଭାଷାରେ, କେତେ ବେଶି ତଲ୍ଲୀନ ଏ ଶୈଳୀରେ । ଆସକ୍ତିର ଚରମ ପରିପ୍ରକାଶ ଯଦି ସରଦେଈ ଚରିତ୍ର ହୁଏ ଯେଉଁ ସରଦେଈ ବିନା ଉପନ୍ୟାସର ଅଗ୍ରଗତି କଳ୍ପନା କରିପାରିନାହାନ୍ତି ଲେଖକ ସେହି ଚରିତ୍ର ଉପଯୋଗୀ ଭାବ ଓ ଭାଷା ସଂଯୋଜନାରେ ଲେଖକ କେତେବେଶି ସତର୍କ ଓ ଯତ୍ନଶୀଳ ହୋଇଥିବେ ତାହା ସହଜରେ ଅନୁମେୟ । ଲେଖକର ଚିନ୍ତାଚେତନା, ଭାବାବେଗ ଓ ଯୁକ୍ତି ସହ ପାଠକ ଏକମତ ହୁଏ ସ୍ୱତଃ । ସୁତରାଂ ତାଙ୍କ ରଚନାରେ ରହିଛି ଏକ ସଂକ୍ରାମକ ଜୀବନୀଶକ୍ତି । ଲେଖକର ଅଭିପ୍ରେତ ଉଦ୍ଦେଶ୍ୟ ଯଦି ତା’ର ରଚନା ବହନ କରେ ଓ ସଠିକ୍ ଭାବେ ପାଠକ ନିକଟରେ ପହଞ୍ଚାଇପାରେ ତେବେ ଲେଖକର ଶବ୍ଦ ସଂଯୋଜନା ଉପରେ ତା’ର ପ୍ରଭୁତ୍ୱ ଶକ୍ତିର ପରିଚୟ ମିଳେ । କେବେ ଲେଖକ ରୋମାଣ୍ଟିକ୍ ହୋଇଛନ୍ତି, ପ୍ରଗଲ୍ଭ ହୋଇଛନ୍ତି, ସଂସ୍କୃତି ପ୍ରେମରେ କାବ୍ୟିକ ହୋଇଛନ୍ତି, ନିଃସଙ୍ଗତା ବର୍ଣ୍ଣନାରେ ମଧ୍ୟ ଦାର୍ଶନିକ ହୋଇଛନ୍ତି । ପାଠକ ସାହିତ୍ୟ ପାଠ କରେ କାରଣ ତାହା ତା’ର ଜୀବନୀ ନୁହେଁ, ପରିଚିତ ଜଗତ, ପରିଚିତ ଭାଷାଠାରୁ କିଞ୍ଚିତ ଦୁରରେ ସାହିତ୍ୟିକ ଭାଷା ଥିବାରୁ ସେ ଉପଭୋଗ କରେ ଏ ସାହିତ୍ୟିକ ସତ୍ତାକୁ । ସୁରେନ୍ଦ୍ର ସାହିତ୍ୟ ପାଠ କରିବା ସମୟରେ ପାଠକ ଏଇ ଆନନ୍ଦରେ ଅଭିଭୂତ ହୁଏ । ତାଙ୍କର ପ୍ରତ୍ୟେକଟି ଧ୍ୱନି, ଶବ୍ଦ, ବାକ୍ୟ ପ୍ରୟୋଗ ଉଦ୍ଦେଶ୍ୟପୂର୍ଣ୍ଣ ତେଣୁ ତାହା ପାଠକକୁ ବାଧ୍ୟ କରେ ସେଇ ସେଇ ଜଗତ, ଚରିତ୍ର ଓ ଚରିତ୍ରର ମନ ଅଧ୍ୟୟନ କରିବାକୁ । ଲେଖକ ନିଜର ଭାବକୁ ଅତ୍ୟନ୍ତ ଦକ୍ଷତାର ସହିତ ଶବ୍ଦ ସଂଯୋଜନା ମାଧ୍ୟମରେ ଅତି ସ୍ୱଚ୍ଛ ରୂପରେ ପହଞ୍ଚେଇ ଦିଅନ୍ତି ପାଠକ ନିକଟରେ । ଶବ୍ଦର ଅର୍ଥଗତ ବ୍ୟାପ୍ତି ଉପମା, ରୂପକ ଓ ଚିତ୍ରକଳ୍ପ ପ୍ରୟୋଗରେ ସମ୍ଭବ । ଏ ସମସ୍ତର ପ୍ରୟୋଗଗତ କୁଶଳତା, ଇନ୍ଦ୍ରିୟଗ୍ରାହୀ ବର୍ଣ୍ଣନା ଲେଖକ ଏତେ ସୁନ୍ଦର, କାବ୍ୟିକ ଓ ଜୀବନ୍ତ ଭାବେ କରିଛନ୍ତି ଯେ ପାଠକ ବିସ୍ମିତ, ବିହ୍ୱଳ ହୁଏ । ଯେପରି ତୁଚ୍ଛ ଆସ୍ଫାଳନ, ସ୍ତିମିତ ଶାବେଳୀ ପାହାର, ଜୀବନ୍ତ ଗୌରବ, ସୂର୍ଯ୍ୟୋତ୍ତପ୍ତ ନିର୍ଜନ ମଧ୍ୟାହ୍ନ, ପରିତ୍ୟକ୍ତ ଅପନ୍ତରା ଗାଁ, ଝାଉଁଳିଲା କଇଁ ପାଖୁଡ଼ା ପରି ଆଖି, କ୍ଷୁଧାକ୍ଲିଷ୍ଟ ଶୂନ୍ୟ ଆଖି, ବେଦନା ବିଦଗ୍ଧ ଦୃଷ୍ଟି, ଋଜୁ ଶ୍ୟାମଳ ଦେହଲତା, ରହସ୍ୟମୟୀ ଆୟତ ଆଖି, ‘ଜୁଗୁନିର, ଆଖି ଆଗରେ ଚିଲିକାର ଲୁଣିଆ ପାଣିପରି ବିସ୍ମୃତିର ନୀଳ, ଅଥଳ ବିସ୍ତାର ଭାସିଉଠେ, ରକ୍ଷ ଦୁର୍ବିନୀତ କଣ୍ଠ, ଅନାଦୃତ, ଉପେକ୍ଷିତ, ଲାଂଛିତ ଶୈଶବର ନିଷ୍କରୁଣ ସ୍ମୃତି', ‘ସରଦେଈ ଆକ୍ଷି ଆଗରେ ଭାସିଉଠେ, ଦିଗ୍‌ବଳୟ ରେଖାଛୁଆଁ ଚିଲିକାର ଅଥଳ ଦରିଆରେ ଭାସି ଭାସି ଯାଉଥିବା ଏକୁଟିଆ ଡଂଗାର ଚିତ୍ର’, ସରଦେଈ ଆଉ ଜଗୁନି... ଦୁଇଟି ଶୁଖିଲା ପତ୍ରପରି, ‘ଜଗୁନିର ଅବଚେତନରେ ବିସ୍ମୃତିର ପନ୍ତାବାଲିତଳୁ ବାଲିକଂକଡ଼ା ସହ ମୁଣ୍ଡ ଟେକି ଉଠିଲା ପରି; କେଉଁ କାଳର ଅସ୍ପଷ୍ଟ ସ୍ମୃତିସବୁ ଗୋଟିଏ ପରେ ଗୋଟିଏ ଚେଇଁ ଉଠୁଥିଲା’, ‘କ୍ରମେ ଏକ ନିର୍ବେଦଗ୍ରସ୍ତ, ଶୀତଳ ନୈରାଶ୍ୟ, ଦଳଦଳ ବାଦୁଡ଼ି ପରି ଚାରିଆଡ଼ୁ ଡେଣା ଝାଡ଼ି ମାଟି ଉପରେ ଓହ୍ଲେଇ ଆସୁଥିଲା ।” ଆଦି ।

 

ତାଙ୍କର ଏ ଉଦାତ୍ତ, ସାହିତ୍ୟିକ ଶୈଳୀ ନିରାସକ୍ତ ହୋଇଥିଲେ ପାଠକୀୟ ଆବେଦନ ହରେଇଥାନ୍ତା । ତାଙ୍କ ଶୈଳୀର ଅନ୍ୟତମ ବିଶିଷ୍ଟ କାବ୍ୟିକତା । ଏହା ତାଙ୍କ ଧ୍ୱନି, ଶବ୍ଦ ଓ ବାକ୍ୟ ବିନ୍ୟାସ ଅପେକ୍ଷା ତାଙ୍କ ଭାବ, ଚେତନାରେ ଅଧିକ ମାତ୍ରାରେ ପ୍ରତିଫଳିତ । ଭାବ ଯେତେବେଳେ ପାଠକକୁ ସମ୍ମୋହିତ କରେ, ଅଳଂକୃତ ବାକ୍ୟ ପାଠକକୁ ଆକୃଷ୍ଟ କରେ । “ନିଃସଙ୍ଗ ପକ୍ଷୀର ବେଦନାର୍ତ୍ତ ଚିତ୍କାର ପରି ରିଜିଆ ବେଗମ୍‌ଙ୍କର ସ୍ମୃତି ରାମଚନ୍ଦ୍ର ଦେବଙ୍କୁ ବହୁ ନିଃସଙ୍ଗ, ଅସତର୍କ ମୁହୂର୍ତ୍ତରେ ଅଭିଭୂତ କରିଦିଏ । ରିଜିଆ ଯେପରି କେଉଁ ବିସ୍ମୃତ ସଂଗୀତର ମୂର୍ଚ୍ଛନା ! ତାହାର ଆଲୋଡ଼ନ, ଅବଚେତନର ଅତଳ ଗହ୍ୱରରେ !” ‘‘ମେଘ ଉହାଡରେ ଫାଳିଏ ଜହ୍ନପରି, ବୋର୍ଖାତଳେ ଗୋଟିଏ ସ୍ପିଗ୍ଧ କପାଳ ଫୁଟି ଉଠିଲା । ଭ୍ରୂଲତା ତଳେ ସୁରମା ରେଖାଟଣା ଦୁଇଟି ମୁଦ୍ରିତ ଆଖି ! ରାମଚନ୍ଦ୍ର ଦେବ ସ୍ଵପ୍ନ ଦେଖୁନଥିଲେ ତ !” ‘ବୋର୍ଖାର ଅବଗୁଣ୍ଠନ ତଳେ ସେହି ନାରୀ ମୂର୍ତ୍ତିଟି ନିଥର ଜଳରାଶିରେ ଗୋଟିଏ କ୍ଷୀଣ ତରଙ୍ଗ ପରି ଶିହରିତ ହୋଇ ଉଠି ପୁଣି ନିଶ୍ଚଳ ହୋଇଗଲା ।” “ମହାନଦୀର ଅନ୍ଧକାର ଜଳରାଶି ଉପରେ ଯେଉଁ ଗତାୟୁ ଚନ୍ଦ୍ର ମିଳାଇ ଯାଇଥିଲା, ତାହା ଯେପରି ରାଜିଆର ଦୁଇ ଅସହାୟ ଆକ୍ଷିରେ ପୁଣି ଚେଇଁ ଉଠିଲା ।” ବର୍ଣ୍ଣନାର ଆନ୍ତରିକତା, କାବ୍ୟିକତା, ରୋମାଣ୍ଟିକତାରେ ଏହା ସିକ୍ତ । ପ୍ରକୃତି ଓ ପରିବେଶ ବର୍ଣ୍ଣନା ମଧ୍ୟଦେଇ ସେ ଚରିତ୍ରର ଅସହାୟତା ଓ ନିଃସଙ୍ଗତା ଆଦି ପରିବେଷଣ କରିଥିବାରୁ ତାହା ଅଧିକ ମାର୍ମିକ ହୋଇଛି ।

 

ସୁରେନ୍ଦ୍ର ମହାନ୍ତି ପରବର୍ତ୍ତୀ ସମୟରେ ଭାଷା ଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛନ୍ତି ଶାନ୍ତନୁ ଆଚାର୍ଯ୍ୟ । ତାଙ୍କ ଉପନ୍ୟାସରେ ସ୍ଥିତିବାଦର ମହାମନ୍ତ୍ର ଝଂକୃତ । ଆଧୁନିକ ମଣିଷର ଜୀବନଚର୍ଯ୍ୟା, ତା’ର ଦ୍ଵନ୍ଦ୍ୱ, ସଂଘାତ, ସଂଶୟ ଭିତରେ ବିଷଣ୍ଣ, ବିପନ୍ନ । ତଥାପି ଶତ ଅସହାୟତା, ଦୁଃଖ-ଯନ୍ତ୍ରଣା ମଧ୍ୟରେ ଭାରତୀୟ ଦର୍ଶନ ଓ ଆଧ୍ୟାତ୍ମିକତା ଆଡ଼ୁ ଲେଖକ ମୁହଁ ଫେରାଇ ପାରିନାହାନ୍ତି । ଭାଷା ବିଷୟବସ୍ତୁ ଅନୁସାରେ ରୂପ ବଦଳେଇବାକୁ ବାଧ୍ୟ । କୌଣସି ନିର୍ଦ୍ଦିଷ୍ଟ କାଟାଗୋରୀରେ ପଡ଼େନାହିଁ ଏ ଭାଷା । ଭାବପ୍ରକାଶ ନିମନ୍ତେ ଆବଶ୍ୟକତା ନାହିଁ । ଅଳଂକରଣର କି ଆଶ୍ରୟ ନେଇନାହାନ୍ତି କୃତ୍ରିମତାର । ଶାନ୍ତନୁଙ୍କ ଉପନ୍ୟାସର ଭାବ ଅଭିଜାତ ଏବଂ ସୁରେନ୍ଦ୍ରଙ୍କ ଶୈଳୀ ଓ ଭାଷା ଅଭିଜାତ । ବୌଦ୍ଧିକ ଶ୍ରେଣୀ ଏହାର ପାଠକ । ଚରିତ୍ର ସେ ଗ୍ରହଣ କରିଛନ୍ତି ଉଭୟ ସହରର ମଧ୍ୟ ବର୍ଗ ତଥା ବସ୍ତି ଅଂଚଳରୁ । ଭାଷା ମଧ୍ୟ ବିସ୍ତିର, ସହର ତଳି ଅଂଚଳର ଅଥବା ସହରିଆ । ଅଭିବ୍ୟକ୍ତିରେ ସେ ସଂକ୍ଷିପ୍ତତା ଅବଲମ୍ୱନ କରିଛନ୍ତି ଏବଂ ଭାଷା ନା ସୁରେନ୍ଦ୍ର ମହାନ୍ତିଙ୍କ ପରି ସାହିତ୍ୟିକ ନା ଗୋପୀନାଥ ମହାନ୍ତିଙ୍କ ପରି ଗ୍ରାମ୍ୟ । ଅଟୋପହୀନ ଭାବେ ବସ୍ତିର ଭାଷାକୁ ତା’ର ନଗ୍ନରୂପରେ ଅନେକ ସ୍ଥଳରେ ପ୍ରକାଶ କରିଛନ୍ତି । ଏହା ଗ୍ରାମ ବା ସହରୀ ଭାଷାର କଥିତ ରୂପ ମଧ୍ୟ ନୁହେଁ । ଆଦିକନ୍ଦ ସାହୁ ଯଥାର୍ଥରେ ଏ ଭାଷାକୁ “ବ୍ୟବହାରିକ ଭାଷା-ସଂଯୋଜନା ପୂର୍ଣ୍ଣ” କହିଛନ୍ତି । “ମଲା ମୋର ମରଦ ପୁଅ ହେଇ କଅଣ ଏତେ ନୁଗା ଘୋରେଇ ହଉଚି ମ ଏ ଟୋକାଟା... କିଓ କଣ ଦେଖାଉନା- କି ଦରବ ସେ ଜାମା ତଳେ ।” (ଶତାବ୍ଦୀର ନଚିକେତା)

 

ତାଙ୍କର ଭାଷା ଭାବ ପ୍ରଧାନ ଏବଂ ଭାବସଂଚାରୀ । ଯେଉଁଠାରେ ଭାଷା ବସ୍ତି ଅଂଚଳୀୟ ନୁହେଁ ସେଠାରେ ବୌଦ୍ଧିକ ଓ ଦାର୍ଶନିକ ସୁଲଭ । ପରିବେଶ ବର୍ଣ୍ଣନାରେ ସେ ମୁଖର ଓ କାବ୍ୟିକ । ପ୍ରୟୋଗବାଦୀ ଅତ୍ୟାଧୁନିକ ନୂତନ ଚିନ୍ତାଧାରାର ପ୍ରକାଶ ଘଟିଛି ଉପନ୍ୟାସ ଗୁଡ଼ିକରେ । ତାଙ୍କର ଉପନ୍ୟାସ ମଧ୍ୟରେ କେଉଁଟି ଦାର୍ଶନିକ କେଉଁଟି ମନସ୍ତତ୍ତ୍ୱଧର୍ମୀ ମାତ୍ର ପ୍ରତ୍ୟେକ ଉପନ୍ୟାସରେ ସ୍ଥିତିବାଦର ମଂଜ ରହିଛି ଓ ରହିଛି ଆଧ୍ୟାତ୍ମବାଦର ଜୟଗାନ । ଉପନ୍ୟାସ ଗୁଡ଼ିକରେ ସାମାଜିକ ବିପ୍ଳବ ସହିତ ବ୍ୟକ୍ତିର ଆତ୍ମିକ ବିପ୍ଳବ ସ୍ଥାନିତ । ଆତ୍ମ ବିଶ୍ଳେଷଣ ତାଙ୍କ ଉପନ୍ୟାସର ଅନ୍ୟତମ ବୈଶିଷ୍ଟ୍ୟ । ଉପନ୍ୟାସଗୁଡ଼ିକ ସଂକେତ ଧର୍ମୀ । ଶାନ୍ତନୁକୁମାର ବେଦ, ପୁରାଣ, ଉପନିଷଦ ଆଦିରୁ ଚରିତ୍ର ପ୍ରତୀକାତ୍ମକ ଭାବେ ଗ୍ରହଣ କରିଛନ୍ତି । ସମସ୍ୟା ମଧ୍ୟ ପ୍ରତୀକାତ୍ମକ ଭାବେ ଉପସ୍ଥାପିତ । ବାମପନ୍ଥୀ ଚିନ୍ତାଧାରା, ନକସଲପନ୍ଥୀ, ବିପ୍ଲବ, ସ୍ଥିତିବାଦୀ ଦର୍ଶନ, ଗାନ୍ଦୀ ଦର୍ଶନକୁ ଆଧାର କରି ତାଙ୍କର ଉପନ୍ୟାସଗୁଡ଼ିକ ରଚିତ । ରାଜନୈତିକ ଆଦର୍ଶର ଅସ୍ତିତ୍ୱର ବିଲୁପ୍ତି ହୋଇପାରେ କିନ୍ତୁ ଆଧ୍ୟାତ୍ମିକ ଚେତନା ଅସ୍ତିବାଚକ, ଭାରତୀୟ ଦର୍ଶନର ମୁଖ୍ୟସ୍ୱର, ଜୀବନର ସୂକ୍ଷ୍ମ, ତୀବ୍ର ଅନୁଭୂତି ଗୁଡ଼ିକର ତୀକ୍ଷ୍‌ଣ ଓ ମର୍ମସ୍ପର୍ଶୀ ଅଭିବ୍ୟକ୍ତି ତାଙ୍କ ଭାଷାରେ ଏକ ସାହିତ୍ୟିକ ଶୈଳୀରେ ଘଟିଛି । ସୁରେନ୍ଦ୍ର ମହାନ୍ତି ସାହିତ୍ୟିକ ଶୈଳୀରେ ସାହିତ୍ୟିକ ଶବ୍ଦ ପ୍ରୟୋଗ କରିଥିବା ସ୍ଥଳେ ଲେଖକ ସେହି ଶୈଳୀରେ ସାହିତ୍ୟିକ ଶବ୍ଦ ପ୍ରୟୋଗ କରିଥିବା ସ୍ଥଳେ ଲେଖକ ସେହି ଶୈଳୀରେ ବ୍ୟାବହାରିକ ଶବ୍ଦ ପ୍ରୟୋଗ କରିଛନ୍ତି । ଶୁଦ୍ଧ, ମାର୍ଜିତ, ସମ୍ଭ୍ରାନ୍ତ ଭାଷା ତ୍ୟାଗ କରି ଅଶୁଦ୍ଧ, କର୍କଶ, ଜନଗଣଂକ ଅନ୍ତରଙ୍ଗ ଭାଷା ଯୁକ୍ତିନିଷ୍ଠ, ଅତିବାସ୍ତବ ଓ ଅସାଧାରଣ ଭାବେ ଫୁଟିଉଠିଛି ତାଙ୍କ ଉପନ୍ୟାସରେ । ଉପମା, ରୂପକଳ୍ପ, ଧ୍ୱନ୍ୟାତ୍ମକ ଶବ୍ଦ ସଂଯୋଜନାରେ ତାଙ୍କର ମୌଳିକତା ସୁସ୍ପଷ୍ଟ । “ଉଦାହରଣ-ତଇଲା ଜମିର ଆରପଟେ ଅନ୍ଧକାର ଆକାଶରେ ଜ୍ୟୋତିଷ୍କପରି ଜହ୍ନା ଶସ୍ୟ ଉଠିଛି, ମଲା ସାପପରି କାନ୍ଧରୁ ଝୁଲୁଥିବା ହାତ ଯୋଡ଼ାକ, ଗିଲ ଫଳ ଭଳି ରୁଢ଼ିଆ କଣ୍ଟା କଣ୍ଟା ଓଠ ଦୁଇଟି, ଗୋଟିଏ ତୂଳା ଚାଲିଯାଇଥିବା ତକିଆଭଳି ସେମେଟା ବୁଢ଼ାଟା ପଡ଼ିଯାଇଥିବା ତା ଚଉକିରେ, ମାଈକିନିଆଟା ଗୋଟିଏ ଧର୍ମଛଡ଼ା ଦେଶୀ କୁକୁର ଭଳି ବସି ବାହୁନେ ।’

 

‘ତୃଷ୍ଣା’, ଭ୍ରମଣୋପନ୍ୟାସର ଶୈଳୀ ଏସବୁଥିରୁ ଭିନ୍ନ । ଏଥିରେ ଏକ ସ୍ଵଚ୍ଛନ୍ଦ ଶୈଳୀ ଅଛି ଯାହା ପାଠକକୁ ଅନବରତ ଲେଖକ ସହିତ ଏକାତ୍ମ କରିବସେ । ଶବ୍ଦ, ଭାଷା ପ୍ରୟୋଗ ଗ୍ରାମୀଣ ନୁହେଁ ବରଂ ସହରର ଶିକ୍ଷିତ ମଣିଷର କଥିତ ରୂପ । ଲେଖକ ଓ ପାଠକମଧ୍ୟରେ ଥିବା ବ୍ୟବଧାନ ଏ ଶୈଳୀରେ ଆଦୌ ରହିନାହିଁ । ଲେଖକ ନିଜେ ଏଥିରେ ଜଣେ ଚରିତ୍ର । ତେଣୁ ଆତ୍ମୀୟତା ଓ ଆନ୍ତରିକତାର ଯେଉଁ ଛାପ ଏଥିରେ ରହିଛି ତାହା ଅନ୍ୟ ଉପନ୍ୟାସରେ ନାହିଁ । ଅନ୍ୟ ଉପନ୍ୟାସରେ ଭାଷା ଶୈଳୀ ନିମର୍ମ ବାସ୍ତବତାର ପୋଷାକ ପରିହିତ, ସ୍ୱାଭାବିକ ହୋଇପାରେ କିନ୍ତୁ ମସୃଣତା ଓ ସ୍ନିଗ୍ଧତା ରହିତ । ଅନୁଭୂତି ଓ ଆନ୍ତରିକ ଉପଲବ୍ଧ ସମ୍ଭୂତ ଏ ଭାଷା ପାଠକକୁ ଆକୃଷ୍ଟ କରେ । “ତା ମାନେ, ଆମେରିକା ମାଟିରେ ଜନ୍ମହେଲେ ବି ମଂଜ ଭିତରକୁ କାହାରି ଯାଇନି ଏଯାଏ ଏ ମାଟିର ଗୁଣ । କଲ୍‌ଚର୍ ସକ୍ ଏମାନଙ୍କ ପାଇଁ ଅପେକ୍ଷା କରି ବସିଥାଏ । ଏଇ କାରଣରୁ ଗୋଡ଼େ ଗୋଡ଼େ ଧରିଚନ୍ତି ନା ଆମେରିକାକୁ- ନା ଭାରତକୁ । କୁଆଡ଼କୁ ନୁହନ୍ତି ଏମାନେ-। ନା ବିଶ୍ୱଚେତନା- ନା ଆତ୍ମବିଶ୍ଵାସ । ଦୁଇ ଅଭାବ ମଝିରେ ଦୋଦୁଲ୍ୟମାନ । ଏଇ ହେଲା ଭାରତରୁ ଆସି ଏ ମାଟିରେ ପୋତା ହୋଇଥିବା ମଣିଷ- ଭାରତୀୟ ।” (ତୃଷ୍ଣା)

 

ଶାନ୍ତନୁ ଆଚାର୍ଯ୍ୟଙ୍କ ସମସାମୟିକ ଓ ପରବର୍ତ୍ତୀ ସମୟର ଉଲ୍ଲେଖନୀୟ ଔପନ୍ୟାସିକମାନଙ୍କ ମଧ୍ୟରୁ ରାମଚନ୍ଦ୍ର ବେହେରା ପ୍ରତିନିଧି ସ୍ଥାନୀୟ । ସେ -ପରିମାଣ ଓ ଗୁଣାତ୍ମକ ଉଭୟ ଦୃଷ୍ଟିରୁ ଜଣେ ସଫଳ ସ୍ରଷ୍ଟା । ଶାନ୍ତନୁ ଆଚାର୍ଯ୍ୟ ପରବର୍ତ୍ତୀ ଉପନ୍ୟାସରେ ଚିରାଚରିତ ବିଷୟବସ୍ତୁ ପରିବେଷଣଗତ ପାରଂପରିକତା ସମ୍ପୂର୍ଣ୍ଣ ବ୍ୟାହତ ବୋଲି କହିଲେ ଠିକ୍ ହେବ । ଜାତୀୟ ଅନ୍ତଜାତୀୟ ସମସ୍ୟା ରାମଚନ୍ଦ୍ର ବେହେରାଙ୍କୁ ଉଦ୍‌ବେଳିତ କରିନାହିଁ । ବ୍ୟକ୍ତି ଜୀବନର ଖୁବ୍ ନଗଣ୍ୟ ମନେ ହେଉଥିବା ବହୁ ଉପେକ୍ଷିତ ଘଟଣା, ଅଘଟଣ ତାଙ୍କ ଉପନ୍ୟାସର ଉପଜୀବ୍ୟ ବିଷୟ । ସ୍ଥିତିବାଦୀ ଚିନ୍ତାଧାରା ତାଙ୍କ ଉପନ୍ୟାସରେ ଆଉରି ଦୃଢ଼ ଓ ଋଦ୍ଧିମନ୍ତ । ଜୀବନ ପ୍ରତି ଗଭୀର ଆଶାବାଦ ଓ ଅନୁକମ୍ପା ପ୍ରକାଶ କରେ ଏ ଉପନ୍ୟାସ । ଉପନ୍ୟାସଗୁଡ଼ିକ କ୍ଷୁଦ୍ର, ଅନେକ ଦୀର୍ଘଗଳ୍ପ ବା ଉପନ୍ୟାସିକା ସ୍ତରୀୟ । କଥାବସ୍ତୁ ଏକମୁଖୀ । ସ୍ଥାନିତ ପ୍ରତ୍ୟେକଟି ଚରିତ୍ର ଅତି ନିବିଡ଼ ଆନ୍ତରିକତା ଓ ଅନ୍ତରଙ୍ଗତାରେ ସିକ୍ତ । ସେ ମା’ ଚରିତ୍ରଟିଏ ହେଉ ବା ଭଉଣୀଟିଏ, ଶଶୁରଟିଏ ହେଉ ଅବା ପୁଅଟିଏ । ହୃଷୀକେଶ ପଣ୍ଡା, ଜଗଦୀଶ ମହାନ୍ତି ଆଦି ଗୋଟିଏ ଘଟଣା, ଗୋଟିଏ କ୍ରିୟା ବା ପ୍ରତିକ୍ରିୟାର ଯେପରି ପୁଙ୍ଖାନୁପୁଙ୍ଖ ପରପର ନିଖୁଣ ବର୍ଣ୍ଣନା ଦିଅନ୍ତି ତାହା ରାମଚନ୍ଦ୍ରଙ୍କ କ୍ଷେତ୍ରରେ ଭିନ୍ନ । ସେ ପ୍ରତ୍ୟେକ ଚରିତ୍ରର ଚାରିତ୍ରିକ ବୈଶିଷ୍ଟ୍ୟକୁ ଉଖାରି ଉଖାରି ପରିଚିତ କରାନ୍ତି ପାଠକ ସହିତ । ଏବଂ ପାଠକ ମନରେ, ତା’ର ପରିଚିତ ଜଗତ ଭିତରକୁ ସେ ଚରିତ୍ରକୁ ଅତି ସାବଲୀଳ ଭାବରେ ପ୍ରବେଶ କରାନ୍ତି । ତାଙ୍କ ଚରିତ୍ର ଅନ୍ୟ ଲେଖକଙ୍କ ଚରିତ୍ର ସଦୃଶ ପ୍ରତିନିଧି ସ୍ଥାନୀୟ ହୋଇପାରେ ନ ହୋଇପାରେ । ଆରମ୍ଭରୁ ପାଠକ କୌଣସି ଏକ ଚରିତ୍ର, ଘଟଣା ବା ସମସ୍ୟା ଦ୍ଵାରା ଆକର୍ଷିତ ହୁଏ । ଉପନ୍ୟାସ ଆରମ୍ଭରେ ଲେଖକ ଯେଉଁ ଚରିତ୍ର ଓ ସମସ୍ୟାକୁ ଯେଉଁ ପରି ଭାବରେ ଗୁରୁତ୍ୱ ଦେଇ ବର୍ଣ୍ଣିଥାନ୍ତି ସେଥିରୁ ପାଠକ ତାକୁ ମୁଖ୍ୟ ସମସ୍ୟା ବୋଲି ଗ୍ରହଣ କରିନିଏ । କ୍ରମଶଃ ସମସ୍ୟାର ସ୍ଵର ବଦଳିଯାଏ, ସ୍ଥାନ, କାଳ ପାତ୍ର ମଧ୍ୟ ହୁଏ- ଭିନ୍ନମୁଖୀ । ତାଙ୍କ ଉପନ୍ୟାସ କୌଣସି ତତ୍ତ୍ଵର ବ୍ୟାଖ୍ୟା କରେନା କିନ୍ତୁ ଚିନ୍ତା ଦ୍ୟୋତକ । ନାୟକ ନାୟିକାମାନେ ଅତି ସାଧାରଣ କିନ୍ତୁ କୌଣସି ଏକ ଅକାର୍ଯ୍ୟ କରିପକାନ୍ତି । ପାଠକୀୟ ସମବେଦନା ଓ ଲେଖକଙ୍କ ସହାନୁଭୂତି ତଥାପି ତାଙ୍କ ପ୍ରତି ରହେ ଅତୁଟା ଦୃଶ୍ୟ ଓ ଭାବ ବର୍ଣ୍ଣନାରେ ଲେଖକ କାର୍ପଣ୍ୟ କରିନାହାନ୍ତି । ଭାଷା ବୋଧଗମ୍ୟ କିନ୍ତୁ ଶିକ୍ଷିତ ଜନର । ଲେଖକଙ୍କ ହାତରେ ଯେତେବେଳେ ଯେଉଁ ଚରିତ୍ର, ଘଟଣା ଓ ପରିବେଶ ଆସେ ସେ ତାକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ଆଙ୍କନ୍ତି । ଗୌଣଚରିତ୍ର, ମୁଖ୍ୟ ଚରିତ୍ର ପରି ବର୍ଣ୍ଣନା ସମୟରେ ଗୁରୁତ୍ୱ ପାଉଥିବାରୁ ପାଠକ ଭ୍ରମରେ ପଡ଼ିଯାଏ । କଥାବସ୍ତୁ ଏକମୁଖୀ ଓ ଲକ୍ଷ୍ୟଦିଗରେ ଦ୍ରୁତ ଧାବମାନ ହେଲେ ହେଁ ମୁଖ୍ୟ ଦ୍ୱନ୍ଦ୍ୱ ସହିତ ପାଠକର ପରିଚୟ ଘଟିଥାଏ ଅନେକ ପରେ । ଦୃଷ୍ଟାନ୍ତ ସ୍ୱରୂପ ଗ୍ରହଣ କରାଯାଇପାରେ ‘ଦୁଆର ଟପିଲେ ବାଟ’, ‘ମୁକ୍ତିର ରୂପରେଖ’, ‘କିମ୍ୱା ‘ମନିକା ଏବେ କେଉଁଠି’ । ‘ଦୁଆର ଟପିଲେ ବାଟ’ରେ ଆଭାର ମା, ଭାଇ, ନିରୁଦ୍ଦିଷ୍ଟ ବାପା ତଥା ତା’ ଶଶୁର, ସ୍ୱାମୀ ଏତେ ନିଖୁଣ ଓ ଜୀବନ୍ତ ଭାବେ ବର୍ଣ୍ଣିତ ଯେ ପାଠକ ବିହ୍ୱଳ ହୋଇଯାଏ । ସୃଜନମୂଳକ ସାହିତ୍ୟ ବା କଥା ସାହିତ୍ୟରେ ବିଶେଷ ଭାବରେ ଉତ୍ତମ ବା ଖଳଚରିତ୍ରର ଦେଖାଯାଏ ସମାହାର । ସମଗ୍ର ଓଡ଼ିଆ କଥାସାହିତ୍ୟ ମଧ୍ୟରେ ଅତି ସାଧାରଣ ନିମ୍ନବିତ୍ତ ପରିବାରର କେହି (ଆଭାର ମା, ଭାଇ, ସ୍ୱାମୀ ଅଥବା ବାପା ସଦୃଶ) ଏଇ ଚାରିତ୍ରିକ ବୈଶିଷ୍ଟ୍ୟ ନେଇ ପ୍ରବେଶ କରିଥିବାର ଦୃଷ୍ଟାନ୍ତ ନାହିଁ । ଚରିତ୍ରର ଶାରୀରିକ ବର୍ଣ୍ଣନା ଅପେକ୍ଷା ତା’ର ଚାରିତ୍ରିକ ବୈଶିଷ୍ଟ୍ୟ ଉପରେ ସେ ଗୁରୁତ୍ୱ ଆରୋପ କରିଥାନ୍ତି । ଆଶ୍ଚର୍ଯ୍ୟ ତାଙ୍କର ନିରୀକ୍ଷଣ ଦୃଷ୍ଟି, ବିସ୍ମୟକର ତାଙ୍କର ଏହାକୁ ସାହିତ୍ୟରେ ପ୍ରତିବିମ୍ୱିତ କରିବାର ଶକ୍ତି । ଅତି ସାଧାରଣ, ନଗଣ୍ୟ ମନେହେଉଥିବା ବ୍ୟକ୍ତି ମଧ୍ୟରେ ଥିବା ଉଲ୍ଲେଖନୀୟ ଦିଗଟିକୁ ଲେଖକ କେବଳ ଉଦ୍‌ଭାସିତ କରନ୍ତି ନାହିଁ ପ୍ରଥମତଃ କରନ୍ତି ଆବିଷ୍କାର । ପାଠକ ଚରିତ୍ର ପ୍ରତି ସହାନୁଭୂତିଶୀଳ ହୁଏ କିନ୍ତୁ ଆସକ୍ତି ହେଇପଡ଼େନି ବା ଏକାତ୍ମ ହେଇଯାଏନି । ଆଭା ବାପା ଗୃହତ୍ୟାଗୀ ହେବାମୂଳରେ ତା’ ମା କାରଣ ହୋଇଥିଲେ ବି ମା’ ଚରିତ୍ର ପ୍ରତି ପାଠକ ଉତ୍‌କ୍ଷିପ୍ତ ହେଇଉଠେନା କିମ୍ୱା ଆଭା ଚରିତ୍ର ପ୍ରତି ଦୟାରେ ବିଗଳିତ ହେଇପଡ଼େନା । ଏକ ପ୍ରକାର ଦୂରରେ ଥାଇ ତୃତୀୟପକ୍ଷ ଦର୍ଶକ ସଦୃଶ ସେ ଦେଖୁଥାଏ । ଚରିତ୍ର ସହିତ ପାଠକ ଯେପରି ଭାବେ ଅନ୍ତରଙ୍ଗ ହେଇପଡ଼େ କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି ବା ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସରେ ତା’ ଘଟେନି ଏକ କ୍ଷେତ୍ରରେ । କିନ୍ତୁ ହୃଷୀକେଶ ପଣ୍ଡାଙ୍କ ରଚନାଶୈଳୀ ଯେପରି ନିସ୍ପୃହ ଓ ନିର୍ଲିପ୍ତ ରାମଚନ୍ଦ୍ର ବେହେରାଙ୍କ ଶୈଳୀ ତା’ ନୁହେଁ । ଶବ୍ଦ ସଂଯୋଜନା ବିଶେଷ ଭାବରେ ସଠିକ୍ ବିଶେଷଣର ପ୍ରଚୁର ପ୍ରୟୋଗ, ବାକ୍ୟ କ୍ରମରେ ବିଚ୍ୟୁତି ପାଠକକୁ ଏକାତ୍ମ ହେବାକୁ ଦିଏନି । ମନେହୁଏ ଲେଖକ ସଚେତନ ଭାବେ ପାଠକକୁ ଚରିତ୍ରଠୁଁ ଏକ ନିର୍ଦ୍ଦିଷ୍ଟ ଦୂରତ୍ୱରେ ରଖିବ ନିରୀକ୍ଷଣ କରିବାକୁ କହନ୍ତି ।

 

ସାଧାରଣ ଉକ୍ତି ମଧ୍ୟରେ ସାମାନ୍ୟ ବ୍ୟଂଜନା ପ୍ରୟୋଗ ବାକ୍ୟକୁ କରିଛି ଅନେକ ବେଶି ଅର୍ଥାବହ । ଲେଖକଙ୍କ ବକ୍ତବ୍ୟକୁ ପାଠକ ନିକଟରେ ଏହା ଯଥାଯଥ ଭାବେ ପହଞ୍ଚେଇ ଦେଇ ପାରେ । “ଏବେ ଗାଁରୁ ସାତ-ଆଠ କିଲୋମିଟର ଦୂର କଲେଜ ବୋଲି କୁହାଯାଉଥିବା ଏକ ସ୍ଥାନରେ ପଢ଼ୁଚି ଶୁଭେନ୍ଦୁ । କିମ୍ୱା ପଢ଼ୁଚି ବୋଲି କହୁଚି (ଦୁଆର ଟପିଲେ ବାଟ) ।” ଶବ୍ଦ ନିର୍ବାଚନ ଓ ପ୍ରୟୋଗରେ ସଠିକତା ଯୋଗୁଁ ଭାବ ପାଠକକୁ ସ୍ପର୍ଶ କରେ । ପ୍ରତ୍ୟେକ ଘଟଣାର ବିସ୍ତୃତ ବର୍ଣ୍ଣନା ଅପେକ୍ଷା ସଂକ୍ଷିପ୍ତ ଭାବରେ ତୀକ୍ଷ୍‌ଣ ଓ ନିଖୁଣ ବର୍ଣ୍ଣନା ଦିଅନ୍ତି ଲେଖକ । ସେ ସୁରେନ୍ଦ୍ର ମହାନ୍ତିଙ୍କ ପରି ଅନେକ ସ୍ଥଳରେ ସାହିତ୍ୟିକ ଶବ୍ଦ ପ୍ରୟୋଗ କରିଛନ୍ତି କିନ୍ତୁ ଶୈଳୀ ତାଙ୍କଠାରୁ ପୃଥକ । ଅନେକ କ୍ଷେତ୍ରରେ ଶବ୍ଦ ପ୍ରୟୋଗ ଓ ବାକ୍ୟ ବିନ୍ୟାସ ବେଶ୍ କଥିତ ଧର୍ମୀ । କୌଣସି ଏକ ଘଟଣା ସହିତ ସଂପୃକ୍ତ ପ୍ରତ୍ୟେକ ଚରିତ୍ରର କ୍ରିୟା କଳାପ ଓ ମାନସିକ ପ୍ରତିକ୍ରିୟାର ଜୀବନ୍ତ ଓ ନିର୍ଭୁଲ ବର୍ଣ୍ଣନା ସହିତ ଲେଖକଙ୍କ ଉଦ୍ଦେଶ୍ୟ ଯଥାଯଥ ଭାବେ ପାଠକ ନିକଟରେ ପହଞ୍ଚିଯାଏ । କେତୋଟି ଶବ୍ଦ ସାହାଯ୍ୟରେ ଲେଖକ ଚରିତ୍ରର ମାନସିକ ଅବସ୍ଥାର ଅତି ଜୀବନ୍ତ ଓ ମାର୍ମିକ ଚିତ୍ର ଦେବାରେ ସିଦ୍ଧହସ୍ତ । ‘‘ଶୁଭେନ୍ଦୁ ଏଥର ଦେଖିଲା ଅପାର ଗମ୍ଭୀର, ଚିନ୍ତିତ, ସମବେଦନାପୂର୍ଣ୍ଣ ମୁହଁକୁ ।” କିମ୍ୱା ‘‘ଖାଲି ଶାରୀରିକ କଷ୍ଟ ନୁହେଁ, ସେ ପର୍ଯ୍ୟନ୍ତ ତ’ ଭିତରେ ଠୁଳ ହୋଇ ରହିଥିବା ଅପମାନ, କ୍ରୋଧ ଓ ଆତଙ୍କ ଇତ୍ୟାଦିର ଫାଟକ ଏଇ ଯେମିତି ଖୋଲିଯିବ ।”

 

ଚରିତ୍ରର ସଂଳାପ ଅତିମାତ୍ରାରେ କଥିତ ଧର୍ମୀ କିନ୍ତୁ ଲେଖକଙ୍କ ବକ୍ତବ୍ୟ ସୂକ୍ଷ୍ମ ବ୍ୟଂଜନା ଧର୍ମୀ, ସାହିତ୍ୟିକ ଅନେକ ସମୟରେ ଦାର୍ଶନିକ ସୁଲଭ । “ସମ୍ଭାବନା ମରିଯାଏ । ସେତକ ଘଟିବା ପରେ ଆଉ କୌଣସି ସ୍ୱପ୍ନ ଦେଖିବା ସମ୍ଭବ ହୁଏ ନାହିଁ । ସେ ସବୁ ପରିଣତ ହେଇଯାଏ ଆତ୍ମପ୍ରବଞ୍ଚନାରେ । ଏମିତି ତ ଆଖିବୁଜି ଦେଲେ ନାହିଁ ନଥିବା କଥା ସୃଷ୍ଟି ହୋଇଯାଏ । ମନ ଖୋଜୁଥିବା ଜିନିଷ ଆସିଯାଏ ଅକ୍ଳେଶରେ ନିଜ ଅଧିକୃତ ସାମ୍ରାଜ୍ୟ ଭିତରକୁ । ମାତ୍ର ଏମିତି ସମୟ ପହଞ୍ଚେ ଯେତେବେଳେ ଏସବୁ ଭାବିବା ମଧ୍ୟ ସମ୍ଭବ ହୁଏ ନାହିଁ ।” (ଦୁଆର ଟପିଲେ ବାଟ) ଶ୍ରୀଯୁକ୍ତ ବେହେରାଙ୍କ ଉପନ୍ୟାସରେ ପ୍ରାକୃତିକ ପରିବେଶ ବା ପୃଷ୍ଠଭୂମିର ବିସ୍ମୃତି ନାହିଁ, କେବଳ ଭାବ ଜଗତର ବିସ୍ମୃତି ପାଠକକୁ ଆମୋଦିତ ଓ ଆଲୋଡିତ କରେ ।

 

ତାଙ୍କର ରଚନା ଶୈଳୀରେ ସ୍ଵାତନ୍ତ୍ର୍ୟ ବିଶେଷଭାବରେ ଅନୁଭବ୍ୟ । ଚରିତ୍ରଗୁଡ଼ିକ ସଂଳାପ ମାଧ୍ୟମରେ ପ୍ରତ୍ୟକ୍ଷୋକ୍ତି କରିଥାନ୍ତି । ପ୍ରତ୍ୟକ୍ଷୋକ୍ତି ପରେ ଘଟଣା ବର୍ଣ୍ଣନା ସମୟରେ ଲେଖକ ଅବତୀର୍ଣ୍ଣ ହୁଅନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ ଏବଂ କଥକ ରୂପରେ । ସାଧାରଣତଃ ଲେଖକଗଣ ନିଜକୁ ଉହାଡ଼ରେ ରଖି ବର୍ଣ୍ଣନା କରିଥାନ୍ତି ପାଠକମନରେ ସୃଷ୍ଟି ହେଉଥିବା ଭାବକୁ ଅବ୍ୟାହତ ରଖିବା ପାଇଁ । ଶ୍ରୀଯୁକ୍ତ ବେହେରା ସ୍ପଷ୍ଟ ଭାବରେ ଆତ୍ମପ୍ରକାଶ କରିବାରେ ବିଶ୍ଵାସୀ । “ତାକୁ ସେମାନେ ବସେଇ ଦେଲେ ବାରନ୍ଦା ଉପରେ । ପାରାଲିସିସ୍ ଅଚଳ କରିଦେଲା ମା ଓ ଆଭାଙ୍କୁ ।” ଏଠାରେ ତୃତୀୟ ପୁରୁଷ ଭାବେ ଲେଖକ ଅବତୀର୍ଣ୍ଣ । ଠିକ୍ ଏହା ପରବର୍ତ୍ତୀ ବାକ୍ୟରେ ଲେଖକ ଦର୍ଶକ ଓ କଥକ ଭୂମିକାରେ ଆସନ୍ତି । “ଠିଆ ହୋଇ ରହିଲେ ସେମାନେ । ସେମାନଙ୍କର ଖୋଲାଥିବା ପାଟି ଭୁଲି ଯାଇଥିଲା ଭାଷା ।” ପାଠକ ଚରିତ୍ର ମଧ୍ୟରେ ନିମଜ୍ଜିତ ହୋଇପାରେନା । ବିଶେଷଭାବରେ ଶବ୍ଦ ନିର୍ବାଚନ ଓ ସଂସ୍ଥାପନରେ ପାର୍ଥକ୍ୟ ଅନୁଭବ କରାଯାଇପାରେ । ଯେପରି ଜଣେ ଲୋକକୁ ହତ୍ୟା କଲେ ତା’ର ଯନ୍ତ୍ରଣାଠାରୁ ତା’ ସମ୍ମୁଖରେ ତା’ର ପ୍ରିୟଜନଙ୍କୁ ହତ୍ୟା କରିବାର ଯନ୍ତ୍ରଣା ବଳିପଡ଼େ, ବ୍ୟକ୍ତିର ଛାତି କରତି ହୋଇଯାଏ । ଠିକ୍ ସେହିପରି ପାଠକକୁ ଏକାତ୍ମ ହେବାର ସୁଯୋଗ ନଦେଇ ପ୍ରତ୍ୟେକଟି ଭାବକୁ ମର୍ମେ ମର୍ମେ ଉପଲବ୍ଧି କରିବାର ଅବକାଶ ସୃଷ୍ଟି କରିଛନ୍ତି । ଲେଖକ କେବେ ପ୍ରତ୍ୟକ୍ଷ ଭାବରେ ତ କେବେ ପରୋକ୍ଷଭାବରେ ଲେଖା ମଧ୍ୟକୁ ପ୍ରବେଶ କରିଛନ୍ତି-। “ସୁଧୀବୃନ୍ଦ ! ଏଇ ହେଉଛି ପରିସ୍ଥିତି ଏବଂ ପରିବେଶ ଏଇ ପରିବାରର ।” ପରୋକ୍ଷ ଭାବରେ ସେ ଏକ ସ୍ଵଚ୍ଛନ୍ଦ ଭଂଗୀରେ ପ୍ରବେଶ କରନ୍ତି ଓ ପାଠକକୁ ବୁଝାଇ ଦିଅନ୍ତି ପରିସ୍ଥିତି ସମ୍ପର୍କରେ ଏବଂ ବିଶ୍ଳେଷି ଦିଅନ୍ତି, ଚରିତ୍ରଟିର ଯଥାର୍ଥ ଉପଲବ୍ଧି ପାଇଁ । “ଏଭଳି ପରିପ୍ରେକ୍ଷୀରେ ଭାଷା ଲୋପ ପାଇଯାଏ କେବଳ ବଦଳିଯାଏ ମୁହଁର ଚେହେରା । ସେଇ ଚେହେରା ହିଁ ଭାଷାମୟ ହୋଇଯାଏ । ତାହାକୁ ପ୍ରକାଶ କରିହୁଏ ନାଇଁ ପାଟି ଓ ଜିଭଦ୍ଵାରା ।” (ଦୁଆର ଟପିଲେ ବାଟ) ।

 

ଗଭୀର ଜୀବନ ଅବବୋଧ, ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଦୃଷ୍ଟି ସହିତ ସଂଯତ, ଯଥାର୍ଥ ଶବ୍ଦ ପ୍ରୟୋଗ ତାଙ୍କ ଶୈଳୀକୁ ପ୍ରଦାନ କରିଛି ଅଭୂତପୂର୍ବ ସଫଳତା । ଲେଖକ ରଚନା କରିବା ସମୟରେ ପ୍ରତ୍ୟେକ ଘଟଣାର କୋଣ, ଅନୁକୋଣ ଦେଖିପାରନ୍ତି । ସୁତରାଂ ମନୁଷ୍ୟର ମାନସିକ କ୍ରିୟା ପ୍ରତିକ୍ରିୟାର ବନିଯାନ୍ତି ଏକ ନିଖୁଣ ଚିତ୍ରକାର । ଦୋକାନ ବନ୍ଦ ନ କରିବା ଉଚିତ୍ ବୋଲି ଉପଲବ୍ଧ କରୁଥିବା ଲୋକଟି (ଉମେଶ) ଦୋକାନ ବନ୍ଦ କରିବାର ଇଚ୍ଛାରେ ଆତୁର । ପାରିପାର୍ଶ୍ୱିକ କାରଣ ଗୁଡ଼ିକ ଲେଖକ ସୂଚେଇ ଦେବାପରେ ଲେଖୁଛନ୍ତି, “ଏତକ ଯଥାର୍ଥତା ନେଇ ସେ ଦୋକାନ ବନ୍ଦ କଲା ।” ଯଥାର୍ଥତା ଶବ୍ଦ ପ୍ରୟୋଗରୁ ହିଁ ଚରିତ୍ରର ଅର୍ନ୍ତଦ୍ୱନ୍ଦ୍ୱର ସ୍ପଷ୍ଟ ଆଭାସ ମିଳେ, ଯେଉଁଥିପାଇଁ ଲେଖକଂକୁ ଶବ୍ଦବ୍ୟୟ କରିବାକୁ ପଡ଼େ ଯଥେଷ୍ଟ କମ୍ । କିମ୍ୱା ଗୁଣ୍ଡା ଶ୍ରେଣୀୟ ଲୋକଂକ ଭୟରେ ଆତଙ୍କିତ ହୋଟେଲ୍ ମାଲିକର ଅବସ୍ଥା ବର୍ଣ୍ଣିବାକୁ ଯାଇ ସେ ବ୍ୟବହାର କରିଛନ୍ତି ମାତ୍ର ଦୁଇଟି ବାକ୍ୟ ଯାହା ମାଧ୍ୟମରେ ସମଗ୍ର ପରିବେଶ, ଗୁଣ୍ଡାର ପ୍ରଭାବ, ପ୍ରଭୃତ୍ୱ, କ୍ଷମତା ତଥା ହୋଟେଲ ମାଲିକର ଚେହେରା ଓ ମାନସିକ ଅବସ୍ଥା ତଥା ଅସହାୟତା ପ୍ରକାଶିତ । ‘‘ହୋଟେଲ୍ ମାଲିକ ଏମାନଂକୁ ସ୍ୱାଗତ ଜଣେଇଲା ଅଳ୍ପ ଆନନ୍ଦ ବେଶି ଆତଂକ ଓ ତା’ଠାରୁ ଅଧିକ ଘୃଣାର ସହିତ । ମାତ୍ର ଆଚରଣ ଓ କଥାବାର୍ତ୍ତାରେ ସେ ଥିଲା ଯଥେଷ୍ଟ- ସଂଯତ ସାବଧାନ ।” (ଦୁଆର ଟପିଲେ ବାଟ) ଶ୍ରୀଯୁକ୍ତ ବେହେରା ଲକ୍ଷ୍ୟଭେଦୀ ଅଭିବ୍ୟକ୍ତି, ଭାବାବେଗର ଯଥାର୍ଥ ପରିପ୍ରକାଶ ପାଇଁ ଉପମା, ରୂପକ, ଚିତ୍ରକଳ୍ପ ବ୍ୟବହାର ସହିତ ବିଶେଷଣର ଅପୂର୍ବ ସଂଯୋଜନ ଘଟାଇଛନ୍ତି । ଜଣେ ସତର୍କ ଓ ଯତ୍ନବାନ ଶିଳ୍ପୀ ଯଥାର୍ଥ ଶବ୍ଦଟିଏ ପାଇଁ କେତେ ବ୍ୟାକୁଳ ହେଉଥିବ ତାହା ତାଙ୍କ ଲେଖନୀରୁ ଅନୁଭବ୍ୟ । ଆହତ ନୀରବତା, ‘ହୃଦୟହୀନ ଶଠତା’, ‘ଅଚିହ୍ନା, ଦୁର୍ବୋଧ୍ୟ ଓ ଅପ୍ରାସଙ୍ଗିକ', ‘ନିଷ୍କରୁଣ ଆହ୍ୱାନ', ପଳାୟନବାଦୀ, ନିଖୋଜ ଗେରସ୍ତ', ‘ଉଚ୍ଛୃଙ୍ଖଳ ଓ ଦିଗହଜା ହେଇଯାଉଥିବା ସାନଭାଇ’, ‘ଅନ୍ତରଙ୍ଗ ଓ ତୀବ୍ର ଆବେଗ', ‘ଏକ ଦୂର ଓ ନିରାସକ୍ତ ସମ୍ପର୍କ’, ‘ସେ ଦେଖାଗଲା ଦୃଢ଼ ଓ ପ୍ରତିଜ୍ଞାବଦ୍ଧ’, ‘ଚିନ୍ତିତ ଓ ଶଙ୍କାଗ୍ରସ୍ତ ମୁହଁ, ‘ନିରୁପାୟ ଓ ବ୍ୟଥିତ ପିଲା ଦୁହେଁ, ‘ପରାଜୟ ଓ ବିଫଳତାର ଲୁହ’, ‘ଅକଥନୀୟ ସହାନୁଭୂତି ଓ ଆବେଗ’, ‘ରିକ୍ତତା ଓ ଦୁଃଖ’ ଆଦି ଉଦାହରଣରୁ ଦେଖାଯାଇପାରେ ଚରିତ୍ରର ମାନସିକ ଅବସ୍ଥା ଓ ଲେଖକଙ୍କ ବକ୍ତବ୍ୟ ପାଠକ ନିକଟରେ ଯଥାଯଥଭାବେ ପହଞ୍ଚେଇ ଦେବାପାଇଁ ପ୍ରାୟତଃ ଏକାଧିକ ବା ଦୁଇଟି ବିଶେଷଣ ବ୍ୟବହାରର ପ୍ରାଚୁର୍ଯ୍ୟ । ସୁତରାଂ ଲେଖକ ଜଣେ ସତର୍କ, ଶବ୍ଦ ସଚେତନ ଶିଳ୍ପୀ । ସୁରେନ୍ଦ୍ର ମହାନ୍ତି ମଧ୍ୟ ବିଶେଷଣ, ଉପମା, ରୂପକ, ଚିତ୍ରକଳ୍ପ ଆଦି ପ୍ରୟୋଗରେ ବିଶେଷଭାବରେ ନୂତନ ଯୁଗ୍ମ ଶବ୍ଦ ଗଠନରେ ସିଦ୍ଧହସ୍ତ । ଏ ସମସ୍ତରେ ସୁରେନ୍ଦ୍ର ମହାନ୍ତିଙ୍କ କାବ୍ୟିକତା, ରୋମାଣ୍ଟିକତା ଓ ସୌନ୍ଦର୍ଯ୍ୟବୋଧ ପ୍ରତିଫଳିତ । ଶ୍ରୀଯୁକ୍ତ ବେହେରାଙ୍କ ପ୍ରୟୋଗ ଚରିତ୍ରର, ଘଟଣାର ବାସ୍ତବିକତାକୁ ଉଦ୍‌ଭାସିତ କରେ । ଶ୍ରୀଯୁକ୍ତ ମହାନ୍ତି ମୁଖ୍ୟତଃ ପ୍ରକୃତି ଜଗତରୁ ଉପମା, ଚିତ୍ରକଳ୍ପ ଗ୍ରହଣ କରିଥାନ୍ତି-। ବେହେରାଙ୍କ ଉପରୋକ୍ତ ପ୍ରୟୋଗ ଭାବ ଉଦ୍ରେକ (evoc) କରାଏ । ଗଭୀର ଭାବେ ଏହା ଜୀବନ୍ତ, ବାସ୍ତବ, ମାର୍ମିକ ଓ ଜୀବନବୋଧରେ ରସାଣିତ । ପ୍ରଥମଟି ସୌନ୍ଦର୍ଯ୍ୟ ଓ ଦ୍ୱିତୀୟଟି ବାସ୍ତବତା ଭାବ ସଂଚାର କରେ । ‘ସବୁ ଯେପରି ଅଥର୍ବ ଓ ପଙ୍ଗୁ ବାସ୍ତବତା ଭଳି’, ‘ସବୁ ଯେପରି ପୋତିହେଇ ପଡ଼େ, ଗୋଟେ ଅକ୍ଷମତା ଭିତରେ, ଆଗ୍ରହହୀନତା ଭିତରେ', 'ଜୀବନର ପରାଜୟ ଓ ଅପମାନର ନକ୍‌ସା', ‘ଉତ୍ସାହହୀନ ସଂଳାପ', 'ମସୃଣ ନିଷ୍କ୍ରିୟତା’, ‘ଭିଡ଼ି ମୋଡ଼ି ହେଉଥିବା ଟେନ୍‌‌ସନ୍’ କିମ୍ୱା ‘ଖଣ୍ଡ ଖଣ୍ଡ ହୋଇ ଗୋଟେ କାଚ ଫର୍ଦ୍ଦ ଭଳି ଖସିପଡ଼ିଲା ବିଧାତାର ଆକାଶ’ ‘ଡାକ୍ତରକୁ ଦୁଇ ହାତରେ ହଲେଇ ଦେବାପାଇଁ ଉଦ୍ୟତ ହେଲା ସେ କାଳେ ଡାକ୍ତରର ଦେହ ଭିତରେ ଅଟକି ରହିଥିବା ବକ୍ତବ୍ୟଟି ଖସିପଡ଼ିବ ତା’ର ଆଶୟୀ କାନ ଉପରେ’ ପରି ପ୍ରୟୋଗ ପାଠକକୁ ନିଛକ ବାସ୍ତବତା ଆଡ଼କୁ ଆକୃଷ୍ଟ କରେ ।

 

ରାମଚନ୍ଦ୍ର ବେହେରାଂକ ଲେଖନୀରେ ଗୌଣ ଚରିତ୍ର ଯାହା କଥାବସ୍ତୁରେ ଖୁବ୍ ଜରୁରୀ ନୁହେଁ ଅଥଚ ଅନ୍ୟ ଏକ ଚରିତ୍ରରେ ବୈଶିଷ୍ଟ ବା ପରିସ୍ଥିତି ପରିବେଶକୁ ଜୀବନ୍ତ କରିବାର କ୍ଷମତା ରଖେ ତାହା ଆଦୌ ଉପେକ୍ଷିତ ନୁହେଁ । ବର୍ଣ୍ଣନା ଯେମିତି ସଂକ୍ଷିପ୍ତ ସେହିପରି ଇଙ୍ଗିତଧର୍ମୀ । ପ୍ରତ୍ୟେକଟି ଛୋଟ ଘଟଣା, ଗୌଣ ଚରିତ୍ର ଏତେ ଜୀବନ୍ତଭାବେ ବର୍ଣ୍ଣିତ ଯେ ମନେହୁଏ ଅସଂଖ୍ୟ କ୍ଷୁଦ୍ରଗଳ୍ପ ସମାହାରରେ ଉପନ୍ୟାସଟି ସୃଷ୍ଟ । ଲେଖକଙ୍କୁ ଆଲୋଡ଼ିତ କରିଥିବା ଓ ତାଙ୍କୁ କେନ୍ଦ୍ର କରି ରଚିତ ହୋଇଥିବା ଉପନ୍ୟାସ ମଧ୍ୟରେ ସେ ସମସ୍ୟାଟି, ବହୁ ଛୋଟ ବଡ଼ ଉତ୍କଣ୍ଟା ପୂର୍ଣ୍ଣ ସମସ୍ୟା ମଧ୍ୟରେ କିଞ୍ଚିଥ ପ୍ରଭାବ ଦୂରେଇ ବସେ । ଲେଖକ ଜୀବନବାଦୀ ଓ ଆଶାବାଦୀ । ତେଣୁ ଶତ ନୈରାଶ୍ୟ ମଧ୍ୟରେ ଆଶାର ପ୍ରଦୀପଟିଏ ଅପ୍ରତିହତ, ଅସହାୟତା ମଧ୍ୟରେ ଦୃଢ଼ତାର ଅଙ୍କୁରୋଦ୍‌ଗମ ଦେଖିପାରିଛନ୍ତି । ତାଙ୍କର ଦୁଷ୍ଟ ମନେ ହେଉଥିବା ଚରିତ୍ର ମଧ୍ୟରେ ଉତ୍ତମତା ଓ ଭଲ ମନେହେଉଥିବା ଚରିତ୍ରମଧ୍ୟରେ ଖଳତ୍ଵରେ ପରିପ୍ରକାଶ ଘଟିଛି । ଲେଖକ ଖଳ ଓ ଉତ୍ତମ ଉଭୟ ଚରିତ୍ର ପ୍ରତି ସହାନୁଭୂତିଶୀଳ । ଏଠାରେ ପୁନଶ୍ଚ ପେରିଯିବାକୁ ହୁଏ ମନୁଷ୍ୟର ମୌଳ ପ୍ରକୃତି ନିକଟକୁ । ଜଣେ ଜୀବନବାଦୀ, ଦରଦୀ ଲେଖକ କେବଳ ଖଳଚରିତ୍ରର ଖଳତ୍ଵର କାରଣ ଅନୁସନ୍ଧାନ କରେ ଯାହା ଅବଶେଷରେ ଲେଖକ ଚିହ୍ନଟ କରନ୍ତି, ଅସହାୟତା । ସୁତରାଂ ଲେଖକ କୌଣସି ଚରିତ୍ର ପ୍ରତି ପକ୍ଷପାତିତା କରିନାହାନ୍ତି ଓ ପାଠକ ତେଣୁ ପ୍ରତ୍ୟେକଟି ଚରିତ୍ରକୁ ହୃଦୟଙ୍ଗମ କରେ ଗଭୀର ଆନ୍ତରିକତାର ସହିତ । ଅତ୍ୟନ୍ତ ଦୁର୍ବଳ, ଅସହାୟ ମନେହେଉଥିବା ଚରିତ୍ର ମଧ୍ୟରେ ସେ ଗଭୀର ଆତ୍ମବିଶ୍ଵାହସ ଓ ଦୃଢ଼ତା ସଂଚାରିତ କରିଛନ୍ତି । ‘ଅମାବାସ୍ୟାର ଚନ୍ଦ୍ର’ର କାଉଲ୍ ଚରିତ୍ରର ଖଳତ୍ୱ ମଧ୍ୟରେ ଉତ୍ତମଗୁଣର ଅସ୍ତିତ୍ୱକୁ ଗୋବିନ୍ଦ ଦାସ ଯେତିକି ଉନ୍ମୁକ୍ତ ଭାବରେ କହିଛନ୍ତି ଶ୍ରୀଯୁକ୍ତ ବେହେରା ତାକୁ ଆଉରି ଅଧିକ କଳାତ୍ମକ ଶୈଳୀରେ, ଚାତୁର୍ଯ୍ୟପୂର୍ଣ୍ଣ ଭାବେ, ପ୍ରଚ୍ଛନ୍ନ ଭାବେ କହିପାରିଛନ୍ତି । ‘ଦୁଆର ଟପିଲେ ବାଟ’ର ଆଭାର ମା, ଉମେଶ, ଭାଇ ଶୁଭେନ୍ଦୁ, ‘ମୁକ୍ତିର ରୂପରେଖ’ର ବିଭୁ ସୁରଭି ସମସ୍ତେ ଏଇ ଜାତୀୟ ଚରିତ୍ର ।

 

ରାମଚନ୍ଦ୍ର ବେହେରାଙ୍କ ଭାଷାରେ ଅନୁଭବ କରାଯାଏ ବୌଦ୍ଧିକତା ଯାହା ସମ୍ପୂର୍ଣ୍ଣ ଶବ୍ଦ ଓ ଭାଷା ଶୈଳୀଗତ । ଏଥିରେ ସ୍ୱତଃସ୍ଫୂର୍ତ୍ତତା ଯେ ନ ଥାଏ ତା’ ନୁହେଁ । ସାବଲୀଳତା ଓ ସ୍ଵଚ୍ଛନ୍ଦତା ମଧ୍ୟରେ କୃତ୍ରିମତା ବି ଅନୁଭବ୍ୟ । ଭାବରେ ସେ ପ୍ରାଞ୍ଜଳ କିନ୍ତୁ ପ୍ରକାଶ ଶୈଳୀରେ ବୌଦ୍ଧିକ । ଭାବ ଦୃଷ୍ଟିରୁ ବିଚାର କଲେ- ଏହା ମନୁଷ୍ୟର ସ୍ୱାଭାବିକ କ୍ରିୟା-ପ୍ରତିକ୍ରିୟା, ଚିନ୍ତା ଚେତନାର ଏତେ ନିକଟବର୍ତ୍ତୀ କରେଇଦିଏ ଯେ ଭାଷାର ସେଇ କୃତ୍ରିମତା ବୁଝାଯାଏ ନାହିଁ ଭାବର ପ୍ରବାହମାନତା ଓ ଆକଷର୍ଶକ ଶକ୍ତି ତାଙ୍କର ବୈଶିଷ୍ଟ୍ୟଭାବେ ପରିଗଣିତ ହୁଏ । ସମସ୍ତ ଅପୂର୍ଣ୍ଣତା ଓ ଅସଂଗତି ସତ୍ତ୍ୱେ ଜୀବନ ତାଙ୍କ ରଚନାରେ ମହିମାମୟଭାବେ ରୂପାୟିତ ।

 

ସ୍ୱାଧୀନତା ପରବର୍ତ୍ତୀକାଳୀନ ଉପନ୍ୟାସରେ କଥାବସ୍ତୁଚୟନ, ଚରିତ୍ର ଚିତ୍ରଣ, ଭାଷା ସଂଯୋଜନା ତଥା ବର୍ଣ୍ଣନା ଶୈଳୀର ଧାରା ପରିବର୍ତ୍ତିତ । ପୂର୍ବୋକ୍ତ ଔପନ୍ୟାସିକମାନଙ୍କ ଉପନ୍ୟାସର ଭାଷା-ଶୈଳୀ ମାଧ୍ୟମରେ ମୁଖ୍ୟତଃ ଏହା ଦର୍ଶାଯାଇଛି କିନ୍ତୁ ଅନ୍ୟାନ୍ୟ ଅନେକ ଔପନ୍ୟାସିକ ନୂତନ ଧାରା, ଚିନ୍ତାଚେତନା ଓ ଭାଷା ଶୈଳୀରେ ଓଡ଼ିଆ ଉପନ୍ୟାସ ପୁଷ୍ଟ । ରାଜ କିଶୋର ପଟ୍ଟନାୟକଙ୍କର ମନୋବିଶ୍ଳେଷଣ ଧର୍ମୀ ଉପନ୍ୟାସ ଏ ଧାରାକୁ ସମୃଦ୍ଧ କରିଛି । ଚରିତ୍ରର ମାନସିକ ଦ୍ୱନ୍ଦ୍ୱ, ଆଲୋଡ଼ନ ବର୍ଣ୍ଣନା ଲେଖକଙ୍କର ଉଦ୍ଦେଶ୍ୟ ହୋଇଥିବାରୁ କଥାବସ୍ତୁର ଗତି ଧୀର, ମନ୍ଥର । ଉପନ୍ୟାସର ଅନ୍ୟ ସମସ୍ତ ବିଭାବ (କଥାବସ୍ତୁ, ଗଳ୍ପାଂଶ, ଘଟଣା) ଉପେକ୍ଷିତା । ନାରୀମନର ବିଶ୍ଳେଷଣାତ୍ମକ ବର୍ଣ୍ଣନା ସେ ଓ ବସନ୍ତ କୁମାରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ଭାଷା ସହଜ, ସରଳ, ମନକୁ ଛୁଇଁଲାଭଳି । ତାଙ୍କର ଉପମା, ରୂପକଳ୍ପଗୁଡ଼ିକ ପରିଚିତ ଜଗତ ଓ ପରିଚିତ ପରିବେଶରୁ ଗୃହୀତ । ଏଥିରେ କୌଣସି ଛଦ୍ମତା ନାହିଁ ମାତ୍ର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ରହିଛି । ଗୋବିନ୍ଦ ଦାସଙ୍କ ଭାଷା ଭିନ୍ନ । ‘ଲାସୁ’ ଓ ‘ଭଗ୍ନାଂଶ’ ଅପେକ୍ଷା ଔପନ୍ୟାସିକ ପାଠକୀୟ ସ୍ୱୀକୃତି ଲାଭ କରିଛନ୍ତି ‘ଅମାବାସ୍ୟାର ଚନ୍ଦ୍ର’ରେ ଅଧିକ । ଏ ଉପନ୍ୟାସର ଭାଷାର ଦ୍ୟୋତିତ ଅର୍ଥ ପାଠକକୁ ଆକୃଷ୍ଟ କରେ । ସାହିତ୍ୟିକ ଶୈଳୀରେ ସାହିତ୍ୟିକ ଭାଷା ପ୍ରୟୋଗ ଘଟିଛି । ଲେଖକଙ୍କ ଆନ୍ତରିକତାର ଭାଷା ପାଠକ ପ୍ରାଣକୁ ସ୍ପର୍ଶ କରେ, ଲେଖକଙ୍କ ଉଷ୍ମ ଆବେଗକୁ ଅନୁଭବ କରିହୁଏ । ପ୍ରଚଳିତ ମୂଲ୍ୟବୋଧକୁ ଅସ୍ୱୀକାର କରି ଔପନ୍ୟାସିକ ଦୃଷ୍ଟି ଆକର୍ଷଣ କରିଛନ୍ତି ମନୁଷ୍ୟର ସତ୍ତାପ୍ରତି-। କୌଣସି ମନୁଷ୍ୟ ସମ୍ପୂର୍ଣ୍ଣ ଭଲ ବା ସମ୍ପୂର୍ଣ୍ଣ ମନ୍ଦ ନ ଥାଏ- ଏହାର ରୂପକାତ୍ମକ ପରିପ୍ରକାଶ ‘ଅମାବାସ୍ୟାର ଚନ୍ଦ୍ର’ । ମୌଳିକ ଦୃଷ୍ଟିଭଂଗୀ, ତୀବ୍ର ଉତ୍କଣ୍ଠା ଧର୍ମୀ, ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଥଚ ରୋମାଣ୍ଟିକ ଓ କାବ୍ୟିକ ତାଙ୍କର ଶବ୍ଦ ସଂଯୋଜନା ଓ ଭାଷାଶୈଳୀ । ତାଙ୍କର ଭାଷା ସଂଳାପ ଜୀବନଧର୍ମୀ ଓ ଦାର୍ଶନିକତା ପୂର୍ଣ୍ଣ । ଶବ୍ଦ ସଂଯୋଜନା ଓ ବିନ୍ୟାସର ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ସାଙ୍କେତିକତା, ପ୍ରାଣୋଚ୍ଛ୍ୱଳତା ଉପନ୍ୟାସକୁ ଛନ୍ଦମୟ ଓ ଅନନ୍ୟ କରିଛି । ମହାପାତ୍ର ନୀଳମଣି ସାହୁଙ୍କ ଭାଷା ରୋମାଣ୍ଟିକ, କଳ୍ପନା ପ୍ରବଣ ହେଲେ ହେଁ ସେ ବିସ୍ତୃତ ବର୍ଣ୍ଣନା ମାଧ୍ୟମରେ ଉପନ୍ୟାସ ଦୁଇଟିର ଉପସ୍ଥାପନା କରିଛନ୍ତି । ଉପନ୍ୟାସ ଗୁଡ଼ିକ ମନସ୍ତତ୍ତ୍ୱମୂଳକ, ମନନ ଧର୍ମୀ । ଲେଖକଙ୍କର ପ୍ରଗଳ୍‌ଭତା ଉପନ୍ୟାସକୁ ତ୍ରୁଟିଯୁକ୍ତ କରିଛି । ଆବେଗରେ ଆନ୍ତରିକତା ଅପେକ୍ଷା ଶାବ୍ଦିକ କାବ୍ୟିକତା ଅଧିକ । ବର୍ଣ୍ଣନାତ୍ମକ ଶୈଳୀର ଉପସ୍ଥାପନ ପାଠକକୁ ଆକୃଷ୍ଟ କରିପାରିନି ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକା ମଧ୍ୟରେ ଆତ୍ମପ୍ରକାଶ କରିଥିବା କଥାକାର ଜ୍ଞାନୀନ୍ଦ୍ର ବର୍ମା ବିଷୟବସ୍ତୁ ନିର୍ବାଚନରେ କିଛିଟା ନୂତନତା ଆଣିଥିଲେ । ପ୍ରଗତିବାଦୀ ଚେତନାର ସେ ଥିଲେ ଅନ୍ୟତମ ସୂତ୍ରଧର । ‘‘ଘଟଣା ପ୍ରବାହରେ କିଛି ଦୂରଯାଇ ଆବେଗ ପୁଞ୍ଜୀଭୂତ କରି ଧୀରେ ଧୀରେ ଗ୍ରନ୍ଥି ମୋଚନ କରିବାର ପୁରାତନ ଶୈଳୀ ସେ ପରିହାର କରିଛନ୍ତି । କଥାର ଆରମ୍ଭରୁ ଆବେଗ ସୂତ୍ରଗୁଡ଼ିକ ବିସ୍ତାରିତ କରି ଘଟଣା ପ୍ରବାହର ପରିଣତି ଆଣିବା ହିଁ ତାଙ୍କର ପଦ୍ଧତି । ତେଣୁ ଦ୍ରୁତ ପ୍ରବାହମାନତା ତାଙ୍କ କାହାଣୀରେ ପରିଦୃଷ୍ଟ ।” (ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ- ମହାପାତ୍ର ଚନ୍ଦ୍ରଶେଖର) ସେ ଚରିତ୍ର ଓ ଘଟଣାକୁ ସମଗୁରୁତ୍ୱ ଦେବାର ପ୍ରୟାସ କରିଛନ୍ତି । ତଥାପି ତାଙ୍କର କେତୋଟି ଉପନ୍ୟାସ ହୋଇଉଠିଛି ଚରିତ୍ର ପ୍ରଧାନ । ଚରିତ୍ରର ମନୋବିଶ୍ଳେଷଣରେ ସେ ଅସାଧାରଣ । ନାରୀର ଇନ୍ଦ୍ରିୟଗ୍ରାହୀ ରୂପ ବର୍ଣ୍ଣନା ତାଙ୍କୁ ମିଷ୍ଟିକ୍ ବା ରୋମାଣ୍ଟିକ ଲେଖକର ପରିଚୟ ଦେଇଛି । ତାଙ୍କ ଶୈଳୀର ସ୍ୱାତନ୍ତ୍ର୍ୟ ଉପଲବ୍ଧି କରିହୁଏ ନାଟକୀୟ ଉପସ୍ଥାପନା ଓ ସଂଳାପ ଧର୍ମିତା ମଧ୍ୟରେ । କେତେକ ଉପନ୍ୟାସରେ ଖଳ ଚରିତ୍ର ନାହିଁ, ପ୍ରବୃତ୍ତିର ଅର୍ନ୍ତଦ୍ୱନ୍ଦ୍ୱ ଖଳଚରିତ୍ର ଭୂମିକାରେ ଅବତୀର୍ଣ୍ଣ । ବିଷୟର କିଛି ପରିମାଣରେ ଅଗ୍ରଗତି ଘଟାଇ ଚରିତ୍ର ଓ ପରିବେଶର ବାହ୍ୟ ଓ ଅନ୍ତଃ ପ୍ରକ୍ରିୟାକୁ ବିସ୍ତୃତ ରୂପ ଦେଇଥାନ୍ତି ସେ । ଉପନ୍ୟାସର ଆରମ୍ଭ ଭାଗରେ ବିଷୟବସ୍ତୁଗତ କୌତୂହଳ ଉନ୍ମୋଚିତ କରିଦେଉଥିବାରୁ ପରିସମାପ୍ତି ତାର ଆକର୍ଷଣ ହରାଇବସେ । ଚରିତ୍ରର ମାନସିକ ଅବସ୍ଥା ତଥା ପରିବେଶ ଚିତ୍ରଣରେ ସେ ଧୂରୀଣ । ନାରୀର ନଗ୍ନରୂପର ବର୍ଣ୍ଣନା, ଆଦିରସର ପ୍ରାବଲ୍ୟ ତାଙ୍କ ଉପନ୍ୟାସକୁ ଦୋଷଯୁକ୍ତ କରେ । ବାସ୍ତବତା, ଆବଶ୍ୟକତା ଓ ଆନ୍ତରିକତା ହୀନ ବର୍ଣ୍ଣନା ଏହାକୁ କରିଛି ମହତ୍ତ୍ୱହୀନ । ରୋମାଣ୍ଟିକ୍, କାବ୍ୟିକତା ଯୁକ୍ତ ତାଙ୍କ ଭାଷା ଥିଲା ସ୍ଵତନ୍ତ୍ର ଓ ପରମ୍ପରାଚ୍ୟୁତ । ବିଭିନ୍ନ ଭାଷା ବଙ୍ଗଳା, ହିନ୍ଦୀ, ଇଂରାଜୀ, ସଂସ୍କୃତ ତଥା ଗ୍ରାମ୍ୟ, କଥିତ, ସାହିତ୍ୟିକ ଶବ୍ଦ ସମାହାରରେ ବର୍ଣ୍ଣନା ଲାଳିତ୍ୟପୂର୍ଣ୍ଣ । ରୂପକ, ପ୍ରତୀକ, ବିଶେଷଣ ପ୍ରୟୋଗରେ ଜ୍ଞାନୀନ୍ଦ୍ର, ସୁରେନ୍ଦ୍ରଙ୍କ ଅଗ୍ରଜ । “ଯୌବନ ଜାହ୍ନବୀ, ଘୃଣାର ସାପକାତି, ଗାବୁଳା ଗାବୁଳା ମାଂସ, ହସର ଠୋଲାକା, ଡେମ୍ଫିଲା ଡେମ୍ଫିଲା ଅବୟବ, ନିରନ୍ଧ୍ର ଉଚ୍ଚାଟନ, ପାଲିସ କରା ଓଠ ପରି ଶବ୍ଦ ସଂଯୋଜନା ପରବର୍ତ୍ତୀ ଔପନ୍ୟାସିକଙ୍କୁ ଆକୃଷ୍ଟ କରିଛି ।

 

ଚନ୍ଦ୍ରଶେଖର ରଥ ଏ ସମସ୍ତ ଧାରାର ବ୍ୟତିକ୍ରମ । ସେ ଚିରାଚରିତ କଥାବସ୍ତୁର ଅନୁସରଣ ନକରି ସାମ୍ପ୍ରତିକ ମନୁଷ୍ୟମନରେ ଦେଖାଦେଉଥିବା ସଂଶୟ, ମାନବୀୟ ମୂଲ୍ୟବୋଧର ଅବକ୍ଷୟ, ଏକପକ୍ଷରେ ଜାରଜୀ ସଭ୍ୟତା, ଯୌନାଚାର, ଦୁର୍ନୀତି, ଶୋଷଣ, ନିର୍ଯାତନା ଯେପରି ଦର୍ଶାଇଛନ୍ତି ସେହିପରି ଅନ୍ୟ ପକ୍ଷରେ ଆତ୍ମିକ ଉତ୍ତରଣ ଓ ନିପତନର ବୌଦ୍ଧିକ ଉପସ୍ଥାପନ ମଧ୍ୟ ଘଟିଛି । ଚରିତ୍ରର ବର୍ହିରୂପ ଅପେକ୍ଷା ସେ ଅର୍ନ୍ତରୂପ ବିଶ୍ଳେଷଣରେ ଧୂରୀଣ । ସାଧାରଣ ପାଠକକୁ ଆକୃଷ୍ଟ କରିପାରିନଥିଲେ ହେଁ ବୌଦ୍ଧିକ ପାଠକର ଚେତନାକୁ ଉଦ୍ଦୀପ୍ତ କରିଛନ୍ତି । ବର୍ଣ୍ଣନା ଶୈଳୀ, ଭାଷା ଦୃଷ୍ଟିରୁ ତାଙ୍କ ଉପନ୍ୟାସ ସ୍ୱତନ୍ତ୍ର । ପ୍ରତୀକ, ରୂପକ, ଚିତ୍ରକଳ୍ପ ଆଦି ପ୍ରୟୋଗରେ ଉପନ୍ୟାସ ଅଧିକ ଭାବପୂର୍ଣ୍ଣ ହୋଇଛି । ଉପନ୍ୟାସର ଭାଷା ଚରିତ୍ର ଉପଯୋଗୀ ହେଲେ ମଧ୍ୟ ବର୍ଣ୍ଣନାରୀତି ପରିହାର କରିଛି ପାରଂପରିକତା ।

 

ତାଙ୍କର ଶବ୍ଦ ପ୍ରୟୋଗରେ କଳାତ୍ମକତା, ମୌଳିକତା ନିମ୍ନୋକତ୍ତ ଦୃଷ୍ଟାନ୍ତରୁ ଦେଖାଯାଇପାରେ । ନିଝୁମ ଅରଣ୍ୟ, ସାପୁଆ ରାସ୍ତା, ତମ୍ୱାଳିଆ ମେଘ, ଅଗଣିତ ଶତାବ୍ଦୀ, ଶବ୍ଦ ଫଣା, ଫୁଟନ୍ତା ଲୁହ, ନିଘଞ୍ଚ ଆକାଶ, ଶୀତଳ ନୀରବତା, ଅଲାଜୁକ କ୍ଷୁଧା, କୁଞ୍ଚକୁଞ୍ଚ ହସ, ଲୋଚାକୋଚା ଅନାଧୁନିକ ସଂସ୍କୃତି, ବାଦଶାହୀ ମାଲ ଇତ୍ୟାଦି । ‘ନବଜାତକ’ ଉପନ୍ୟାସ ଜାତକ କଥା ଶୈଳୀରେ ରଚିତ । ତୀକ୍ଷ୍‌ଣ ଅର୍ନ୍ତଦୃଷ୍ଟି ସଂପନ୍ନ ତାଙ୍କର ରଚନା । ସ୍ଥିତିବାଦୀ ଦର୍ଶନ ଦ୍ୱାରା ଏହା ଅନୁପ୍ରେରିତ । ତାଙ୍କ ଉପନ୍ୟାସଗୁଡ଼ିକ ଭାବୋଦ୍ଦୀପକ । ଦେବ୍ରାଜ ଲେଂକା ତାଙ୍କର ପ୍ରାୟ ସମସ୍ତ ଉପନ୍ୟାସରେ ପରୀକ୍ଷା ନିରୀକ୍ଷା କରିଛନ୍ତି । କଥା ନିର୍ବାଚନ ବେଳେ ପ୍ରଥାସିଦ୍ଧ ଧାରାଠାରୁ ଓହରି ଆସି ସ୍ୱତନ୍ତ୍ର ହେଇଯାଇଛନ୍ତି । ତାଙ୍କର ‘ଅନ୍ଧମୁହାଁଣି’ ଉପନ୍ୟାସ ପାରଂପରିକ ରୀତିରେ ରଚିତ ହୋଇଥିଲେ ମଧ୍ୟ ଅତ୍ରନ୍ତ ସୁଖପାଠ୍ୟ । ଗଣେଶ୍ଵର ମିଶ୍ର ମଧ୍ୟ ଏହି ଧାରାର ଔପନ୍ୟାସିକ । ତାଙ୍କର ‘ସାମୁଦ୍ରିକ’ ଉପନ୍ୟାସରେ ନୋଳିଆ ସମ୍ପ୍ରଦାୟର ଜୀବନ ଚର୍ଯା ଓ ତାଙ୍କର ସଂସ୍କୃତି ରୂପାୟିତ । ସେ ମନୋରଂଜନ ଧର୍ମୀ ବିସ୍ତୃତ ବର୍ଣ୍ଣନାକୁ ପରିହାର କରି ସଂକ୍ଷିପ୍ତ, ବୌଦ୍ଧିକ ଉପନ୍ୟାସ ରଚନା କରିଛନ୍ତି । ଉପନ୍ୟାସର ଗଳ୍ପାଂଶ ତାଙ୍କର ଲକ୍ଷ୍ୟ ନୁହେଁ । କାହାଣୀ ବିନା ନାଟକୀୟତା, ଦ୍ଵନ୍ଦ୍ୱ ନାହିଁ, ଚରିତ୍ରର ବିସ୍ତୃତ ବର୍ଣ୍ଣନା ନାହିଁ । ମାତ୍ର ଭାଷା ଚୁମ୍ୱକୀୟ । ଗଭୀର ଅନ୍ତର୍ଦୃଷ୍ଟି ଓ କଳାକୁଶଳତା ସହିତ ଚରିତ୍ର ଗୁଡ଼ିକ ଚିତ୍ରିତ । ମାତ୍ର ଘଟଣା ପ୍ରବାହରେ ଚମତ୍କାରିତା ନଥିବାରୁ ପାଠକ ଗ୍ରହଣ କରିପାରିନାହାନ୍ତି ।

 

ମନୋଜ ଦାସ ଏ ସମୟର ଜଣେ ବ୍ୟତିକ୍ରାନ୍ତ ପ୍ରତିଭା । ଲେଖକଙ୍କ ଉଦ୍ଦେଶ୍ୟକୁ ବ୍ୟକ୍ତ କରିବାପାଇଁ ତାଙ୍କ ବ୍ୟବହୃତ ଶୈଳୀ ଉପଯୁକ୍ତ । କଥାବସ୍ତୁ ରୋମାଞ୍ଚକର ନୁହେଁ ସତ ମାତ୍ର ତା’ ସହିତ ସନ୍ନିବେଶିତ ହୋଇଥିବା ବହୁ କିମ୍ୱଦନ୍ତୀ, ଲୋକକଥା, ପୁରାଣ ଓ ଲୋକକାହାଣୀ ଏହାକୁ ପଠନ ପ୍ରିୟ କରିଥାଏ । ଭାବର ଗଭୀରତା, ଗଭୀର ଆନ୍ତରିକତା, ରସବୋଧ, ନିର୍ମଳ କୌତୁକତା ବୌଦ୍ଧିକ ପାଠକର ଚେତନାକୁ କରେ ଉଜ୍ଜୀବିତ । ମନୁଷ୍ୟର ଆତ୍ମ ଉତ୍ତରଣ ନିମନ୍ତେ ସେ ଶାଶ୍ୱତ ବା ଚିରନ୍ତନ ସତ୍ୟ ଉପଲବ୍ଧିରେ ବିଶ୍ଵାସୀ । ଘଟଣାର ଚାରୁ ସଂଯୋଜନା, ଚମତ୍କାର ଉପସ୍ଥାପନା, ଅପ୍ରତ୍ୟାଶିତ ଆଚମକା ପରିସମାପ୍ତି, ବୁଦ୍ଧିଦୀପ୍ତ ଲଘୁ ବ୍ୟଙ୍ଗ ତାଙ୍କ ଶୈଳୀର ଅନ୍ୟ ବୈଶିଷ୍ଟ୍ୟ । ଲେଖକ ଅତ୍ୟନ୍ତ ସଂସ୍କୃତି ଓ ଆଧ୍ୟାତ୍ମ ସଚେତନ ରୁଚିଶୀଳ ଶିଳ୍ପୀ । ତାଙ୍କର ଭାବ ଯେତେ ବୌଦ୍ଧିକ ପ୍ରକାଶ ଭଂଗୀ ସେତେ ସ୍ନିଗ୍ଧ, ମସୃଣ ଓ ସ୍ଵଚ୍ଛ । ଭାବ ତାଙ୍କର ଯେତେ ସ୍ୱତନ୍ତ୍ର ହେଉନା କାହିଁକି ସେ ଶବ୍ଦକୁ ମୋଡ଼ିମାଡ଼ି ବିଭିନ୍ନ ସ୍ତରରୁ ସଂଗ୍ରହ କରି ନିଜ ଆବଶ୍ୟକତା ମତେ ବ୍ୟବହାର କରିନିଅନ୍ତି । ଶବ୍ଦ ନିର୍ମାଣ, ଶବ୍ଦ ସଂଯୋଜନାରେ ତାଙ୍କର ପ୍ରଭୁତ୍ୱ ଯଥେଷ୍ଟ ବେଶୀ, ସାଧାରଣ ଦୃଶ୍ୟଟି କେତେ ଅସାଧାରଣ ହୋଇପାରେ ନିତ୍ୟ ଦେଖୁଥିବା ଜିନିଷ କେତେ ମହନୀୟ ହୋଇପାରେ ତାହା ବର୍ଣ୍ଣନା ଛଳରେ ଅନେକ ସ୍ଥଳରେ ଦର୍ଶାଇଛନ୍ତି । ଏଇ ସେଦିନ ପର୍ଯ୍ୟନ୍ତ ନଈଟି ବହୁଥିଲା ଆମ ଗାଁଟିକୁ କୋଳରେ ଧରିବା ପାଇଁ- ତମେ ଯେମିତି ମୋତେ ଧରିଛ- ଯେତିକି ବଡ଼ ହେବା ଦରକାର ମାତ୍ର ସେତିକି ଆକାରର ନଈ । ଥରେ ବର୍ଷା ଋତୁରେ ଆକାଶବ୍ୟାପି ଇନ୍ଦ୍ରଧନୁ ଚମକିଥାଏ । ଆମ ନଈତାକୁ ଏଡ଼େ ବିଶ୍ୱସ୍ତ ଭାବରେ ପ୍ରତିଫଳିତ କରିଥାଏ ଯେ, ସତ ଇନ୍ଦ୍ରଧନୁଟି ଆକାଶରେ ନା ନଈରେ, ମୁହୂର୍ତ୍ତକ ପାଇଁ ମୋ ମନରେ ଉଠିଥିଲା ସେ ପ୍ରଶ୍ନ ।” (ପ୍ରଭଞ୍ଜନ) ଏଠାରେ ଶବ୍ଦର ଆଡ଼ମ୍ୱର ନାହିଁ ଅଛି ଶବ୍ଦ ସଂଯୋଜନାର କାରିଗରୀ ଏବଂ ଏକ ବିଶେଷ ଶୈଳୀର ପ୍ରୟୋଗ । ମନୋଜ ଦାସ ତାଙ୍କର କଥାବସ୍ତୁ, ଚରିତ୍ର, ପୃଷ୍ଠଭୂମି ଓ ଲେଖକୀୟ ବକ୍ତବ୍ୟ ପ୍ରତି ଅତିମାତ୍ରାରେ ବିଶ୍ୱସ୍ତ । ସେ ଏଗୁଡ଼ିକୁ ଏତେ ହାର୍ଦ୍ଦିକତାର ସହିତ ଉପଲବ୍ଧି କରିଥାନ୍ତି ଯେ ପରିବେଷଣ ସମୟରେ ଲେଖକଙ୍କର ଆନ୍ତରିକତା ଛତ୍ରେ ଛତ୍ରେ ଫୁଟିଉଠେ । ଉପସ୍ଥାପନ ଶୈଳୀ ପ୍ରାୟ ସମସ୍ତ ଔପନ୍ୟାସିକଙ୍କ ସହିତ ସମାନ ହେଲେ ହେଁ ଭାଷା ପ୍ରୟୋଗରେ ନିଆରା । ଇଂରାଜୀ ଭାଷା, ସାହିତ୍ୟରେ ଅଭୂତପୂର୍ବ ଦକ୍ଷତା ଏକ ନୂତନ ଧରଣର ଓଡ଼ିଆ ଭାଷା ଶୈଳୀକୁ ସୃଷ୍ଟି କରିଛି କହିଲେ ଭୁଲ୍ ହେବନାହିଁ । ଯଥାର୍ଥ ଶବ୍ଦ ପ୍ରୟୋଗ ଓ ଆବଶ୍ୟକତା ସ୍ଥଳେ ନୂତନ ଶବ୍ଦ ନିର୍ମାଣ ଓ ବାକ୍ୟମଧ୍ୟରେ ଏହାର ସଂସ୍ଥାପନରେ ତାଙ୍କର ବୈଶିଷ୍ଟ୍ୟ ଉପଲବ୍ଧି କରିହୁଏ । ଅନେକ ପ୍ରଚଳିତ ଓଡ଼ିଆ ଶବ୍ଦର ବ୍ୟବହାରିକତା ବଦ୍ଧି କରିଛନ୍ତି ଓ ପ୍ରୟୋଗଗତ ସୀମା ବ୍ୟାପ୍ତ କରିଛନ୍ତି । ଓଡ଼ିଆ ପାଠକ କେବଳ ତାଙ୍କ ନିକଟରେ ସାଧାରଣ ଶବ୍ଦର ଏତେ ସାହିତ୍ୟିକ, କଳାତ୍ମକ ଓ ଚାତୁର୍ଯ୍ୟପୂର୍ଣ୍ଣ ପ୍ରୟୋଗ ଲକ୍ଷ୍ୟକରେ । ସେ ଶବ୍ଦର ଜଣେ ବିସ୍ମୟକର ଯାଦୁକର । ବାକ୍ୟର କ୍ରମ ବିନ୍ୟାସରେ ବିଚ୍ୟୁତି ସୃଷ୍ଟି କରି ସେ ସୃଷ୍ଟି କରିପାରନ୍ତି ଭାବଗତ, ଚେତନାଗତ ଆଲୋଡ଼ନ । ପାଠକ ଆଖିରେ ଦେଖିଥିବା ଦୃଶ୍ୟକୁ ମନଶ୍ଚକ୍ଷୁରେ ପୁନର୍ବାର ଦେଖେ ଏବଂ ହୃଦୟରେ ଅନୁଭବ କରେ ପୁନଶ୍ଚ । ସେ ଅତ୍ୟନ୍ତ ସହଜ, ସରଳ ଭଂଗୀରେ ପାଠକର ଅନ୍ତଃ ଚେତନା ମଧ୍ୟକୁ ପ୍ରବେଶ କରାନ୍ତି ଗୁଢ଼ ଦାର୍ଶନିକ, ଆଧ୍ୟାତ୍ମିକ ତତ୍ତ୍ୱଟି । ତାଙ୍କର ପ୍ରତ୍ୟେକଟି ଶବ୍ଦ ସଂଯୋଜନା ଓ ବାକ୍ୟ ବିନ୍ୟାସ ମଧ୍ୟରେ ପାଠକ ହୁଏ ପୁଲକିତ । ମନନ ଧର୍ମୀ, ବୌଦ୍ଧିକ ହେଲେ ମଧ୍ୟ ସାଧାରଣ ପାଠକର ରସବୋଧକୁ ଏହା ତଅପ୍ତ କରେ । ପ୍ରତୀକ, ରୂପକ, ଚିତ୍ରକଳ୍ପର ଅସାଧାରଣ ପ୍ରୟୋଗ ସାଧାରଣ ଶବ୍ଦ ଓ ବର୍ଣ୍ଣନା ମାଧ୍ୟମରେ ଘଟିଥାଏ । ଅନେକ ସାଧାରଣ ଶବ୍ଦ (ଚମତ୍କୃତ, ପୁଲକିତ, ବିମୋହିତ, ଅଗତ୍ୟା, ଅତଏବ, ଧୀମାନ, ଶ୍ରୀମାନ୍, ସନ୍ତାପ, ବଚନ, ମୂଢ଼, ସଂଶୟ, ତଡ଼ିତ୍, ସମ୍ମୂତ, ଦୂରନ୍ତ, ହେତୁ, ଉପନୀତ, ନମିତ, ଆପ୍ୟାୟିତ)ର ପ୍ରୟୋଗ ବା ସଂଯୋଜନାଗତ ବ୍ୟାପ୍ତି ଲକ୍ଷ୍ୟ କରାଯାଏ ପ୍ରତ୍ୟୟ ବାକ୍‌ପଟୁ, ସନ୍ତରଣପଟୁ, ଉଦ୍‌ଭାବନ ଘଟୁ, ଉତ୍ତ୍ୟକ୍ତ ଜୀବନ୍ୟାସ, ନିର୍ମଳ ଉଲଗ୍ନ, ଅଗଣତାନ୍ତ୍ରିକ ମନ୍ତବ୍ୟ, ମୃଦୁ ବ୍ୟଙ୍ଗ, ସ୍ଵାଧିକାର ପ୍ରମତ୍ତ ବାତାବରଣ) ମନୋଜୀୟ ରଚନା ସମୃଦ୍ଧ ।

 

ମନୋଜ ଦାସଂକ ଯଥେଷ୍ଟ ପୂର୍ବରୁ ଉପନ୍ୟାସ ରଚନା ଆରମ୍ଭ କରିଛନ୍ତି ପ୍ରତିଭା ରାୟ । ଏଇ ସମୟର ଔପନ୍ୟାସିକାମାନଙ୍କ ମଧ୍ୟରେ ସେ ଏକ ବିଶିଷ୍ଟ ସ୍ଥାନର ଅଧିକାରିଣୀ, ଜଣେ ପ୍ରମୁଖ ଔପନ୍ୟାସିକା । ସଂଖ୍ୟା ଓ ମାନ ଦୃଷ୍ଟିରୁ ତାଙ୍କ ପ୍ରତିଭାକୁ ସ୍ୱୀକାର କରିବାକୁ ହୁଏ । ଉପନ୍ୟାସଗୁଡ଼ିକୁ ବିଷୟବସ୍ତୁ ଦୃଷ୍ଟିରୁ ମୁଖ୍ୟତଃ ସାମାଜିକ, ପୌରାଣିକ, ବୈଜ୍ଞାନିକ ଓ ଆଞ୍ଚଳିକ ଭେଦରେ ବର୍ଗୀ କରଣ କରାଯାଇପାରେ । ବିଜ୍ଞାନ ମୂଳକ ଉପନ୍ୟାସ ‘ଅରଣ୍ୟ’ରେ, କୃତ୍ରିମ ପ୍ରଜନନ ପ୍ରକ୍ରିୟାରେ ଗର୍ଭଧାରଣ ଏବଂ ‘ସମୁଦ୍ରର ସ୍ଵର’ରେ ମନରହସ୍ୟ ଉଦ୍‌ଘାଟକ ଯନ୍ତ୍ର ବ୍ରେନୋଗ୍ରାଫର ବିଷୟ ଏକ ସାମାଜିକ ସମସ୍ୟା ଆଳରେ ଉପସ୍ଥାପିତ । ଏହା ଗୋକୁଳାନନ୍ଦ ମହାପାତ୍ରଙ୍କ ସମ୍ପୂର୍ଣ୍ଣ ବିଜ୍ଞାନ ଭିତ୍ତିକ ଉପନ୍ୟାସ ସଦୃଶ ନୁହେଁ । ତେଣୁ ଗୋକୁଳାନନ୍ଦଙ୍କ ଭାଷାଶୈଳୀ ଯେପରି ତଥ୍ୟଧର୍ମୀ ତାହା ଏ କ୍ଷେତ୍ରରେ ପରିଲକ୍ଷିତ ହୁଏ ନାହିଁ । ଶ୍ରୀମତୀ ରାୟଙ୍କ କଥାବସ୍ତୁ ଯେତିକି ଏକମୁଖୀ ସେତିକି ବଳିଷ୍ଠ । ପ୍ରବଳ ଭାବାବେଗ, ରୋମାଣ୍ଟିକତା ତଥା କଳ୍ପନା ବିଳାସିତା ତାଙ୍କ ପ୍ରଥମ ପର୍ଯ୍ୟାୟ ଉପନ୍ୟାସର ଲକ୍ଷଣ । ଔପନ୍ୟାସିକଙ୍କ ପରବର୍ତ୍ତୀ ପର୍ଯ୍ୟାୟ ଉପନ୍ୟାସରେ ଲକ୍ଷ୍ୟ କରାଯାଏ ବିଶ୍ଳେଷଣାତ୍ମକ, ଗବେଷଣାତ୍ମକ ଦୃଷ୍ଟିଭଂଗୀ ସର୍ବୋପରି ପରିପକ୍ଵତା । ପୁରୁଷ ପ୍ରଧାନ ସମାଜରେ ନାରୀର ଅସମାନ ଅଧିକାର, ଲିଙ୍ଗବୈଷମ୍ୟ ଯୋଗୁ ତାଙ୍କର ଅଧିକାଂଶ ଉପନ୍ୟାସରେ ନାରୀ ଚରିତ୍ର ଚିତ୍ରଣରେ ସେ ଅଧିକ ଯତ୍ନଶୀଳ । ପୌରାଣିକ ଉପନ୍ୟାସ ଭାବରେ ‘ଯାଜ୍ଞସେନୀ' ଓ 'ମହାମୋହ’କୁ ଗ୍ରହଣ କରାଯାଉଥିଲେ ତାହା ଯଥାର୍ଥରେ ପୁରାଣର ପୁନର୍ନ୍ୟାସ । ସାମ୍ପ୍ରତିକ ମୂଲ୍ୟବୋଧ ଅନୁସାରେ ଲେଖିକାଙ୍କ ଦୃଷ୍ଟିଭଂଗୀ ପ୍ରତିଫଳିତ । ବିଷୟବସ୍ତୁଗତ ନୂତନତା ବ୍ୟତୀତ ପରିବେଷଣଗତ, ଭାଷାଶୈଳୀଗତ ବୈଚିତ୍ର୍ୟ ପରିଦୃଷ୍ଟ ହୁଏ ନାହିଁ । ଲେଖିକାଂକର ନାରୀ ଜାତି ପ୍ରତି ଅକୁଣ୍ଠ ସହାନୁଭୂତି, ଦରଦ ପ୍ରସୂତ ଏହି ଚରିତ୍ର ଓ ଉପନ୍ୟାସ ଗୁଡ଼ିକରେ ଭାଷାରେ ଭାବପ୍ରବଣତା, ଆବେଗ ଓ କାବ୍ୟିକତା ପରିଲକ୍ଷିତ ହୁଏ । ଶୈଳୀରେ କୌଣସି ଛଦ୍ମତା ବା ଆବରଣ ନାହିଁ । ଶବ୍ଦ ସଂଯୋଜନା ଗତ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ତାଙ୍କୁ ପାଠକର ନିକଟବର୍ତ୍ତୀ କରିଛି । ସରଳ, ସାବଲୀଳ ଓ ସ୍ଵଚ୍ଛନ୍ଦ ପ୍ରକାଶ ଭଂଗୀ ତାଙ୍କ ଉପନ୍ୟାସଗୁଡ଼ିକୁ କରିଛି ସାର୍ଥକ । ଓଡ଼ିଆ ଉପନ୍ୟାସରେ ଔପନ୍ୟାସିକାଂକ ମାଧ୍ୟମରେ Feminism ର ସ୍ୱର ସ୍ପଷ୍ଟ ଓ ଦୃପ୍ତ ଭାବରେ ଆତ୍ମପ୍ରକାଶ କରିଛି ଏଇ ଲେଖନୀରେ । ଏହା ହିଁ ତାଙ୍କର ଉପନ୍ୟାସର ପ୍ରମୁଖ ସ୍ୱର ଓ ତାହା ସେ ପାଠକ ନିକଟରେ ଯଥାର୍ଥରୂପେ ପହଞ୍ଚେଇ ପାରିଛନ୍ତି । ତାଙ୍କର କଥାବସ୍ତୁଚୟନ, ଚରିତ୍ର ନିର୍ବାଚନ ଓ ଚିତ୍ରଣ, ଭାଷାଶୈଳୀ ତଥା ଜୀବନପ୍ରତି ଦୃଷ୍ଟିଭଂଗୀ ଇତ୍ୟାଦିରୁ ଶତ ବିଦ୍ରୋହର ସ୍ଵର ସତ୍ତ୍ୱେ ଏକ ନାରୀସୁଲଭ କମନୀୟତା ଓ ଦୃଢ଼ତା ପରିସ୍ଫୁଟ ହୁଏ ଯାହା ଅନ୍ୟାନ୍ୟ ଅନେକ ଔପନ୍ୟାସିକଙ୍କ ନିକଟରେ ଦୁର୍ଲଭ । ତାଙ୍କ ରଚନା ନିର୍ଭୀକ ତାଙ୍କର ଭାଷା ସେତେ ଲଳିତ, ନମ୍ର, କମନୀୟ ଓ ଦୃପ୍ତ । ପାଠକୀୟ ଆବେଦନ ଦୃଷ୍ଟିରୁ ବିଭୂତି ପଟ୍ଟନାୟକଙ୍କ ସମକକ୍ଷ ସେ । ନାରୀ ଲେଖନୀ ଦୃଷ୍ଟିରୁ ତାଙ୍କ ଉପନ୍ୟାସ ସର୍ବଦା ଉଲ୍ଲେଖନୀୟ ।

 

ଚନ୍ଦ୍ରଶେଖର ରଥ, ଗଣେଶ୍ଵର ମିଶ୍ର ବା ଶାନ୍ତନୁ ଆଚାର୍ଯ୍ୟଙ୍କ ଉପନ୍ୟାସରେ ଯେପରି କାହାଣୀ ବିନ୍ୟାସ ଓ ଉପସ୍ଥାପନାରେ ନୂତନତ୍ୱ ଦେଖାଯାଇଥିଲା, ଯେମିତି ପାରମ୍ପରିକତାକୁ ପରିହାର କରାଯାଇଥିଲା ପ୍ରାୟ ସେହି ଶୈଳୀ ପୁନଶ୍ଚ ଦେଖିବାକୁ ମିଳେ ହୃଷୀକେଶ ପଣ୍ଡାଙ୍କ ଉପନ୍ୟାସରେ । କାହାଣୀ ବଳିଷ୍ଠ ନୁହେଁ ଯଦିଓ ନିଷ୍ଠାର ସହିତ ଏକମୁଖୀ । ଉପସ୍ଥାପନାରେ ପାରମ୍ପରିକତାକୁ ପରିତ୍ୟାଗ କରିଛନ୍ତି । ଚରିତ୍ର ପ୍ରଧାନ ଉପନ୍ୟାସ ଓ ବର୍ଣ୍ଣନାତ୍ମକ ଶୈଳୀ ସହିତ ପ୍ରତୀକ, ରୂପକ ଓ ଚିତ୍ରକଳ୍ପର ପ୍ରୟୋଗ ଉପନ୍ୟାସକୁ କରିଛି ଭାବଗମ୍ଭୀର । ସୁତରାଂ ପାଠକୀୟ ଆକର୍ଷଣ ହରେଇବା ସ୍ଵାଭାବିକ । ଲେଖକଙ୍କର ସୂକ୍ଷ୍ମ ଅନୁଭୂତି, ଦାର୍ଶନିକ ଅଭିବ୍ୟକ୍ତି ସହିତ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ତାଙ୍କୁ ଏକ ଭିନ୍ନ ମାନର ଔପନ୍ୟାସିକର ପରିଚିତି ଦିଏ । ଭାଷା ସରଳ ହେଲେ ମଧ୍ୟ ବୌଦ୍ଧିକ । ଉପସ୍ଥାପନ ଶୈଳୀରେ କଳାତ୍ମକତା, ବୌଦ୍ଧିକତା ଅନୁଭବ୍ୟ । ଶବ୍ଦ ସବୁ ପରିଚିତ ଜଗତର କିନ୍ତୁ ପ୍ରୟୋଗ ଭିନ୍ନ । ଯେପରି ‘ବାଘ ପରି ଖରାମୁହଁରେ ଲାଜନାହିଁ, ‘ଗୋଟେ ଗୀତ ସତେକି କୂଅ ଭିତରୁ ଉଠିଆସି ଗରା ଭିତରକୁ ଟିକିଲି ନାଚ ପ୍ରିୟ ଝିଅ ବେତାଳ ପରି ଓହ୍ଲେଇ ପଡ଼ୁଛି’, ‘ଗୋବିନ୍ଦ ମୁହଁ ଏକ ଗୁଆମାଳ ବୋଇତାଳୁପରି ପାକଳ ଦିଶୁଛି, ଚନ୍ଦା ହୋଇଯାଇଛି ଓ ଅଦ୍‌ଭୁତ ଚଷମା ପିନ୍ଧିଛି ଓ ପେଟ ବାହାରିଆସି କୋଳରେ ଅଜାଡ଼ି ପଡ଼ିଛି’, ହୃଦୟ ଥିଲା କୁଆପଥର ପରି ସ୍ୱଚ୍ଛ ଓ ତରଳଶୀଳ, ମାଠିଆ କଳାରଙ୍ଗର ମେଘ, ସଚ୍ଚୋଟ ସ୍ତନ, କିମ୍ବା ଢେଂଗା ନିଆଁ ଆଦି । ତାଙ୍କର ପ୍ରତୀକ, ରୂପକ ଓ ଚିତ୍ରକଳ୍ପ ପ୍ରୟୋଗରେ ଯେତିକି କୁଶଳତା ଲକ୍ଷ୍ୟ କରାଯାଏ ସେତିକି ଶବ୍ଦ ଓ ପ୍ରତ୍ୟୟ ସଂଯୋଗରେ ନୂତନ ଶବ୍ଦ ଗଠନରେ । ସାଧାରଣ କଥିତ ଓଡ଼ିଆ ଭାଷାରେ ରଚିତ ହୋଇଥିଲେ ହେଁ ଭାଷାରେ ଆବେଗ ଓ ଭାବର ପ୍ରବାହମାନତା ଅଭାବରୁ ସୁଖପାଠ୍ୟ ନୁହେଁ । ଉତ୍କଣ୍ଠାହୀନ, ଆନ୍ତରିକତା ବିହୀନ କିପରି ଏକ ନିସ୍ପୃହ, ନିରାସକ୍ତ ଶୈଳୀ ଉପନ୍ୟାସଗୁଡ଼ିକର । ସଂଳାପରେ ଅନେକ ଗ୍ରାମ୍ୟ, କଥିତ ଓ ଧ୍ୱନ୍ୟାତ୍ମକ ଶବ୍ଦ ବ୍ୟବହୃତ କିନ୍ତୁ ବର୍ଣ୍ଣନାରେ ସ୍ଵଚ୍ଛନ୍ଦତା ଓ ସ୍ଵାଭାବିକତା ନାହିଁ । ଉପନ୍ୟାସଗୁଡ଼ିକ ପ୍ରତୀକ ଓ ସୂଚନାଧର୍ମୀ । ଭାଷାରେ ଲଘୁ ବ୍ୟଂଜନା ଓ ତିର୍ଯକ ଭଂଗୀ ରହିଛି, ‘‘ଲୋକେ ଘରଛାଡ଼ି ବାରଣ୍ଡାରେ ରହିଲେ, ପୁଣି ବାରଣ୍ଡା ଛାଡ଼ିଦେଇ ଘର ଆଗରେ ଝାଟି ମାଟି ବନେଇ ରହିଲେ ।” (ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ) କିମ୍ବା ‘ଦୁର୍ଯ୍ୟୋଧନ ବର୍ଷାପାଟି ପାଖରୁ ଦୁଇଟଙ୍କାର ଦେଶୀମଦ ପିଇ ଦୁଇଲକ୍ଷ ଟଙ୍କାର ଔଦ୍ଧତ୍ୟ ଓ ଆନୁଗତ୍ୟ ଅନୁଭବ କରୁଥିଲା ଏବଂ ପାଣ୍ଡବ ଓ ତାର ଅନ୍ୟାନ୍ୟ ଶତ୍ରୁମାନଙ୍କୁ ରିହାତି ଦେଇ ମାର୍କଣ୍ଡ ପାଖକୁ ଆସିଲା, ବିନା କଥାରେ ଜାବଡ଼ାଟେ ଥୋଇଲା; ଧାଡ଼ିଏ ଦାନ୍ତ ତଳକୁ ଖସିପଡ଼ିଲା । କ୍ରମାନ୍ୱୟରେ ଦୁର୍ଯ୍ୟୋଧନ ଦାନ୍ତକୁ ଓ କାର୍ମଣ୍ଡକୁ ଅନେଇଁଲା, ରକ୍ତ ବାହାରିବ ବୋଲି । ରକ୍ତ ବାହାରିଲା ନାହିଁ । ଦାନ୍ତ ନକଲି ଥିଲା । ଗଳା ନିର୍ବାଚନରେ ମାର୍କଣ୍ଡ ନକଲି ଦାନ୍ତ ଖର୍ଚ୍ଚ ଛତା ପାର୍ଟିଠୁଁ ପାଇଥିଲା ।” (ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ) ଏ ନିରୀହ କୌତୁକ ମନୋଜ ଦାସଂକୁ ମନେ ପକେଇଦିଏ । ଲେଖକଙ୍କର ବର୍ଣ୍ଣନା ଶୈଳୀ ପାଠକ ମନରେ ଭାବର ପ୍ରବାହମାନତା ବା ଚରିତ୍ର ପ୍ରତି ଏକାତ୍ମତା ସୃଷ୍ଟିକରେ ନି କି ଲେଖକଯେ ଚରିତ୍ର, ବର୍ଣ୍ଣିତ ଘଟଣା ପ୍ରତି ଅନ୍ତରଙ୍ଗ ଓ ସହାନୁଭୂତିଶୀଳ ତା’ ମଧ୍ୟ ଅନୁଭବ କରିହୁଏନି । ଉତ୍କଣ୍ଠା ବିହୀନ ନିର୍ଲିପ୍ତ ଶୈଳୀରେ ଦ୍ୱନ୍ଦ୍ୱ, ସଂଘର୍ଷ ନାହିଁ କିମ୍ବା ଅନ୍ତର୍ଦ୍ୱନ୍ଦ୍ୱର ପ୍ରାବଲ୍ୟରେ ଆତ୍ମୀୟତା ନାହିଁ । ଚିରାଚରିତ ଶୈଳୀ ବ୍ୟାହତ । ପ୍ରେମିକ ଗୋବିନ୍ଦର ଅନୁପସ୍ଥିତିରେ ପ୍ରେମିକା କୁନ୍ତୀର ମାନସିକ ଅବସ୍ଥାର ବର୍ଣ୍ଣନା “ଗୋବିନ୍ଦ ଚାଲିଗଲା ପରେ ସେ କେମିତି ତ ଆଉ ବଢ଼ିଲା ନାଇଁ, ଛୋଟିଆ ହୋଇ ରହିଗଲା । ବିଛଣାରେ, ଅଗଣାରେ, ହାଣ୍ଡିଶାଳରେ, ପୋଖରୀବାଡ଼ିରେ, ନହଣରେ, ବୋରଝାଞ୍ଜିରେ, ନଡ଼ିଆଗଛର ଖୁଡ଼ୁମାରେ, ନଈରୁ ଫେରୁଥିବା ଝିଅ ବୋହୂଙ୍କ କଳସ କାଖେଇ ଗହଳିରେ, ରାତିରେ ବେସୁରା ଗୀତ ଗାଇ ଫେରୁଥିବା ଆଡ଼ବାୟା ମାର୍କଣ୍ଡବାପରେ, ଜମିଦାରର କ୍ରୋଧରେ, ପୁଷି ବିଲେଇର ଓଳିକ ଅନୁପସ୍ଥିତିରେ, କଞ୍ଚାମୁଞ୍ଚା ପୋଖରୀ ତୁଠରେ ଗୋଡ଼ ଧୋଇ ଅନ୍ୟମନସ୍କ ବିଦେଶୀଟି ଫେରିଯାଉଥିବାରେ, ଚତୁର୍ଦ୍ଦିଗରେ ଅନେକ କାଳ କାରୁଣ୍ୟ ଅତି ପ୍ରାଚୀନ ଥିଲା, ଯଥା ରାଧାଙ୍କ ବିରହରେ କୃଷ୍ଣଙ୍କର ବଂଶୀ ବା ତଅପୋଇର କାଂଦଣା ଓ କାରୁଣ୍ୟ ଏତେ ପ୍ରାଚୀନ ଥିଲା ଯେ ଟୋପେ ସୁଦ୍ଧା ଲୁହ ମନା କରିଦେଲା ।” (ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ) ବର୍ଣ୍ଣନା ଶୈଳୀରେ ଭିନ୍ନତା ରହିଛି ମାତ୍ର ଭାଷା ସାଧାରଣ, କଥିତ ସ୍ତରୀୟ ।

 

ଜଗଦୀଶ ମହାନ୍ତିଙ୍କ ପ୍ରଥମ ଉପନ୍ୟାସରେ ଚିରାଚରିତ ଶୈଳୀ ବା ପାରଂପରିକତାକୁ ପ୍ରତିହତ କରିବାର ଉଦ୍ଦେଶ୍ୟ ସ୍ପଷ୍ଟ । ପରବର୍ତ୍ତୀ ସମୟରେ ତାଙ୍କର ଆଭିମୁଖ୍ୟ ବଦଳିଯାଇ ଅଧିକ ସଫଳ ଉପନ୍ୟାସଗୁଡ଼ିକୁ ଜନ୍ମ ଦେଇଛି । ତାଙ୍କ ଉପନ୍ୟାସର କଥା ସଂରଚନା, କଳ୍ପନା ଅପେକ୍ଷା ଅଧିକ ସତ୍ୟ ବୋଲି ପ୍ରତୀୟମାନ ହୁଏ । ବ୍ୟକ୍ତି ଓ ପାରିବାରିକ ସମସ୍ୟା ସହିତ ସମାନ୍ତରାଳ କରି ବହିର୍ଜଗତରେ, ବିଶେଷଭାବେ ସାମ୍ପ୍ରତିକ ରାଜନୀତିକ ଅବସ୍ଥାର ଅନ୍ୟ ଏକ ଘଟଣା ଗଡ଼ିଚାଲିଥାଏ-। ନିଜ ନିଜର ପାନିପଥ’ ଓ ଦୁର୍ଦ୍ଦିନ’ଏ ଜାତୀୟ । କଥାବସ୍ତୁ ଲକ୍ଷ୍ୟ ଦିଗରେ ଦ୍ରୁତଗତିକରେ । ଛୋଟବଡ଼ ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣାର ସମାବେଶ, ତାଙ୍କର ଶାଣିତ ଓ ତିର୍ଯକ ଭଂଗୀକୁ ଉପନ୍ୟାସର ଉତ୍କଣ୍ଠାର ରକ୍ଷା କରିବାରେ ସହାୟକ ହୋଇଛି । ଉପନ୍ୟାସର ଭାଷା ଇଂଗିତଧର୍ମୀ କିନ୍ତୁ ସରଳ, ଶବ୍ଦ ବିନ୍ୟାସ ସଂକ୍ଷିପ୍ତ ସଂଯତ ଓ ରୁଚିଶୀଳ । ଆଜିର ଶିକ୍ଷିତ ମଣିଷର ଇଂରାଜୀ ମିଶା କଥିତ ଭାଷା ତାଙ୍କ ଉପନ୍ୟାସରେ ବ୍ୟବହୃତ । କଥାବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ, ଭାଷାଶୈଳୀ ରୁଚିଶୀଳ ନିରପେକ୍ଷ ଦୃଷ୍ଟିଭଂଗୀ, ଅଳଂକରଣ ପ୍ରତି ଅନାସକ୍ତି, ସର୍ବୋପରି ଚରିତ୍ରର ପ୍ରତ୍ୟେକଟି ଶାରୀରିକ, ମାନସିକ କ୍ରିୟା ପ୍ରତିକ୍ରିୟାର ନିଖୁଣ ଓ ଜୀବନ୍ତ ବର୍ଣ୍ଣନା ପାଠକକୁ ଅଭିଭୂତ କରେ । ଜୀବନର ଖଣ୍ଡିତାଂଶ ମଧ୍ୟରେ ପ୍ରତିଫଳିତ ହୁଏ ପୂର୍ଣ୍ଣତା । ନାରୀର ରୂପ ବର୍ଣ୍ଣନା, ଯୌନାବେଗ ଚିତ୍ରଣରେ ଲେଖକ ଖୁବ୍ ସଂଯତ ଓ ରୁଚିଶୀଳ । ସ୍ୱାଭାବିକତା ରକ୍ଷା ଦିଗରେ ଔପନ୍ୟାସିକ ଖୁବ୍ ସଚେତନ । ଲେଖକଙ୍କ ପରିଚ୍ଛନ୍ନ ଶୈଳୀ ଓ ସ୍ଵଚ୍ଛନ୍ଦ ଅଭିବ୍ୟକ୍ତି ‘ନିଜ ନିଜ ପାନିପଥ’, ‘ଉତ୍ତରାଧିକାର’ ଓ ‘ଦୁର୍ଦ୍ଦିନ’ ଆଦି ଉପନ୍ୟାସରେ ସୁସ୍ପଷ୍ଟ । ‘କନିଷ୍କ-କନିଷ୍କ’ ଉପନ୍ୟାସରେ ଯେଉଁ ଜଟିଳତା, ପ୍ରତୀକାତ୍ମକତା ପ୍ରକାଶ ପାଇଛି ତାହା ପରବର୍ତ୍ତୀ ଉପନ୍ୟାସରେ କ୍ରମେ ସରଳ ହୋଇଛି-। ଲଘୁବ୍ୟଙ୍ଗ, ସୂକ୍ଷ୍ମ ବ୍ୟଞ୍ଜନା ତଥା ଭାବାବେଗର ନିରବଚ୍ଛିନ୍ନ ପ୍ରବାହ ତାଙ୍କ ଉପନ୍ୟାସର ବୈଶିଷ୍ଟ୍ୟ-। ପାଠକ ଉତ୍କଣ୍ଠିତ ହୁଏ ପରବର୍ତ୍ତୀ ଘଟଣା ଜାଣିବାପାଇଁ, କିନ୍ତୁ ଲେଖକ କିପରି ଏକ ଆସକ୍ତି ବିହୀନ ରିପୋଟିଂ ଶୈଳୀରେ ଘଟଣାଗୁଡ଼ିକୁ ବର୍ଣ୍ଣନା କରିଥାନ୍ତି । ତେବେ ତାଙ୍କ ଶୈଳୀ ଅନେକତ୍ର ଆତ୍ମୀୟତାପୂର୍ଣ୍ଣ । ଲେଖକଙ୍କର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ମଧ୍ୟରେ ପାଠକକୁ ଧରିରଖିବା ପରି ରହିଛି ଆକର୍ଷଣୀଶକ୍ତି । ଭାଷା ଖୁବ୍ ସରଳ, ସାବଲୀଳ, ଠିକ୍ ଲେଖକଙ୍କ ଉଦ୍ଦେଶ୍ୟ ପରି ପ୍ରାଞ୍ଜଳ । ତାଙ୍କର ଶବ୍ଦ ସଂଯୋଜନା, ଉପମା, ଚିତ୍ରକଳ୍ପ ପ୍ରୟୋଗ ମଧ୍ୟ ଉଲ୍ଲେଖନୀୟ । ‘‘ତିନିଟା ଫସଲ ଉତାରିଥିବା ତାଙ୍କ ଦେହ ଓ ମନର କ୍ଷତଟା ଖାଲି ମାଘ ମାସର ଶୁଖିଲା ଚଟାଣ ଭଳି ଯାନ୍ତ୍ରିକ’, ଫମ୍ପା ଆତ୍ମୀୟତା’, ‘ଇଚ୍ଛାର ମହମବତୀ’, ‘ବରଫର ହସ', ‘ମନତଳରେ ସୂର୍ଯ୍ୟଦଗ୍ଧ’ ‘ଗଙ୍ଗଶିଉଳିର ପ୍ରତ୍ୟାଶା’, ଅଭିମାନର ବର୍ଷା, ‘ଗୌତମୀର କଥା ମନେପଡ଼ିବାରୁ ପୁଣି ମୋ ଆଖି ଆଗରେ ନଇଁ ଆସିଲା ରାତି ବାରଟା ପରର ଅନ୍ଧାର । ସେଇ ଅନ୍ଧାର ଭିତରେ ଭିଜିଭିଜି କୌଣସି ସହରର ଛକରେ ଠିଆ ହୋଇଥିଲା । ବତୀଖୁଣ୍ଟଟି- ଏକୁଟିଆ, ଖୁବ ନିଃସଙ୍ଗ ।” “ପୃଥିବୀର ସବୁ ମା ଗୁଡ଼ିକ ଯେମିତି ମମତାର ଗଙ୍ଗୋତ୍ରୀ, ଆଉ ସନ୍ତାନମାନେ ଗୋଟେ ଗୋଟେ ଗଂଗା । ପ୍ରୟାଗରେ ଯମୁନାକୁ ଭେଟିଲେ, ଭୁଲିଯାନ୍ତି ମମତାର ଗଙ୍ଗୋତ୍ରୀକୁ ।” (କନିଷ୍କ-କନିଷ୍କ) ଔପନ୍ୟାସିକ ନିରାସକ୍ତ ଭାବରେ ରଚନା କରିଥିଲେ ମଧ୍ୟ ସ୍ୱାଭାବିକତା ରକ୍ଷାରେ ଯଥେଷ୍ଟ ଯତ୍ନଶୀଳ । ଆଟଭ୍‌ମେଣ୍ଟ, ଇଲିଗାଲ୍ ରିଲେସନ୍, ବେଡ୍‌ଲିଟ୍ରିଟ୍ ଆଦି ଶବ୍ଦ ପ୍ରୟୋଗ ଏହାର ଉଦାହରଣ । ତାଙ୍କ ବର୍ଣ୍ଣନାର ଯାଦୁଶକ୍ତି ପାଠକମନରେ ଘଟଣା ଚରିତ୍ରପ୍ରତି ଆସକ୍ତି ଓ ଘଟଣା ପ୍ରତି ଉତ୍କଣ୍ଠା ସୃଷ୍ଟି କରେ ।

 

ପଦ୍ମଜ ପାଳ ଏଇ ସମୟର ଜଣେ ଶକ୍ତିଶାଳୀ ଓ ସଫଳ ଔପନ୍ୟାସିକ । ସେ କଥାବସ୍ତୁ ଉପସ୍ଥାପନରେ କୌଣସି ନୂତନତା ଗ୍ରହଣ କରିନାହାନ୍ତି । ବହିଁବିଶ୍ଵ ସହିତ ମନଜଗତରେ ସଂଘଟିତ ହେଉଥିବା ଆଲୋଡ଼ନର ଜଣେ ସଫଳ ଚିତ୍ରକାର । ସାମ୍ପ୍ରତିକ ମନୁଷ୍ୟର ସମସ୍ୟା, ମନୁଷ୍ୟର ମୌଳିକ ସମସ୍ୟା ପ୍ରତି ସେ ଆକର୍ଷଣ କରିଛନ୍ତି ଦୃଷ୍ଟି । ବିଶ୍ଵାସହୀନତା, ଅସହାୟତା, ନିଷ୍ଠାହୀନତା ମନୁଷ୍ୟକୁ କେତେଦୂର ଯାନ୍ତ୍ରିକ ଓ ଅମଣିଷ କରିଛି ତାର ସଫଳ ରୂପାୟନ ଘଟିଛି ଦୁର୍ଗପତନର ବେଳ, ଆମ ସମୟର ଦୁଃଖ, ଯିବୁକି ଥିବୁ ଓ ‘ପାପ ପରି ନିଜର’ରେ । ଉପନ୍ୟାସ ଗୁଡ଼ିକରେ ବର୍ଣ୍ଣନାତ୍ମକ ଶୈଳୀ ମୁଖ୍ୟତଃ ଗ୍ରହଣ କରାଯାଇଛି । ତେବେ ‘ଯିବୁ କି ଥିବୁ ଓ ‘ପାପ ପରି ନିଜର’ ମନସ୍ତତ୍ତ୍ୱ ଧର୍ମୀ । ଔପନ୍ୟାସିକଂକ ବକ୍ତବ୍ୟ ଅତ୍ୟନ୍ତ ସ୍ପଷ୍ଟ, ପରିବେଷଣ ଶୈଳୀରେ କୌଣସି ଚମତ୍କାରିତା ନଥିଲେ ହେଁ ପାଠକକୁ ଧରିରଖିବା ପରି ରହିଛି କଥାବସ୍ତୁ, ଚରିତ୍ର ଏବଂ ଚରିତ୍ରଉପଯୋଗୀ ଭାଷା । ଲେଖକଙ୍କ ଭାଷା ଶୈଳୀରେ କୃତ୍ରିମତା ନାହିଁ, ଏକ ସାମାଜିକ ଆଟୋପ ମଧ୍ୟରେ ପ୍ରକାଶ କରିବାର ଆକାଂକ୍ଷା ନାହିଁ । ଅତି ସହଜ ଓ ସଳଖ ଭାବରେ ତାଙ୍କ ବକ୍ତବ୍ୟ ଉପସ୍ଥାପିତ ଯାହା ପାଠକ ପ୍ରାଣକୁ ସ୍ପର୍ଶ କରେ । ବଳିଷ୍ଠ କଥାବସ୍ତୁ ଓ ଏହାର ଏକମୁଖୀନତା ତଥା ଭାଷାଗତ ସରଳତା ମଧ୍ୟରେ ସ୍ୱାଭାବିକତା ଅକ୍ଷୁଣ୍ଣ । ନାଟକୀୟତା, ଉତ୍କଣ୍ଠା ଅବ୍ୟାହତ ରଖି ଲେଖକ ଏକ ପରିଚ୍ଛନ୍ନ ଶୈଳୀରେ ସମାଜର ଶିକ୍ଷିତ ଜନର କଥିତ ଭାଷା ବ୍ୟବହାର କରିଛନ୍ତି । “ଏମିତି ମୋ ଜୀବନ ଗୋଟାଏ କଣ୍ଟ୍ରାଡ଼ିକ୍‌ସନ୍’, ମୁଁ ଯେମିତି ଗୋଟିଏ ମିସ୍‌ଫିଟ୍, ‘ନନ୍‌ସେନ୍‌ସ ପ୍ରଶ୍ନ’, କର୍ମହୀନ ଜୀବନର ଗୋଟାଏ ଦୁଃଖଦ ଏନ୍‌ଗେଜ୍‌ମେଣ୍ଟ୍’, ‘କାହିଁକି ଗୋଟାଏ ଜେନେରେସନ୍‌କୁ ସର୍ବସ୍ୱାନ୍ତ କରି ଦେଉଛି’-ଆଦି ବାକ୍ୟରେ ଇଂରାଜୀ ଶବ୍ଦର ପ୍ରୟୋଗ ପରିବେଶ ଓ ଚରିତ୍ରର ଚାହିଦା ମେଣ୍ଟାଇଛି । ଖୁବ୍ ଯଥାର୍ଥ ଓ ଜୀବନ୍ତ ଉପମା, ଚିତ୍ରକଳ୍ପ ତଥା ବିଶେଷଣ ପ୍ରୟୋଗ ତାଙ୍କ ରଚନାକୁ ଅଧିକ ଭାବୋଦ୍ଦୀପ୍ତ କରି ପାରିଛି । ‘ଆତତାୟୀ ପରମ୍ପରା, ଆସୁରିକ ସଂଖ୍ୟା ଗରିଷ୍ଠତା, ଉତ୍‌ପୀଡ଼ିତ ଆର୍ଥିକ ଅବସ୍ଥା, ବର୍ଜିତ ମୂଲ୍ୟବୋଧ, ‘ନିକ୍ଷେପିତ ତୀରପରି ଅଦରକାରୀ, ବେମୁରବା କୁକୁରଟା’, ‘କେମିତି ଏକ ଆଶଙ୍କା ଗୋଟାଏ ଅଶାନ୍ତ ବାଦୁଡ଼ି ଭଳି ଯେମିତି ତା’ ମନଭିତରେ ଉଡ଼ି ଉଡ଼ି ଡେଣା ଫଡ଼ ଫଡ଼ କରୁଛି ।’, ‘ଜଗୁର ପାନ ଦୋକାନଟି ହିଁ- ନାହିଁ, ନାହିଁ ଅଛି, ଅଛି, ର ମେରି- ଗୋ ଗଉଣ୍ଡ’, ସେତେବେଳକୁ ସେକ୍ରେଟାରୀଏଟ୍‌ର ଧଳା ଠେକୁଆ ପଲ ମୁଖର ଥାଆନ୍ତି ଏକ ଆରଣ୍ୟକ ପ୍ରସ୍ଥାନରେ । ସେହିପରି ଅନୁଭୂତି ଓ ଅଭିଜ୍ଞତା ସିଦ୍ଧ ବାକ୍ୟଗୁଡ଼ିକ ମଧ୍ୟରେ ରହିଛି ମାର୍ମିକତା ଓ ଚିରକାଳିକ ସତ୍ୟ । “ବିରୋଧି ଦଳ ନେତା କିଏ ଆଉ ମୁଖ୍ୟମନ୍ତ୍ରୀ କିଏ ? ଜଣେ ବର୍ତ୍ତମାନର ଆଉ ଜଣେ ଭବିଷ୍ୟତର ଏ ରାଜ୍ୟର ଭାଗ୍ୟ ନିଅନ୍ତା”, “ସ୍ଵାର୍ଥକୈନ୍ଦ୍ରିକ ପ୍ରତିଦ୍ୱନ୍ଦିତା ହିଁ ରାଜନୀତିର ଅନ୍ତଃସ୍ୱର । ସେଠି ବନ୍ଧୁତା, ଆତ୍ମୀୟତା-ସବୁକୁ ଅନୁସରଣରୁ ଅଧିକ ଆଗେଇବାକୁ ଦିଆଯାଏନି । ଯେଉଁମାନେ ସେ ବଶ୍ୟତା ସ୍ୱୀକାର ନକରି ଟିକିଏ ଆଶବାଦୀ ହୋଇଉଠନ୍ତି- ସେଠି ବନ୍ଧୁତାର ହାତ ବି ଆତତାୟୀ ହାତଠାରୁ ଆହୁରି ଜଘନ୍ୟ ପାଲଟିଯାଏ ।” କିମ୍ୱା ପ୍ରତାରଣାର ଇତିହାସ ଯେମିତି ଖୁବ୍ ଲମ୍ୱା । ସମ୍ଭବତଃ ମଣିଷର ଜନ୍ମଠାରୁ ତା’ର ଇତିହାସର ଆରମ୍ଭ ।” (ଆମ ସମୟର ଦୁଃଖ)

 

କଥାବସ୍ତୁ, ପରିବେଷଣ ଶୈଳୀ, ଭାଷାଶୈଳୀ ଆଦି ସହଜ, ସରଳ ଓ ସ୍ୱାଭାବିକ ହୋଇଥିବାରୁ ଲେଖକ ତାଙ୍କର ଶବ୍ଦ ସଂଯୋଜନା, ଶବ୍ଦ ନିର୍ମାଣ ଓ ବାକ୍ୟ ବିନ୍ୟାସରେ କଳାତ୍ମକତା ପ୍ରକାଶ କରିଛନ୍ତି ।

 

ସ୍ଵାଧୀନତୋତ୍ତର କାଳୀନ ଉପନ୍ୟାସର କଥାବସ୍ତୁ ଓ ଏହାର ଭାବବଳୟ ପରିବର୍ତ୍ତିତ । ୧୯୪୭ରୁ ପ୍ରାୟ ୨୯୮୦-୮୫ ମଧ୍ୟରେ ରଚିତ ଉପନ୍ୟାସର ସ୍ଵର ଓ ପ୍ରକାଶ ଭଙ୍ଗୀ ଥିଲା ଭିନ୍ନ । ଗ୍ରାମ୍ୟ କଥିତ, ସାହିତ୍ୟିକ ଭାଷା, ଆବେଗାତ୍ମକ, କାବ୍ୟିକ, ବ୍ୟଞ୍ଜନାଧର୍ମୀ ବା ବର୍ଣ୍ଣନାତ୍ମକ ଶୈଳୀରେ ରଚିତ । ସାହିତ୍ୟିକ ଭାଷାଶୈଳୀର ସମାହାର ଥିଲେ ହେଁ କଥିତ ଭାଷା ବାରମ୍ୱାର ସାହିତ୍ୟ ମଧ୍ୟକୁ ପଶି ଆସୁଥିଲା । ଓଡ଼ିଆ ଉପନ୍ୟାସର ଭାଷା ଯେଉଁପରି ଭାବେ ରାମଶଙ୍କରଙ୍କ ଶୁଦ୍ଧ, ମାର୍ଜିତ, ସାହିତ୍ୟିକ ଭାଷା ପରିତ୍ୟାଗ କରି ମୁଖର ଭାଷାକୁ ଉନ୍ନୀତ ହୋଇଛି ତାହା ତା’ର ଭାଷାଶୈଳୀଗତ ବିବର୍ତ୍ତନ । ଫକୀର ମୋହନ, କାଳିନ୍ଦୀ ଚରଣ, କାହ୍ନୁଚରଣ, ଗୋପୀନାଥ ଓ ଶାନ୍ତନୁ ଆଚାର୍ଯ୍ୟ ଆଦି ବ୍ୟବହାର କରିଥିଲେ ଗ୍ରାମର କଥିତ ରୂପକୁ ଯଦିଓ ସମସ୍ତଙ୍କଠାରେ ପ୍ରୟୋଗଗତ ଭିନ୍ନତା ସ୍ପଷ୍ଟ । ସାହିତ୍ୟରେ ସାହିତ୍ୟିକ ସର୍ବଦା କାମନା କରେ ଏକ ସାହିତ୍ୟିକ ଶୈଳୀର ପ୍ରଚଳନ । କଥିତ ଭାଷାର ସମଧର୍ମା ହୋଇ ସାହିତ୍ୟିକ ଭାଷା ବ୍ୟବହୃତ ହୋଇପାରେନା-। ଏକ ସମାନ୍ତରାଳ ବ୍ୟବଧାନ ରହିଛି ଉଭୟ ମଧ୍ୟରେ ଏହି ବ୍ୟବଧାନ ଅଧିକ ହେଲେ ଏହାକୁ କଥିତ ଭାଷାଶୈଳୀର ନିକଟବର୍ତ୍ତୀ କରିବାର ପ୍ରୟାସ ଲକ୍ଷ୍ୟ କରାଯାଏ । ତା’ର ପରିଣାମ ସ୍ୱରୂପ ଫକୀରମୋହନ, କାହ୍ନୁଚରଣ, କାଳିନ୍ଦୀଚରଣ, ଗୋପୀନାଥ ତଥା ଶାନ୍ତନୁ ଆଚାର୍ଯ୍ୟଙ୍କ ଉପନ୍ୟାସର ଭାଷାଶୈଳୀ ଆତ୍ମପ୍ରକାଶ କରେ । ପୁନଶ୍ଚ କଥିତ ଭାଷାର ଖୁବ୍ ନିକଟବର୍ତ୍ତୀ ହୋଇଗଲେ ସାହିତ୍ୟ ନିଜର ସାହିତ୍ୟିକ ମର୍ଯ୍ୟାଦା ହରାଇବା ଭୟରେ ସାହିତ୍ୟିକ ଭାଷାଶୈଳୀର ପୁନରାବୃତ୍ତି କରେ । ଏହା ଏକ ସ୍ଵତଃସ୍ଫୂର୍ତ୍ତ ପ୍ରକ୍ରିୟା । ୧୯୮୫ ପରବର୍ତ୍ତୀ ଉପନ୍ୟାସ, ପରମ୍ପରାର ପୁନରାବୃତ୍ତି ନ କରିବାକୁ ଦୃଢ଼ପରିକର । ଏ ଉପନ୍ୟାସ ଗୁଡ଼ିକରେ କାହାଣୀଗତ ବଳିଷ୍ଠତା ନାହିଁ । କେବଳ ଉତ୍ତମତା ବା କେବଳ ଖଳତ୍ୱ ଚରିତ୍ରର ବିଶେଷତ୍ୱ ନୁହେଁ । ଭାବପ୍ରଧାନ ହୋଇଉଠିଛି ଉପନ୍ୟାସ । ମନୁଷ୍ୟ ମନର ଅନ୍ତଃଚେତନାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଏହାର ବହିଃ ପରିପାଟୀ ବୈଚିତ୍ର୍ୟହୀନ । ଉପନ୍ୟାସ ବାସ୍ତବବାଦ, ସ୍ଥିତିବାଦ, ମାନବବାଦକୁ ସ୍ଥାନ ଦେଇ ଗାଇଛି ଶାଶ୍ୱତ ଜୀବନ, ଅମୃତ ସନ୍ତାନର ଗାଥା । ଉପନ୍ୟାସ ହୋଇଛି ଜୀବନବାଦୀ । ଔପନ୍ୟାସିକ ତାର ସାହିତ୍ୟପ୍ରତି ଅତି ମାତ୍ରାରେ ବିଶ୍ୱସ୍ତ ଓ ସଚ୍ଚୋଟ । ଚରିତ୍ର କୈନ୍ଦ୍ରିକ ବା ଘଟଣା କୈନ୍ଦ୍ରିକ ଉପନ୍ୟାସ ରଚିତ ନ ହୋଇ ତାହା ଅଧିକ ସାଙ୍କେତିକ, ରୂପକାତ୍ମକ ହୋଇଛି । ଔପନ୍ୟାସିକ ତୃତୀୟ ପୁରୁଷ ବା ଦ୍ଵିତୀୟ ପୁରୁଷ ବ୍ୟବହାର ନ କରି ନିଜେ ଅବତରଣ କରୁଛି ଉପନ୍ୟାସ ମଧ୍ୟକୁ । ପାଠକର ଭାବ ଜଗତକୁ ଆଲୋଡ଼ିତ କରୁଛି, ତାର ପରିଚିତ ଅନୁଭୂତି ଓ ଆବେଗକୁ ସିକ୍ତ କରୁଛି । ଉପନ୍ୟାସରେ ପ୍ରୟେଡୀୟ ଯୌନଚେତନା, ମଗ୍ନ ଚୈତନ୍ୟ ଗୁରୁତ୍ୱ ପାଉଥିବାରୁ କଥାବସ୍ତୁର ପ୍ରାରମ୍ଭ, ବିକାଶ ଓ ବିଲୟର କ୍ରମିକ ବିନ୍ୟାସ ନାହିଁ । ଏହି ସମୟର ଉପନ୍ୟାସର ଭାଷା କଥିତ ହେଲେ ହେଁ ତାହା Standard Colloquial (ସାଧାରଣ କଥିତ) ସ୍ତରୀୟ । ସାହିତ୍ୟ, କଥିତ ଭାଷାର ନିମ୍ନ ସ୍ତର (low Colloquial) ଗ୍ରହଣ କରେନା । ଉପନ୍ୟାସର ବାସ୍ତବତା ପାଇଁ ହେଉ ବା ଚରିତ୍ର ଉପଯୋଗୀ କରିବା ପାଇଁ ହେଉ ସାଧାରଣ କଥିତ ସ୍ତର ବ୍ୟବହୃତ ହୋଇଛି । ତେବେ ଶାନ୍ତନୁ ଆଚାର୍ଯ୍ୟଙ୍କ ଭାଷା କେତେକ କ୍ଷେତ୍ରରେ ଏହି ନିମ୍ନ ସ୍ତରକୁ ସ୍ପର୍ଶ କରିଛି ।

 

ଭାଷାର ମୌଳ ସଂପତ୍ତି ଧ୍ୱନି, ଶବ୍ଦ ଓ ବାକ୍ୟ । ଏହି ସଂପତ୍ତି ସାହାଯ୍ୟରେ ଭାଷା କେବଳ ଭାବ ବ୍ୟକ୍ତ କରେ କିନ୍ତୁ ଶୈଳୀ ଭାବକୁ ଏକ କଳାତ୍ମକ, ତାତ୍ପର୍ଯ୍ୟପୂର୍ଣ୍ଣ ଢଙ୍ଗରେ ପ୍ରକାଶ କରେ । ସୁତରାଂ ଔପନ୍ୟାସିକ ନିମନ୍ତେ ଧ୍ୱନି, ଶବ୍ଦ ଓ ବାକ୍ୟ ମୌଳିକ ଉପାଦାନ । ଧ୍ୱନି ସାହାଯ୍ୟରେ ଧ୍ୱନି ସୌନ୍ଦର୍ଯ୍ୟ, ଧ୍ୱନ୍ୟାତ୍ମକତା ସହିତ ନିର୍ଦ୍ଦିଷ୍ଟ ଭାବୋଦ୍ରେକ ନିମିତ୍ତ ନିର୍ଦ୍ଦିଷ୍ଟ ପ୍ରକାରର ଧ୍ୱନି ନିର୍ବାଚନ କରିଥାଏ । ଧ୍ୱନି ଅର୍ଥହୀନ ହେଲେ ହେଁ ଅର୍ଥ ବ୍ୟଞ୍ଜନାର କ୍ଷମତା ରଖେ । ଫକୀର ମୋହନ ହାସ୍ୟ, ବ୍ୟଙ୍ଗ ବିଦ୍ରୂପ ଭାବ ପ୍ରକାଶ ପାଇଁ ପ୍ରଚୁର ଧ୍ୱନ୍ୟାତ୍ମକ ଶବ୍ଦ ବ୍ୟବହାର କରିଛନ୍ତି । ସାହିତ୍ୟିକ ଭାଷା କଥିତ ଭାଷାରୁ ଧ୍ୱନ୍ୟାତ୍ମକ ଶବ୍ଦ (Onomatopoetic words) ଗ୍ରହଣ କରିଛି ପ୍ରଚୁର । ଆଞ୍ଚଳିକ ଓ ବୈଦେଶିକ ଭାଷା, ସଂସ୍କୃତି ଓ ଭାବ ପରିସ୍ଫୁଟନ ପାଇଁ ଲୋଡ଼ା ସାମାନ୍ୟ କେତୋଟି ଧ୍ୱନି ପରିବର୍ତ୍ତନ । ଶୈଳୀ ପରିପ୍ରକାଶ ପାଇଁ ଶବ୍ଦ ଉକୃଷ୍ଟତମ ମାଧ୍ୟମ । କିନ୍ତୁ ଶବ୍ଦ ସୀମିତ । ଲେଖକ ଏ ସୀମିତତାତୁ ଅତିକ୍ରମ କରିଛି ଉପମା, ରୂପକ, ପ୍ରତୀକ ତଥା ଚିତ୍ରକଳ୍ପ ସାହାଯ୍ୟରେ । ଅର୍ଥଗତ ବ୍ୟାପ୍ତି, ସୂକ୍ଷ୍ମ ଅର୍ଥ ପ୍ରକାଶ, ଅର୍ଥରେ ବ୍ୟଞ୍ଜନା କେବଳ ଅର୍ଥ ପରିପ୍ରକାଶ ନିମନ୍ତେ ନୁହେଁ ସାହିତ୍ୟକୁ କାବ୍ୟିକ, ବୌଦ୍ଧିକ ଓ ସାହିତ୍ୟିକ ପଦବାଚ୍ୟ କରେ । ଏହା ଦ୍ଵାରା ଶବ୍ଦ, ସୀମିତ, ଆଭିଧାନିକ ଅର୍ଥ ଅତିରିକ୍ତ ଏକ ବୃହତ୍ତର ଅର୍ଥ ସଙ୍କେତ କରେ । ସମାର୍ଥ ଶଡ଼ବ୍ଦ, ସମୋଚ୍ଚାରିତ ଶବ୍ଦ, ବିପରୀତ ଅର୍ଥ ବୋଧକ ଶବ୍ଦ ମଧ୍ୟରୁ ନିର୍ଦ୍ଦିଷ୍ଟ ଶବ୍ଦ ଚୟନ ଭାବକୁ ବଳିଷ୍ଠ କରିବାରେ ସହାୟକ । ବାକ୍ୟକ୍ରମରେ ବିଚ୍ୟୁତି ବାକ୍ୟକୁ ଅଧିକ ଭାବୋଦ୍ଦୀପକ କରେ । ଲେଖକ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟକ୍ଷଭାବରେ ଭାବ ବ୍ୟକ୍ତ କରୁଥିଲା କାରଣ ଘଟଣା ପ୍ରଧାନ ଉପନ୍ୟାସରେ କାହାଣୀ କହିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ସାମ୍ପ୍ରତିକ ଉପନ୍ୟାସରେ ବକ୍ତବ୍ୟ କିପରି ଭାବରେ ବ୍ୟକ୍ତ ହେଉଛି ତାହାର ଗୁରୁତ୍ୱ ଅଧିକ । ଭାବ ସୂକ୍ଷ୍ମ ବ୍ୟଞ୍ଜନାତ୍ମକ, ପ୍ରତୀକାତ୍ମକ, ଇଙ୍ଗିତାତ୍ମକ ଶୈଳୀରେ ଅଭିବ୍ୟଞ୍ଜିତ ହେଉଛି । ଗୋଟିଏ ବାକ୍ୟ ବା ଶବ୍ଦ ମଧ୍ୟରେ ଅନେକ ଭାବର ଦ୍ୟୋତନା ରହୁଛି । ଔପନ୍ୟାସିକ ସାହିତ୍ୟିକ ଓ କଥିତ ଶବ୍ଦମଧ୍ୟରେ ପାର୍ଥକ୍ୟ ନରଖି ଶବ୍ଦର ବ୍ୟବହାରିକତା ବୃଦ୍ଧି କରିଛି-। ବହୁ ଅପ୍ରଚଳିତ ଶବ୍ଦ ପ୍ରଚଳିତ ହୋଇଛି ଉପନ୍ୟାସରେ । ବହୁ ସାଧାରଣ ଶବ୍ଦ ସାହିତ୍ୟିକ ମର୍ଯ୍ୟାଦା ପାଇଛି-। ଶବ୍ଦର ଚଳଚଞ୍ଚଳତା ଓ ଜୀବନୀ ଶକ୍ତିକୁ ବୃଦ୍ଧି କରିଛି ଔପନ୍ୟାସିକ । ଶବ୍ଦ ସହିତ ଶବ୍ଦ ସଂଯୋଗ, ଶବ୍ଦ ସହିତ ପ୍ରତ୍ୟୟର ଅପାରମ୍ପରିକ ସଂଯୋଜନା, ବିଶେଷ୍ୟକୁ କ୍ରିୟାରେ ରୂପାନ୍ତରଣ କରିବା ସହିତ କ୍ରିୟା ପ୍ରୟୋଗରେ ବୈଚିତ୍ର୍ୟ ମଧ୍ୟ ପରିଲକ୍ଷିତ । ଏହା ଫଳରେ କେବଳ ଉପନ୍ୟାସର ଭାଷା ଶୈଳୀ ଗତ ଅଭିବୃଦ୍ଧି ଘଟିଛି ତା ନୁହେଁ, ଓଡ଼ିଆ ଭାଷା ମଧ୍ୟ ହୋଇଛି ସମୃଦ୍ଧ । ଫକୀର ମୋହନଙ୍କ ଠାରୁ କାଳିନ୍ଦୀଚରଣ ପାଣିଗ୍ରାହୀ ବା ସେ ସମୟର ଅନ୍ୟାନ୍ୟ ଔପନ୍ୟାସିକମାନେ ଉପନ୍ୟାସରେ ଯେଉଁ ଭାଷା ଓ ଶୈଳୀର ପରୀକ୍ଷା କରିଥିଲେ ତାହା ଥିଲା ମୁଖ୍ୟତଃ ବର୍ଣ୍ଣନାଧର୍ମୀ । ଫକୀର ମୋହନଙ୍କ ଉପନ୍ୟାସରେ କାବ୍ୟିକ ଚିତ୍ରକଳ୍ପ, ପ୍ରସଙ୍ଗତଃ ପୁରାଣ ଓ ଇତିହାସର ବିଷୟ ଉପସ୍ଥାପନା, ପରିବେଶ ଓ ସ୍ଥାନ ବିଶେଷର ଟିକିନିଖି ବର୍ଣ୍ଣନା, ଲାଳିକା ପ୍ରୟୋଗ, ହାସ୍ୟ ଓ ବ୍ୟଙ୍ଗ ବ୍ୟବହାର ଯେପରି ହୋଇଅଛି ତାହା ତାଙ୍କ ପରବର୍ତ୍ତୀ ଉପନ୍ୟାସରେ ହୋଇନାହିଁ । କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’ର ଭାଷା ଓ ଶୈଳୀ ତାଙ୍କର ଅନ୍ୟ ଉପନ୍ୟାସରେ ନାହିଁ । ଗୋପୀନାଥ ମହାନ୍ତି ହିଁ ଉପନ୍ୟାସରେ ଭାଷାର ନୂତନ ଶକ୍ତି ଦେଲେ ଓ ସେହି ଭାଷାକୁ ନେଇ ସେ ଗଢ଼ିଲେ ଗୋଟାଏ ନୂଆ ଶୈଳୀ । ଫକୀରମୋହନଙ୍କ ପରି କାବ୍ୟିକ ଇମେଜ୍ ଦେଲେ-। ଢେଉ ଢେଉକା ଶୈଳୀଟିଏ ସେ ପ୍ରବର୍ତ୍ତନ କଲେ, ଧ୍ୱନ୍ୟାତ୍ମକ ଶବ୍ଦର ବ୍ୟବହାର କଲେ ଓ ଏପରି ଶୈଳୀ ତାଙ୍କୁ ଓଡ଼ିଆ ସାହିତ୍ୟରେ ସ୍ଵତନ୍ତ୍ର ଭାବରେ ଚିହ୍ନେଇ ଦେବାକୁ ସମର୍ଥ ହେଲା । ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ, ଗୋବିନ୍ଦ ଦାସ, କୃଷ୍ଣ ପ୍ରସାଦ ମିଶ୍ର, ଦଶରଥ ସାମଲ, ଯମେଶ୍ଵର ମିଶ୍ର, ପରଶୁରାମ ମୁଣ୍ଡ, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ଜଗଦୀଶ ମହାନ୍ତି, ପଦ୍ମଜ ପାଳ, ସୁସ୍ମିତା ବାଗ୍‌ଚୀ, କିଶୋରୀ ଚରଣ ଦାସ, ମନୋଜ ଦାସ ପ୍ରମୁଖ ଉପନ୍ୟାସରେ ଯେପରି ଭାଷା ଓ ଶୈଳୀର ପରୀକ୍ଷା କରିଛନ୍ତି ତାହା ପ୍ରତ୍ୟେକଙ୍କ ଲେଖାରେ ଭିନ୍ନ ଭିନ୍ନ ହେଲେ ମଧ୍ୟ ସାମଗ୍ରିକ ଭାବରେ ଓଡ଼ିଆ ଉପନ୍ୟାସରେ ଭାଷିକ ମହିମା ଓ ମାଧୁର୍ଯ୍ୟର ଯେ ପ୍ରଚୋଦକ; ଏ କଥା କହିଲେ ସତ୍ୟର ଅପଳାପ ହେବନାହିଁ ।

 

 

ପ୍ରାଧ୍ୟାପିକା ଓଡ଼ିଆ ବିଭାଗ

ବିଶ୍ୱଭାରତୀ, ଶାନ୍ତିନିକେତନ, ପଶ୍ଚିମ ବଙ୍ଗ

***

 

Unknown

ଅମୃତ-ଅନ୍ୱେଷାରେ ସୁରେନ୍ଦ୍ର ମହାନ୍ତି

ଡକ୍ଟର ସୁଲୋଚନା ଦାସ

 

‘ମଣିଷ ସ୍ଵାଧୀନ ହେବାପାଇଁ ତଥାପି ଆହୁରି ଅନେକ ଡେରି, ଅନେକ ଡେରି । ସେ ଲଢ଼େଇର ଶେଷ ନାହିଁ, କିନ୍ତୁ ତମର ମୋର ଜୀବନର ଶେଷ ଅଛି । ଆମ ସମୟ ଅଳ୍ପ’ - ଏ ଏକ ଅସମାହିତ ଅମୀମାଂସିତ ସମସ୍ୟାର ଉଚ୍ଚାରଣ । ଇଏ ଥିଲା ମଧୁପୁରର ସେଇ ନିରଳସ କର୍ମୀ ନିଧିଦାସଙ୍କ ଖେଦୋକ୍ତି । ମହାକାଳ ପାଇଁ ଏକ ନୀରବ ଦୀର୍ଘଶ୍ୱାସ । ଏକ ଅନୁଚ୍ଚାରିତ ଯନ୍ତ୍ରଣାର ନିଃଶବ୍ଦ ହାହୁତାଶ । ଏକ ସାମୂହିକ ଜ୍ୱଳନର ଅଦୃଶ୍ୟ ଉତ୍ତାପ । ଯାହାର ଇଙ୍ଗିତ ବେଶ ମାର୍ମିକ ବେଶ ସୁଦୂର ପ୍ରସାରୀ ।

 

ଜାତୀୟ ମୁକ୍ତି ସଂଗ୍ରାମରେ ଯିଏ ଗୋଟାଏ ଆବେଗରେ, ଗୋଟେ ଉଚ୍ଛ୍ୱାସରେ ଲମ୍ପ ଦେଇଥିଲେ, ଆଉ ସର୍ବସ୍ୱ ଜଳାଞ୍ଜଳି ଦେଇଥିଲେ; ସେଇ ନିଧିଦାସ ସ୍ଵାଧୀନୋତ୍ତର ଭାରତରେ କେତେ ଅବାଞ୍ଛିତ, ଦୀନହୀନ, ଅସହାୟ ଭାବରେ ସଂସାରକୁ ବିଦାୟ ନେଇଗଲେ, ତାର ଖବର ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚିପାରିଲା ନାହିଁ । ସ୍ୱାଧୀନତା ପାଇଁ ପଳପଳ କରି ତନୁକ୍ଷୟ କରିଥିବା ନିଧିଦାସଙ୍କ ମୃତ୍ୟୁ ଭାରତ ଇତିହାସର ପୃଷ୍ଠାକୁ ସ୍ପର୍ଶ ସଜଳ କରି ପାରିନାହିଁ । ଲେଖକଙ୍କ ଭାଷାରେ-ଅନାମଧ୍ୟେୟତାର ଅତଳତଳ ସମୁଦ୍ର ମଧ୍ୟରେ ନିଧିଦାସଙ୍କ ମୃତ୍ୟୁ ସମ୍ୱାଦଟା ଗୋଟେ ବୁଦ୍‌ବୁଦ୍ ପରି କେଉଁ ଆଡ଼େ ନିଶ୍ଚିହ୍ନ ହୋଇଯାଇଥିଲା । (ଅନ୍ଧଦିଗନ୍ତ)

 

ଏକଦା ସ୍ୱାଧୀନତା ସ୍ୱପ୍ନରେ ବିଭୋର ଥିବା ଏ ଜାତି, ସ୍ଵାଧୀନ ଭାରତରେ ଅନ୍ଧଗଳିରେ ପ୍ରବେଶ କରିଥିବା ପରି ମନେହୁଏ । ସତେଯେପରି ଏ ଜାତି ତାହା ହରେଇବସିଛି । ସେଇ ଅନ୍ଧଦିଗନ୍ତ ଆଡ଼କୁ ପଦେ ପଦେ ଆଗେଇଯିବା । ବ୍ୟତୀତ ତାର ଆଉ ଗତ୍ୟନ୍ତର ନାହିଁ । ଅଧୋଗତି ଯେପରି ଏ ଜାତିର ଅବଧାରିତ ଭବିତବ୍ୟ । ଏଇ କଣ ତାହାଲେ ଭାରତରେ ସ୍ଵରାଜର ସ୍ୱରୂପ ? ଏଇ କ’ଣ ରାମରାଜ୍ୟର ସାକାର ପ୍ରତିଭୂ ? ଗାନ୍ଧିଜୀଙ୍କର ସ୍ୱପ୍ନର ଭାରତ ? କଥାକାର ସୁରେନ୍ଦ୍ର ମହାନ୍ତିଙ୍କ କଣ୍ଠରେ ଅଜସ୍ର ପ୍ରଶ୍ନବାଚୀ । ଅସୁମାରୀ ଜିଜ୍ଞାସା । ଏ ଜାତିର ଗତି ତେବେ କୁଆଡ଼େ ? କିଏ ଦେଇପାରିବ ଏ ପ୍ରଶ୍ନର ଯଥାର୍ଥ ଉତ୍ତର !

 

‘ଅନ୍ଧଦିଗନ୍ତ’ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅନବଦ୍ୟ ରାଜନୈତିକ ଉପନ୍ୟାସ । ସ୍ୱାଧୀନ ଭାରତର ଚାରିତ୍ରିକ ସ୍ଖଳନ ଓ ଆଦର୍ଶର ଅବକ୍ଷୟର ମର୍ମାନ୍ତିକ କାହାଣୀ ହେଉଛି ଏହାର କଥାବସ୍ତୁ । ସ୍ଵାଧୀନତା ଆନ୍ଦୋଳନର ପୃଷ୍ଠପଟରେ ଏହା ଗଢ଼ିଉଠିଛି । ଏହାର ମନୋଭୂମି ଓ କ୍ରମଉତ୍ତରଣ ଏକ ବିସ୍ତାରିତ ଦିଗ୍‌ବଳୟର ସନ୍ଧାନ ଦେଇଥାଏ । ପ୍ରବଞ୍ଚାନ, ପ୍ରତାରଣାର ଶରବ୍ୟ ହୋଇଥିବା ନିଧିଦାସ ଏକ ପ୍ରତୀକମାତ୍ର । ସେ କେବଳ ଜଣେ ଚରିତ୍ର ନୁହନ୍ତି । ଗୋଟେ ବିଶ୍ଵାସ, ଗୋଟେ ଆଦର୍ଶର ଧ୍ଵଜାଧାରୀ ଜଣେ ନିଃସଙ୍ଗ ପଦାତିକ । ଗୋଟେ ଚେତନାର ପ୍ରତିଭୂ । ତାଙ୍କ ପରି ସାଧୁ ସଚ୍ଚୋଟ, ନିରଳସକର୍ମୀମାନେ ଜାତୀୟ ଜୀବନ ପାଇଁ ଅପାଙ୍‌କ୍ତେୟ ହୋଇଯାଇଛନ୍ତି । କ୍ଷମତାର ସିଂହଦ୍ୱାର ଏମାନଙ୍କ ପାଇଁ ରୁଦ୍ଧ । ଅଥଚ ଦାମରଥ, ଶୁଦ୍ଧୋଦନଙ୍କ ପରି ବ୍ୟକ୍ତିମାନେ କଳେବଳେ କୌଶଳେ କ୍ଷମତାର ବତ୍ରିଶ ସିଂହାସନକୁ କରାୟତ୍ତ କରିପାରନ୍ତି । ରାଜନୀତିର ପଶାପାଲିରେ ଏମାନଙ୍କ ସେ ରେକାରଶ୍ୱ ମହାକାଳକୁ ସ୍ତମ୍ଭୀଭୂତ କରିଦିଏ ।

 

ଅନ୍ଧ ଦିଗନ୍ତର ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ ରାଜନୈତିକ ଜୀବନ, ସାମ୍ୱାଦିକ ଜୀବନ, ସାହିତ୍ୟିକ ଜୀବନ ଅନୁଭବ-ମୟ ତ୍ରିବେଣୀଧାରା ସମୟର ସମସ୍ତ କାରୁଣ୍ୟକୁ, ଅସହାୟତା, ଅଥର୍ବ ପଣକୁ କାନ୍ଧରେ ବୋହି ବୋହି ଯେପରି କୁବ୍‌ଜ ପାଲଟି ଏଠି ଉଭା ହୋଇଛି । ସ୍ଵାଧୀନୋତ୍ତର ଭାରତବର୍ଷରେ ଆଦର୍ଶର ଅବକ୍ଷୟ, ମୂଲ୍ୟବୋଧର ଚରମ ବିପର୍ଯ୍ୟୟ, କ୍ଷମତା ଲିପ୍‌ସାର ଜୟ ଜୟକାରକୁ ବରଂଜନାତ୍ମକ ଭଙ୍ଗୀରେ ବିଦ୍ରୂପ କରାଯାଇଛି ଏହି ଉପନ୍ୟାସରେ । ସମୟର ବିଡ଼ମ୍ୱିତ ବିବର୍ତ୍ତନକୁ ଗଭୀର ଭାବରେ ନିରେଖି ଦେଖିବା ପାଇଁ ଏ ଯେପରି ଏକ ଦିବ୍ୟାଞ୍ଜନ । ଅନ୍ଧଦିଗନ୍ତର ଯାତ୍ରା କେବଳ ପୁଞ୍ଜୀଭୂତ ଅନ୍ଧକାର ଆଡ଼କୁ । ଯେଉଁ ଦିଗନ୍ତରେ କୌଣସି ସମ୍ଭାବନାର ଉଜ୍ଜ୍ୱଳ ନକ୍ଷତ୍ର ଆଉ ବିଶ୍ୱାସର ଧାରେ ଜ୍ୟୋତିରେଖା ଦୃଶ୍ୟମାନ ହେଉନାହିଁ- ଯିଏ ହାତଧରି ବାଟ କଢ଼ାଇ ନେଉନାହିଁ ଫୁଲବଣକୁ, ଜହ୍ନରାତିକୁ, ଗହଗହ ଶ୍ୟାମଳ ମାଟି ପାଖକୁ ।

 

ସମୟର ପ୍ରବହମାନତା ସହିତ ଅନ୍ତରଙ୍ଗ ଭାବେ ସଂଲଗ୍ନ ଥିବା ଜଣେ ସଫଳ ସ୍ରଷ୍ଟାର ଦିବ୍ୟଦୃଷ୍ଟି ହିଁ ଭବିଷ୍ୟତର ଅନାଗତଝଡ଼ର ସୂଚନା ଦେଇପାରେ । ଯେଉଁ ଝଡ଼ କେବଳ ରାଜନୈତିକ ବିଧି ବ୍ୟବସ୍ଥାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେବନାହିଁ, ସାମାଜିକ ଓ ସାଂସ୍କୃତିକ ଜୀବନଧାରାକୁ ମଧ୍ୟ ବିପନ୍ନ, ରୁଗ୍‌ଣ କରିଦେବ । ସ୍ଵପ୍ନ ଭଙ୍ଗର ଉତ୍ତାଳଢେଉ ନିଶ୍ଚିହ୍ନ କରିଦେବ ସ୍ଵାଧୀନତା ପ୍ରାପ୍ତିର ଅନ୍ତରାଳରେ ଥିବା ସବୁ ସାଧନା, ସବୁ ତପସ୍ୟାର ଦୁର୍ଲଭ ସିଦ୍ଧିକୁ । ଏପରି ଏକ ଆଶଙ୍କିତ ଭବିତବ୍ୟକୁ ଦେଖି ସ୍ରଷ୍ଟାପ୍ରାଣ ଆକୁଳ ଆବେଗରେ ବ୍ୟଥାଜର୍ଜର ହୋଇଉଠିଛି ।

 

‘ମୁଖ୍ୟମନ୍ତ୍ରୀ ଶୁଦ୍ଧୋଦନଙ୍କ ସୁବର୍ଣ୍ଣଜୟନ୍ତୀ ଓ ସ୍ଵାଧୀନତା ଦିବସର ବହୁ ସମାରୋହ ମଧ୍ୟରେ ଗୋଟିଏ ପ୍ରଶ୍ନ ମୋତେ ବାରମ୍ୱାର ଉଦ୍‌ବେଳିତ କରୁଥିଲା... କାହାନ୍ତି... କାହାନ୍ତି ସେମାନେ-? ସେହି ନିଧିଦାସ ଆଉରି ତାଙ୍କରି ପରି ଅନ୍ୟମାନେ; ଯେଉଁମାନେ ପତଙ୍ଗ ପରି ଆନ୍ଦୋଳନର ଅନଳକୁଣ୍ଡ ଭିତରକୁ ଲମ୍ଫ ଦେଇଥିଲେ ସେମାନଙ୍କ ଆତ୍ମଦାନ, ଇତିହାସ ପରିପ୍ରେକ୍ଷୀରେ ଯେଉଁ ପରିମାଣରେ ସଫଳ ହୋଇଥାଉ ପଛେ, ଇନ୍ଧନ ହୋଇ ଆନ୍ଦୋଳନର ଅଗ୍ନିଶିଖାକୁ ସେମାନେ ପ୍ରଜ୍ୱଳିତ କରି ରଖିଥଲେ; ସେଥିରେ ସନ୍ଦେହ ନାହିଁ । ଆଜି ସ୍ୱାଧୀନତାର ଏହି ଜନ୍ମ ଜୟନ୍ତୀ, ସେମାନଙ୍କ ଶ୍ରାଦ୍ଧ ଦିବସ ମଧ୍ୟ । ମାତ୍ର କାହିଁ ସେମାନଙ୍କ ପ୍ରତି ଶ୍ରଦ୍ଧା ନିବେଦନ ? କାହାନ୍ତି ସେମାନେ ? ଯେଉଁ ଦାୟାଦମାନେ ଅଛନ୍ତି, କ୍ଷମତାର ସିଂହଦ୍ୱାରରେ ଦାକ୍ଷିଣ୍ୟର ସିଂହାସନ ତଳେ ସେମାନଙ୍କ ଭିକ୍ଷାର ଆର୍ତ୍ତଧ୍ୱନି; ପ୍ରସାରିତ ଅଞ୍ଜଳିରେ ଅନ୍ଧ ସମର୍ଥନର ଦୈନ୍ୟ ! କାହିଁ ସେଦିନର ଉଲଙ୍ଗ ତରବାରି ପରି ସେମାନଙ୍କ ଆଖିରେ ସେହି ଶାଣିତ ଦୀପ୍ତି ? ମୁକ୍ତିର ଉତ୍ତୁଙ୍ଗ ଲହରୀ କ୍ଷୁଦ୍ରତା, ନୀଚତା ଓ ପ୍ରତିକ୍ରିୟାର ସଂକୀର୍ଣ୍ଣ ବେଳାଭୂମି ଉପରେ ଆଜି ଯେପରି ଭାଙ୍ଗି ଲୋଟିପଡ଼ିଅଛି । କେଜାଣି ଆଉ କେବେ ଏକ ଦୂରନ୍ତ ଝଡ଼ ଉଠିଲେ; ମୁକ୍ତିର ଭଗ୍ନଜାନୁ ଲହରୀ ପୁଣି ମଥା ତୋଳିବ । ଆଜି କିନ୍ତୁ ସବୁ ନୀରବ, ସବୁ ନିର୍ବେଦଗ୍ରସ୍ତ, ସବୁ ଅବସନ୍ନ ।’ (ଅନ୍ଧଦିଗନ୍ତ)

 

ଭାରତର ମୁକ୍ତି ଆନ୍ଦୋଳନ ଥିଲା ହଜାର ହଜାର ବର୍ଷ ଭାରତ ଇତିହାସର ଏକ ଯୁଗାନ୍ତକାରୀ ଓ ବିସ୍ମୟକର ଘଟଣା । ଅହିଂସା, ଅସହଯୋଗକୁ ଆୟୁଧ କରି ଗୋଟେ ମୁକ୍ତିପାଗଳ ଜାତି ଏ ଜାତୀୟ ମହାଯଜ୍ଞରେ ଆତ୍ମାହୁତି ଦେବାକୁ ଆଗେଇ ଆସିଥିଲା । ତା ପ୍ରାଣରେ ଥିଲା ସ୍ୱାଧୀନତା ପାଇଁ ଅସୁମାରୀ ସ୍ଵପ୍ନ । ଅଗଣିତ ଭାରତୀୟଙ୍କ ଆତ୍ମବଳିଦାନରେ ଭାରତ ଆକାଶରେ ମୁକ୍ତି-ସୂର୍ଯ୍ୟ ଉଦିତ ହେଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ଥିଲା ଭାରତୀୟ ଗଣତନ୍ତ୍ରରେ ଆଦର୍ଶର ଅବକ୍ଷୟ । ସ୍ଵାଧୀନତାର ମାତ୍ର କେତୋଟି ବର୍ଷ ଭିତରେ ତ୍ୟାଗର ଭିତ୍ତିଭୂମି ଉପରେ ମୁଣ୍ଡ ଟେକି ଉଠିଲା ଭୋଗର ସାମ୍ରାଜ୍ୟ । ଭୋଗପ୍ରବଣ, କ୍ଷମତାଲିପ୍‌ସୁ ଶୁଦ୍ଧୋଦନମାନେ କବଳିତ କରିନେଲେ ଗଣତନ୍ତ୍ରକୁ, ଶାସନବ୍ୟବସ୍ଥାକୁ । ଏଇ ଧାରାରୁ ବିଚ୍ଛିନ୍ନ ହୋଇଗଲେ ନିଧିଦାସଙ୍କ ପରି ନିରଳସ କର୍ମୀ, ତ୍ୟାଗୀ, ମହାନ ଦେଶପ୍ରେମୀମାନେ । ତ୍ୟାଗର ପୁଣ୍ୟଭୂମିକୁ ଭୋଗର ଆସୁରୀଶକ୍ତି ଅଧିକାର କଲା । ସ୍ୱପ୍ନ ଭଙ୍ଗର ମହାନାଟକରେ ହଜି ଗଲେ ବହୁ ବହୁ ଦେଶପ୍ରେମୀ, ବହୁ ବହୁ ଶହୀଦ । ସେମାନଙ୍କ ଭୂମିକା ଅବାଞ୍ଛିତ, ଅପାଙ୍‌କ୍ତେୟ ହୋଇଗଲା ପରିବର୍ତ୍ତିତ ପୃଷ୍ଠପଟରେ ।

 

ଇତିହାସ ପାଇଁ ଏହାଠାରୁ ବଳି ବିଚିତ୍ର ବିଡ଼ମ୍ବନା ଆଉ କ’ଣ ହୋଇପାରେ ! ସମକାଳୀନ ରାଜନୈତିକ ପ୍ରବାହରେ ଯେଉଁ ଅସଂହତି ଦେଖାଦେଇଥିଲା, ତାର ମର୍ମଦାହକୁ ଯେପରି ଲେଖକ ମର୍ମେ ମର୍ମେ ଅନୁଭବ କରିଥିଲେ । ସେଇ ଚରମ ବୈଫଲ୍ୟର ପ୍ରମୂର୍ତ୍ତ ପ୍ରତୀକ ଭାବରେ ଭତ୍ତା କରାଇଦେଲେ ନିଧିଦାସଙ୍କୁ । ଏଣୁ ତାଙ୍କ କଥାସାହିତ୍ୟର ଚରିତ୍ର ଚିତ୍ରଶାଳାରେ ନିଧି ଦାସ ଏକ ଅନୁପମ ବଳିଷ୍ଠ ଚରିତ୍ର । ସ୍ରଷ୍ଟାଙ୍କ ଲେଖନୀରେ ଅଗ୍ନିବର୍ଷୀ ସ୍ଫୁଲିଙ୍ଗ, ରାଜନୈତିକ ସ୍ଥିତାବସ୍ଥା ପ୍ରତି ଶାଣିତ ବ୍ୟଙ୍ଗ ଓ କଟାକ୍ଷ । ମାନବବାଦୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ ହୃଦୟର ଭାବାବେଗ, ଦେଶ ପ୍ରତି ପ୍ରଗାଢ଼ ଅନୁରାଗ ଓ ଭବିଷ୍ୟତ ପ୍ରତି ତିର୍ଯ୍ୟକ ଦୃଷ୍ଟି ଏକାଧାରରେ ମୂର୍ତ୍ତିମନ୍ତ ହୋଇ ଉଭା ହୋଇଛନ୍ତି ‘ଅନ୍ଧଦିଗନ୍ତ’ରେ ।

 

ଅନ୍ଧଦିଗନ୍ତର ପ୍ରକାଶନ କାଳ ୧୯୬୫ ମସିହା । ସ୍ଵାଧୀନତା ପ୍ରାପ୍ତିର ମାତ୍ର ପନ୍ଦର ସତର ବର୍ଷର ବ୍ୟବଧାନରେ ଜାତୀୟଜୀବନ ଓ ରାଜନୈତିକ ଦିଗନ୍ତ ଯେପରି ଧୂମାଭ ହୋଇଉଠିଥିଲା ତାର ରସୋତ୍ତୀର୍ଣ୍ଣ ପ୍ରକାଶ ଅନ୍ଧଦିଗନ୍ତ । ପରୋକ୍ଷରେ ଏହା ଥିଲା ଭବିଷ୍ୟତ ପ୍ରତି ଏକ ଚେତାବନୀ, ଏକ ସାଙ୍କେତିକ ସତର୍କବାଣୀ । କ୍ରାନ୍ତଦର୍ଶୀ, ପୁରୋଦ୍ରଷ୍ଟା ସ୍ରଷ୍ଟାଙ୍କର ଆଶଙ୍କା ଯେ ଅମୂଳକ ନୁହେଁ, ତାହା ସାମ୍ପ୍ରତିକ ଘଟଣାପ୍ରବାହରୁ ବେଶ ସ୍ପଷ୍ଟ ହୋଇଉଠିଛି । ଭୋଗବାଦୀ ସଭ୍ୟତାର ଅକ୍ଟୋପାଶରେ ସ୍ଵାଧୀନତାର ଆତ୍ମାପୁରୁଷ ଯେ ପୁନର୍ବାର ବନ୍ଦୀ- ଏହା ଆଜି ପ୍ରମାଣସିଦ୍ଧ ।

 

ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ୟତମ ରାଜନୈତିକ ଉପନ୍ୟାସ ‘ଫଟାମାଟି’ ଗଣତନ୍ତ୍ର ଶାସନର ବିଫଳତା, ନୈରାଶ୍ୟ ଓ ଚରମ ବ୍ୟର୍ଥତାର ଇସ୍ତାହାର । ସମୟ, ସମାଜ ଓ ରାଜନୀତି ସଚେତନ ଏହି କଳାସୃଷ୍ଟିରେ ଜାତୀୟ ଜୀବନର ଦୁର୍ଗତି ଓ ସଙ୍କଟ ଉତ୍‌କୀର୍ଣ୍ଣ । ଅର୍ଥବଳ ଓ ବାହୁବଳ ଦ୍ୱାରା ଅହିଂସାର ଅପମୃତ୍ୟୁ ଓ ତାର କରୁଣ ଅଭିଲିପି ‘ଫଟାମାଟି’ର ଅନ୍ତଃସ୍ୱର । ଆଧ୍ୟାତ୍ମିକ ଅଭୀପ୍‌ସାର ପ୍ରତିରୂପ ଗାନ୍ଧିଜୀଙ୍କ ରାଜନୈତିକ ଭାବଚେତନାର ନୈତିକ ଓ ଆଧ୍ୟାତ୍ମିକ ଭିତ୍ତିକ ବୌଦ୍ଧିକ ଦିଗଟିର ତାତ୍ପର୍ଯ୍ୟପୂର୍ଣ୍ଣ ବିଶ୍ଳେଷଣ ସହିତ ରସମୟ, ପ୍ରାଣବନ୍ତ ଘଟଣା ବିନ୍ୟାସ ଉପନ୍ୟାସ ଦୁଇଟିକୁ ସ୍ଵତନ୍ତ୍ର ଗାରିମାରେ ଅଭିଷିକ୍ତ କରିଛି ।

 

ବିଶିଷ୍ଟ କଥାକାର ଚନ୍ଦ୍ରଶେଖର ରଥଙ୍କ ଭାଷାରେ- “ଯାହା ସୁକୁମାର, ରୁଚିମନ୍ତ, ଶୁଚିମନ୍ତ, ଦିବ୍ୟ ଓ ସୁନ୍ଦର ଯଦି ସୁରଭାଗ ବା ଦେବ ଭାଗ ହୁଏ, ତାହା ହୁଏତ ତାଙ୍କ ବ୍ୟକ୍ତିତ୍ୱରେ, ବକ୍ତବ୍ୟରେ, ସୃଷ୍ଟିରେ ଏବଂ ସାଧନାରେ ଯତ୍ର ତତ୍ର ଦେବାକୁ ମିଳେ । କିନ୍ତୁ ଯେଉଁ ରାଜକୀୟ ଭଙ୍ଗୀ, ସ୍ପର୍ଦ୍ଧା, ଠାଣି, ଐଶ୍ୱର୍ଯ୍ୟ, ବଜ୍ରଧାରୀ ସାମର୍ଥ୍ୟ, ଉଦାରପଣ, ସ୍ଵର୍ଗଭୂମିର ଅମୃତ ଓ ଅପ୍‌ସରା ସକାଶେ ସହଜ ସ୍ଵାଧିକାର କହିଲେ ଇନ୍ଦ୍ରପଣ ବୁଝାଏ, ତାହା ତାଙ୍କ ବୈଶିଷ୍ଟ୍ୟ, ସମସ୍ତଙ୍କ ଭିତରେ ବାରିଦେବାପାଇଁ ନିର୍ଭୁଲ ଚିହ୍ନଟ ।’

(କୋଣାର୍କ, ସୁରେନ୍ଦ୍ରଙ୍କ ଇନ୍ଦ୍ରଭାଗ, ପୃ-୨)

 

କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ସୃଜନମନୀଷା ଓ ବ୍ୟକ୍ତିତ୍ୱର ଆକଳନ ଏହାଠୁ ଅଧିକ କ’ଣ ହୋଇପାରେ ? ମାତ୍ର ଗୋଟିଏ ବାକ୍ୟରେ ସୃଷ୍ଟି ଓ ସ୍ରଷ୍ଟା ଉଭୟଙ୍କୁ ଚିହ୍ନିହୁଏ । ବାରିହୁଏ- ସେ ଯେ ସମସ୍ତଙ୍କ ଭିତରେ ନିଆରା । ସ୍ୱତନ୍ତ୍ର, ଅନନ୍ୟ । ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ, ଭ୍ରମଣ କାହାଣୀ ରଚୟିତା, ଆତ୍ମଜୀବନୀ ଲେଖକ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାରସ୍ୱତ ଦିଗ୍‌ବଳୟରେ ଏକ ଜ୍ୟୋତିର୍ମୟ ଉଦ୍‌ଭାସ । ଇନ୍ଦ୍ରଧନୁର ବିଚିତ୍ର ବର୍ଣ୍ଣାଳୀ ପରି ଐଶ୍ୱର୍ଯ୍ୟମୟ, ବୈଚିତ୍ର୍ୟପୂର୍ଣ୍ଣ ତାଙ୍କ ସୃଷ୍ଟି ସମ୍ଭାର । ଅଗାଧ ଶବ୍ଦସାଗର ଭିତରେ ଭାବକଳ୍ପର ଅଷ୍ଟ ଅଣିମାଦି ଆତ୍ମଗୋପନ କରିଥାନ୍ତି । ସେଇ ମହାସାଗରର ଅତଳ ତଳକୁ ସ୍ପର୍ଶ କରି ଆବିଷ୍କାର କରିଥାଏ ସେଇ ରତ୍ନରାଜିକୁ- କେବଳ ସମ୍ବେଦନଶୀଳ, ଚିହ୍ନରା ପାଠକ ।

 

ସୁରେନ୍ଦ୍ର ମହାନ୍ତିଙ୍କ ଉଚ୍ଚାରଣ ଯେତିକି ସ୍ପଷ୍ଟ, ଆବେଦନ ସେତିକି ଗଭୀର । ସକଳ ତତ୍ତ୍ୱ ଓ ଆଦର୍ଶର ବହୁ ଊର୍ଦ୍ଧ୍ୱରେ ସେ ଜୀବନର ଶାଶ୍ୱତ, ଚିରନ୍ତନ ଓ ସୁନ୍ଦରତମ ନୟନାଭିରାମ ମୂର୍ତ୍ତିକୁ ଦର୍ଶନ କରିଛନ୍ତି । ତାଙ୍କ ଦୃଷ୍ଟିରେ ଜୀବନହିଁ ଈଶ୍ଵର, ଜୀବନ ହିଁ ସକଳ ବିଶ୍ଵର ଆଧାର । ଜୀବନହିଁ ମାହେଶ୍ୱରୀ- ପ୍ରକୃତିର ରାଜରାଜେଶ୍ଵରୀ ପ୍ରକାଶ । ଜୀବନଠୁ ବଳି ଅଧିକ ସତ୍ୟ, ଅଧିକ ବାସ୍ତବ, ଅଧିକ ସୁନ୍ଦର, ଆଦର୍ଶମୟ କଥା କିଛି ଅଛି ଏ ଜଗତରେ ? ଏଣୁ କଥାକାର ସୁରେନ୍ଦ୍ର ମହାନ୍ତି ଜୀବନର ହିଁ ଉପାସନା କରିଛନ୍ତି ତାଙ୍କ ସୃଜନବିଳାସରେ ।

 

ଦିନେ ତଥାଗତ ବୁଦ୍ଧ କହିଥିଲେ- ‘ରୂପରୁ ତୃଷ୍ଣା, ତୃଷ୍ଣାରୁ ବେଦନା, ବେଦନାରୁ ଦୁଃଖ । ତେଣୁ ଦୁଃଖ ଜୟ ପାଇଁ ରୂପ ଓ ତୃଷ୍ଣାର ଜୟ ଅନିବାର୍ଯ୍ୟ । ଦୁଃଖର ଜୟ ହିଁ ନିର୍ବାଣ । ପୁନର୍ଜନ୍ମର ନାଗବନ୍ଧନରୁ ମହାମୁକ୍ତି ।’ କିନ୍ତୁ ଲେଖକଙ୍କ ଅବବୋଧରେ ଏହି ଦାର୍ଶନିକ ନିଷ୍‌କର୍ଷ ପ୍ରତି ଗଭୀର ସନ୍ଦେହ । ପ୍ରବୃତ୍ତି ପ୍ରଲ୍‌ବୁଧ ମଣିଷର ବାସ୍ତବଜୀବନରେ ଏହାର ଉପାଦେୟତା କେତେ, ଯଥାର୍ଥତା କେତେ- ତାହା ଅବଶ୍ୟ ସମୟ କଷଟିରେ ପରୀକ୍ଷିତ ହୋଇ ଉତ୍ତୀର୍ଣ୍ଣ ହୋଇପାରିନାହିଁ । ସେଇଥିପାଇଁ ବୋଧହୁଏ ମହାକାଳ ଆଉ ଦ୍ୱିତୀୟବୁଦ୍ଧଙ୍କୁ ଜନ୍ମ ଦେଇପାରିନାହିଁ ।

 

ଲେଖକଙ୍କ ମନରେ ପ୍ରଶ୍ନବାଚୀ- କୃଚ୍ଛ୍ର ସାଧନାର ପରିଣତି ୟାଠୁ କିଛି କମ ଦୁଃଖଦ ନୁହେଁ-। ତାଙ୍କ ଭାଷାରେ- ‘ଅସ୍ଥିଖଣ୍ଡର ନିର୍ବାଣ ଲାଭରେ କି ପ୍ରୟୋଜନ... ଅସ୍ଥିର ପୁନର୍ଜନ୍ମ ନାହିଁ... ପୁନରାଗମନ ନାହିଁ... ରୂପତୃଷ୍ଣାର ବେଦନା ନାହିଁ... ଦୁଃଖ ନାହିଁ- ଏ କେବଳ ଅସ୍ଥି... ଅସ୍ଥି... କିନ୍ତୁ ଅସ୍ଥିଖଣ୍ଡର ନିର୍ବାଣ ଲାଭରେ କି ପ୍ରୟୋଜନ ?’ ନୀତି ନିୟମ, ଶୃଙ୍ଖଳା, ଆଦର୍ଶ, ପାପପୁଣ୍ୟ, ମୋକ୍ଷ, ନିର୍ବାଣ ଆଦି ବିଚାର ମାନଦଣ୍ଡରେ ସୁରେନ୍ଦ୍ରଙ୍କ ଚିନ୍ତା ଓ ଚେତନାକୁ ମୂଲତଉଲ କଲେ ପାଠକକୁ ହୁଏତ ନିରାଶ ହେବାକୁ ପଡ଼ିଥାଏ । କିନ୍ତୁ ମାନବିକତାର, ମଣିଷ ପଣିଆର, କରୁଣାର, ଉଦାରତାର, ସମ୍ବେଦନାର, ବିସ୍ତାରିତ ହେବାର, ପ୍ରେମ ଓ ବିଶ୍ୱାସର ସଜଳ ଭୂଇଁରେ ଛିଡ଼ା ହୋଇ ଯଦି ଜଣେ ପାଠକ ତାଙ୍କ ସୃଷ୍ଟିକୁ ନିରେଖିବ ତେବେ ବିଶ୍ୱବ୍ରହ୍ମାଣ୍ଡର ପ୍ରଶାନ୍ତ ଓ ମହିମାମୟ ରୂପକୁ ସନ୍ଦର୍ଶନ କରିବ । ଯେଉଁ ସାରସ୍ୱତ ସୃଷ୍ଟିର ଅମୃତ କଳସରୁ ସ୍ୱର୍ଗୀୟ ସୁଧା ବିନ୍ଦୁ ବିନ୍ଦୁ ହୋଇ ଝରିପଡ଼ୁଛି, ତାକୁ ପାନ କରି ପାଠକର ରସପିପାସା ଚରିତାର୍ଥ ହେବ, ଧନ୍ୟ ହେବ ।
 

ଜୀବନ ଓ ଜଗତର ବିପୁଳ ଆବେଦନକୁ ତୋଳି ଧରିଛନ୍ତି ଲେଖକ ତାଙ୍କ ସୃଜନ ମନୀଷାରେ, ଶବ୍ଦ ବିନ୍ୟାସରେ, ଚରିତ୍ର ଚିତ୍ରଣରେ, ଭାବ ବିଳାସରେ, ଶିଳ୍ପ ନୈପୁଣ୍ୟରେ ଆଉ ରୂପଚର୍ଯ୍ୟାରେ । ଏଣୁ ତାଙ୍କ ଭାବଭୂମିର ପରିଧି କେନ୍ଦ୍ରାୟିତ ନୁହେଁ, କେନ୍ଦ୍ରପ୍ରସାରିଣୀ ଓ ଦିଗ୍‌ବଳୟ ଯାଏ ପରିବ୍ୟାପ୍ତ । ଅଥଚ କଥାବସ୍ତୁର ସୁଠାମ ଗଠନରେ ଭାବବିମ୍ୱଟି ଅକ୍ଷତ ଓ ସୁରକ୍ଷିତ ଥାଏ । କେନ୍ଦ୍ରବିନ୍ଦୁଟି ଭାରସାମ୍ୟ ରକ୍ଷା କରିଥାଏ ସମଗ୍ର ସୃଷ୍ଟିକୁ ଧାରଣ କରିବା ଦିଗରେ । ଏଥିପାଇଁ ତାଙ୍କ ସୃଷ୍ଟିର ଅନନ୍ୟତା ବେଶ ବାରି ହୋଇଯାଏ ନିଜସ୍ୱ ସିଦ୍ଧିରେ ।

 

‘କରୁଣାର ଆବରଣ ତଳେ କି ନିଷ୍କରୁଣ ଜୀବ ଏମାନେ । ଘର ନାହିଁ, ଦ୍ଵାର ନାହିଁ, ମା ନାହିଁ, ପୁଅ ନାହିଁ, ଝିଅ ନାହିଁ, ମାୟା ନାହିଁ, ମମତା ନାହିଁ; ଅଥଚ କିଏ ଏମାନଙ୍କୁ କହିଥିଲା ପୃଥିବୀକୁ ଆସି ପୃଥିବୀର ଦୁଃଖ ଅଶାନ୍ତିର ଭାର ବଢ଼େଇବା ପାଇଁ ?’

 

ଜୀବନ ଓ ନିର୍ବାଣ- ଏହା ଭିତରେ କେଉଁଟି ଅଧିକ କାମ୍ୟ, କେଉଁଟି ଅଧିକ ସ୍ପୃହଣୀୟ – ଏଇ ଦ୍ୱନ୍ଦ୍ୱ ଭିତରୁ ଉତ୍ତୀର୍ଣ୍ଣ ହୋଇ ଆସିଛନ୍ତି ତାଙ୍କ ଚରିତ୍ରମାନେ- ଜୀବନର ଜୟଗାନ କରି । ବୌଦ୍ଧଗାଥା ଉପରେ ରଚିତ ତାଙ୍କର ଗଳ୍ପଗୁଡ଼ିକ ମାନବିକ ସମ୍ୱେଦନାର ଗୋଟିଏ ଗୋଟିଏ ସୁରଭିତ ସ୍ତବକ । ମହାନିର୍ବାଣ, ସାରୀପୁତ୍ତ, ଅମ୍ୱାପଲ୍ଲୀ, ମଧୁମତ୍ତାର ରାତ୍ରି, ପ୍ରଭୃତି ଗଳ୍ପଗୁଡ଼ିକରେ ଶୁଷ୍କ ଦାର୍ଶନିକତା ଓ ଜୀବନ ପ୍ରତି ଉଲ୍ଲଙ୍ଗ ମୋହ– ଉଭୟର ଚମତ୍‌କାର ସଂଶ୍ଳେଷଣ କରାଯାଇଛି-। ପରସ୍ପର ଦୁଇ ବିପରୀତମୁଖୀ ଜୀବନଚର୍ଯ୍ୟାର ସଂଘାତପୂର୍ଣ୍ଣ ମାନସିକତାକୁ ବେଶ କଳାତ୍ମକ ରୀତିରେ ପରିବେଷଣ କରାଯାଇଛି ଏହି ଥେରିଗାଥା ଅବଲମ୍ୱନରେ ରଚିତ ଗଳ୍ପଗୁଡ଼ିକରେ । ସଂସାର ବିମୁଖ ପଳାୟନପନ୍ଥୀ ଆଦର୍ଶ ପ୍ରତି ଏ ଯେପରି ଏକ ଶାଶ୍ଵତ ଆହ୍ୱାନ । ସ୍ରଷ୍ଟାପ୍ରାଣର ପ୍ରାଣମୟ ରସଚେତନା । ଗଳ୍ପଗୁଡ଼ିକୁ ରସୋତ୍ତୀର୍ଣ୍ଣ ଓ କାଳଜୟୀ କରିପାରିଛି ।

 

ଶ୍ରୀକୃଷ୍ଣଙ୍କ ଶେଷହସ, କୃଷ୍ଣଚୁଡ଼ା, ମେଣ୍ଢାଖାଇ ଓ ବରଜୁଷେଣ୍ଢଘାଇ, ମରାଳର ମୃତ୍ୟୁ, ଶୂନ୍ୟ ପଞ୍ଜୁରୀ, ମୃତ୍ତିକାର ଆତ୍ମା, ସାତଭଉଣୀ, ମହାନଗରୀର ରାତ୍ରି, ଓ କାଲାକାଟା, ରାଜଧାନୀ, ଭାଗାବଣ୍ଡ, ପତାକା ଉତ୍ତୋଳନ, ପିତାପୁତ୍ର, ଶାନ୍ତନୁ ଓ ଗଙ୍ଗା, ତୃଷ୍ଣା ଓ ବିତୃଷ୍ଣା, ରୁଟି ଓ ଚନ୍ଦ୍ର, ନୀଳଜ୍ୟୋସ୍ନା, ମାଂସର କୋଣାର୍କ, ବାସାଂସି ଜୀର୍ଣ୍ଣାନି- ପ୍ରଭୃତି ପ୍ରତିନିଧିସ୍ଥାନୀୟ ଗଳ୍ପଗୁଡ଼ିକ ବ୍ୟତୀତ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ଗଳ୍ପ ରଚନା କରିଥିବା ସୁରେନ୍ଦ୍ର ମହାନ୍ତି ଓଡ଼ିଆ କ୍ଷୁଦ୍ରଗଳ୍ପର ଗାରିମାକୁ ଆକାଶଚୁମୀ କରିପାରିଥିଲେ । ଅନୁକରଣୀୟ ଶିଳ୍ପନୈପୁଣ୍ୟ, ଚମତ୍କାର ଶବ୍ଦବିନ୍ୟାସ, ମଗ୍ନଚୈତନ୍ୟର ସ୍ୱରୂପ ଆବିଷ୍କାର ପ୍ରୟାସ, ଭାବକଳ୍ପର ବର୍ଣ୍ଣାଢ଼୍ୟ ତଥା ବୈଚିତ୍ର୍ୟମୟ ଦୃଶ୍ୟପଟ ପାଠକକୁ ଅଭିଭୂତ କରିଥାଏ । ନୂଆ ନୂଆ ଚିତ୍ରକଳ୍ପ, ରୂପକଳ୍ପ ମାଧ୍ୟମରେ ଅଭିନବ ଗଳ୍ପ କଥନରୀତିର ଦ୍ୱିତୀୟ ପଟାନ୍ତର ନାହିଁ । ଚେତନାର ନବନବ ଉନ୍ମେଷ ଓ ଉଦ୍‌ଘାଟନରେ ବିମୋହିତ, ମୁଗ୍ଧଚକିତ ପାଠକ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ସୃଜନ-ପ୍ରତିଭା ନିକଟରେ ମଥାନତ କରିଥାଏ । ନିଚ୍ଛକ ବାସ୍ତବତା ଭିତରେ ପ୍ରବୃତ୍ତିଲାଳିତ ମଣିଷ ଜୀବନରେ ମାର୍କସବାଦର ଚରମ ବୈଫଲ୍ୟକୁ ସେ ରସୋତ୍ତୀର୍ଣ୍ଣ କରି ଗଢ଼ି ତୋଳିଛନ୍ତି । ଖାଦ୍ୟ, ବସ୍ତ୍ର, ଗୃହର ଆବଶ୍ୟକତା ବ୍ୟତୀତ ପ୍ରାଣମୟ ଓ ମନ୍ମୟ ବ୍ୟକ୍ତିସତ୍ତାର ଅସ୍ତିତ୍ୱ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଜୀବନର ସୌକୁମାର୍ଯ୍ୟ ସରଳ ଓ ସ୍ୱାଭାବିକ ଜୀବନ ବଞ୍ଚିବାରେ ଯେପରି ସରସ ଓ ସୁନ୍ଦର ହୋଇପାରେ, ତାହା ବୌଦ୍ଧିକତାରେ ନଥାଏ । ଏହି ସତ୍ୟନିଷ୍ଠ ଜୀବନ ହିଁ ତାଙ୍କ ସୃଷ୍ଟିର ଉପଜୀବ୍ୟ ହୋଇଛି ।

 

‘କାଳାନ୍ତର’ ଏକ କ୍ଷୁଦ୍ର ଉପନ୍ୟାସ ହେଲେ ହେଁ ଜୀବନସତ୍ୟର ଏପରି ପ୍ରାଣବନ୍ତ ରୂପାୟନ କ୍ୱଚିତ ପରିଦୃଷ୍ଟି ହୁଏ । ଗ୍ରାମୀଣ ଜୀବନର, ଦୁସ୍ଥ ସମାଜର, ନିର୍ଯାତିତର ଜୀବନ ଯନ୍ତ୍ରଣାର କାହାଣୀ ବର୍ଣ୍ଣନା ସମୟରେ ସେ ପ୍ରକୃତିକୁ ପ୍ରତୀକାତ୍ମକ ଭାବରେ ଯେପରି ଉପସ୍ଥାପନ କରିଛନ୍ତି, ତାହା ଏକାନ୍ତ ଭାବରେ ନିଜ ସ୍ୱକୀୟତାରେ ସ୍ୱତନ୍ତ୍ର । ସମ୍ଭାବନାର ବିପୁଳ ଆଶା ଓ ଆଶ୍ୱାସନା ନେଇ, ଅନ୍ଧକାରର ବକ୍ଷଭେଦ କରି, ଝଡ଼ର ପ୍ରମତ୍ତତାକୁ ବିଦୀର୍ଣ୍ଣ କରି, ମହାକାଳର କାଳଘୂର୍ଣ୍ଣି ଭିତରୁ ଆସନ୍ନ ସକାଳ ଧାପେ ଧାପେ ହୋଇ ଓହ୍ଲାଇ ଆସୁଥିଲା । ଆକାଶରେ ଉଜ୍ଜ୍ୱଳ ନକ୍ଷତ୍ରଟିଏ ଉଇଁ ସାରିଥିଲା ସେତେବେଳକୁ । ପ୍ରଳୟର ରୁଦ୍ରତାଣ୍ଡବ ସୃଷ୍ଟିକୁ ଦଳିତ, ମଥିତ, ନିଶ୍ଚିହ୍ନ କରିଦେବା ପାଇଁ ଉନ୍ମତ୍ତ ହୋଇଥିବା ବେଳେ ନବଜନ୍ମର ସଂକେତ ବହନ କରି କେହି ଜଣେ ଆସୁଥିଲା । ‘ସେମାନେ ସମସ୍ତେ ଝଡ଼ ଆଉ ଅନ୍ଧକାର ମଧ୍ୟରେ ଛୁଟିଥିଲେ ଯେପରି ନୀଳାମ୍ୱରକୁ ନୁହେଁ, କାଳାନ୍ତରର ଏକ ନୂତନ ଲଗ୍ନକୁ ଅଭିନନ୍ଦନ ଜଣାଇବା ପାଇଁ ।’

 

ଏକ ସର୍ବଗ୍ରାସୀ ଦୀର୍ଘଶ୍ୱାସ ପରି, ଗୋଟାଏ ଆଦିମ ସରୀସୃପ ପରି ମାଡ଼ିଯାଉଥିବା ଭୟଙ୍କର ଝଡ଼ ଭିତରେ ଲେଖକ ଶୁଣାଇଛନ୍ତି ଜୀବନ-ଅନ୍ୱେଷାର ମନ୍ଦ୍ରମଧୁର ଝଙ୍କାର । ଏ ଝଡ଼ ଏକ ପ୍ରତୀକ ମାତ୍ର । କିନ୍ତୁ ଏ ଝଡ଼ ନୂତନ ଜୀବନ ସନ୍ଦେଶ ବହନ କରି ଆସୁଥିଲା ମୃତ୍ୟୁରେ ଅମୃତତ୍ଵର ସନ୍ଧାନ ଦେଇ । “କ୍ରମେ ଘନୀଭୂତ ହୋଇ ଆସୁଥିବା ତରଳ ଅନ୍ଧକାର ଭିତରେ ବାଟ ଅବାଟ ନମାନି ଆଗକୁ ଯିବାବେଳେ ନୀଳାମ୍ୱରର ମନେ ହେଉଥିଲା ମୃତ୍ୟୁର ଏଇ କରାଳଗ୍ରାସ ମଧ୍ୟରେ ସେ ଆଜି ଯେପରି ପାଇଲେ ଜୀବନର ଏକ ନୂତନ ପରିଚୟ । ପ୍ରାତ୍ୟହିକ ଶତ ତୁଚ୍ଛତା ମଧ୍ୟରେ ଜୀବନର ଯେଉଁ ଅନାପେକ୍ଷିକ ମହିମା ପ୍ରତି, ସେ କେବେ ଭୁଲରେ ସୁଦ୍ଧା ଦୃଷ୍ଟିପାତ କରି ନଥିଲେ; ଏବେ ଚାରିଆଡ଼େ ଧୀରେ ଧୀରେ ନିବୁଜ ହୋଇ ଆସୁଥିବା ମୃତ୍ୟୁର ଜାଲ ମଧ୍ୟରେ ନୀଳାମ୍ୱର ଯେପରି ସେହି ମହିମାର ଏକ ଅନାସ୍ୱାଦିତପୂର୍ବ ନୂତନ ଉପଲବ୍‌ଧି ଲାଭ କରିପାରିଲେ-। ବଞ୍ଚିବାର ଅନାପେକ୍ଷିକ ଆନନ୍ଦଠାରୁ ଅନ୍ୟ କୌଣସି ବୃହତ୍ତର ସତ୍ୟ ଅଥବା ସାଧନା ଥାଇପାରେ ବୋଲି ନୀଳାମ୍ୱରଙ୍କର ସେତେବେଳେ ମନେ ହେଉନଥିଲା । ମୃତ୍ୟୁର ଏଇ କରାଳଗ୍ରାସ ମଧ୍ୟରୁ ଆସନ୍ତାକାଲିର ସକାଳ ଦେଖିବା ପାଇଁ ତାଙ୍କୁ ଯଦି ଅବକାଶ ମିଳେ, ତା’ହେଲେ ସେଇ ଜୀବନ-ତପସ୍ୟା ତାଙ୍କର ଏକମାତ୍ର ମୋକ୍ଷପଥ ହେବ ବୋଲି, ଚାରିଆଡ଼େ ଭଙ୍ଗାକାନ୍ଥର ଧ୍ୱଂସସ୍ତୂପ ମଧ୍ୟରେ ଠିଆହୋଇ ନୀଳାମ୍ୱର ମନେ ମନେ ଗୋଟିଏ ଶପଥସୁଦ୍ଧା କରୁଥିଲେ ।’ (କଳାନ୍ତର ପୃ ୮୧-୮୨)

 

ଯଥାର୍ଥରେ କଥାକାର ସୁରେନ୍ଦ୍ର ମହାନ୍ତି-ଏକ ବିସ୍ମୟକର ପ୍ରତିଭା । ଏଇ ସୃଷ୍ଟିପ୍ରତିଭାର ଅନ୍ତରାଳରେ ଥିଲା ଗଭୀର ଜୀବନାନୁଭୂତି, ଏକ ଶାଣିତ ଅନ୍ତର୍ଦୃଷ୍ଟି ଓ ମହତ୍ତମ ପ୍ରତି ପ୍ରଗାଢ଼ ଆସ୍ପୃହା । ପ୍ରକୃତିର କରାଳରୂପ ସମ୍ମୁଖରେ ମନୁଷ୍ୟର ମହିମାମୟ ସ୍ୱରୂପ ଉଦ୍‌ଘାଟନ ହି କାଳାନ୍ତରର ଲକ୍ଷ୍ୟ । ଝଡ଼ି ପରେ ଏକ ଶୁଭଙ୍କର, କଲ୍ୟାଣମୟ, ଅଭିନନ୍ଦନୀୟ କାଳାନ୍ତରର ଶୁଭଲଗ୍ନକୁ ଯେପରି ସ୍ୱାଗତ କରିଛନ୍ତି ଲେଖକ– ଯେଉଁ କାଳାନ୍ତରରେ ଜନ୍ମ ନେଉଥିଲା ଜୀବନର ଶୁଭ୍ରତା, ଶୁଚିତା ଓ ବିଶାଳତା । ଜୀବନ ଧର୍ମର ଏଇ ମାନ୍ତ୍ରିକ ଉଚ୍ଚାରଣ ବାସ୍ତବିକ ଅସାଧାରଣ ।

 

ସ୍ଥିତିବାଦୀ ଦର୍ଶନରେ ମନୁଷ୍ୟର ଅସ୍ତିତ୍ୱ ହିଁ ସବୁଠୁ ବଳି ବଡ଼କଥା । ସେଥିପାଇଁ ଯେତେ ଯୁଦ୍ଧବିଗ୍ରହ, ବାଦବିସମ୍ୱାଦ, ସଂଗ୍ରାମ ଓ ସଂଘର୍ଷ, ବିଚାର ବିମର୍ଶ । ସମସ୍ୟାର କଣ୍ଟକଶଯ୍ୟାରେ ତଥାପି ଜୀବନ ପ୍ରତି ଏକ ଦୁର୍ନିବାର ମୋହରେ ସଂଗ୍ରାମ କରୁଥାଏ ମଣିଷ । ଏହାଠୁ ବଳି କୌଣସି ସତ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ନାହିଁ । ‘ହଂସଗୀତି’ ଉପନ୍ୟାସର କଥାବସ୍ତୁରେ ଏଇ ସ୍ଥିତିବାଦୀ ଦର୍ଶନର ଆଲେଖ୍ୟ ବେଶ ମନୋଜ୍ଞ । ଅର୍ଥ ପାଗଳ ମଣିଷଟିର ବିକଳ ବିଧିତ ଜୀବନଚର୍ଯ୍ୟା ହିଁ ଏହାର ଗଳ୍ପାଂଶ । ବାତ୍ସଲ୍ୟ ସ୍ନେହ ବୁଭୁକ୍ଷୁ ସନ୍ତାନଟି ନିଶାଗ୍ରସ୍ତ ହେବାର ଯଥାର୍ଥତା ଓ କରୁଣ ପରିଣତି ଲେଖକଙ୍କ ସମାଜ ପ୍ରତି ଅଙ୍ଗୀକାରର ସଜଳ-ସ୍ୱାକ୍ଷର । ସାମ୍ପ୍ରତିକ ଜୀବନ ପ୍ରବାହର ନିଚ୍ଛକ ଅଭିବ୍ୟକ୍ତି ହେଉଛି ହଂସଗୀତି । ଆଧୁନିକତାର ଉତ୍ତାଳ ତରଙ୍ଗରେ ଭାସି ଯାଉଥିବା ସମାଜ ପ୍ରତି ଏ ଶାଣିତ କଟାକ୍ଷ । ଉଗ୍ର ଆଧୁନିକ ଶିକ୍ଷିତ ପିତାମାତାଙ୍କର ନିଜ ସନ୍ତାନ ପ୍ରତି ଥିବା ଉଦାସୀନତାକୁ ଲେଖକ କ୍ଷମା କରିପାରିନାହାନ୍ତି । ମରୁତୃଷ୍ଣା ପଛରେ ଧାଉଁଥିବା ତୃଷାର୍ତ୍ତ ପଥିକଟି ଯେପରି ଅବଶେଷରେ ଶୂନ୍ୟତାର ଶିକାର ହୋଇଥାଏ, ସେହିପରି ଉପଭୋକ୍ତାବାଦର ଏହାହିଁ ଏକମାତ୍ର ଓ ନିଶ୍ଚିନ୍ତ ଭବିତବ୍ୟ । ସାମ୍ପ୍ରତିକ ସମାଜ ପ୍ରତି ଏ ଇଙ୍ଗୀତ ବେଶ ସୁଦୂର ପ୍ରସାରୀ ।

 

ସମ୍ପ୍ରତି ମୂଲ୍ୟ ଓ ମୂଲ୍ୟବୋଧ ଭିତରେ ଯେଉଁ ଅଦୃଶ୍ୟ ଲଢ଼େଇ ଚାଲିଛି ତାର ରୂପାଲେଖ୍ୟ ହେଉଛି ‘ଅଚଳାୟତନ’ । ସମୟର ପ୍ରଚଣ୍ଡ ଧକ୍କାରେ ଭୁଷୁଡ଼ି ପଡ଼ୁଥିବା ମାନବିକ ଆବେଗ, ଆଦର୍ଶ, ମୂଲ୍ୟବୋଧକୁ ଜାବୁଡ଼ି ଧରିଥିବା ରୁଦ୍ରମାଧବଙ୍କ ବିଶ୍ୱାସ ଉପନ୍ୟାସର ପରିଣତିରେ ଏକ ବିପନ୍ନ, ବିଧ୍ୱସ୍ତ ମାନଚିତ୍ରରେ ରୂପାନ୍ତରିତ ହୋଇଯାଇଛି । ଗୋଟେ ବିଶ୍ୱାସକୁ, ଗୋଟେ ପ୍ରତ୍ୟୟକୁ, ଗୋଟେ ପରମ୍ପରାକୁ ପ୍ରତୀକ ଭାବରେ ଯିଏ ଚିହ୍ନିତ କରୁଥିଲେ- ସେଇ ଇଷ୍ଟ ଦେବତା ଲକ୍ଷ୍ମୀନାରାୟଣଙ୍କ ଶୂନ୍ୟବେଦୀ କଞ୍ଜୁମରିଜିମ୍ (ଉପଭୋକ୍ତାବାଦ)ର ଚୂଡ଼ାନ୍ତ ବିଜୟକୁ ସୂଚିତ କରିଥାଏ । ବସ୍ତୁବାଦିତା ସହିତ ଆଧ୍ୟାତ୍ମିକତାର ଦ୍ୱନ୍ଦ୍ୱ ହିଁ ଏହାର କଥାବସ୍ତୁ । ନୂତନପିଢ଼ିର ମାନସିକତାରେ ଦ୍ରୁତ ପରିବର୍ତ୍ତନ ସମୟର ବିବର୍ତ୍ତିତ ସ୍ୱରୂପକୁ ସଂଘାତପୂର୍ଣ୍ଣ ଓ ମର୍ମଦାହୀ କରିଛି । ବଦଳି ଯାଉଥିବା ଐତିହ୍ୟ, ପରମ୍ପରା, ସଂସ୍କୃତି, ଆଧ୍ୟାତ୍ମିକତା ଓ ଦର୍ଶନର ଏକ ପ୍ରଲମ୍ୱିତ-ଦିଗ୍‌ବଳୟରେ ଅପସୃୟମାନ ଅସ୍ତମିତ ସୂର୍ଯ୍ୟ ଭଳି ରୁଦ୍ରମାଧବଙ୍କ ଜୀବନର ଅନ୍ତିମ ପରିଣତି ବେଶ ହୃଦୟସ୍ପର୍ଶୀ ଓ ମର୍ମାନ୍ତିକ ।

 

‘ଇନ୍ଦ୍ରମାଧବ କହିଲେ... ଡୋରୋଥୀ, ତୁମ ପକ୍ଷରେ ସେ ମୂର୍ତ୍ତିଟା କେବଳ ଗୋଟାଏ ଇରୋଟିକ ମୂର୍ତ୍ତି ହୋଇପାରେ । କିନ୍ତୁ ଡାଡୀଙ୍କ ଦୃଷ୍ଟିରେ ତାହା ଗୋଟାଏ ମୂଲ୍ୟବୋଧର ପ୍ରତୀକ । ତାଙ୍କର ପରିଚିତ ପୃଥିବୀର କେନ୍ଦ୍ରବିନ୍ଦୁ ! ଆମେ ସିନା ସବୁକଥାର ମୂଲ୍ୟଟାଇ ପ୍ରଥମେ ବୁଝୁ- କିନ୍ତୁ ଏମାନେ ବୁଝନ୍ତି ମୂଲ୍ୟବୋଧ ! ମୂଲ୍ୟଦୃଷ୍ଟିରୁ ଏ ମୂର୍ତ୍ତିର ଦାମ୍ ତୁମ ପାଖରେ ପାଞ୍ଚଲକ୍ଷ ଡଲାର ହୋଇପାରେ, କିନ୍ତୁ ମୂଲ୍ୟବୋଧ ଦୃଷ୍ଟିରୁ ଡାଡୀଙ୍କ ଦୃଷ୍ଟିରୁ ଏହାର କଳନା ନାହିଁ ।... ଡୋରୋଥୀ ଜଳନ୍ତା ସିଗାରେଟଟା ଆସ୍‌ଟ୍ରେ ଭିତରେ ଦଳି ନିଭାଇ ଦେଇ କହିଲା... ସବୁ ଭାଲ୍ୟୁ, ମୂଲ୍ୟବୋଧ, ଲୋଅର ମିଡ୍‌ଲକ୍ଲାସ ସେଣ୍ଟିମେଣ୍ଟ୍ ! ଉଠ, ଆସ ମୋ ସାଙ୍ଗରେ । ତମର ସେ ବୁଢ଼ା ଦରୱାନଟା । ତା ଭଙ୍ଗା କୁଡ଼ିଆରେ ଏତେ ବେଳକୁ ଘୁଙ୍ଗୁଡ଼ି ମାରୁଥିବ ।’ (ଅଚଳାୟତନ ପୃ ୭୯-୮୦)

 

ଯୁଗସଂଘର୍ଷର ଏହି ପ୍ରତୀକଧର୍ମୀ ଚିତ୍ର କଥାବସ୍ତୁର ଅନ୍ତଃସ୍ରୋତକୁ କେବଳ ପ୍ରବାହଧର୍ମୀ କରିନାହିଁ, ଅଫୁରନ୍ତ କଳାସୌନ୍ଦର୍ଯ୍ୟର ନାନ୍ଦନିକ ମୂଲ୍ୟକୁ ପ୍ରତିପାଦନ କରିଥାଏ । ଏହାର ଆବେଦନ ଯେତିକି ନିବିଡ଼ ସେତିକି ଆବେଗମୟ ଓ ସ୍ପର୍ଶାତୁର । ସମାଜର ପ୍ରାଣସ୍ପନ୍ଦନ ସ୍ରଷ୍ଟା ସୁରେନ୍ଦ୍ରଙ୍କ ହୃଦୟତନ୍ତ୍ରୀରେ ଯେପରିକି ସ୍ପନ୍ଦିତ ହୋଇଛି । ସୁରେନ୍ଦ୍ର ମହାନ୍ତିଙ୍କ ନାନ୍ଦନିକ ଦୃଷ୍ଟି ଭାବାନୁଭୂତିର ଅତଳତଳକୁ ଭେଦିଯାଇଛି । ଆବିଷ୍କାର କରିଛି ମହାମୂଲ୍ୟ ଶାଶ୍ୱତ ଜୀବନର ମହାର୍ଘ ମଣିକୁ । ‘ଅଖଣ୍ଡଦୀପ ତଥାପି ଜଳୁଚି ଶୂନ୍ୟ ସିଂହାସନ ତଳେ... ଅନ୍ତହୀନ ପ୍ରତୀକ୍ଷା ପରି ।’ ଘନଘୋର ଅନ୍ଧକାର ଭିତରେ ତଥାପି ଆଲୋକ ଅନିର୍ବାଣ ଜ୍ୟୋତି ଶିଖାର ସମ୍ଭାବନାକୁ ଲେଖକ ଯେପରି ଅପେକ୍ଷା କରି ରହିଛନ୍ତି ।

 

ଶତ ଭାଗ୍ୟ ବିପର୍ଯ୍ୟୟ, ଉତ୍‌ଥାନ ପତନ, ଯୁଦ୍ଧ ବିଗ୍ରହ ସତ୍ତ୍ୱେ ଏ ଜାତିର ଆତ୍ମା ରହିଛି ଅପରାଜେୟ । ଯେଉଁ ଓଡ଼ିଆ ଜାତିର ଆତ୍ମା ପୁରୁଷ ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ । ଓଡ଼ିଶାର ଇଷ୍ଟଦେବ ଶ୍ରୀ ଜଗନ୍ନାଥ ମଧ୍ୟ ଓଡ଼ିଆ ଜାତି ସହିତ ସଂଗ୍ରାମର ଏଇ ବନ୍ଧୁର ପଥରେ ପାଦ ଦେଇଛନ୍ତି । ଓଡ଼ିଆ ଇତିହାସର ଏଇ ଚରମ ଭାଗ୍ୟ ବିଡ଼ମ୍ୱନା ଓ ସଙ୍କଟ କାଳରେ ବହୁବାର ଜଗନ୍ନାଥଙ୍କୁ ପାତାଳି କରାଯାଇଛି । କେତେବେଳେ ଚିଲିକାର କେଉଁ ନାମହୀନ ଅଜଣା ବାଲିଦ୍ୱୀପରେ ତ ଆଉ କେବେ ଘନ ଅରଣ୍ୟରେ ତାଙ୍କୁ ଗୋପନ କରାଯାଇଛି । ଉଗ୍ର ମୌଳବାଦୀ ମୁସଲମାନ ଶାସକମାନଙ୍କ ଆକ୍ରମଣରୁ ରକ୍ଷାକରିବା ପାଇଁ ତାଙ୍କୁ ଏପରି ଅପସାରିତ କରାଯାଇଛି-। ଏ ଅପସାରଣ-ପ୍ରକ୍ରିୟା ଓଡ଼ିଆଜାତିର ହୃଦୟର ରକ୍ତକ୍ଷରଣ ପରି ଅଶ୍ରୁଳ ଓ ପ୍ରାଣସ୍ପର୍ଶୀ ।

 

ଅଷ୍ଟାଦଶ ଶତାବ୍ଦୀ ଥିଲା ଓଡ଼ିଶା ଇତିହାସର ଏକ ଦୁଷ୍କାଳ । ଖୋର୍ଦ୍ଧା ଭୋଇ-ରାଜବଂଶର ରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଧର୍ମାନ୍ତରିକ ହୋଇ ହାଫିଜ କାଦର ବେଗ୍ ରୂପେ ପରିଚିତ ହୋଇଥିଲେ ଦେଶଭକ୍ତିର ଦାୟରେ । କଟକର ନାଏବ-ନାଜିମ ହିନ୍ଦୁଧର୍ମ ବିଦ୍ୱେଷୀ ତକୀଖାଁର ଭଉଣୀ ରିଜିଆ ବେଗମଙ୍କୁ ବିବାହ କରି ରାମଚନ୍ଦ୍ରଦେବ ହୋଇଥିଲେ ପତିତ । ତକୀ ଘାଁର ଆକ୍ରମଣରୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶାର ସ୍ୱାଧୀନତା ରକ୍ଷା ପାଇଁ ତାଙ୍କର ଏହି ବେଦନାଜର୍ଜର ନିଃସଙ୍ଗ ସଂଗ୍ରାମର କଳାତ୍ମକ ଅଭିଲିପି ହେଉଛି ‘ନୀଳଶୈଳ’ । ଏହାର ପ୍ରଚ୍ଛଦପଟରେ ରହିଛି ରାମଚନ୍ଦ୍ରଦେବଙ୍କ ଲାଞ୍ଛନା ଓ ଆତ୍ମଦାହର ବ୍ୟଥାବିଧୁର ରୋମାଞ୍ଚକର କାହାଣୀ । ଇତିହାସର ପୃଷ୍ଠପଟରେ ରଚିତ ଏହି ଉପନ୍ୟାସର ସଫଳତା ତାର ଅଷ୍ଟମ ସଂସ୍କରଣରୁ ହିଁ ସହଜରେ ଅନୁମିତ ହୋଇଥାଏ । ଭାରତୀୟ ଭାଷାମାନଙ୍କରେ ଏହାର ଅନୁବାଦ ନୀଳଶୈଳର ଲୋକପ୍ରିୟତାର ପରିଚାୟକ ।

 

‘ବଙ୍ଗଳା ସାହିତ୍ୟ ପତ୍ରିକା ‘ଅମୃତ’ (୧୫, ଅକ୍ଟୋବର ୭୬) ଏହାର ଆଲୋଚନା ପ୍ରସଙ୍ଗରେ ଲେଖିଛନ୍ତି- ନୀଳଶୈଳ ମହାକାବ୍ୟିକ ବ୍ୟାପ୍ତି ବୈଚିତ୍ର୍ୟ ଓ ରସଗାଢ଼ମୟ ଏବଂ ଐତିହାସିକ ତଥ୍ୟନିଷ୍ଠାୟ, ସୁଧୁ ଉଡ଼ିଆ ସାହିତ୍ୟେନୟ ବିଶ୍ଵସାହିତ୍ୟ ଓ ଏକ୍ ବିଶିଷ୍ଟ ସ୍ଥାନ ଦାବି କରିତେ ପାରେ । ଏଇ ଭକ୍ତିରସାଶ୍ରୟ କାହାନୀଟି ଏଇ ହିସାବେ କାଳାତିଶାୟୀ । ଟଲଷ୍ଟୟେର ‘ସମର ଓ ଶାନ୍ତି’ (war and peace)ର ମତ ଏତେ ଓ ବର୍ଣ୍ଣିତ ହୟେଛେ, ଇତିହାସେର ଅପସୃୟମାନ୍ ପ୍ରେକ୍ଷାପଟେ ସଂଘର୍ଷଧର୍ମୀ ମାନୁଷେର୍ କାଳଜୟୀ ସଂଗ୍ରାମ୍ ।’ (ନୀଳଶୈଳ ଚତୁର୍ଥ ସଂସ୍କରଣର ଭୂମିକା)

 

ସର୍ବଭାରତୀୟ ସ୍ତରରେ ଏହାର ଭୁରି ଭୁରି ପ୍ରଶଂସା ଓ ବିପୁଳ ପାଠକୀୟ ଶ୍ରଦ୍ଧାକୁ ବିଚାର କଲେ ଏହା ଯେ ଏକ ଉତ୍କୃଷ୍ଟ କ୍ଲାସିକ ସୃଷ୍ଟି ଏଥିରେ ଦ୍ୱିମତ ହେବାର ନାହିଁ । ଜଣେ ସାରସ୍ୱତ ସାଧକ ପାଇଁ ପାଠକୀୟ ଶ୍ରଦ୍ଧା ଠାରୁ ଅଧିକ ମୂଲ୍ୟବାନ ଆକଳନ ଓ ସମାଲୋଚନା କଣ ହୋଇପାରେ ?

 

ଏହି ଉପନ୍ୟାସଟିର ମହତ୍ଵପୂର୍ଣ୍ଣ ଦିଗଟି ହେଉଛି ଇତିହାସ ସହିତ କଳ୍ପନାର, ଭକ୍ତି ସହିତ ଭାବାବେଗର, ସତ୍ତା ସହିତ ସିଦ୍ଧାନ୍ତର, ସ୍ଵପ୍ନ ସହିତ ବାସ୍ତବତାର ଅପୂର୍ବ ସଂଯୋଗ । ଆଦିଗନ୍ତ ଶୂନ୍ୟତାରେ ପରିପୂର୍ଣ୍ଣତାର ବିଚିତ୍ର ଲୀଳାର ବିଭୂତି । ଓଡ଼ିଶାର ଆଧ୍ୟାତ୍ମିକ ଓ ରାଜନୈତିକ ଇତିହାସର କଳାବିଦଗ୍ଧ ଦୃଶ୍ୟାନ୍ତର ହେଉଛି ‘ନୀଳଶୈଳ’ । ଆଉ ତହିଁରେ ସର୍ବାଧିକ ପ୍ରଜ୍ଜ୍ୱୋଳ ବିନ୍ଦୁଟି ହେଉଛି ସରଦେଈ । ଇତିହାସର ନିର୍ମୋକ ଭଳି ସ୍ମୃତିର କାନଭାସରେ ସରଦେଈର ଛାୟାବୃକ ପାଠକକୁ ବିସ୍ମୟାଭିଭୂତ କରିଥାଏ । ପ୍ରାଣର ସକଳ ସୌକୁମାର୍ଯ୍ୟ, ମହାନୁଭବତା, ମହନୀୟତା ଓ ପ୍ରଗାଢ଼ ଅନୁରାଗ ସହିତ ପାଠକର ଅନ୍ତର୍ଦେଶକୁ ଛୁଇଁଯାଏ ସରଦେଇ । ଓଡ଼ିଶା ସହିତ ରାମଚନ୍ଦ୍ର ଦେବଙ୍କ ଜୀବନରେ ଭାଗ୍ୟ ବିପର୍ଯ୍ୟୟର ବିଡ଼ମ୍ୱିତ ଅଧ୍ୟାୟ ସୃଷ୍ଟି ହୋଇଥିଲା, ତାର କରୁଣଝଙ୍କାର ଏହି ଉପନ୍ୟାସର ଅନ୍ତର୍ଧ୍ୱନି । କିନ୍ତୁ ଲେଖକଙ୍କ ଭାଷାରେ ସରଦେଈ ସୁକୁମାରୀ ମାତୃଭୂମି, ପରାଧୀନ ଦୁଃଖିନୀ ଓଡ଼ିଶାର ପ୍ରତୀକ ।

 

ଯେଉଁ ଓଡ଼ିଶା ତାର ହୃଦୟଚକ୍ରରେ ଧାରଣ କରିଛି ଶ୍ରୀଜଗନ୍ନାଥଙ୍କୁ । ଓଡ଼ିଶାର ଆତ୍ମା ପରି ସରଦେଈର ଜୀବନଚର୍ଯ୍ୟାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଚଳା ଭକ୍ତି ଓ ଏକନିଷ୍ଠ ଏକାଗ୍ରତା । ତା ଜୀବନର ସକଳ ବିସ୍ୱାଦକର ରିକ୍ତତା ଭିତରେ ପୂର୍ଣ୍ଣତାର ଅମୃତ ଆସ୍ୱାଦନ । ସମଗ୍ର ଜୀବନବ୍ୟାପୀ ବଞ୍ଚିବା ପାଇଁ ଅବିରତ ସଂଗ୍ରାମ ଭିତରେ ସରଦେଈ ପାଇଛି ଜୀବନମୁକ୍ତିର ସନ୍ଧାନ । ‘ପ୍ରବଳର ଶତ ଅତ୍ୟାଚାର ଓ ପୀଡ଼ନ ମଧ୍ୟରେ ମନୁଷ୍ୟର ଦେହ ବାରମ୍ୱାର ବିନଷ୍ଟ ହୋଇଛି ସିନା, ତାର ଆତ୍ମା ତଥାପି ରହିଛି ଅପରାଜିତ । ମୃତ୍ୟୁର ଶତଫୁତ୍କାରକୁ ତୁଚ୍ଛ କରି ଯେଉଁ ଜୀବନଦ୍ୱୀପ ତଥାପି ରହିଛି ଅନିର୍ବାଣ, ଧ୍ୱସର ଶତପ୍ରମତ୍ତ ତାଣ୍ଡବ ମଧ୍ୟରେ ସୃଷ୍ଟିର ଯେଉଁ ପ୍ରେରଣା ଉତ୍ସ ତଥାପି ରହିଛି ଅତଳାନ୍ତକ- ଜଗନ୍ନାଥ ଯେପରି ସେହି ମହାମୁକ୍ତି, ସେହି ମହାପୂର୍ଣ୍ଣ, ପୁଣି ସେହି ମହାଶୂନ୍ୟର ଅବିନଶ୍ୱର ଅନିର୍ବଚନୀୟ ଆଦି ଅନ୍ତହୀନ ଭାବମୂର୍ତ୍ତି ।’ (ନୀଳଶୈଳ)

 

ଯେଉଁ ଭାବମୂର୍ତ୍ତିକି ସରଦେଈ ତାର ହୃଦୟ ମନ୍ଦିରରେ ସ୍ଥାପନା କରିଛି । ଓଡ଼ିଆର ଶରୀର ଓ ଆତ୍ମାର ସାଙ୍କେତିକ ପ୍ରକାଶ ହେଉଛି ସରଦେଇ । ଯବନ ଶକ୍ତି ଦ୍ଵାରା ଶତ ଲାଞ୍ଛିତା ଦୁଃଖିନୀ ଓଡ଼ିଶାର ଅପରାଜେୟ ଆତ୍ମା ତଥାପି ରହିଥିଲା ଅମଳିନ ଶୁଭ୍ର ଶତଦଳ ପରି ସୂର୍ଯ୍ୟକାମୀ, ଆକାଶୋନ୍ମୁଖୀ ନୀଳଶୈଳରେ ସରଦେଈ ଚରିତ୍ରର ସଫଳ ପ୍ରତୀକାତ୍ମକ ପ୍ରୟୋଗ ପାଠକକୁ ଗଭୀର ସମ୍ୱେଦନାରେ ଆର୍ଦ୍ରସଜଳ କରିଦିଏ । ଏହି କାଳ୍ପନିକ ଚରିତ୍ରଟି ଇତିହାସର ଦୃଶ୍ୟପଟ ଉଦ୍‌ଘାଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

 

ସରଦେଈ ଜୀବନଚର୍ଯ୍ୟାରେ ଜୀବନଧର୍ମର ନିଛକ ଅଭିବ୍ୟକ୍ତି ଘଟିଛି । ‘ସରଦେଈ ମନକୁମନ ପଚାରିଲା, ଏ ଜୀବନଟା କଣମ ସତେ ? ଗୁଡ଼ାଏ ଆଶା, ଗୁଡ଼ାଏ ଦୀର୍ଘଶ୍ୱାସ, ଗୁଡ଼ାଏ ଯନ୍ତ୍ରଣା ଆଉ ସେଇ ଅପନ୍ତରା ଭୁଷାବାଲି ଭିତରେ ନାଁ ନଜଣା ନେଳିଫୁଲ ପରି ଗୋଟାଏ ଗୋଟାଏ ସ୍ମୃତି । ସେଥିରେ କଣ୍ଟା ଯେତେ, ସୁବାସ ସେତେ ! ହାତରେ ତୋଳି ବସିଲେ କିନ୍ତୁ ସେସବୁ ପାଖୁଡ଼ା ପାଖୁଡ଼ା ହୋଇ ତଳେ ଝରିପଡ଼ିବ ।’ (ନୀଳଶୈଳ) ଲେଖକ ଏପରି ଚମତ୍କାର ଚିତ୍ରକଳ୍ପ ମାଧ୍ୟମରେ ଜୀବନର ଅନନ୍ତ ସୁଷମାକୁ ଉନ୍ମୋଚିତ କରିଛନ୍ତି ପାଠକ ସମ୍ମୁଖରେ । ଏଠାରେ ଲେଖକଙ୍କ ବାକ୍‌ବୈଦଗ୍ଧ ବାସ୍ତବିକ ପ୍ରଶଂସନୀୟ । ସେହିପରି ଉତ୍ତୀର୍ଣ୍ଣ ଯୌବନା ସରଦେଈର ରୂପଲାବଣ୍ୟ ବର୍ଣ୍ଣନା ଛଳରେ ଏକ ସୁନ୍ଦର ରୂପକଳ୍ପର ଅବତାରଣା କରିଛନ୍ତି- ‘ନିଦାଘ ନିଶି ଶେଷରେ ଦଳିତ ମଲ୍ଲୀମାଳାର ବେଦନାତୁର ମୁମୂର୍ଷୁ ସୌରଭ ପରି ସରଦେଈର ଝାଉଁଳା ଦେହଶିରୀ’ ବା ସେହିପରି ‘ଝଡ଼ ବିକ୍ଷୁବ୍‌ଧ ସନ୍ଧ୍ୟାରେ ସେ ଯେପରି ପ୍ରଥମଥର ପାଇଁ ସେଦିନ ଦେଖୁଥିଲା ଏକ ନାରୀ-ଟିଏ ଜନନୀ, ଭଗିନୀ, ପ୍ରେମିକା ସବୁ ମିଶି ଏକାକାର- ଅନିର୍ବଚନୀୟା’ । ସରଦେଈକୁ ଏପରି ମହନୀୟା, ବନ୍ଦନୀୟା କରି ଗଢ଼ି ତୋଳିବା ଅବସରରେ ଲେଖକ ନାରୀର ଐଶ୍ଵର୍ଯ୍ୟମୟୀ, ଶ୍ରୀମୟୀ ସତ୍ତାଟିକୁ ଆବିଷ୍କାର କରିଛନ୍ତି । କେବଳ ସେତିକି ନୁହେଁ, ଶତ ବିପର୍ଯ୍ୟୟ ସତ୍ତ୍ୱେ ଓଡ଼ିଶାର ଦୁର୍ଜୟ ପ୍ରାଣଶକ୍ତି ଓ ପ୍ରଚଣ୍ଡ ସ୍ଵାଭିମାନର ପ୍ରତୀକ ଭାବେ ସେ ସରଦେଈକୁ ରୂପାଲେଖ୍ୟ ଦେଇଛନ୍ତି । ରାମଚନ୍ଦ୍ରଦେବଙ୍କ ପ୍ରତି ସରଦେଈର ଅନୁରାଗ ଭୀରୁ କୁଣ୍ଠିତ ଗ୍ରାମ୍ୟ ଲଳନା ପରି ସଂଯତ, ସୁନ୍ଦର, ମଧୁର ଓ ଦିବ୍ୟ ।

 

ସମଗ୍ର କାଳଶୈଳର ଛାୟାକଳ୍ପକୁ ଆଚ୍ଛନ୍ନ କରି ରଖିଛି ସରଦେଈ ପରି ଏକ କାଳ୍ପନିକ ଚରିତ୍ର । ଅଥଚ ସ୍ରଷ୍ଟାମାନସର ସୂକ୍ଷ୍ମାତିସୂକ୍ଷ୍ମ ଅବବୋଧ ଓ ଦର୍ଶନକୁ ପ୍ରତିବିମ୍ୱିତ କରୁଛି ତାର ବ୍ୟକ୍ତିସତ୍ତାରେ । ବ୍ୟକ୍ତିସତ୍ତାର ସେହି ଅମଳିନ ସୌକୁମାର୍ଯ୍ୟ- ଶୁଭ୍ର, ସୁନ୍ଦର, ମୁକ୍ତ ଓ ଅନନ୍ୟ ସାଧାରଣ । ବଞ୍ଚିବା ପାଇଁ ପ୍ରଗାଢ଼ ଜୀବନ-ତୃଷ୍ଣା ମୁକଳ ବାଦ ବିସମ୍ୱାଦର ବହୁ ଊର୍ଦ୍ଧ୍ୱରେ ଓ ତାହାହିଁ ଏକମାତ୍ର ସତ୍ୟ । ଏଇ ଏକମାତ୍ର ସତ୍ୟର ଅନ୍ତରାଳରେ କିନ୍ତୁ ରହିଛି ଭଲପାଇବାର ମଧୁର ମହକ-। ଏ ଭଲପାଇବା ଶାଶ୍ୱତ, ଚିରନ୍ତନ । ତାଙ୍କ ସୃଷ୍ଟିର ପ୍ରତ୍ୟେକଟି ଶବ୍ଦ ବ୍ରହ୍ମରେ ଉଚ୍ଚାରିତ ହୋଇଛି ଜୀବନ ପ୍ରତି ସତ୍ୟନିଷ୍ଠ ତଥା ନାନ୍ଦନିକ ଅଙ୍ଗୀକାର ।

 

ସୁରେନ୍ଦ୍ରଙ୍କ ସୃଷ୍ଟିର ସ୍ଵର କରୁଣ । ନୀଳଶୈଳର ଏ କାରୁଣ୍ୟର ଝଙ୍କାର ପାଠକ ମର୍ମସ୍ଥଳକୁ ବ୍ୟଥାରେ ବିଦୀର୍ଣ୍ଣ କରିଦିଏ । ଇତିହାସ ପୁରୁଷ ରାମଚନ୍ଦ୍ର ଦେବଙ୍କ ପ୍ରତି ଗଭୀର ଶ୍ରଦ୍ଧାରେ ପ୍ରାଣ ଆଚ୍ଛନ୍ନ ହୋଇଯାଏ । ଶତାବ୍ଦୀର ଗହ୍ୱରରୁ ଏହି ମହାନ ଚରିତ୍ରଟିକୁ ତୋଳି ଆଣି ସେହି ରିକ୍ତ, ନିଃସଙ୍ଗ, ଲାଞ୍ଛିତ ଜୀବନର ଗାରିମାକୁ ଆବିଷ୍କାର କରି ଅମୂର୍ତ୍ତକୁ ମୂର୍ତ୍ତିମାନ କରିବାରେ ସୁରେନ୍ଦ୍ରଙ୍କ ସୃଜନସ୍ୱପ୍ନର ବିଭୂତି ବିଚ୍ଛୁରିତ ହୋଇଛି । କରୁଣାର, ସମ୍ୱେଦନଶୀଳତାର, ଅନୁରାଗର କୋମଳ ସ୍ପର୍ଶରେ ସେ ଲେଖନୀ ସଂଜୀବିତ କରିଛି ଇତିହାସର ଅଶରୀରୀ ସତ୍ତାକୁ ।

 

ବାରବାଟୀ ଦୁର୍ଗରେ ବନ୍ଦୀ ଅସହାୟ, ବିଷଣ୍ଣ ଗଜପତି ରାମଚନ୍ଦ୍ର ଦେବ ସୁରେନ୍ଦ୍ର ମହାନ୍ତିଙ୍କ ଶବ୍ଦବ୍ରହ୍ମର ସଂଜୀବନୀ ମନ୍ତ୍ରରେ ଜୀବନ୍ୟାସ ପାଇ ପାଠକ ସମ୍ମୁଖରେ ଉଭା ହୋଇଯାନ୍ତି ଏକ ମହାନ ଚରିତ୍ର ରୂପରେ । ‘ରାମଚନ୍ଦ୍ର ଦେବ ବେଦି ପାଖକୁ ଲାଗିଆସିଥିଲେ ପରା ! ରଥ ଉପରେ ଛେରାପହଁରା ସ୍ପର୍ଶ କରିପାରିବେ କିପରି ? ତାଙ୍କର ଯବନତ୍ୱର ପ୍ରାୟଶ୍ଚିତ୍ତ ତଥାପି ତ ଶେଷ ହୋଇ ନାହିଁ । ସେବକ ଜଣକ କହିଲେ– ‘ଏବେ ପନ୍ତିଭୋଗ ଲାଗିବ, ଆପଣ ଟିକିଏ ଦୂରଛଡ଼ା ହୋଇଯାନ୍ତୁ ଛାମୁ ।’ ବେତ୍ରାହତ ପରି ରାମଚନ୍ଦ୍ରଦେବ ସେଠାରୁ ଘୁଞ୍ଚି ଆସିଲେ । ଅଭିମାନୀ ବାଳକ ପରି ରୁଦ୍ଧ ଉଚ୍ଛ୍ୱାସରେ ସେ ମନେ ମନେ ଅଭିଯୋଗ କରୁଥିଲେ- ହେ ସ୍ୱପ୍ନସମ୍ଭବ, ନିକଟରେ ଥିବାବେଳେ ତୁମେ ରୁହ ସୁଦୂରତମ ହୋଇ; ମାତ୍ର ଯେଉଁଦିନ ନିଜ ଇଚ୍ଛାରେ ପେରିଆସ ନିକଟକୁ ସେଦିନ ଅଂଜଳିଶୂନ୍ୟ ହୋଇଥାଏ, ଅଶ୍ରୁରେ କେବଳ ହୁଏ ତୁମର ନିରାଜନା-।’ (ନୀଳଶୈଳ ୩୪୨-୪୩)

 

ଦରଦୀ ପାଠକ ଦୁଃଖାଭିଭୂତ ହୋଇଯାଏ । ନିଜର ଦୁର୍ବଳ ରାଜଶକ୍ତି ଯୋଗୁ ରାଜ୍ୟ ହରାଇ, ଧର୍ମାନ୍ତରିତ ହୋଇ, ପତିତ ଲାଞ୍ଛିତ, ନିଗୃହୀତ ହୋଇ ନିଜ ରାଜ୍ୟବାସୀ ତଥା ଆପଣା ଲୋକଙ୍କ ପାଖରେ ଘୃଣିତ, ଉପେକ୍ଷିତ ଓ ପ୍ରତାରିତ ହୋଇଥିବା ରାମଚନ୍ଦ୍ରଦେବଙ୍କ ବ୍ୟକ୍ତିତ୍ଵର ସକଳ ଗାରିମାକୁ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି କେବଳ ଆବିଷ୍କାର କରିନାହାନ୍ତି; ଜଣେ ସୃଜନଶିଳ୍ପୀର ସକଳ ଭାବାବେଗକୁ ପୁଞ୍ଜୀଭୂତ କରି ତାଙ୍କୁ ମୃତ୍ୟୁଞ୍ଜୟୀ କରିଦେଇଯାଇଛନ୍ତି । ଏ ଅମୃତ ଆବେଦନର ବ୍ୟାପ୍ତି ଓ ପରିସର ଜଣେ କାଳଜୟୀ ସ୍ରଷ୍ଟାର ସାଧନାର ଯଜ୍ଞବେଦୀ । ଯହିଁରୁ ଚରୁଅନ୍ନ ପରି ଜନ୍ମ ନେଇଛି ଏ ସୃଜନଶୀଳତାର ଆତ୍ମତତ୍ୱ । ସ୍ୱତଃ ପାଠକର ହୃଦୟ ସିଂହାସନରେ ଅଭିଷିକ୍ତ ହୋଇଯାନ୍ତି ରାଜ୍ୟ ପରିତ୍ୟକ୍ତ ଗଜପତି ରାମଚନ୍ଦ୍ରଦେବ । ପାଠକ ହୃଦୟର ଅକଳନ୍ତି ଶ୍ରଦ୍ଧାଜଳରେ ତାଙ୍କର ଅଭିଷେକ ହୁଏ । ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଏ ଜାତିର ପ୍ରଗାଢ଼ ଭକ୍ତି, ସମ୍ମୋହ ଓ ଆପଣାର ପଣ ଆପେ ଆପେ ସମର୍ପିତ ହୋଇଯାଏ ରାମଚନ୍ଦ୍ରଦେବଙ୍କ ରିକ୍ତ, ଶୂନ୍ୟ ହୃଦୟ ନିକଟରେ । ଏପରି ପ୍ରାପ୍ତି ଓ ଐଶ୍ଵର୍ଯ୍ୟର ଅଧିକାରୀ ବା କେତେଜଣ ହୋଇପାରନ୍ତି ଇତିହାସର ସମାଧି ତଳୁ ଆତ୍ମପ୍ରକାଶ କରି ।

 

ନୀଳଶୈଳର ଛତ୍ରେ ଛତ୍ରେ କାବ୍ୟିକ ସୁଷମା । ଅନୁପମ ଦୃଶ୍ୟପଟର ଉନ୍ମୋଚନ । ଚରିତ୍ର ଓ କାହାଣୀ କେବଳ ସୃଷ୍ଟିର ଆଭିମୁଖ୍ୟ ନୁହନ୍ତି; ସେମାନଙ୍କଠାରେ ପ୍ରାଣ ସଞ୍ଚାରିଣୀ ଶକ୍ତିର ଉଦ୍‌ବୋଧନ ହିଁ ସୃଷ୍ଟିର ଗୌରବ ।

 

କଥା ସାହିତ୍ୟ ହେଲେହେଁ ସୁରେନ୍ଦ୍ରଙ୍କ ଶୈଳୀ ଅଧିକ ମନ୍ମୟ, କାବ୍ୟିକ ସାବଲୀଳ ଓ ବ୍ୟଞ୍ଜନାଧର୍ମୀ । ବିଷୟବିନ୍ୟାସ ଓ ଭାବ ଆବେନରେ ଅଧିକ ମନନଶୀଳ, ଅଧିକ ଅନ୍ତର୍ମୁଖୀ । ମଣିଷର ଜୈବିକ ସତ୍ତା, ଜାର ପ୍ରବୃତ୍ତିଗତ ଅନୁଭବ ମଧ୍ୟ ଦେଇ ସୂକ୍ଷ୍ମତର ଜୀବନବୋଧ ବା ଶାଶ୍ୱତ ଜିଜ୍ଞାସା ପ୍ରତି ଗଭୀର ଆନ୍ତରିକତାପୂର୍ଣ୍ଣ, ସତ୍ୟନିଷ୍ଠ– ଏହା କରିବା ନିଷ୍ପ୍ରୟୋଜନ, ମଣିଷର ବାସ୍ତବବାଦୀ ମୌଳିକ ଜୀବନବୃତ୍ତି ସହିତ ଏହି ଆକାଶଚାରୀ ଉନ୍ମୁଖତାର ସଂଯୋଗ ଉପନ୍ୟାସଟିକୁ ଭାବଦୀପ୍ତ ଓ ବୌଦ୍ଧିକ କରିଛି । ମାଟିର ଅନ୍ତରଙ୍ଗ ସ୍ପର୍ଶ ସହିତ ଶୂନ୍ୟସଂଚାରୀ ଉତ୍ତରଣ ପ୍ରୟାସ ବିଚିତ୍ର ବିରୋଧାଭାସ ଭିତରେ ଜୀବନର ସଂହତ, ସୁନ୍ଦର ଓ ମହତ୍ତମ ରୂପକୁ ଉଦ୍‌ଘାଟିତ କରିଥାଏ । ସୁରେନ୍ଦ୍ରଙ୍କ ସୃଷ୍ଟି ସମ୍ଭାର- ଜୀବନବୋଧର ଐକ୍ୟତାନ ।

 

ନୀଳଶୈଳର ଅନ୍ୟ ଦୁଇଟି ନାରୀ ଚରିତ୍ର ରିଜିୟା ବେଗମ ଓ ପାଟମହାଦେଈ ଲଳିତା ଦେଈ ସୁରେନ୍ଦ୍ର ମହାନ୍ତିଙ୍କ ଚରିତ୍ରର ଚିତ୍ରଶାଳାରେ ଦୁଇଟି ଗୌଣ ଚରିତ୍ର । ସେପରି ଉଲ୍ଲେଖନୀୟ ଚରିତ୍ର ନ ହେଲେ ହେଁ ସରଦେଈ ଚରିତ୍ର, କ୍ରିୟାଶୀଳ ଓ ସ୍ଵୟଂସମ୍ପୂର୍ଣ୍ଣ କରିବା ଦିଗରେ ପ୍ରଭାବିତ କରିଛନ୍ତି ସୃଷ୍ଟି ପ୍ରକ୍ରିୟାକୁ । ରିଜିୟା ବେଗମର ଅବଚେତନ ମନର ଅତଳତଳକୁ ପ୍ରବେଶ କରିଛନ୍ତି ଲେଖକ । ନାରୀ ମନର ରହସ୍ୟ, ନିଜସ୍ଵ ଐକ୍ୟର ସ୍ୱରୂପ ଉନ୍ମୋଚିତ ହୋଇଛି । ସମାଲୋଚିକା ଡକ୍ଟର ରେଖା ମହାନ୍ତି କୁହନ୍ତି- ‘ନୀଳଶୈଳର ରିଜିୟା ଶାନ୍ତ, ସଂଯତ, ମଧୁର କିନ୍ତୁ ନିଷ୍ପ୍ରାଣ ଓ ନିର୍ଜୀବ ପରି ମନେହୁଏ । ସରଦେଈ ପରି ଦୁଇଟି ଆଖିର ଅତଳତାର ରହସ୍ୟ ଓ ଗଭୀର ଉତ୍ତାପରେ ଉପନ୍ୟାସକୁ ଉତ୍ତପ୍ତ କରିବାର କ୍ଷମତା ନାହିଁ - ନିର୍ବାକ, ମାତ୍ର ନୀରବତାର ନିର୍ମୋକ ତଳେ ନିଃସଙ୍ଗ ବିଷଣ୍ଣତାର ଯେଉଁ ବ୍ୟଥାହତ ମୂର୍ତ୍ତି ଔପନ୍ୟାସିକ ଗଢ଼ିଛନ୍ତି, ତାହା ସହଜରେ ଲିଭିବାର ନୁହେଁ ।’ (ଓଡ଼ିଆ ଐତିହାସିକ ଉପନ୍ୟାସ, ଡକ୍ଟର ରେଖା ମହାନ୍ତି)

 

ସୁରେନ୍ଦ୍ର ମହାନ୍ତିଙ୍କ ଚରିତ୍ର-ସମାବେଶରେ ଜଗୁନି ଏକ ବୈଚିତ୍ର୍ୟ । ଜୀବନ ବୈଶାଖୀର ପ୍ରବଳ ଘୂର୍ଣ୍ଣିରେ ଶୁଖିଲା ପତ୍ରଟିଏ ପରି ଉଡ଼ିଆସି ଥିଲା ଜଗୁନି । ହାଣ୍ଡିଭଙ୍ଗା ବରଗଛ ମୂଳେ ସରଦେଈ ଚଟିଘର । ସରଦେଈ ଓ ଜଗୁନି ଲେଖକଙ୍କ ଭାଷାରେ– ଫୁଲ ଆଉ କଣ୍ଟା । କିନ୍ତୁ କଣ୍ଟାରେ ଆଙ୍ଗୁଠି ଫୁଟାଇ ମଧ୍ୟ ସେ ଫୁଲ ତୋଳି ହୁଏ ନାହିଁ ।

 

ସରଦେଈର ଉଜୁଡ଼ା ସଂସାରରେ ଏକମାତ୍ର ବନ୍ଧନ ରୁଗ୍‌ଣ ଶାଶୁବୁଢ଼ୀଙ୍କ ଦେହାନ୍ତ ପରେ ଜୀବନର ରାହା ଖୋଜି ଖୋଜି ସେ ଆକସ୍ମିକ ଭାବରେ ପହଞ୍ଚିଯାଇଥିଲା ଜଗୁନିର ଚଟିଘର ବାରଣ୍ଡାରେ । ପ୍ରଥମ ଦେଖାରୁ ଏକ ଅନାସ୍ୱାଦିତ ମମତାର ପୁଲକରେ ପୁଲକି ଉଠିଥିଲା ଜଗୁନି –ସଂସାରଛଡ଼ା ଜଗୁନି- ବିସ୍ମୃତିର ଅଥଳ ବିସ୍ତାରରେ ନାମହୀନ ଦ୍ୱୀପଟିଏ ପରି ଏକାନ୍ତ ଏକାକୀ, ନିଃସଙ୍ଗ ଜଗୁନି । ଏକ ରହସ୍ୟମୟ ଆକର୍ଷଣରେ ହାତରେ ମାହାର୍ଦ୍ଦ ଦେଇ ସରଦେଈକୁ ଆପଣାର ବଡ଼ଭଉଣୀ କରିଥିଲା । ସେଇଦିନଠୁ ସରଦେଈ ସହିତ ଜଗୁନି ବାନ୍ଧି ହୋଇଯାଇଥିଲା ଏକ ଦିବ୍ୟ ଆତ୍ମିକ ବନ୍ଧନରେ । ସେଇ ଜଗୁନି ପରିବର୍ତ୍ତିତ ଦୃଶ୍ୟପଟରେ ଶ୍ରୀଜଗନ୍ନାଥଙ୍କୁ ଚିଲିକା ଗର୍ଭରେ ପାତାଳି ହେବାରେ ରାମଚନ୍ଦ୍ର ଦେବଙ୍କର ପ୍ରଧାନ ସହାୟକ ଭାବରେ ଗୋଟେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା । ଜଗୁନିର ସାଧାରଣ ତୁଚ୍ଛ ଜୀବନରେ କେଉଁ ଭାଗ୍ୟବଳରୁ ଏପରି ଏକ ଦୁର୍ଲଭ ସୌଭାଗ୍ୟର ଅଧିକାରୀ ହୋଇଥିଲା ତାର ରହସ୍ୟ କିଏ ଜାଣେ !

 

‘ସୁନାରେ ଭରତି ଏ ମୋର ନାବ

ରୂପା ରଖିବାକୁ ନାଇଁ ତ ଠାବ... ରେ ବନ୍ଧୁରେ...

 

‘ଜଗୁନିର ଗୀତ, କଳନାଦିନୀ ଚିଲିକାର ଉର୍ମିରୋଳ, ପକ୍ଷୀମାନଙ୍କର କଳରବ ଓ ପବନର ହାହାକାର ମଧ୍ୟରେ ଝିମେଇ ପଡ଼ିଲା । ରାମଚନ୍ଦ୍ରଦେବ ଚକିତ ଦୃଷ୍ଟିରେ ଜଗୁନି ଆଡ଼େ ଫେରିଚାହିଁଲେ । ସୁନାର ନାବ ଭର୍ତ୍ତି, ସେଥିରେ ରୂପା ରଖିବାକୁ ଆଉ ଠାବ ନାହିଁ । ସେଥିପାଇଁ ସୌଦାଗରର ଆତ୍ମଖେଦ । ଗୀତ ପଦକର ମର୍ମ ସେ ବୁଝିପାରିଲେ ନାହିଁ । ତାର ପ୍ରହେଳିକାମୟ ଅର୍ଥ ତାଙ୍କ ଭାବନାକୁ କେତେକ୍ଷଣ ଆନ୍ଦୋଳିତ କରି ପୁଣି ଉଭାଇଗଲା ।’ (ନୀଳଶୈଳ ପୃ ୨୭୬)

 

ଶ୍ରୀଜଗନ୍ନାଥ ଓ ତାଙ୍କ ଚଳନ୍ତି ବିଗ୍ରହ ଗଜପତି ରାଜା ରାମଚନ୍ଦ୍ରଦେବଙ୍କୁ (ହୁଅନ୍ତୁ ପଛେ ସେ ପତିତ, ଯବନ) ନିଜ ଛୋଟ ଡଙ୍ଗାରେ ବାହିନେବାର ଗୌରବ, ସେ ଦୁହିଁଙ୍କର ସୁରକ୍ଷା ପାଇଁ ଜଗୁନିର ବ୍ୟାକୁଳତା - ଏଇ ଚରିତ୍ରଟିକୁ ମହନୀୟ କରିଦେଇଛି । ସବୁ ତୁଚ୍ଛତା, ଅକିଞ୍ଚନତା ଭିତରେ ବି ତା ଜୀବନର ଚରମ ସାର୍ଥକତା ଫୁଟିଉଠିଛି । ରୋମାଞ୍ଚ ଭରିଯାଇଛି ।

 

‘ନୀଳାଦ୍ରି ବିଜୟ' ନୀଳଶୈଳର ଉତ୍ତରାର୍ଦ୍ଧ ହେଲେ ହେଁ ଏହାର ସ୍ୱାତନ୍ତ୍ର୍ୟ ରହିଛି । ଯଦିଓ ଲେଖକ ନିଜେ ଭୂମିକାରେ ସ୍ୱୀକାରେ କରିଛନ୍ତି- ‘ନୀଳଶୈଳର ଉତ୍ତରାର୍ଦ୍ଧ ଲେଖିବା କେବେ ମୋର କଳ୍ପନାରେ ନଥିଲା । ପୁଣି ନୀଳଶୈଳରେ ସରଦେଈର ମୃତ୍ୟୁ ପରେ ଏହି ବିଷୟବସ୍ତୁ ନେଇ ଆଉ କିଛି ଲେଖିବା ପାଇଁ ମୋର ପ୍ରବୃତ୍ତି ନଥିଲା । ସରଦେଈ ମୋର ମାନସକନ୍ୟା । ତାହାର ସୃଷ୍ଟି ଓ ରୂପାୟନରେ ମୋର ସବୁ ଆବେଗିକ ସମ୍ପଦ ଶୂନ୍ୟ ହୋଇଯାଇଥିଲା ।’ କିନ୍ତୁ ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ ଲେଖକଙ୍କୁ ଦିନେ କହିଥିଲେ- ‘ଜଗନ୍ନାଥଙ୍କୁ ଚିଲିକା ଗର୍ଭରେ ପକାଇ ଆସିବ ନାଁ କ’ଣ ?’

 

ଏଥିରେ ହିଁ ନୀଳାଦ୍ରିବିଜୟ ରଚନାର ପ୍ରେରଣା ଓ ପରିକଳ୍ପନା । ଏହାକୁ ଗୋଟେ ସ୍ଵତନ୍ତ୍ର ଉପନ୍ୟାସ ଭାବେ ପାଠ କରାଯାଇପାରେ ବୋଲି ନିଜେ ଲେଖକ ଉଲ୍ଲେଖ କରିଥିଲେ ହେଁ ନୀଳଶୈଳର କ୍ଲାସିକ୍ ବ୍ୟାପ୍ତି, ରସାଳ ଓ ପ୍ରାଣବନ୍ତ ଅଭିବ୍ୟକ୍ତି, କାରୁଣ୍ୟର ଅନ୍ତରାଳରେ ଆନନ୍ଦର ଉଦ୍‌ବୋଧନ ‘ନୀଳାଦ୍ରି ବିଜୟ’ରେ ଦୁର୍ଲ୍ଲଭ । ନୀଳଶୈଳ ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ । ନୀଳାଦ୍ରି ବିଜୟରେ ଶ୍ରୀଜଗନ୍ନାଥ ଚିଲିକା ଗର୍ଭରୁ ଆସି ନୀଳାଚଳ ଧାମରେ ପୁନଃ ପ୍ରତିଷ୍ଠିତ ହୋଇଥିଲେ ।

 

କିନ୍ତୁ ନୀଳାଦ୍ରି ବିଜୟରେ ଲେଖକ ରିଜିୟାଙ୍କୁ ହିଁ ନାୟିକା ଭାବରେ ତା’ର ଅନବଦ୍ୟ ଚରିତ୍ରର ମହାତ୍ମ୍ୟ ପ୍ରତିପାଦନ କରିଛନ୍ତି । ଅପର ପକ୍ଷରେ ପ୍ରତିଶୋଧ, ପ୍ରତିହିଂସା ପରାୟଣା ଲଳିତା ମହାଦେଈଙ୍କ ଚରିତ୍ରର ଦୁର୍ବଳଦିଗ ଅଧିକ ବ୍ୟଞ୍ଜନାତ୍ମକ ଭାବରେ ଚିତ୍ରିତ ହୋଇଛି । ଉପାନ୍ତରେ ରିଜିୟା ରାମଚନ୍ଦ୍ରଦେବଙ୍କ ସଂଘର୍ଷ ଓ ସଂଗ୍ରାମର ପରିଣାମ ସ୍ୱରୂପ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଅଧିଷ୍ଠିତ ହୋଇଥିଲେ ହେଁ ରିଜିୟାଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ନିଷେଧାଜ୍ଞା ଉପନ୍ୟାସଟିକୁ କରୁଣ ରସାଶ୍ରିତ କରିଛି । ଧର୍ମାନ୍ଧତା ପ୍ରତି ଘୋର ବିଦ୍ୱେଷ ସୃଷ୍ଟି ହୋଇଛି ରାମଚନ୍ଦ୍ରଦେବଙ୍କ ମନରେ । ଏଠାରେ ଲେଖକଙ୍କର ଶାଣିତ ବ୍ୟଙ୍ଗ ଓ ବିଦ୍ରୂପ ପ୍ରକାଶ ପାଇଛି- ‘ମନରେ ତାଙ୍କର ଗୋଟାଏ ଅବଶୋଷ । ପ୍ରାଣରେ ଗୋଟାଏ ଆଘାତ । ଧର୍ମ ହେଲା ଧର୍ମାନ୍ଧତା । ସ୍ଵାଧୀନତା ହେଲା କେତେକ ଧର୍ମଧ୍ୱଜୀଙ୍କ ବିଚାରହୀନ ପ୍ରମତ୍ତତା । ମୈତ୍ରୀ ହେଲା ମାନବଦ୍ରୋହ । ତାଙ୍କର ସବୁ ସଫଳତା ମୁଠାଏ ବାଲି ପରି ତଳେ ଝରିପଡ଼ିଲା । ମୈତ୍ରୀ ଦେବ ଜଗନ୍ନାଥଙ୍କ ସିଂହଦ୍ଵାର ରୁଦ୍ଧ ହେଲା, ଯିଏ ତାଙ୍କର ମାନ ରକ୍ଷା ପାଇଁ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହୋଇଥିଲା ତାରି ପାଇଁ ! ଇଏ ତ ସନାତନ ଧର୍ମ ନୁହେଁ ! ଇଏ ଧର୍ମାନ୍ଧତା ! ଇଏ ତ ମୈତ୍ରୀପୀଠ ନୁହେଁ; ଗୋଟାଏ ନିବୁଜ ଗୋଷ୍ଠୀର ବିଚରଣ ଭୂମି । ଜଗନ୍ନାଥ ଏ ବିଡ଼ମ୍ୱନାର ମଧ୍ୟ ମୂକସାକ୍ଷୀ ! ଜଗନ୍ନାଥ ସଂସ୍କୃତି, ମୈତ୍ରୀ, ପ୍ରୀତି... ଏସବୁ କେବଳ ମୁଖରୋଚକ ପହଳି । ତାର ଆଚରଣ କାହିଁ ଜନଜୀବନରେ ? ଝଡ଼ ପରି ରାମଚନ୍ଦ୍ରଦେବ ଗୁମାଟ ଭିତରୁ ବାହାରି ଆସିଲେ ।’ (ନୀଳାଦ୍ରିବିଜୟ- ୨୫୫)

 

ମନେହୁଏ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ଏ କଟାକ୍ଷ ପ୍ରଚଳିତ ଧାର୍ମିକ ବ୍ୟବସ୍ଥା ପ୍ରତି ଉଦ୍ଦିଷ୍ଟ । ଏଥିରୁ ତାଙ୍କର ମାନବବାଦୀ ସାର୍ବଜନୀନ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ । ଧର୍ମର ସମସ୍ତ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଯାଇ ବିଶ୍ଵତୋମୁଖୀ ମାନବବାଦ ଉପରେ ସେ ଆସ୍ଥା ପୋଷଣ କରିଛନ୍ତି । ଦେବତ୍ୱର ଅଧିଷ୍ଠାନ ପାଇଁ ମନୁଷ୍ୟର ଯେଉଁ ଯୁଗ ଯୁଗାନ୍ତରର ସାଧନା ତାହା ଧର୍ମର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ ନୁହେଁ । ବରଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ମହତ୍ତର ମାନବ ଧର୍ମର ଜୟଗାନ ହିଁ କରିଛନ୍ତି । କହିବାକୁ ଗଲେ ଓଡ଼ିଆର ଆତ୍ମାରୁ ଆତ୍ମାକୁ ସଞ୍ଚାରିତ ହେଉଥିବା ଏକ ମୁକ୍ତ, ବନ୍ଧନହୀନ, ସ୍ଵାଧୀନ ଜୀବନ ପାଇଁ ଏକ ନିଷ୍କପଟ ଓ ନିର୍ଭୀକ ଉଚ୍ଚାରଣ- ନୀଳଶୈଳ ଓ ନୀଳଦ୍ରିବିଜୟ ।

 

ଜୀବନ ଅନୁରକ୍ତ, ଜୀବନ ସମୃଦ୍ଧ, ନିଃସର୍ତ୍ତ ଭାବରେ ଜୀବନକୁ ଭଲପାଉଥିବା ମଣିଷ, ସୃଜନ ଅନୁରାଗୀ- ସୁରେନ୍ଦ୍ର ମହାନ୍ତି ଆବିଷ୍କାର କରିଛନ୍ତି ସେହିଭଳି ଏକ ପ୍ରଚଣ୍ଡ ସ୍ଵାଭିମାନୀ, ଜୀବନର ସକଳ ଐଶ୍ଵର୍ଯ୍ୟର ପ୍ରତିଭୂ ପୁରୁଷ ମଧୁବାବୁଙ୍କୁ । ତାଙ୍କରି ପରି ଖିଆଲୀ, ଭାବପ୍ରବଣ, ବୋହି ନିଃଶେଷ ହୋଇଯିବା ପରି ଦରଦୀ ମଣିଷଟିଏ; ସ୍ଵପ୍ନବିଳାସୀ ମଣିଷଟିଏ- ମଧୁବାବୁ । ଯିଏ ସମୃଦ୍ଧ ଓ ଶ୍ରୀସମ୍ପନ୍ନ ଓଡ଼ିଶା ଗଠନ ସ୍ୱପ୍ନରେ ବିଭୋର ହୋଇ ଉଠିଥିଲେ । ସକଳ ପ୍ରାପ୍ତି ଓ ପ୍ରାଚୁର୍ଯ୍ୟକୁ ମୁଠାଏ ପୂଜାଫୁଲ ପରି ଆଞ୍ଜୁଳା ଭରି ସମର୍ପି ଦେଇଥିଲେ ମାଟି ମା’ର ପଦଯୁଗଳରେ । ସେଇ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ମଧୁବାବୁଙ୍କ ପ୍ରତି ସୁରେନ୍ଦ୍ର ମହାନ୍ତିଙ୍କର ଥିଲା ଅଜସ୍ର ଶ୍ରଦ୍ଧା ଓ ସମ୍ମାନ । ତାଙ୍କ ଜୀବନୀକୁ ନେଇ ସେ ସୃଷ୍ଟି କରିଗଲେ ଦୁଇ ଦୁଇଟି କ୍ଲାସିକ୍ ସୃଷ୍ଟି- ଶତାବ୍ଦୀର ସୂର୍ଯ୍ୟ, କୁଳବୃଦ୍ଧ । ଯଥାର୍ଥରେ ଊନବିଂଶ-ବିଂଶ ଶତାବ୍ଦୀର ଓଡ଼ିଶା ଇତିହାସର ସେ ଥିଲେ ମହାନାୟକ । ଖଣ୍ଡ ବିଖଣ୍ଡିତ ଉତ୍କଳ ଜନନୀଙ୍କୁ ସ୍ୱୟଂସମ୍ପୂର୍ଣ୍ଣ ରୂପରେ ଦେଖିବା ପାଇଁ ଯିଏ ଆତ୍ମଦାନର ଯଜ୍ଞରେ ନିଜକୁ ଆହୁତି ଦେଇଥିଲେ । ଏ ଦୁଇଟିଯାକ ଗ୍ରନ୍ଥ ଉପନ୍ୟାସ କି ଜୀବନ ଚରିତ କି ଇତିହାସ କି ଏକ ମହାକାବ୍ୟ– ତାହା ବୁଝିବା କଠିନ ହୋଇଉଠେ ପାଠକ ପାଇଁ । ଯଦିଓ ଲେଖକ ଏହାକୁ ଏକ ‘ଚରିତୋପନ୍ୟାସ’ ବୋଲି ଭୂମିକାରେ ଉଲ୍ଲେଖ କରିଛନ୍ତି, କିନ୍ତୁ ଏହା ସମକାଳୀନ ଊନବିଂଶ ଶତାବ୍ଦୀର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ତଥା ସାମଗ୍ରିକ ଜୀବନବୋଧର ଏକ ପ୍ରାମାଣିକ ଗ୍ରନ୍ଥ । ଯେଉଁଥିରୁ ତତ୍‌କାଳୀନ ଓଡ଼ିଶାର ଫଟୋଗ୍ରାଫିକ ଚିତ୍ର ଦେଖିବାକୁ ମିଳିଥାଏ ।

 

୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିବାଠାରୁ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ସଭାମଞ୍ଚରୁ ଓଡ଼ିଆ ଜାତୀୟତାର ନବଜନ୍ମ ପର୍ଯ୍ୟନ୍ତ – ଏହି ଦୀର୍ଘ ଗୋଟିଏ ଶତାବ୍ଦୀର ଇତିହାସ । ଭାଗ୍ୟ ବିପର୍ଯ୍ୟୟର କାହାଣୀ ସହିତ ଜନଜୀବନରେ ନୂତନ ରେନେସାଁ ବା ଜାଗରଣ ପାଇଁ ଅବିରତ ସାଧନାର ଇତିବୃତ୍ତ, ମୁଖ୍ୟତଃ ଜଣକର ଚରିତ୍ରକୁ କେନ୍ଦ୍ର କରି ଏହି ଚରିତୋପନ୍ୟାସ ଲେଖିବାର ସୃଷ୍ଟି ପରିକଳ୍ପନା ବାସ୍ତବିକ ଅଭିନନ୍ଦନୀୟ । ବସ୍ତୁତଃ ମଧୁସୂଦନ ହିଁ ଥିଲେ ଏହି ଜାତୀୟ-ଜାଗରଣର ମୁଖ୍ୟ ମାନ୍ତ୍ରିକ ପୁରୁଷ, ପ୍ରଧାନ ସୂତ୍ରଧର । ଲେଖକଙ୍କ ବିଚାରରେ ଯଥାର୍ଥରେ ମଧୁସୂଦନ ହିଁ ଥିଲେ ତିମିରାଚ୍ଛନ୍ନ ଓଡ଼ିଶାର ଭାଗ୍ୟାକାଶରେ ନୂତନ ସୂର୍ଯ୍ୟୋଦୟର ସମ୍ଭାବନା । ଆଲୋକର ପ୍ରତୀକ । ଏହି ଦୁଇଟି ଗ୍ରନ୍ଥ ରଚନା କରି ସେ କେବଳ ଓଡ଼ିଆ ସାରସ୍ୱତ ଦିଗନ୍ତକୁ ପ୍ରଭାମୟ କରିନାହାନ୍ତି ବରଂ ଉତ୍ତରପୁରୁଷ ପାଇଁ ଆତ୍ମ-ଉଦ୍‌ବୋଧନର ମନ୍ତ୍ରପାଠ ଶୁଣାଇଛନ୍ତି । ଐତିହାସିକ ତଥ୍ୟକୁ ଭିତ୍ତି କରି କଳାତ୍ମକ-ଉଚ୍ଚକୋଟୀର ସାରସ୍ୱତ ସୃଷ୍ଟିଟିଏ କେବଳ ସେ ଏ ଜାତିକୁ ଦେଇଯାଇ ନାହାନ୍ତି; ଓଡ଼ିଆ ଜାତି ନିଜସ୍ୱ ଆତ୍ମପରିଚୟ ଖୋଜିବାର ,କ ଅବକାଶ ସୃଷ୍ଟି କରିଛନ୍ତି । ଏହରା କଳାମୂଲ୍ୟ ଯେପରି କାଳଜୟୀ, ତାହାର ସାମାଜିକ ଅଙ୍ଗୀକାର ମଧ୍ୟ ସେପରି ମହତ୍ତ୍ୱପୂର୍ଣ୍ଣ ।

 

ଲେଖକଙ୍କର ଭାଷାରେ - ‘କିନ୍ତୁ ‘ଶତାବ୍ଦୀର ସୂର୍ଯ୍ୟ’ରେ ଊନବିଂଶ ଶତାବ୍ଦୀର ପୃଷ୍ଠଭୂମିରେ ମଧୁସୂଦନଙ୍କର ଗୋଟିଏ ମର୍ମର ପ୍ରତିମୂର୍ତ୍ତି ନିର୍ମାଣ କରିବାର ଉଦ୍ୟମ ମୁଁ କରିନାହିଁ । ରକ୍ତମାଂସ ଦେହଧାରୀ ଗୋଟିଏ ମନୁଷ୍ୟର ଆଲେଖ୍ୟ ମୁଁ ଏଥିରେ ଅଙ୍କନ କରିବା ପାଇଁ ଚେଷ୍ଟା କରିଛି ଓ ସେଥି ସଙ୍ଗେ ଊନବିଂଶ ଶତାବ୍ଦୀ ଓଡ଼ିଶାର ସମାଜ ଓ ରାଜନୀତିର ରୂପାୟନ । ବସ୍ତୁତଃ ଜୀବନଚରିତ ସାଲ ସନ ତାରିଖର ଫର୍ମା ଭିତରେ ବନ୍ଧା କେତେକ ଶୁଷ୍କ ନିଷ୍ପ୍ରାଣ ତଥ୍ୟର ସମାହାର ନୁହେଁ । ପ୍ରତ୍ୟେକ ଘଟଣାର ନେପଥ୍ୟରେ ରହିଥାଏ ଜୀବନର ଗଭୀର ସ୍ପନ୍ଦନ । ସେହି ଦୃଷ୍ଟିରୁ ପ୍ରତ୍ୟେକ ମନୁଷ୍ୟର ଜୀବନ ଗୋଟିଏ ଗୋଟିଏ ନାଟକ; ମଧୁସୂଦନଙ୍କ ଜୀବନୀ ପୁଣି ଆହୁରି ନାଟକୀୟ ।’

(ଶତାବ୍ଦୀର ସୂର୍ଯ୍ୟ, ପ୍ରଥମ ସଂସ୍କରଣର ଭୂମିକା)

 

ଏଣୁ ସୁରେନ୍ଦ୍ର ମହାନ୍ତି ଏହି ଦୁଇଟି ଗ୍ରନ୍ଥ ରଚନା କରି ବାସ୍ତବରେ ଓଡ଼ିଆ ଜାତିକୁ ଋଣୀ କରିଦେଇଯାଇଛନ୍ତି । ସମ୍ପ୍ରତି ଓଡ଼ିଶାର ବିପନ୍ନ ଅର୍ଥନୈତିକ ସ୍ଥିତି, ଆତ୍ମବିଶ୍ୱାସର ଅଭାବ, ଆତ୍ମମର୍ଯ୍ୟାଦାବୋଧର ଅବକ୍ଷୟ – ଓଡ଼ିଆ ଜାତିକୁ ଭାରତବର୍ଷର ଦରିଦ୍ରତମ ରାଜ୍ୟ ଭାବରେ ଅବମୂଲ୍ୟାୟନ ବେଳେ ମଧୁସୂଦନଙ୍କ ପ୍ରଚଣ୍ଡ ଜାତ୍ୟାଭିମାନ ଓ ଜାତିପ୍ରୀତିର ଉଦ୍‌ବୋଧନର ଆବଶ୍ୟକତା ଯେ କେତେ ବେଶୀ ତାହା ସମସ୍ତେ ସ୍ଵୀକାର କରିବେ । ମଧୁବାବୁଙ୍କ ବ୍ୟକ୍ତିତ୍ୱ, କର୍ମସାଧନା ଓ ଆନ୍ତରିକ ନିଷ୍ଠା ପ୍ରତି ସୁରେନ୍ଦ୍ର ମହାନ୍ତିଙ୍କର ଯେଉଁ ଗଭୀର ସମ୍ମାନ ଓ ପ୍ରଗାଢ଼ ଅନୁରାଗ ଥିଲା ତାର ଫଳଶ୍ରୁତି ହେଉଛି ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ । ଯୁଗ ନିର୍ମାଣର ଯୋଜନା ହିଁ ଏହାର ଇଙ୍ଗିତ ।

 

‘ମଧୁସୂଦନ ଥିଲେ ଏ ଜାତିର ଜୀର୍ଣ୍ଣ ଦେବାଳୟ । କିଏ ତାର ନିର୍ମାତା, କିଏ ତାର ଉତ୍ତରାଧିକାରୀ ଏ ବିଚାର ଗୌଣ । କିନ୍ତୁ କାଳର ଦିଗ୍‌ବଳୟ ରେଖା ଭେଦି ନିଃସଙ୍ଗ ମହିମାରେ ତାହା ଭାସ୍ୱର ।’ ସୁରେନ୍ଦ୍ର ମହାନ୍ତିଙ୍କ ଚିନ୍ତା ଓ ଚେତନାରେ, ସୃଷ୍ଟି ଓ କଳ୍ପନାରେ, ଭାବ ଓ ବକ୍ତବ୍ୟରେ ଯେଉଁ ସଂଭ୍ରାନ୍ତି ପରିଲକ୍ଷିତ ହୁଏ ତାହା ଯେପରି ଜନ୍ମସିଦ୍ଧ ପ୍ରାପ୍ତିର ପ୍ରାଚୁର୍ଯ୍ୟ ।

 

‘ନେତି ନେତି’ ଉପନ୍ୟାସରେ ମଗ୍ନଚୈତନ୍ୟର ଆବିଷ୍କର୍ତ୍ତା ସୁରେନ୍ଦ୍ର ମହାନ୍ତି ଅବଚେତନ ମନର ଅନ୍ତରାଳରେ ପ୍ରବାହିତ ହେଉଥିବା ଚେତନା ପ୍ରବାହର ଧାରାକୁ ଭଗୀରଥ ଗଙ୍ଗାକୁ ଧରାବତରଣ କରାଇବା ପରି ପାଠକ ନିକଟରେ ପହଞ୍ଚାଇ ଦେଇଛନ୍ତି । ଏହି ପ୍ରବାହର ଉଚ୍ଛଳତାରେ ପାଠକ ଦ୍ରବୀଭୂତ ହୋଇଯାଏ । ଜଣେ ବଢ଼ନ୍ତ ମଣିଷର ମନସ୍ତତ୍ତ୍ୱ ଚିରକାଳ କୁହେ- ନା ଏଇଟା କେବେ ଶେଷ ନୁହେଁ, ନା ଇଏ ବି ଶେଷ ନୁହେଁ, ଆହୁରି କିଛି, ଆହୁରି କିଛି । ଜୀବନର ସ୍ରୋତସ୍ୱତୀ ବୋହି ବୋହି ଯାଉଥାଏ ଆଗକୁ ଆଗକୁ । ଏ ପ୍ରବହମାନତା କେତେବେଳେ ସାବଲୀଳ ତ କେତେବେଳେ ପିଚ୍ଛିଳ; ଏହାର ଗତିପଥ କେବେ ବନ୍ଧୁର ତ କେବେ ମସୃଣ । କିନ୍ତୁ ଗତି ତାର ଅବାରିତ । ବୋହିଯିବା ତାର ଧର୍ମ । ଏକମାତ୍ର ସମ୍ଭାବ୍ୟ ପରିଣତି ହୁଏତ ହୋଇପାରେ ଏକ ପୂର୍ଣ୍ଣତମ ଜୀବନର ଆସ୍ୱାଦନ । ଅଥଚ ଏ ସମ୍ଭାବନା ଯେ, ଅସ୍ପଷ୍ଟ, ଧୂସର, ପ୍ରହେଳିକାମୟ– ଏ ସତ୍ୟକୁ ଉପଲବ୍ଧି କରିଛନ୍ତି ଲେଖକ । କେହି କେହି ସମାଲୋଚକ କୁହନ୍ତି ସୁରେନ୍ଦ୍ର ମହାନ୍ତି ନିଜେ ଏହାର ନାୟକ । ଅବଶ୍ୟ ପ୍ରତ୍ୟେକ ସୃଷ୍ଟିର ଅନ୍ତରାଳରେ ସ୍ରଷ୍ଟାର ଏକ ଅସ୍ପଷ୍ଟ ଛାୟାଟିଏ ସନ୍ତର୍ପଣରେ ବିଦ୍ୟମାନ ଥାଏ । ଏଣୁ ସୃଷ୍ଟିରେ ସ୍ରଷ୍ଟାଙ୍କୁ ଖୋଜିବା କିମ୍ବା ସତ୍ୟମିଥ୍ୟାର ବିଚାର ବିମର୍ଶ କରିବାରେ ଯଥାର୍ଥରେ ସୃଜନଶୀଳତାର ଅବମୂଲ୍ୟାୟନ ହୋଇଥାଏ । ହୁଏତଃ ସମଗ୍ର ସୃଷ୍ଟିର ପ୍ରେକ୍ଷାପଟ୍ଟରେ ସ୍ରଷ୍ଟାର ଅଶରୀରୀ ସତ୍ତାକୁ ହିଁ ପ୍ରତ୍ୟକ୍ଷା କରିପାରେ ପାଠକ ।

 

ଯାହା କିଛି ଶାଶ୍ଵତ-ସୌନ୍ଦର୍ଯ୍ୟ, ମଙ୍ଗଳମୟ-ଶିବଚେତନା, ଜୀବନର- ପରମ ସତ୍ୟ ତାହା ହିଁ ତାଙ୍କ ସୃଷ୍ଟିର ଉପଲକ୍ଷ୍ୟ ହୋଇଛି, ତାହା ସଚେତନରେ ହେଉ ବା ଅବଚେତନରେ ହେଉ । ଉନ୍ମୁକ୍ତତାର ଦ୍ୱାହି ଦେଇ ସେ ଅସୁନ୍ଦର, ଅରୁଚିକର, ଅସତ୍ୟ, ଅଶିବର ନିରାଜନା କରିନାହାନ୍ତି କେଉଁଠି । ଆକାଶର ଗୋଟି ଗୋଟି ତାରା ପରି ଶବ୍ଦର ଫୁଲମାନେ ଫୁଟି ଉଠିଛନ୍ତି ନିଜସ୍ୱ ଔଜ୍ଜ୍ୱଲ୍ୟରେ । ଜୀବନର ପାଖୁଡ଼ା ପରେ ପାଖୁଡ଼ାକୁ ମୁକୁଳିତ କରିଦେଇଛନ୍ତି ସୌରଭ ବିତରିଛନ୍ତି । ଏତେ ସଂଯତ ଓ ରୁଚିର ଭାବରେ ପୁଣି ଉନ୍ମୋଚିତ ହୋଇପାରେ ଜୀବନର ଅନ୍ଧାରୀତମ ରହସ୍ୟ ! ସୁରେନ୍ଦ୍ରଙ୍କ ଭାଷା ଓ ଶିଳ୍ପ ନୈପୁଣ୍ୟ କେବଳ ଅଭିଜାତ ନୁହେଁ; ତାର ପ୍ରବାହଧର୍ମିତା, ରସମୟ ପ୍ରାଣପ୍ରାଚୁର୍ଯ୍ୟ, ସରଳ ସାବଲୀଳତା ପାଠକକୁ ନେଇ ପହଞ୍ଚାଇ ଦିଏ ଦିବ୍ୟାନନ୍ଦର ଅଳକାପୁରୀରେ-। ପ୍ରଚଣ୍ଡ ପ୍ରତିଭାଧର ସୁରେନ୍ଦ୍ର ମହାନ୍ତିଙ୍କ ନିଜସ୍ୱ ଜୀବନଚର୍ଯ୍ୟାରେ ଯେଉଁ ଶିଳ୍ପୀସୁଲଭ ଉଦ୍ଦାମତା ପରିଲକ୍ଷିତ ହୋଇଥାଏ, ତାଙ୍କ ସୃଷ୍ଟି ପ୍ରକ୍ରିୟାରେ ମଧ୍ୟ ଏଇ ରସଘନ ନିରୋଳ ନିଟୋଳପଣିଆ ନିଷ୍କପଟ ଭାବରେ ପ୍ରକଟିତ ହୋଇଥାଏ ।

 

‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ଆଜୀବନର ଅଟ୍ଟହାସ’, ‘ନେତି ନେତି’, ‘କଲେଜବୟ’, ‘ବଧୂ ଓ ପ୍ରିୟା’, ‘ସହସ୍ର ଶଯ୍ୟାର ନାୟିକା’ ପ୍ରଭୃତି ଉପନ୍ୟାସର ବିବିଧ ଭାବଭୂମି ଭିତରେ ଯେପରି ଜୀବନ ଓ ଜଗତର ସଂହତ ରୂପ ପ୍ରକଟିତ ହୋଇଛି ତାହା ବାସ୍ତବିକ ପ୍ରଶଂସନୀୟ । ସ୍ରଷ୍ଟାମାନସ ଓଡ଼ିଆ ସାହିତ୍ୟର ଆଦିପର୍ବ, ମଧ୍ୟପର୍ବ, ଓଡ଼ିଆ ସାହିତ୍ୟର କ୍ରମବିକାଶ ରଚନାରେ ତପଶ୍ଚରଣ ବରଣ କରିଛନ୍ତି ତ ଆଉ କେତେବେଳେ ବାପୁ ନାଟକ ରଚନା କରି ଚମତ୍କୃତ କରିଦେଇଛନ୍ତି ଦର୍ଶକ ଓ ପାଠକଙ୍କୁ । କଲେଜବୟ ୧୯୪୭ ମସିହା ଆଦ୍ୟ ଯୌବନର ସଂକେତ ହୋଇଥିବା ବେଳେ, କୃଷ୍ଣାବେଣୀରେ ସନ୍ଧ୍ୟା (୧୯୮୫) ଓ ଆଜୀବକର ଅଟ୍ଟହାସ (୧୯୮୭)ରେ ରଚିତ ସୃଜନ ମନୀଷା ଉତ୍ତରଣର ବହୁ ସୋପାନ ଅତିକ୍ରମି ଯାଇଛି । ଇତିହାସ ଓ କିମ୍ବଦନ୍ତୀକୁ ଆଧାର କରି ରଚିତ ହୋଇଥିବା କୃଷ୍ଣାବେଣୀରେ ସନ୍ଧ୍ୟାରେ ସମ୍ରାଟ ପ୍ରତାପରୁଦ୍ର ଦେବ, କୃଷ୍ଣଦେବ ରାୟ, ରାୟ ରାମାନନ୍ଦ ପ୍ରଭୃତି ଐତିହାସିକ ଚରିତ୍ରମାନଙ୍କୁ ସେ ବିସ୍ମୃତିଗର୍ଭରୁ ଆବିଷ୍କାର କରିଛନ୍ତି । ଓଡ଼ିଶାର ଯୁଦ୍ଧ, ତାର ବିପର୍ଯ୍ୟୟ, ରାଜନନ୍ଦିନୀଙ୍କ ପ୍ରଣୟ ଓ ମନସ୍ତତ୍ତ୍ୱ, ଶ୍ରୀଚୈତନ୍ୟଙ୍କ ଶୁଦ୍ଧାଭକ୍ତିରେ ଅନୁପ୍ରାଣିତ ରାଜନ୍ୟବର୍ଗଙ୍କର ରାଜଧର୍ମରେ ବିତୃଷ୍ଣା ପ୍ରଭୃତିକୁ ଅନବଦ୍ୟ ଶୈଳୀରେ ସେ କଳାରୂପ ପ୍ରଦାନ କରିଛନ୍ତି । ସେହିପରି ଆଜୀବନର ଅଟ୍ଟହାସରେ ବୌଦ୍ଧଧର୍ମ ବିଭାଜନ ପରେ ଆଜୀବକ ସମ୍ପ୍ରଦାୟର ସ୍ଥିତି କିପରି ବିବର୍ତ୍ତିତ ହୋଇଥିଲା ତାହା ଉପନନ୍ଦ ଓ କ୍ଷେମା ଚରିତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ବୌଦ୍ଧଧର୍ମର ଅବକ୍ଷୟ, ସମକାଳୀନ ଉତ୍କଳର ସ୍ଥିତି, ଇତିହାସ ଓ କିମ୍ୱଦନ୍ତୀର ଅପୂର୍ବ ସମନ୍ୱୟ ଏହି ଉପନ୍ୟାସଟିକୁ ସଫଳ ଓ ରସାପ୍ଳୁତ କରିଛି ।

 

‘ପଥ ଓ ପୃଥିବୀ’ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନସ୍ମୃତି । ନିଜ ଜୀବନାନୁଭୂତିର ବର୍ଣ୍ଣାଢ଼୍ୟ ଦିଗନ୍ତକୁ ଆଲୋକ ଉଦ୍ଭାସିତ ଓ ଉନ୍ମୋଚିତ କରିବା ପ୍ରୟାସରେ ଏ ସାରସତ୍ଵ ପ୍ରଚେଷ୍ଟା ବାସ୍ତବିକ ସ୍ଵାଗତ ଯୋଗ୍ୟ । କାରଣ ଏଇ ଅବସରରେ ବେସାଲିସୀ, ଅନମନୀୟ ବ୍ୟକ୍ତିତ୍ୱର ଅଧିକାରୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟକୁ ପୁଣି ଗୋଟେ ମହାର୍ଘରତ୍ନ ପ୍ରଦାନ କରିପାରିଛନ୍ତି । ସ୍ଵପ୍ନପ୍ରବଣ, ଭାବବିଳାସୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ ଆତ୍ମାର ନିଷ୍କପଟ ଅଭିବ୍ୟକ୍ତି ଏତେ ସତ୍ୟବାକ୍, ରସାଳ ଓ ପ୍ରାଣବନ୍ତ ହୋଇଛି ଯେ, ‘ପଥ ଓ ପୃଥିବୀ’ ଅତୁଳନୀୟ ପାଠକୀୟ ଶ୍ରଦ୍ଧା ହାସଲ କରିପାରିଛି ।

 

ମହନ୍ତଙ୍କ ବିଧବା ସ୍ତ୍ରୀ ଦିନେ ଆସି, ଆମ ଦାଣ୍ଡରେ ଠିଆହୋଇ, ତହସିଲଦାରଙ୍କ ଉଦ୍ଦେଶ୍ୟରେ ଅଭିସଂପାତ ବର୍ଷଣ କରି ଶୂନ୍ୟରେ ଧୂଳିଛାଟି କହିଥିଲା– ‘ହେ ଧର୍ମ, ତୁ ଥିଲେ ବୁଝିବୁ-।’ ତାପରଠାରୁ ଆମ ବଂଶରେ ହୋଇଥିଲା ପତନ ଓ କ୍ଷୟ ! ବୁଢ଼ୀ ଯେଉଁଠି ଠିଆହୋଇ ଅଭିଶାପ ଦେଇଥିଲା, ସେଠି ଏବେ ଅଛି ଲଗାଲଗି ହେଇ ଦୁଇଟା ବୁଢ଼ା ଆମ୍ୱଗଛ । ଗଛ ଦୁଇଟାକୁ ମୁଁ ପିଲାଦିନୁ ଦେଖିଆସୁଛି । ସେଥିରେ କେବେ ଗୋଟାଏ କାଉ କୋଇଲି ବସିବା, ବଉଳ ନେନ୍ଥାଏ ଧରିବା ଅଥବା ଆମ୍ୱକଷିଟିଏ ହେବା ମୁଁ ଦେଖିନାହିଁ । ଗଛ ଦୁଇଟା ସେ ବୁଢ଼ୀର ମୂର୍ତ୍ତିମନ୍ତ ଅଭିଶାପ ପରି ଯେପରି ଆଜିସୁଦ୍ଧା ଠିଆ ହୋଇଛନ୍ତି । ମୁଁ ସେଇଦିନୁ ଭୟକରେ, ଅନ୍ୟର ଅଭିଶାପକୁ । ପରସ୍ୱାପହରଣ କରି କାହାର ଦିନ ସବୁଦିନେ ଭଲ ଯାଇ ନାହିଁ । ଆମର ମଧ୍ୟ ଗଲା ନାହିଁ । ଆଜି ସୁଦ୍ଧା ଆମ ଢିଅ- ଅଭିଶପ୍ତ ଢିଅ । ମୁଁ ମଧ୍ୟ ସେ ଅଭିଶାପ ଭୋଗୁଛି । ଜଗନ୍ନାଥ, ମୋରିଠାରେ ସେ ଅଭିଶାପର ଜୋର ଶେଷ ହୋଇଯାଉ ! ଯଥେଷ୍ଟ ହେଲାଣି !...’

 

ଏପରି ପ୍ରାଣଖୋଲା ସତ୍ୟପ୍ରକାଶ କେତେଜଣ ଆତ୍ମଜୀବନୀ ଲେଖକଙ୍କଠାରେ ଦେଖିବାକୁ ମିଳେ ! ‘ପଥ ଓ ପୃଥିବୀ’ ନାମକରଣରୁ ହିଁ ତାଙ୍କ ସୃଷ୍ଟି ଆଭିମୁଖ୍ୟ ସ୍ପଷ୍ଟ ହୋଇଥାଏ । ଜୀବନର ଜୟଯାତ୍ରା ପଥରେ ଉତ୍ତାନପାଦ ମଣିଷ ସେ ଏ ଜଗତର ବନ୍ଧୁର ପଥକୁ ଅତିକ୍ରମୀ ଗଲାବେଳେ ଯାହା ଯାହା ଦୃଷ୍ଟି ପଥାରୂଢ଼ ହୋଇଛି, ଯାହା ଯାହା ଆତ୍ମାନୁଭବରେ ସିଦ୍ଧ ହୋଇଛି, ତାକୁ ସେ ବାଙ୍‌ମୟ ରୂପ ପ୍ରଦାନ କରିଛନ୍ତି ।

 

ସାମ୍ୱାଦିକ ଭାବରେ ଜୀବନ ଆରମ୍ଭ କରିଥିବା କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନଦର୍ଶନ ଥିଲା ସ୍ୱାଧୀନ ଭାବରେ ମୁକ୍ତ ଭାବରେ ଜୀବନ ଜୀଇଁବା । କାହାର ପ୍ରଭାବ, କାହାର ଚାପ, କାହାର ଆଦେଶ କିମ୍ୱା ନିର୍ଦ୍ଦେଶରେ ଏ ଶିଳ୍ପୀଟି ବଞ୍ଚିନାହିଁ । ‘ପଥ ଓ ପୃଥିବୀ’ରେ ତାହା ହିଁ ପ୍ରତିଫଳିତ ହୋଇଛି ପ୍ରତ୍ୟେକଟି ପୃଷ୍ଠାରେ । ଅର୍ଥ ପାଇଁ ପ୍ରଲୋଭନ ନାହିଁ । କ୍ଷମତା ପାଇଁ ଲିପ୍‌ସା ନାହିଁ । ସଫଳତାର ଗଛ ମରୁତୃଷ୍ଣା ପଛରେ ଧାଇଁବାର ନାହିଁ । ଅଭିଯୋଗ ନାହିଁ କି ଦୁଃଖ ନାହିଁ । ଏକ ନିର୍ଲିପ୍ତ, ଅନାସକ୍ତ, ତପସ୍ୱୀର ଜୀବନ । ଏ ତପଶ୍ଚରଣ କେବଳ ସୃଷ୍ଟି ପାଇଁ । ଦେବୀ ସରସ୍ଵତୀର କୃପାଦୃଷ୍ଟି ପାଇଁ । ଏକାଧାରରେ ସାମ୍ୱାଦିକତା, ରାଜନୀତି, ସାହିତ୍ୟ – ଜୀବନର ଅବଲମ୍ୱନ ହୋଇଥିଲେ ହେଁ ବାକ୍‌ଦେବୀଙ୍କ ଉପାସନା ହିଁ ତାଙ୍କ ଜୀବନର ମହାନ ଦୀକ୍ଷା, ନିଷ୍ଠାପର ସାଧନା ହୋଇଛି ।

 

‘ମୋର ଜୀବନ-ବୃତ୍ତ ବର୍ତ୍ତମାନ ପୂର୍ଣ୍ଣ ଆବର୍ତ୍ତିତ; ବହୁ ତିକ୍ତ, ମଧୁର ସ୍ମୃତି, ବହୁ ଅଭିଜ୍ଞତା ଭିତର ଦେଇ ! ମୁଁ ଦିନେ ଜୀବନ ଆରମ୍ଭ କରିଥିଲି ସାପ୍ତାହିକ ‘ଜନତା’ର ପୃଷ୍ଠାରେ । ଆଜି ଜୀବନ ସାୟାହ୍ନରେ ମୁଁ ଗୋଟିଏ ପ୍ରଭାତୀ ଦୈନିକର ସମ୍ପାଦକ ହୋଇପାରିଛି । ଜୀବନ ଯେଉଁ ବିନ୍ଦୁରୁ ଦିନେ ଆରମ୍ଭ କରିଥିଲି ବହୁ ଘାଟରେ ପାଣି ପିଇ ପିଇ ମୁଁ ଆଜି ସେହି ବିନ୍ଦୁରେ ପୁଣି ନୂତନ ଭାବରେ ପହଞ୍ଚିଛି । ଇଏ ମୋ ପକ୍ଷରେ ସବୁ ସାଂସାରିକ ଅସଫଳତା ମଧ୍ୟରେ ଗୋଟିଏ ବିରାଟ ସଫଳତା । କାରଣ ମୋ ଦୃଷ୍ଟିରେ ଏହା ହିଁ ଜୀବନ । ମୁଁ ଆଣ୍ଟି-ମ୍ୟାଟେରିଆଲିଷ୍ଟ ହୋଇଥିବାରୁ କୌଣସି ଦିନ କୌଣସି ସାଂସାରିକ କଥା ପାଇଁ ମୋର କେବେ ହାଇପାଇଁ ନଥିଲା ! ମୋର ସାହିତ୍ୟ, ସୃଷ୍ଟି ଓ ଉଲ୍ଲଙ୍ଗ ତରବାରି ପରି ଅବାଧ ଜୀବନ ମଧ୍ୟରେ ମୁଁ ଅନୁଭବ କରିଆସିଛି, ଅନାପେକ୍ଷିକ ପୂର୍ଣ୍ଣତା । ମୋର ଆଉ ଅନ୍ୟ କୌଣସି ପାଇଁ କାମନା ନାହିଁ ବା ବ୍ୟାକୁଳତା ନାହିଁ । ଆଂଶିକ ଭାବରେ ମୁଁ ଜୀବନ୍ମୁକ୍ତ ।’ (ପଥ ଓ ପୃଥିବୀ ପୃ ୪୧୫-୧୬)

 

ଜଣେ ଯୋଗୀ, ସାଧକ ପୁରୁଷ ହିଁ ଏପରି ପୂର୍ଣ୍ଣାଙ୍ଗ ସିଦ୍ଧିର ଅଧିକାରୀ ହୋଇପାରେ । ଏକ ଖଣ୍ଡିତ, ଭଗ୍ନାଂଶ ଜୀବନ ଜିଉଁ ଜିଉଁ ଏକ ପୂର୍ଣ୍ଣତମ, ମହତ୍ତମ ଜୀବନର ଅମୃତ ଆସ୍ୱାଦନ କରିପାରେ ।

 

ସଂଜ ନଇଁ ଆସିବା ପୂର୍ବରୁ, ବିଦାୟ ବେଳାରେ ମାଗୁଣୀ ନେବା ପୂର୍ବରୁ ସେ ତାଙ୍କର ସର୍ବଶେଷ ସୃଷ୍ଟି ‘ଶେଷସ୍ତମ୍ଭ’ ରଚନା କରିଥିଲେ । ବାସ୍ତବରେ ଏହି ଛୋଟ ଛୋଟ ଲେଖାଗୁଡ଼ିକ ସଂପାଦକୀୟ ଶିରୋନାମାରେ ପ୍ରକାଶିତ ହେଉଥିଲେ ହେଁ ତାଙ୍କ ସମଗ୍ର ଜୀବନର ଅଧ୍ୟୟନ, ଅନୁଶୀଳନ, ଗଭୀର ଜୀବନାନୁଭୂତି, ପରୋଦୃଷ୍ଟି, ବିଚାରଧାରା ଓ ସମାଜର ଏକ ନିରପେକ୍ଷ ଆକଳନ ଏହି ରଚନା ଗୁଡ଼ିକର ମର୍ମବାଣୀ ଥିଲା । ଆଙ୍ଗିକ ଯେପରି ରସାଳ ଓ ପ୍ରାଣବନ୍ତ, ତାର ଭାବସମ୍ପଦ ବି ସେହିପରି ପାଠକା/ପାଠିକାଙ୍କ ମହାସମ୍ପଦ । ପ୍ରତ୍ୟେକଟି ଅନୁଭବ ସ୍ୱକୀୟ ମହିମାରେ ଭାସ୍ୱର । ‘ସେମାନେ ବ୍ୟଥିତ କଣ୍ଠରେ କହିଲେ- ନୂଆ ବର୍ଷର ସୂର୍ଯ୍ୟୋଦୟକୁ ଆମେ ଅଭିନନ୍ଦନ ଜଣାଇପାରିଲୁ ନାହିଁ । ଆପଣ ଆମକୁ ମାଫ୍ କରିବେ । ମୁଁ ଉତ୍ତର ଦେଲି- You have missed nothing : ପୁରୁଣା ବର୍ଷ ଯାଏ ନାହିଁ; କିମ୍ବା ନୂଆ ବର୍ଷ ଆସେ ନାହିଁ । ଅନନ୍ତ ମହାକାଳରେ ପୁରୁଣା ବର୍ଷ, ନୂଆ ବର୍ଷ କ’ଣ ? କାଳ ନିରବଧି ! କାନ୍ଥରେ କେବଳ ଗୋଟାଏ କ୍ୟାଲେଣ୍ଡର ବଦଳେ ମାତ୍ର ।’ (ଶେଷସ୍ତମ୍ଭ-ପୃ ୭୫ ଦ୍ୱିତୀୟଭାଗ)

 

ମହାକାଳର ଅନନ୍ତ ବିସ୍ତାରକୁ ଏଇ କେତୋଟି ମାତ୍ର ବାକ୍ୟରେ ସୂଚେଇ ଦେବା ପଛରେ ରହିଛି ଏକ ଦାର୍ଶନିକ ଦୃଷ୍ଟି । ଏଣୁ ତାଙ୍କ ସୃଜନବିଳାସ ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମାରେ ଅବଧାରିତ ହେଲେ ହେଁ ତାର ଇଙ୍ଗିତ ଥିଲା ମହାକାଳକୁ ଉତ୍ତୀର୍ଣ୍ଣ ହେବା । ଏଇ ଛୋଟ ଛୋଟ ସମ୍ପାଦକୀୟ ଗୁଡ଼ିକରେ ଗଭୀର ଜୀବନବୋଧ ଉତ୍କୀର୍ଣ୍ଣ । ଏହା ତାଙ୍କ ସୃଷ୍ଟି ସମଗ୍ରର ତିଳକ ବୋଲି ବିଚାରିବାକୁ ହେବ । ରୂପଗତ ଓ ଭାଗବତ– ଉଭୟ ଦୃଷ୍ଟିରୁ ରସୋତ୍ତୀର୍ଣ୍ଣ ।

 

ସୁରେନ୍ଦ୍ର ମହାନ୍ତିଙ୍କ ସୃଷ୍ଟି ସମ୍ଭାରର ମନୋଭୂମି ଓ କାଳର ବ୍ୟାପ୍ତି ହେଉଛି ଅଷ୍ଟାଦଶ ଶତାବ୍ଦୀ, ଉନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀ । ଦୀର୍ଘ ତିନୋଟି ଶତାବ୍ଦୀର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଜୀବନଚର୍ଯ୍ୟାର ମନୋଜ୍ଞ ଆଲେଖ୍ୟ ତାଙ୍କ କଥା ସାହିତ୍ୟ । ଏଣୁ ଏହି ସୃଜନ ମନୀଷାର ଆଧାରଶିଳା ହେଉଛି ସାମାଜିକ ଅଙ୍ଗୀକାରବଦ୍ଧତା । ଓଡ଼ିଶାର ଇତିହାସ, ଭୂଗୋଳ, ଧର୍ମ, ଦର୍ଶନ, ଆଧ୍ୟାତ୍ମିକତା, ପର୍ବପର୍ବାଣି, ରୀତିନୀତି, ଆଚାର ବ୍ୟବହାର, ଆବେଗ ସମ୍ୱେଗ, ସର୍ବୋପରି ଏ ଜାତିର ଆତ୍ମାର ରସୋତ୍ତୀର୍ଣ୍ଣ ଅଭିଲିପି ହେଉଛି ସୁରେନ୍ଦ୍ର-ସାରସ୍ଵତ-ସୃଷ୍ଟି ସମଗ୍ର । ଏହାର ଦୃଶ୍ୟମାନ ଯେପରି ନୟନାଭିରାମ ଏହାର ଅନ୍ତରାଳ ସେପରି ଗଭୀର, ଅତଳତଳସ୍ପର୍ଶୀ, ଅନନୁଭବ ଅନୁଭବରେ ଐଶ୍ଵର୍ଯ୍ୟବନ୍ତ, ସୂକ୍ଷ୍ମ ଓ ମନ୍ମୟ । କେତେବେଳେ ଚିନ୍ମୟ ଭାବସତ୍ତାକୁ ଶବ୍ଦର କାରୁକଳାରେ ବାନ୍ଧି ରଖିବାର ପ୍ରୟାସ ତ କେତେବେଳେ ନିଚ୍ଛକ ମାଂସଳ ଆକୃତିର ସହଜ ସରଳ ବିନ୍ୟାସ ପ୍ରୟାସ । ସେ ସୃଷ୍ଟି ବୈଚିତ୍ର୍ୟମୟ । ଆକାଶର ଦୁଇ ଦିଗନ୍ତ ପରି ପ୍ରାଚୀ ଓ ପ୍ରତୀଚିର ଆଭାସ । ସେ ହିଁ ତାଙ୍କର ତୁଳନା, ବ୍ୟକ୍ତିତ୍ୱରେ ଓ ବକ୍ତବ୍ୟରେ । ଏକ ସ୍ଵତନ୍ତ୍ର ଆଲୋକମୟ ସରଣୀର ଉଦ୍‌ଘାଟକ ଜୀବନର ଆଦ୍ୟ ଯୌବନରୁ ଅମଡ଼ା ମାଡ଼ିବାର ଦୁଃସାହସ କରିଥିଲେ । ତଥାକଥିତ ସାଧାରଣ ଦୃଷ୍ଟିରେ ଓ ସାମାଜିକ ଚଳଣିରେ ଆଡ଼ବାଗିଆ, ଅବୁଝା, ଅପାରଗ ମଣିଷଟା ଯେ ସଫଳତାର ଶୀର୍ଷରେ ପହଞ୍ଚିପାରେ ଓ ଚରମ ସିଦ୍ଧିକୁ ହାସଲ କରିପାରେ ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପୁଣି ନିଜ ହାତମୁଠାରେ ମହାକାଳକୁ ଧାରଣ କରି ସ୍ପର୍ଦ୍ଧାର ସହିତ କହିପାରେ-ମୁଁ ଆତ୍ମତତ୍ତ୍ୱର ଅଧିକାରୀ, ମୁଁ ଦେବତ୍ୱର ଅଧିକାରୀ, ମୁଁ ଏକ ଜ୍ୟୋତିପିଣ୍ଡ, ମୁଁ ସତ୍ୟର ଉଦ୍‌ଭାସ, ମୁଁ ମୃତ୍ୟୁଞ୍ଜୟ... ମୁଁ ମୃତ୍ୟୁଞ୍ଜୟ !

 

ହେ ମୋର ପ୍ରିୟ ଲେଖକ ! ଜଗନ୍ନାଥଙ୍କ ଖଣ୍ଡିତ କଳେବର ଭଳି ଏ ଆଲୋଚନା ମଧ୍ୟ ପୂର୍ଣ୍ଣାଙ୍ଗ ନୁହେଁ । ତୁମେ ଜଗନ୍ନାଥଙ୍କର ପରମ ଭକ୍ତ । ସେ ଯେପରି ଅବ୍ୟକ୍ତ, ଅନନ୍ତ, ଅସୀମ... ସେହିପରି ତୁମ ସୃଷ୍ଟି ମଧ୍ୟ ଅକଳନ୍ତି । ତୁମର ଏ ବିପୁଳ ସୃଷ୍ଟିର ସୌନ୍ଦର୍ଯ୍ୟକୁ ଆକଳନ କରିବାର ସାମର୍ଥ୍ୟ ମୋର ନାହିଁ । ଏକ ଚରମ ଅତୃପ୍ତିର ହାହାକାର ମୋ ଭିତରକୁ ମନ୍ଥି ପକାଉଛି । ମନେପଡ଼ିଯାଉଛି ତୁମର ସେ କଥା- ‘ସେତେବେଳକୁ ମୋର ପ୍ରାୟ ଚାଳିଶିଟି ଖଣ୍ଡେ କ୍ଷୁଦ୍ରଗଳ୍ପ, ପେକିଂ ଡାଇରୀ ଓ ଫକୀରମୋହନ ସମୀକ୍ଷା ବ୍ୟତୀତ ଅନ୍ୟ କିଛି ସାହିତ୍ୟ କୃତି ନଥିଲା । କିନ୍ତୁ ଏହା ମୋତେ ଲାଗୁଥିଲା ଅତି ସାମାନ୍ୟ । ମୋର ସ୍ଵଭାବ ହେଉଛି ମୁଁ ସବୁଦିନେ ସବୁଥିରେ ଅତୃପ୍ତ-। ତୃପ୍ତି ବା ଆତ୍ମସନ୍ତୋଷର ଅର୍ଥ ମୋ ବିଚାରରେ ମୃତ୍ୟୁର ନାମାନ୍ତର ମାତ୍ର । ଜୀବନରେ ସନ୍ତୋଷ ନାହିଁ, ତୃପ୍ତି ନାହିଁ... । ଜୀବନ ହେଉଛି ଅତୃପ୍ତିର ତାଡ଼ନାରେ ପୂର୍ଣ୍ଣତା ଆଡ଼େ ମନୁଷ୍ୟର ଚିରନ୍ତନ ବ୍ୟାକୁଳଯାତ୍ରା । ଚରୈବେତି... ଚରୈବେତି ! ଯଦି ସାମାନ୍ୟ ସଫଳତା ଆତ୍ମସନ୍ତୋଷ ଆଣିଦେଲା ଓ ସେଇୟାକୁ ପୁଞ୍ଜି କରି କେହି ଊର୍ଦ୍ଧ୍ୱବାହୁ ହୋଇ ନିଜକୁ କବିସମ୍ରାଟ ବା କଥାସମ୍ରାଟ ବା ତତ୍ତୁଲ୍ୟ ବୋଲି ନିଜ ଗୋଷ୍ଠୀରେ ଘୋଷଣା କରି ଆନନ୍ଦ ପାଇଲା, ତା’ହେଲେ ତା’ଠାରୁ ବଳି ଦୈନ୍ୟ ଆଉ କିଛି ଥାଇ ନପାରେ ।’ (ପଥ ଓ ପୃଥିବୀ ପୃ ୨୮୭)

 

ହେ ଅମର ପଥର ଯାତ୍ରୀ– ତୁମେ ଅତୃପ୍ତିର ତାଡ଼ନାରେ କିନ୍ତୁ ପୂର୍ଣ୍ଣତମ । ତୁମେ ଜୀବନ୍ମୁକ୍ତ । ତୁମକୁ ମୋର କୋଟି କୋଟି ପ୍ରଣାମ ।

 

ଜେତବନ, ଶ୍ରୀରାମନଗର

ବାଦାମବାଡ଼ି, କଟକ-୧୨

***

 

ଗଙ୍ଗାଧରଙ୍କ କାବ୍ୟକୃତିରେ ସଂଯୋଜକ ଚରିତ୍ର

ଡକ୍ଟର ଅଶୋକ କୁମାର ତ୍ରିପାଠୀ

 

[ଦ୍ୱିତୀୟାର୍ଦ୍ଧ]

 

ମାନବୀୟ : ପୁରୁଷ

ଗଙ୍ଗାଧରଙ୍କ କାବ୍ୟକୃତିରେ ମାନବୀୟ ନାରୀ ସଂଯୋଜକ ଚରିତ୍ର ତୁଳନାରେ ପୁରୁଷ ସଂଯୋଜକ ଚରିତ୍ରମାନଙ୍କର ସଂଖ୍ୟା କମ୍ । ଏମାନଙ୍କ ଚିତ୍ରଣରେ କବିଙ୍କ ପାରଦର୍ଶିତାର ପୂର୍ଣ୍ଣପରିଚୟ ପାଇବା ମଧ୍ୟ ଦୁଷ୍କର । ଏମାନେ ସମସ୍ତେ ପ୍ରାୟତଃ ଆହୃତ ନବୀକୃତ ଚରିତ୍ର । ତପସ୍ୱିନୀର ମହର୍ଷି ବାଲ୍ମୀକି, ପ୍ରଣୟବଲ୍ଲରୀର କଣ୍ୱ, ଶାର୍ଙ୍ଗରବ ଓ ଶାରଦ୍‌ବତ ପ୍ରଭୃତି ଆହୃତ ନବୀକୃତ ସଂଯୋଜକ ଚରିତ୍ରର ଉଦାହରଣ । ଏମାନଙ୍କ ମାଧ୍ୟମରେ, ଅନ୍ୟ କାବ୍ୟକାରଙ୍କ ପରି, ଗଙ୍ଗାଧର ମଧ୍ୟ ଆପଣାର ପ୍ରତିକ୍ରିୟା ତଥା କେତେକ ନୈତିକ ଆଦର୍ଶ ପ୍ରକାଶ କରିଛନ୍ତି । ଅବଶ୍ୟ ‘ପ୍ରଣୟବଲ୍ଲରୀ’ର ବୃହସ୍ପତି ଭଳି କଳ୍ପିତ ଚରିତ୍ର ମଧ୍ୟ ମେହେର ସାହିତ୍ୟରେ ପରିଦୃଷ୍ଟ ।

 

ତପସ୍ୱିନୀର ବାଲ୍ମୀକି:

‘ତପସ୍ୱିନୀ’ର ବାଲ୍ମୀକି ଚରିତ୍ର ମାଧ୍ୟମରେ କବିଙ୍କ ତିନିଗୋଟି ଉଦ୍ଦେଶ୍ୟ ସାଧିତ ହୋଇଥିବା ଲକ୍ଷ୍ୟ କରାଯାଏ । ପ୍ରଥମ ହେଲା- ବାତ୍ସଲ୍ୟରସର ଅଭିବ୍ୟକ୍ତି: ନିର୍ବାସିତା ସୀତାଙ୍କୁ ବନ ମଧ୍ୟରେ ଦେଖି ଆଶ୍ଚର୍ଯ୍ୟଚକିତା ମୁନିକୁମାରୀମାନେ ମହର୍ଷି ବାଲ୍ମୀକିଙ୍କ ନିକଟରେ ସେ ପ୍ରସଙ୍ଗ ଉତ୍‌ଥାପନ କରିବା ମାତ୍ରେ ଧ୍ୟାନବଳରେ ସେ ସକଳ ତଥ୍ୟ ଜାଣିପାରିଲେ । ତତ୍‌କ୍ଷଣାତ୍ ସତୀଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କ ବିଦଗ୍ଧ ପ୍ରାଣରେ ଆତ୍ମୀୟତାର ଚନ୍ଦନ ବୋଳି ଦେବାର ପ୍ରୟାସ କଲେ । ତପୋବନ ମଧ୍ୟରେ ସୀତାଙ୍କ ଶୁଶ୍ରୁଷାକଳ୍ପେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମଧ୍ୟ ସେ ଭୁଲିଲେ ନାହିଁ । ବୈଦେହୀଙ୍କ ସନ୍ତାନ ଜନ୍ମ ପରେ ସେମାନଙ୍କ ମାର୍ଜନଠାରୁ ଆରମ୍ଭ କରି ନାମକରଣ ଏବଂ ପରବର୍ତ୍ତୀ କାଳରେ ସେମାନଙ୍କୁ ବିଦ୍ୟାଦାନ ପର୍ଯ୍ୟନ୍ତ ସକଳ କାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କଲେ ମହର୍ଷି ବାଲ୍ମୀକି । ଏ ସମସ୍ତ କିନ୍ତୁ ଆହୃତ ଅବିକୃତ ଚିତ୍ରଣ । ଦ୍ଵିତୀୟ ଉଦ୍ଦେଶ୍ୟଟି ହେଲା, ପିତା ପୁତ୍ରଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରିବା: ଲବକୁଶଙ୍କ ବିଦ୍ୟାଧ୍ୟାୟନ ସମାପ୍ତି ପରେ ମୁନିଙ୍କ ମନରେ ଦୁଇଟି ଚିନ୍ତା ଜାତ ହୋଇଛି- “କି ରୂପେ ଘଟିବ ପିତାପୁତ୍ର ପରିଚୟ ଏବଂ ରାଜପୁତ୍ର ଭାବେ ଲବକୁଶ ରାଜଧର୍ମରେ କିରୂପେ ହାସଲ କରିବେ ନିପୁଣତା ।” ଆଶ୍ରମରେ ରାଜଧର୍ମଶିକ୍ଷା ଦେବା ସଂଭବ ନୁହେଁ । ବିଶେଷକରି ରଘୁବଂଶ ନୃପଙ୍କ ଦାନବୀର ପଣକୁ ଶିକ୍ଷା ଦେବା ଋଷି କୁଟୀରରେ ଅସଂଭବ । ଏ ସକଳ ସମସ୍ୟାର ସମାଧାନ ପାଇଁ ମହର୍ଷି ସ୍ଥିର କରିଛନ୍ତି ପିତା ପୁତ୍ରଙ୍କ ମିଳନ କରାଇଦେବେ । କିନ୍ତୁ ମୁନିଙ୍କ ମନରେ ସନ୍ଦେହ ଯେଉଁ ଦଣ୍ଡଧାରୀ ଅପବାଦ ଭୟରେ ଆପଣାର ଗର୍ଭବତୀ ପତ୍ନୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତାଙ୍କ ମନରେ ଦୀର୍ଘ ବାରବର୍ଷ ପରେ ସଂତାନ ମମତା ଜାତ ହେବା କଣ ସଂଭବ ? ପ୍ରଜାଙ୍କ ପ୍ରତି ହିଁ ତାଙ୍କ ସନ୍ତାନ ସ୍ନେହ ଅର୍ପିତ, ସମ୍ପ୍ରତି ସେ ପୁତ୍ରଦ୍ଵୟଙ୍କୁ ସ୍ୱୀକାର କରିବାରେ ମଧ୍ୟ ପ୍ରଜାଙ୍କ ସମ୍ମତି ଲୋଡ଼ିବେ । ଏଠାରେ ବାଲ୍ମୀକିଙ୍କ ପ୍ରତିକ୍ରିୟା ଦେଖନ୍ତୁ - ‘‘ନିଜର ବିଶ୍ୱାସ ପ୍ରତି ଆସ୍ଥା ନାହିଁ ଯାର, କି ହେବ ବୁଝାଇ ଆମ୍ଭେ କହିଲେ ହଜାର ।” ଏ ପ୍ରତିକ୍ରିୟା ଗଙ୍ଗାଧରଙ୍କର ଏବଂ ଏହି ଚରିତ୍ର ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ହେଉଛି କବିଙ୍କ ତୃତୀୟ ଉଦ୍ଦେଶ୍ୟ ।

 

ରାମଦୂତ ଆସି ଅଶ୍ଵମେଧ ଯଜ୍ଞର ନିମନ୍ତ୍ରଣ ଦେବା ପରେ ବାଲ୍ମୀକିଙ୍କୁ ଉପାୟ ମିଳିଯାଇଛି-ମୁନିକୁମାରବେଶରେ, ନିଜର ଶିଷ୍ୟ ରୂପରେ ଲବକୁଶକୁ ସେ ନେଇଯିବେ ଅଯୋଧ୍ୟାପୁରକୁ । ସେଇଠି ସେମାନେ ରାମକଥା ଗାନ କରିବେ, ରାମରୂପଧାରୀ ପୁତ୍ରଦ୍ୱୟଙ୍କୁ ପୁରଜନେ ଚିହ୍ନିପାରିବେ ନିଶ୍ଚୟ, ରାମଚନ୍ଦ୍ର ମଧ୍ୟ ଆନନ୍ଦିତ ହେବେ । କୁମାରଦ୍ଵୟଙ୍କୁ ଗ୍ରହଣ କରିବାରେ ରାମଚନ୍ଦ୍ର କୁଣ୍ଠାବୋଧ କଲେ କଉଶଲ୍ୟା ହେବେ ଦୁଃଖିନୀ । ପୁଣି ସୀତା ଯେ ପତିବ୍ରତା, ରାବଣସ୍ପର୍ଶବଂଚିତା, ଅନଳ ପରୀକ୍ଷିତା-ଏ କଥା ମଧ୍ୟ ଅଭିପ୍ରାୟ ଚରିତାର୍ଥ ହୋଇଥିବାର ଦୃଶ୍ୟ ନାହିଁ; ତଥାପି ଏକ ସାର୍ଥକ ସଂଯୋଜକ ଚରିତ୍ରରୂପେ ବାଲ୍ମୀକିଙ୍କୁ ରୂପ ଦେବାର କାବ୍ୟବ୍ୟାପାର ଏଥିରେ ପରିଷ୍କାର ।

 

ପ୍ରଣୟବଲ୍ଲରୀର ବୃହସ୍ପତି:

ପ୍ରଣୟବଲ୍ଲରୀ କାବ୍ୟରେ ଦୁଇଜଣ ପୁରୋଧା ଚରିତ୍ରଙ୍କ ସନ୍ଧାନ ମିଳେ । ଜଣେ ଦୁଷ୍ମନ୍ତଙ୍କ ସଭାରେ ଆଉଜଣେ ଇନ୍ଦ୍ରଙ୍କ ସଭାରେ ଶୋଭାପାଆନ୍ତି । ନାଟକ ହେତୁ ‘ଅଭିଜ୍ଞାନ ଶାକୁନ୍ତଳମ୍’ରେ ରାଜପୁରୋହିତ ଚରିତ୍ରଟି ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି; କିନ୍ତୁ ଗଙ୍ଗାଧରଙ୍କ କାବ୍ୟକୃତିରେ ଏହି ଚରିତ୍ରଟି ସେଠାରେ ବୈଚିତ୍ର୍ୟ ବିଭୂଷିତ ହୋଇପାରିନାହିଁ । କଣ୍ୱମୁନିଙ୍କ ପତ୍ରର ସତ୍ୟତା ପ୍ରମାଣ ନିମିତ୍ତି ଶକୁନ୍ତଳାଙ୍କ ପ୍ରସୂତି ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷିତ ରଖିବାର ପ୍ରସ୍ତାବ ଦେଇଛନ୍ତି ଏହି ପୁରୋହିତ ଚରିତ୍ର । କାରଣ ବହୁ ମୁନି ତଥା ଗଣକଙ୍କ ମତରେ ଦୁଷ୍ମନ୍ତଙ୍କ ପୁତ୍ର ଶରୀରରେ ଚକ୍ରବର୍ତ୍ତୀ ଲକ୍ଷଣ ଧରି ଜନ୍ମ ହେବ । ଯଦି ଶକୁନ୍ତଳାଙ୍କ ଜନ୍ମିତ ସନ୍ତାନ ଏପରି ଲକ୍ଷଣଯୁକ୍ତ ହୋଇଥାଏ, ତେବେ ସତ୍ୟ ପ୍ରମାଣିତ ହେବ କଣ୍ୱମୁନିଙ୍କ ପତ୍ର । କାଳିଦାସଙ୍କ ନାଟକରୁ ଆହୃତ ଏହି ବିଚାର ପ୍ରଦାନ କରିବା ବ୍ୟତୀତ ‘ପ୍ରଣୟବଲ୍ଲରୀ’ରେ ରାଜପୁରୋହିତ ଚରିତ୍ରର ଅନ୍ୟ କୌଣସି ଆକର୍ଷଣୀୟ ଭୂମିକା ନାହିଁ । କିନ୍ତୁ ଇନ୍ଦ୍ରସଭାରେ ଶୋଭିତ ପୁରୋଧା ବୃହସ୍ପତି ଚରିତ୍ରଟି ‘ଅଭିଜ୍ଞାନ ଶାକୁନ୍ତଳମ୍’ରେ ଅପରିଦୃଷ୍ଟ । ‘ପ୍ରଣୟ ବଲ୍ଲରୀ’ରେ ଏହି କଳ୍ପିତ ସଂଯୋଜକ ଚରିତ୍ରଟିର ସୃଷ୍ଟି ଉଦ୍ଦେଶ୍ୟକୁ ଅନୁଧ୍ୟାନ କଲେ, ଗଙ୍ଗାଧରଙ୍କ ଚରିତ୍ର ସୃଷ୍ଟି ନୈପୁଣ୍ୟକୁ ବେଶ୍ ହୃଦୟଙ୍ଗମ କରିହେବ ।

 

ପ୍ରାଣପ୍ରିୟା ପତିଙ୍କ ଚିନ୍ତାରେ ଏକାଗ୍ରଚିତ୍ତ ରହିବା ନବପରିଣୀତା ପତ୍ନୀ ପକ୍ଷେ ଆଦୌ ଅସଙ୍ଗତ ନୁହେଁ । କ୍ରୋଧଚିତ୍ତ ଦୁର୍ବାସା ମହର୍ଷି ଏ କଥା ହୃଦୟଙ୍ଗମ କରିନପାରି ଶକୁନ୍ତଳାଙ୍କୁ ଅଭିଶାପ ଦେଲେ । ଫଳତଃ ନିଷ୍ପାପ ଦୁଷ୍ମନ୍ତ ଶକୁନ୍ତଳା ଭୋଗ କଲେ ଅକଥନୀୟ ଦୁଃଖ । ଗଙ୍ଗାଧରଙ୍କ ଅନ୍ତରକୁ ଏ ଅନ୍ୟାୟ ବାଧିଛି । ଆପଣା ପ୍ରତିକ୍ରିୟା ପ୍ରକାଶ ନିମିତ୍ତ କବି ସପ୍ତମସର୍ଗରେ ଉପଯୁକ୍ତ ଅବସର ପ୍ରସ୍ତୁତ କରିଛନ୍ତି । ଦେବଦାନବ ସଂଘର୍ଷରେ ଦେବପକ୍ଷର ପରାଜୟ ପରେ ସୁରପତି ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କୁ ପ୍ରତିକାର ସମ୍ପର୍କରେ ପ୍ରଶ୍ନ ପୁଚ୍ଛା କରନ୍ତେ ଦିବ୍ୟଜ୍ଞାନବଳରେ ବୃହସ୍ପତି କହିଲେ; ହେ ଇନ୍ଦ୍ର ! ସାଧବବଞ୍ଚନ, ମାୟାପ୍ରଲୋଭନ ମହାପାପ ଅଟେ । ଆପଣଙ୍କ ଦ୍ଵାରା ବିଶ୍ୱାମିତ୍ରଙ୍କ ତପୋଭଙ୍ଗ କାର୍ଯ୍ୟର ଫଳ ଆଦି ଫଳିଛି । ପୁଣି ଅନ୍ୟ ଏକ ଅନ୍ୟାୟ ହେତୁ ସ୍ଵର୍ଗଶିରୀ ନଷ୍ଟ ହେବାକୁ ଯାଉଛି ।

 

ପୂଜ୍ୟଜନ ମଧ୍ୟେ ନାରୀମାନଙ୍କର

ପତି ଏକା ପୂଜ୍ୟତମ,

ନବୁଝି ଦୁର୍ବାସା ଶକୁନ୍ତଳା ପ୍ରତି

ଶାପ ଦେଲେ ବହିତମ ।

ସେହି ଶାପ ବଳେ ନିର୍ଦ୍ଦୋଷ ଦୁଷ୍ମନ୍ତ

ଭୋଗୁଛନ୍ତି ଘୋର କଷ୍ଟ

ଧାର୍ମିକମାନବ ଦୁଃଖେ ସୁରପୁରୀ

ହୋଇଅଛି ଶିରୀଭ୍ରଷ୍ଟ ।”

 

ଏଣୁ ନୀତିବନ୍ତ ଦୁଷ୍ମନ୍ତଙ୍କୁ ସମାଦର କରି ଆଣିଲେ ତାଙ୍କର ଧର୍ମନୀତିର ପ୍ରଭାରେ ଦେବତାଙ୍କର ଅସୁର ଭୟ ନିଶ୍ଚୟ ଦୂର ହେବ । କୌଣସି ମୁଖ୍ୟ ଚରିତ୍ର ଦେଇ କବି ଆପଣାର ଏହି ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ଏକ ଉପଯୁକ୍ତ ସଂଯୋଜକ ଚରିତ୍ର ସୃଷ୍ଟି କରିଛନ୍ତି । ମେହେରଙ୍କ କାବ୍ୟକୃତିରେ ମାନବେତର ସଂଯୋଜକ ଚରିତ୍ର ‘ପ୍ରକୃତି’ର ଭୂମିକା ଅନୁଶୀଳନ କଲେ କବିଙ୍କ ଏହି ଦୃଷ୍ଟିଭଙ୍ଗୀର ପରିଚୟ ସ୍ପଷ୍ଟ ଉଦ୍ଭାସିତ ହେବ ।

 

ମାନବେତର : ପ୍ରକୃତି

ଗଙ୍ଗାଧରଙ୍କ କାବ୍ୟକୃତିରେ ତାଙ୍କ ପ୍ରତିଭୂସ୍ୱରୂପ ପ୍ରତିଭାତ ହୋଇଛି ପ୍ରକୃତି । ଏ ଦୃଷ୍ଟିରୁ କବି ଓ କବିକୃତି ମଧ୍ୟରେ ପ୍ରକୃତି ହେଉଛି ଏକ ସାର୍ଥକ ସଂଯୋଜକ ଚରିତ୍ର । ଗଙ୍ଗାଧର ଥିଲେ ରଙ୍ଗାଜୀବ । ଅନ୍ତତଃ କାବ୍ୟକଳେବର ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ଠାରୁ ଆରମ୍ଭ କରି ସହାନୁଭୂତି ପ୍ରଦର୍ଶନ ପର୍ଯ୍ୟନ୍ତ ସକଳ ଅବସରରେ ପ୍ରକୃତିକୁ ହିଁ ସେ ନିଜର ଶ୍ରେଷ୍ଠ ଆୟୁଧ ରୂପେ ଗ୍ରହଣ କରିଛନ୍ତି । କବିଙ୍କର ଏହି ଅନନ୍ୟ କାବ୍ୟ ବ୍ୟାପାର-ବିଶ୍ଳେଷଣ ନିମିତ୍ତି ତାଙ୍କ ସର୍ବଶ୍ରେଷ୍ଠ କାବ୍ୟକୃତି ‘ତପସ୍ୱିନୀ’କୁ ପ୍ରଥମେ ଗ୍ରହଣ କରାଯାଉଛି ।

 

ରାମଚନ୍ଦ୍ର ନିରପରାଧ ସୀତାଙ୍କୁ ଅନ୍ତଃସତ୍ତ୍ୱା ଅବସ୍ଥାରେ ପ୍ରତ୍ୟାଖ୍ୟାନ କଲେ । ରାମାୟଣର ଉତ୍ତରାର୍ଦ୍ଧକୁ ଭିତ୍ତିକରି ଯେତେଜଣ କାବ୍ୟ ସୃଷ୍ଟି କରି ଯାଇଛନ୍ତି, ସମସ୍ତେ ରାମଚନ୍ଦ୍ରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଆଦିକବି ବାଲ୍ମୀକିଙ୍କ ରାମାୟଣର ଉତ୍ତରାକାଣ୍ଡର ୪୮ସର୍ଗରେ ନିର୍ବାସିତ ସୀତା ଲକ୍ଷ୍ମଣଙ୍କୁ ସାନ୍ତ୍ୱନା ଦେବାବେଳେ ରାମଚନ୍ଦ୍ରଙ୍କ ନିଷ୍ପତ୍ତିକୁ ସମ୍ମତି ଜଣାଇଥିଲେ ମଧ୍ୟ ୫୦ ସର୍ଗରେ ଲକ୍ଷ୍ମଣ ସୁମନ୍ତଙ୍କ ସମ୍ମୁଖରେ ଅଗ୍ରଜଙ୍କ ଏହି ନିଷ୍ଠୁର ବିଚାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଭବଭୂତି ବିରଚିତ ‘ଉତ୍ତରରାମ ଚରିତ’ରେ ସୀତା ପ୍ରତ୍ୟାଖ୍ୟାନର ଦୃଶ୍ୟ ନାହିଁ । ତଥାପି ୨ୟ ଏବଂ ୩ୟ ଅଙ୍କରେ ବନଦେବୀ ବାସନ୍ତୀ ନାମରେ ଏକ କାଳ୍ପନିକ ସଂଯୋଜକ ଚରିତ୍ର ସଂଯୋଜନା ପୂର୍ବକ ତା’ରି ମାଧ୍ୟମରେ ନାଟ୍ୟକାର ନିଜର ପ୍ରତିକ୍ରିୟା ପ୍ରକାଶ କରି ରାମଚନ୍ଦ୍ରଙ୍କୁ କହିଛନ୍ତି, “ହେ କଠୋର ହୃଦୟ ! ତୁମେ ଯଶଃପ୍ରିୟ ଅଟ, ଏହି ହେତୁ ତୁମେ ସୀତାଙ୍କୁ ପରିହାର କଲ; କିନ୍ତୁ ଏହାଠାରୁ ବଳି ଘୋର ଅଯଶଃ ଆଉ କଣ ଅଛି ?” (ଅୟି କଠୋର ଯଶଃ କିଳ ତେ ପ୍ରିୟମ୍, କିମଯଶୋ ନନୁ ଘୋର ମତଃ ପରମ୍ ।) କବି ବାଲ୍ମୀକି ଏବଂ ଭବଭୂତି ନିଜର ପ୍ରତିକ୍ରିୟାକୁ ମୁଖ୍ୟ ଚରିତ୍ର ‘ସୀତା’ ପରିବର୍ତ୍ତେ ସଂଯୋଜକ ଚରିତ୍ର ଲକ୍ଷ୍ମଣ ଏବଂ ବାସନ୍ତୀ ମୁଖରେ ପ୍ରକାଶ କରି ସତୀ ସୀତାଙ୍କ ଚରିତ୍ରର ମହନୀୟତା ସଂରକ୍ଷଣ ସହିତ କାବ୍ୟକଳାର ସୌଷ୍ଠବ ବିଧାନ ପ୍ରତି ସଚେତନ ଥିବା ପରି ମନେହୁଏ । କବି କାଳିଦାସଙ୍କ ‘ରଘୁବଂଶମ୍’ରେ ବୈଦେହୀ ରାମଚନ୍ଦ୍ରଙ୍କ ପ୍ରତି ସନ୍ଦେଶ ଦେଇ ଲକ୍ଷ୍ମଣଙ୍କୁ କହିଲେ, “ରାଜାଙ୍କୁ କହିବ, ସମ୍ମୁଖରେ ଅଗ୍ନିପରୀକ୍ଷା କରି ମୋତେ ବିଶୁଦ୍ଧା ଦେଖିଥିଲେ ମଧ୍ୟ ଲୋକବାଦ ଶ୍ରବଣ କରି ମୋତେ ପରିତ୍ୟାଗ କରିଦେଲ ! ଏହା କଣ ଆପଣଙ୍କ ବିଖ୍ୟାତ ବଂଶ-ଉପଯୁକ୍ତ କାର୍ଯ୍ୟ ? (୧୪/୬୧) ଅବା ମୋ ପ୍ରତି ଏ ବ୍ୟବହାରକୁ ଆପଣଙ୍କ ସ୍ୱେଚ୍ଛାଚାର ନୁହେଁ ବୋଲି ମୋତେ ବୁଝିବାକୁ ହେବ; କାରଣ ଆପଣଙ୍କ ମନ ସର୍ବଦା ପ୍ରଜାକଲ୍ୟାଣ କାର୍ଯ୍ୟରେ ନିବିଷ୍ଟ । ଏହା ମୋର ପୂର୍ବ ଜନ୍ମପାପର ହିଁ କଠୋର ପରିଣାମ ।” (୧୪/୬୨) ସୀତାଙ୍କ ଏହି ଉକ୍ତି ମଧ୍ୟରେ କବି ଆପଣା ପ୍ରତିକ୍ରିୟାକୁ ପ୍ରଥମ ଶ୍ଳୋକରେ ପ୍ରକାଶ କରିଥିଲେ ମଧ୍ୟ ସତୀଙ୍କ ଭାବମୂର୍ତ୍ତିକୁ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ବଡ଼ ସନ୍ତର୍ପଣରେ ଦ୍ୱିତୀୟ ଶ୍ଳୋକଟିକୁ ରଚନା କରିଛନ୍ତି । କିନ୍ତୁ ପରବର୍ତ୍ତୀ କାଳରେ, ସଂଯୋଜକ ଚରିତ୍ର ବାଲ୍ମୀକି ମୁଖରେ ହିଁ କାଳିଦାସଙ୍କ ପ୍ରତିକ୍ରିୟାତ୍ମକ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ ହୋଇ ଉଠିଛି-

 

‘‘ଉତ୍‌ଖାତି ଲୋକତ୍ରୟ କଣ୍ଟକେଽପି ସତ୍ୟପ୍ରତିଜ୍ଞେଽପ୍ୟବିକତ୍‌ନେଽପି

ତ୍ୱାଂ ପ୍ରତ୍ୟକସ୍ମାତ୍ କଳୁଷ ପ୍ରବୃତ୍ତାବସ୍ତ୍ୟେବ ମନ୍ୟୁର୍ଭରତା ଗ୍ରଜେମେ ।”(୧୪/୭୩)

 

ଅର୍ଥାତ, “ରାମଚନ୍ଦ୍ର ତ୍ରିଭୁବନକୁ ନିଷ୍କଣକ କରିଥିଲେ ମଧ୍ୟ ତଥା ସତ୍ୟପ୍ରତିଜ୍ଞ ଏବଂ ଆତ୍ମପ୍ରଶଂସା ବିମୁଖ ଥିଲେ ସୁଦ୍ଧା ବିନା ଦୋଷରେ ତୋତେ ପରିତ୍ୟାଗ କରିଥିବା ହେତୁ ତାଙ୍କ ଉପରେ ମୋର କ୍ରୋଧ ଜାତ ହେଉଛି ।” କେତେ ସ୍ପଷ୍ଟ ଏ ପ୍ରତିକ୍ରିୟା ! କେତେ ଶାଣିତ ଅଥଚ ଯଥୋଚିତ ! ଅପର ପକ୍ଷରେ ଦିଙ୍‌ନାଗଙ୍କ କୁଳମାଳା ନାଟକରେ ଏ ସୌନ୍ଦର୍ଯ୍ୟ କିପରି ବ୍ୟାହତ ହୋଇଛି, ତାହା ବିଚାର କରିବା କଥା । ବୈଦେହୀଙ୍କୁ ବନ ମଧ୍ୟରେ ଛାଡ଼ି ଲକ୍ଷ୍ମଣ ଅଯୋଧ୍ୟା ପ୍ରତ୍ୟାଗମନ କଲାବେଳେ ରାମଚନ୍ଦ୍ରଙ୍କ ପାଇଁ କିଛି ସନ୍ଦେଶ ଭିକ୍ଷା କରିବାରୁ ସୀତା କହୁଛନ୍ତି “ସେପରି ନିଷ୍ଠୁର ଲୋକପାଖକୁ ପୁଣି ସନ୍ଦେଶ ଦେବି ? ହଁ, ଲକ୍ଷ୍ମଣଙ୍କ କଥା ଟାଳିବାର ନୁହେଁ ବୋଲି ସିନା, ନଚେତ୍ ଏଥିରେ ସୀତାର କିଛି ଗୌରବ ନାହିଁ । ସେ ଲୋକଟାକୁ (ତଂଜନଂ) ଏପରି କହିଦେବ, ନିରପରାଧ , ଲୋକକୁ ନିଜ ହୃଦୟରୁ ଏପରିକି ରାଜ୍ୟରୁ ବାହା କରି ଦେବା ତାଙ୍କର ଉଚିତ ହୋଇନାହିଁ ।” କେବଳ ଏତିକି ନୁହେଁ, ନାଟ୍ୟକାରଙ୍କ ସୀତା ଲବକୁଶଙ୍କୁ ବାରମ୍ୱାର ‘‘ନିରନୁକ୍ରୋଶସ୍ୟ ପୁତ୍ରୌ’’ ବୋଲି ସମ୍ବୋଧନ କରିବାରେ ସରଳ ହୃଦୟ କୁଶ ଭାବି ଥିଲେ ଯେ ତାଙ୍କ ପିତାଙ୍କ ନାମ ନିରନୁକ୍ରୋଶ । କୌଣସି ସଂଯୋଜକ ଚରିତ୍ର ପରିବର୍ତ୍ତେ ମୁଖ୍ୟ ଚରିତ୍ର ‘ସୀତା’ଙ୍କ ଦେଇ ନାଟ୍ୟକାର ଏହି ପ୍ରତିକ୍ରିୟା ପ୍ରକାଶ କରିଥିବାରୁ ଭାରତୀୟ ଜନମାନସରେ ସୁପରିଚିତ ପତିପ୍ରାଣା ସୀତା ଚରିତ୍ରର ମହନୀୟତା ଯେ କ୍ଷୁଣ୍ଣ ହୋଇଛି, ଏହା ଯେ କୌଣସି ଭାରତୀୟ ପାଠକ ବିଶ୍ୱାସ କରିବେ । କବିମାନଙ୍କର ଏପରି ନିରଙ୍କୁଶ କଳ୍ପନା ହେତୁ ଆଦର୍ଶସ୍ଥାନୀୟ ଦେବଦେବୀ ଚରିତ୍ରମାନଙ୍କର ଯେଉଁ ଚାରିତ୍ରିକ ଅବକ୍ଷୟ ସଂଘଟିତ ହୁଏ, ତାକୁ ପ୍ରତିରୋଧ କରିବା ସକାଶେ ସଂସ୍କୃତ ଆଳଙ୍କାରିକମାନେ ଦୃଢ଼କଣ୍ଠରେ ଉଦ୍‌ଘୋଷଣ କରିଥିଲେ, “କବି ତା’ର ସୃଷ୍ଟିସୌଧ ନିର୍ମାଣ ନିମିତ୍ତ ଆହୃତ କିମ୍ୱା କଳ୍ପିତ କଥାବସ୍ତୁକୁ ଭିତ୍ତିଭୂମି ରୂପେ ଗ୍ରହଣ କରିପାରେ; କିନ୍ତୁ ଆହୃତ ବିଷୟବସ୍ତୁରେ ପରିବର୍ତ୍ତନ ଆଣିବା ତା’ ପକ୍ଷରେ ଯେପରି ଅନୁଚିତ, କଳ୍ପିତ କଥାବସ୍ତୁର ଔଚିତ୍ୟ ପ୍ରତି ସର୍ବଦା ଧ୍ୟାନ ଦେବା ତା’ ପକ୍ଷରେ ସେତିକି ସମୁଚିତ । (ଆନନ୍ଦ ବର୍ଦ୍ଧନ, ଧ୍ୱନ୍ୟାଲୋକ, ୧/୧୦-୧୪) ଅତଃ କବିର ଏକାନ୍ତ ନିଜସ୍ୱ ପ୍ରତିକ୍ରିୟାକୁ କୌଣସି ପରିଚିତ ପୌରାଣିକ ଅବା ଐତିହାସିକ ନାୟକ ନାୟିକା ଚରିତ୍ରଦେଇ ପ୍ରକାଶ କରିବା ପରିବର୍ତ୍ତେ କୌଣସି ସଂଯୋଜକ ଚରିତ୍ର (ଆହୃତ ଅବା କଳ୍ପିତ) ଦେଇ ଅଭିବ୍ୟକ୍ତ କରାଗଲେ ଆହୃତ ବିଷୟବସ୍ତୁର ଯଥାଯଥ ସୁରକ୍ଷା ସହିତ କଳ୍ପିତ କଥାଭାଗର ଔଚିତ୍ୟ ବିଧାନରେ କୌଣସି ଅନ୍ତରାୟ ସୃଷ୍ଟି ହେବନାହିଁ । ଉତ୍କଳୀୟ କବି ବଳରାମ ଦାସଙ୍କ ଦାଣ୍ଡୀରାମାୟଣରେ ଆଲୋଚ୍ୟ ପ୍ରସଙ୍ଗରେ ସୀତା କେବଳ କହିଛନ୍ତି- “ମୋତେ ଅଦୋଷରେ ଯେ ତେଜିଲେ ରଘୁମଣି”; କିନ୍ତୁ ରାମଚନ୍ଦ୍ରଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆସ୍ଥା ରଖି ସନ୍ତୁଷ୍ଟ ହୋଇଛନ୍ତି ଏବଂ କାମନା କରିଛନ୍ତି, ‘‘କ୍ଷେମେ ରାଜ୍ୟ କରୁଥାନ୍ତୁ ମୋହର ଯେ ସାଈଁ ।” କବିଙ୍କ ପ୍ରତିକ୍ରିୟା ପ୍ରକୃତରେ ପ୍ରକାଶ ପାଇଛି ଲକ୍ଷ୍ମଣଙ୍କ ମୁଖରେ

 

“ଏମନ୍ତ ଯୁବତୀ ରାମ କେମନ୍ତେ ତେଜିଲା, ଏତେ ବଡ଼ ପ୍ରଭୁ ଶଠ ଠକରେ ପଡ଼ିଲା ।

ବାବୁ ଶ୍ରୀରାମ ଏବେ ଅଗତିକୁ ଗଲୁ, ଏତେ ଠାକୁର ଗୋଟା ଏହା ସେ ଅରଜିଲୁ ।

ଏତେ ବୋଲି ବାଚ୍ଛନ୍ଦ କରଇ ଲକ୍ଷ୍ମଣ, ଶ୍ରୀରାମର ଅବିଗୁଣ ବାଛେ ପୁଣ ପୁଣ ।”

 

ଆଲୋଚ୍ୟ ପ୍ରସଙ୍ଗରେ ବର୍ତ୍ତମାନ ଗଙ୍ଗାଧରଙ୍କ ନୈପୁଣ୍ୟ ବିଚାର କରାଯାଉ । ଗଙ୍ଗାଧର ସୀତାଙ୍କ ମୁଖରେ ନିଜର ପ୍ରତିକ୍ରିୟା ପ୍ରକାଶର ସପକ୍ଷରେ ନାହାନ୍ତି । ନିର୍ବାସନଦଣ୍ଡକୁ ପତିଙ୍କ ନିଷ୍ଠୁର ନିଷ୍ପତ୍ତି ବୋଲି ଗ୍ରହଣ କରିବା ଦୂରେ ଥାଉ, ବିଧିକୃତ ବୋଲି ମଧ୍ୟ ସ୍ୱୀକାର ନକରି କବିଙ୍କ ତପସ୍ୱିନୀ ଏଥିପାଇଁ ନିଜ କର୍ମକୁ ହିଁ ଦୋଷୀ ସାବ୍ୟସ୍ତ କରିଛନ୍ତି । କିନ୍ତୁ ପ୍ରକୃତି ରୂପୀ ସଂଯୋଜକ ଚରିତ୍ର ମାଧ୍ୟମରେ ମେହେରକବି ପ୍ରକାଶ କରିଛନ୍ତି ଆପଣା ବିଦ୍ରୋହାତ୍ମକ ଚିତ୍ତବୃତ୍ତିର ସ୍ପଷ୍ଟ ଆଲେଖ୍ୟ । ସୀତା ପ୍ରତ୍ୟାଖ୍ୟାନକୁ ରାମଚନ୍ଦ୍ରଙ୍କ ଅବିଗୁଣ ପରିବର୍ତ୍ତେ ନିୟତିର ନିଷ୍ଠୁର ରୀତି ବୋଲି ଗ୍ରହଣ କରିଥିଲେ ମଧ୍ୟ ନିୟତି ବିରୁଦ୍ଧରେ ଗଙ୍ଗାଧରଙ୍କ ବିଦ୍ରୋହର ସ୍ୱର କେତେ ଉଦାତ୍ତ, ତାହା ଲକ୍ଷ୍ୟ କରିବାର କଥା । ପ୍ରତ୍ୟାଖ୍ୟାତା ସତୀଙ୍କ ଦୁଃଖରେ କବି ପ୍ରକୃତି ମାଧ୍ୟମରେ ସମବେଦନା ଜ୍ଞାପନ କରି କହିଛନ୍ତି- “ତା’ ଚାହିଁ ବିହଙ୍ଗ ମୁଖେ କାନ୍ଦିଲା ସେବନା କହିଲା ନିଶ୍ୱାସରୂପେ ପ୍ରଖର ପବନ/ ଶୁଭିଲା ପ୍ରଶ୍ଵାସ ରୂପେ ସରସର ସ୍ଵର,/ କାରୁଣ୍ୟ ଲହରୀ ପ୍ରାୟେ ଗଳିଲେ ପତର ।

 

ଏ ଦିଗେ ସେଦିଗେ ଚାହିଁ ଚଳିତ ଲୋଚନେ, /ମୃଗମାନେ ରହିଗଲେ ବିଚଳିତ ମନେ ।”

 

ଏତିକିରେ କବିଙ୍କ ମନ ଶାନ୍ତ ହୋଇନାହିଁ । ନିୟତିର ଏ ଅବିଚାର ବିରୁଦ୍ଧରେ ସେ ଯୁଦ୍ଧ ଘୋଷଣା କରିଛନ୍ତି । କବିମନର ଏ ରୌଦ୍ରଭାବ ପ୍ରକୃତିର ଭୀଷଣତାରେ ରୂପାନ୍ତରିତ । ଯଥା-

 

“କରିବାକୁ ନିୟତିର ସହିତ ସମର, ତୃଣରାଜ ଖଡ୍‌ଗକରେ ଗର୍ଜିଲା ପ୍ରଖର

ବାୟାବସା ତୂଣୀରକୁ ଝାଡ଼ି ବାରମ୍ୱାର, ପତ୍ର କଙ୍କପତ୍ର କଲା କି ଅବା ବାହାର

କମ୍ପିତ ସରିତ ବୀଚି-ଉତ୍‌ଥାନ ଶୀକର, ପଡ଼ିଲା ପୁଳିନେ ତେଜି ତରଙ୍ଗଶିଖର

ଭରିକି ସୀସକ ଗୁଳି ତରଙ୍ଗର ତୋପେ, ନିୟତିକି ଭାଗିରଥି ପ୍ରହାରିଲାକୋପେ ।”

 

‘ପ୍ରଣୟବଲ୍ଲରୀ’ରେ ମଧ୍ୟ ଗଙ୍ଗାଧରଙ୍କ ଏହି ଆଭିମୁଖ୍ୟ ଅତୀବ ମାର୍ମିକ ରୂପ ପରିଗ୍ରହ କରିଛି । ମୁଦ୍ରିକା ପ୍ରାପ୍ତିପରେ, ପ୍ରାଣପ୍ରିୟା ଶକୁନ୍ତଳାଙ୍କ ପ୍ରତି ଅବିଚାର କରିଥିବା, ରାଜା ହୃଦୟଙ୍ଗମ କରିପାରିଲେ । ଏଠାରେ ରାଜାଙ୍କ ଆତ୍ମଦହନର ଚିତ୍ର ଆଙ୍କିବାକୁ ଯାଇ କବି ରାଜସିଂହାସନ, ଉଦ୍ୟାନର ପାଦପବୃନ୍ଦ, ନଗରର ପ୍ରଜାଗଣ, ରଜନୀରେ ଚକ୍ରବାକୀ, ନିଶାନ୍ତରେ କଜ୍ୱଳପାତି ଓ ଭୃଙ୍ଗ, ଗଗନରେ ବିହଙ୍ଗଦଳ ଏବଂ ସରୋବରରେ ହଂସକୁଳ ରାଜା ଦୁଷ୍ମନ୍ତଙ୍କ ଦୋଷଗାନରେ ବ୍ୟସ୍ତ ଥିବାର ବର୍ଣ୍ଣନା ବାଢ଼ିଛନ୍ତି ।

 

ପ୍ରକୃତିରୂପୀ ସଂଯୋଜକ ଚରିତ୍ର ମାଧ୍ୟମରେ କବି ଯେ କେବଳ ବିଦ୍ରୋହର ସ୍ୱର ଉତ୍‌ଥାନ ଏବଂ ସମବେଦନା ଜ୍ଞାପନ କରିଛନ୍ତି, ତାହା ନୁହେଁ; ବିଷୟ ପରିବେଷଣ କାଳରେ ଯେଉଁଠି ଆନନ୍ଦିତ ହେବା କଥା, ସେଇଠି ନିଜର ଆନନ୍ଦବୋଧକୁ ସେ ପ୍ରକୃତି ମାଧ୍ୟମରେ ହିଁ ପରିସ୍ଫୁଟ କରିଛନ୍ତି । ତାଙ୍କ ଶାନ୍ତି ବାହିନୀ ଏଦୃଷ୍ଟିରୁ ସ୍ମରଣୀୟ । ଉପଦେଶ ଦେବାହର ଅବସର ମିଳିଲେ ମଧ୍ୟ କବି ପ୍ରକୃତି ମାଧ୍ୟମରେ ହିଁ ସେହି ଅଭିପ୍ରାୟ ପ୍ରକାଶ କରିଛନ୍ତି । ରାମଚନ୍ଦ୍ରଙ୍କ ଦ୍ଵାରା ସୀତାଙ୍କ ନିକଟକୁ ତାରାଦୂତୀ ପ୍ରେଷଣ ପରିକଳ୍ପନା ଏହି ପ୍ରସଙ୍ଗରେ ବିଚାର୍ଯ୍ୟ । ପ୍ରବନ୍ଧ ବିସ୍ତୃତି ଭୟହେତୁ କବିଙ୍କ ଅନ୍ୟାନ୍ୟ ଅଭିପ୍ରାୟ ଅଭିବ୍ୟକ୍ତି କ୍ଷେତ୍ରରେ ସଂଯୋଜକ ଚରିତ୍ର ‘ପ୍ରକୃତି’ର ରମଣୀୟ ଭୂମିକାର ଦୃଷ୍ଟାନ୍ତ ଏଇଠି ଦିଆଯାଇ ପାରୁନାହିଁ । ତେବେ ପ୍ରସଙ୍ଗକ୍ରମେ ଏଠାରେ ବକ୍ତବ୍ୟ ଯେ, ସତୀସୀତା, ସାବିତ୍ରୀ, ଶକୁନ୍ତଳା ପ୍ରଭୃତି ଦେବୀ ନାୟିକାମାନେ ସର୍ବଦା ଆଦର୍ଶ ସ୍ଥାନୀୟା, ଏମାନଙ୍କ ଚରିତ୍ର ଚିତ୍ରଣ ବେଳେ ଆଦର୍ଶକୁ ବଜାୟ ରଖିବା ଏଣୁ ଏକାନ୍ତ ଆବଶ୍ୟକ । ଦୈବୀ ନାୟକ ନାୟିକାମାନଙ୍କୁ ବାସ୍ତବବାଦୀ ମାନବୀୟ ସ୍ତରକୁ ନେଇ ଆସି ଏମାନଙ୍କ ମୁଖରେ ଈର୍ଷ୍ୟା, ଅସୂୟା, କଟୂକ୍ତି ପ୍ରଭୃତିର ପ୍ରୟୋଗ ଆଦୌ ଶୋଭନୀୟ ନୁହେଁ । ଏହି ମାନବୀୟ ଦୁର୍ଗୁଣ ଗୁଡ଼ିକ ଯଦି ଦୈବୀ ଚରିତ୍ରରେ ସଂଯୋଜିତ ହେବ, ତେବେ ସାଧାରଣ ମାନବର ଏହି ଅବିଗୁଣ ନିରାକରଣ ନିମିତ୍ତ ଆଉ କାହାକୁ ଉଦାହରଣ :ରୂପେ ଗ୍ରହଣ କରିହେବ ? ତା ବୋଲି ପାପ, ଦୁଷ୍କ୍ରିୟା, ଅବିଚାର, ଅନୀତି ବିରୁଦ୍ଧରେ ସାହିତ୍ୟରେ ଯେ ସ୍ଵର ଉତ୍ତୋଳନ ହେବନାହିଁ, ତାହା ଆମର ବକ୍ତବ୍ୟ ନୁହେଁ । ଏହି ସ୍ଵର, ଏ ପ୍ରତିବାଦ ଏକାନ୍ତ କାମ୍ୟ; କିନ୍ତୁ ସୀତା, ସାବିତ୍ରୀ ପରି ସତୀ ସାଧ୍ୱୀଙ୍କ ମୁଖରେ ପୁଣି ସେମାନଙ୍କ ପ୍ରାଣପ୍ରିୟା ଧର୍ମନିଷ୍ଠ ସତ୍ୟବନ୍ତ ପତିଙ୍କ ବିରୁଦ୍ଧରେ ଏହା ଆଦୌ ସ୍ପୃହଣୀୟ ନୁହେଁ-। ଏଥିପାଇଁ ସମାଲୋଚକ ଗଙ୍ଗାଧର ଏକ ପତ୍ରରେ ଉଲ୍ଲେଖ କରିଛନ୍ତି, “ବ୍ୟାସଦେବ ଶକୁନ୍ତଳାଙ୍କୁ ପ୍ରଗଳ୍ଭା କରି ଅଛନ୍ତି । କାଳିଦାସ ତାହା ନକରିଥିଲେ ହେଁ ପତିର ବ୍ୟବହାରରେ ପତ୍ନୀର ହୃଦୟ ଭାଙ୍ଗି ଦେଇଛନ୍ତି ।” (ଅର୍ଥାତ୍ ଦୁଷ୍ମନ୍ତଙ୍କୁ ନିଷ୍ଠୁରବାକ୍ କରିଛନ୍ତି) ଲକ୍ଷ୍ୟ କରିବାର କଥା, ଅନ୍ୟର ସାହିତ୍ୟରେ ଏହି ଦୋଷକୁ ଦେଖି ନିଜ ସାହିତ୍ୟରେ ତାକୁ ବର୍ଜନ କରିବା ଅଭିପ୍ରାୟରେ ଗଙ୍ଗାଧର କେତେକ ଆହୃତ ନବୀକୃତ ତଥା କଳ୍ପିତ ସଂଯୋଜକ ଚରିତ୍ରଙ୍କୁ ସଜ୍ଞାନ ଚିତ୍ତରେ ଅବଲମ୍ବନ କରି ନିଜେ ନିରାପଦ ରହିବା ସଙ୍ଗେ ସଙ୍ଗେ ନିଜ ସୃଷ୍ଟିକୁ ଅଧିକ କଳାତ୍ମକ କରିପାରିଛନ୍ତି ।

 

ମାନବୋତ୍ତର ସଂଯୋଜକ ଚରିତ୍ର :

ମେହେରଙ୍କ କାବ୍ୟସାହିତ୍ୟରେ ମାନବୋତ୍ତର ସଂଯୋଜକ ଚରିତ୍ରଙ୍କ ଭୂମିକା ଏକାନ୍ତ ଗୌଣ । । ତାଙ୍କ ଅବଲମ୍ବିତ ମୂଳଗ୍ରନ୍ଥ ଗୁଡ଼ିକରେ ଏ ଜାତୀୟ ଚରିତ୍ରମାନଙ୍କର ଉଲ୍ଲେଖନୀୟ ଭୂମିକା ଥିଲେ ମଧ୍ୟ ଯୁଗରୁଚିକୁ ଦୃଷ୍ଟି ରଖି ନିଜସୃଷ୍ଟି ମଧ୍ୟରେ ଜ୍ଞାତସାରରେ ମାନବୋତ୍ତର ଚରିତ୍ରଗୁଡ଼ିକୁ ସେ ଯଥାସାଧ୍ୟ ଏଡ଼େଇ ଯାଇଛନ୍ତି । ଯଥା, କାଳିଦାସଙ୍କ ପରିକଳ୍ପନା ଗର୍ଭିତ ଅଜଙ୍କ ଶସ୍ତ୍ରାଘାତରେ ଗନ୍ଧର୍ବ ପ୍ରିୟମ୍ବଦର ଶାପମୁକ୍ତି ଓ ତା’ଠାରୁ ଅଜଙ୍କ ଗନ୍ଧର୍ବାସ୍ତ୍ର ପ୍ରାପ୍ତି ପ୍ରସଙ୍ଗ ଗଙ୍ଗାଧରଙ୍କ ‘ଇନ୍ଦୁମତୀ’ରେ ସ୍ଥାନ ପାଇ ନାହିଁ । ସେହିପରି ମୂଳ ଗ୍ରନ୍ଥମାନଙ୍କରେ ବର୍ଣ୍ଣନାଥିବା ସୈରିନ୍ଦ୍ରୀଙ୍କ ପ୍ରାର୍ଥନା କ୍ରମେ ସୂର୍ଯ୍ୟଦେବ ଅସୁର/ଛାୟା, ମାୟାଙ୍କୁ ସୈରିନ୍ଦ୍ରୀଙ୍କ ସହାୟତା ସକାଶେ ନିଯୋଗ କରିବା ପ୍ରସଙ୍ଗରୁ ‘କୀଚକବଧ’ ମୁକ୍ତ । କଣ୍ୱମହର୍ଷିଙ୍କୁ ଦୁଷ୍ମନ୍ତଶକୁନ୍ତଳାଙ୍କ ପ୍ରଣୟ ପ୍ରସଙ୍ଗ ଜଣାଇବା ଲାଗି କାଳିଦାସ ଶୂନ୍ୟବାଣୀର ସହାୟତା ଗ୍ରହଣ କରିଛନ୍ତି । ଗଙ୍ଗାଧରଙ୍କ ‘ପ୍ରଣୟବଲ୍ଲରୀ’ରେ ଶୂନ୍ୟବାଣୀ ପରିବର୍ତ୍ତେ କଣ୍ୱଙ୍କ ଦିବ୍ୟଜ୍ଞାନ ହିଁ ତାଙ୍କୁ ଏ କ୍ଷେତ୍ରରେ ସହାୟ ହୋଇଛି । ଏପରି ବହୁ ଦୃଷ୍ଟାନ୍ତ ଦିଆଯାଇପାରେ ।

 

କାବ୍ୟ ବିଷୟବସ୍ତୁ ପରିବେଷଣ ବେଳେ ଉତ୍ପନ୍ନ ହେଉଥିବା ଅସାଧ୍ୟ ସମସ୍ୟା ଗୁଡ଼ିକୁ ସାଧନ କରିବା ଉଦ୍ଦେଶ୍ୟରେ କାବ୍ୟକାରମାନେ ବେଳେ ବେଳେ ମାନବୋତ୍ତର ଦେବତା, ରାକ୍ଷସ, ଅପ୍‌ସରା, ଗନ୍ଧର୍ବ ଅଥବା କୌଣସି ଅଦୃଶ୍ୟଶକ୍ତିକୁ ସଂଯୋଜକ ଚରିତ୍ରରୂପେ ଅବଲମ୍ୱନ କରିଥାନ୍ତି-। ଏହାଦ୍ୱାରା କାବ୍ୟର ବାସ୍ତବ ଆଭିମୁଖ୍ୟ ବିନଷ୍ଟ ହେଲେ ସୁଦ୍ଧା ବିଷୟବସ୍ତୁ ସମସ୍ୟାମୁକ୍ତ ରହି ଗତିଶୀଳ ହୋଇପାରେ । ରାମାୟଣ, ମହାଭାରତର ଆଧିଭୌତିକତାପୂର୍ଣ୍ଣ ଉପାଖ୍ୟାନ ମଧ୍ୟରେ ନୂତନ ସଂଯୋଜନ ବେଳେ ଏପ୍ରକାର ଚରିତ୍ରମାନଙ୍କର ସହାୟତା ଗ୍ରହଣ କବିଙ୍କ ପକ୍ଷେ ଅନତିକ୍ରମଣୀୟ ନିଶ୍ଚୟ । ଏହି ସୂତ୍ରରେ ଗଙ୍ଗାଧରଙ୍କ କାବ୍ୟାବଳୀ ମଧ୍ୟରେ କେତେକ ମାନବୋତ୍ତର ସଂଯୋଜକ ଚରିତ୍ର ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳେ । ‘ପ୍ରଣୟବଲ୍ଲରୀ’ର ରାକ୍ଷସକନ୍ୟା, ଦେବକନ୍ୟାଗଣ, ରାକ୍ଷସ ଦେବତା ପ୍ରଭୃତି ଚରିତ୍ରଗୁଡ଼ିକ ଏକ ନୂତନ ବିଷୟ ସଂଯୋଜନ କଳ୍ପନାରୁ ହିଁ ଜନ୍ମନେଇଛନ୍ତି ।

 

ତପସ୍ୱିନୀ କାବ୍ୟ ସମାପ୍ତି ନିମିତ୍ତ ଗଙ୍ଗାଧର ଲବକୁଶଙ୍କୁ ନିଦ୍ରାବିମୋହିତ କରାଇ ଦେଲେ; କିନ୍ତୁ ସତୀସୀତାଙ୍କୁ ସହଜରେ ନିଦ୍ରାଦେବୀଙ୍କ କୋଳକୁ ନେଇ ପାରିଲେ ନାହିଁ । ଅତଏବ କବିଙ୍କ କଳ୍ପନାଶକ୍ତି ନିଦ୍ରାଦେବୀଙ୍କୁ ନେଇ ଯୋଗମାୟାଙ୍କ ନିକଟକୁ ଚାଲିଯାଇଛି । ଏଇଠି ନିଦ୍ରାଦେବୀ ଯୋଗମାୟାଙ୍କୁ କହୁଛନ୍ତି, “ହେ ଦେବୀ ! ସତୀ ଶିରୋମଣି ଜାନକୀ ବାରବର୍ଷ ଧରି ନେତ୍ରନୀରରେ ଶଯ୍ୟା ପ୍ଳାବନ କରି ଆସୁଥିଲେ ସୁଦ୍ଧା ପ୍ରତ୍ୟହ ଅନ୍ତତଃ ଥରେ ହେଲେ ମୋ କୋଳମଣ୍ଡନ କରୁଥିଲେ । ଆଜି କିନ୍ତୁ ଯେତେ ସୁମଧୁର ଆହ୍ଵାନ ଜଣାଇଲେ ମଧ୍ୟ, ସେଥିପ୍ରତି କର୍ଣ୍ଣପାତ ନକରି ସ୍ୱର୍ଗପୁରୀକୁ ସେ ପ୍ରୟାଣ କରୁଛନ୍ତି । ଏହା ଫଳରେ ନେତ୍ରପିତୁଳା ପୁତ୍ରଦ୍ୱୟ ତା’ ନୟନରୁ ଅନ୍ତର ହୋଇଯିବେ, ତାପାଇଁ ଦଶଦିଗ ଅନ୍ଧାର ହୋଇଯିବ । ହେ ଦେବି ! ଦୁଃଖିନୀର ଭବିଷ୍ୟ ଉଜ୍ଜ୍ୱଳ କର-।” ଯୋଗମାୟା ଉତ୍ତରଦେଲେ, “ଚାଲ, ରାତି ପାହି ଆସିଲାଣି, ଯଥାଶୀଘ୍ର ଯାଇ ତାର ଭବିଷ୍ୟ ରହସ୍ୟ ପ୍ରକଟ କରିଦେବା ।” ଯୋଗମାୟା ନିଦ୍ରାଦେବୀଙ୍କ ସହିତ ଆସି ପର୍ଣ୍ଣକୁଟୀର ମଧ୍ୟେ ପ୍ରବେଶ କରିବା ମାତ୍ରେ କୁଟୀର, କାନନ, ମହୀତଳ ଉଜ୍ଜ୍ୱଳି ଉଠିଲା । ସେହି ପ୍ରଭାବରେ ଜାନକୀଙ୍କ ପ୍ରାଣ ହେଲା ପୁଲକିତ, ନେତ୍ର ହେଲା ନିମୀଳିତ । ଏଥର ଜାନକୀଙ୍କୁ ଦୃଶ୍ୟ ହେଲା, ପ୍ରଭୁ ରାମଚନ୍ଦ୍ର ପତ୍ନୀ, ପୁତ୍ରଙ୍କୁ ନେଇ ରତ୍ନସିଂହାସନରେ ଉପବିଷ୍ଟ । ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ନିଜନିଜ ସେବା କାର୍ଯ୍ୟରେ ନିଯୁକ୍ତ, ସ୍ଵର୍ଗପୁରରୁ କୁସୁମ ବର୍ଷିବାରେ ଦେବଗଣ ବ୍ୟସ୍ତ ଏବଂ ‘ଜୟ ସୀତାରାମ’ ଶବ୍ଦ ଉଚ୍ଚାରଣରେ ତ୍ରିଭୁବନବାସୀ ପୁଲକିତ । ଏ ଦୃଶ୍ୟ ସନ୍ଦର୍ଶନରେ ସତୀ ମୁଗ୍ଧ ହେଲେ ।

 

ରାମାୟଣର ଉତ୍ତରାର୍ଦ୍ଧ ଗର୍ଭିତ ବହୁ ବିଷୟ ପରିହାର ପୂର୍ବକ କାବ୍ୟ ସମାପ୍ତିକୁ ମିଳନାତ୍ମକ କରିବାପାଇଁ ଗଙ୍ଗାଧର ଏପରି ଏକ ନୂତନ ବିଷୟ ପରିକଳ୍ପନା କରିଛନ୍ତି ଏବଂ ଏଥିପାଇଁ ଯୋଗମାୟା ଭଳି ମାନବୋତ୍ତର ସଂଯୋଜକ ଚରିତ୍ର ଅବଲମ୍ୱନ ନିମିତ୍ତ ବାଧ୍ୟ ହୋଇଛନ୍ତି-। ବୋଧହୁଏ ଏ ସୂତ୍ର ସେ ପାଇଛନ୍ତି ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟରୁ; ବିଶେଷ କରି କୃଷ୍ଣକାବ୍ୟରୁ ।

 

ଉପସଂହାରରେ ଆଲୋଚନାର ନିଷ୍କର୍ଷ ସ୍ଵରୂପ କହିହେବ ଯେ, ସୁନନ୍ଦା, ଚପଳା, ଅନସୂୟା ପ୍ରିୟମ୍ୱଦା ପ୍ରଭୃତି ଚରିତ୍ର ଆହୃତ ସଂଯୋଜକ ଚରିତ୍ର ହେଲେ ମଧ୍ୟ ଗଙ୍ଗାଧରଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ହିଁ ଏମାନଙ୍କୁ ନବୀକୃତ କରିଛି । ତାପସୀସଖୀ, ପରିବ୍ରାଜିକା, ଯୋଗମାୟା ପ୍ରଭୃତି କଳ୍ପିତ ସଂଯୋଜକ ଚରିତ୍ରଗୁଡ଼ିକ କାବାସମସ୍ୟା ସମାଧାନ କଳ୍ପେ ତଥା ବିଷୟବସ୍ତୁକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଅବଲମ୍ୱିତ । ଏମାନଙ୍କ ଅଧ୍ୟୟନରେ ଗଙ୍ଗାଧରଙ୍କ ସର୍ଜନପରାକାଷ୍ଠା ପ୍ରମାଣିତ । ଅନୁକମ୍ପା, ବୃହସ୍ପତି, ପ୍ରକୃତି ପ୍ରଭୃତି କଳ୍ପିତ ସଂଯୋଜକ ଚରିତ୍ରମାନେ ହିଁ ମେହେର-କାବ୍ୟର ସର୍ବଶ୍ରେଷ୍ଠ ଆକର୍ଷଣ । ଏମାନେ ଗଙ୍ଗାଧରଙ୍କ କବିତ୍ୱ ଓ ବ୍ୟକ୍ତିତ୍ୱର ସକଳ ଭାବସତ୍ତା ବହନ କରି କେବଳ କବିକୃତି ମଧ୍ୟରେ ନୁହଁ, ସମଗ୍ର ଓଡ଼ିଆ ସାହିତ୍ୟ ଜଗତରେ ଅଦ୍ୱିତୀୟ, ଅନୁପମ ହୋଇପାରିଛନ୍ତି ।

 

ପରିଶେଷରେ ଏକ ଉଲ୍ଲେଖନୀୟ ଭକ୍ତିକୁ ଉଦ୍ଧାର କରିବାର ଲୋଭ ସମ୍ୱରଣ କରିହେଉନାହିଁ । କବିଙ୍କ ପରମ ହିତୈଷୀ ବ୍ରଜମୋହନ ପଣ୍ଡା ଏକ ପତ୍ରରେ ଉଲ୍ଲେଖ କରିଥିଲେ, “ତପସ୍ୱିନୀର ୪ର୍ଥ ସର୍ଗ ପୂର୍ଣ୍ଣ ହୋଇଥିବା ଅଳ୍ପ ସୁଖର ବିଷୟ ନୁହେଁ । ଆଉ ସର୍ଗେ ମାତ୍ର ଅବଶିଷ୍ଟ । ଆଶା କରେ ‘ଶାନ୍ତି’ ଆପଣଙ୍କ ସଖୀ ହୋଇ ତାହା (ତପସ୍ଵିନୀ) ପୂର୍ଣ୍ଣାଙ୍ଗ କରାଇଦେବ ।” ବ୍ରଜମୋହନଙ୍କ ଏହି ଉତ୍ସାହ ବାର୍ତ୍ତା ମଧ୍ୟରେ ଦୁଇଟି ଶବ୍ଦ ‘ସଖୀ’ ଓ ‘ଶାନ୍ତି’କୁ ବିଶେଷଣ କରିବାର ଯାଥାର୍ତ୍ୟ ରହିଛି । କାବ୍ୟ ବର୍ଣ୍ଣିତ ଶାନ୍ତି ଓ ତା’ର ବାହିନୀ ହେଉଛନ୍ତି ପ୍ରକୃତିର ବିବିଧ ବିମୁଗ୍ଧ ଲୀଳାର ପ୍ରତୀକ । ଏହାରି ମାଧ୍ୟମରେ କବି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବ୍ରଜମୋହନ ବାବୁ ଶାନ୍ତିକୁ କବିଙ୍କ ସଖୀ (କବି ଓ କବିକୃତି ମଧ୍ୟରେ ଏକ ସଂଯୋଜକ ଚରିତ୍ର) ରୂପେ ଗ୍ରହଣ କରି ତା’ରି ସହାୟତାରେ କାବ୍ୟରଚନା ସମାପ୍ତ କରିବାର ଉତ୍ସାହ ଯୋଗାଇଛନ୍ତି । ବାସ୍ତବରେ ‘ତପସ୍ୱିନୀ’ର କଥାବୀଜକୁ ସଂଯୋଜକ ଚରିତ୍ରମାନେ ହିଁ ଅଙ୍କୁରିତ, ପଲ୍ଲବିତ ଓ ପୁଷ୍ପିତ କରାଇ ପାରିଛନ୍ତି । ସାମାନ୍ୟ ଶ୍ରମ ସ୍ୱୀକାର କଲେ ଜାଣିହେବ, ତପସ୍ୱିନୀ କାବ୍ୟର ପ୍ରାରମ୍ଭରେ ପ୍ରକୃତି ଓ ପ୍ରକୃତିର ଅନ୍ୟରୂପ ଶାନ୍ତି, ପ୍ରଗତିରେ ଅନୁକମ୍ପା ଓ ତାପସୀସଖୀ ଏବଂ ପରିସମାପ୍ତିରେ ବାଲ୍ମୀକି ଓ ଯୋଗମାୟା ଚରିତ୍ର ହିଁ କାବ୍ୟଟିକୁ ସମସ୍ୟାମୁକ୍ତ, ଗତିଶୀଳ, ପ୍ରଲମ୍ୱିତ, ସୌନ୍ଦର୍ଯ୍ୟବିମଣ୍ଡିତ ତଥା ରମଣୀୟ ଓ କମନୀୟ କରିଛନ୍ତି । ଏମାନଙ୍କ ବ୍ୟତିରେକେ ‘ତପସ୍ୱିନୀ’ର ଆକର୍ଷଣୀୟ ଶରୀର ଏବଂ କାରୁଣ୍ୟ ପ୍ରଶାନ୍ତ ଆତ୍ମା ପରିକଳ୍ପନା ଆଦୌ ସଂଭବ ହୋଇପାରି ନଥାନ୍ତା । ଏ ସମୀକ୍ଷାତ୍ମକ ମନ୍ତବ୍ୟ ଗଙ୍ଗାଧରଙ୍କ ‘ଇନ୍ଦୁମତୀ’, ‘କୀଚକବଧ’ ଓ ‘ପ୍ରଣୟବଲ୍ଲରୀ’ ପାଇଁ ମଧ୍ୟ ପ୍ରଯୋଜ୍ୟ ।

 

***

 

ସହାୟକ ଗ୍ରନ୍ଥାବଳୀ

 

୧.

କାଳିଦାସ ଗ୍ରନ୍ଥାବଳୀ- ଅନୁବାଦ ଓ ସମ୍ପାଦନା-ଡଃ ଧନେଶ୍ୱର ମହାପାତ୍ର ।

୨.

ଗଙ୍ଗାଧର ଗ୍ରନ୍ଥାବଳୀ- ପ୍ରକାଶକ- ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର, କଟକ ।

୩.

ସାରଳା ମହାଭାରତ- ପ୍ରକାଶକ- ରାଧାରମଣ ପୁସ୍ତକାଳୟ, କଟକ ।

୪.

ରାଜକବି କୃଷ୍ଣସିଂହକୃତ ମହାଭାରତ- ପ୍ରକାଶକ-ଧର୍ମଗ୍ରନ୍ଥଷ୍ଟୋର, କଟକ ।

୫.

ଦାଣ୍ଡୀରାମାୟଣ-ବଳରାମ ଦାସ- ପ୍ରକାଶକ-ଧର୍ମଗ୍ରନ୍ଥଷ୍ଟୋର, କଟକ ।

୬.

ବାଲ୍ମୀକି ରାମାୟଣ- ପ୍ରକାଶକ-ଗୀତାପ୍ରେସ୍, ଗୋରଖପୁର ।

୭.

ଧ୍ୱନ୍ୟାଲୋକ, ଆନନ୍ଦବର୍ଦ୍ଧନ ପ୍ରକାଶକ-ଓଡ଼ିଶା ସାହିତ୍ୟ ଏକାଡେମୀ ।

୮.

କାବ୍ୟଶିଳ୍ପୀ ଗଙ୍ଗାଧର, ଶ୍ରୀଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ।

୯.

ଗଙ୍ଗାଧର ସାହିତ୍ୟ ପରିକ୍ରମା- ଶ୍ରୀ ପଠାଣି ପଟ୍ଟନାୟକ ।

୧୦.

ଓଡ଼ିଆ ସାହିତ୍ୟରେ ଗଙ୍ଗାଧର- ଶ୍ରୀ ଅସିତ୍ କବି ।

୧୧.

ମେହେର ସୃଷ୍ଟିସମୀକ୍ଷା– ଡଃ ଗଙ୍ଗାଧର ବଳ ।

୧୨.

ଶକୁନ୍ତଳା ଓ ଗଙ୍ଗାଧର- ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ।

୧୩.

ଓଡ଼ିଆ କାବ୍ୟକୌଶଳ- ଡଃ ସୁଦର୍ଶନ ଆଚାର୍ଯ୍ୟ ।

୧୪.

ଓଡ଼ିଆ କୃଷ୍ଣକାବ୍ୟରେ ସଂଯୋଜକ ଚରିତ୍ର- ଡଃ ଅଶୋକ କୁମାର ତ୍ରିପାଠୀ

୧୫.

ଭଂଜ ସାହିତ୍ୟରେ ସଂଯୋଜକ ଚରିତ୍ର- ଡଃ ଅଶୋକ କୁମାର ତ୍ରିପାଠୀ (ଅଧ୍ୟାପକ କମ୍ବୁପାଣି ସାମନ୍ତ, ଭଂଜନଗରଙ୍କ ଦ୍ୱାରା ସମ୍ପାଦିତ ଓ ପ୍ରକାଶିତ ‘ଆଚାର୍ଯ୍ୟ’ ପୁସ୍ତକରେ ସ୍ଥାନିତ ପ୍ରବନ୍ଧ)

୧୬.

ସପ୍ତର୍ଷି- ଗଙ୍ଗାଧର ବିଶେଷାଙ୍କ, ୧୯୮୦, ଅଧ୍ୟାପକ, ଓଡ଼ିଆ ବିଭାଗ, ଏରୋନଟିକ୍ସ ମହାବିଦ୍ୟାଳୟ, ସୁନାବେଡ଼ା, କୋରାପୁଟ

 

(କୋଣାର୍କ ପତ୍ରିକାର-୧୧୮ତମ ସଂଖ୍ୟାରେ ପ୍ରକାଶିତ ପ୍ରବଂଧର ଅବଶିଷ୍ଟାଂଶ)

 

 

ଅଧ୍ୟାପକ, ଓଡ଼ିଆ ବିଭାଗ,

ଏରୋନଟିକ୍ସ, ମହାବିଦ୍ୟାଳୟ, ସୁନାବେଡା, କୋରାପୁଟ

 

***

 

ଏକାଡେମୀ ସମାଚାର

ରାଜ୍ୟସ୍ତରୀୟ କବି ସମ୍ମିଳନୀ

ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକତା ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରଙ୍କ ଦ୍ଵାରା ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟଙ୍କ ସହଯୋଗରେ ତା ୨.୫.୦୪ରିଖ ଦିନ ୧୦ ଘଣ୍ଟା ସମୟରେ ନେହେରୁ ବଙ୍ଗଳା ପାରାଦ୍ୱୀପ ପୋର୍ଟଠାରେ ଏକ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

 

ଏଥିରେ ବରିଷ୍ଠ କବି ତଥା ରାଜସ୍ୱ ପରିଷଦ ସଦସ୍ୟ ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା, ଆଇ.ଏ.ଏସ୍, ମୁଖ୍ୟ ଅତିଥି, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ଉପାଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ଏହି କବି ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ ଏବଂ ସମ୍ପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କବି ସମ୍ମିଳନୀରେ ରାଜ୍ୟର ବହୁ ପ୍ରବୀଣ ଓ ତରୁଣ କବି ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ ।

 

ସନ୍ଥକବି ଭୀମ ଭୋଇ ଜୟନ୍ତୀ

ସନ୍ଥକବି ଭୀମ ଭୋଇଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭୀମ ଭୋଇ ସାହିତ୍ୟ ପରିଷଦ, ରେଢ଼ାଖୋଲଙ୍କ ମିଳିତ ଆନୁକୂଲ୍ୟରେ ତା ୪.୫.୦୪ ରିଖ ସନ୍ଧ୍ୟା ୬.୩୦ ଘଣ୍ଟା ସମୟରେ ରେଢ଼ାଖୋଲସ୍ଥ କଦମ୍ୱପଡ଼ିଆଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ସ୍ମୃତିସଭାରେ ଡକ୍ଟର ଉଦ୍ଧବ ଚରଣ ନାୟକ, ଶ୍ରୀଯୁକ୍ତ ଗୋରେଖନାଥ ସାହୁ ସମ୍ମାନିତ ଅତିଥି ଶ୍ରୀଯୁକ୍ତ କେଦାର ମିଶ୍ର ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଜଗତର ବାସ୍ତବ ସତ୍ୟକୁ ଅତି ନିଖୁଣ ଭାବରେ ଭୀମ ଭୋଇ ତାଙ୍କ କାବ୍ୟରେ ଚିତ୍ରଣ କରିଥିବା ତଥା ଦଳିତ ଓ ନିଷ୍ପେଷିତ ମାନବ ଜାତି ପାଇଁ ଗଭୀର ବେଦନାବୋଧ ଏବଂ ସମ୍ୱେଦନଶୀଳତା ପ୍ରକାଶ କରିବାରେ ତାଙ୍କର କାବ୍ୟିକ ଉଚ୍ଚାରଣଗୁଡ଼ିକ ଅଭିପ୍ରେତ ବୋଲି କହିଥିଲେ ।

 

ଭୀମ ଭୋଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଭୀମ ଭୋଇ ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବିଶ୍ୱାଳ ଏହି ସଭାରେ ପୌରୋହିତ୍ୟ କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

ସାର୍ ବାସୁଦେବ ସୁଢ଼ଳଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ ସାର୍ ବାସୁଦେବ ସୁଢ଼ଳଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ତା ୧୬.୫.୨୦୦୪ ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଦେବଗଡ଼ସ୍ଥ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ସଭାରେ ଦେବଗଡ଼ ଜିଲ୍ଲାର ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ଦାସ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଓ ଡକ୍ଟର ନାରାୟଣ ପଣ୍ଡା ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ସାର ବାସୁଦେବ ସୁଢ଼ଳଦେବଙ୍କ ପାଣ୍ଡିତ୍ୟ ତଥା ସାହିତ୍ୟାନୁରାଗ ବିଷୟରେ ଆଲୋଚନା କରିଥିଲେ ।

 

ଏହି ସଭାରେ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ପୌରୋହିତ୍ୟ କରିଥିଲେ ।

 

କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରସ୍ୱତ ସମାରୋହ ସମିତି, ସାଲେପୁରଙ୍କ ମିଳିତ ଆନୁକୂଲ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସାଲେପୁର ହାଇସ୍କୁଲଠାରେ ତା ୨୧.୬.୨୦୦୪ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି-

 

ଏହି ସାରସ୍ୱତ ଉତ୍ସବରେ ଡକ୍ଟର ସୁଲୋଚନା ଦାସ ମୁଖ୍ୟବକ୍ତା, ଡକ୍ଟର ଗିରୀଶଚନ୍ଦ୍ର ସାହୁ, କବି ଶ୍ରୀ ଅଭୟ ନାୟକ ଓ ଶ୍ରୀ ଅବନୀ ଭୂଷଣ କାନୁନ୍‌ଗୋ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସୁରେନ୍ଦ୍ର ମହାନ୍ତି ଏକ ବହୁମୁଖୀ ସୃଜନଶୀଳ ପ୍ରତିଭା ଏବଂ ତାଙ୍କର ଗଦ୍ୟ ରଚନାର ଶୈଳୀ ଏକ ଭିନ୍ନ ରୁଚିସମ୍ପନ୍ନ ବୋଲି ମତବ୍ୟକ୍ତ କରିଥିଲେ ।

 

ଏହି ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ପୌରୋହିତ୍ୟ କରିଥିଲେ ଏବଂ ସମ୍ପାଦକ ଶ୍ରୀ ରାଜକିଶୋର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୃପାସିନ୍ଧୁ ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୨୭.୬.୦୪ ରିଖ ଅପରାହ୍ନ ୫ ଘଣ୍ଟା ସମୟରେ ପୁରୀ ନିକଟସ୍ଥ ବୀରପ୍ରତାପପୁର ଶାସନଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ଉତ୍ସବରେ ଡକ୍ଟର ବୈରାଗୀ ଚରଣ ଜେନା ମୁଖ୍ୟ ଅତିଥି, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଓ ଶ୍ରୀଯୁକ୍ତ ସୁଧୀର ଦାସ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ କୃପାସିନ୍ଧୁଙ୍କ ଆଦର୍ଶ ଶିକ୍ଷକତା ଓ ନିଷ୍ଠାପର ଜୀବନ ଉପରେ ଆଲୋକପାତ କରିଥିଲେ ।

 

ଏହି ସଭାରେ କୃପାସିନ୍ଧୁ ସ୍ମୃତି ସମିତିର ସଭାପତି ଶ୍ରୀ ପ୍ରସନ୍ନ କୁମାର ମିଶ୍ର ପୌରୋହିତ୍ୟ କରିଥିଲେ ।

 

ରାଜା ବିକ୍ରମଦେବ ବର୍ମା ଜୟନ୍ତୀ

ସାରସ୍ୱତ ସାଧକ ରାଜର୍ଷି ବିକ୍ରମଦେବ ବର୍ମାଙ୍କର ୧୩୫ ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟ ଓ ଜୟପୁର ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା ୨୮.୬.୦୪.ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଜୟପୁରସ୍ଥିତ ସରୋଜିନୀ ଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ଶ୍ରୀଯୁକ୍ତ ଦାଶରଥି ନନ୍ଦ ସମ୍ମାନନୀୟ ଅତିଥି, ଶ୍ରୀଯୁକ୍ତ ରବି ଶତପଥୀ ମୁଖ୍ୟ ବକ୍ତା ଓ ଶ୍ରୀମତୀ ପ୍ରୀତିଧାରା ସାମଲ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ରାଜା ବିକ୍ରମଦେବ ବର୍ମାଙ୍କ କାର୍ଯ୍ୟ ଅବିସ୍ମରଣୀୟ ବୋଲି ମତପ୍ରକାଶ କରିଥିଲେ ।

 

ଏହି ସଭାରେ ଶ୍ରୀଯୁକ୍ତ ନରସିଂହ ମିଶ୍ର ପୌରୋହିତ୍ୟ କରିଥିଲେ ଏବଂ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜୟପୁର ସାହିତ୍ୟ ପରିଷଦର ସମ୍ପାଦକ ଶ୍ରୀ ଶ୍ରୀନାଥ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ-

 

କାଳିନ୍ଦୀ ଚରଣ ପାଣିଗ୍ରାହୀ ଜୟନ୍ତୀ

ଲବ୍ଧ ପ୍ରତିଷ୍ଠିତ କବି ଓ କଥାକାର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ସାହିତ୍ୟ ସମାଜ କଟକଙ୍କ ସହଯୋଗରେ ତା ୨.୭.୨୦୦୪ ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନରେ ଏକ ସାରସ୍ଵତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ନଟବର ଶତପଥୀ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରି ତାଙ୍କର ଭାଷଣ ପ୍ରସଙ୍ଗରେ କହିଥିଲେ- କାଳିନ୍ଦୀ ଚରଣ ଆମର ପୂର୍ବସୂରୀ । ସେ ଯେଉଁ ପଥ ଦର୍ଶାଇଛନ୍ତି ଆମେ ତାହାଦ୍ୱାରା ଗଭୀର ଅନୁଗୃହୀତ ହୋଇଛୁ । ସମ୍ମାନନୀୟ ବକ୍ତା ଭାବରେ ଡକ୍ଟର ଅଜୟ କୁମାର ମିଶ୍ର ଯୋଗଦାନ କରି କାଳିନ୍ଦୀ ଚରଣଙ୍କୁ ଜଣେ ଶ୍ରେଷ୍ଠ ସାହିତ୍ୟ ସଂଗଠକ ଭାବରେ ବର୍ଣ୍ଣନା କରିଥିଲେ ।

 

ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ରତ୍ନାକର ଚଇନି ଏହି ସଭାରେ ପୌରୋହିତ୍ୟ କରି ଶବ୍ଦବ୍ରହ୍ମର ସଂଯୋଜନାରେ କାଳିନ୍ଦୀ ଚରଣ ଯେଉଁ ସୃଷ୍ଟି ପରପୀଢ଼ିଲାଗି କରିଯାଇଛନ୍ତି ତାହାର ଆଲୋଚନା କରିଥିଲେ ।

 

ଉତ୍କଳ ସାହିତ୍ୟ ସମାଜର ସଂପାଦକ ଡକ୍ଟର ବିଜୟାନନ୍ଦ ସିଂହ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହସଂପାଦକ ଡକ୍ଟର ସନ୍ଧ୍ୟାରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

କର୍ମବୀର ଗୌରୀଶଙ୍କର ରାୟ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ତଥା କଟକ ମହାନଗର ନିଗମ, ଓଡ଼ିଶା ପ୍ରଦେଶ କାୟସ୍ଥ ସଭା ଏବଂ କର୍ମବୀର ଗୌରୀଶଙ୍କର ସ୍ମୃତି ସଂସଦର ମିଳିତ ସହଯୋଗରେ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୬୬ତମ ଜୟନ୍ତୀ ତା ୧୩.୭.୨୦୦୪ ରିଖ ପୂର୍ବାହ୍ନ ୯.୩୦ ଘଣ୍ଟା ସମୟରେ କଟକ ସହର କାଠଗଡ଼ା ସାହିସ୍ଥିତ କର୍ମବୀର ଗୌରୀଶଙ୍କର ସ୍ମୃତିସଦନ ପରିସରରେ ପାଳିତ ହୋଇଯାଇଛି ।

 

ଏହି ଜୟନ୍ତୀ ଉପଲକ୍ଷେ ଆୟୋଜିତ ଆଲୋଚନା ସଭାରେ ଡକ୍ଟର ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି, ଶ୍ରୀ କାର୍ତ୍ତିକ ଚନ୍ଦ୍ର ଚାନ୍ଦ ଓ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରି କର୍ମବୀର ଗୌରୀଶଙ୍କରଙ୍କୁ ଜଣେ ନିଷ୍ଠାପର ସାରସ୍ୱତ ସାଧକ, ସମାଜ ସଂସ୍କାରକ ଓ ନିର୍ଭୀକ ସାମ୍ୱାଦିକ ଭାବେ ବର୍ଣ୍ଣନା କରିଥିଲେ ।

 

ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ଏହି ସଭାରେ ପୌରୋହିତ୍ୟ କରି ତାଙ୍କର ଭାଷଣ ପ୍ରସଙ୍ଗରେ ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଓଡ଼ିଆଭାଷାର ଶ୍ରୀବୃଦ୍ଧି ସାଧନ ପାଇଁ ଗୌରୀଶଙ୍କରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି କହିଥିଲେ ।

 

ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ଗୌରୀଶଙ୍କରଙ୍କର ସଂସ୍କାରଧର୍ମୀ କାର୍ଯ୍ୟାବଳୀର ଆଲୋଚନା କରିଥିଲେ ।

 

***